Unknown

 

 

 

 

 

 

 

 

ହିନ୍ଦୁ ଓ ବୌଦ୍ଧ ପ୍ରାଚୀନ କଥାମାଳା

(ପ୍ରଥମ ଭାଗ)

ମୂଳ ଲେଖା

 

ଭଗିନୀ ନିବେଦିତା ଓ ଆନନ୍ଦ କୁମାରସ୍ଵାମୀ

ଅନୁବାଦ

ଚିତ୍ତରଞ୍ଜନ ଦାସ

 

ଭଗିନୀ ନିବେଦିତା ଭାରତବର୍ଷର ଅନ୍ତର୍ଗତ ପ୍ରାଣଟିକୁ ଅନୁଭବ କରି ପାରୁଥିବା ପ୍ରତ୍ୟେକ ଭାରତୀୟର ଭଗିନୀ । ଭାରତୀୟ ବିଦ୍ୟାର ଦର୍ପଣ ଉପରେ ଭାରତର ଶାଶ୍ଵତ ହୃଦୟଟିର ସନ୍ଧାନ କରିଥିବା ମହାନ୍ ଶ୍ରଦ୍ଧାବାନ୍‌ମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ଆନନ୍ଦ କୁମାରସ୍ଵାମୀ ସର୍ବଦା ନିଶ୍ଚୟ ସର୍ବପ୍ରଥମ ଧାଡ଼ୀରେ ରହିଥିବେ । ସେମାନଙ୍କର ଏହି ଗ୍ରନ୍ଥଟିକୁ ଓଡ଼ିଆ ଭାଷାକୁ ଆଣିବା,-ତାହା ପ୍ରକୃତରେ ଏକ ସୌଭାଗ୍ୟ । ଜଣେ ଅନୁବାଦକ ନିମନ୍ତେ ଏକ ଅତୀବ ଆନନ୍ଦର ବିଷୟ ।

 

ଓଡ଼ିଆ ପାଠକମାନଙ୍କୁ ମଧ୍ୟ ଏହା ଅଧିକ ବିଚାର ଓ ବିବେକ ନିମନ୍ତେ ଅବଶ୍ୟ ବହୁତ ଖାଦ୍ୟ ଯୋଗାଇ ଦେବ ।

 

ପୁନଶ୍ଚ :

 

ମୂଳ ବହିଟି ଗୋଟିଏ ହୋଇଥିଲେ ମଧ୍ୟ ସହଜ ବିକ୍ରୀ ଦୃଷ୍ଟିରୁ ଓଡ଼ିଆ ଅନୁବାଦରେ ତାହାକୁ ଦୁଇ ଭାଗରେ ପ୍ରକାଶିତ କରାଯାଇଛି । ଆମେ ସେଥିଲାଗି ପାଠକମାନଙ୍କ ପାଖରେ କ୍ଷମା ମାଗିନେଉଛୁ ।

☆☆☆

 

ସୂଚୀପତ୍ର

 

ପ୍ରଥମ ଭାଗ

 

 

 

ମୁଖବନ୍ଧ

 

ଭାରତୀୟ ଆର୍ଯ୍ୟମାନଙ୍କର ପ୍ରାଚୀନ କଥାବୀଥି

 

ରାମାୟଣ

 

ବୁଦ୍ଧ

 

ଶିବ

 

 

ଦ୍ଵିତୀୟ ଭାଗ

 

 

 

ମହାଭାରତ

 

କୃଷ୍ଣ

 

ପୁରାଣ, ମହାକାବ୍ୟ ଏବଂ ବେଦର ଅନ୍ୟାନ୍ୟ ଗଳ୍ପ

 

ଉପସଂହାର

☆☆☆

 

ମୁଖବନ୍ଧ

 

ଭଗିନୀ ନିବେଦିତା ହିଁ ଏହି ପୁସ୍ତକଟିକୁ ଲେଖିବେ ବୋଲି ପ୍ରଥମେ କଥା ଥିଲା । ପାଶ୍ଚାତ୍ୟ ଅଥବା ଭାରତୀୟ ପାଠକମାନଙ୍କୁ ନିବେଦିତାଙ୍କର ପରିଚୟ ଦେବାର ଆଦୌ କୋଣସି ପ୍ରୟୋଜନ ନାହିଁ । ମହାନ୍ ଗୁରୁ ରାମକୃଷ୍ଣଙ୍କର ଅନୁଗାମୀ ସ୍ଵାମୀ ବିବେକାନନ୍ଦଙ୍କର ନିବେଦିତା ଜଣେ ପରମନିଷ୍ଠାଯୁକ୍ତ ଶିଷ୍ୟ ଥିଲେ, ଭାରତୀୟ ଜୀବନ ଏବଂ ସାହିତ୍ୟରେ ପାଶ୍ଚାତ୍ୟ ଶିକ୍ଷା ତଥା ସମାଜିକ ବିଜ୍ଞାନର ପ୍ରବେଶ ଘଟାଇଥିଲେ । ନିଜର ଦେଶ ବୋଲି ଗ୍ରହଣ କରି ନେଇଥିବା ଏହି ଭାରତବର୍ଷର ଜନଗଣ ତଥା ଆଦର୍ଶଗୁଡ଼ିକ ପ୍ରତି ଶ୍ରଦ୍ଧାର କ୍ଷେତ୍ରରେ ଅସାଧାରଣ ଉତ୍ସାହର ପ୍ରଦର୍ଶନ କରିଥିଲେ । ଭାରତୀୟ ଜୀବନ ବିଷୟରେ ତାଙ୍କର ଲିଖିତ The Web of Indian Life ପୁସ୍ତକରେ ହିନ୍ଦୁ ସମାଜ ସମ୍ବନ୍ଧରେ ସିଏ ଅତ୍ୟନ୍ତ ପକ୍ଷପାତଶୂନ୍ୟ ବର୍ଣ୍ଣନା ଦେଇ ଯାଇଛନ୍ତି ଏବଂ ତାଙ୍କର Kali the Mother ଗ୍ରନ୍ଥର ପାଶ୍ଚାତ୍ୟର ପାଠକମାନଙ୍କ ସକାଶେ ଭାରତୀୟ ମାତୃ-ଉପାସନାର ଉଭୟ କୋମଳ ତଥା ରୁଦ୍ର ବିଭାବର ଗଭୀର ଆଲୋଚନା କରିଛନ୍ତି, ଯେଉଁଥିରୁ କି ତାହାର ପ୍ରକୃତ ଧର୍ମୀୟ ଏବଂ ସାମାଜିକ ତାତ୍ପର୍ଯ୍ୟଟି ଉପଲବ୍ଧ ହୋଇ ମଧ୍ୟ ପାରୁଛି । ଏହି ଗ୍ରନ୍ଥଗୁଡ଼ିକର ମାଧ୍ୟମରେ ନିବେଦିତା ଇଉରୋପ ନିମନ୍ତେ ଭାରତବର୍ଷର କେବଳ ବ୍ୟାଖ୍ୟାଟିଏ ଯୋଗାଇ ଦେଇଛନ୍ତି ତା’ ନୁହେଁ, ମାତ୍ର ଭାରତୀୟ ଛାତ୍ରମାନଙ୍କର ଏପରି ଗୋଟିଏ ନୂତନ ଗୋଷ୍ଠୀକୁ ପ୍ରେରଣା ବି ଯୋଗାଇ ଦେଇଛନ୍ତି, ଯେଉଁମାନେ କି ଆଉ ଗୋଟାସୁଦ୍ଧା ଇଂରାଜୀ ହୋଇଯିବାକୁ ଆଦୌ ବ୍ୟଗ୍ର ହେଉନାହାନ୍ତି; ସେମାନେ ଦୃଢ଼ ଭାବରେ ବିଶ୍ଵାସ କରୁଛନ୍ତି ଯେ, କେବଳ ରାଜନୀତିଗତ ବାଦବିବାଦକୁତ୍ୟାଗ କରି ଯଥାର୍ଥ ଅଗ୍ରଗତି କରିବାକୁ ହେଲେ ତାହାକୁ ଜାତୀୟ ଆଦର୍ଶଗୁଡ଼ିକ ଉପରେ ଠିଆ କରିବାକୁ ହିଁ ପଡ଼ିବ, ଭାରତୀୟ ଧର୍ମ ଓ ଭାରତୀୟ କଳାରେ ଅତ୍ୟନ୍ତ ସ୍ପଷ୍ଟ ଭାବରେ ବ୍ୟକ୍ତ ହୋଇ ଆସିଥିବା ଅଭିପ୍ରାୟ ଗୁଡ଼ିକର ଆଧାର ଉପରେ ଛିଡ଼ା କରାଇବାକୁ ଅବଶ୍ୟ ପଡ଼ିବ ।

 

୧୯୧୧ ମସିହାରେ ଭଗିନୀ ନିବେଦିତାଙ୍କର ଅକାଳ ମୃତ୍ୟୁ ହେବା ଫଳରେ ପ୍ରସ୍ତୁତ ପୁସ୍ତକଟିକୁ ଜଣେ ଆଉ କାହାରିଦ୍ଵାରା ସମ୍ପୂର୍ଣ୍ଣ କରିବା ଅବଶ୍ୟକ ହୋଇଛି । ନିବେଦିତା ପୁସ୍ତକଟିର ପ୍ରାୟ ଏକତୃତୀୟାଂଶ ଲେଖି ସାରିଥିଲେ ଏବଂ ଅବଶିଷ୍ଟ ଅଂଶଗୁଡ଼ିକୁ ବର୍ତ୍ତମାନର ଲେଖକକୁ ହିଁ ପୂରଣ କରିବାକୁ ପଡ଼ିଛି ।

 

ଏହିସବୁ ପ୍ରାଚୀନ କଥା ଏବଂ କିମ୍ବଦନ୍ତୀଗୁଡ଼ିକୁ କିପରି ନୀତିର ଅନୁସରଣ କରି ବଛାଯାଇଛି ଏବଂ ଏକାଠି ଗୁନ୍ଥାଯାଇଛି, ଏଠାରେ ସଂକ୍ଷିପ୍ତ ଭାବରେ ବୁଝାଇ କହିବା ଅବଶ୍ୟ ଉଚିତ ହେବ । ଏଗୁଡ଼ିକ ମୂଳରେ ଯେଉଁପରି ଥିଲା, ସେଗୁଡ଼ିକୁ ଯଥାସମ୍ଭବ ସେହିପରି ରଖିବା ସକାଶେ ମୁଁ ଧ୍ୟାନ ଦେଇ ଆସିଛି,–ମାତ୍ର ସାଧାରଣତଃ ସେଗୁଡ଼ିକୁ ବହୁତ ସଂକ୍ଷେପିତ କରିଦେଇଛି-। ପ୍ରତ୍ୟେକ ଶିକ୍ଷିତ ଭାରତୀୟ ଏହି କାହାଣୀମାନଙ୍କ ସହିତ ଅବଶ୍ୟ ଅଳ୍ପବହୁତ ପରିଚିତ ଅଛନ୍ତି;-ଏମାନଙ୍କ ମଧ୍ୟରେ ମୁଁ ଭାରତବର୍ଷର ନିରକ୍ଷର ଅଥଚ ପ୍ରଜ୍ଞାଯୁକ୍ତ ସବୁ କୃଷକ ଏବଂ ନାରୀଙ୍କୁ ଅନ୍ତର୍ଭୁକ୍ତ କରୁଛି, ଯେଉଁମାନେ କି ଆବୃତ୍ତି ଓ ପାରାୟଣଗୁଡ଼ିକୁ ଶୁଣିଥିବାରୁ, ମନ୍ଦିରଗୁଡ଼ିକୁ ଯାଇଥିବାରୁ (ଯେଉଁଠାରେ କି କାହାଣୀଗୁଡ଼ିକୁ ମୂର୍ତ୍ତିମାନଙ୍କର ମାଧ୍ୟମରେ ଦେଖାଇ ଦିଆଯାଇଛି, ଲୋକଗୀତ ଗୁଡ଼ିକରୁ ଅଥବା ଅଭିନୀତ ନାଟକମାନଙ୍କରୁ ପୁରାଣଗୁଡ଼ିକ ବିଷୟରେ ପ୍ରଭୂତ ଜ୍ଞାନ ଅର୍ଜନ କରିଛନ୍ତି । ଭାରତୀୟମାନେ ସେମାନଙ୍କର କାମ୍ୟ ଲକ୍ଷ୍ୟଗୁଡ଼ିକୁ ହାସଲ କରିବା ଦିଗରେ ସେମାନଙ୍କୁ କୌଣସି ନା କୌଣସି ପ୍ରକାରେ ସହଯୋଗ କରିବା ସକାଶେ ଇଚ୍ଛା କରୁଥିବା ପ୍ରତ୍ୟେକ ବିଦେଶୀବାସୀ ନିମନ୍ତେ ଏହି ପୁସ୍ତକରେ ବର୍ଣ୍ଣିତ କାହାଣୀ ଗୁଡ଼ିକୁ ଜାଣିବାର ଏକାନ୍ତ ଆବଶ୍ୟକତା ରହିଛି,–କାରଣ ଭାରତବର୍ଷର ପୁରାଣ ଏବଂ କଳାସୃଜନର କ୍ଷେତ୍ରରେ ହିଁ ସେହି ଲକ୍ଷ୍ୟଗୁଡ଼ିକ ସବୁଠାରୁ ଅଧିକ ପରିମାଣରେ ଅଭିବ୍ୟକ୍ତ ଲାଭ କରି ପାରିଛି । ଏବଂ, ଏହି ବିଦେଶୀମାନଙ୍କ ଭିତରେ କେବଳ ଭାରତୀୟ ଆଦର୍ଶଗୁଡ଼ିକ ପ୍ରତି ଆପଣାର ନିବିଡ଼ ଶ୍ରଦ୍ଧା ଘୋଷଣା କରିଥିବା ନିବେଦିତା ନୁହନ୍ତି, ଉଚ୍ଚ ଶାସନସ୍ତରର କର୍ମକର୍ତ୍ତା ତଥା ମିଶନାରୀମାନଙ୍କୁ ମଧ୍ୟ ଅବଶ୍ୟ ସାମିଲ କରାଯିବ । ଏହି ପୁସ୍ତକରେ ପୁନର୍କଥିତ ପ୍ରାୟ ସବୁଯାକ ଭାରତୀୟ ପୁରାକାହାଣୀ ଏହି ଦେଶରେ ସ୍ଥପତି ଏବଂ ଚିତ୍ରକଳାରେ ପ୍ରକାଶରୂପ ପାଇସାରିଛି । ଏବଂ, ସେଥିରେ ବହୁତ ପରିମାଣରେ ଏପରି କାହାଣୀଚୟ ରହିଛି, ଯେଉଁଗୁଡ଼ିକୁ କି ଅଚିରେ କେବଳ ଭାରତବର୍ଷର ନୁହେଁ, ମାତ୍ର ସମଗ୍ର ପୃଥିବୀର ସମ୍ପଦ ବୋଲି ନିଶ୍ଚୟ ଘୋଷିତ ହେବେ । ମୁଁ ଭାବୁଛି, ସର୍ବପ୍ରଥମେ ଯେତେ ଯେଉଁଠି ଉଦାର ସାହସ, ସତ୍ୟର ପାଳନ ଏବଂ ସୃଷ୍ଟ ଜୀବମାନଙ୍କୁ ଭଲ ପାଇବା ବିଷୟରେ କାହାଣୀମାନ ଲେଖାଯାଇଛି, ରାମାୟଣ କାହାଣୀକୁ ସେଗୁଡ଼ିକ ମଧ୍ୟରେ ସର୍ବଶ୍ରେଷ୍ଠ ବୋଲି ନିଶ୍ଚୟ କୁହାଯିବ ।

 

-ଆନନ୍ଦ ଜେନେଥ୍ କୁମାରସ୍ୱାମୀ

☆☆☆

 

 

 

 

 

 

 

 

 

 

 

 

 

ପ୍ରଥମ ଭାଗ

 

ଭାରତୀୟ–ଆର୍ଯ୍ୟମାନଙ୍କର ପ୍ରାଚୀନ କଥାବୀଥି

ପୌରାଣିକ ସାହିତ୍ୟର ଅଧ୍ୟୟନ

 

ମନୁଷ୍ୟସମୂହର ଇତିହାସ ଏସିଆ ମହାଦେଶ ହିଁ ଏକ ବିଶାଳ କ୍ଷେତ୍ରରୂପେ ଆବିର୍ଭୂତ ହୋଇଥିଲା ଓ ସେହି ଘଟଣାରେ ମିଶର, ଆରବ, ଗ୍ରୀସ, ଭାରତବର୍ଷ ଓ ଚୀନ୍ ଏକ ବୃହତ୍ ଉଚ୍ଚତାକୁ ସ୍ପର୍ଶ କରିଥିଲେ । ଆପଣାର ଭୌଗୋଳିକ ଅବସ୍ଥିତ ହେତୁ ପରବର୍ତ୍ତୀ କାଳରେ ମିଶର ଓ ଆରବର ସଂସ୍କୃତି ନଷ୍ଟ ହୋଇଗଲା । ମାତ୍ର ଗ୍ରୀସ୍ ତଥା ବିଶେଷ ଭାବରେ ଭାରତବର୍ଷରେ ବହୁତ କିଛି ସୁରକ୍ଷିତ ହୋଇ ରହିଗଲା । ଯୁଗେ ଯୁଗେ ବାହାରୁ କେତେ କିଏ ଆସିଲେ, ମାତ୍ର ଏମାନେ ସତେଅବା କୌଣସି ଗୁପ୍ତ ଗିରିଶିଖର ଉପରେ ନିଖୁଣ ଭାବରେ ତିଷ୍ଠି ରହି ପାରିଥିଲେ । ତେଣୁ, ଭାରତବର୍ଷରେ ଏବେ ମଧ୍ୟ ଆମେ ଅତୀତସଂସ୍କୃତିର ପୂର୍ବାପର କାଳଗୁଡ଼ିକୁ ଅଧ୍ୟୟନ କରିପାରିବା, ପୃଥିବୀର ଅନ୍ୟ କୌଣସି ସଂସ୍କୃତିର କ୍ଷେତ୍ରରେ ଯାହାକି ଆଦୌ ସମ୍ଭବ ହେବନାହିଁ ।

 

ସର୍ବତ୍ର ନୂଆ ନୂଆ ଲୋକପ୍ରବାହମାନେ ଆସନ୍ତି,–ପ୍ରତ୍ୟେକର ବିଶେଷ ଗୋଟିଏ ଗୋଟିଏ ଦୃଷ୍ଟିକୋଣ ରହିଥାଏ, ଯୁଗଯୁଗର ବିଶେଷ ଚଳଣି ଏବଂ ଭୌଗୋଳିକ ନାନା ସ୍ଥିତି ଫଳରେ ସେଗୁଡ଼ିକୁ ନିର୍ମିତ ହୋଇଥାଏ–ଏବଂ ସେହିଗୁଡ଼ିକ ହିଁ ଏକତ୍ର ସଂଯୁକ୍ତ ହୋଇ ଗୋଟିଏ ସଭ୍ୟତାର ବିକାଶ କରାଇ ଆଣନ୍ତି । ପଶ୍ଚିମ ଏସିଆକୁ ପୃଥିବୀରେ ସେହିଭଳି ଏକ କେନ୍ଦ୍ରୀୟ କ୍ଷେତ୍ର ବୋଲି କୁହାଯିବ, ଯେଉଁଠାରେ କି ଉତ୍ତର ଦକ୍ଷିଣ ଏବଂ ପୂର୍ବ ପଶ୍ଚିମର ବହୁ ପଥ ଆସି ପରସ୍ପରକୁ ଭେଟିଛନ୍ତି ଏବଂ ତା’ଫଳରେ ବାଣିଜ୍ୟିକ ଆଦାନପ୍ରଦାନ ନିମନ୍ତେ କେତେ କେତେ ସହର ଗଠିତ ହୋଇ ଆସିଛି । ସେହିପରି ଭାରତବର୍ଷ ଓ ନୀଳ ନଦୀର ଉପତ୍ୟକାରେ ମଧ୍ୟ କେତେ ଜନସମୂହ ଆସି ବାସ କରିଛନ୍ତି । କୃଷିନିର୍ଭର ଜାତିଗୁଡ଼ିକ ବିକଶିତ ହୋଇ ପାରିଛନ୍ତି । ସେଠାରେ ଆକୃତି ଲାଭ କରିଥିବା ସଭ୍ୟତା ବୃହତ୍ତର ପୃଥିବୀ ଉପରେ ମଧ୍ୟ ପ୍ରଭାବ ପକାଇବାର ଏକାଧିକ କାରଣ ହୋଇଛି ।

 

ନୀଳନଦୀର ଅଞ୍ଚଳରେ ବାସ କରିଥିବା ମନୁଷ୍ୟସମୂହମାନେ ସମଗ୍ର ପୃଥିବୀ ନିମନ୍ତେ ଯେଉଁ ଅବଦାନମାନ ରଖି ଯାଇଛନ୍ତି, ତାହାର କାହାଣୀଟିକୁ ଆବିଷ୍କାର କରିବା ଆଦୌ ଅସମ୍ଭବ ନୁହେଁ । ମାତ୍ର, ଯାହା ସୂଚନା ମିଳୁଛି, ସେହି ଭୂମିର ଅଧିବାସୀମାନେ ନିଜର ଅତୀତକୁ ଧରି ରଖିଥିବା ନିଜ ହାତଗୁଡ଼ିକୁ କୌଣସି କାରଣରୁ ଶିଥିଳ କରି ଦେଇଛନ୍ତି,—ତେଣୁ ଅବିଚ୍ଛିନ୍ନତା ବ୍ୟାହତ ହୋଇଛି । କାରଣ, ଗୋଟାଏ ମାତ୍ର ପୁରୁଷ ଯଦି ବାହାର ତଥା ବିଦେଶର ଚଳଣିଗୁଡ଼ିକରୁ ଫାନ୍ଦଭିତରେ ବାଉଳା ହୋଇଯିବ, ତେବେ ହୁଏତ ତାହାରିଦ୍ଵାରା ହିଁ ସଭ୍ୟତା ତଥା ବିଦ୍ୟା ପରମ୍ପରାରେ ବ୍ୟାଘାତ ଘଟିବାର ଆଶଙ୍କା ମଧ୍ୟ ଆସି ଉପସ୍ଥିତ ହୋଇପାରେ । ଯୁଗଯୁଗର ମୂଲ୍ୟବାନ୍ ସଂଗ୍ରହକୁ ଅତୀତ ସର୍ବଦା ଭବିଷ୍ୟର ହାତରୁ ବଢ଼ାଇ ଦେବାକୁ ଇଚ୍ଛା କରୁଥାଏ ଏବଂ ସେହି ଦୀର୍ଘ ସମ୍ପଦସାମଗ୍ରୀରୁ ଯେପରି ଆଦୌ କିଛି ହାତଛଡ଼ା ହୋଇ ରହିନଯାଏ, ସେଥିଲାଗି ଏକ ପ୍ରକାରର କଠିନ ଶୌର୍ଯ୍ୟ ଆବଶ୍ୟକ ହୁଏ ଓ ଏପରିକି କିଛି ଅତିରିକ୍ତ ପରିଣାମରେ ରକ୍ଷଣଶୀଳ ହେବାକୁ ମଧ୍ୟ ହୋଇଥାଏ । ବଡ଼ ବଡ଼ ସାମ୍ରାଜ୍ୟର ସମ୍ମୁଖୀନ ହେବାକୁ ହୁଏ, ସଂସ୍କୃତି ବିଷୟରେ ଧାରଣାଟି ହୁଏତ ଅଚାନକ ବଦଳି ଯିବାପରି ଲାଗୁଥାଏ, କିମ୍ବା ଏକ ନୂତନ ଧର୍ମ ଆସି ପ୍ରଲୁବ୍ଧ କରେ,-ତଥାପି, ଆମର ବୋଲି ଯାହା ରହିଛି, ତାହାର ରକ୍ଷା କରିବାକୁ ପଡ଼େ । କେବଳ ସୁସ୍ଥ ଏବଂ ଶୌର୍ଯ୍ୟବନ୍ତ ଭାବରେ ବହିରାଗତ ଯେତିକିକୁ ବହନ କରାଯାଇ ପାରିବ, ସେତିକିମାତ୍ର ଗ୍ରହଣ କରା ଯାଉଥାଏ ।

 

ଭାରତବର୍ଷର ପ୍ରତିଭା

 

ତଥାପି, ଏହି ଦୃଷ୍ଟିକୋଣଟିକୁ ଏକ ବଳସମ୍ପନ୍ନ ଜାତୀୟ ପ୍ରତିଭାର ମାନଦଣ୍ଡ ବୋଲି ମଧ୍ୟ କୁହାଯାଇ ପାରିବ ଏବଂ ଭାରତବର୍ଷରେ ଇତିହାସର ସେହି ଆଦିପର୍ଯ୍ୟାୟରୁ ହିଁ ତାହାକୁ ଅବିଚ୍ଛିନ୍ନ ଭାବରେ ଧାରଣା କରାଯାଇ ଆସିଛି । କୌଣସି ବିଚାର ଯେଉଁ ଭୂମିରୁ ଜନ୍ମଲାଭ କରିଥାଉ ପଛକେ, ସେଗୁଡ଼ିକୁ ପରୀକ୍ଷା କରି ଦେଖିବାର କ୍ଷେତ୍ରରେ ଭାରତବର୍ଷ କେବେହେଲେ ହଟି ଯାଇନାହିଁ । ନୂତନ ସକଳ ବିଚାର ପ୍ରତି ଉତ୍ସାହ ପ୍ରକାଶ କରିଛି, ମାତ୍ର ନୂଆ କୌଣସି ଚଳଣି ଅଥବା ବାହ୍ୟ ଛାଞ୍ଚକୁ ଗ୍ରହଣ କରିନେବା ସକାଶେ ଆଦୌ ଅଧୀର ହୋଇ ପଡ଼ିନାହିଁ; ସେହି ଆରମ୍ଭ ଯୁଗଗୁଡ଼ିକରୁ ହିଁ ସାମ୍ପ୍ରତିକ କାଳଯାଏ ସର୍ବଦା ଏକ ରଚନାତ୍ମକ ତଥା ସମନ୍ଵୟାକାଙ୍କ୍ଷୀ ଆତ୍ମବିକାଶ ଲାଗି ପ୍ରୟାସ କରି ଆସିଛି ।

 

ହଁ, ପାର୍ଥକ୍ୟଗୁଡ଼ିକୁ ସ୍ଥାୟୀ କରି ରଖି ସେଗୁଡ଼ିକୁ ଏକତ୍ର ଗୋଟିଏ ସମଗ୍ରରେ ସାକାର କରିନେବାର ସମ୍ମତ ନହେବା ଦ୍ଵାରା ହିଁ ଭାରତୀୟ ରକ୍ଷଣଶୀଳତା ଏକ ଅନୁଚିତ କାର୍ଯ୍ୟ କରିଛି । ବହିରାଗତ କୌଣସି ଶକ୍ତିଶାଳୀ ମନୁଷ୍ୟସମୂହ ଆପଣାର ଚଳଣି ଓ ଆଦର୍ଶଗୁଡ଼ିକ ସମେତ, କୌଣସି ପ୍ରକାରେ ପ୍ରଭାବିତ ନହୋଇ ଏବଂ କୌଣସି ପ୍ରକାରେ ପ୍ରଭାବିତ ନକରି ବୃହତ୍ତର ବ୍ରାହ୍ମଣ୍ୟ ସଭ୍ୟତାଟି ମଧ୍ୟରେ ନିଜଲାଗି ସ୍ଥାନଟିଏ ପ୍ରସ୍ତୁତ କରିନେବା ପାଇଁ ଅବକାଶ ପାଇଯାଇଛି । ଆମ ଏ ଯୁଗରେ ମଧ୍ୟ କଲିକତା ଅଥବା ବମ୍ବେ ସହରରେ ଚୀନା ଓ ବ୍ରହ୍ମଦେଶବାସୀ ଓ ଅନ୍ୟମାନଙ୍କର ନିଜ ବସତିଅଞ୍ଚଳମାନ ରହିଛି;–ମାତ୍ର, ସେମାନେ ଯେଉଁ ବୃହତ୍ତର ଏକକଟି ମଧ୍ୟରେ ରହିଛନ୍ତି, ସେଇଟି ପ୍ରତି ଏମାନଙ୍କର କୌଣସି ସାମୂହିକ ଜୀବନଗତ ଅବଦାନ ନାହିଁ । ଅବଶ୍ୟ, ପରସ୍ପର ସହିତ ମିଶି ଆସିବା ପାଇଁ ଏହି କୁଣ୍ଠା,–ଏହା ସବୁ କ୍ଷେତ୍ରରେ ଆଦୌ ଏକାପରି ହୋଇ ରହିନାହିଁ । ଗୌତମ ବୁଦ୍ଧଙ୍କର ବ୍ୟକ୍ତିତ୍ଵପ୍ରେରଣା ତାଙ୍କଦ୍ଵାରା ପ୍ରଚାରିତ ଧର୍ମକୁ ଚୀନ ଏବଂ ଆଉକେତେ ସାନ ସାନ ଜାତି ମଧ୍ୟକୁ ସ୍ଵୀକୃତ କରି ନେଇଛି । ଗୁପ୍ତସାମ୍ରାଜ୍ୟ ସମୟରେ ବିଦେଶର ବହୁତ ଅତିଥି ଏବଂ ସଂସ୍କୃତିକୁ ଭାରତବର୍ଷରେ ଆଦରର ସହିତ ସ୍ଵାଗତ କରି ନିଆଯାଇଛି । ବର୍ତ୍ତମାନ ଇଉରୋପ ଓ ଆମେରିକାରେ ଯେପରି ହେଉଛି, ଠିକ୍ ସେହିଭଳି । କେବଳ ଇସ୍‌ଲାମ୍ ଧର୍ମର ଉତ୍ଥାନ ଫଳରେ ହିଁ ଭାରତୀୟ ଜନସମୁଦାୟର ଧର୍ମବିଶ୍ଵାସ ଓ ବିଚାରରେ ପ୍ରଭାବ ପକାଇଥିବା ଏହିସବୁ ପାରସ୍ପରିକ ସମ୍ପର୍କସ୍ଥାପନ ଦୀର୍ଘ ଅବଧିଟିରେ ଏକ ଅବସାନ ଘଟିଛି ।

 

ଧର୍ମର ଅଭିପ୍ରାୟଚୟ

 

ହିନ୍ଦୁଧର୍ମକୁ ବସ୍ତୁତଃ ଏକ ବିପୁଳ ସମନ୍ଵୟ ବୋଲି କୁହାଯିବ,-ଯାହାକି ଶତ ଶତ ବିଭିନ୍ନ ଦିଗରୁ ଆପଣାର ଉପାଦାନଗୁଡ଼ିକୁ ଆହରଣ କରି ଆଣିଛି ଏବଂ ଧର୍ମର ସମ୍ଭାବ୍ୟ ସକଳ ଅଭିପ୍ରାୟକୁ ନିଜ ଭିତରକୁ ଗ୍ରହଣ କରି ନେଇଛି । ଧର୍ମର ସେହି ସମଷ୍ଟିଟି ମଧ୍ୟରେ କେତେ କେତେ ଅଭିପ୍ରାୟ ମଧ୍ୟ ଉଦ୍ଦିଷ୍ଟ ହୋଇ ରହିଛି । ପୃଥିବୀ-ପୂଜା, ସୂର୍ଯ୍ୟର ଉପାସନା, ପ୍ରକୃତି ଓ ଆକାଶର ଉପାସନା, ପୂର୍ବତନ ବୀର ଏବଂ ପୂର୍ବତନମାନଙ୍କର ପୂଜା, ମାତୃ, ପିତୃପୂଜା, ମୃତବ୍ୟକ୍ତିମାନଙ୍କ ନିମନ୍ତେ ସ୍ତୁତି, କେତେକ ଓ ଇତରପ୍ରାଣୀଙ୍କୁ ଏକ ରହସ୍ୟପୂର୍ଣ୍ଣ ବେଢ଼ ଭିତରକୁ ଆଣି ସେମାନଙ୍କର ପୂଜା,–ହିନ୍ଦୁଧର୍ମ ଭିତରେ ଏହି ସବୁକିଛିକୁ ଓ ଆହୁରି ଅଧିକ ଅନେକକୁ ଅନ୍ତର୍ଭୁକ୍ତ କରି ନିଆଯାଇଛି-। ଏବଂ, ଅତୀତର ଭିନ୍ନ ଭିନ୍ନ ଯୁଗରେ ଏଗୁଡ଼ିକ ଘଟିଛି, ପରସ୍ପରଠାରୁ ଭିନ୍ନ ରହି ଆସିଥିବା ଜାତିମାନଙ୍କର ମିଶ୍ରଣ ଅଥବା ଆକ୍ରମଣ ହେତୁ ହିଁ ଘଟିଛି । ସେମାନେ ସମସ୍ତେ ଏକତ୍ର ଗୋଟିଏ ବୃହତ୍ତର ସମଗ୍ରରେ ପରିଣତ ହୋଇଛନ୍ତି । ତଥାପି, ନିଜ ବାହାରେ ରହିଥିବା ମନ୍ଦିରଗୁଡ଼ିକୁ ପରିଦର୍ଶନ କରି, କେତେକ ନିର୍ଦ୍ଦିଷ୍ଟ ଯୁଗର ସାହିତ୍ୟକୁ ଅଧ୍ୟୟନ କରି ଏବଂ କେତୋଟି ବିଶେଷ ସୂତ୍ରର ଅନୁସରଣ କରି ଏହି ସମଗ୍ରଟିକୁ ନିର୍ମାଣ କରିଥିବା ପ୍ରଭାବଗୁଡ଼ିକୁ ନିର୍ଣ୍ଣୟ କରିବା ଆଦୌ ଅସମ୍ଭବ ହେବ ନାହିଁ ।

 

ସ୍ଵୀକୃତି ମାର୍ଗ ଏବଂ ବିଶ୍ଵାସଗୁଡ଼ିକୁ ସମ୍ପୂର୍ଣ୍ଣ ଅଥବା ଆଂଶିକ ଭାବରେ ଏକ ସମଗ୍ରରୂପେ ଗଠନ କରି ଆଣିବାର ପ୍ରଚେଷ୍ଟା ମଧ୍ୟ ଇତିହାସରେ ବାରବାର ହୋଇ ଆସିଛି । ଏହି ପ୍ରଚେଷ୍ଟାଗୁଡ଼ିକରୁ ହିଁ ଅଧିକ କିମ୍ବା ଅଳ୍ପ ସଫଳତା ସହିତ ଏକାଧିକ ରଚନା ଓ ସଂକଳନ ମଧ୍ୟ ସମ୍ଭବ ହୋଇଛି । ପୁରାଣଗୁଡ଼ିକୁ ଏକତ୍ର କରି ରାମାୟଣ ନାମକ ମହାକାବ୍ୟଟି ଜନ୍ମଲାଭ କରିଛି, ଏବଂ ମହାଭାରତରେ ସବୁଠାରୁ ଅଧିକ ନିଖୁଣ ଭାବରେ ତାହା ସମ୍ଭବ ହୋଇଛି । ସମ୍ଭବତଃ ଶତାବ୍ଦୀ ଧରି ଲୋକସ୍ମୃତିରେ ପୁରୁଷରୁ ପୁରୁଷ ଅନୁକ୍ରମେ ଗଡ଼ି ଆସିଥିବା କୌଣସି ଏକ ପ୍ରାଚୀନ ଗଢ଼ଣକୁ କାବ୍ୟରେ ବାନ୍ଧି ଦିଆଯାଇଛି ଏବଂ ସମ୍ପୃକ୍ତ ଲେଖକର ଦୃଷ୍ଟିରେ ସାଂପ୍ରତିକ ବୋଧ ହେଉଥିବା ଆହୁରି କିଛି ଉପାଦାନକୁ ମଧ୍ୟ ତାହା ସହିତ ଯୋଡ଼ି ଦିଆଯାଇଛି ।

 

ମହାଭାରତ

 

ଏହିପରି ଭାବରେ ସମୂହଟିର ସକଳ ପୁରାତନ ବିଶ୍ଵାସ ତଥା ପରମ୍ପରାକୁ ଏକ ସଂଗୃହୀତ ଆକାରରେ ସଂରକ୍ଷିତ କରି ରଖିବାର ସର୍ବବୃହତ୍ ପ୍ରୟାସଟି ମହାଭାରତରେ ହୋଇଛି । ମହାଭାରତ ନାମଟି ହିଁ ସୂଚିତ କରିଦେଉଛି ଯେ, ଭାରତ ଅର୍ଥାତ୍ ଭାରତୀୟ ଜନସମୂହ ଯେ ଗୋଟିଏ ସମଗ୍ରରୂପେ ସମ୍ପୂର୍ଣ୍ଣ ସଚେତନ ଭାବରେ ବିକଶିତ ହୋଇ ଆସିଥିଲେ, ସଂକଳନର ପ୍ରୟାସଟି ତାହାକୁ ପ୍ରେରଣା ପ୍ରଦାନ କରିଛି । ତେଣୁ, ଏହି ଉଦ୍ୟମଟି ଦ୍ଵାରା ଭାରତୀୟ ଜନସମୁଦାୟର ସାମାଜିକ ସମଗ୍ରଗଢ଼ଣ, ଧର୍ମ, ପୁରାତନ ଇତିହାସ, ପୌରାଣିକ ରଚନା ଏବଂ ନୀତିଗତି ଜୀବନର ଆଦର୍ଶଗୁଡ଼ିକୁ ଗୋଟିଏ ପୂର୍ଣ୍ଣ ଅବୟବ ମାଧ୍ୟମରେ ଆଣି ଉପସ୍ଥାପିତ କରାଇବାର ଏକ ବୃହତ୍ ପ୍ରୟାସ ହିଁ କରାଯାଇଛି ।

 

ସେହି କାରଣରୁ, ଯଦି ଆମେ ଭାରତୀୟ ପୁରାଣକୁ ତାହାର କ୍ଷୀଣ ଆରମ୍ଭଗୁଡ଼ିକର ସମୟରୁ ତାହାର ଏକାଧିକ ଆକୃତିଯୁକ୍ତ ମଧ୍ୟବର୍ତ୍ତୀ ପର୍ଯ୍ୟାୟଗୁଡ଼ିକର ମାର୍ଗ ଦେଇ ଗମିବାକୁ ଇଚ୍ଛା କରିବା, ତେବେ ମହାଭାରତ ବ୍ୟତୀତ ଏକ ଅଧିକ ଭଲ ମାର୍ଗଦର୍ଶକ ଆମକୁ କଦାପି ଉପଲବ୍ଧ ହେବନାହିଁ । କାରଣ, ଭାରତବର୍ଷରେ ପୁରାଣସାହିତ୍ୟ ଯେ କେବଳ ପୁରାତନ ଗବେଷଣା ତଥା ବ୍ୟାଖ୍ୟାର ଏକ ବିଷୟ ହୋଇ ରହିଆସିଛି ତା’ନୁହେଁ, ତାହା ଏବେ ମଧ୍ୟ ଜନସମୁଦାୟର ସମ୍ପୂର୍ଣ୍ଣ ଜୀବନଟିକୁ ଅନୁସିକ୍ତ କରି ରଖିଛି ଏବଂ ତାହା ଉପରେ ଏକ ନିୟନ୍ତ୍ରଣକାରୀ ପ୍ରଭାବ ମଧ୍ୟ ପକାଇଛି-। ଏବଂ, ଅତ୍ୟନ୍ତ ଜୀବନ୍ତ ଭାବରେ ବିଭିନ୍ନ ପର୍ଯ୍ୟାୟ ମଧ୍ୟଦେଇ ଗତି କରି ତାହା ଜନଗଣଙ୍କର ଦୈନଦିନ ଜୀବନରେ ଏକ ଅତ୍ୟନ୍ତ ଶକ୍ତିଶାଳୀ ଉପାଦାନରୂପେ କାର୍ଯ୍ୟ କରିଆସିଛି; ଏବଂ ମହାଭାରତ ମହାକାବ୍ୟରେ ସେହି ଜୀବନ୍ତ ପୁରାକଳ୍ପନାଟି ହିଁ ଆପଣାଲାଗି ଏକ ତଥାନୁରୂପ ସ୍ଥାନ ଅଧିକାର କରିପାରିଛି ।

 

ଏଠାରେ ବୁଝି ରଖିବାକୁ ହେବ ଯେ, ମହାଭାରତ ସମଗ୍ର କାବ୍ୟଗ୍ରନ୍ଥଟିରେ ସେହି ପୁରାଣକଳ୍ପନାର ଉପାଦାନଟି ହିଁ ସବୁଠାରୁ ଅଧିକ ପରିମାଣରେ ପ୍ରତିଫଳିତ କରି ପାରିଛି ଏବଂ ତାହାରି ଫଳରେ ଗ୍ରନ୍ଥଟି ଏକ ପୂର୍ଣ୍ଣ-ବିକଶିତ ଆକାର ହାସଲ କରିଛି ଏବଂ ଅତ୍ୟନ୍ତ ଶକ୍ତିଶାଳୀ ଭାବରେ ଭାରତୀୟ ସମାଜକୁ ପ୍ରଭାବିତ କରିପାରିଛି । ଅନ୍ୟ ପୁରାଣଗୁଡ଼ିକୁ ତ କେବଳ ଅଳ୍ପ ସମୟ ପାଇଁ ଅତ୍ୟନ୍ତ ଅସ୍ପଷ୍ଟ ଭାବରେ ଦେଖା ଦେଇଛନ୍ତି ଏବଂ ତା’ପରେ ନିଜର କୌଣସି ଅବଶେଷ ନରଖି ଧୂଆଁ ପରି ଚାଲି ଯାଇଛନ୍ତି । ସମୁଦାୟ ସ୍ମୃତିରେ ସେଗୁଡ଼ିକର କୌଣସି ମୂର୍ତ୍ତ ରୂପ ଆଦୌ ରହି ପାରିନାହିଁ । ଏଇଥି ସକାଶେ ଭାରତରେ ଲୋକମୁଖରେ “ଯାହା ନାହିଁ ଭାରତେ, ତାହା ନାହିଁ ଭାରତେ” ବୋଲି ଗୋଟିଏ ବହୁ ପ୍ରଚଳିତ ଉକ୍ତି ମଧ୍ୟ ରହିଆସିଛି । ମହାଭାରତରେ ଆମକୁ ଏକାଧାରରେ ପୁରାଣର ଆଦିମ ପ୍ରାଥମିକ ଆକାରଗୁଡ଼ିକୁ ଦେଖିବାକୁ ମିଳିଥାଏ ଏବଂ ଅନ୍ୟ ପକ୍ଷରେ ତାହାର ପୂର୍ଣ୍ଣବିକଶିତ ରୂପଗୁଡ଼ିକ ମଧ୍ୟ ଦୃଷ୍ଟିଗୋଚର ହୋଇଥାଏ । ଭାରତୀୟ ମାନସରୁ ସୃଷ୍ଟି ହୋଇଥିବା ଏହି ସର୍ଜନାଟି ମଧ୍ୟରେ ଭାରତୀୟ ସେହି ମନଟି ସମ୍ପୂର୍ଣ୍ଣ ଉଦ୍‌ଘାଟିତ ହୋଇ ଆସିଥିବାର ହୃଦ୍‌ବୋଧ ହୋଇଯାଏ ।

 

ମନୁଷ୍ୟ-ମାନସର ଶୈଶବ ଅବସ୍ଥାରେ ମନୁଷ୍ୟମାନେ ନିଜର କଳ୍ପନା ଏବଂ ଅନୁଭୂତିଗୁଡ଼ିକୁ ସର୍ବଦା ପକ୍ଷୀ ତଥା ପଶୁର ଜୀବନାଚାରଗୁଡ଼ିକ ସହିତ ବହୁତ ଗୋଳାଇ ମିଶାଇ ଦେଉଥିଲେ,–ସ୍ଥଳ ତଥା ଜଳ, ସୂର୍ଯ୍ୟ, ଚନ୍ଦ୍ର ଓ ଗ୍ରହନକ୍ଷତ୍ର ମାନଙ୍କର ବିଭିନ୍ନ ଘଟଣାଗୁଡ଼ିକ ସହିତ ମିଶାଇ ଦେଉଥିଲେ ଏବଂ ସମସ୍ତ ବିଶ୍ଵରେ ମନୁଷ୍ୟପଣର ଆରୋପ କରି ସବୁକିଛିର ଅନୁମାନ କରୁଥିଲେ । ମାତ୍ର ପରବର୍ତ୍ତୀ କାଳରେ ମନୁଷ୍ୟ ନିଜର ଆଖିରେ ନିଜକୁ ହିଁ ସବୁଠାରୁ ଅଧିକ ମହତ୍ତ୍ଵପୂର୍ଣ୍ଣ ସମ୍ପତ୍ତିରୂପେ ଦେଖିବାକୁ ସମର୍ଥ ହେବା ସଙ୍ଗେ ସଙ୍ଗେ, ଗ୍ରହ ନକ୍ଷତ୍ରମାନଙ୍କର ସେହି ବିଶ୍ଵଜଗତଟି ମନୁଷ୍ୟର ନିଜ ବୃହତ୍ତାଟିର ସମ୍ମୁଖରେ କ୍ରମଶଃ କ୍ଷୀଣପ୍ରଭ ହୋଇ ଆସିଥିଲା ।

 

ଏହି ଗ୍ରନ୍ଥଟିରେ ଆମେ ପୁରାଣର ଏହି ଦୁଇଟିଯାକ ପର୍ଯ୍ୟାୟର ଆଲୋଚନା କରିଛୁ, ପ୍ରଥମ ଓ ସର୍ବଶେଷ ଉଭୟ ପର୍ଯ୍ୟାୟର । ଗୋଟିଏ ଦିଗରେ, ଆଦିମ ଯୁଗଗୁଡ଼ିକର ସେହି ଅସ୍ପଷ୍ଟ ଅନିର୍ଦ୍ଦିଷ୍ଟ ପର୍ବତଟିକୁ ଅତିକ୍ରମ କରିଆସିବା ପରେ ପୁରାଣକଳ୍ପନା ଧାରଣା କରିଥିବା ଆଦିମ ରୂପଗୁଡ଼ିକର କେତେକ ଝଲକ ପ୍ରଦାନ କରାଯାଇଛି । ଏବଂ, ଅନ୍ୟ ପକ୍ଷରେ, ଯେତେବେଳେ ପୁରାଣଗଠନର ପରିପକ୍ଵ କାଳଟି ଆସି ପହଞ୍ଚିଲା, ସେହି ପର୍ଯ୍ୟାୟଟିର ଗଳ୍ପଗୁଡ଼ିକୁ ମଧ୍ୟ ଏଥିରେ ପୂର୍ଣ୍ଣତର ବର୍ଣ୍ଣନାଗୁଡ଼ିକୁ ଦେଇ ପ୍ରକାଶ କରିବାର ଉଦ୍ୟମ କରାଯାଇଛି ।

☆☆☆

 

Unknown

ରାମାୟଣ

 

ମହାକବି ହୋମର୍‌ଙ୍କ ପରି ମହାକବି ବାଲ୍ମିକୀ ମଧ୍ୟ ଅଳ୍ପଜ୍ଞାତ ହୋଇ ରହି ଯାଇଛନ୍ତି । ଏଥିରେ କୌଣସି ସନ୍ଦେହ ନାହିଁ ଯେ, ସିଏ ବ୍ରାହ୍ମଣକୁଳରେ ଜନ୍ମ ହୋଇଥିଲେ ଏବଂ ଅଯୋଧ୍ୟାର ରାଜକୁଳ ସହିତ ତାଙ୍କର ସମ୍ପର୍କ ଖୁବ୍ ଘନିଷ୍ଠ ଥିଲା । ବାଲ୍ମୀକି ରାମଙ୍କ (ପରେ ପରଶୁରାମଙ୍କ ଠାରୁ ସ୍ଵତନ୍ତ୍ର ବୋଲି ଦେଖାଇବାକୁ ତାଙ୍କୁ ରାମଚନ୍ଦ୍ର ବୋଲି କୁହା ଯାଇଥିଲା ।) ସମ୍ପର୍କରେ ରହି ଆସିଥିବା ଗାଥା ଏବଂ ଆଖ୍ୟାନଗୁଡ଼ିକୁ ସଂଗ୍ରହ କରିଥିଲେ । ସମ୍ଭବତଃ ପରବର୍ତ୍ତୀ କାଳରେ ସେଥିରେ ଆହୁରି କିଛି ଯୋଡ଼ି ଦିଆଗଲା । ଏହି ସନ୍ଦର୍ଭରେ ଆମେ ବିଶେଷ ଭାବରେ ଉତ୍ତରାକାଣ୍ଡର ଅବଶ୍ୟ ଉଲ୍ଲେଖ କରିପାରିବା । ଏପରି କୁହାଯାଇଛି ଯେ ବାଲ୍ମୀକି ହିଁ କାବ୍ୟରେ ଶ୍ଳୋକଛନ୍ଦର ଆବିଷ୍କାର କରିଥିଲେ ଏବଂ ଭାରତୀୟ ମହାକାବ୍ୟକୁ ଭାଷା ତଥା ଶୈଳୀର କ୍ଷେତ୍ରରେ ଏକ ନିର୍ଦ୍ଦିଷ୍ଟ ଆକାର ପ୍ରଦାନ ବି କରିଥିଲେ । ‘ରାମାୟଣ’ ଗ୍ରନ୍ଥରେ ତାଙ୍କୁ ରାମଙ୍କର ସମସାମୟିକ ବୋଲି ବର୍ଣ୍ଣନା କରାଯାଇଛି । ଏବଂ, ଦେବୀ ସୀତାଙ୍କର ଏକାନ୍ତ ନିର୍ବାସନ ସମୟରେ ବାଲ୍ମୀକି ତାଙ୍କୁ ନିଜର ଆଶ୍ରମରେ ଆଶ୍ରୟ ଦେଇଥିଲେ । ସୀତାଙ୍କର ଦୁଇ ପୁତ୍ର–ଲବ ଏବଂ କୁଶଙ୍କୁ ସେ ରାମାୟଣ ଶିକ୍ଷା ଦେଇଥିଲେ ।

 

ଦୁର୍ଗତିପତିତା ଜଣେ କୂଳବଧୁର ଉଦ୍ଧାରକାହାଣୀ, - ରାମାୟଣର ଏହି ସରଳ କାହାଣୀଅଂଶଟିର ହୋମର୍‌ଙ୍କର ଆଉଗୋଟିଏ ମହାକାବ୍ୟ ଇଲିଆଡ଼ର କାହାଣୀ ସହିତ କିଛି ସାମଞ୍ଜ୍ୟସ ଅବଶ୍ୟ ରହିଛି । ରାମାୟଣରୁ ସାମଗ୍ରୀ ଗ୍ରହଣ କରି ଇଲିଆଡ଼୍‌ର ରଚନା ହୋଇଛି ବୋଲି କେତେକ ସ୍ଥଳରେ ଯେଉଁ ଅନୁମାନ କରା ଯାଇଥାଏ, ସେଥିରେ କୌଣସି ସତ୍ୟତା ରହିଥିବା ପରି ମନେ ହୁଏନାହିଁ । ଖ୍ରୀଷ୍ଟପୂର୍ବ ହଜାର ବର୍ଷରୁ ଅଧିକ ପୁରୁଣା ପ୍ରଚଳିତ ଲୋକ-ଆଖ୍ୟାନ ଗୁଡ଼ିକରୁ ଉପାଦାନ ନେଇ ଦୁଇଟିଯାକର ରଚନା ହୋଇଛି, ବରଂ ଏହି କଥାଟି ହିଁ ସମ୍ଭବପରି ମନେ ହୋଇଥାଏ ।

 

ଗୋଟିଏ ବୌଦ୍ଧ ଜାତକ-କଥାରେ ମଧ୍ୟ ରାମାୟଣର ଆଖ୍ୟାନଟି ରହିଛି । ଏହାକୁ ମଧ୍ୟ ସେତେବେଳେ ପ୍ରଚଳିତ ଥିବା କାହାଣୀଗୁଡ଼ିକର ଗୋଟିଏ ସଂକ୍ଷିପ୍ତ ରୂପ ବୋଲି କୁହାଯାଇ ପାରିବ-। ଯେତେଦୂର ସମ୍ଭବ ବୋଲି ମନେ ହେଉଛି, ଯୀଶୁଖ୍ରୀଷ୍ଟଙ୍କର ଅବ୍ୟବହିତ ପୂର୍ବର ଶତାବ୍ଦୀଗୁଡ଼ିକରେ ଏହି ବ୍ରାହ୍ମଣ କାବ୍ୟକାର ରାମଙ୍କ ବିଷୟରେ ପ୍ରଚଳିତ ରହିଥିବା ଗାଥାଗୁଡ଼ିକର ସଂଗ୍ରହ କରିଥିଲେ ଏବଂ ତାହାକୁ ଏକତ୍ର କରି ଗୋଟିଏ ଅବିଚ୍ଛିନ୍ନ କାହାଣୀର ରୂପ ପ୍ରଦାନ କରିଥିଲେ । ଅବଶ୍ୟ, ପରେ ଏଥିରେ ଆଣି ଯୋଡ଼ା ଯାଇଥିବା ଉତ୍ତରାକାଣ୍ଡ ସମେତ ସଂପୂର୍ଣ୍ଣ କାବ୍ୟଗ୍ରନ୍ଥଟିକୁ ସମ୍ଭବତଃ ଖ୍ରୀଷ୍ଟ ୪୦୦ ଅଦ୍ଦର ଗୋଟିଏ ପୁସ୍ତକ ବୋଲି ହିଁ କୁହାଯିବ ।

 

ସମଗ୍ରତଃ, ଗ୍ରନ୍ଥଟି ଲାଭ କରିଥିବା ତା’ ର ଚୂଡ଼ାନ୍ତ ଆକାରଟିକୁ ହିନ୍ଦୁ ରେନେସାଁସ୍‌ର ସେହି ଆଦ୍ୟତର କାଳର ଗୋଟିଏ ରଚନା ବୋଲି କୁହାଯିବ ଏବଂ, ଅଜନ୍ତାର ଗୁହାଚିତ୍ର ଗୁଡ଼ିକରେ (ଖ୍ରୀଷ୍ଟ ୧ମ–୭ମ ଶତାବ୍ଦୀ) ଯେଉଁ ସାଂସ୍କୃତିକ ନିଦର୍ଶନଗୁଡ଼ିକ ଦେଖିବାକୁ ମିଳିଥାଏ, ରାମାୟଣ ମହାକାବ୍ୟରେ ତାହାରି ପ୍ରତିଫଳିତ ହୋଇଛି ବୋଲି ଅନୁମାନ କରାଯାଇ ପାରିବ । ମାତ୍ର, ମୂଳ ବିଷୟବସ୍ତୁଟି ଯେ ଏହାଠାରୁ ଅଧିକ ପ୍ରାଚୀନ, ସେଥିରେ କୌଣସି ସନ୍ଦେହ ନାହିଁ । ପ୍ରସ୍ତୁତ ଏହି ଗ୍ରନ୍ଥଟିରେ ସମ୍ପୂର୍ଣ୍ଣ ରାମାୟଣ-କାବ୍ୟର କେବଳ କୋଡ଼ିଏ ଭାଗରୁ ଗୋଟିଏ ଭାଗ ହିଁ ପ୍ରଦତ୍ତ ହୋଇଛି । ଏହି ସଂକ୍ଷେପରେ ଅନୁବାଦଟିରେ ଅସଲ ଅପରିହାର୍ଯ୍ୟ କଥାଗୁଡ଼ିକର ଉପସ୍ଥାପନା କରାଯାଇଛି । ଏବଂ, ମୂଳ ଗ୍ରନ୍ଥଟି ଆଦୌ କୌଣସି ଅବସର ଦେଇନଥିବା କୌଣସି ଘଟଣା ଅଥବା ଆଳଙ୍କାରିକ ବର୍ଣ୍ଣନାକୁ ଆଣି ମିଶାଇ ଦିଆ ଯାଇନାହିଁ ।

 

ରାମାୟଣର ନୈତିକ ସନ୍ଦେଶ

 

ବାଲ୍ମୀକିଙ୍କ ଦ୍ଵାରା ରଚିତ ଏହି ମହାକାବ୍ୟରେ କେଡ଼େ ଚମତ୍କାରିତା ସହିତ ସେ ଯେଉଁ ଦୁଇ ପ୍ରକାରର ଆଦର୍ଶ ସମାଜର ଉପସ୍ଥାପନା କରିଛନ୍ତି, ତାହାର ତାତ୍ପର୍ଯ୍ୟକୁ କଦାପି ଅଳ୍ପ ବୋଲି କୁହାଯାଇ ପାରିବନାହିଁ । ଗୋଟିଏ ହେଉଛି ଆଦର୍ଶ ଭଲ ସମାଜ ଓ ଆଉଗୋଟିଏ ଆଦର୍ଶ ଖରାପ ସମାଜ । ବାଲ୍ମୀକି ସତେଯେପରି ମନୁଷ୍ୟର ଜୀବନରୁ ପ୍ରାୟ ଏକ ଅବିମିଶ୍ରିତ ନୈତିକତା ଓ ପ୍ରାୟ ଏକ ଅନୁସାରେ ହୁଏତ ମଝିରେ ମଝିରେ ଯାହା ଗୋଟିକ ସହିତ ବିପରୀତ ଆରଟିକୁ କିଞ୍ଚିତ୍ ମିଶାଇ କରି ଦେଖାଇବାର ଚେଷ୍ଟା ହିଁ କରାଯାଇଛି । ଏହିପରି ଭାବରେ ସେ ଭଲ ଓ ମନ୍ଦ ମଧ୍ୟରେ ରହିଥିବା ତୀବ୍ର ବିରୋଧକୁ ଦେଖାଇ ଦେଇଛନ୍ତି; ହିନ୍ଦୁ ସମାଜର ନାନା କ୍ଷେତ୍ରରେ ଏହି ମୂଲ୍ୟଦୁଇଟିକୁ ନିୟାମକ ମାନଙ୍କ ଦ୍ଵାରା ଯେପରି ସ୍ଥାନ ଦିଆ ଯାଉଥିଲା, ସେହିପରି ଭାବରେ । କାରଣ, ବୁଝିବା ଉଚିତ ହେବ ଯେ, ମନୁଙ୍କ ପରି କେବଳ ବିଧାନପ୍ରଣେତାମାନେ ନୁହନ୍ତି, ପ୍ରାଚୀନ ଭାରତର କବିମାନେ ମଧ୍ୟ ନିଜର ସାହିତ୍ୟକୃତି ଗୁଡ଼ିକୁ ଏକ ଚରମ ଓ ଚୂଡ଼ାନ୍ତ ସାଧ୍ୟ ବା ଲକ୍ଷ୍ୟ ବୋଲି ଗ୍ରହଣ କରୁନଥିଲେ, ସେମାନେ ସେଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ କୌଣସି ଲକ୍ଷ୍ୟର ପ୍ରାପ୍ତିପାଇଁ ସାଧନ ବା ପଥରୂପେ ହିଁ ଗ୍ରହଣ କରୁଥିଲେ ଏବଂ, ଯଥାସମ୍ଭବ ଏକ ଆଦର୍ଶ ସମାଜର ଉପଲବ୍ଧିକୁ ହିଁ ଲକ୍ଷ୍ୟ ବୋଲି ସ୍ଵୀକାର କରା ଯାଉଥିଲା । କବିମାନେ ବସ୍ତୁତଃ ଜଣେ ଜଣେ ସମାଜବିଜ୍ଞାନୀ ରୂପେ ସ୍ଵକଳାଶକ୍ତିର ସଚେତନ ବିନିଯୋଗ କରି ମାନବୀୟ ସାମୂହିକ ଜୀବନଗୁଡ଼ିକୁ ନିର୍ଦ୍ଦିଷ୍ଟ ମାର୍ଗମାନଙ୍କରେ ପରିଚାଳିତ କରିନେବାର ପ୍ରୟାସ କରୁଥିଲେ ଏବଂ ସକଳ ଶ୍ରେଣୀର ମନୁଷ୍ୟମାନଙ୍କ ନିମନ୍ତେ ଆଦର୍ଶ ଜୀବନଧାରା ଗୁଡ଼ିକୁ ଦର୍ଶାଇ ଦେଉଥିଲେ । ପଛେ ପଛେ ରହି ଏକ ନିର୍ଦ୍ଦିଷ୍ଟ ଜୀବନମାର୍ଗ ସକାଶେ ଦିଗ୍‌ଦର୍ଶନ ଦେବା, - ନୀତ୍‌ଶେଙ୍କର ସେହି ବ୍ୟାଖ୍ୟା ଅନୁସାରେ ବସ୍ତୁତଃ ଜଣେ କବିକୁ ମଧ୍ୟ ଦାର୍ଶନିକ ବୋଲି ଅବଶ୍ୟ କୁହାଯିବ । ପରବର୍ତ୍ତୀ ଫଳମାନଙ୍କରୁ ଅନୁସୃତ ମାର୍ଗଗୁଡ଼ିକର ଯଥାର୍ଥତା ପ୍ରମାଣିତ ବି ହୋଇଛି; କାରଣ, ଆପଣା ବିକାଶର ପରିଚାଳିକା ଶକ୍ତିରୂପେ ହିନ୍ଦୁ ସମାଜ ସର୍ବଦା ବୀର-ପୂଜାକୁ ହିଁ ମାଧ୍ୟମ ହିସାବରେ ଗ୍ରହଣ କରିନେଇଛି । ବେଦଗୁଡ଼ିକ ତ ମୂଳତଃ ବିଦ୍ଵାନ୍ ଓ ଜ୍ଞାନୀମାନଙ୍କର ସମ୍ପଦ ଥିଲା, କିନ୍ତୁ ମହାକାବ୍ୟ ଓ ପୁରାଣଗୁଡ଼ିକୁ କବିମାନେ ନିଜର କଥିତ ଭାଷାମାନଙ୍କୁ ଅନୁବାଦ କରି ନେଇଛନ୍ତି । ତୁଳସୀଦାସ ଏବଂ କମ୍ବନ୍‌ଙ୍କୁ ପ୍ରତିଭାର କ୍ଷେତ୍ରରେ ସ୍ଵୟଂ ବାଲ୍ମିକୀଙ୍କ ସହିତ ମଧ୍ୟ ସମାନ ଆସନରେ ବସାଯାଇ ପାରିବ । ପୁନଶ୍ଚ, ମହାକାବ୍ୟ ତଥା ବହୁସଂଖ୍ୟକ ପୁରାଣର ବିଷୟସାମଗ୍ରୀକୁ ଆଣି କେବଳ ଯେ ସାକ୍ଷରମାନଙ୍କ ସହ ପରିଚିତ କରାଇ ଦିଆଯାଇଛି ତା’ ନୁହେଁ, ପୁନଃପୁନଃ ଆବୃତ୍ତି, ନାଟକାଭିନୟ, ଲୋକସଙ୍ଗୀତ ଏବଂ ଚିତ୍ରକଳା ଦ୍ଵାରା ନାରୀମାନଙ୍କ ସମେତ ତାହାକୁ ନିରକ୍ଷରମାନଙ୍କର ଗୋଚରକୁ ମଧ୍ୟ ଅଣାଯାଇଛି । ଆମର ଏହି ଆଧୁନିକ କାଳ ପର୍ଯ୍ୟନ୍ତ ମଧ୍ୟ ଏପରି କୌଣସି ହିନ୍ଦୁ-ପରିବାରର ପୁଅ ଅଥବା ଝିଅ ନଥିବେ, ଯିଏକି ପିଲାଦିନେ ରାମାୟଣ କାହାଣୀ ସହିତ ପରିଚିତ ହୋଇନଥିଲା ଏବଂ, ରାମ ବା ସୀତାଙ୍କ ଭଳି ହୋଇପାରିବା ହିଁ ସେମାନଙ୍କର ସର୍ବୋଚ୍ଚ ଆସ୍ପୃହା ହୋଇ ରହିଥିଲା ।

 

ଜାତିବ୍ୟବସ୍ଥାର ପୁରାଣଗତ ବ୍ୟାଖ୍ୟା

 

ରାମାୟଣ ମହାକାବ୍ୟ ଓ ମନୁ-ସଂହିତା (ପ୍ରାୟ ଖ୍ରୀଷ୍ଟପୂର୍ବ ୫୦୦ ଅଦ୍ଦ)ରେ ଆମକୁ ଆଦର୍ଶ ବର୍ଣ୍ଣବ୍ୟବସ୍ଥା (ଜାତି) ର ମୁଖ୍ୟ ବିବରଣଟି ଦେଖିବାକୁ ମିଳେ । ବର୍ଣ୍ଣର ଉତ୍ପତ୍ତି ବିଷୟରେ ମନୁ ଏହିପରି ବ୍ୟାଖ୍ୟା ଦେଇଛନ୍ତି : ବ୍ରାହ୍ମଣମାନେ ବ୍ରହ୍ମାଙ୍କର ମୁଖରୁ ଜାତ ହୋଇଛନ୍ତି; କ୍ଷତ୍ରିୟମାନେ ବାହୁରୁ, ବୈଶ୍ୟମାନେ ଜଙ୍ଘରୁ ଏବଂ ଶୂଦ୍ରମାନେ ପାଦଦେଶର ଉତ୍ପନ ହୋଇ ଆସିଛନ୍ତି । ଉପମାଗତ ଅର୍ଥରେ ଏହି କାରଣକଳ୍ପନାକୁ ସତ ବୋଲି ଅବଶ୍ୟ କୁହାଯିବ; ମାତ୍ର ସମସ୍ତ ବ୍ୟବସ୍ଥାଟି ପଛରେ ଈଶ୍ଵରଙ୍କର ସମ୍ମତି ରହିଛି ବୋଲି ଦର୍ଶାଇବାକୁ ଏହି କଥାଟିକୁ ଅଧିକ ଆକ୍ଷରିକ ଅର୍ଥରେ ବି ବ୍ୟବହାର କରାଯାଏ । ମାତ୍ର, କୌଣସି ସମୟରେ ସମଗ୍ର ଭାରତବର୍ଷରେ ସାମାଜିକ ସ୍ଥିତି ଗୋଟିଏ ପ୍ରକାରର ଥିଲା ବୋଲି ମନୁ କିମ୍ବା ବାଲ୍ମିକୀ ବର୍ଣ୍ଣନା କରିଛନ୍ତି ବୋଲି କଦାପି ଅନୁମାନ କରା ଯିବନାହିଁ । ବାଲ୍ମିକୀ ଏବଂ ମନୁଙ୍କ ପରି ଭବିଷ୍ୟର କଳ୍ପନାକାରୀ ମାନଙ୍କର ଛାଞ୍ଚଗୁଡ଼ିକ ଠାରୁ ହିନ୍ଦୁ ସମାଜ କେଉଁ ସମୟରେ କେତେ ପରିମାଣରେ ନିକଟ ଅଥବା ଦୂରବର୍ତ୍ତୀ ହୋଇ ରହିଥିଲା, ବରଂ ସେହି ମାନଦଣ୍ଡଟି ଉପରେ ତାହାର ଇତିହାସଟିକୁ ଲେଖାଯାଇ ପାରନ୍ତା । ସେମାନଙ୍କର ପ୍ରଭାବ ଯେ ଏବେ ମଧ୍ୟ କେତେ ଶକ୍ତିଶାଳୀ ହୋଇ ରହିଛି, ଭାରତବର୍ଷରେ ଅନେକ ସଂସ୍କାରକ କୌଣସି ସ୍ଥିତିରେ ବି ବର୍ଣ୍ଣବ୍ୟବସ୍ଥାଟି ଦୂର ହୋଇଯାଉ ବୋଲି ଆଦୌ ଚାହୁନାହାନ୍ତି; ବରଂ କ୍ରମଶଃ ଉପଜାତିଗୁଡ଼ିକୁ ଏକାଠି କରି ଆଣିବାକୁ ଇଚ୍ଛା କରୁଛନ୍ତି ଯେପରିକି ଶେଷକୁ ମୂଳର ସେହି ପ୍ରଧାନ ଚାରି ବର୍ଣ୍ଣ ହିଁ ଫଳପ୍ରଦଭାବରେ ସାମାଜର ଚାରୋଟି ଭାଗ ହୋଇ ରହିବେ ଓ ଅନ୍ୟ କୌଣସି ବିଭାଜନ ରହିବନାହିଁ ।

 

ହଁ, ଏହିପରି କିଛି ହେଉ ଓ ତା’ସହିତ, ଯେଉଁମାନେ ଏକ ଉଚ୍ଚତର ବର୍ଣ୍ଣର ପରମ୍ପରାକୁ ମାନିବାକୁ ଏବଂ ଶୃଙ୍ଖଳାକୁ ଗ୍ରହଣ କରିବାକୁ ସମର୍ଥ ଇଚ୍ଛୁକ ହେବେ, ସେମାନଙ୍କ ନିମନ୍ତେ ମଧ୍ୟ ବର୍ଣ୍ଣ-ପରିବର୍ତ୍ତନ ସୁଯୋଗ ରହିଥାଉ, ଏହି ପୁସ୍ତକଟିର ଲେଖିକା ମଧ୍ୟ ହୁଏତ ତାହାହିଁ ଇଚ୍ଛା କରୁଛନ୍ତି-। ଜାତି–ପରିବର୍ତ୍ତନ ଓ କୌଣସି ନୂତନ ବର୍ଣ୍ଣର ଗ୍ରହଣ,–ବର୍ତ୍ତମାନ ମଧ୍ୟ ସେହି ପ୍ରକ୍ରିୟାଟି ସବୁବେଳେ ଚାଲିଛି ଓ ଆଦିବାସୀ ବହୁସଂଖ୍ୟକ ଗୋଷ୍ଠୀଙ୍କୁ ହିନ୍ଦୁ ସମାଜବ୍ୟବସ୍ଥା ଭିତରକୁ ଗ୍ରହଣ କରି ନିଆଯାଉଛି । ମାତ୍ର ବିଶ୍ଵାମିତ୍ରଙ୍କର ଜୀବନରେ ଯାହାସବୁ ଯେପରି ଘଟିଲା, ସେହିସବୁ କାହାଣୀରୁ ଏସବୁ ଜାତି–ପରିବର୍ତ୍ତନ ପଥରେ ସମ୍ମୁଖୀନ ହେବାକୁ ପଡ଼ୁଥିବା ଅସୁବିଧାଗୁଡ଼ିକର ସୂଚନା ମଧ୍ୟ ମିଳିଯାଉଛି । ଜାତିବିଭେଦର ଏହି ଅତ୍ୟନ୍ତ କଠୋର ଚଳଣି ବିରୋଧରେ ଭାରତରେ ବହୁସଂଖ୍ୟକ ପ୍ରତିବାଦ ମଧ୍ୟ ହୋଇଛି । ତାହାର ସବୁଠାରୁ ଅଧିକ ପ୍ରଶଂସନୀୟ ଉଦାହରଣଟି ହେଉଛି ବୁଦ୍ଧଙ୍କର । ବ୍ରାହ୍ମଣଘରେ ଜନ୍ମ ହୋଇଥିବାରୁ ଯେ କାହାକୁ କଦାପି ଜଣେ ବ୍ରାହ୍ମଣ ହେବାର ଅଧିକାର କଦାପି ମିଳି ଯିବନାହିଁ, ବୁଦ୍ଧ ସେହି ସତ୍ୟଟିର ଘୋଷଣା କରିଥିଲେ :

 

“ବ୍ରାହ୍ମଣ କୁଳରେ ଜନ୍ମ ହୋଇଛି ବୋଲି କେହି ବ୍ରାହ୍ମଣ ହୋଇ ଯିବନାହିଁ,

କେବଳ ଯଥୋଚିତ କର୍ମ କରିବାଦ୍ଵାରା ହିଁ ବ୍ରାହ୍ମଣ ହେବା ସମ୍ଭବ ହେବ ॥”

 

ଏହିସବୁ ପ୍ରତିକ୍ରିୟାକୁ ସ୍ଵୀକାର ନକରି ବ୍ରାହ୍ମଣଘରେ ଜନ୍ମ ହୋଇଥିବାରୁ ବ୍ରାହ୍ମଣ ବୋଲି ସ୍ଵୀକୃତ ହେବାର ରୀତିଟି ହିଁ ଅବଶ୍ୟ ବଳବତ୍ତର ରହିଆସିଛି ଏବଂ ସଂସ୍କାରକମାନେ ମୁଖ୍ୟତଃ ନୂଆ ନୂଆ ଜାତିଗତ ଗୋଷ୍ଠୀମାନ ଜନ୍ମଲାଭ କରିବାରେ ସାହାଯ୍ୟ କରି ଆସିଛନ୍ତି ।

 

ବାଲ୍ମିକୀଙ୍କ ଦ୍ଵାରା କଳ୍ପିତ ଆଦର୍ଶ ସମାଜ

 

ଗୋଟିଏ ଆଦର୍ଶ ସମାଜ କହିଲେ ବାଲ୍ମୀକି ଯାହାସବୁ ବୁଝୁଥିଲେ, ବର୍ତ୍ତମାନ ସେହିଗୁଡ଼ିକରୁ କିଞ୍ଚିତ୍ ବିଚାର କରାଯାଇପାରେ । ସମାଜ ଭିତରେ ରହିଥିବା ଭିନ୍ନ ଭିନ୍ନ ଅଂଶ ପରସ୍ପର ଉପରେ କିପରି ଓଃତପ୍ରୋତ ଭାବରେ ନିର୍ଭରଶୀଳ ହୋଇ ରହିବ, ଅତ୍ୟନ୍ତ ନିଖୁଣ ଏବଂ ଯତ୍ନଶୀଳ ଭାବରେ ପ୍ରଥମରୁ ହିଁ ବାଲ୍ମିକୀ ତାହାର ଚର୍ଚ୍ଚା କରିଛନ୍ତି । ପ୍ରତ୍ୟେକ ସମାଜରେ ମନୁଷ୍ୟମାନଙ୍କର କେତୋଟି ସୋପାନ ରହିବ, ମାତ୍ର ସେହି ସୋପାନ କାହାର କେତେ ଧନ ରହିଛି ତାହା ଉପରେ ନିର୍ଭର ନକରି କେବଳ ମାନସିକ ଗୁଣଗୁଡ଼ିକ ଦ୍ଵାରା ନିର୍ଣ୍ଣତ ହେଉଥିବ । ସମସ୍ତେ ପୁନର୍ଜନ୍ମ ଉପରେ ବିଶ୍ଵାସ କରୁଥିବେ ଏବଂ ଏହା ସହିତ କର୍ମବାଦ (ଅର୍ଥାତ୍ ଏ ଜନ୍ମର କର୍ମର ଫଳକୁ ଆରଜନ୍ମରେ ଭୋଗିବାକୁ ପଡ଼ିବ) କୁ ସେଥିରେ ଯୋଡ଼ି ଦିଆ ଯାଇଥିବ । ଅର୍ଥାତ୍, ମନୁଷ୍ୟମାନଙ୍କର ଶ୍ରେଣୀ ବଂଶ ଅନୁସାରେ ନିର୍ଣ୍ଣୟ କରାଯିବ । ଜଣେ ବ୍ରାହ୍ମଣ ହୋଇ ଜନ୍ମ ହେବାର ଯୋଗ୍ୟତା ରହିଥିବା ବ୍ୟକ୍ତି ହିଁ ବ୍ରାହ୍ମଣ ହୋଇ ଜନ୍ମ ହେବ ଏବଂ ଶୂଦ୍ରର ଯୋଗ୍ୟତା ବହନ କରୁଥିବା ଆଉଜଣେ ଶୂଦ୍ର ହୋଇ ଜନ୍ମଗ୍ରହଣ କରିବ ।

 

ଜାତିଭେଦ ବ୍ୟବସ୍ଥାରେ ଏହି ତତ୍ତ୍ଵଟି ହିଁ ଏକ ବାସ୍ତବ ରୂପ ଗ୍ରହଣ କରିଛି ଏବଂ ଭାରତୀୟମାନେ ତାହାକୁ ବର୍ଣ୍ଣବ୍ୟବସ୍ଥା ବୋଲି କହି ଆସିଛନ୍ତି । ଏବର କଥିତ ଭାଷାରେ ତାହାକୁ ସମସ୍ତେ ଜାତି ବୋଲି କହୁଛନ୍ତି । ମୂଳତଃ ବର୍ଣ୍ଣ ଚାରୋଟି ରହିଛି : ବ୍ରାହ୍ମଣ ଅର୍ଥାତ୍ ପୁରୋହିତ ଓ ଦାର୍ଶନିକମାନେ, କ୍ଷତ୍ରିୟ ଅର୍ଥାତ୍ ଶାସକ ଏବଂ ଯୁଦ୍ଧନିପୁଣମାନେ, ବୈଶ୍ୟ ଅର୍ଥାତ୍ ବ୍ୟବସାୟ ଓ କୃଷିକାର୍ଯ୍ୟ ଯେଉଁମାନଙ୍କର ଜୀବିକା ଏବଂ ଶୂଦ୍ର, ଯେଉଁମାନେ ଅନ୍ୟ ତିନି ବର୍ଣ୍ଣର ସେବାରେ ନିଯୁକ୍ତ ହୋଇ ରହିଛନ୍ତି । ପ୍ରଥମ ତିନୋଟି ବର୍ଣ୍ଣ ହେଉଛନ୍ତି ଦ୍ଵିଜ, ସେମାନେ ପୁରୋହିତ ଠାରୁ ଦୀକ୍ଷା ନେଇଛନ୍ତି । ଏହି ଚାରିଗୋଟି ପ୍ରଧାନ ବର୍ଣ୍ଣର ବହୁସଂଖ୍ୟକ ଉପବିଭାଜନକୁ ମଧ୍ୟ ସ୍ଵୀକୃତ ଦିଆଯାଇଛି । ବିଭିନ୍ନ ବର୍ଣ୍ଣଗୋଷ୍ଠୀ ମଧ୍ୟରେ ବିବାହ ହେତୁ ସେମାନଙ୍କର ସୃଷ୍ଟି ହୋଇଛି, - ସେମାନେ କରୁଥିବା କାର୍ଯ୍ୟଗୁଡ଼ିକରୁ ହିଁ ସେମାନଙ୍କୁ ଅଲଗା ଅଲଗା ବୋଲି ଚିହ୍ନି ହେଉଛି ।

 

ହିନ୍ଦୁ ସମାଜ ପ୍ରତ୍ୟେକ ବର୍ଣ୍ଣ ଲାଗି ଲାଗି ଅଲଗା ଅଲଗା ଧର୍ମ (କର୍ତ୍ତବ୍ୟ ଓ ନୈତିକ ଜୀବନ) ସ୍ଥିର କରି ଦେଇଛି । ନିଜ ଧର୍ମର ବାହାରେ ଆଉକିଛି ଅବଲମ୍ବନ କରିବାକୁ ଘୋର ଅପରାଧ ବୋଲି କୁହା ଯାଉଥିଲା ଓ ସେଥିପାଇଁ ଉଚିତ ଦଣ୍ଡ ଦିଆ ଯାଉଥିଲା । ଏହି ସ୍ଵଧର୍ମର ଆଚରଣ କରିବାର କ୍ଷେତ୍ରରେ ହିନ୍ଦୁ ନୈତିକ ଜୀବନର ଏକ ସ୍ଵତନ୍ତ୍ର ପାର୍ଥକ୍ୟ ରହିଛି । ଗୋଟିଏ ପ୍ରକୃତ ଉଦାହରଣ ଦ୍ଵାରା କହିଲେ, ଇହୁଦୀ ଧର୍ମରେ “ତୁମେ ହତ୍ୟା କରିବନାହିଁ” ବୋଲି ଯେଉଁ ଆଜ୍ଞାଟି ରହିଛି, ତାହାକୁ ପୁରୋହିତ, ସୈନିକ ତଥା ବଣିକ ନିୟମିତଃ ସମସ୍ତଙ୍କ କ୍ଷେତ୍ରରେ ପ୍ରଯୋଜ୍ୟ ରଖାଯାଇଛି । ମାତ୍ର, ଅହିଂସାନୀତି ଦ୍ଵାରା ଏତେ ଅଧିକ ନିଷ୍ଠାର ସହିତ ଅନୁସିକ୍ତ ରହି ହିନ୍ଦୁଧର୍ମ ତାହାକୁ କ୍ଷତ୍ରିୟ ଅଥବା ଶୂଦ୍ରମାନଙ୍କର କ୍ଷେତ୍ରରେ ଲାଗୁ କରିନାହିଁ । ମୁଖ୍ୟତଃ ଯୋଗୀ, ଯତିମାନେ ଓ ଦାର୍ଶନିକମାନେ ହିଁ କାହାକୁ ହତ୍ୟା କରିବେନାହିଁ ବା ଜୀବନ ରହିଥିବା କାହାକୁ ଆଘାତ ଦେବେନାହିଁ; ଏବଂ ଜଣେ କ୍ଷତ୍ରିୟ ଯଦି ଆବଶ୍ୟକ ସମୟରେ ମନୁଷ୍ୟ ଓ ଅନ୍ୟ ପ୍ରାଣୀମାନଙ୍କୁ ହତ୍ୟା କରିବାରୁ ନିଜକୁ ନିବୃତ୍ତ କରି ରଖିଲା, ତେବେ ତାହାର ସେହି ଉଦାର ମାନବତାଗୁଣ ସକାଶେ କେହି ଆଦୌ ତାହାର ପ୍ରଶଂସା କରିବେନାହିଁ । ବରଂ ସିଏ ନିଜ ଧର୍ମରୁ ବିଚ୍ୟୁତ ହେଲା ତାକୁ ଅପବାଦ ହିଁ ଦେବେ । ରାମାୟଣରେ ହିଁ ଏହି ପ୍ରଶ୍ନଟିର ଉତ୍ଥାପନ କରାଯାଇଛି; ସୀତା ସେମାନଙ୍କର ବନବାସ ସମୟରେ ରାମଙ୍କ ପ୍ରସ୍ତାବ ଦେଇଛନ୍ତି ଯେ, ବର୍ତ୍ତମାନ ସେମାନେ ଯୋଗୀମାନଙ୍କର ନିବାସ ଅରଣ୍ୟରେ ବାସ କରୁଥିବାରୁ ସେମାନଙ୍କର ଜଣେ ଯୋଗୀର ନୈତିକ ଜୀବନ ହିଁ ଯାପନ କରିବା ଉଚିତ ଏବଂ ତେଣୁ କେବଳ ପଶୁମାନଙ୍କୁ ନୁହେଁ, ରାକ୍ଷସମାନଙ୍କୁ ମଧ୍ୟ ହତ୍ୟା କରିବାକୁ କ୍ଷାନ୍ତ ହୋଇ ରହିବା ଉଚିତ । ରାମ ଉତ୍ତର ଦେଇ କହିଛନ୍ତି, ଜଣେ ସୈନିକର କର୍ତ୍ତବ୍ୟ ହିସାବରେ ଓ ଯତିମାନଙ୍କୁ ସୁରକ୍ଷା ଦେବାଲାଗି ପ୍ରତିଶ୍ରୁତି ଦେଇଥିବାରୁ ତାଙ୍କୁ ତଥାପି ସେହି କାର୍ଯ୍ୟଗୁଡ଼ିକୁ କରିବାକୁ ପଡ଼ିବ ।

 

ସ୍ଵଧର୍ମ–ପାଳନର ଏହି ସିଦ୍ଧାନ୍ତଟିକୁ ପୂର୍ଣ୍ଣ ନିର୍ଦ୍ଦୋଷ ଭାବରେ କେବଳ ଏକ ଆଦର୍ଶ ସତ୍ୟଯୁଗରେ ପାଳନ କରା ଯାଇଥିଲା ବୋଲି କୁହା ଯାଇଥାଏ; ସେତେବେଳେ କେବଳ ବ୍ରାହ୍ମଣମାନେ ବୈରାଗ୍ୟର ସାଧନା କରୁଥିଲେ ଏବଂ ପୂର୍ଣ୍ଣ ଉପଲବ୍ଧି ଲାଭ କରୁଥିଲେ । ଦ୍ଵିତୀୟ ଯୁଗଟିରେ ବ୍ରାହ୍ମଣ ଏବଂ କ୍ଷତ୍ରିୟ ଉଭୟେ ସମାନ ଭାବରେ ଶକ୍ତିସମ୍ପନ୍ନ ହୋଇଥିଲେ । ଏବଂ କୁହାଯାଏ ଯେ ଏହି ଯୁଗରେ ହିଁ ମନୁ ତାଙ୍କର ଶାସ୍ତ୍ରଚୟ ରଚନା କରି ବର୍ଣ୍ଣର କର୍ତ୍ତବ୍ୟଗୁଡ଼ିକୁ ଦର୍ଶାଇ ଦେଇଥିଲେ । ତୃତୀୟ ଯୁଗଟିର ବୈଶ୍ୟମାନେ ମଧ୍ୟ ବୈରାଗ୍ୟର ସାଧନା କରୁଥିଲେ ଏବଂ ଚତୁର୍ଥ ଶୂଦ୍ରମାନେ ବି ସାଧନାମାର୍ଗରେ ଆସି ସାମିଲ ହେଲେ । ଏହିପରି ଭାବରେ ଏକ ଆଦର୍ଶ ଅବସ୍ଥାରୁ ସେହି ବିଶୁଦ୍ଧ ଧର୍ମଶାସନଟି କ୍ରମେ ଏକ ସମ୍ପୂର୍ଣ୍ଣ ସର୍ବତନ୍ତ୍ରରେ ଆସି ଉପନୀତ ହୋଇଥିଲା । ରାମଙ୍କ ସମୟରେ ଚତୁର୍ଥ ଯୁଗଟି ଆରମ୍ଭ ହୋଇ ଆସୁଥିବା ପରି ଏକ ସଙ୍କେତ ମିଳି ଯାଇଥାଏ; ଯୋଗମାର୍ଗ ଗ୍ରହଣ କରିଥିବା ଜଣେ ଶୂଦ୍ରକୁ ସ୍ଵୟଂ ରାମ ହତ୍ୟା କରିଥିଲେ । ଅପରାଧୀକୁ ଶାସ୍ତି ଦେବାକୁ ଯେତେ ନୁହେଁ, ଏକ ବ୍ରାହ୍ମଣ ବାଳକର ଅକାଳ ମୃତ୍ୟୁ ହେତୁ ସମାଜରେ ଦେଖାଯିବାକୁ ଆରମ୍ଭ କରିଥିବା ବିକ୍ଷୋଭକୁ ଏଡ଼ାଇ ରଖିବା ନିମନ୍ତେ ସେ ଅଧିକ ପରିମାଣରେ ତାହା କରିଥିଲେ-

 

ବାଲ୍ମିକୀଙ୍କର କଳ୍ପିତ ଏକ ସମ୍ଭ୍ରାନ୍ତ ସମାଜରେ ସମାଜର ଶିଖର ଆଡ଼କୁ ହିଁ ସାମାଜିକ ଶୃଙ୍ଖଳାର କଠୋରତା ଅଧିକ ହେବାର ପରିଲକ୍ଷିତ ହୋଇଥାଏ । ଯେଉଁମାନଙ୍କ ପାଖରେ ସର୍ବାଧିକ କ୍ଷମତା, ସେହିମାନଙ୍କୁ ହିଁ ସର୍ବାଧିକ ଆତ୍ମସଂଯମ ଆଚରଣ କରିବାକୁ ହେବ । ସେମାନେ ଯେ ସମ୍ଭ୍ରାନ୍ତ ସ୍ତରର, ସେମାନଙ୍କୁ ତାହାର ନିଦର୍ଶନ ହୋଇ ରହିବାକୁ ପଡ଼ିବ ଏବଂ ଅଂଶତଃ, ଏହିଭଳି ଏକ କଠୋର ନିୟମବଦ୍ଧତା ନଥିଲେ କ୍ଷମତା ମଧ୍ୟ ଅଚିରେ ପଥଚୁତ୍ୟ ହୋଇଯିବ । ଗୋଟିଏ ପ୍ରକୃତରେ ସମ୍ଭ୍ରାନ୍ତ ସମାଜର ଏହି ମୂଳ ଲକ୍ଷଣଟି ସର୍ବଦା ସ୍ମରଣ ରହିଥିବା ଏକାନ୍ତ ଆବଶ୍ୟକ,–ତା’ ନହେଲେ ରାମାୟଣର କେତେକ ମହତ୍ତ୍ଵପୂର୍ଣ୍ଣ ତଥା ଗଣତନ୍ତ୍ର ଓ ବ୍ୟକ୍ତିବାଦରେ ବିଶ୍ଵାସ କରୁଥିବା ଜଣେ ବ୍ୟକ୍ତିକୁ ସଂପୂର୍ଣ୍ଣ ଅବୋଧ୍ୟ ଏବଂ ଅକ୍ଷମଣୀୟ ମନେ ହେଉଥିବା ଘଟଣାର ତାତ୍ପର୍ଯ୍ୟକୁ ମୋଟେ ବୁଝି ପାରିବାନାହିଁ । ଧର୍ମର ରକ୍ଷା କରିବା କ୍ଷତ୍ରିୟର କର୍ତ୍ତବ୍ୟ, ସର୍ବାଦୌ ଜଣେ ରାଜା କର୍ତ୍ତବ୍ୟ । ତେଣୁ ସିଏ ଯେ କେବଳ ରାକ୍ଷସମାନଙ୍କୁ ହତ୍ୟା କରି ମନୁଷ୍ୟ ଏବଂ ଦେବତାମାନଙ୍କୁ ରକ୍ଷା କରିବ ତାହା ନୁହେଁ, ଆପଣା ନିମନ୍ତେ କୌଣସି ବ୍ୟକ୍ତିଗତ ତାତ୍ପର୍ଯ୍ୟ ହୁଏତ ନଥିଲେ ମଧ୍ୟ ସିଏ ଏକ ଦୃଷ୍ଟାନ୍ତରୂପେ ସ୍ଵୀକୃତ ନୀତିଗତ ଜୀବନର ବିଧାନଗୁଡ଼ିକୁ ମଧ୍ୟ ପାଳନ କରିବ । ତେଣୁ ସୀତାଙ୍କର ସମ୍ପୂର୍ଣ୍ଣ ନିଷ୍ଠା ବିଷୟରେ ନିଜ ମନରେ କୌଣସି ସଂଶୟ ରହିନଥିଲେ ମଧ୍ୟ ରାମ ତାଙ୍କର ମତକୁ ଖଣ୍ଡନ ହିଁ କରିଛନ୍ତି । ସୀତାଙ୍କର କଥାକୁ ଖଣ୍ଡନ କରିବା,–ଏଇଟି ହେଉଛି ରାମାୟଣର ଗୋଟିଏ ବର୍ଷ ପରସ୍ପର ଠାରୁ ବିଚ୍ଛିନ୍ନ ରହିବାପରେ ରାମ ଓ ସୀତାଙ୍କର ଭେଟ ହେଉଛି ଏବଂ ଏକ ଦୀର୍ଘ ତଥା ଦୁଷ୍କର ସମର ପରେ ତାହା ଘଟିଛି । ଆଧୁନିକ ମାନସ ଏହିଠାରୁ ହିଁ ସବୁକିଛି ସୁଖରେ ସୁଖରେ ଶେଷ ହୋଇଯାଉ ବୋଲି ହୁଏତ ଦାବୀ କରୁଥିବା ସମୟରେ ଦୁହିଁଙ୍କ ପାଇଁ ଏକ ସର୍ବୋଚ୍ଚ ପରୀକ୍ଷାର ବେଳ ଆସି ପହଞ୍ଚିଛି । ଦେବତାମାନେ ଆସି ସୀତାଙ୍କର ଅଗ୍ନିପରୀକ୍ଷାକୁ ଉଚିତ ବୋଲି ମତ ଦେବାଯାଏ ଯାହା ଶେଷ ଦୁଃଖଦ ଘଟଣାଟି ଲାଗି ଅପେକ୍ଷା ରହିଛି । ରାମ ଓ ସୀତା ଉଭୟଙ୍କର ଜୀବନରେ ଏକ ନୈତିକ ସଂଙ୍କଟକୁ ଆଣି ଉପଗତ କରାଇଥିବା ଏହି ଘଟଣାଟି ଦ୍ଵାରା ଜଣେ ଶିକ୍ଷକ ଏବଂ ଜଣେ କାବ୍ୟସ୍ରଷ୍ଟା ହିସାବରେ ବାଲ୍ମିକୀଙ୍କର ଭୂମିକାଟି ମଧ୍ୟ ସ୍ପଷ୍ଟ ହୋଇଯାଇଛି । ତାଙ୍କଦ୍ଵାରା କଳ୍ପିତ ଆଦର୍ଶ ସମାଜରେ ପାପ ପାଇଁ ପ୍ରାୟ କୌଣସି ସ୍ଥାନ ନାହିଁ ଏବଂ ତେଣୁ ବ୍ୟକ୍ତିବିଶେଷଙ୍କର ମନ୍ଦକର୍ମଗୁଡ଼ିକର ଚୂଡ଼ାନ୍ତ ପରିଣାମଗୁଡ଼ିକୁ ଦର୍ଶାଇ ଦେବାରେ ତାଙ୍କର ଅପେକ୍ଷାକୃତ ଅଧିକ ସାମର୍ଥ୍ୟ ରହିଛି । ଏପରିକି ସିଏ କୈକେୟୀଙ୍କୁ ମଧ୍ୟ ମନ୍ଦ ବୋଲି ଚିତ୍ରଣ କରିନାହାନ୍ତି । ସିଏ ଅତ୍ୟନ୍ତ ଅଳ୍ପବୟସ୍କା, ବିବେକହୀନା ଓ ନିଜ ଇଚ୍ଛାଦ୍ଵାରା ପରିଚାଳିତ । କିନ୍ତୁ ତଥାପି, ରାମଚରିତର ସମଗ୍ର ଦୁଃଖମୟତା ତଥା ସ୍ଵର୍ଗସ୍ଥ ଦେବତାମାନଙ୍କର ଅଭିଲାଷ-ପୂରଣ,–ଏଗୁଡ଼ିକୁ ତ ସେହି କୈକେୟୀଙ୍କର ମନ୍ଦ କର୍ମଟିରୁ ହିଁ ଆରମ୍ଭ ହୋଇଛି !

 

ରୌପ୍ୟଯୁଗର ଏହି ମାନବଜଗତର ଦୃଶ୍ୟପଟ ଉପରେ ରାକ୍ଷସମାନଙ୍କର ପାପପୂର୍ଣ୍ଣ ଓ ଅମାନୁଷିକ ପୃଥିବୀଟିର ନକ୍ସାଟିଏ ଆଙ୍କି ଦିଆଯାଇଛି, ଯେଉଁଠାରେ କି ଲୋଭ, ପ୍ରବଳ ସତ୍ୟର ସ୍ଥାନକୁଆସି ମାଡ଼ି ବସିଛନ୍ତି । ମାତ୍ର ଏହି ମନ୍ଦ ତୀବ୍ର ବାସନାଗୁଡ଼ିକୁ ବାହ୍ୟତଃ ମନୁଷ୍ୟ ଓ ଦେବତାମାନଙ୍କର ବିରୋଧରେ ନିର୍ଦ୍ଦେଶିତ ହୋଇ ରହିଛନ୍ତି; ରାକ୍ଷସମାନେ ଇତର ଅର୍ଥାତ୍ ପଂକ୍ତି ବାହାରର ବୋଲି ଭାବୁଥିବା ସମସ୍ତଙ୍କ ବିରୋଧରେ ହିଁ ନିର୍ଦ୍ଦେଶିତ ହୋଇ ରହିଛନ୍ତି । ସେମାନଙ୍କର ନିଜ ଭିତରେ ପିତାମାତାଙ୍କ ପ୍ରତି ଶ୍ରଦ୍ଧା ରହିଛି, ପତ୍ନୀର ପତିପ୍ରତି ଅତୁଳ ପ୍ରେମ ରହିଛି,–ଅଦମ୍ୟ ସାହସ ଓ ଅତୁଟ ଆନୁଗତ୍ୟ ମଧ୍ୟ ରହିଛି । ରାକ୍ଷସମାନଙ୍କର ନଗରୀଟି ଅତ୍ୟନ୍ତ ଅନନ୍ୟ ଭାବରେ ଶୋଭାମୟ ହୋଇ ନିର୍ମିତ ହୋଇଛି, ସ୍ଵୟଂ ବିଶ୍ଵକର୍ମା ତାହାକୁ ତିଆରି କରିଛନ୍ତି । ସେମାନେ ସର୍ବବିଧ କଳାଦିର ଅନୁଶୀଳନ କରୁଛନ୍ତି; ଦେବତାମାନଙ୍କୁ ପୂଜା କରୁଛନ୍ତି ଏବଂ କଠୋର ତପଶ୍ଚର୍ଯ୍ୟା ଦ୍ଵାରା ସେମାନଙ୍କ ଠାରୁ ମହାନ ବରମାନ ଲାଭ କରୁଛନ୍ତି । ଗୋଟିଏ କଥାରେ କହିଲେ, ସେମାନେ ମହାଦ୍ରୁମ ପରି ବୃଦ୍ଧିଲାଭ କରୁଛନ୍ତି; ମନ୍ଦ ହୋଇଥିଲେ ମଧ୍ୟ ତଥାପି ନିମ୍ନସ୍ତରକୁ ଖସି ଆସିନାହାନ୍ତି । ସେମାନଙ୍କର ଭିତରେ ବିଭୀଷଣଙ୍କ ଭଳି ବ୍ୟକ୍ତି ମଧ୍ୟ କେତେଜଣ ରହିଛନ୍ତି ଯେଉଁମାନେ କି ଆଦୌ ମନ୍ଦ ନୁହନ୍ତି । ଅର୍ଥାତ୍, ଏହି ରାକ୍ଷସମାନେ ଆଦୌ ଅମନୁଷ୍ୟ ନୁହନ୍ତି, ମାତ୍ର ସେମାନଙ୍କର ସାମାଜିକ ଜୀବନ ଅଧର୍ମ ଦ୍ଵାରା ପୂର୍ଣ୍ଣ ହୋଇ ରହିଛି ।

 

କାହାଣୀ

 

ଲଙ୍କାର ଅବରୋଧ-କାହାଣୀଟିକୁ ଅତ୍ୟନ୍ତ ମୌଳିକ ଏବଂ ବିଶଦ ଭାବରେ କୁହାଯାଇଛି; ସେଥିରେ ନାନା ପ୍ରକାଣ୍ଡ ପରିମାଣରେ ବିନୋଦ ପରିପୂର୍ଣ୍ଣ ହୋଇ ମଧ୍ୟ ରହିଛି । ଲଙ୍କାର ହିଂସାତ୍ମକତାକୁ ସାହସପୂର୍ଣ୍ଣ ବହୁ ଉଦାରତା ତଥା ଆନୁଗତ୍ୟ–ପ୍ରକାଶ ଦ୍ଵାରା ଅତ୍ୟନ୍ତ ନମନୀୟ କରି ଦିଆଯାଇଛି । ରାବଣର ନିଧନ କରିସାରିବା ପରେ ରାମ ତାକୁ ଜଣେ ବନ୍ଧୁ ବୋଲି ଭାବୁଛନ୍ତି । ରାବଣଙ୍କ ପାଇଁ ମନ୍ଦୋଦରୀ ଯେପରି ଶୋକବିହ୍ଵଳା ହୋଇ ପଡ଼ୁଛନ୍ତି, ହୁଏତ ରାମଙ୍କ ପାଇଁ ସୀତା ନିଶ୍ଚୟ ଠିକ୍ ଯେଉଁପରି ଶୋକବିହ୍ଵଳା ହୋଇ ପଡ଼ିଥାଆନ୍ତେ । କାହାଣୀଟି ମଧ୍ୟରେ ଅଗଣିତ ଅଘଟନଘଟନ ଭର୍ତ୍ତି ହୋଇ ରହିଛି,–ମାତ୍ର ସେଥିରେ ଥିବା ଜାଦୁକାରୀ ଉପାଦାନଗୁଡ଼ିକର ସର୍ବଦା ଏକ ଗଭୀର ତାତ୍ପର୍ଯ୍ୟ ରହିଛି ଏବଂ ସେଗୁଡ଼ିକ କେବଳ ଗୋଟିଏ ଗୋଟିଏ ତୁଚ୍ଛା ଖିଆଲ ଭିତରୁ ନେଇ ଆସିଥିବା ଅଳଙ୍କରଣ ପରି ଆଦୌ ମନେ ହେଉନାହାନ୍ତି । ଉଭୟ ପକ୍ଷ ଯେଉଁସବୁ ବୃହତ୍ ସାମର୍ଥ୍ୟର ଅଧିକାରୀ ହୋଇ ରହିଛନ୍ତି, ସେଗୁଡ଼ିକୁ ସେମାନେ ପୂର୍ଣ୍ଣ ଆତ୍ମସଂଯମ ଏବଂ ତପସ୍ୟା ବଳରେ ଅର୍ଜନ କରିଥିବା ପରି ଉପସ୍ଥାପିତ କରାଯାଇଛି; କାହାଠାରୁ କୌଣସି କୁହୁକ ବା ତାବିଜ ହାସଲ କରି ସେମାନେ ମୋଟେ ସେଗୁଡ଼ିକର ଅଧିକାରୀ ହୋଇନାହାନ୍ତି । ତେଣୁ, ପ୍ରକୃତ କ୍ଷେତ୍ରରେ, ଏହି ସମରଟି ବସ୍ତୁତଃ ଚରିତ୍ର ଚରିତ୍ରର ଏକ ଦ୍ଵନ୍ଦ୍ୱରେ ପରିଣତ ହୋଇ ଯାଇଛି । ହଁ, ନାନାବିଧ ଜାଦୁଶକ୍ତି ବହନ କରୁଥିବା ଅସ୍ତ୍ରଗୁଡ଼ିକର କଥା ଏଠାରେ ବିଚାର କରାଯାଇ ପାରେ, ସେଗୁଡ଼ିକରେ ମଧ୍ୟ ଅପ୍ରତିରୋଧ୍ୟ ବହୁ ମନ୍ତ୍ରଶକ୍ତିର ବଳ ଅନୁପ୍ରବିଷ୍ଟ ହୋଇ ରହିଛି । ସେହିଭଳି ଗୋଟିଏ ଅସ୍ତ୍ରଦ୍ଵାରା ବୀର ହନୁମାନ ମଧ୍ୟ ଭୂତଳପତିତ ଏବଂ ଚଳତ୍‌ଶକ୍ତିହୀନ ହୋଇଯାଇ ପାରୁଛି; କିନ୍ତୁ ତା’ର ମନୋବଳ ସହିତ କେତେକ ଉପଚାରସୂତ୍ରକୁ ଆଣି ଯୋଡ଼ିଦେଲା ଉତ୍ତାରୁ ସିଏ ମଧ୍ୟ ବନ୍ଧନମୁକ୍ତ ହୋଇଯାଉଛି । ଅତ୍ୟନ୍ତ ସୁନିଶ୍ଚିତ ଭାବରେ ଏହି ଦୃଷ୍ଟାନ୍ତଟିରେ ଏପରି ଏକ ଅନୁମାନ କରିବା ନିମନ୍ତେ ସ୍ପଷ୍ଟ ପ୍ରମାଣଟିଏ ମିଳିଯାଉଛି ଯେ, ନିଜକୁ ହିଂସାର ବଳଦ୍ଵାରା ଯଥାର୍ଥ ଭାବରେ ସଜ୍ଜିତ କରି ରଖିବାକୁ ହେଲେ କେବଳ ପ୍ରଜ୍ଞାଶକ୍ତି ଦ୍ଵାରା ତୁମେ କଦାପି ସଫଳକାମ ହୋଇ ପାରିବନାହିଁ ।

 

ଏହିସବୁ ଏକାଧିକ କାରଣରୁ ବାଲ୍ମିକୀଙ୍କ ଦ୍ଵାରା ରଚିତ ରାମାୟଣଗ୍ରନ୍ଥଟିର ତାତ୍ପର୍ଯ୍ୟ ସେହିସବୁ ବ୍ୟକ୍ତିଙ୍କ ଲାଗି ଅତ୍ୟନ୍ତ ସ୍ପଷ୍ଟ ହୋଇଯିବ, ଯେଉଁମାନେ କି ତାହାକୁ ପୂର୍ଣ୍ଣ ମନୋଯୋଗ ସହକାରେ କେବଳ ଥରେ ନୁହେଁ, ବାରମ୍ବାର ମଧ୍ୟ ପାଠ କରୁଥିବେ ଏବଂ ଭାରତବର୍ଷର ଜୀବନ ତଥା ଚରିତ୍ରାଦର୍ଶ ଗୁଡ଼ିକ ଉପରେ ପଡ଼ୁଥିବା ତାହାର ସ୍ଥାୟୀ ପ୍ରଭାବଟିକୁ ମଧ୍ୟ ସହଜରେ ବୁଝି ହେବ-। ରାମ ଏବଂ ସୀତାଙ୍କୁ ମୂଳଚରିତ୍ର କରି ଏହି ମହାପୁରାଣଟିର ଉକ୍ତ ବିଭାଗଟିକୁ ଯେ ଭାରତର ଆଧୁନିକ ଶିକ୍ଷାପ୍ରଣାଳୀ ଗୁଡ଼ିକରୁ କାଢ଼ି ନିଆଯାଇଛି, ସେହି ବିଷୟରେ ଗଭୀର ଦୁଃଖ ପ୍ରକାଶ ନକରିବା କ୍ଵଚିତ୍ ସମ୍ଭବ ହେବ । ଧର୍ମ ବିଷୟରେ ନିରପେକ୍ଷ ରହିବାର ଯୁକ୍ତି ଦର୍ଶାଇ ହିଁ ସେହିପରି କରାଯାଇଛି । କାରଣ, ରାମ ଏବଂ ସୀତାଙ୍କର କାହାଣୀଟି ସହିତ ପରିଚୟରେ ଆସିନଥିବା ଜଣେ ବ୍ୟକ୍ତିଙ୍କୁ ଯେ ଆଦୌ ଭାରତବର୍ଷର ଜଣେ ପ୍ରକୃତ ନାଗରିକ ବୋଲି କୁହା ଯିବନାହିଁ, ଏପରି କହିଲେ ତାହାକୁ କ୍ଵଚିତ୍ ଏକ ଅତ୍ୟୁକ୍ତି ବୋଲି କୁହାଯିବ । ଭାରତବର୍ଷର ସେହି ଅତ୍ୟନ୍ତ ମହାନ୍ ଆଚାର୍ଯ୍ୟମାନେ ଯାହାକୁ ଯଥାର୍ଥ ନୀତିନିଷ୍ଠ ଜୀବନ ବୋଲି କହି ଯାଇଛନ୍ତି, ସିଏ ସେଇଟି ସହିତ ପ୍ରକୃତରେ ଅପରିଚିତ ହିଁ ରହିଯିବ । ସମ୍ଭବତଃ, ଆହୁରି ଅଧିକ ଆଗକୁ ଯାଇ ଏପରି ମଧ୍ୟ କୁହାଯାଇ ପାରିବ ଯେ, ରାମ ଏବଂ ସୀତାଙ୍କର ଏହି କାହାଣୀଟି ସହିତ ଅପରିଚିତ ହୋଇ ଏହି ପୃଥିବୀର ଜଣେ ଯଥାର୍ଥ ନାଗରିକ ହୋଇପାରିବା ମଧ୍ୟ ସମ୍ଭବ ହେବନାହିଁ ।

 

ପଶୁମାନଙ୍କୁ ଉପାଖ୍ୟାନରୂପେ ଗ୍ରହଣ କରିଥିବା ଏକ ମହାକାବ୍ୟ ରୂପେ ରାମାୟଣ :

 

ଆଦିମ ମନୁଷ୍ୟ ପଶୁମାନଙ୍କୁ ନେଇ ଯେ ବ୍ୟଞ୍ଜନାପୂର୍ଣ୍ଣ ବହୁ କାହାଣୀର ରଚନା କରିଥିଲା, ସାରା ପୃଥିବୀଯାକ ବହୁତ ଅନୁମାନ ତଥା ସେଗୁଡ଼ିକରୁ ପ୍ରତିଧ୍ୱନି ହୋଇଥିବାର ଅନେକ ସୂଚନା ମିଳେ । ମାତ୍ର ସେକଥା ଯାହା ହୋଇଥାଉ ପଛକେ, ବର୍ତ୍ତମାନ ସେଗୁଡ଼ିକରୁ କୌଣସି ଅସ୍ତିତ୍ଵ ନାହିଁ ଏବଂ ସେଗୁଡ଼ିକୁ ପୁନର୍ବାର ଉଦ୍ଧାର କରି ଆଣିବା ମଧ୍ୟ ସମ୍ଭବ ହେବନାହିଁ । ସେଗୁଡ଼ିକ ବିଷୟରେ କେବଳ ଅନୁମାନ କରାଯାଇ ପାରିବ ଏବଂ ଏଠି ସେଠି ଅବଶେଷ ରହି ଯାଇଥିବା କେତେକ ଇଙ୍ଗିତରୁ ବା ଖଣ୍ଡିତାଂଶରୁ ଅନ୍ଦାଜ କରାଯିବ । ମାତ୍ର, ଏହାର ପୁନରୁଦ୍ଧାରୁ ନିମନ୍ତେ ଆମକୁ ଭାରତବର୍ଷ ପରି ପୃଥିବୀର ଅନ୍ୟ କେଉଁଠାରେ ଏତେ ପ୍ରଚୁର ସାମଗ୍ରୀ କଦାପି ଉପଲବ୍ଧ ହେବନାହିଁ । ଏବେ ମଧ୍ୟ ଭାରତବର୍ଷର କଳ୍ପନା ମଧ୍ୟରେ ପଶୁଜଗତର ଅଭିବ୍ୟକ୍ତିମାନଙ୍କ ବିଷୟରେ ଏକ ଅସାଧାରଣ ସଂବେଦନଶୀଳତା ଜୀବନ୍ତହୋଇ ରହିଛି । ଜଣେ ବୟସ୍କ ହେଉ ଅଥବା ବାଳକଟିଏ ହେଉ, ସମ୍ଭ୍ରାନ୍ତ ହେଉ ଅଥବା ସାଧାରଣ ହୋଇଥାଉ, ଗୋଟିଏ ମୂଷା କିମ୍ବା ଗୁଣ୍ଡୁଚିମୂଷା ବିଷୟରେ କାହାଣୀଟିଏ କହୁଥିବା ସମୟରେ ସିଏ ନିଜେ ନିରୀକ୍ଷଣ କରି ଦେଖିଥିବା ସେହି ପ୍ରାଣୀଟି ଶବ୍ଦ ତଥା ଗତିବିଧିଗୁଡ଼ିକରୁ ଅବିକଳ ପୁନରାବୃତ୍ତି କରି ନିଜର କହୁଥିବା ସେହି କାହାଣୀଟିକୁ ଅନୁଭବର ଏକ ଶିଖରଦେଶ ପର୍ଯ୍ୟନ୍ତ ଉତ୍ତୋଳିତ କରି ନେଇଥାଏ । ପ୍ରାୟ ଏକ ସହଜାତ ପ୍ରବୃତ୍ତିଦ୍ଵାରା ଧରି ନିଆ ଯାଇଥାଏ ଯେ, ଅନ୍ତତଃ ମୂଳଭୂତ ଅନୁଭୂତିଗୁଡ଼ିକର ସ୍ତରରେ, ଭାବନାଚୟର ସ୍ତରରେ ନହେଲେ ମଧ୍ୟ, ଏହି ରୋମ ଏବଂ ପର ରହିଥିବା ପ୍ରାଣୀମାନେ ଆମ ମନୁଷ୍ୟମାନଙ୍କ ଠାରୁ ଆଦୌ ଭିନ୍ନ ନୁହନ୍ତି । ଏବଂ, ଅତ୍ୟନ୍ତ ନିଶ୍ଚିତ ଭାବରେ, ଅତ୍ୟନ୍ତ ଦ୍ରୁତ ଭାବରେ କରା ଯାଉଥିବା ବ୍ୟାଖ୍ୟାଟିରେ ତଥା ସଜାତୀୟ ବୋଧ କରିବାର ଏହି ଗଭୀର ଅନ୍ତର୍ବୋଧସ୍ତରରେ ଆମକୁ ଏପରି ଏକ ଭାବ ଉକୁଟି ଆସିବାର ପ୍ରତ୍ୟକ୍ଷ ସୂଚନାମାନ ମିଳି ଯାଇଥାଏ, ଯାହାକି ସେହି ସୁଦୂର ଅତୀତର ଯୁଗଟିରେ ବୌଦ୍ଧ ଜୈନମାର୍ଗ ପରି ସରଳ ଧର୍ମାବେଦନ ଗୁଡ଼ିକୁ ସମ୍ଭବ କରି ଆଣିବାରେ ଅବଶ୍ୟ ବହୁତ ପରିମାଣରେ ସାହାଯ୍ୟ କରିଥିବ ।

 

ଭାରତବର୍ଷର ଲୋକମାନେ ମଧ୍ୟ ସବୁ ମଣିଷଙ୍କ ପରି; ତେଣୁ ସେମାନେ ମଧ୍ୟ ସମୟେ ସମୟେ ନିଷ୍ଠୁରତାର ଆଚରଣ କରିଥାନ୍ତି । ମାତ୍ର ତାହା ଯେ ତୁଳନାତ୍ମକ ଭାବରେ ଅଧିକ କ୍ଵଚିତ୍ ଦୃଷ୍ଟିଗୋଚର ହୋଇଥାଏ, ସେଠାରେ ବାସ କରୁଥିବା ଯାବତୀୟ କ୍ଷୁଦ୍ର ପକ୍ଷୀତଥା ପଶୁଙ୍କଠାରେ ପରିଲକ୍ଷିତ ହେଉଥିବା ଶଙ୍କାଶୂନ୍ୟତା ଓ ସମୀପବର୍ତ୍ତିତା ଦ୍ଵାରା ହିଁ ପ୍ରମାଣିତ ହୋଇ ଯାଇଥାଏ । ମାତ୍ର ଭାରତୀୟ କଳ୍ପନାସ୍ତରର ସେହି ଅଚେତନ ମନୋଭାବ ଓ ସେହି ମୂକ ପ୍ରାଣୀଜଗତ ବିଷୟରେ କିଞ୍ଚିତ୍ ବିନୋଦ ତଥା କିଞ୍ଚିତ୍ କାରୁଣ୍ୟ ସହିତ ଅନୁକରଣ ଏବଂ ଆଶୁ ଅବବୋଧ ମଧ୍ୟରେ ଆମକୁ ଏହି ପୃଥିବୀର ଶୈଶବକାଳରୁ ହିଁ ସେଗୁଡ଼ିକୁ ପ୍ରକୃତରେ ଆମଠାରେ ରହି ଆସିଥିବା ଏକ ପ୍ରକୃତ ଉତ୍ତରାଧିକାରର ପରିଚୟ ମିଳି ଯାଇଥାଏ; ସେହି ପ୍ରଥମକାଳୀନ କ୍ରୀଡ଼ାପ୍ରବୁତ୍ତିର ପରିଚୟ ମିଳିଥାଏ, ଯାହାକି ମନୁଷ୍ୟ ସେହି ଚତୁଷ୍ପଦ ପଦାର୍ଥଗୁଡ଼ିକୁ ଆପଣାର ସହୋଦର ଏବଂ ସାଥୀରୂପେ ଗ୍ରହଣ କରି ନେଇଥାଏ ।

 

ଏହି ସହଜପ୍ରେରିତ ମନୋଭାବଟି ତଥା ଏହି ଜ୍ଞାତିତ୍ଵବୋଧ ହିଁ ଆମ ଆଗରେ ବୌଦ୍ଧଜାତକର କାହାଣୀଗୁଡ଼ିକରେ ମୂଳରୁ ଶେଷଯାଏ ଅଭିବ୍ୟକ୍ତ ହୋଇ ଉଠିଛି, ପ୍ରାୟ ଏଷପ୍-କଥିତ ନାନା କାହାଣୀଗୁଡ଼ିକ ପରି । ସମ୍ପୂର୍ଣ୍ଣ ସତ୍ୟକଥା ଯେ ଜାତକର ସକଳ କାହାଣୀରେ ଇତରପ୍ରାଣୀ ମାନଙ୍କୁ ମାଧ୍ୟମ କରି ଏକ ଉଚ୍ଚ ଜୀବନଦର୍ଶନ ଓ ଅନାବିଳ ପ୍ରୀତିଭାବନା ହିଁ ଅଭିବ୍ୟକ୍ତ ହୋଇ ଆସିଛି; କେବଳ କେତୋଟି ଚତୁରତାପୂର୍ଣ୍ଣ ପ୍ରବାଦ କିମ୍ବା ସୁପରିଚିତ ବୁଦ୍ଧିମତ୍ତାକୁ ସୂଚାଇ ଦେବାଲାଗି କଦାପି ସେଗୁଡ଼ିକର ରଚନା ହୋଇନାହିଁ । ବୁଦ୍ଧ ଓ ଯଶୋଧାରାଙ୍କର ପ୍ରେମଗାଥାଟି ସେହି ଯୁଗରେ ଏକ କାବ୍ୟମୟ ଆଖ୍ୟାନରେ ହୁଏତ ପ୍ରଚଳିତ ରହିଥିଲା ଏବଂ ପଶୁ ତଥା ପକ୍ଷୀମାନଙ୍କୁ ତାହାର ନାଟକାଂଶଟିର ପାତ୍ରରୂପେ ଅକୁଣ୍ଠିତ ଭାବରେ ଉପସ୍ଥାପିତ କରିବାରେ ସେହି ଯୁଗର ମନଃସ୍ତରରେ କୌଣସି ଅସଙ୍ଗତି ମଧ୍ୟ ରହୁଛି ବୋଲି ଅନୁମାନ କରା ଯାଉନଥିଲା । ହଂସମାନେ ରାଜଦରବାର ମାନଙ୍କରେ ଧର୍ମସନ୍ଦେଶ ଗୁଡ଼ିକର ପ୍ରଚାର କରୁଥିଲେ । ହରିଣଯୂଥରେ ଠିକ୍ ମନୁଷ୍ୟମାନଙ୍କ ପରି ପ୍ରମୁଖମାନେ ରହିଥିଲେ, ଏପରି ସମ୍ଭ୍ରାନ୍ତଗଣ ମଧ୍ୟ ରହିଥିଲେ ଯେଉଁମାନେ କି ସେମାନଙ୍କୁ ପଥପ୍ରଦର୍ଶକ ରୂପେ ସ୍ଵୀକାର କରୁଥିବା ଅନ୍ୟମାନଙ୍କ ନିମନ୍ତେ ନିଜର ପ୍ରାଣକୁ ଉତ୍ସର୍ଗ କରି ପାରୁଥିଲେ । ତଥାପି, ଏହି କ୍ଷେତ୍ରରେ ମଧ୍ୟ ଆମେ ଆମେ ସେହି ଆର୍ଯ୍ୟସୁଲଭ ମାନସଟିକୁ ଅବଶ୍ୟ ସକ୍ରିୟ ହୋଇଥିବାର ଦେଖିବାକୁ ପାଇବା, ଯାହାକି ଏକ ବହୁପ୍ରାଚୀନ ବିଚାର-ସମଗ୍ରର ବହୁ ଅଡ଼ୁଆ ସୂତାଗୁଡ଼ିକୁ ଏକ ଶୃଙ୍ଖଳା ତଥା ସ୍ପଷ୍ଟତା ମଧ୍ୟରେ ଆଣି ପକାଇବାର ପ୍ରୟାସ କରିଥିଲା । ପରବର୍ତ୍ତୀ କାଳମାନଙ୍କର ବୃହତ୍ ଈଶ୍ଵରସମ୍ବନ୍ଧୀ ସୂତ୍ରଗୁଡ଼ିକରେ ଆମେ ସେହି ପ୍ରାଚୀନତର ସାମଗ୍ରୀଟିରୁ ହିଁ ସର୍ବଦା ପ୍ରତ୍ୟକ୍ଷ କରିଥାଉ । ହନୁମାନ ଓ ଗରୁଡ଼ଙ୍କ ଭଳି ବୀରବୃନ୍ଦ ମଧ୍ୟ ସେହି ପଶୁପକ୍ଷୀଙ୍କ ଜଗତରୁ ଉଦ୍‍ଭୂତ ହୋଇ ଆସିଛନ୍ତି ଓ ହିନ୍ଦୁ ଭାବଧାରଣାର ପ୍ରତ୍ୟେକ ନୂତନ ସୂତ୍ରାୟନର ଅପେକ୍ଷାକୃତ ଅଧିକ ଆଧୁନିକ ମଞ୍ଚଟିରେ ବି ପ୍ରବେଶ କରି ପାରିଛନ୍ତି । ପୂର୍ବରୁ ହିଁ ସୁପରିଚିତ ଚରିତ୍ରଗୁଡ଼ିକ ପରି ଏହାର ସକଳ କ୍ରିଯାଶୀଳତାରେ ସେମାନେ ଅଂଶଗ୍ରହଣ କରି ପାରୁଛନ୍ତି ।

 

ଏହି ଆର୍ଯ୍ୟ ପ୍ରବୃତ୍ତିକୁ କ୍ରମଶଃ ଗ୍ରହଣ କରି ନେଇଥିବା ଯାବତୀୟ କାବ୍ୟରଚନାରେ କେବଳ ଏକ ବିସ୍ମୟାନୁଭୂତିର ଅଭାବ ହିଁ ସର୍ବତ୍ର ପରିଲିକ୍ଷିତ ହୋଇଥାଏ । ବିସ୍ମୟର ଅନୁଭବ ଉପସ୍ଥିତ ଥାଏ ସତ, ମାତ୍ର ନିରନ୍ତର କ୍ଷୀଣ ହେବାରେ ଲାଗିଥାଏ । ଆର୍ଯ୍ୟ ମାନସିକତା ହେଉଛି ମୂଳତଃ ସଂଗଠିତ କରି ଆଣିବାର ଏକ ମାନସିକତା; ସର୍ବଦା ଅଧିକରୁ ଅଧିକ ପରିମାଣରେ ବସ୍ତୁଗୁଡ଼ିକ ବିଷୟରେ ଦୃଷ୍ଟିଭଙ୍ଗୀର କ୍ଷେତ୍ରରେ ସ୍ପଷ୍ଟଜ୍ଞାନ ତଥା ଯୁକ୍ତିଦ୍ଵାରା ସମର୍ଥିତ ହେବାକୁ ଇଚ୍ଛା କରୁଥାଏ । ପାଠକର କଳ୍ପନାକୁ ଏକ ସମୃଦ୍ଧିଯୁକ୍ତ ପ୍ରେରକ ଯୋଗାଇ ଦେବାରେ ଏତେ ବର୍ଣ୍ଣାଢ଼୍ୟତା ଓ ବନ୍ଧନହୀନ ବିଚରଣ ସମ୍ଭବ କରି ପାରିଥିବା ଏହି ଅବଦାନଗୁଡ଼ିକ ସାଧାରଣ ଅପେକ୍ଷାକୃତ ଅଧିକ ପ୍ରାଚୀନ ଏବଂ ଶିଶୁସୁଲଭ ଜାତିଗୁଡ଼ିକର ସ୍ଵତନ୍ତ୍ର ସମ୍ପଦ ହୋଇ ରହିଆସିଛି । ମାନବଜଗତର ଇତିହାସରେ ସେହି ଆଦ୍ୟ ପ୍ରଭାତକାଳରେ ଇତରପ୍ରାଣୀଠାରେ ମଧ୍ୟ କିଛି ପରିମାଣରେ ଗୋଟିଏ ଦିବ୍ୟ ଅଂଶ ବିଦ୍ୟମାନ ରହିଛି ବୋଲି ବୋଧ ହୋଇଥିଲା । ତାହାର ସେହି ସାବଲୀଳତା ତତ୍କାଳୀନ ମନୁଷ୍ୟର ନିଜ ଭାଷାଠାରୁ ମଧ୍ୟ ସେତେ ବେଶୀ ଭିନ୍ନ ନଥିଲା ଏବଂ ସେଥିରେ ସତେଅବା ଏକ ଦେବବାଣୀ ପ୍ରଚ୍ଛନ୍ନ ହୋଇ ରହିଥିବା ପରି ଲାଗୁଥିଲା । ତା’ ଜୀବନରୀତିର ପ୍ରଚ୍ଛନ୍ନ ଏବଂ ହଠାତ୍ ଆଲୋକନମାନ ମନୁଷ୍ୟ ପାଇଁ ଅତିପ୍ରାକୃତିକ ହୋଇ ରହିଥିଲା । ତାର ଆଖିଗୁଡ଼ିକ ମଧ୍ୟରୁ ପ୍ରସରି ଉଠୁଥିବା କ୍ଷୀଣ ବୁଦ୍ଧିସାମର୍ଥ୍ୟଟି ମନୁଷ୍ୟକୁ ଏକ ବୃହତ୍ ମହାନୁଭବକତା ଭଳି ପ୍ରତୀତ ହେଉଥିଲା ଏବଂ ମର୍ତ୍ତ୍ୟ ଭାବନାର କୌଣସି ପ୍ରୟାସ ସେହି ଅଗାଧତାର ଆଦୌ କୌଣସି ଭେଦ ପାଇପାରୁନଥିଲା । ଏବଂ, ଅରଣ୍ୟାଗତ ସେହି ଧୂସର ବାନରର ସେହି କ୍ଷୁଦ୍ର ଓ ପ୍ରାଚୀନ ମୁଖଟିର ପଶ୍ଚାତରେ ଓ ଚକ୍ରାକାରରେ ଗୁଡ଼ାଇ ହୋଇ ରହିଥିବା ବୃକ୍ଷପାଖର ସେହି ସର୍ପଟିର ଅଭିପ୍ରାୟଟିରେ ପ୍ରଜ୍ଞାର ଭଣ୍ଡାରଟି ମଧ୍ୟରେ ପ୍ରକୃତରେ କ’ଣ ସବୁ ଯେ ଗଚ୍ଛିତ ହୋଇ ରହିଥିଲା, ସେକଥା କହିଦେବା ନିମନ୍ତେ କାହାରିହେଲେ ସାଧ୍ୟ ନଥିଲା ।

 

ପ୍ରାଣୀଜଗତର ଆକର୍ଷଣ

 

ବିସ୍ମୟର ସେହି ଶିଶୁସୁଲଭ ସାମର୍ଥ୍ୟଦ୍ଵାରା ହିଁ ପରିଚାଳିତ ହୋଇ ମନୁଷ୍ୟର ଭାବନା ହାତୀ ଏବଂ ଈଗଲପକ୍ଷୀ ତଥା ବାନର ଓ ସିଂହକୁ ନେଇ କେତେ କେତେ କ୍ରୀଡ଼ାମୟତାକୁ ନିର୍ମାଣ କରି ଥୋଇ ଦେଇଛି । ପୃଥିବୀର ବହୁ ପ୍ରଜାତି ଓ ଜାତି ମଧ୍ୟରେ ପ୍ରତ୍ୟେକର ଏକ ରହସ୍ୟପରିପୂର୍ଣ୍ଣ ଇତର-ପ୍ରାଣୀଟିଏ ରହିଥିଲା, କିଛି ଅଂଶରେ ତାହାର ଏକ ଦେବତା ରୂପେ ଉପାସନା କରାଯାଉଥିଲା, ପୁଣି କିଛି ଅଂଶରେ ପୂର୍ବବଂଶଧର ବୋଲି ଏକ ଅନୁମାନ ମଧ୍ୟ ରହି ଆସିଥିଲା । ଈଶ୍ଵରଙ୍କ ବିଷୟରେ ମହାନ୍ ତତ୍ତ୍ଵମାନ ବାହାର କରିବାର ପରବର୍ତ୍ତୀ ପର୍ଯ୍ୟାୟମାନଙ୍କରେ ସେଗୁଡ଼ିକୁ ଧାଡ଼ୀରେ ସଜାଇ ଦେଇ ସଂଗଠିତ କରି ଅଣାଯାଇଛି । ପୂର୍ବକଳ୍ପନାର ସେହି ଅର୍ଦ୍ଧମାନବୀୟ ପ୍ରାଣୀମାନେ ଆଉ ଦେବତା ହୋଇ ନରହି ତଳକୁ ଖସି ଆସିଛନ୍ତି ଓ ଭିନ୍ନ ଭିନ୍ନ ଦେବତାମାନଙ୍କର ବାହନ ତଥା ସାଥୀଜନର ଭୂମିକା ଗ୍ରହଣ କରିଛନ୍ତି । ଗୋଟିଏ ଦେବତା ମୟୂରାସୀନ ହୋଇଛନ୍ତି, ଆଉଜଣେ ହଂସ ଉପରେ ଆରୋହଣ କରିଛନ୍ତି । ଜଣେ ବୃଷଭ ବାହନ ହୋଇଛନ୍ତି ଏବଂ ଆଉଜଣେ ଛାଗଳ ଉପରେ ବସିଛନ୍ତି । ମାତ୍ର, ଏହାଦ୍ୱାରା ଏପରି ଏକ ଅନ୍ତର୍ନିହିତ ଅର୍ଥଟିକୁ ବ୍ୟକ୍ତ କରାଯାଇଛି ଯେ, ସେହି ନିମ୍ନସ୍ତରୀୟ ପ୍ରାଣୀମାନେ ତଥାପି ଦିବ୍ୟସତ୍ତାମାନଙ୍କ ସହିତ ଅବଶ୍ୟ ସମ୍ବନ୍ଧିତ ହୋଇ ରହିଛନ୍ତି । ଏହି ରୀତିରେ ସାକାର ହୋଇ ଆସିଥିବା ପ୍ରତୀକଟି ଏକ ସାଲିଶ୍ କରା ଯାଇଥିବାର ସୂଚନା ଆଣି ଦେଉଛି, ଦୁଇଟି ପ୍ରକାର ମଧ୍ୟରେ ଏକ ସମନ୍ଵୟ ଘଟାଇଛି; ଗୋଟିଏ ଅପେକ୍ଷାକୃତ ନୂତନ ଓ ଆଉଗୋଟିଏ ସମ୍ପୂର୍ଣ୍ଣ ଅବିବାଦିତ ଭାବରେ ଅଧିକ ପ୍ରାଚୀନ ଓ ଅଧିକ ଆଦିମ । ଋକବେଦ୍‌ର ଦଶମ ଖଣ୍ଡଟି ଯେଉଁ ପ୍ରକ୍ରିୟାଟି ଦ୍ଵାରା ପୂର୍ବବର୍ତ୍ତୀ ଗ୍ରନ୍ଥଗୁଡ଼ିକରୁ ଏତେ ଭିନ୍ନ ହୋଇ ରହିଛି, କାରଣ ସେଥିରେ ମୂଳ ଭୂମିଟିର ଅଧିବାସୀମାନଙ୍କର ନିଜସ୍ଵ କଳ୍ପନାଗୁଡ଼ିକୁ ମଧ୍ୟ ସଂସ୍କୃତଭାଷୀ ଜନସମଷ୍ଟିମାନଙ୍କର ଧର୍ମଚେତନା ବିଚାରକୁ ନେଇଛି । ଠିକ୍ ସେହିପରି ଐତିହାସିକ କାଳର ସମ୍ପୂର୍ଣ୍ଣ ଅବଧିଟି ମଧ୍ୟରେ ହିନ୍ଦୁମାର୍ଗର କ୍ରମାଗ୍ରଗତି କରୁଥିବା ଚେତନାଟିରେ ମଧ୍ୟ ତାହାହିଁ ପ୍ରତିଭାତ ହୋଇ ଉଠିଛି । ଆର୍ଯ୍ୟମାନଙ୍କର ମାନସରେ ସେହି ବୃହତ୍ ପ୍ରକୃତି-ଦେବତାମାନେ ବହୁସଂଖ୍ୟାରେ ରହିଥିଲେ, -ଅନ୍ତରୀକ୍ଷ ଦେବତା, ସୂର୍ଯ୍ୟ ଏବଂ ଅଗ୍ନି, ବାୟୁ, ବରୁଣ, ଯେଉଁମାନଙ୍କର ପରସ୍ପର ମଧ୍ୟରେ ବହୁ ସାଦୃଶ୍ୟ ରହିଥିଲା, ଏବଂ ଆର୍ଯ୍ୟମାନେ ଗଙ୍ଗାର ଅବବାହିକାରେ ଆସି ପହଞ୍ଚିବା ଯାଏ ସେମାନଙ୍କର ପୌରାଣିକ ବର୍ଣ୍ଣନା ମଧ୍ୟରେ ସେଗୁଡ଼ିକ ବଳବତ୍ତର ରହି ଆସିଥିଲେ-। ମାତ୍ର, ସେମାନେ କ୍ରମଶଃ ଏସୀୟ ସମୂହମାନଙ୍କର ପୁରାତନ ଅଧିକ ଅସ୍ପଷ୍ଟ ଏବଂ କ୍ଷୀଣତର ଭାବରେ ବିଶ୍ଵସ୍ତରୀୟ ଉପାସ୍ୟ ଦେବତାକାର ଗୁଡ଼ିକୁ ସ୍ଵୀକାର କରି ନେଇଥିଲେ ଏବଂ ନିଜର ଛାଞ୍ଚଟି ମଧ୍ୟରେ ଗ୍ରହଣ ବି କରିନେଲେ । ଇତିହାସରେ ମଧ୍ୟ ସେହି ପ୍ରକ୍ରିୟାଟିକୁ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଅନୁମାନ କରି ନିଆଯାଇ ପାରିବ । କେବଳ ପରସ୍ପର ସହିତ ପ୍ରତିଦ୍ଵନ୍ଦିତା କରିଥିବା ଉପାଦାନଗୁଡ଼ିକୁ ଯାହା ସ୍ଵୀକାର କରିନେବାକୁ ହେବ ଏବଂ ଅଲଗା କରି ଗଣି ରଖିବାକୁ ହେବ-। ଇନ୍ଦ୍ର ଓ ଅଗ୍ନି ତଥା ବାୟୁ ଓ ବରୁଣଙ୍କ ସହିତ ସମ୍ବନ୍ଧିତ ସେହି ପୌରାଣିକ ଆଖ୍ୟାନଗୁଡ଼ିକ କିପରି ବିକଶିତ ହୋଇ ଆସିଛନ୍ତି, ସେହି ବିଷୟରେ ଆମେ ଆଦୌ ବେଶୀ କିଛି କହିପାରିବା ନାହିଁ-। ଖୁବ୍ ସମ୍ଭବ ଭାରତବର୍ଷର ବାହାରେ ସେଗୁଡ଼ିକର ଜନ୍ମ ହୋଇଛି ଏବଂ ସେହି ବାହାରେ ହିଁ ପୋଖତ ହୋଇଯିବା ପରେ ସେମାନେ ଭାରତକୁ ଆସିଛନ୍ତି । ଏବଂ, ଠିକ୍ ସେହିପରି ଭାବରେ, ଭାରତୀୟ ଭାବକଳ୍ପନାରେ ବ୍ରହ୍ମାଣ୍ଡର ଭାବନାଟି ମଧ୍ୟ କିପରି ସାକାରତା ଲାଭ କରିଥିଲା, ଆମେ ସେଗୁଡ଼ିକୁ ମଧ୍ୟ ସୋପାନ ଅନୁସାରେ ଠାବ କରି ପାରିବାନାହିଁ । ସେହିପରି ଗଜାନନଙ୍କ ପରି ବ୍ରହ୍ମାଣ୍ଡକର୍ତ୍ତା ଏକ ଦେବତାର କ୍ଷେତ୍ରରେ ମଧ୍ୟ ତାହାହିଁ କୁହାଯିବ । ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଗଣେଶ ଅବଧାରଣାଟି ଏହି ଭାରତବର୍ଷରେ ଜନ୍ମଲାଭ କରିଥିଲା,–କାରଣ ଏହି ଭୂଖଣ୍ଡରେ ହସ୍ତୀଯୂଥ ଅରଣ୍ୟମାନଙ୍କରେ ବାସ କରୁଥିଲେ ଓ ନଦୀତଟ ମାନଙ୍କରେ ବିବାହ କରୁଥିଲେ । ଚୀନ୍ ଏବଂ ଜାପାନ ଆଦି ଦେଶରେ ଯେ ସେହି ଉପାସନାଟି ଆବିର୍ଭୂତ ହୋଇଥିଲା, ତାହାକୁ ସ୍ପଷ୍ଟତଃ ଦକ୍ଷିଣାଞ୍ଚଳରୁ ଅତ୍ୟନ୍ତ ପ୍ରାଚୀନ କୌଣସି ଧର୍ମୀୟ ପ୍ରଭାବରେ ଗୋଟିଏ ଅବଶେଷ ବୋଲି କୁହାଯିବ-

 

ଗଜାନନ

 

ଗଣମାନଙ୍କର ପତି ଏହି ଗଣେଶ ବା ଗଣପତିଙ୍କର ପ୍ରକୃତି ଅର୍ଥବ୍ୟଞ୍ଜନାଟି ସତକୁ ସତ କ’ଣ ବୋଲି କୁହାଯାଇ ପାରିବ ? ତାଙ୍କୁ କ’ଣ ଆହୁରି ପୂର୍ବରୁ ଜନପଦ-ପତି ବୋଲି କଳ୍ପନା କରା ଯାଉଥିଲା କି ? ରକ୍ତବର୍ଣ୍ଣ ଶରୀର ଉପରେ ଅବସ୍ଥାପିତ ସେହି ଶ୍ଵେତ ହସ୍ତୀମସ୍ତକଟିର ଅର୍ଥ ପ୍ରକୃତରେ କ’ଣ ହୋଇଥିବ ? ସିଏ ସୁନିଶ୍ଚିତ ଭାବରେ ବ୍ୟାପ୍ତ ହୋଇ ରହିଥିବା ଜଣେ ବ୍ରହ୍ମାଣ୍ଡଦେବତା । ତାଙ୍କୁ ଆଧାରିତଃ ସେହି ଶୁଭ୍ରବର୍ଣ୍ଣ ମେଘଖଣ୍ଡ ରୂପେ ବୁଝିବାକୁ ହେବ, ଯିଏ କି ଅସ୍ତଗାମୀ ସୂର୍ଯ୍ୟକୁ ସମ୍ମୁଖରେ ସ୍ଥାପନ କରି ରକ୍ତରାଗରେ ଝଲସି ଉଠୁଥାଏ ? ମାତ୍ର, ସେକଥା ଯାହା ହୋଇଥାଉ ପଛକେ, ଆମର ଏକାଳ ପର୍ଯ୍ୟନ୍ତ ମଧ୍ୟ ସିଏ ସାଂସାରିକ ସିଦ୍ଧି ତଥା ପୃଥ୍ୱୀପ୍ରଜ୍ଞାର ଦେବତାରୂପେ ପ୍ରତିଷ୍ଠିତ ହୋଇ ରହିଛନ୍ତି । ସିଏ ସର୍ବ କାମନାକୁ ପୂରଣ କରନ୍ତି, ଏହି ଉପାସନାର ଆଦ୍ୟ କରଣୀୟ ରୂପେ ତାଙ୍କର ଅର୍ଜନା କରିବାକୁ ହେବ, ଯେପରିକି ସେହି ସବୁଗୁଡ଼ିକରୁ ମଧ୍ୟ ଅଭିପ୍ରାୟ-ପୂରଣ ହୋଇପାରିବ,–ଏଇଥିରୁ ହିଁ ସେ ଦୀର୍ଘ ବହୁକାଳରୁ ହିଁ ପୂଜିତ ହୋଇ ଆସିଥିବାର ପ୍ରମାଣ ମିଳି ଯାଇଥାଏ । ଜାପାନରେ କୁହା ଯାଇଥାଏ ଗଣପତି ହେଉଛନ୍ତି ଗ୍ରାମମାନଙ୍କର ଦେବତା ଏବଂ ତାଙ୍କର ପୂଜାବିଧିରେ କିଞ୍ଚିତ୍ ଅମାର୍ଜିତ ଉପାଦାନ ମଧ୍ୟ କିଛି ଅବଶ୍ୟ ରହିଛି । ଏଇଥିରୁ ହିଁ ତାଙ୍କର ସୁଦୀର୍ଘ ପ୍ରାଚୀନତାର ମଧ୍ୟ ସୂଚନା ବେଶ୍ ମିଳିଯାଉଛି । ଅବଶ୍ୟ ଏକଥା ମଧ୍ୟ ସତ ଯେ, ଭାରତବର୍ଷରେ ଗ୍ରାମର ଏକ ଦେବତା ହିସାବରେ ଦକ୍ଷିଣ ଭାରତର ସେହି ଦେବତାଙ୍କ, ପରି ଆଦୌ ଏତେ ପୁରାତନ ହୋଇ ନଥିବେ । ଦକ୍ଷିଣ ଭାରତରେ ସେମାନେ ଭୂମାତାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହୋଇ ରହିଥାନ୍ତି ଏବଂ ଗୋଟିଏ ଖାବଖାବଡ଼ିଆ ପ୍ରସ୍ତର ଉପରେ ଆସୀନ ଥାଆନ୍ତି ।

 

ଏହି ମହାନ୍ ଦେବମୂର୍ତ୍ତିଙ୍କର ଉତ୍ସସନ୍ଧାନ କରିବାକୁ ଯାଇ ଆମେ ଭାରତବର୍ଷର ଆଦିମକାଳର ମନୁଷ୍ୟଟିର ନମନୀୟତା ଓ ବିସ୍ମୟାନୁଭୂତି ମଧ୍ୟରେ ପ୍ରକୃତରେ କେତେ ଯଥାଯଥ ଭାବରେ ପ୍ରବେଶ କରି ପାରିବା ! ରାତ୍ରିର ଗଭୀରତାଗୁଡ଼ିକ ହିଁ ତାଙ୍କର ସେହି ପ୍ରକାଣ୍ଡ ଆକୃତିରୂପେ ଅନୁଭୂତ ହୋଇ ପାରିବା ପରି ମନେ ହେବ । ସେଇ ସକଳ ପ୍ରଜ୍ଞା ତଥା ସକଳ ବିତ୍ତର ସୁବିଶାଳ ରକ୍ଷକ ହୋଇ ରହିଥିଲେ । ସେ ଅକ୍ଷରର ସର୍ଜନା କଲେ । ବିତ୍ତ ଆଣିଦେଲେ । ସିଏ ଏହି ନକ୍ଷତ୍ରଖଚିତ ବ୍ରହ୍ମାଣ୍ଡ ବ୍ୟତୀତ ଭିନ୍ନ ଆଉ କିଛିହେଲେ ନଥିଲେ । ସେଇ ସକଳ ସଫଳତାର ଦାତା ହୋଇ ରହିଥିଲେ । ଯାହାକିଛି ଯେଉଁଠି ରହିଛି, ସବୁକିଛିକୁ ସେଇ ନିଜ ଭିତରେ ଧାରଣା କରି ରହିଥିଲେ । ତେଣୁ, ଅତ୍ୟନ୍ତ ସ୍ଵାଭାବିକ ଭାବରେ ହିଁ ତାଙ୍କୁ ସକଳ ବାସନାର ପୂରଣକାରୀ ବୋଲି କୁହା ଯାଉଥିଲା । ଗଣେଶ କଦାପି ନିଜର ଦେବତାଙ୍କୁ ଭୟ କରୁଥିବା ଏକ ଜନସମୂହର ଦେବତା ହୋଇ ପାରିବେନାହିଁ । ସିଏ ଧୀର, ଅବିଚଳିତ ଏବଂ ବନ୍ଧୁବତ୍,-ଏଭଳି ଜଣେ ଦେବତା ଯିଏ ମନୁଷ୍ୟକୁ ଭଲ ପାଆନ୍ତି ଓ ମନୁଷ୍ୟଠାରୁ ମଧ୍ୟ ଭଲ ପାଇବା ପାଉଥାଆନ୍ତି । ତାଙ୍କର ସୁରକ୍ଷା ଲାଭ କରିଥିବା ଗ୍ରାମଟି ଉପରେ ଏକ ପ୍ରକୃତ ସଦୟତା ତଥା ପ୍ରଜ୍ଞାପୂର୍ଣ୍ଣ କୁଶଳତା ସୁନିରୂପିତ ହୋଇ ରହିଥାଏ । ମାତ୍ର ତଥାପି ତାଙ୍କୁ କୌଣସି ନିର୍ଦ୍ଦିଷ୍ଟ ଈଶ୍ଵରତତ୍ତ୍ଵରୁ ସମ୍ଭୂତ ଜଣେ ଦେବତା ବୋଲି ମଧ୍ୟ କୁହାଯାଇ ପାରିବନାହିଁ । ସିଏ ନିର୍ମଳ, ସରଳ, କିଞ୍ଚିତ୍ ପରିମାଣରେ ଏକ ସ୍ଥୂଳତା ପାଇଁ ବେଶ୍ ସମର୍ଥ, ଅଶୋଧିତ ବହୁ ଶକ୍ତି ଏବଂ ଆଦିମ ପୁରୁଷଗୁଣର ଅଧିକାରୀ । ଜନ୍ମ ହେବାର କ୍ଷଣଟିରୁ ହିଁ ଏକ ବିସ୍ମୟକାରୀ ଭବିଷ୍ୟତ ଲାଗି ସେ ପୂର୍ବନିର୍ଦ୍ଦିଷ୍ଟ,-ବିଶ୍ଵାସ ତଥା କର୍ମକୌଶଳ ଦୁଇଟିଯାକ କ୍ଷେତ୍ରରେ; ଏବଂ, ସଫଳତା ଲାଭ କରିବାର ଉଦ୍ଦେଶ୍ୟରେ ସମ୍ପାଦିତ କରାଯାଉଥିବା ଯାବତୀୟ କାର୍ଯ୍ୟରେ ସିଏ ହିଁ ସର୍ବାଗ୍ରରେ ରହିଥାଆନ୍ତି ।

 

ଦକ୍ଷିଣ ଭାରତବର୍ଷୀୟ ଆଦିମ ଗ୍ରାମଦେବୀମାନଙ୍କ ଭଳି ସିଏ ଏତେ ପୁରାତନ ନଥିଲେ, ତଥାପି ହୁଏତ ଏପରି କୁହାଯାଇ ପାରିବ ଯେ, ତାଙ୍କରିଠାରୁ ହିଁ ସଙ୍ଗଠିତ ଯାବତୀୟ ଉପାସନାର ଅୟମାରମ୍ଭ ହୋଇଥିଲା । ବୌଦ୍ଧଧର୍ମର ଶୈଶବବେଳକୁ ସିଏ ପୁରାତନ ହୋଇ ସାରିଥିଲା । ସର୍ବୋପରି, ଗଣନାଥ ବ୍ରାହ୍ମଣ ଅଥବା ରାଜ୍ୟନ୍ୟମାନଙ୍କର ଦେବତା ନଥିଲେ, କୌଣସି ଈଶ୍ଵରତତ୍ତ୍ଵ କିମ୍ବା ଜାତିର ଦେବତା ମଧ୍ୟ ନଥିଲେ, ମାତ୍ର, ଖୁବ୍ ସମ୍ଭବ ଚତୁର୍ଦ୍ଦିଗରେ ଖେଦି ରହିଥିବା ବୈଶ୍ୟ-ସଂସ୍କୃତିର ଅର୍ଥାତ୍ ଭାରତମାନଙ୍କ ସଭ୍ୟତାର ଦେବତାରୂପେ ପୂଜା ପାଉଥିଲେ । ଏକାଳ ପର୍ଯ୍ୟନ୍ତ ମଧ୍ୟ ସିଏ ପ୍ରଧାନତଃ ବଣିକ ବା ବୈଶ୍ୟମାନଙ୍କର ଦେବତା ହୋଇ ରହିଛନ୍ତି ଏବଂ ଅତ୍ୟନ୍ତ ବିଚିତ୍ର ବୋଧ ହୋଇଥାଏ ଯେ ଭାରତୀୟ ସହରମାନଙ୍କରେ, ଯଦି ଜଣେ ବ୍ୟବସାୟ ନିଜ ବ୍ୟବସାୟରେ ବିଫଳ ହୋଇଯାଏ, ସେତେବେଳେ ଗଣେଶଙ୍କର ଦ୍ରବ୍ୟଭଣ୍ଡାରଟି ଓଲଟି ପଡ଼ିଲା ବୋଲି ସମସ୍ତଙ୍କ ପାଖରେ ଉଲ୍ଲେଖ କରା ଯାଇଥାଏ !

 

ହିନ୍ଦୁଧର୍ମର ମହାକାବ୍ୟ

 

ଖ୍ରୀଷ୍ଟୀୟ କାଳର ସେହି ପ୍ରଥମ ପର୍ଯ୍ୟାୟରେ, ଗୋଟିଏ ଜାତି ଆପଣାକୁ ଦୃଢ଼ଭାବରେ ପ୍ରତିଷ୍ଠିତ କରି ଆଣୁଥିବା ସମୟରେ ଲିଖିତ ହିନ୍ଦୁଧର୍ମର ସୁପରିଚିତ ଶାସ୍ତ୍ରମାନଙ୍କ ମଧ୍ୟରେ ବାଲ୍ମୀକିକୃତ ରାମାୟଣ ହେଉଛି ସର୍ବପ୍ରଥମ । ରାମାୟଣ ହେଉଛି ଶୁଦ୍ଧତା ତଥା ଦୁଃଖର ସମାଚାରଟିକୁ ପ୍ରଚାର କରୁଥିବା ଗୋଟିଏ ମହାକାବ୍ୟ । ତଥାପି, ପ୍ରକୃତି ବିଷୟରେ ଏକ କଳ୍ପନାପ୍ରସୂତ କାହାଣୀ ବୋଲି ମଧ୍ୟ ତାହାକୁ ସମାନ ଉଲ୍ଲେଖଯୋଗ୍ୟ ଭାବରେ ଅବଶ୍ୟ କୁହାଯାଇ ପାରିବ । ଗଣେଶ ସର୍ବପ୍ରଧାନ ଦେବତାରୂପେ ପୂଜିତ ହେଉଥିବାର ପ୍ରଥମକାଳରୁ ବୌଦ୍ଧଧର୍ମ ଏବଂ ଜାତକଗୁଡ଼ିକର କାଳଟି ମଧ୍ୟ ଆସି ଚାଲି ଯାଇଥିବା ପରେ ହିଁ କେତୋଟି ଶତାବ୍ଦୀ ଧରି ଆର୍ଯ୍ୟମେଧାରେ ପ୍ରାଧାନ୍ୟଟି ଅଧିକରୁ ଅଧିକ ସ୍ପଷ୍ଟ ଭାବରେ ଅନୁଭୂତ ହେବାରେ ଲାଗିଥିଲା । ପ୍ରତ୍ୟେକ କଳାକୃତିର କ୍ଷେତ୍ରରେ ଯାହା ଘଟିଥାଏ, ପୂର୍ବବର୍ତ୍ତୀ ସଂସ୍କୃତିଟିର ଏକ ଆଭାସ ମଧ୍ୟ ଯେପରି ଆମକୁ ମିଳି ଯାଇଥାଏ, ରାମାୟଣରେ ମଧ୍ୟ ଆହୁରି ଆଗକୁ ଆସୁଥିବା ଘଟଣା ଏବଂ ସମ୍ଭାବନା ବିଷୟରେ ଭୁରି ଭୁରି ଭବିଷ୍ୟ-ଇଙ୍ଗିତ ରହିଥିଲେ ବି ଆମେ ତାହାକୁ ପାଠ କରୁଥିବା ସମୟରେ ଏକ ପୂର୍ବବର୍ତ୍ତୀ କାଳର ଶିଶୁଜଗତକୁ ମଧ୍ୟ ଚାଲି ଯାଉ । ଏହାର ସଜାତୀୟ ସକଳ ଯୁଗପରି, ସେହି ଯୁଗରେ ମଧ୍ୟ ପକ୍ଷୀ ଓ ପଶୁମାନେ କଥା କହି ପାରୁଥିଲେ ଓ ଆପଣାକୁ ଠିକ୍ ମନୁଷ୍ୟମାନଙ୍କ ଭଳି ସାନ୍ତ୍ଵନା ଦେଇ ପାରୁଥିଲେ । ସେହି କାଳର ମନୁଷ୍ୟ-ସାଧାରଣଙ୍କ ପାଇଁ ଅରଣ୍ୟ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଏକ ରହସ୍ୟର ରାଜ୍ୟ ହୋଇ ରହିଥିଲା । ମହାନ୍ ବିଦ୍ଵାନ୍ ଏବଂ ଋଷିମାନେ ଅରଣ୍ୟରେ ବାସ କରୁଥିଲେ । ଅରଣ୍ୟ ସୁନ୍ଦର ପୁଷ୍ପରାଜି ତଥା ସୁଗନ୍ଧରେ ପୂର୍ଣ୍ଣ ହୋଇ ରହିଥିଲା । ମଧୁର ସଙ୍ଗୀତ ଗାନ କରୁଥିବା ପକ୍ଷୀମାନେ ରହିଥିଲେ, ଅରଣ୍ୟାଞ୍ଚଳ ଶୀତଳ ଓ ସବୁଜ ହୋଇ ରହିଥିଲା । ତାହାର ଉପଶମକାରୀ ପ୍ରଭାବଦ୍ଵାରା ପବିତ୍ର ଭାବର ଉପଲବ୍ଧି ହୋଇ ପାରୁଥିଲା । ଅରଣ୍ୟର ଉଦାତ୍ତ ଏକାନ୍ତତା ମଧ୍ୟରେ ଯେକୌଣସି ତପଃସାଧନା ସମ୍ଭବ ହୋଇ ରହିଥିଲା । ମାତ୍ର ସେଠାରେ ମାରାତ୍ମକ ବନ୍ୟାପ୍ରାଣୀମାନେ ମଧ୍ୟ ବାସ କରୁଥିଲେ । ଏବଂ, ପୁନଶ୍ଚ ବହୁସଂଖ୍ୟକ ଅରଣ୍ୟ ଅତିପ୍ରାକୃତିକ ନାନା ଭୟଙ୍କରତା ଦ୍ଵାରା ଘେରି ହୋଇ ରହିଥିଲା । ସମସ୍ତେ ଜାଣିଥିଲେ ଯେ ରାକ୍ଷସ ମାରୀଚ ଇଚ୍ଛା କରିବା ମାତ୍ରକେ ଆପଣାର ଆକୃତିକୁ ବଦଳାଇ ଦେଇ ପାରୁଥିଲେ । କେତେବେଳେ ବ୍ୟାଘ୍ର ବା ଭଲ୍ଲୁକ ଏବଂ ଆଉକିଛି ଅଧିକ ସୂକ୍ଷ୍ମ ଓ ଭୟାନକ ବି ହୋଇ ଯାଉଥିଲା । ସନ୍ଧ୍ୟା କାଳର ଛାୟା ମଧ୍ୟରେ ବିଚିତ୍ର ଆକୃତି ଏବଂ ଅନିଷ୍ଟକାରୀ ଶରୀରଧାରୀମାନେ ବିଚରଣ କରୁଥିଲେ । କଦାକୃତି ପିଶାଚ ଓ ଶକ୍ତିଶାଳୀ ଅରାତିମାନେ ସୁଦୂର ଲଙ୍କାପୁରୀରେ ଜଣେ ଦଶାନନ ରାକ୍ଷସଜ୍ଞାତିର ଆନୁଗତ୍ୟକୁ ସ୍ଵୀକାର କରୁଥିଲେ ଏବଂ ଏହି ଅରଣ୍ୟରେ ତୀରବେଗରେ ଛୁଟିବାରେ ଲାଗିଥିଲେ । ବିଳମ୍ବିତ ପ୍ରହରମାନଙ୍କରେ କେତେ କେତେ ଶିକାରୀଙ୍କୁ ଅତ୍ୟନ୍ତ ଭ୍ୟୟତ୍ରସ୍ତ ହୋଇ ବୃକ୍ଷ ତଥା ଗୁଳ୍ମଗୁଡ଼ିକର ଅନ୍ଧାର ଭିତରୁ ନାନା ଫୁସ୍ ଫୁସ୍ ଶବ୍ଦ ମଧ୍ୟ ଶୁଣା ଯାଉଥିଲା; ମନେ ହେଉଥଲା ସେମାନେ ସତେଅବା ନିଜ ଆତ୍ମାର ଅରାତିମାନଙ୍କର ଫୁସ୍‌ଫୁସ୍ ଶବ୍ଦଗୁଡ଼ିକୁ ହିଁ ଶୁଣିବାକୁ ପାଉଥିଲେ !

 

ମାତ୍ର, ଦେବତାମାନେ ସର୍ବଦା ଏହି ମନ୍ଦଶକ୍ତି ଗୁଡ଼ିକର ତୁଳନାରେ ଅଧିକ ଶକ୍ତିର ଅଧିକାରୀ ଥିଲେ । ଅରଣ୍ୟର ସେହି ଅଭୟ ଭିତରେ ଦିବ୍ୟତାର ପରୋକ୍ଷ ଆଲୋକଟି ହିଁ ଘନ ପରସ୍ତ ରୂପେ ବ୍ୟାପ୍ତ ହୋଇ ରହିଥିଲା । ସେଠାରେ ଗନ୍ଧର୍ବମାନେ ଥିଲେ, ସିଦ୍ଧମାନେ ମଧ୍ୟ ରହିଥିଲେ, ସ୍ଵର୍ଗର ଅପ୍ସରାମାନେ ବିଚରଣ କରୁଥିଲେ । ସେଥିଲାଗି ରାତ୍ରିର ଆଗମନକାଳରେ ସେହି ଅରଣ୍ୟରେ ସରୋବରଗୁଡ଼ିକର ତଟସମୀପକୁ ଯିବାର ସାହସ କରିବା ଆଦୌ ନିରାପଦ ନଥିଲା, କାରଣ ସେହି ଅପ୍ସରାମାନଙ୍କର ସ୍ନାନବିନୋଦନରେ ଆଖି ପଡ଼ିଗଲେ ସେମାନଙ୍କ ଠାରୁ ଅଭିଶାପ ପାଇବାର ବେଶ୍ ଆଶଙ୍କା ମଧ୍ୟ ରହିଥିଲା । ସେଠାରେ କିନ୍ନରମାନେ ରହିଥିଲେ ଏବଂ ଆପଣାର ପକ୍ଷତଳେ ନାନା ସଙ୍ଗୀତଯନ୍ତ୍ର ଧାରଣ କରିଥିଲେ । ଏବଂ, ସେମାନଙ୍କର ସେହି ନୀରବତା ଭିତରେ ସବୁ ଈଗଲପକ୍ଷୀଙ୍କର ଷାଠିଏ ହଜାର ବର୍ଷ ହେଲା ରାଜା ହୋଇ ରହି ଆସିଥିବା ଜଟାୟୁ ମଧ୍ୟ ନିଦ୍ରାମଗ୍ନ ଥିଲା; ସେଠାରେ କୌଣସି ସ୍ଥାନରେ ତା’ ବଡ଼ଭାଇ ସମ୍ପାତି ବି ଥିଲା । ଜଟାୟୁକୁ ରୌଦ୍ରଦାହରୁ ରକ୍ଷା କରିବାକୁ ଯାଇ ଏକଦା ସମ୍ପାତିର ଡେଣାଗୁଡ଼ିକ ମଧ୍ୟ ଦଗ୍ଧ ହୋଇ ଯାଇଥିଲା । ଏବଂ ସବୁଜ ଉଦ୍ଭିଦପୂର୍ଣ୍ଣ ସେହି ଅରଣ୍ୟ ମଧ୍ୟକୁ ବାନରପଲଙ୍କର ଆଗମନ ଘଟୁଥିଲା; ସେମାନଙ୍କ ଭିତରେ ମନୁଷ୍ୟଠାରୁ ଅଧିକ ପ୍ରଜ୍ଞାଶକ୍ତି ବିଦ୍ୟମାନ ଥିଲା । ସେମାନେ ଗୋଟିଏମାତ୍ର ଶବ୍ଦ ଉଚ୍ଚାରଣ କରିଦେବା ମାତ୍ରକେ ପତ୍ରପୂର୍ଣ୍ଣ ବୃକ୍ଷଶାଖା ଗୁଡ଼ିକ ସୁଦୃଶ୍ୟ ପୁଷ୍ପରାଜିରେ ଭରି ଆସୁଥିଲା । ମାତ୍ର ତଥାପି, ଆପଣାର ଅନାୟତ୍ତ ବାନରସ୍ଵଭାବ ସହିତ ସଂଗ୍ରାମ କରୁ କରୁ ସେମାନେ ସତେ ଅବା ଏକ ମନ୍ତ୍ରର ବିସ୍ତାର କରାଇ ସେଗୁଡ଼ିକ ଉପରେ ମନ୍ଦ-ଅଭିପ୍ରାୟ ଏବଂ ବ୍ୟର୍ଥତାର ଏକ ଅଦ୍ଭୁତ ତଥା ଅକଥ୍ୟ ନିୟତିକୁ ଆଣି ଲଦି ମଧ୍ୟ ଦେଉଥିଲେ ।

 

ଇତର ପ୍ରାଣୀସକଳ ସମ୍ବନ୍ଧରେ ଭାରତବର୍ଷ ସର୍ବଦା ଏକ ସଂଗଠିତ ସମାଜର ଅନୁମାନ କରିଆସିଛି । ସେହି ପ୍ରାଣୀମାନଙ୍କର ପରିବାର ଅଛି, ବଂଶବିବରଣୀ ମଧ୍ୟ ରହିଛି । ସେମାନଙ୍କ ରାଜା ରହିଛନ୍ତି, ରାଜନୀତିକ ଶତ୍ରୁମିତ୍ର ମଧ୍ୟ ଅଛନ୍ତି । ସେମାନଙ୍କର ଜୀବନରେ ବିଚ୍ଛେଦ ଏବଂ ମିଳନର କେତେସବୁ କାହାଣୀ ରହିଛି । ହଁ, ଯେତେବେଳେ ଏକ ସନ୍ଧ୍ୟାକାଶର ମାର୍ଗ ଦେଇ ରାବଣ ସୀତାଙ୍କୁ ରଥରେ ବସାଇ ଉଡ଼ିଯାଉଛି, ସେତେବେଳେ ସେ ତଳକୁ ଅନାଇ ପାଞ୍ଚଟି ବୃହତ୍‌କାୟ ବାନରଙ୍କୁ ଗୋଟିଏ ପାହାଡ଼ ଉପରେ ବସିଥିବାର ଦେଖି ପାରୁଛନ୍ତି । ସେମାନଙ୍କ ମଧ୍ୟରେ ମୁଖ୍ୟ ହେଉଛନ୍ତି ସୁଗ୍ରୀବ, ଯିଏକି ତାଙ୍କ ବଡ଼ଭାଇ ବାଳୀଙ୍କ ଦ୍ଵାରା ନିଜ ରାଜ୍ୟରୁ ତାଡ଼ିତ ହୋଇଛନ୍ତି । ବାଳୀ ତାଙ୍କର ପତ୍ନୀଙ୍କୁ ମଧ୍ୟ ନେଇ ଯାଇଛନ୍ତି । ସୁଗ୍ରୀବ ବର୍ତ୍ତମାନ ପ୍ରତିଶୋଧ ନେବାର ଅପେକ୍ଷାରେ ରହିଛନ୍ତି । ଅର୍ଥାତ୍, ସୁଗ୍ରୀବ ଜଣେ ରାଜା ଯିଏକି ନିର୍ବାସନର ଦୁର୍ଦ୍ଦଶା ଭୋଗ କରୁଛନ୍ତି, ନିଜର ପରାମର୍ଶଦାତା ଏବଂ ସେନାପ୍ରମୁଖ ମାନଙ୍କ ଦ୍ଵାରା ସେ ପରିବେଷ୍ଟିତ ହୋଇ ରହିଛନ୍ତି, - ସତେଅବା ପରୀଗଳ୍ପଗୁଡ଼ିକରେ ରହିଥିବା ଓ କାହାର ଖଳ ଜାଦୁକାରିତାର ଜାଲରେ ପଡ଼ିଥିବା ଜଣେ ରାଜପୁତ୍ରଙ୍କ ପରି ବସିଛନ୍ତି ।

 

ହନୁମାନ

 

ମାତ୍ର, ରାମାୟଣରେ ଏପରି ଜଣେ ଚରିତ୍ର ମଧ୍ୟ ରହିଛନ୍ତି, ଏକ ବାନର ହୋଇଥିଲେ ମଧ୍ୟ ଯାହାଙ୍କୁ ଅବଶ୍ୟ ଏକ ସ୍ଵତନ୍ତ୍ର ଆସନ ଦେବାକୁ ହିଁ ପଡ଼ିବ । ହିମାଳୟ ଅଞ୍ଚଳରେ ତଥା ମହାରାଷ୍ଟ୍ର ଭିତରେ ଏପରି ଲୋକାୟତମାନ ରହିଛି, ଯେଉଁଠାରେ କି ଆଦିମତମ ହିନ୍ଦୁ-ଉପାସନାର ପ୍ରତୀକମାନ ଏବେ ମଧ୍ୟ ଦୃଷ୍ଟିଗୋଚର ହୁଅନ୍ତି । ସେସବୁ ସ୍ଥାନରେ ଗଣେଶଙ୍କ ପରି ହନୁମାନଙ୍କର କ୍ଷୁଦ୍ର ମନ୍ଦିରମାନ ମଧ୍ୟ ରହିଛି ଏବଂ ସେଠାରେ ହସ୍ତୀ ପରି ବାନରକୁ ମଧ୍ୟ ଏକ ପାରମ୍ପରିକ ରୂପ ପ୍ରଦାନ କରାଯାଇଛି । ଗୋଟିଏ ପ୍ରସ୍ତରଖଣ୍ଡ ଉପରେ ହନୁମାନଙ୍କର ଏକ ବଳିଷ୍ଠ ମୂର୍ତ୍ତି ନିର୍ମାଣ ଏବଂ ସତେଅବା ଅଧିକତର ପରିମାଣରେ ଏକ ଜଟିଳ ପ୍ରତୀକର ପ୍ରତିନିଧିତ୍ଵ କରୁଛି । ସିଏ ଯେଉଁସବୁ ଗୁଣର ପ୍ରତିନିଧିତ୍ଵ କରୁଛନ୍ତି, ତାହାର ବଳିଷ୍ଠତା ଓ କମନୀୟତା ବିଷୟରେ ସନ୍ଦେହ କରିବାକୁ ଆଦୌ କିଛିହେଲେ ନାହିଁ । ସମସ୍ତ ସାହିତ୍ୟରେ ହନୁମାନଙ୍କ ପରି ଆନୁଗତ୍ୟ ଏବଂ ସମର୍ପଣର ଏକ ଦ୍ଵିତୀୟ ଦୃଷ୍ଟାନ୍ତ ପ୍ରକୃତରେ ଅନ୍ୟ କୁତ୍ର ରହିଛି କି ନାହିଁ, ବରଂ ଏହି ଅନ୍ୟ ପ୍ରଶ୍ନଟିକୁ କରାଯାଇପାରେ । ହିନ୍ଦୁ ଆଦର୍ଶର କ୍ଷେତ୍ରରେ ସିଏ ହେଉଛନ୍ତି ଜଣେ ସର୍ବଗୁଣସମ୍ପନ୍ନ ଭୃତ୍ୟ, ଯିଏକି ଆପଣାର ପୁରୁଷଗୁଣ, ବିଶ୍ୱସ୍ତତା ତଥା ଆନୁଗତ୍ୟର ପୂର୍ଣ୍ଣ ଉପଲବ୍ଧି କରିଛନ୍ତି, ଯିଏକି ଜଣେ ପରିକର ହୋଇ ନିମ୍ନରେ ରହିଥିବା ହିଁ ଗୌରବ ଅନୁଭବ କରୁଛନ୍ତି ।

 

ରାମାୟଣର ପ୍ରଥମ କଳ୍ପନା ସମୟକୁ ହନୁମାନ ଅବଶ୍ୟ ପୁରାତନ ହୋଇ ସାରିଥିବେ । ପ୍ରଥମେ କେଉଁ ଭଳି ଆଗ୍ରହ ହେତୁ ଯେ ସେହି ଚରିତ୍ରଟିର ସର୍ଜନା ହୋଇଥିବ, ଏବେ ତାହାର ଅନୁମାନ କରିବାରେ ଆଦୌ ଫଳ ମିଳିବ ନାହିଁ । ମାତ୍ର, ସୁଗ୍ରୀବ ଓ ବାଳୀଙ୍କ ତୁଳନାରେ ତାଙ୍କୁ ଏକ ଅଧିକ ସମ୍ମାନିତ ଆସନ ଦିଆଯାଇଛି, ଅଥଚ ସେ ସେହି ରାଜାମାନଙ୍କର ପରିକର ହୋଇ ରହିଛନ୍ତି-। ଅବଶ୍ୟ, ଜଟାୟୁଙ୍କ ପରି ସିଏ ମଧ୍ୟ ବାୟୁଙ୍କର ପୁତ୍ର, ବେଦରେ ଯାହାଙ୍କୁ ପବନମାନଙ୍କର ଦେବତା ବୋଲି କୁହାଯାଇଛି । ରାମାୟଣରେ ତାଙ୍କୁ ପ୍ରଦତ୍ତ ଭୂମିକାଟି ତାଙ୍କୁ ବସ୍ତୁତଃ ଚିରଅମର କରି ରଖିଛି-। ହନୁମାନଙ୍କର ବୟସ ଏବଂ ଉଦ୍ଭବ ଯାହା ହୋଇଥାଉ ପଛକେ, ରାମାୟଣ ଗ୍ରନ୍ଥରେ ତାଙ୍କୁ ଏକ ଉଚ୍ଚତମ ମହତ୍ତ୍ଵର ଧର୍ମକଳ୍ପନାରେ ଯୁକ୍ତ କରିଦିଆ ଯାଇଛି, ଯେତେବେଳେ ହନୁମାନ ରାମଙ୍କର ଚରଣସ୍ପର୍ଶ ନିମନ୍ତେ ତଳକୁ ନଇଁ ଆସୁଛନ୍ତି, ଏକ ଦିବ୍ୟ ଅବତାରରୂପେ ବି ପରିଗଣିତ ହେଉଥିବା ସେହି ରାଜ୍ୟାଧିପତିଙ୍କୁ ପ୍ରଣାମ କରୁଛନ୍ତି, ସେତେବେଳେ ପୂର୍ବବର୍ତ୍ତୀ ସମୟରେ ନାନା ପ୍ରକୃତିଉପାସନା ସହିତ ପରବର୍ତ୍ତୀ ଧର୍ମକୁ ଗଠିତ କରି ଆଣିଥିବା ବୃହତ୍ ଧର୍ମଧାରା ଗୁଡ଼ିକର ସତେଅବା ଏକ ମିଳନ ସମ୍ଭବ ହୋଇ ଯାଉଛି । ମାତ୍ର, ଆମେ ଆଦୌ ଭୁଲି ଯିବାନାହିଁ ଯେ ହନୁମାନରୂପୀ ଏହି ରୂପକଳ୍ପନାଟିରେ ପୂର୍ବବର୍ତ୍ତୀ ଉପାସନାପଦ୍ଧତି ଗୁଡ଼ିକୁ ଏକ ଆଧ୍ୟାତ୍ମିକ ପ୍ରତିଷ୍ଠା ପ୍ରଦାନ କରାଯାଉଛି ଏବଂ ତାହା ମନୁଷ୍ୟର ଆଦର୍ଶଜଗତକୁ ଏକ ସ୍ଥାୟୀ ଅବଦାନ ହୋଇ ରହିପାରିଛି । ଆଗାମୀ ଯୁଗମାନଙ୍କରେ ବିଷ୍ଣୁଉପାସନାର ଧର୍ମଟି କଦାପି ସର୍ବୋତ୍ତମ ଭୃତ୍ୟ ବାନରଦେବତାଙ୍କୁ ବାଦ୍ ଦେଇ ପାରିବ ନାହିଁ, ଏବଂ ପରବର୍ତ୍ତୀ ଯୁଗମାନଙ୍କରେ ଯେତେବେଳେ ସ୍ଵର୍ଗର ପକ୍ଷୀ ଗରୁଡ଼ ଆଦି ଜନସମୁଦାୟ ଗୁଡ଼ିକର କଳ୍ପନାକୁ ଗତିଶୀଳ କରି ଦେଇଥିଲେ ଏବଂ ସ୍ଵୟଂ ନାରାୟଣଙ୍କର ବାହନ ହୋଇ ରହିଲେ, ସେତେବେଳେ ହନୁମାନ କଦାପି ନିଜର ସ୍ଥାନକୁ ହରାଇ ନଥିଲେ । ବାଲ୍ମୀକିଙ୍କର ଏହି ବିସ୍ମୟକାରୀ ଚରିତ୍ରଟି କାଳକାଳକୁ ମଧ୍ୟ ଲୋକମାନଙ୍କର ହୃଦୟ ତଥା ବିବେକ ମଧ୍ୟରେ ଉଚ୍ଚ ଆସନଟିଏ ଅଧିକାର କରି ରହିଥିବ ।

 

ବାଲ୍ମୀକି-କଥିତ ରାମଚରିତ

 

ଉତ୍ତମପଣ, ଗୁଣବତ୍ତା, ସାହସ ତଥା ବଦାନ୍ୟତା ଦ୍ଵାରା ପୂର୍ଣ୍ଣ-ବିଭୂଷିତ ହୋଇ ଜଗତ ମଧ୍ୟରେ ଜୀବଦ୍ଦଶାରେ ଥିବା କେହି ବ୍ୟକ୍ତି ରହିଥିଲେ ସିଏ ତାଙ୍କର ନାମ କହି ପାରିବେ କି ବୋଲି ଦିନେ ଋଷି ବାଲ୍ମୀକି ମହର୍ଷି ନାରଦଙ୍କୁ ପଚାରିଥିଲେ । ରାମାୟଣ କହିଲେ ବର୍ତ୍ତମାନ ଯେଉଁ ସମ୍ପୂର୍ଣ୍ଣ କାହାଣୀଟିକୁ ବୁଝାଉଛି, ନାରଦ ଋଷିଙ୍କ ଆଗରେ ସେହି କାହାଣୀଟିକୁ ବର୍ଣ୍ଣନା କଲେ । କହିଲେ, ବାଲ୍ମୀକି ଯେଉଁଭଳି ଜଣେ ବ୍ୟକ୍ତିଙ୍କୁ ଜାଣିବାକୁ ଇଚ୍ଛା କରୁଛନ୍ତି, ସିଏ ହେଉଛନ୍ତି ସେହି ମହାନ୍ ରାମ, ଆଦୌ କେହି ନୁହନ୍ତି । ବାଲ୍ମୀକି ନିଜ ଆଶ୍ରମକୁ ଫେରି ଆସିଥିଲେ । ଅରଣ୍ୟ ମଧ୍ୟଦେଇ ଯାଉ ଯାଉ ସେ ଏକ ପକ୍ଷୀ-ଯୁଗଳଙ୍କୁ ଭେଟିଥିଲେ, ଯେଉଁମାନେ କି ଗୀତ ଗାଇ ନାଚିବାରେ ଲାଗିଥିଲେ-। ମାତ୍ର, ଠିକ୍ ସେହି ସମୟରେ ଜଣେ ଦୁଷ୍ଟ ବ୍ୟାଧ ପୁରୁଷ-ପକ୍ଷୀକୁ ଲକ୍ଷ୍ୟ କରି ଗୋଟିଏ ତୀର ନିକ୍ଷେପ କରିବାରୁ ତାହାର ପ୍ରାଣବାୟୁ ଉଡ଼ି ଯାଇଥିଲା ଏବଂ ତା’ର ଅନ୍ୟଟି ଦୀର୍ଘ ସମୟ ଧରି ଆକୁଳ ହୋଇ ରୋଦନ କରିବାକୁ ଲାଗିଲା । ଯତିବରଙ୍କର ହୃଦୟ କରୁଣା ଏବଂ କ୍ରୋଧରେ ବିଚଳିତ ହୋଇ ଉଠିଲା ବ୍ୟାଧକୁ ଏକ ଅଭିଶାପ ଦେଇ ସେଠାରୁ ଆଗକୁ ଚାଲି ଯାଇଥିଲେ-। କିନ୍ତୁ ଆଗକୁ ଯାଉଥିବା ସମୟରେ ସିଏ ଉଚ୍ଚାରଣ କରିଥିବା ଶବ୍ଦଗୁଡ଼ିକ ତାଙ୍କର ବାରବାର ମନେ ପଡ଼ି ଯାଉଥିଲେ ଏବଂ ସିଏ ଆବିଷ୍କାର କରିଥିଲେ ଯେ ଶବ୍ଦଗୁଡ଼ିକ ଏକାଠି ଗୁନ୍ଥି ହୋଇ ଏକ ନୂତନ ଛନ୍ଦକୁ ସମ୍ଭବ କରି ପାରିଛନ୍ତି । ସେହି ଛନ୍ଦପୂର୍ଣ୍ଣ ଶବ୍ଦଗୁଡ଼ିକୁ ସେ ଏକତ୍ର କରି ଗୋଟିଏ ଶ୍ଳୋକ ବୋଲି କହିଲେ ।

 

ଆଶ୍ରମରେ ପହଞ୍ଚି ମୁନି ବ୍ରହ୍ମାଣ୍ଡର ସର୍ଜନା କରିଥିବା ଚତୁର୍ମୁଖ ବ୍ରହ୍ମାଙ୍କୁ ଭେଟିଲେ । ବାଲ୍ମୀକି ତାଙ୍କର ଚରଣବନ୍ଦନା କରିଥିଲେ । ମାତ୍ର ସେତେବେଳେ ମଧ୍ୟ ସେହି ଭାଗ୍ୟହୀନ ପୁରୁଷପକ୍ଷୀ ଓ ନୂତନ କରି ଗଡ଼ି ହୋଇ ଯାଇଥିବା ଶ୍ଳୋକଟି ତାଙ୍କର ସକଳ ଭାବନାକୁ ଅଧିକାର କରି କରି ରହିଥାଆନ୍ତି । ତା’ପରେ ବ୍ରହ୍ମା ଈଷତ୍ ହସି ତାଙ୍କୁ କହିଲେ: “ପ୍ରକୃତରେ ମୁଁ ଇଚ୍ଛା କରିବାରୁ ହିଁ ସେହି ଶବ୍ଦଗୁଡ଼ିକ ଆପଣଙ୍କର ମୁଖରୁ ଉଚ୍ଚାରିତ ହୋଇ ଆସିଥିଲେ । ଏହାପରେ ସେହି ଛନ୍ଦଟି ଅତ୍ୟନ୍ତ ପ୍ରସିଦ୍ଧି ଲାଭ କରିବ । ଆପଣ ସେହି ଛନ୍ଦରେ ରାମଙ୍କର ପୂର୍ଣ୍ଣ ଚରିତଟିକୁ ରଚନା କରନ୍ତୁ; ରାମ, ଲକ୍ଷ୍ମଣ, ଜନକକନ୍ୟା ସୀତା ଏବଂ ରାକ୍ଷସକୁଳ ବିଷୟରେ ଯାହାସବୁ ଆପଣ ଜାଣିଛନ୍ତି ଏବଂ ଯାହା ଜାଣିନାହାନ୍ତି, ସେଥିରେ ଆପଣ ସେହି ସବୁକିଛିକୁ ବର୍ଣ୍ଣନା ମଧ୍ୟ କରନ୍ତୁ, ଯାହା ଆପଣଙ୍କୁ ଅଜ୍ଞାତ ରହିଛି, ତାହା ଆପଣଙ୍କ ଉଦ୍‌ଘାଟିତ ହୋଇଯିବ ଏବଂ କାବ୍ୟଟି ଆରମ୍ଭରୁ ଶେଷ ଅବଧି ଏକ ସତ୍ୟକାହାଣୀ ହୋଇ ରହିବ । ଅଧିକନ୍ତୁ, ଆପଣଙ୍କର ରଚିତ ଏହି ରାମାୟଣ ଏହି ପର୍ବତମାନେ ଏବଂ ସମୁଦ୍ର ରହିଥିବା ପର୍ଯ୍ୟନ୍ତ ଜନସମାଜ ମଧ୍ୟରେ ବ୍ୟାପ୍ତ ହେବାରେ ହିଁ ଲାଗିଥିବେ ।” ଏତିକି କହି ସାରି ବ୍ରହ୍ମା ଅନ୍ତର୍ହିତ ହୋଇ ଯାଇଥିଲେ ।

 

ଆପଣାର ଶିଷ୍ୟମାନଙ୍କ ସହିତ ଆଶ୍ରମକୁଟୀରରେ ବାସ କରୁଥିବା ବାଲ୍ମୀକି ତା’ ପରେ ରାମାୟଣ ଗ୍ରନ୍ଥଟିକୁ ଲେଖିବା ଆରମ୍ଭ ଦେଇଥିଲେ । ଯେଉଁ ବ୍ୟକ୍ତି ରାମାୟଣ ଶ୍ରବଣ କରିବ, ସିଏ ସଦ୍‍ମାର୍ଗକୁ ଆସିବ, ବହୁ ବିତ୍ତ ତଥା ପରିପୂର୍ଣ୍ଣତାର ଅଧିକାରୀ ହୋଇପାରିବ । ତା’ର ସକଳ ବନ୍ଧନ ଅବଶ୍ୟ ଛିନ୍ନ ହେବ । ମହର୍ଷି ନାରଦ ତାଙ୍କୁ ଯେତିକି କାହାଣୀ କହିଥିଲେ, ବାଲ୍ମୀକି ସେଥିରେ ଆପଣାର ଗଭୀର ଅନ୍ତଃଦୃଷ୍ଟିକୁ ଆଣି ଯୁକ୍ତ କଲେ, ଯୋଗାସୀନ ହେଲେ ଏବଂ ଆପଣାର ପ୍ରସ୍ତାବିତ କାବ୍ୟଟିରେ ହିଁ ନିଜର ସମସ୍ତ ଭାବନାକୁ ସକେଂନ୍ଦ୍ରିତ କରି ଆଣିଥିଲେ । ପୁନଶ୍ଚ, ଆପଣାର ଯୋଗବଳରେ ରାମ ଏବଂ ସୀତାଙ୍କୁ ଦର୍ଶନ ମଧ୍ୟ କରିପାରିଲେ । ଲକ୍ଷ୍ମଣ, ନିଜର ତିନି ପତ୍ନୀଙ୍କ ସହିତ ଦଶରଥଙ୍କୁ ମଧ୍ୟ ଭେଟି ପାରିଲେ । ନିଜ ହାତ ଉପରେ ରଖା ଯାଇଥିବା ଗୋଟିଏ ଫଳକୁ ଯେପରି ସ୍ପଷ୍ଟ ଭାବରେ ଦେଖିହୁଏ, ଠିକ୍ ସେହିପରି ସ୍ପଷ୍ଟ ଏବଂ ଜୀବନ୍ତ ଭାବରେ । କେବଳ ଯାହା ଘଟି ସାରିଛି ସେତିକି ନୁହେଁ, ଯାହା ଘଟିବାକୁ ଯାଉଛି, ସେଗୁଡ଼ିକୁ ମଧ୍ୟ ଦେଖିଥିଲେ । ଏବଂ, ସମଗ୍ର ଚରିତ୍ରଟି ତାଙ୍କର ମାନସପଟରେ ଗୋଟିଏ ସମ୍ପୂର୍ଣ୍ଣ ଚିତ୍ରପଟ ପରି ଦୃଶ୍ୟ ହୋଇ ଆସିବା ପରେ ଯାଇ ସିଏ ଧ୍ୟାନସ୍ଥ ହୋଇ ଶ୍ଳୋକଗୁଡ଼ିକର ରଚନା କଲେ ଏବଂ ପ୍ରାୟ ଛବିଶି ହଜାର ଶ୍ଳୋକରେ ଯାଇ ଗ୍ରନ୍ଥଟି ସମ୍ପୂର୍ଣ୍ଣ ହେଲା । ତା’ ପରେ ଗ୍ରନ୍ଥଟିର ପ୍ରଚାର କିପରି ହେବ, ବାଲ୍ମୀକି ସେହି କଥା ଚିନ୍ତା କଲେ । ସେଥିଲାଗି ରାମସୀତାଙ୍କର ସୁନିପଣ ଦୁଇପୁତ୍ର କୁଶ ଓ ଲବଙ୍କୁ ସେ ପ୍ରଶିକ୍ଷିତ କରିବାରେ ଲାଗିଥିଲେ । ଗୌରବର୍ଣ୍ଣ ପୁତ୍ରଦ୍ୱୟ ତାଙ୍କରି ଆଶ୍ରମରେ ବାସ କରୁଥିଲେ, ବେଦାଧ୍ୟୟନ କରିଥିଲେ ଓ ସଙ୍ଗୀତ, ଆବୃତ୍ତିକଳା ପ୍ରଭୃତି ବହୁତ ବିଦ୍ୟାରେ ସମର୍ଥ ଥିଲେ । କୁଶ ଓ ଲବ କ୍ରମେ ରାମାୟଣକୁ ଆଦ୍ୟପ୍ରାନ୍ତ ଆବୃତ୍ତି କରିବା ଶିଖି ଯାଇଥିଲେ ଏବଂ, ଯେଉଁମାନେ ସେମାନଙ୍କ କଣ୍ଠରୁ ନିଃସୃତ ରାମାୟଣକୁ ଶ୍ରବଣ କରୁଥିଲେ, ସେମାନେ ସତେଅବା ନିଜର ଆଖିଆଗରେ ହିଁ କାହାଣୀଟି ଘଟୁଥିବାର ଅନୁଭବ କରି ପାରିଥିଲେ । ପରେ କୁଶ ଓ ଲବ ଅଯୋଧ୍ୟା ନଗରୀରେ ଥିବା ରାମଙ୍କ ସମୀପକୁ ଯାଇଥିଲେ,–ସେମାନଙ୍କୁ ଯତିପୁତ୍ର ବୋଲି ଅନୁମାନ କରି ରାମ ସେମାନଙ୍କୁ ଆତିଥ୍ୟ ପ୍ରଦାନ କଲେ ଏବଂ ସେଠାରେ ସମ୍ପୂର୍ଣ୍ଣ ଦରବାରଟି ସମକ୍ଷରେ ରାମାୟଣ ଗ୍ରନ୍ଥର ସର୍ବପ୍ରଥମ ଆବୃତ୍ତି ହୋଇଥିଲା ।

 

ଦଶରଥ ଓ ଅଶ୍ଵମେଧ ଯଜ୍ଞ

 

ଏକଦା ଅଯୋଧ୍ୟା ନାମରେ ଗୋଟିଏ ବୃହତ୍ ଏବଂ ସୁନ୍ଦର ନଗରୀ ଥିଲା । ଅଯୋଧ୍ୟାର ଅର୍ଥ ହେଉଛି ଯାହାକୁ ଯୁଦ୍ଧଦ୍ଵାରା ଜୟ କରି ହେବନାହିଁ । ସେହି ନଗରୀ କୋଶଳ ରାଜ୍ୟରେ ଅବସ୍ଥିତ ରହିଥିଲା । ସେଠାରେ ଲୋକମାନେ ଧର୍ମପରାୟଣ ଥିଲେ, ଅତ୍ୟନ୍ତ ସୁଖରେ ବାସ କରୁଥିଲେ । ସୁଶିକ୍ଷିତ ଥିଲେ, ସନ୍ତୁଷ୍ଟ ଏବଂ ସତ୍ୟବାଦୀ ଥିଲେ । ସେମାନଙ୍କର କୌଣସି ଅଭାବ ନଥିଲା । ଆତ୍ମସଂଯମ ଥିଲା, ସେମାନେ ବଦାନ୍ୟ ଥିଲେ ଓ ସେମାନଙ୍କର ଜୀବନ ବିଶ୍ଵାସରେ ପୂର୍ଣ୍ଣ ହୋଇ ରହିଥିଲା । ଅଯୋଧ୍ୟାର ରାଜା ଦଶରଥଙ୍କୁ ସକଳ ଅର୍ଥରେ ମନୁଷ୍ୟମାନଙ୍କ ମଧ୍ୟରେ ଜଣେ ମନୁ ବୋଲି କୁହାଯାଇ ପାରିବ, ତାରାମାନଙ୍କ ମଧ୍ୟରେ ଚନ୍ଦ୍ରମା କୁହାଯିବ । ପରାମର୍ଶ ଦେବା ନିମନ୍ତେ ତାଙ୍କର ସଭାରେ ବହୁତ ବିଜ୍ଞ ବ୍ୟକ୍ତି ଥିଲେ,– ସେମାନଙ୍କ ଭିତରେ କାଶ୍ୟପ ଏବଂ ମାର୍କଣ୍ଡେୟ ମଧ୍ୟ ରହିଥିଲେ । ତାଙ୍କର ପରିବାର ସହିତ ସଂଲଗ୍ନ ହୋଇ ବଶିଷ୍ଟ ଓ ବାମଦେବ ନାମରେ ଦୁଇଜଣ କୁଳପୁରୋହିତ ରହିଥିଲେ । ନିଜର କନ୍ୟାଙ୍କୁ ସେ ଋଷିଶୃଙ୍ଘ ନାମକ ଆଉଜଣେ ବଡ଼ ମୁନିଙ୍କ ସହିତ ବିବାହ ହେଇଥିଲେ । ତାଙ୍କର ମନ୍ତ୍ରୀମାନେ ସ୍ଵଉପଦେଶ ଗୁଡ଼ିକର ରକ୍ଷା କରି ପାରୁଥିଲେ ଓ ଉତ୍ତମ ରୂପେ ସକଳ କଥାର ବିଚାର କରି ପାରୁଥିଲେ । ସେମାନେ ରାଜ୍ୟଶାସନନୀତିରେ ପ୍ରବୀଣ ଥିଲେ ଓ ସର୍ବଦା ଉଚିତ ବାକ୍ୟମାନେ ହିଁ ଉଚ୍ଚାରଣ କରୁଥିଲେ । ରାଜା ଦଶରଥଙ୍କର କେବଳ ଗୋଟିଏ ବାସନା ଅପୂରଣ ରହିଥିଲା: ବଂଶରକ୍ଷା ନିମନ୍ତେ ତାଙ୍କର କୌଣସି ପୁତ୍ରସନ୍ତାନ ନଥିଲେ । ଏହି ହେତୁ, ବହୁତ କଠୋର ବ୍ରତାଚାର ନିଷ୍ଫଳ ହେବାପରେ ସେ ସବୁଠାରୁ ବଡ଼ ଯଜ୍ଞ ଏକ ଅଶ୍ଵମେଧର ଆୟୋଜନ କରିବା ନିମନ୍ତେ ଶେଷରେ ସଂକଳ୍ପ କରିଥିଲେ । କୁଳପୁରୋହିତ ଓ ଅନ୍ୟ ବ୍ରାହ୍ମଣମାନଙ୍କୁ ଡାକି ଦଶରଥ ସମସ୍ତଙ୍କୁ ଆବଶ୍ୟକ ନିର୍ଦ୍ଦେଶମାନ ଦେଇଥିଲେ । ତା’ ପରେ ରାଜଅନ୍ତଃପୁରକୁ ଆସି ସେ ନିଜର ତିନି ରାଣୀଙ୍କୁ ମଧ୍ୟ ଆପଣାର ସେହି ଅଭିପ୍ରାୟ ବିଷୟରେ ଜ୍ଞାତ କରାଇଥିଲେ । ରାଣୀମାନେ ତାହା ଶୁଣି ଅତ୍ୟନ୍ତ ଆନନ୍ଦିତ ହେଲେ, ସେମାନଙ୍କର ମୁଖଗୁଡ଼ିକ ଆଦ୍ୟବସନ୍ତ କାଳରେ ପ୍ରସ୍ଫୁଟିତ ପଦ୍ମଫୁଲଗୁଡ଼ିକ ସଦୃଶ ଅତ୍ୟନ୍ତ ଉଜ୍ଜ୍ଵଳ ହୋଇ ଉଠିଥିଲା ।

 

ମୁକ୍ତ କରି ଛାଡ଼ି ଦିଆ ଯାଇଥିବା ଅଶ୍ଵଟି ଯେତେବେଳେ ଗୋଟିଏ ବର୍ଷପରେ ଫେରି ଆସିଥିଲା, ସେତେବେଳେ ଋଷ୍ୟଶୃଙ୍ଗ ଏବଂ ବଶିଷ୍ଟ ମୁନିଦ୍ୱୟ ଯଜ୍ଞୋତ୍ସବଟିକୁ ସମ୍ପାଦନ କରିଥିଲେ ଏବଂ ରାଜ୍ୟରେ ବହୁତ ଆନନ୍ଦ ଓ ଆଡ଼ମ୍ବର ସହିତ ଏକ ବିହିତ ଉତ୍ସବ ମଧ୍ୟ ପାଳନ କରାଗଲା । ତା’ ପରେ ଋଷ୍ୟଶୃଙ୍ଗ ରାଜାଙ୍କୁ ଆସି କହିଥିଲେ ଯେ, ତାଙ୍କର ଚାରି ପୁଅ ଜାତ ହେବେ ଏବଂ ବଂଶରକ୍ଷା କରିବେ । ଏହି ମଧୁର ବଚନକୁ ଶୁଣି ରାଜା ଅତ୍ୟନ୍ତ ଆନନ୍ଦିତ ହୋଇ ଉଠୁଥିଲେ ।

 

ବିଷ୍ଣୁ ରାମ ଓ ତାଙ୍କର ଭାଇମାନଙ୍କ ରୂପରେ ଜନ୍ମ ହେଲେ

 

ଯଜ୍ଞର ନୈବେଦ୍ୟ ଗ୍ରହଣ କରିବା ପାଇଁ ଯେତେବେଳେ ସକଳ ଦେବତା ଏକତ୍ର ଉପସ୍ଥିତ ଥିଲେ, ସେତେବେଳେ ସେମାନେ ବ୍ରହ୍ମାଙ୍କ ପାଖକୁ ଯାଇ ନିବେଦନ କରିଥିଲେ, “ରାବଣ ନାମକ ଗୋଟିଏ ଦୁଷ୍ଟ ରାକ୍ଷସ ଏବେ ଆମ ଉପରେ ଅତିଶୟ ଅତ୍ୟାଚାର କରୁଛି । କିନ୍ତୁ ତାକୁ ଗନ୍ଧର୍ବ, ଯକ୍ଷ, ରାକ୍ଷସ ଏବଂ ଦେବତା କେହି ମାରି ପାରିବେ ନାହିଁ ବୋଲି ଆପଣ ବର ଦେଇଥିବାରୁ ଆମେ କୌଣସି ପ୍ରତିକାର ଆଦୌ କରି ପାରୁନାହୁଁ । ସମ୍ପ୍ରତି ତା’ର ଅତ୍ୟାଚାରକୁ ଆଉ ସହ୍ୟ କରି ହେଉନାହିଁ ଏବଂ ତେଣୁ ହେ ଦେବାଧିଦେବ, ତାହାର ବିନାଶ ନିମନ୍ତେ ଆପଣଙ୍କୁ କିଛି ଉପାୟ ବାହାର କରିବାକୁ ହିଁ ପଡ଼ିବ ।” ବ୍ରହ୍ମା ଉତ୍ତର ଦେଇଥିଲେ, “କୌଣସି ମନୁଷ୍ୟଦ୍ଵାରା ହତ ହେବନାହିଁ ବୋଲି ମୋ’ଠାରୁ ପ୍ରତିଶ୍ରୁତି ମାଗିବା ପାଇଁ ସେହି ମନ୍ଦମତି ଅସୁର ପ୍ରୟୋଜନ ମନେ କରିନାହିଁ; ତେଣୁ, କେବଳ ଜଣେ ମନୁଷ୍ୟଦ୍ଵାରା ହିଁ ତାହାର ନିଧନ ସମ୍ଭବ ହେବ ।” ସେକଥା ଶୁଣି ଦେବତାମାନେ ଅତ୍ୟନ୍ତ ଆଶ୍ଵସ୍ତ ଅନୁଭବ କରିଥିଲେ । ସେହି ଅବସରରେ ପୀତବସନ ଧାରଣ କରିଥିବା ଶଙ୍ଖଚକ୍ର ଗଦାଧାରୀ ଗରୁଡ଼ବାହନ ବିଷ୍ଣୁ ଆସି ସେଠାରେ ପହଞ୍ଚିଲେ । ସର୍ବଦେବତା ତାଙ୍କୁ ପ୍ରଣାମ ଜଣାଇଲେ ଏବଂ ଦଶରଥଙ୍କର ଚାରି ସନ୍ତାନରୂପରେ ମର୍ତ୍ତ୍ୟରେ ଜନ୍ମଗ୍ରହଣ କରିବା ସକାଶେ ପ୍ରାର୍ଥନା କରିଥିଲେ । ତେବେଯାଇ ସିନା ସେହି ଧୂର୍ତ୍ତ ଓ ହୁଣ୍ଡା ରାକ୍ଷସର ପ୍ରକୃତରେ ନିଧନ ହୋଇ ପାରିବ ! ସେହି କାରଣରୁ କମଳଲୋଚନ ହରି ଆପଣାକୁ ଚାରୋଟି ସତ୍ତାରେ ପରିଣତ କଲେ, ଦଶରଥଙ୍କୁ ନିଜର ଜନକରୂପେ ବାଛି ସେଠାରୁ ଅନ୍ତର୍ଦ୍ଧାନ ହୋଇ ଯାଇଥିଲେ । ଏକ ବିଚିତ୍ରରୂପ ଧାରଣ କରି ଗୋଟିଏ ଜ୍ଵଳନ୍ତ ବ୍ୟାଘ୍ର ପରି ସେ ସେହି ଯଜ୍ଞଅଗ୍ନିରେ ପୁନର୍ବାର ଆବିର୍ଭୂତ ହେଲେ ଏବଂ ଆପଣାକୁ ପରମେଶ୍ଵରଙ୍କର ଦୂତ ବୋଲି ଅଭିହିତ କରିଥିଲେ । କହିଥିଲେ, “ମନୁଷ୍ୟମାନଙ୍କ ମଧ୍ୟରେ ବ୍ୟାଘ୍ରସ୍ଵରୂପ ହେ ମହାରାଜ, ଆପଣ ଏହି ଚରୁଅନ୍ନକୁ ଗ୍ରହଣ କରନ୍ତୁ ଏବଂ ଆପଣଙ୍କର ରାଣୀମାନଙ୍କ ମଧ୍ୟରେ ବିତରଣ କରିଦିଅନ୍ତୁ ।” ରାଜା ଦଶରଥ ମହାନନ୍ଦରେ ସେହି ଚରୁଅନ୍ନକୁ ଗ୍ରହଣ କଲେ ଓ ନିଜର ତିନି ରାଣୀ କୌଶଲ୍ୟା, ସୁମିତ୍ରା ଏବଂ କୈକେୟୀଙ୍କୁ ବାଣ୍ଟି ଦେଇଥିଲେ । ଅବଶିଷ୍ଟ ଚତୁର୍ଥ ଅଂଶଟିକୁ ସେ ପୁନର୍ବାର ସୁମିତ୍ରାଙ୍କୁ ଦେଲେ । ଯଥୋଚିତ ସମୟରେ ରାଣୀମାନେ ଚାରି ସନ୍ତାନଙ୍କୁ ଜନ୍ମ ଦେଇଥିଲେ; ବିଷ୍ଣୁଅଂଶରୁ ଜାତ ସେମାନେ କୌଶଲ୍ୟାଙ୍କ ଗର୍ଭରୁ ରାମ, କୈକେୟୀଙ୍କ ଗର୍ଭରୁ ଭରତ ଏବଂ ସୁମିତ୍ରାଙ୍କର ଗର୍ଭରୁ ଲକ୍ଷ୍ମଣ ଓ ଶତ୍ରୁଘ୍ନ ହୋଇ ଅବତୀର୍ଣ୍ଣ ହୋଇଥିଲେ । ମୁନି ବଶିଷ୍ଟ ହିଁ ସେମାନଙ୍କୁ ସେହି ନାମଗୁଡ଼ିକ ପ୍ରଦାନ କରିଥିଲେ ।

 

ଇତିମଧ୍ୟରେ ଦେବତାମାନେ ମଧ୍ୟ ବାନରରୂପରେ ମର୍ତ୍ତ୍ୟରେ ଅବତୀର୍ଣ୍ଣ ହେଲେ; ଅତିଶୟ ସାହସୀ, ବୁଦ୍ଧିମାନ୍ ଏବଂ ଦ୍ରୁତଗାମୀ, ନିଜର ରୂପ-ପରିବର୍ତ୍ତନରେ ବିଚକ୍ଷଣ, - ସେମାନଙ୍କୁ ନିହତ କରିବା ଆଦୌ ସହଜ ବ୍ୟାପାର ନୁହେଁ, ଏମାନେ ସମସ୍ତ ରାକ୍ଷସମାନଙ୍କ ସହିତ ସମରରେ ବୀରଶ୍ରେଷ୍ଠ ବିଷ୍ଣୁଙ୍କର ସାହାଯ୍ୟକାରୀ ହେବାଲାଗି ଜନ୍ମଗ୍ରହଣ କରିଥିଲେ ।

 

ରାଜା ଦଶରଥଙ୍କର ଚାରିପୁତ୍ର ବଡ଼ ହୋଇ କିଶୋରବୟସରେ ପଦାର୍ପଣ କଲେ; ସେମାନେ ସାହସ ତଥା ଗୁଣଚୟରେ ସମସ୍ତଙ୍କୁ ଟପି ଯାଇଥିଲେ । ରାମ ହିଁ ବିଶେଷ ଭାବରେ ସର୍ବଜନଙ୍କର ସର୍ବାଧିକ ପ୍ରଶଂସା ତଥା ପ୍ରୀତିର ପିତୁଳା ହେବାକୁ ଲାଗିଲେ । ନିଜ ପିତାଙ୍କର ମଧ୍ୟ ସର୍ବାଧିକ ପ୍ରିୟ ହୋଇ ପାରିଥିଲେ । ବେଦର ଗଭୀର ଅଧ୍ୟୟନ କରିଥିଲେ ତଥା ହସ୍ତୀ ଓ ଅଶ୍ଵଶାସ୍ତ୍ରରେ ପ୍ରବୀଣ ଥିଲେ । ପୂର୍ଣ୍ଣ ପାରଙ୍ଗମତା ସହିତ ରଥ ବାହି ପାରୁଥିଲେ ଏବଂ ସମ୍ଭ୍ରବ ତଥା ଶାଳୀନତାର ଦର୍ପଣଟିଏ ବି ଥିଲେ । ଲକ୍ଷ୍ମଣ ନିଜକୁ ରାମଙ୍କର ପାଖେ ରହୁଥିଲେ । ଲକ୍ଷ୍ମଣ ଏକ ପୂର୍ଣ୍ଣବିଶ୍ଵସ୍ତ ଛାୟାସଦୃଶ ରାମଙ୍କର ଅନୁଗମନ କରୁଥିଲେ, ତାଙ୍କର ସବୁକିଛିରେ ଅଂଶଗ୍ରହଣ କରୁଥିଲେ ଏବଂ ବ୍ୟାୟାମକ୍ରୀଡ଼ା ଓ ମୃଗୟା ସମୟରେ ତାଙ୍କର ପ୍ରହରୀ ହୋଇ ରହୁଥିଲେ । ଠିକ୍ ସେହିପରି ଭାବରେ ଶତ୍ରୁଘ୍ନ ମଧ୍ୟ ନିଜକୁ ଭରତଙ୍କର ଅନୁଚରରୂପେ ପ୍ରଶିକ୍ଷିତ କରାଇ ଆଣିଥିଲେ । ଏହିପରି ଭାବରେ ରାମଙ୍କୁ କ୍ରମେ ଷୋଳ ବର୍ଷ ବୟସ ହୋଇ ଯାଇଥିଲା ।

 

ସେହି ସମୟରେ ବିଶ୍ଵାମିତ୍ର ନାମରେ ଆଉଜଣେ ମହର୍ଷି ମଧ୍ୟ ଥିଲେ, ଯିଏକି କ୍ଷତ୍ରିୟ ବଂଶରେ ଜାତ ହୋଇଥିଲେ ଏବଂ ଅତ୍ୟନ୍ତ ତଥା ଅଶ୍ରୁତପୂର୍ବ ତପସ୍ୟା ଦ୍ଵାରା ଦେବତାମାନଙ୍କ ଠାରୁ ବ୍ରହ୍ମର୍ଷି ପଦଟିକୁ ମଧ୍ୟ ଲାଭ କରିଥିଲେ । ସେ ସିଦ୍ଧାଶ୍ରମ ନାମକ ଗୋଟିଏ ଶୈବ ଆଶ୍ରମରେ ବାସ କରୁଥଲେ ଏବଂ ଏକଦା ଏକ ବର ମାଗିବା ନିମନ୍ତେ ସେ ରାଜା ଦଶରଥଙ୍କ ପାଖକୁ ଆସିଥିଲେ । ଦୁଷ୍ଟ ରାବଣଠାରୁ ହିମ୍ମତ ପାଇ ମାରୀଚ ଏବଂ ସୁବାହୁ ନାମରେ ଦୁଇଟି ରାକ୍ଷସ ବାରବାର ଆସି ତାଙ୍କର ଯଜ୍ଞରେ ବାଧା ପହଞ୍ଚାଇ ଥିଲେ ଓ ଯଜ୍ଞଅଗ୍ନିକୁ ଦୂଷିତ କରି ଦେଉଥିଲେ । ତାଙ୍କର କହିବା ଅନୁସାରେ କେବଳ ରାମ ହିଁ ସେମାନଙ୍କୁ ପରାଭୂତ କରି ପାରିବାଭଳି ଏକମାତ୍ର ଯୋଦ୍ଧା ରହିଥିଲେ-। ଦଶରଥ ଆଦରର ସହିତ ପ୍ରଶ୍ନ ବିଶ୍ଵାମିତ୍ରଙ୍କର ସ୍ଵାଗତ କଲେ ଏବଂ ସେ ତାଙ୍କର କିଭଳି ସେବା କରିପାରିବେ ବୋଲି ତାଙ୍କୁ ପ୍ରଶ୍ନ କରିଥିଲେ । କିନ୍ତୁ ଏଭଳି ଏକ ଭୟାନକ କାର୍ଯ୍ୟର ସମ୍ପାଦନ ନିମନ୍ତେ ସେ ତାଙ୍କର ପ୍ରିୟ ପୁତ୍ର ରାମଙ୍କୁ ଆବଶ୍ୟକ କରୁଛନ୍ତି ବୋଲି ଯେତେବେଳେ ଜାଣିଲେ, ସେତେବେଳେ ରାଜା ଅତ୍ୟନ୍ତ ବିଷଣ୍ଣ ହୋଇ ପଡ଼ିଲେ ଏବଂ ସତେଅବା ତାଙ୍କର ଜୀବନଦୀପଟି ନିର୍ବାପିତ ହୋଇଯିବା ପରି ଅନୁଭବ କରିଥିଲେ । ସ୍ଵୟଂ କରିଥିବା ସତ୍ୟଟିକୁ ଭାଙ୍ଗିବାର ତ ଆଉ ଉପାୟ ନଥିଲା, ଏବଂ ସେଥିପାଇଁ ଯଜ୍ଞାନୁଷ୍ଠାନର ଦଶଦିନ ନିମନ୍ତେ ରାମ ଲକ୍ଷ୍ମଣ ଦୁହିଁଙ୍କୁ ବିଶ୍ଵାମିତ୍ରଙ୍କ ସହିତ ଯିବାକୁ ପଡ଼ିଲା । ଏବଂ, ଏତେ ଅଳ୍ପ ସମୟ ସକାଶେ ହୋଇଥିଲେ ମଧ୍ୟ, ଏହିଠାରୁ ହିଁ ସେମାନଙ୍କର ସାବାଳକତ୍ଵ, ପ୍ରେମ ଓ ସଂଘର୍ଷର ଜୀବନଟି ପ୍ରକୃତରେ ଆରମ୍ଭ ହୋଇ ଯାଇଥିଲା ।

 

ବଶିଷ୍ଟ ଦଶରଥଙ୍କୁ ସାନ୍ତ୍ଵନା ଦେଇଥିଲେ; ରାମ ଯେ ଅବଶ୍ୟ ବିଜୟ ଲାଭ କରିବେ, ସେ ରାଜାଙ୍କୁ ଅତ୍ୟନ୍ତ ଦୃଢ଼ତା ସହିତ କହିଥିଲେ । ତେଣୁ ପିତାଙ୍କ ଠାରୁ ଆଶୀର୍ବାଦ ପାଇ ରାମ ଭାଇ ଲକ୍ଷ୍ମଣଙ୍କୁ ସାଙ୍ଗରେ ନେଇ ବିଶ୍ଵାମିତ୍ରଙ୍କ ସହିତ ଯାତ୍ରା କରିଥିଲେ । ରାମଙ୍କୁ ଦର୍ଶନ କରି ଏକ ସୁଶୀତଳ ପବନ ସେମାନଙ୍କର ସୁଖଗୁଡ଼ିକୁ ବ୍ୟଜନ କରିବାକୁ ଲାଗିଲା ଏବଂ ଆକାଶରୁ ପୁଷ୍ପବୃଷ୍ଟି ହେଲା । ବିଶ୍ଵାମିତ୍ର ଆଗେ ଆଗେ ଯାଉଥାନ୍ତି ଏବଂ ହାତରେ ଧନୁଶର ଓ ଖଡ଼୍‍ଗ ଧାରଣ କରି ବିଶ୍ଵାମିତ୍ରଙ୍କର ଅନୁଗମନ କରୁଥାନ୍ତି । ଦେହରେ ମଣିମୁକ୍ତା ପରିଧାନ କରିଥାନ୍ତି, ଅଙ୍ଗୁଳି ମାନଙ୍କରେ ଗୋଧିଚର୍ମର ଆବରଣ ରହିଥାଏ । ସେମାନେ ଗୋଟିଏ ଗୋଟିଏ ଉଜ୍ଜ୍ଵଳ ଅଗ୍ନିଶିଖା ପରି ଆପଣା ଜ୍ୟୋତିର ପ୍ରତିଫଳନ ଦ୍ଵାରା ସ୍ଵୟଂ ଋଷିଙ୍କୁ ମଧ୍ୟ ଉଜ୍ଜ୍ଵଳ କରି ଦେଉଥାନ୍ତି ।

 

ଆଶ୍ରମ-କୁଟୀରରେ ପହଞ୍ଚି ବିଶ୍ଵାମିତ୍ର ତଥା ଅନ୍ୟ ହୋତୃବୃନ୍ଦ ସେମାନଙ୍କର ଯଜ୍ଞାନୁଷ୍ଠାନ ଆରମ୍ଭ କରି ଦେଇଥିଲେ ଏବଂ, ବୃଷ୍ଟିକୁ ବହି ଆଣୁଥିବା କୃଷ୍ଣବର୍ଣ୍ଣ ମେଘଖଣ୍ଡ ପରି ଆକାଶକୁ ଘୋଡ଼ାଇ ପକାଇ ଯେତେବେଳେ ରାକ୍ଷସମାନେ ଭୟଙ୍କର ରୂପଧାରଣ କରି ସେହି ସ୍ଥାନକୁ କ୍ଷିପ୍ର ଗତିରେ ଛୁଟି ଆସିଥିଲେ, ରାମ ବାଣ ମାରି ସେମାନଙ୍କୁ ଆଘାତ କରି ଦେଇଥିଲେ ଓ ତାହାଫଳରେ ମାରୀଚ ଏବଂ ସୁବାହୁ ସେଠାରୁ ପଳାୟନ କରିବାକୁ ବାଧ୍ୟ ହେଲେ । ଏବଂ ଅନ୍ୟ ନିଶାଚରମାନଙ୍କୁ ମଧ୍ୟ ହତ୍ୟା କରିଥିଲେ । ସିଦ୍ଧାଶ୍ରମର ଯଜ୍ଞ ତଥା ଅନ୍ୟ ଯାବତ ଆନୁଷଙ୍ଗିକ ଅନୁଷ୍ଠାନ ସମାପ୍ତ ହେବା ପରେ ଆଉ ଅଧିକ କିଛି କରିବାକୁ ରହିଛି ବୋଲି ରାମ ବିଶ୍ଵାମିତ୍ରଙ୍କୁ ପ୍ରଶ୍ନ କରିଥିଲେ ।

 

ରାମ ଜନକଦୁହିତାଙ୍କୁ ବିବାହ କଲେ

 

ଉତ୍ତର ଦେଇ ବିଶ୍ଵାମିତ୍ର କହିଥିଲେ ଯେ, ଅଳ୍ପଦିନ ପରେ ମିଥିଳାର ରାଜା ଜନକ ଏକ ବିରାଟ ଯଜ୍ଞ କରିବାକୁ ଯାଉଛନ୍ତି । ସେ ପୁଣି କହିଲେ, “ଆମେ ମଧ୍ୟ ସେହି ସ୍ଥାନକୁ ଯିବୁ ଓ ହେ ପୁରୁଷସିଂହ, ମୋ’ ସହିତ ତୁମେ ମଧ୍ୟ ସେଠାକୁ ଯିବ । ସେଠାରେ ତୁମେ ଗୋଟିଏ ବିସ୍ମୟକାରୀ ତଥା ଅଦ୍ଭୁତଶକ୍ତିଶାଳୀ ଧନୁ ଦେଖିବାକୁ ପାଇବ । ବହୁବର୍ଷ ପୂର୍ବେ ରାଜା ଦେବରାଟଙ୍କୁ ଦେବତାମାନେ ସେହି ଧନୁଟିକୁ ପ୍ରଦାନ କରିଥିଲେ । ଏବଂ, ଦେବତା, ଗନ୍ଧର୍ବ, ଅସୁର ଓ ରାକ୍ଷସ, ରାଜା ଓ ରାଜପୁତ୍ର ସେହି ଧନୁରେ ଗୁଣ ଦେବାଲାଗି ବହୁ ପ୍ରୟାସ କରିଥିଲେ ମଧ୍ୟ କହିଦେଲେ ସଫଳ ହୋଇନାହାନ୍ତି । ତାହାକୁ ଏକ ଦେବତା ପରି ପୂଜା କାରାଯାଇ ଆସୁଛି । ତେଣୁ, ସେଠାରେ ତୁମେ ଧନୁଟିକୁ ଦେଖିବ ଏବଂ ଜନକଙ୍କର ବିରାଟ ଯଜ୍ଞଟିକୁ ମଧ୍ୟ ଦେଖି ପାରିବ ।”

 

ଏହାପରେ ବିଶ୍ଵାମିତ୍ରଙ୍କର ନେତୃତ୍ଵରେ ଆଶ୍ରମବାସୀ ବ୍ରାହ୍ମଣ ସମସ୍ତେ ରାମ ଓ ଲକ୍ଷ୍ମଣଙ୍କୁ ସାଙ୍ଗରେ ନେଇ ମିଥିଳା ଉଦ୍ଦେଶ୍ୟରେ ପ୍ରସ୍ଥାନ କରିଥିଲେ । ସିଦ୍ଧାଶ୍ରମର ପକ୍ଷୀ ଓ ପଶୁମାନେ ମଧ୍ୟ ଅନୁଗମନ କରିଥିଲେ । ବିଶ୍ଵାମିତ୍ରଙ୍କର ତପଃଶକ୍ତି ହିଁ ତାଙ୍କର ସର୍ବବୃହତ୍ ସମ୍ପଦ ଥିଲା । ଅରଣ୍ୟର ପଥଗୁଡ଼ିକୁ ଅତିକ୍ରମ କରି ଯାଉଯାଉ ବିଶ୍ଵାମିତ୍ର ଦୁଇ ଭାଇଙ୍କୁ ପୁରାତନ କଥାମାନ କହି ଶୁଣାଉଥିଲେ; ବିଶେଷ କରି ଗଙ୍ଗା, ସେହି ସଦାବିଖ୍ୟାତ ଗଙ୍ଗାନଦୀର ଜନ୍ମକାହାଣୀକୁ ମଧ୍ୟ ତାଙ୍କୁ ଶୁଣାଉଥିଲେ ।

 

ଜନକ ଅତ୍ୟନ୍ତ ଆଦର ସହିତ ଯତିମାନଙ୍କର ସ୍ଵାଗତ କରିଥିଲେ ଏବଂ ପ୍ରତ୍ୟେକର ପ୍ରାପ୍ୟ ସମ୍ମାନ ଅନୁସାରେ ସେମାନଙ୍କୁ ଆସନ ଯୋଗାଇ ଦେଇ ସେମାନଙ୍କ ସହିତ ଆସିଥିବା ଦୁଇଭାଇଙ୍କର ପରିଚୟ ପୁଚ୍ଛା କରିଥିଲେ । ସେମାନେ ତ ଚାଲିବା ସମୟରେ ସିଂହ ଅଥବା ହସ୍ତୀମାନଙ୍କର ପରି ଦେଖା ଯାଉଥିଲେ, ଦେବତାମାନଙ୍କ ପରି ସୌମ୍ୟ ରୂପଗୁଡ଼ିକୁ ଧାରଣ କରିଥିଲେ । ବିଶ୍ଵାମିତ୍ର ତାଙ୍କୁ ଦଶରଥଙ୍କର ଏହି ପୁତ୍ରଦ୍ୱୟଙ୍କ ବିଷୟରେ ପୂର୍ଣ୍ଣ ଅବଗତ କରାଇଥିଲେ ସେମାନେ କିପରି ସିଦ୍ଧାଶ୍ରମକୁ ଆସିଥିଲେ, ରାକ୍ଷସମାନଙ୍କ ସହିତ ଯୁଦ୍ଧ କରିଥିଲେ ଏବଂ ରାମ କିପରି ଇହାଦେ ବିଶାଳ ଧନୁଟିକୁ ଦେଖିବେ ବୋଲି ଏଠାକୁ ଆସିଛନ୍ତି, ଇତ୍ୟାଦି, ଇତ୍ୟାଦି ।

 

ତହିଁ ଆରଦିନ ଦୁଇଭାଇଙ୍କୁ ସେମାନେ ଧନୁଟିକୁ ଦେଖିବେ ବୋଲି ଜନକ ଡକାଇ ପଠାଇଥିଲେ । ସେହି ଧନୁଟିକୁ କିପରି ଶିବ ପ୍ରଥମେ ଦେବତାମାନଙ୍କୁ ଦେଇଥିଲେ ଓ ଦେବତାମାନେ ତାହାକୁ ତାଙ୍କର ଜଣେ ପୂର୍ବବଂଶଜ ଦେବରାଟଙ୍କୁ ପ୍ରଦାନ କରିଛନ୍ତି, ସବୁଯାକ କଥା-। ଜନକ ଆହୁରି କହିଥିଲେ, “ମୋ’ର ସୀତା ନାମରେ ଗୋଟିଏ କନ୍ୟା ଅଛି; ସୀତା ମନୁଷ୍ୟଠାରୁ ନୁହେଁ, ମୁଁ ହଳ କରୁଥିବା ସମୟରେ ଭୂମିରୁ ହିଁ ବାହାରିଛି ଏବଂ ସେହି ଭୂମିକୁ ପବିତ୍ର କରିଛି-। ଯେଉଁ ବ୍ୟକ୍ତି ଏହି ଧନୁଟିକୁ ଉଠାଇ ବଙ୍କାଇଦେଇ ପାରିବ, ମୁଁ ସେହି ବୀରର ହାତରେ ହିଁ ମୋ’ର କନ୍ୟାକୁ ଅର୍ପଣ କରିବି । ଏଥିରେ କେତେ କେତେ ରାଜା ଓ ରାଜପୁତ୍ର ପ୍ରୟାସ କରିଛନ୍ତି କିନ୍ତୁ ବିଫଳ ହୋଇଛନ୍ତି । ମୁଁ ବର୍ତ୍ତମାନ ଆପଣଙ୍କୁ ସେହି ଧନୁଟିକୁ ଦେଖାଇବାକୁ ନେବି ଏବଂ ଯଦି ରାମ ଧନୁଟିକୁ ବଙ୍କାଇ ଦେଇ ପାରିବେ, ତେବେ ମୁଁ ତାଙ୍କୁ ସୀତାକୁ ଅର୍ପଣ କରିଦେବି ।”

 

ସମୟ ଅନୁସାରେ ଆଠଟି ଚକ ଲାଗିଥିବା ଗୋଟିର ଶକଟରେ ଧନୁଟିକୁ ଅଣାଯାଇଥିଲା । ସେହି ଶକଟକୁ ପାଞ୍ଚ ହଜାର ଦୀର୍ଘକାୟ ମନୁଷ୍ୟ ଟାଣୁଥିଲେ । ରାମ ଧନୁଟିକୁ ବାକ୍ସ ଭିତରୁ ଉଠାଇ ଆଣିଲେ ଏବଂ ତାହାଙ୍କୁ ବଙ୍କାଇବା ପାଇଁ ଚେଷ୍ଟା କଲେ । ଅତ୍ୟନ୍ତ ସହଜରେ ସେ ତାହାର ଗୁଣକୁ ଏପରି ଶକ୍ତି ସହିତ ଆକର୍ଷିତ କରି ଆଣିଥିଲେ ଯେ ଧନୁଟି ଦୁଇଖଣ୍ଡ ହୋଇ ଭାଙ୍ଗି ଯାଇଥିଲା । ସେତେବେଳେ ସତେଅବା ଭୂମିକମ୍ପ ହେଲାପରି ଓ ବଜ୍ର ଗର୍ଜନ କରୁଥିବା ପରି ବୋଧ ହେଲା । ହଜାର ହଜାର ଦର୍ଶକ ଏଥିରେ ଚକିତ ଏବଂ ଶଙ୍କିତ ହୋଇ ପଡ଼ିଥିଲେ ତଥା ବିଶ୍ଵାମିତ୍ର, ଜନକ, ରାମ ଏବଂ ଲକ୍ଷ୍ମଣଙ୍କ ବ୍ୟତୀତ ସମସ୍ତେ ଭୂତଳପତିତ ହୋଇଗଲେ । ତା’ ପରେ ଜନକ ରାମଙ୍କର ଅତୀବ ପ୍ରଶଂସା କରିଥିଲେ ଓ ବିବାହୋତ୍ସବର ଆୟୋଜନ କରିବା ସକାଶେ ଆଦେଶ ଦେଇଥିଲେ । ଆପଣା ପୁତ୍ରର ବିବାହାନୁଷ୍ଠାନରେ ଉପସ୍ଥିତ ରହିବାକୁ ଅନୁରୋଧ କରି ସେ ଦୂତ ହାତରେ ଅଯୋଧ୍ୟାକୁ ନିମନ୍ତ୍ରଣ ପ୍ରେରଣ କରିଥିଲେ । ଦଶରଥ ଆସିବେ ଏବଂ ଏହି ବିବାହ ନିମନ୍ତେ ସମ୍ମତି ଦେବେ ତଥା ଆଶୀର୍ବାଦ ଜଣାଇବେ ବୋଲି ସେ ଅଭିଳାଷ ରଖିଥିଲେ ।

 

ଏହାପରେ ଦୁଇ ନରପତି ପରସ୍ପରକୁ ଭେଟିଥିଲେ ଓ ଜନକ ସୀତାଙ୍କୁ ରାମଙ୍କ ହାତରେ ଅର୍ପଣ କରିଥିଲେ । ଦ୍ଵିତୀୟ କନ୍ୟା ଉର୍ମିଳାଙ୍କୁ ଲକ୍ଷ୍ମଣଙ୍କ ହାତରେ ଅର୍ପଣ କଲେ ଏବଂ କୁଶଧ୍ଵଜଙ୍କର ଦୁଇ କନ୍ୟା ମାଣ୍ଡବୀ ତଥା ଶ୍ରୁତକୀର୍ତ୍ତିଙ୍କୁ ଭରତ ଓ ଶତ୍ରୁଘ୍ନ ହାତରେ ମଧ୍ୟ ଅର୍ପଣ କରିଥିଲେ । ତା’ପରେ ଚାରି ରାଜପୁତ୍ର ଚାରି ବଧୂଙ୍କର ହାତ ଧରି ହୋମବେଦୀକୁ ତିନିଥର ପ୍ରଦକ୍ଷିଣ କରିଥିଲେ । ସ୍ଵର୍ଗରୁ ଦେବତାମାନେ ପୁଷ୍ପବୃଷ୍ଟି କଲେ । ସେହିଠାରେ ଆସୁଥିବା ସଙ୍ଗୀତ ଧ୍ୱନିତ ହୋଇ ଉଠିଲା । ତା’ ପରେ ରାଜା ଦଶରଥ ପୁତ୍ର ଓ ପୁତ୍ରବଧୂମାନଙ୍କୁ ସାଙ୍ଗରେ ନେଇ ବହୁମୂଲ୍ୟ ନାନା ଉପହାର ସହିତ ଅଯୋଧ୍ୟା ଫେରି ଆସିଥିଲେ । ଅଯୋଧ୍ୟାରେ କୌଶଲ୍ୟା, ସୁମିତ୍ରା ଏବଂ କୈକେଇ ସେମାନଙ୍କର ଅଭ୍ୟର୍ଥନା କଲେ । ଏହିପରି ଭାବରେ ସମ୍ମାନ, ବହୁମୂଲ୍ୟ ସମ୍ପଦ ତଥା ଗୁଣସମ୍ପନ୍ନା ବଧୂମାନଙ୍କର ଅଧିକାରୀ ହୋଇ ମର୍ଯ୍ୟାଦାବନ୍ତ ଏହି ଚାରିଭାଇ ଅଯୋଧ୍ୟାରେ ଅବସ୍ଥାନ କଲେ ଏବଂ ପିତାଙ୍କର ସେବା କରିବାକୁ ଲାଗିଲେ ।

 

ଚାରିପୁତ୍ରଙ୍କ ମଧ୍ୟରେ ରାମ ତାଙ୍କ ପିତାଙ୍କର ସର୍ବାଧିକ ପ୍ରିୟ ଥିବାରୁ ଏବଂ ଅଯୋଧ୍ୟାର ଜନଗଣ ମଧ୍ୟ ତାଙ୍କୁ ସବୁଠାରୁ ଅଧିକ ଭଲ ପାଉଥିବାରୁ ତାଙ୍କ ଉପରେ ସଭିଙ୍କର ବିଶେଷ ଦୃଷ୍ଟି ରହିଥିଲା । ସକଳ ଗୁଣରେ ସେ ଅନ୍ୟମାନଙ୍କୁ ବଳି ଯାଇଥିଲେ, ସୌଭାଗ୍ୟ ଏବଂ ଦୁର୍ଭାଗ୍ୟ ସକଳ ଅବସ୍ଥାରେ ଶାନ୍ତ ତଥା ସ୍ଥିର ରହି ପାରୁଥିଲେ, କେବେହେଲେ ବୃଥା କ୍ରୋଧ କରୁନଥିଲେ । କାହାର ଅତିକିଞ୍ଚିତ୍ ଦୟାକୁ ମନେ ରଖୁଥିଲେ ଅଥଚ ଅନ୍ୟମାନେ ତାଙ୍କୁ ଦେଉଥିବା ଶହଶହ ଆଘାତକୁ ଭୁଲି ଯାଉଥିଲେ; ବେଦରେ ପ୍ରବୀଣ ଥିଲେ ଓ ଶାନ୍ତି ଏବଂ ଯୁଦ୍ଧ ଉଭୟ ସ୍ଥିତିରେ ଆବଶ୍ୟକ ସର୍ବବିଧ କଳା ଏବଂ ବିଜ୍ଞାନରେ ଅବହିତ ରହିଥିଲେ । ଅତ୍ୟନ୍ତ ଆତିଥ୍ୟପରାୟଣ ଥିଲେ, ରାଜ୍ୟଶାସନର ନୀତି ନ୍ୟାୟଯୁକ୍ତି ଏବଂ କାବ୍ୟର ତାଙ୍କର ଗଭୀର ପ୍ରବେଶ ଥିଲା, ଅଶ୍ଵ ତଥା ହସ୍ତୀମାନଙ୍କୁ ଶିକ୍ଷା ଦେଉଥିଲେ ଏବଂ ଧନୁର୍ବିଦ୍ୟା ଜାଣିଥିଲେ । ବୃଦ୍ଧମାନଙ୍କୁ ସମ୍ମାନ କରୁଥିଲେ, ନିଜର ଲାଭ କିମ୍ବା ବିଶେଷ ସୁଯୋଗଗୁଡ଼ିକୁ ଆଦୌ ଦେଖୁନଥିଲେ । କାହାକୁ ଘୃଣା କରୁନଥିଲେ, ସମସ୍ତଙ୍କର କଲ୍ୟାଣ ନିମନ୍ତେ ପ୍ରୟାସ କରୁଥିଲେ । ନିଜର ପିତା ତଥା ମାତାଙ୍କର ଶୁଶ୍ରୂଷା କରୁଥିଲେ ଓ ଭାଇମାନଙ୍କ ପ୍ରତି ଅନୁରକ୍ତ ଥିଲେ । ବିଶେଷତଃ ଲକ୍ଷ୍ମଣଙ୍କ ପ୍ରତି ତାଙ୍କର ଅଧିକ ଅନୁରାଗ ରହିଥିଲା । କିନ୍ତୁ ଭରତ ଏବଂ ଶତ୍ରୁଘ୍ନ ଆଉ ଏକ ସହରରେ ମାତୁଳ ଅଶ୍ଵପତିଙ୍କ ପାଖରେ ରହୁଥିଲେ ।

 

ରାମ ପିତାଙ୍କ ଅନ୍ତେ ରାଜା ହେବେ

 

କ୍ରମେ ଦଶରଥ ଚିନ୍ତା କରିଥିଲେ ଯେ, ସିଏ ତ ବହୁତ ବର୍ଷ ରାଜତ୍ଵ କରି ସାରିଲେଣି, କ୍ଳାନ୍ତ ବି ହୋଇ ଆସୁଛନ୍ତି; ତେଣୁ ରାମ ସିଂହାସନ ଆରୋହଣ କଲେ ତାଙ୍କ ବ୍ୟତୀତ ଆଉ କେହିହେଲେ ଅଧିକ ଖୁସୀ ହେବେନାହିଁ । ସେ ପ୍ରଜା ଓ ପରାମର୍ଶଦାତା ମାନଙ୍କର ଗୋଟିଏ ସଭା ଡାକିଲେ, ପ୍ରତିବେଶୀ ରାଜା ଓ ଯୁବରାଜମାନଙ୍କୁ ମଧ୍ୟ ସେଥିକୁ ନିମନ୍ତ୍ରଣ କରିଥିଲେ ଏବଂ ଗମ୍ଭୀର ଭାବରେ ସେମାନଙ୍କ ସମୀପରେ ନିବଦନ କରିଥିଲେ :

 

“ଆପଣମାନେ ସମସ୍ତେ ଅବଗତ ଅଛନ୍ତି ଯେ ମୁଁ ଏହି ରାଜ୍ୟର ରାଜାରୂପେ ବହୁ ବର୍ଷ ଶାସନ କରିସାରିଲିଣି,–ପ୍ରଜାମାନଙ୍କର ପିତାତୁଲ୍ୟ ସେମାନଙ୍କୁ ପାଳନ କରି ଆସିଛି । ନିଜ ସୁଖ ସମ୍ଭୋଗକୁ ଦୃଷ୍ଟି ନ ଦେଇ ମୁଁ ଧର୍ମ ଅନୁସାରେ ହିଁ ସେମାନଙ୍କର ଶାସନ କରିଛି । ବର୍ତ୍ତମାନ ମୁଁ ବିଶ୍ରାମ ଗ୍ରହଣ କରିବାକୁ ଇଚ୍ଛା କରିଛି ଏବଂ ମୋ’ର ଜ୍ୟେଷ୍ଠପୁତ୍ର ରାମକୁ ଉତ୍ତରାଧିକାରୀ ରୂପେ ସିଂହାସନରେ ବସାଇ ତାହାରି ହାତରେ ରାଜ୍ୟଭାର ଅର୍ପଣ କରିବା ନିମନ୍ତେ ସ୍ଥିର କରିଛି । ହେ ମହାଭାଗମାନେ, ବର୍ତ୍ତମାନ ମୁଁ ସେଥିପାଇଁ ଆପନମାନଙ୍କର ସମ୍ମତି ଭିକ୍ଷା କରୁଛି । କାରଣ ନିରପେକ୍ଷମାନଙ୍କର ବିଚାର କଦାପି ଜଡ଼ିତମାନଙ୍କର ବିଚାରର ସମାନ ହୁଏନାହିଁ ଏବଂ ବିଭିନ୍ନ ମତର ସଂଘର୍ଷଦ୍ଵାରା ହିଁ ସତ୍ୟରେ ଉପନୀତ ହେବା ସମ୍ଭବ ହୋଇଥାଏ ।” ଦଶରଥଙ୍କର କଥାଗୁଡ଼ିକୁ ଶ୍ରବଣ କରି ଉପସ୍ଥିତ ରାଜାମାନେ ହର୍ଷଧ୍ୱନି କରିବାକୁ ଲାଗିଲେ; ବୃଷ୍ଟିବାହୀ ମେଘମାନଙ୍କୁ ଦେଖି ମୟୂରମାନେ ଯେପରି ନାଚି ଉଠନ୍ତି, ଠିକ୍ ସେହିପରି । ଉପସ୍ଥିତ କଣ୍ଠମାନେ ପରସ୍ପର ମଧ୍ୟରେ ଗୁଣୁଗୁଣୁ ହେବାରେ ଲାଗିଥିଲେ ଏବଂ କିଛି ସମୟ ଲାଗି ବ୍ରାହ୍ମଣ, ସେନାନାୟକ, ନାଗରିକ ତଥା ଗ୍ରାମବାସୀ ସମସ୍ତେ ଏକତ୍ର ବିଚାର କରିବାକୁ ଆରମ୍ଭ କଲେ । ଏବଂ ତା’ ପରେ ସେମାନେ ଉତ୍ତର ଦେଇଥିଲେ :

 

“ଆପଣାର ଅନେକ ଗୁଣ ହେତୁ ଦେବତାମାନଙ୍କ ମଧ୍ୟରେ ଚାପଧାରୀ ଇନ୍ଦ୍ରଙ୍କ ପରି ରାମ ସର୍ବଜନଙ୍କର ବହୁ ଉଚ୍ଚରେ ରହିଛନ୍ତି । ସିଏ କ୍ଷମା ଦେବାରେ ପୃଥିବୀ ସଦୃଶ, ବିତର୍କରେ ବୃହସ୍ପତିଙ୍କ ସଦୃଶ । ସତ୍ୟବାଦୀ ଏବଂ ଅବ୍ୟର୍ଥ ଧନୁର୍ଦ୍ଧର । ସର୍ବଦା ପ୍ରଜାମାନଙ୍କର କଲ୍ୟାଣରେ ହିଁ ତତ୍ପର ରହିଥାନ୍ତି ଏବଂ ବହୁତ ଗୁଣମଧ୍ୟରେ ଏପରିକି ଗୋଟିଏ ମାତ୍ର ଦୋଷ ଦେଖିଲେ ମଧ୍ୟ ସିଏ ତାହାକୁ କଦାପି ନିଜ ଦୃଷ୍ଟିରୁ ଅନ୍ତର କରି ଦିଅନ୍ତିନାହିଁ । ସଙ୍ଗୀତଶାସ୍ତ୍ରରେ ପାରଙ୍ଗମ ତଥା ତାଙ୍କର ନେତ୍ରଗୁଡ଼ିକ ଅତ୍ୟନ୍ତ କମନୀୟ । ସେ କୌଣସି କାରଣ ନଥାଇ ସୁଖପାଇଁ ଆଗ୍ରହ ଦେଖାଇ ନଥାନ୍ତି ଓ ବୃଥା କ୍ରୋଧ ମଧ୍ୟ କରନ୍ତିନାହିଁ । ଅତି ସହଜରେ ତାଙ୍କ ପାଖରେ ପହଞ୍ଚି ହୁଏ,–ଅତ୍ୟନ୍ତ ଆତ୍ମସଂଯମଯୁକ୍ତ ଏବଂ, ବିଜୟୀ ନହୋଇ ସେ କଦାପି କୌଣସି ଯୁଦ୍ଧ କରନ୍ତି ନାହିଁ,–ନଗର ତଥା ରକ୍ଷା ନିମନ୍ତେ ହିଁ ଯୁଦ୍ଧ କରନ୍ତି । ସିଏ ସମସ୍ତଙ୍କର ଅତ୍ୟନ୍ତ ପ୍ରିୟ ଏବଂ ସେଇ ପାଳନକର୍ତ୍ତା ହୁଅନ୍ତୁ ବୋଲି ପୃଥିବୀର ମଧ୍ୟ ଅବଶ୍ୟ ଅଭିଳାଷ ରହିଛି ।”

 

ତା’ପରେ ଦଶରଥ ବଶିଷ୍ଟଙ୍କୁ ଡକାଇ ଆଣିଲେ, ବାମଦେବ ତଥା ଅନ୍ୟ ବ୍ରାହ୍ମଣମାନଙ୍କୁ ମଧ୍ୟ ବରଣିକରି ଆଣିଥିଲେ; ସେମାନଙ୍କର ଦାୟିତ୍ୱରେ ରାମଙ୍କର ସିଂହାସନ-ଆରୋହଣ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଥିଲା । ସୁବର୍ଣ୍ଣ, ରଜତ, ରତ୍ନଚୟ, ଏବଂ ଉତ୍ସବପାତ୍ର, ଶସ୍ୟ, ମଧୁ, ଘୃତ, ନୂତନ ବସ୍ତ୍ର, ଅସ୍ତ୍ରସମୂହ, ରଥ, ହସ୍ତୀ, ଶିଙ୍ଘରେ ସୁନା ରଙ୍ଗାଇ ଦିଆ ଯାଇଥିବା ଗୋଟିଏ ବୃଷଭ, ବ୍ୟାଘ୍ରଚର୍ମ, ରାଜଦଣ୍ଡ, ଛତ୍ର,–ହଜାର ହଜାର ମନୁଷ୍ୟଙ୍କର ଭୋଜନ ନିମନ୍ତେ ଗଦା ଗଦା ତଣ୍ଡୁଳ, ଦଧି ତଥା ଦୁଗ୍ଧ ଆଦିର ଯାବତୀୟ ବରାଦ ହୋଇ ଯାଇଥିଲା । ପତାକାମାନେ ଉଡ଼ିଲେ, ମାର୍ଗଗୁଡ଼ିକ ଉପରେ ଜଳ ସିଞ୍ଚାଗଲା, ଦ୍ଵାରମାନଙ୍କ ଉପରେ ପୁଷ୍ପହାରମାନେ ଲଟକାଇ ଦିଆଗଲା, ସାମନ୍ତମାନଙ୍କୁ, ଶସ୍ତ୍ରଦ୍ଵାରା ଭୂଷିତ ହୋଇ ଉପସ୍ଥିତ ରହିବାଲାଗି ଆଦେଶ ହେଲା, ନର୍ତ୍ତକ ଓ ସଂଗୀତକାରମାନେ ମହଜୁଦ ହୋଇ ରହିଲେ । ତହିଁ ଉତ୍ତାରୁ ଦଶରଥ ରାମଙ୍କୁ ଡକାଇ ପଠାଇଲେ–ସେହି ଆଜାନୁଲମ୍ବିତ ବାହୁ ତଥା ଚନ୍ଦ୍ରମାଦୃଶ ରୂପଧାରୀ ରାମଙ୍କୁ ଡକାଇ ପଠାଇଥିଲେ-। ସଭାର ମଧ୍ୟଦେଇ ଚାଲି ଯାଉଥିବା ସମୟରେ ସେ ଶରତ୍‌କାଳୀନ ନକ୍ଷତ୍ରଖଚିତ ଆକାଶହରେ ଗୋଟିଏ ଚନ୍ଦ୍ରମା ପରି ଦୃଷ୍ଟିଗୋଚର ହେଉଥିଲେ । ନିମ୍ନକୁ ଆନତ ହୋଇ ସେ ପିତାଙ୍କର ଚରଣବନ୍ଦନା କରିଥିଲେ । ଦଶରଥ ରାମଙ୍କୁ ଉଠାଇ ଦେଇ ତାଙ୍କ ପାଇଁ ଉଦ୍ଦିଷ୍ଟ ସ୍ଵର୍ଣ୍ଣ ତଥା ରତ୍ନଖଚିତ ଏକ ଆସନରେ ବସାଇ ଦେଇଥିଲେ । ସେଠାରେ ଆସୀନ ହୋଇ ସେ ନିଜ ସିଂହାସନରୂଢ଼ ପିତାଙ୍କର ଗୋଟିଏ ପ୍ରତିମା ଅଥବା ପ୍ରତିଫଳନ ସଦୃଶ ଦେଖା ଯାଉଥିଲେ-। ତା’ ପରେ ଦଶରଥ ପୂର୍ବରୁ କରାଯାଇଥିବା ନିଷ୍ପତ୍ତିଟିକୁ ରାମଙ୍କୁ ଜଣାଇଦେଲେ ଏବଂ ସେ ତାଙ୍କର ଉତ୍ତରାଧିକାରୀ ରୂପେ ପ୍ରତିଷ୍ଠିତ ହେବେ ବୋଲି ଘୋଷଣା କରିଥିଲେ । ଏହି ଘୋଷଣାଟି ମଧ୍ୟରେ ନିମ୍ନୋକ୍ତ ବିଜ୍ଞ ଉପଦେଶଟି ମଧ୍ୟ ରହିଥିଲା : “ତୁମେ ସ୍ଵଭାବତଃ ଧର୍ମପରାୟଣ ହୋଇଥିଲେ ମଧ୍ୟ ମୁଁ ତଥାପି ତୁମପ୍ରତି ରହିଥିବା ମୋ’ର ଭଲ ପାଇବାଦ୍ୱାରା ପ୍ରେରିତ ହୋଇ ଓ ତୁମର ହିତ ନିମନ୍ତେ କେତୋଟି ପରାମର୍ଶ ଦେବି : ଏଣିକି ତୁମେ ଅଧିକ ଧୀର ହେବ, ଇନ୍ଦ୍ରିୟଗୁଡ଼ିକର କ୍ଷେତ୍ରରେ ଅଧିକ ସଂଯମ ଅବଲମ୍ବନ କରିବ, ସକଳ କାମନା ତଥା କ୍ରୋଧକୁ ବର୍ଜନ କରିବ । ଆପଣାର ଅସ୍ତ୍ରାଗାର ଏବଂ ଅର୍ଥଭାଣ୍ଡାରର ସୁରକ୍ଷା କରିବ, ବ୍ୟକ୍ତିଗତ ଭାବରେ ତଥା ଅନ୍ୟମାନଙ୍କର ସାହାଯ୍ୟରେ ରାଜ୍ୟର ସକଳ ବ୍ୟାପାରରେ ସୁଅବଗତ ରହିଥିବ, ସମସ୍ତଙ୍କ ପ୍ରତି ସମଭାବ ରଖି ନ୍ୟାୟର ବିତରଣ କରିବ, ଯେପରିକି ଜନଗଣ ସର୍ବଦା ପ୍ରସନ୍ନ ହୋଇ ରହି ପାରୁଥିବେ । ତେଣୁ, ଉତ୍ତିଷ୍ଠତ ବତ୍ସ, ଏବଂ ନିଜର ଏହି କର୍ମଭାରଟିକୁ ଗ୍ରହଣ କର !”

 

ତା’ ପରେ ରାଣୀ କୌଶଲ୍ୟାଙ୍କର ବନ୍ଧୁମାନେ ତାଙ୍କର ପୁତ୍ର ରାମଙ୍କୁ ନେଇ ଘଟିଥିବା ଘଟଣାଟିକୁ ଆସି ବର୍ଣ୍ଣନା କରି କହିଥିଲେ ଏବଂ ସେହି ସୁସମ୍ବାଦଟିକୁ ଶୁଣାଇ ଥିବାରୁ କୌଶଲ୍ୟା ସେମାନଙ୍କୁ ସୁବର୍ଣ୍ଣ, ଗୋଧନ ଏବଂ ମଣିମୁକ୍ତା ପ୍ରଭୃତି ଉପହାର ପ୍ରଦାନ କରିଥିଲେ । ଏବଂ ସମସ୍ତେ ଆନନ୍ଦମନରେ ନିଜ ନିଜ ଗୃହକୁ ବାହୁଡ଼ି ଯାଇ ଦେବତମାନଙ୍କର ପୂଜା କରିଥିଲେ ।

Unknown

 

ରାଜା ରାମଙ୍କୁ ପୁନର୍ବାର ଡକାଇ ପଠାଇଲେ ଏବଂ ତାଙ୍କ ସହିତ କଥୋପକୋଥନ କରିଥିଲେ । କହିଥିଲେ, “ବତ୍ସ, ଆଗାମୀ କାଲି ମୁଁ ତୁମକୁ ମୋ’ର ଉତ୍ତରାଧିକାରୀ ରୂପେ ଅଭିଷିକ୍ତ କରାଇବି, ମୁଁ, ବୃଦ୍ଧ ହୋଇଗଲିଣି ଏବଂ କେତେକ ଅଶୁଭ ସ୍ଵପ୍ନ ମଧ୍ୟ ଦେଖିଛି ଏବଂ ମୋତେ ଜ୍ୟୋତିଷୀମାନେ ମଧ୍ୟ ଆସି କହିଛନ୍ତି ଯେ ମୋ’ ଜନ୍ମ-ନକ୍ଷତ୍ରଟି ଉପରକୁ ରବି, ମଙ୍ଗଳ ଓ ରାହୁଙ୍କର ପ୍ରବେଶ ଘଟିଛି । ସେଥିରୁ ବହୁତ ବିପଦ ଘଟିବାର ଆଶଙ୍କା ରହିଥିବାରୁ ମୁଁ ପରାମର୍ଶ ଦେଉଛି ଯେ ଆଜି ସୂର୍ଯ୍ୟାସ୍ତ ସମୟରୁ ତୁମେ ଓ ସୀତା ଏକ ବ୍ରତର ପାଳନ କରିବ ଏବଂ ତୁମର ବନ୍ଧୁମାନେ ମଧ୍ୟ ତୁମ ଉଭୟଙ୍କ ବିଷୟରେ ସତର୍କତା ଅବଲମ୍ବନ କରିଥିବେ । ମୁଁ ତୁମକୁ ଯଥାଶୀଘ୍ର ସିଂହାସନରେ ଆଣି ଆସୀନ କରାଇବା ପାଇଁ ଇଚ୍ଛା କରୁଛି; କାରଣ ଉତ୍ତମ ଗୁଣର ଅଧିକାରୀ ମନୁଷ୍ୟମାନଙ୍କର ହୃଦୟମାନେ ମଧ୍ୟ ସାଂସାରିକ ଆସକ୍ତିଗୁଡ଼ିକର ପ୍ରଭାବରେ ସମ୍ପୂର୍ଣ୍ଣ ଭାବରେ ବଦଳି ଯାଆନ୍ତି ଏବଂ, ପ୍ରକୃତରେ କ’ଣ ସବୁ ଯେ ଘଟିବାର ସମ୍ଭାବନା ରହିଥାଏ, ସେକଥା କେହିହେଲେ କହି ପାରନ୍ତିନାହିଁ ।” ତା’ପରେ ରାମ ପିତାଙ୍କ ଠାରୁ ବିଦାୟ ଅନ୍ତଃପୁରରେ ଥିବା ନିଜର ଜନନୀଙ୍କୁ ଭେଟିବାକୁ ଚାଲିଗଲେ । ସେତେବେଳେ କୌଶଲ୍ୟା ମନ୍ଦିର ଭିତରେ ଥିଲେ, ରେଶମ ବସ୍ତ୍ର ପରିଧାନ ଏବଂ ଦେବତାମାନଙ୍କର ଅର୍ଚ୍ଚନା କରି ପୁତ୍ରର କଲ୍ୟାଣକାମନା କରୁଥିଲେ-। ସେଠାରେ ଲକ୍ଷ୍ମଣ ଓ ସୀତା ମଧ୍ୟ ଥିଲେ । ରାମ ଜନନୀଙ୍କୁ ପ୍ରଣାମ କଲେ ଏବଂ ରାତ୍ରି-ଉପବାସ ନିମନ୍ତେ ଯାହାକିଛି ଆବଶ୍ୟକ, ସେଗୁଡ଼ିକୁ ପ୍ରସ୍ତୁତ କରିବା ନିମନ୍ତେ ଅନୁରୋଧ କରିଥିଲେ-। ତା’ପରେ ଲକ୍ଷ୍ମଣଙ୍କୁ କହିଲେ, “ତୁମେ ମଧ୍ୟ ଏହଜି ପୃଥିବୀଟିର ଶାସନ କରିବ, କାରଣ ତାହା ମୋ’ ପରି ତୁମଲାଗି ମଧ୍ୟ ଏକ ସୌଭାଗ୍ୟର କଥା ହେବ । ତୁମରି ଲାଗି ତ ମୋ’ ଜୀବନ ଓ ଏହି ରାଜ୍ୟଲାଗି ମୋ’ର କୌଣସି ଅଭିଳାଷ ରହିଛି !” ତା’ ପରେ ରାମ ସୀତାଙ୍କ ସହିତ ନିଜର ପ୍ରକୋଷ୍ଠକୁ ଚାଲିଗଲେ ଏବଂ ତା’ପରେ ମୁନି ବଶିଷ୍ଟ ମଧ୍ୟ ଉପବାସଟି ସକାଶେ ନିଜର ଆଶୀର୍ବାଦ ଜ୍ଞାପନ କରିବାଲାଗି ସେଠାରେ ପହଞ୍ଚିଲେ ।

 

ସେଦିନ ରାତ୍ରିତମାମ ଅଯୋଧ୍ୟାର ମାର୍ଗଗୁଡ଼ିକରେ ଉତ୍ସାହୀ ମନୁଷ୍ୟମାନଙ୍କର ପ୍ରବଳ ସମାଗମ ଲାଗି ରହିଥିଲା, ଜନସମୂହର କୋଳାହଳ ଓ କଣ୍ଠଶବ୍ଦ ପୂର୍ଣ୍ଣିମା ରାତ୍ରିର ସମୁଦ୍ରଗର୍ଜନ ପରି ଶୁଣା ଯାଉଥିଲା । ମାର୍ଗଗୁଡ଼ିକ ପରିଷ୍କାର କରାଗଲା, ଜଳଦ୍ଵାରା ଧୌତ କରା ଯାଇଥିଲା, ପୁଷ୍ପମାଳା ପତାକା ଉଡ଼ି ବିଚିତ୍ର ଶୋଭା ଧାରଣ କରିଥିଲା । ବହୁଶାଖାଯୁକ୍ତ ଝାଡ଼ଗୁଡ଼ିକରେ ଦୀପମାନ ଜଳିବାରେ ଲାଗିଥିଲେ । ସେତେବେଳେ ସମସ୍ତେ ବାରବାର ରାମଙ୍କର ନାମକୁ ଉଚ୍ଚାରଣ କରୁଥିଲେ । ଉତ୍କଣ୍ଠିତ ଭାବରେ ଆଗାମୀ ଦିବସଟି ଚାହିଁ ରହିଥାନ୍ତି ଏବଂ ତେଣେ ରାମ ଉପବାସଟିର ପାଳନ କରୁଥାନ୍ତି ।

 

କୈକେୟୀଙ୍କର ଷଡ଼ଯନ୍ତ୍ର

 

ସେହି ସମୟରେ ଭରତଙ୍କର ମାତା କୈକେୟୀଙ୍କ ପାଖରେ ରାଜା ଦଶରଥଙ୍କର ଯୋଜନା ବିଷୟରେ ଆଦୌ କୌଣସି ସମ୍ବାଦ ପହଞ୍ଚି ନଥାଏ । କୈକେୟୀ ତରୁଣୀ ଥିଲେ, ପ୍ରବଳ ବାସନାରେ ଅଧିକାରିଣୀ ଥିଲେ ଏବଂ ଅତ୍ୟନ୍ତ ରୂପବତୀ ଥିଲେ । ସ୍ଵଭାବରେ ଉଦାର ଥିଲେ, କିନ୍ତୁ ତାଙ୍କ ନିଜ କାମନାଗୁଡ଼ିକର ଅଥବା ଅନ୍ୟ ଜଣେ ବ୍ୟକ୍ତିର କୁମନ୍ତ୍ରଣା ଦ୍ଵାରା କଦାପି ବାଟ ହୁଡ଼ି ନଯିବା ଭଳି ଦୟାଭାବନା ଏବଂ ପ୍ରଜ୍ଞାର ଅଭାବ ମଧ୍ୟ ତାଙ୍କଠାରେ ସର୍ବଦା ରହିଥିଲା । ତାଙ୍କ ପାଖରେ ଦାସୀରୂପେ ଜଣେ ଜଟିଳ ମନୋଭାବର କୁବୁଜା ମନ୍ଥରା ମଧ୍ୟ ଥିଲା । ଚାରିଆଡ଼େ ଆନନ୍ଦ-ଉଲ୍ଲାସ ଲାଗିଥିବାର ଏବଂ ରାମ ସିଂହାସନରେ ଉତ୍ତରାଧିକାରୀ ରୂପେ ଆସୀନ ହେବାକୁ ଯାଉଛନ୍ତି ବୋଲି ଶୁଣିବାକୁ ପାଇ ସିଏ ତତ୍‌କ୍ଷଣାତ୍ ନିଜର ରାଣୀଙ୍କ ପାଖରେ ଆସି ପହଞ୍ଚି ଯାଇଥିଲା । ରାମଙ୍କର ଏହି ସୌଭାଗ୍ୟର ମୁହୂର୍ତ୍ତଟି ତାକୁ ଭରତଙ୍କ ପାଇଁ ଗୋଟିଏ ଦୁର୍ଭାଗ୍ୟ ବୋଲି ମନେ ହେଲା । ସିଏ କୈକେୟୀଙ୍କୁ ଆସି କହିଥିଲା, ରାଣୀ, ତୁମେ ଏଡ଼େ ନିର୍ବୋଧ ଯେ ଏଭଳି ଏକ ଦୁର୍ଭାଗ୍ୟ ପହଞ୍ଚିବା ବେଳକୁ ଏଭଳି ନିଷ୍କ୍ରିୟ ଓ ସନ୍ତୁଷ୍ଟ ହୋଇ ଏଠାରେ ବସିରହିଛ ?” କୈକେୟୀ କିଛି ବୁଝି ନପାରିବାରୁ ମନ୍ଥରା ଅତ୍ୟନ୍ତ କ୍ରୋଧ ସହିତ ପୁନର୍ବାର କହିଥିଲା, “ରାଣୀ, ବର୍ତ୍ତମାନ ଅଳ୍ପ ସମୟ ମଧ୍ୟରେ ତୁମର ସବୁଯାକ ଖୁସୀ ନଷ୍ଟ ହୋଇଯିବାକୁ ଯାଉଛି ଏବଂ ତାହାହିଁ ମୋତେ ବର୍ତ୍ତମାନ ଘୋର ଦୁଃଖ ଭିତରେ ନିମଗ୍ନ କରି ରଖିଛି । ସେଥିଲାଗି ଶୁଣିବା ମାତ୍ରକେ ମୁଁ ତୁମ ପାଖକୁ ଧାଇଁ ଆସିଲି । ତୁମେ ମଧ୍ୟ ଏହି ପୃଥିବୀର ଜଣେ ରାଣୀ ଏବଂ ତୁମର ସ୍ଵାମୀ ଉପରେ ତୁମକୁ କେତେ ମନଭୁଲା କଥା କହୁଥିଲେ ମଧ୍ୟ ଭିତରେ ତୁମପ୍ରତି ଅତ୍ୟନ୍ତ କୁଟିଳ ହୋଇ ରହିଛନ୍ତି ଏବଂ ତୁମର ଅନିଷ୍ଟ ଚିନ୍ତା କରୁଛନ୍ତି । ସିଏ ସର୍ବଦା କୌଶଲ୍ୟାଙ୍କର ମଙ୍ଗଳଚିନ୍ତା କରୁଥାଆନ୍ତି, ଯେତେ ମଧୁର କଥା କହୁଥିଲେ ମଧ୍ୟ ତୁମର ସୌଭାଗ୍ୟ ବିଷୟରେ କେବେହେଲେ ଭାବନ୍ତିନାହିଁ । ଦେଖୁନ, ଭରତକୁ ମାମୁଁଘରକୁ ପଠାଇଦେଇ ସିଏ ରାମଙ୍କୁ କିପରି ସିଂହାସନରେ ବସାଇବାକୁ ଆୟୋଜନ କରୁଛନ୍ତି । ତୁମେ ତ ରାଣୀ ସ୍ଵାମୀ ମନେ କରି ଗୋଟିଏ ବିଷଧର ସର୍ପକୁ ହିଁ ପାଳନ କରିବାରେ ଲାଗିଛ ! ତେଣୁ, ଆଉ କାଳବିଳମ୍ବ ନକରି ପ୍ରକୃତରେ କିଛିହେଲେ କରି ଏବଂ ନିଜକୁ, ଭରତକୁ ଏବଂ ମୋତେ ମଧ୍ୟ ରକ୍ଷା କରିବାଲାଗି ଏକ ଉପାୟ ବାହାର କର ।” କିନ୍ତୁ ମନ୍ଥରାର କଥାଗୁଡ଼ାକୁ ଶୁଣି କୈକେୟୀ ବରଂ ଖୁସୀ ହୋଇ ଯାଇଥିଲେ, ରାମ ଉତ୍ତରାଧିକାରୀ ରୂପେ ଅଭିଷିକ୍ତ ହେବାକୁ ଯାଉଛନ୍ତି ବୋଲି ଶୁଣି ସିଏ ପ୍ରୀତ ହୋଇ କୁବା ଦାସୀଟିକୁ ଗୋଟିଏ ମୋତି ଉପହାର ଦେଇଥିଲେ ଓ କହିଲେ, “ଏହି ସମ୍ବାଦଟି ସକାଶେ ମୁଁ ତୋତେ କ’ଣ ବର ଦେବି କହିଲୁ ! ଏକଥା ଶୁଣି ମୁଁ ଅତ୍ୟନ୍ତ ଖୁସୀ ହୋଇ ପାରିଲି । ରାମ ଓ ଭରତ ଉଭୟେ ମୋ’ର ଅତ୍ୟନ୍ତ ପ୍ରିୟ ଏବଂ ସେହି ଦୁହିଁଙ୍କ ମଧ୍ୟରେ ମୁଁ କୌଣସି ପାର୍ଥକ୍ୟ ଦେଖିପାରେ ନାହିଁ । ରାମ ସିଂହାସନ ଆରୋହଣ କଲେ ଖୁବ୍ ଭଲକଥା ହେବ । ତୁ ମୋତେ ଏହି ଭଲ ଖବରଟିକୁ ଆଣି ଦେଲୁ, ସେଥିଲାଗି ତୋତେ ବହୁତ ଧନ୍ୟବାଦ !”

 

ଏପରି ଶ୍ରବଣ କରି ଦାସୀ ମନ୍ଥରାରେ କ୍ରୋଧ ଆହୁରି ବଢ଼ିଗଲା ଓ ମୋତିଟିକୁ ଫିଙ୍ଗିଦେଇ ସେ କହିବାକୁ ଲାଗିଲା, “ନିଜର ଏକ ବିପର୍ଯ୍ୟୟରେ ତୁମକୁ ଏଡ଼େ ଖୁସୀ ଲାଗୁଛି, ତେଣୁ ତୁମକୁ ନିଶ୍ଚୟ ପାଗଳ ବୋଲି ହିଁ କୁହାଯିବ । ତେଣେ ସଉତୁଣୀର ଭାଗ୍ୟ ଖୋଲୁଥିବା ସମୟରେ ହିତାହିତ ଜ୍ଞାନ ରହିଥିବା କେଉଁ ରମଣୀ ଖୁସୀ ହେବ କହିଲ ! ତୁମେ ନିଶ୍ଚୟ କୌଶଲ୍ୟାଙ୍କର ଦାସୀ ହୋଇଥିବ; ଭରତକୁ ମଧ୍ୟ ରାମଙ୍କର ଭୃତ୍ୟ ବୋଲି କୁହାଯିବ ।

 

କୈକେୟୀଙ୍କର ତଥାପି କୌଣସି ଈର୍ଷା ହେଉନଥାଏ । ସେ କହିଲେ, “ରାମଙ୍କର ସୌଭାଗ୍ୟରେ ଦୁଃଖ ପ୍ରକାର କରିବାର କାହିଁକି କୌଣସି କାରଣ ରହିବ ? ରାଜା ହେବା ସକାଶେ ତାଙ୍କର ସକଳ ଯୋଗ୍ୟତା ଅଛି । ଏବଂ, ଯଦି ଏହି ରାଜ୍ୟ ତାଙ୍କର ହୁଏ, ତେବେ ତାହାକୁ ଭରତର ରାଜ୍ୟ ବୋଲି ମଧ୍ୟ କୁହାଯିବ । କାରଣ ରାମ ତ କେବେହେଲେ ନିଜକୁ ତାଙ୍କ ଭାଇମାନଙ୍କ ଠାରୁ ଭିନ୍ନ ବୋଲି ଦେଖନ୍ତିନାହିଁ । “ତା’ପରେ ମନ୍ଥରା ଏକ ଦୀର୍ଘ ନିଃଶ୍ଵାସ ପକାଇ କୈକେୟୀଙ୍କୁ କହିଲା, “ତୁମେ ମୋଟେ କିଛି ବୁଝିନାହଁ, ନିଜର ଦୁର୍ଭାଗ୍ୟକୁ ସେଥିପାଇଁ ସୌଭାଗ୍ୟ ବୋଲି କହୁଛ ! ତୁମ ସଉତୁଣୀର ସୌଭାଗ୍ୟ ହେଲା ବୋଲି ତୁମେ ମୋଟେ ପୁଣି ମୋତିଟିଏ ବି ଦେଉଛ ! ଏହି କଥାଟିକୁ ଖୁବ୍ ଭଲଭାବରେ ଜାଣିରଖ ଯେ, ଯେତେବେଳେ ରାମ ଦୃଢ଼ ଭାବରେ ପ୍ରତିଷ୍ଠିତ ହୋଇ ଆସିବେ, ସେତେବେଳେ ସିଏ ଭରତକୁ କୌଣସି ଦୂର ରାଜ୍ୟକୁ ନିର୍ବାଚିତ କରିଦେବେ । ଭରତ ହେଉଛନ୍ତି ସ୍ଵଭାବତଃ ରାମଙ୍କର ଶତ୍ରୁ; କାରଣ, ଲକ୍ଷ୍ମଣ ତ ସର୍ବଦା ରାମଙ୍କର ଭଲ ଇଚ୍ଛା କରୁଛନ୍ତି ଓ ଶତ୍ରୁଘ୍ନ ମଧ୍ୟ ଭରତଙ୍କ ପ୍ରତି ଅନୁରକ୍ତ ରହିଛନ୍ତି । ତେଣୁ କେବଳ ଭରତ ବ୍ୟତୀତ ରାମଙ୍କର ପ୍ରତିଦ୍ଵନ୍ଦ୍ଵୀ କେହିହେଲେ ନାହାନ୍ତି । ତେଣୁ, ତୁମର କର୍ତ୍ତବ୍ୟ ଯେ ତୁମେ ଭରତକୁ ରାମଙ୍କ ହାତରୁ ରକ୍ଷା କରିବ, ନହେଲେ ଗୋଟିଏ ସିଂହ ଏକ ହସ୍ତୀକୁ କବଳିତ କଲାପରି ରାମ ମଧ୍ୟ ଭରତଙ୍କୁ ତଳକୁ ଚାପି ରଖିବେ । ରାମଙ୍କ ଜନନୀ ତୁମର ସଉତୁଣୀ ମଧ୍ୟ ସେହି ସୁଯୋଗରେ ତୁମେ ଏକଦା ତାଙ୍କୁ କରିଥିବା ଅପମାନର ପ୍ରତିଶୋଧ ନେବାପାଇଁ ଅଗ୍ରସର ହୋଇ ଆସିବେ । ତେଣୁ, ରାମ ରାଜ୍ୟର ରାଜା ହେଲେ ତୁମର ଦୁଃଖୀ ଜୀବନ ଆହୁରି ଦୁଃଖମୟ ହୋଇଯିବ । ତେଣୁ, ବେଳ ଥାଉଁ ଥାଉଁ ତୁମକୁ କିଛି ଉପାୟ ଚିନ୍ତା କରି ନିଜର ପୁଅକୁ ହିଁ ସିଂହାସନରେ ବସାଇବାକୁ ପଡ଼ିବ । ରାମ ନିର୍ବାସିତ ହୋଇ ରାଜ୍ୟ ତ୍ୟାଗ କରିବେ ।”

 

ଏହିପରି ଭାବରେ କୈକେୟୀଙ୍କର ଗର୍ବ ଏବଂ ଦ୍ଵେଷଚିନ୍ତାକୁ ଉତ୍ତେଜିତ କରାଗଲା, ସିଏ ମଧ୍ୟ କ୍ରୋଧରେ ରକ୍ତବର୍ଣ୍ଣ ହୋଇ ଉଠିଥିଲେ ଏବଂ ଖର ନିଃଶ୍ଵାସ ପକାଇ ମନ୍ଥରାକୁ କହିଲେ :

 

“ରାମଙ୍କୁ ଆଜି ହିଁ ନିର୍ବାସନରେ ଯିବାକୁ ହେବ ଓ ଭରତ ସିଂହାସନରେ ବସିବେ ମୋ’ର ଏହି ଇଚ୍ଛାଟିକୁ ପୂରଣ କରିବାପାଇଁ ତୁ କିଛି ଉପାୟର ଚିନ୍ତା କରିଛୁ କି ?”

 

ତା’ପରେ ମନ୍ଥରା ଦଶରଥ କୈକେୟୀଙ୍କ ପାଖରେ ଏକଦା ବହୁତ ପୂର୍ବେ କରିଥିବା ଗୋଟିଏ ସତ୍ୟ ବିଷୟରେ ମନେ ପକାଇ ଦେଇଥିଲା । ଏକଦା ରାକ୍ଷସମାନଙ୍କ ସହିତ ଗୋଟିଏ ବୃହତ୍ ସମରରେ ଲଢ଼ାଇ କରି ଦଶରଥ ଅତ୍ୟନ୍ତ କ୍ଷତବିକ୍ଷତ ହୋଇ ଯାଇଥିଲେ ଏବଂ ପ୍ରାୟ ମୃତ୍ୟୁର ନିକଟବର୍ତ୍ତୀ ମଧ୍ୟ ହୋଇଥିଲେ । ସମରକ୍ଷେତ୍ରରେ କୈକେୟୀ ତାଙ୍କୁ ଅଚେତା ହୋଇଯିବାର ଦେଖି ଏକ ନିରାପଦ ସ୍ଥାନକୁ ନେଇ ଆସିଥିଲେ ଏବଂ ଆପଣାର ସେବା ଓ ଚିକିତ୍ସା ଦ୍ଵାରା ତାଙ୍କୁ ଭଲ କରିଥିଲେ । ପ୍ରୀତ ହୋଇ ଦଶରଥ କୈକେୟୀଙ୍କୁ ଦୁଇଗୋଟି ବର ଦେଇଥିଲେ ଏବଂ ପରେ କେତେବେଳେ ଆବଶ୍ୟକ ହେଲେ କୈକେୟୀ ତାଙ୍କୁ ବରଦୁଇଟିକୁ ମାଗିବେ ବୋଲି କହିଥିଲେ । ମନ୍ଥରା ବୁଦ୍ଧି ଯୋଗାଇଦେଇ କହିଲା, “ତୁମେ ରାଣୀ ବର୍ତ୍ତମାନ ହିଁ ରାଜାଙ୍କୁ ବରଦୁଇଟିକୁ ମାଗିବ; ଭରତ ଉତ୍ତରାଧିକାରୀ ରୂପେ ସିଂହାସନ ଆରୋହଣ କରିବ ଓ ରାମ ଚଉଦବର୍ଷ ସକାଶେ ଅରଣ୍ୟକୁ ଯିବେ । ସେହି ଚଉଦବର୍ଷର ସମୟ ମଧ୍ୟରେ ଭରତ ନିଜର ପଦରେ ଏପରି ଭାବରେ ସୁପ୍ରତିଷ୍ଠିତ ହୋଇଯିବେ ଯେ ଏବଂ ପ୍ରଚ୍ଛାମାନେ ମଧ୍ୟ ତାଙ୍କୁ ଏପରି ଆଦରିନେବେ ଯେ, ସେତେବେଳେ ରାମଙ୍କୁ ଭୟ କରିବା ନିମନ୍ତେ କୌଣସି ପ୍ରୟୋଜନ ନଥିବ । ତେଣୁ, ତୁମେ ବର୍ତ୍ତମାନ ମାନପ୍ରକୋଷ୍ଠକୁ ଯାଅ, ନିଜର ଦେହରୁ ମଣିମୁକ୍ତା ଓ ଅଳଙ୍କାରମାନ କାଢ଼ି ଫିଙ୍ଗିଦିଅ । ଏବଂ ଏକ ମଳିନ ବସ୍ତ୍ର ଧାରଣ କରି ଦଶରଥଙ୍କୁ ପଦେହେଲେ କଥା କହିବନାହିଁ ଏବଂ ଆଡ଼କୁ ମୋଟେ ଅନାଇବ ନାହିଁ । ସବୁ ରାଣୀଙ୍କ ମଧ୍ୟରେ ତୁମେ ତାଙ୍କର ଅଧିକ ପ୍ରିୟ, ସିଏ ତୁମକୁ ନାହିଁ ବୋଲି କହିବେ ନାହିଁ, ତୁମକୁ ଏପରି ଦୁଃଖିତ ଅବସ୍ଥାରେ କଦାପି ଦେଖି ପାରିବେ ନାହିଁ । ପ୍ରଥମେ ସୁନା ଯାଚିବେ, ମନିମୁକ୍ତା ଯାଚିବେ, ମାତ୍ର ତୁମେ ସେଗୁଡ଼ିକୁ ମୋଟେ ଗ୍ରହଣ କରିବ ନାହିଁ; ରାମଙ୍କର ବନବାସ ଓ ଭରତଙ୍କର ସିଂହାସନ-ଆରୋହଣକୁ ଛାଡ଼ି ଆଦୌ କିଛି ନୁହେଁ ।”

 

ଏହିପରି ଭାବରେ କୈକେୟୀ ସବୁଠାରୁ ମନ୍ଦ କଥାଟିକୁ କାମ୍ୟରୂପେ ଗ୍ରହଣ କରିବାର ଫାନ୍ଦରେ ପଡ଼ି ଯାଇଥିଲେ, ମନ୍ଥରାର ଚକ୍ରାନ୍ତରେ ପଡ଼ିଯାଇ ନିଜର ଛୁଆ ପଛରେ ଘୋଡ଼ାଟିଏ ଧାଇଁଗଲା ପରି ଏହି ମନ୍ଦମାର୍ଗଟି ଆଡ଼କୁ ଗୋଡ଼ ଖସାଇ ଦେଇଥିଲେ । ମନେ ମନେ କୁବୁଜା ମନ୍ଥରାକୁ ବହୁତ ପ୍ରଶଂସା କରିଥିଲେ ଏବଂ ଭରତ ଗାଦୀରେ ବସି ସାରିବା ପରେ ସିଏ ତାକୁ କେତେ କେତେ ପୁରସ୍କାର ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତା’ ପରେ ଆପଣାର ସୁନ୍ଦର ବହୁମୂଲ୍ୟ ବସ୍ତ୍ରଗୁଡ଼ିକ ଚିରି ଭୂମି ଉପରେ ଫିଙ୍ଗି ଦେଇଥିଲେ ଓ ମାନପ୍ରକୋଷ୍ଠକୁ ଯାଇ ରୁଷି ବସିଲେ । ନିଜର ବକ୍ଷଦେଶକୁ ଚାପି ଧରି ଉଚ୍ଚ ଚିତ୍କାର କରିବାକୁ ଲାଗିଲେ; ମୋର ଏହି କଥାଟି ରହିବ ହିଁ ରହିବ; ରାମ ନିର୍ବାସନରେ ଯିବେ ଓ ମୋ’ର ପୁତ୍ର ସିଂହାସନରେ ବସିବ, –ନଚେତ୍ ମୁଁ ଏହି ପ୍ରାଣ କଦାପି ରଖିବି ନାହିଁ । ରାମ ବନବାସରେ ନଗଲେ ମୁଁ ବିଛଣାକୁ ଯିବିନାହିଁ, –ମାଳା ପିନ୍ଧିବି ନାହିଁ କିମ୍ବା କୌଣସି ପ୍ରସାଧନ କରିବି ବି ନାହିଁ । ଖିଆପିଆ ଛାଡ଼ିଦେବି, ଜୀବନକୁ ହାରିଦେବି ! କିମ୍ବା, ଏପରି କୁହାଯାଇ ପାରିବ ଯେ, କୌଣସି ତାରାଖଚିତ ଆକାଶ କୃଷ୍ଣବର୍ଣ୍ଣ ମେଘମାଳାରେ ଆଚ୍ଛାଦିତ ହୋଇ ପଡ଼ିବା ଭଳି ରାଜମହୀଷୀ କ୍ଷୋଭ ଏବଂ ବିଳାପ କରିବାକୁ ଲାଗିଲେ । ସତେଅବା କୌଣସି ଗୋଟିଏ ବିଷଯୁକ୍ତ ଶରଦ୍ଵାରା ବିଦ୍ଧ ହୋଇଥିବା ଏକ ପକ୍ଷୀନୀ ଭଳି ରୋଦନ କଲେ ଅଥବା କୌଣସି କ୍ରୋଧାନ୍ଵିତ ସର୍ପଦୁହିତା ପରି ଫଅଁ ଫଅଁ ହେଉଥିଲେ ।

 

ତା’ ପରେ ପ୍ରଭାତ ହେବାର ବହୁ ପୂର୍ବରୁ ଦଶରଥ ଆସନ୍ନ ଉତ୍ସବଟି ବିଷୟରେ ଦ୍ଵିତୀୟ ରାଣୀଙ୍କୁ ଅବଗତ କରାଇବା ନିମନ୍ତେ ଚିନ୍ତା କରିଥିଲେ ଏବଂ ତାଙ୍କୁ ତାଙ୍କର ବାଟିକା କିମ୍ବା ପ୍ରକୋଷ୍ଠମାନଙ୍କରେ ନପାଇ ସିଏ ମାନଗୃହକୁ ଯାଇଛନ୍ତି ବୋଲି ସମ୍ବାଦ ପାଇଲେ । ସେଟାକୁ ଯାଇ ସିଏ ସ୍ଵପତ୍ନୀଙ୍କୁ ଏକ ମୂଳରୁ ଉତ୍ପାଟିତ ହୋଇ ଯାଇଥିବା ଗୋଟିଏ ଦ୍ରାକ୍ଷାଲତା ସଦୃଶ ଦେଖିବାକୁ ପାଇଲେ । ଅଥବା, ବତକୀଟିଏ କୌଣସି କାରଣରୁ ଜାଲରେ ପଡ଼ି ଯାଇଥିଲା କି ? ରାଜା ତା’ ପରେ ଗୋଟିଏ ବନ୍ୟହସ୍ତୀ ପଡ଼ି ଅତ୍ୟନ୍ତ କୋମଳ ଭାବରେ ପଦ୍ମଲୋଚନା ରାଣୀଙ୍କର ଗାତ୍ରକୁ ସ୍ପର୍ଶ କରିଥିଲେ ଓ ତାଙ୍କ କ୍ଷୋଭର କାରଣ ପୁଚ୍ଛା କରିଥିଲେ । କହିଥିଲେ, “ରାଣୀ, ଯଦି କୌଣସି ଅସୁସ୍ଥତା ଭୋଗ କରୁଛି, ତେବେ ବୈଦ୍ୟମାନେ ଅଛନ୍ତି; କାହାକୁ ଶାସ୍ତି ମିଳିବା ଉଚିତ ବୋଲି ଯଦି ଇଚ୍ଛା କରୁଛ, ତେବେ ମୁଁ ତୁମର ସେହି ଇଚ୍ଛାକୁ ନିଶ୍ଚୟ କାର୍ଯ୍ୟକାରୀ କରାଇବି ଓ କାହାକୁ ପୁରସ୍କାର ଦିଆଯିବାର ଥିଲେ ପୁରସ୍କାର ଦିଆଇବି । ତୁମର କୌଣସି ଇଚ୍ଛାକୁ ଭାଙ୍ଗିବିନାହିଁ । ସେକଥାଟି ତୁମେ ଉତ୍ତମରୂପେ ଜାଣିଛ, ତେଣୁ ଆଉ ବିଳମ୍ବ ନକରି ନିଜର ବାସନାଟିକୁ ପ୍ରକାଶ କର ।”

 

ଏହିପରି କିଞ୍ଚିତ୍ ସାନ୍ତ୍ଵନା କରିବାପରେ କୈକେୟୀ ଉତ୍ତର ଦେଲେ, “ମୋତେ କେହି କୌଣସି ଆଘାତ ଦେଇନାହିଁ; ମାତ୍ର ମୋ’ର ଗୋଟିଏ ଇଚ୍ଛା ରହିଛି, ଯଦି ଆପଣ ସେହି ଇଚ୍ଛାଟିକୁ ପୂରଣ କରିବେ, ତେବେଯାଇ ମୁଁ ଆପଣଙ୍କ ଆଗରେ ତାହାକୁ ପ୍ରକାଶ କରିବି !” ତା’ ପରେ ଦଶରଥ ରାମଙ୍କର ରାଣ ପକାଇ ତାଙ୍କର ବାସନାଟିକୁ ଅବଶ୍ୟ ପୂରଣ କରିବେ ବୋଲି କହିଥିଲେ-

 

ତା’ପରେ କୈକେୟୀ ନିଜ ବାସନାଟିକୁ ପ୍ରକାଶ କଲେ; ପ୍ରଥମେ ସ୍ଵର୍ଗ ମର୍ତ୍ତ୍ୟ, ଦିନ ଓ ରାତ୍ରି, ଗୃହଦେବତା ତଥା ଜୀବନଧାରଣ କରିଥିବା ସମସ୍ତ ପ୍ରାଣୀଙ୍କୁ ସାକ୍ଷୀ ରଖି ରାଜା ଯେ ତାଙ୍କର ଇଚ୍ଛା ପୂରଣ କରିବା ପାଇଁ ପ୍ରତିଜ୍ଞା କରିଛନ୍ତି, ସେମାନଙ୍କୁ ତାହା ସୂଚାଇ ଦେଇଥିଲେ । ରାକ୍ଷସମାନଙ୍କ ସହିତ ପୂର୍ବେ ରାଜା ଲଢ଼ିଥିବା ଯୁଦ୍ଧଟିକୁ ସ୍ମରଣ କରାଇଦେଲେ ଓ ରାଜା ତାଙ୍କୁ ଦୁଇଟି ବର ଦେବେ ବୋଲି ଶପଥ କରିଥିଲେ, କାରଣ ତାଙ୍କର ସେବା କରି ରାଣୀ ତାଙ୍କର ଜୀବନରକ୍ଷା କରିଥିଲେ । ଏହିପରି ଭାବରେ ରାଜା ଆସି କୈକେୟୀଙ୍କ ଜାଲରେ ପଡ଼ିଯିବା ପରେ,–ଗୋଟିଏ ହରିଣ ଜାଲରେ ଆସି ପଡ଼ିଯିବା ପରି,–କୈକେୟୀ କହିଲେ, “ଆପଣ ମୋତେ ଯେଉଁ ଦୁଇଟିଯାକ ବର ବର୍ତ୍ତମାନ ଦେବେ ବୋଲି ଶପଥ କରୁଛନ୍ତି, ସେଗୁଡ଼ିକ ହେଉଛି : ରାମ ଯତିବେଶ ଧାରଣ କରି ମୃଗଚର୍ମ ପିନ୍ଧି ଦଣ୍ଡକାରଣ୍ୟକୁ ଯିବେ ଓ ସେଠାରେ ଚଉଦବର୍ଷ ରହିବେ ଓ ଭରତ ଉତ୍ତରାଧିକାରୀ ରୂପେ ସିଂହାସନରେ ବସିବ । ତେଣୁ ଆପଣ ବର୍ତ୍ତମାନ ରଘୁକୁଳର ସମ୍ମାନ ରକ୍ଷା କରି ମୋତେ ଏହି ବରଦୁଇଟିକୁ ପ୍ରଦାନ କରନ୍ତୁ । ମୁନିମାନେ କହି ଯାଇଛନ୍ତି, ଯେତେବେଳେ ଲୋକମାନେ ପରଲୋକକୁ ଯାଆନ୍ତି, ସେତେବେଳେ ସତ୍ୟ ହିଁ ସେମାନଙ୍କର ସବୁଠାରୁ ଅଧିକ କାର୍ଯ୍ୟରେ ଆସେ ।”

 

ଦଶରଥଙ୍କର ଦ୍ଵନ୍ଦ୍ଵ

 

ଏକଥା ଶୁଣି ରାଜା ଦାରୁଣ ଦୁଃଖରେ ମର୍ମାହତ ହୋଇ ପଡ଼ିଥିଲେ ଏବଂ ମୂର୍ଚ୍ଛିତ ହୋଇଗଲେ । ପୁନର୍ବାର ଚେତା ହୋଇ ସେ ବରଟିକୁ ଫେରାଇ ନେବାକୁ ବିକଳ ହୋଇ ପ୍ରାର୍ଥନା କରିଥିଲେ । ସେ ଉଚ୍ଚସ୍ଵରରେ ରୋଦନ କରିବାରେ ଲାଗିଥାନ୍ତି, ନୟନରୁ ଧାର ଧାର ଲୋତକ ବହି ଯାଉଥାଏ,–ସିଏ ପ୍ରକୃତରେ ଗୋଟିଏ ମନ୍ଦ ସ୍ଵପ୍ନ ଦେଖୁନାହାନ୍ତି ତ ! ସେ ବହୁତ ସମୟ ପର୍ଯ୍ୟନ୍ତ ରାଣୀଙ୍କୁ ବୁଝାଇବାରେ ଲାଗିଲେ,–କିନ୍ତୁ କୈକେୟୀ ନିଜ କଥାରେ ଅଟଳ ହୋଇ ରହିଥାନ୍ତି,–ଆପଣାର ପ୍ରତିଜ୍ଞା ରକ୍ଷା କରିବା ନିମନ୍ତେ ତାଙ୍କୁ କର୍କଶ ଭାବରେ କହୁଥାନ୍ତି । ସତ୍ୟକୁ ରକ୍ଷା କରିବାର କେତେ ପୁରାତନ ଉଦାହରଣ ଆଣି ଦେଉଥାନ୍ତି; କପୋତକୁ ଆଶ୍ରୟ ଦେଇଥିବା ଶିବିରାଜା କିପରି ଛଞ୍ଚାଣକୁ ନିଜ ଦେହର ମାଂସ ପ୍ରଦାନ କରିଥିଲେ, ଆଉ କିଏ ସତ୍ୟ କରିଥିବାରୁ ନିଜ ଆଖିକୁ ତାଡ଼ି ବ୍ରାହ୍ମଣକୁ ଦେଇଥିଲେ, ଇତ୍ୟାଦି ଇତ୍ୟାଦି । “ଯଦି ଆପଣ ନିଜର ପ୍ରତିଜ୍ଞାକୁ ରକ୍ଷା ନକରିବେ, ତେବେ ଚିରଦିନ ନିମନ୍ତେ ଅପବାଦଗ୍ରସ୍ତ ହୋଇ ରହିବେ ଏବଂ ଏହି ସ୍ଥାନରେ ଏହି ମୁହୂର୍ତ୍ତରେ ମୁଁ ମଧ୍ୟ ମୋ’ର ଜୀବନକୁ ହରାଇଦେବି ।”–ରାଣୀ କହିବାରେ ଲାଗିଥାନ୍ତି । ତା’ପରେ କୈକେୟୀଙ୍କ ଦ୍ଵାରା ବାଧ୍ୟ ହୋଇ ଦଶରଥ କହି ଉଠିଲେ, “ମୁଁ ମୋ’ ସତ୍ୟର ବନ୍ଧନଦ୍ଵାରା ଅବଶ୍ୟ ବନ୍ଧା ହୋଇ ରହିଛି । ତାହାହିଁ ବସ୍ତୁତଃ ମୋତେ ଉନ୍ମାଦଗ୍ରସ୍ତ କରିଦେଉଛି । ତେବେ, ରାମକୁ ମୁଁ ଥରେ ଦେଖିବାକୁ ପାଇଛି,–ମୁଁ କେବଳ ଏତିକି ଇଚ୍ଛା କରୁଛି ।”

 

ଇତିମଧ୍ୟରେ ପ୍ରଭାତ ହୋଇ ଯାଇଥିଲା ଏବଂ ବଶିଷ୍ଟ ରାମଙ୍କର ସାରଥିଦ୍ଵାରା ରାଜାଙ୍କୁ ସମ୍ବାଦ ପଠାଇଥିଲେ ଯେ, ଅଭିଷେକୋତ୍ସବ ନିମନ୍ତେ ସବୁ ପ୍ରସ୍ତୁତ ହୋଇ ରହିଛି । ସେକଥା ଶ୍ରବଣ କରି ଦୁଃଖାଭିଭୂତ ରାଜା ଆଦୌ କିଛି ହେଲେ କହି ପାରିଲେନାହିଁ–ତେଣୁ ରାମ ରାଙ୍କ ପାଖକୁ ଆସିବା ସକାଶେ ସେ ସାରଥିଙ୍କୁ ପ୍ରେରଣ କରି ଦେଇଥିଲେ । ସମ୍ବାଦ ପାଇ ରାମ ସୀତାଙ୍କୁ କିଛି ମଧୁର ବାକ୍ୟ କହି ରଥରେ ବସି ଆନନ୍ଦପୂର୍ଣ୍ଣ ମାର୍ଗଗୁଡ଼ିକ ଦେଇ ପିତାଙ୍କର ପ୍ରାସାଦରେ ଆସି ପହଞ୍ଚିଲେ । ମାର୍ଗଗୁଡ଼ିକୁ ଅତିକ୍ରମ କଲାବେଳେ ତାଙ୍କୁ ଦେଖିବା ନିମନ୍ତେ ଯେଉଁମାନଙ୍କର ସୌଭାଗ୍ୟ ହୋଇନଥିଲା କିମ୍ବା ଯେଉଁମାନଙ୍କ ଉପରେ ରାମଙ୍କର ଦୃଷ୍ଟି ପଡ଼ିନଥିଲା, ସେମାନେ ନିଜର ମନ୍ଦ ଭାଗ୍ୟକୁ ନିନ୍ଦା କଲେ, ଅନ୍ୟ ସମସ୍ତଙ୍କ ଦ୍ଵାରା ମଧ୍ୟ ନିନ୍ଦିତ ହୋଇଥିଲେ ।

 

ରାମ ପୂର୍ଣ୍ଣ କର୍ତ୍ତବ୍ୟ ରକ୍ଷା କରି ରାଜା ଏବଂ କୈକେୟୀଙ୍କୁ ପ୍ରଣାମ କଲେ । କିନ୍ତୁ, ଦଶରଥ ସମ୍ପୂର୍ଣ୍ଣ ଭାବରେ ପ୍ରାୟ ଭାଙ୍ଗିପଡ଼ି ଧରାଶାୟୀ ହୋଇ ଯାଇଥିବାରୁ କେବଳ ଅତ୍ୟନ୍ତ କ୍ଷୀଣ ଭାବରେ ଯାହା “ରାମ, ରାମ” ବୋଲି ଦୁଇଟି ଶବ୍ଦ ହିଁ ଉଚ୍ଚାରଣ କରିପାରିଲେ । ଅତ୍ୟନ୍ତ ମର୍ମବେଦନା ଅନୁଭବ କରି ରାମ ସେ ନିଜେ କୌଣସି ଅନୁଚିତ କାର୍ଯ୍ୟ କରି ପକାଇଛନ୍ତି ଅଥବା ପିତାଙ୍କ ଉପରେ କୌଣସି ଦୁର୍ଭାଗ୍ୟ ଆସି ପଡ଼ିଛି ବୋଲି ଆଶଙ୍କା କରିବାରେ ଲାଗିଥାନ୍ତି । ତା’ପରେ ସେ କୈକେୟୀଙ୍କୁ ଉଦ୍ଦେଶ୍ୟ କରି କହିଥିଲେ, “ମା, ମୋ’ ପିତାଙ୍କର ହୃଦୟକୁ ପ୍ରକୃତରେ କେଉଁ ଦୁଃଖ ଆସି ଏପରି ଗ୍ରାସ କରିଛି ?” ତା’ପରେ କୈକେୟୀ ନିତାନ୍ତ ଲଜ୍ଜାହୀନ ଭାବରେ ଉତ୍ତର ଦେଇ କହିଲେ: “ରାମ, ତୁମ ପିତାଙ୍କର ପ୍ରକୃତରେ କିଛି ହୋଇନାହିଁ, କିନ୍ତୁ ତାଙ୍କର ତୁମକୁ ଗୋଟିଏ କଥା କହିବାକୁ ଅଛି ଏବଂ ତୁମେ ତାଙ୍କର ସମସ୍ତଙ୍କ ଠାରୁ ଅଧିକ ପ୍ରିୟ ତନୟ ହୋଇଥିବାରୁ ତୁମ ମନରେ ଆଘାତ ଦେଲାପରି କିଛି କହି ପାରୁନାହାନ୍ତି । ମାତ୍ର, ସେ ମୋ’ ପାଖରେ ଯାହା ସତ୍ୟ ମୋତେ ଦୁଇଟି ବର ଦେବେ ବୋଲି ସତ୍ୟ କରିଥିଲେ : ଏବଂ ବର୍ତ୍ତମାନ ଜଳସ୍ରୋତଟି ବହିଯିବା ପରେ ସେଥିରେ ବନ୍ଧଟିଏ ବାନ୍ଧିବାକୁ ଇଚ୍ଛା କରୁଛନ୍ତି–କାରଣ, ତୁମେ ତ ଉତ୍ତମରୂପେ ଜାଣିଛ ଯେ ଯାବତୀୟ ଧର୍ମର ମୂଳସ୍ଵରୂପ ସର୍ବଦା ସତ୍ୟ ହିଁ ଅବସ୍ଥିତ ରହିଛି । ଉତ୍ତମ ଅଥବା ଅନୁତ୍ତମ ସେ ଯାହାକିଛି ଆଦେଶ ଦେବେ ଯଦି ତୁମେ ତାହାକୁ ପାଳନ କରିବ, ତେବେ ମୁଁ ତୁମକୁ ସକଳ ବିଷୟ କହିଦେଇ ପାରିବି ।” ରାମ ଉତ୍ତର ଦେଲେ, “ହେ ମହାଭାଗା, ମୋତେ ଏଭଳି କଥାମାନ ଆପଣ କାହିଁକି ବା କହୁଛନ୍ତି ? କାରଣ, ଯଦି ଯେ ମୋତେ ଅଗ୍ନିରେ ଝାସ ଦେବାପାଇଁ କିମ୍ବା ହଳାହଳ ବିଷ ପାନ କରିବାପାଇଁ ମଧ୍ୟ ତାଙ୍କର ଇଚ୍ଛାପୂରଣ ସକାଶେ ପ୍ରସ୍ତୁତ ହୋଇଯିବି । ରାମଙ୍କର ପ୍ରତିଜ୍ଞା କଦାପି ଟଳି ଯାଏନାହିଁ ।” ତା’ପରେ କୈକେୟୀ ତାଙ୍କୁ ସେହି ଦୁଇଟି ବରର କଥା କହି ସକାଶେ ପ୍ରସ୍ତୁତ ହୋଇଯିବି । ରାମଙ୍କର ପ୍ରତିଜ୍ଞା କଦାପି ଟଳି ଯାଏନାହିଁ-।” ତା’ ପରେ କୈକେୟୀ ତାଙ୍କୁ ସେହି ଦୁଇଟି ବରର କଥା କହି ଦେଇଥିଲେ : “ଏହି ଦୁଇଟି ବର ଦେବା ସକାଶେ ସେ ମୋ’ଠାରେ ପ୍ରତିଜ୍ଞା କରୁଛନ୍ତି; ତୁମେ ଚଉଦବର୍ଷ ଯତିରୂପେ ଦଣ୍ଡକାରଣ୍ୟରେ ରହିବ–ବକ୍କଳ ପରିଧାନ କରିବ ଏବଂ ଜଟା ଧାରଣ କରିବ ଏବଂ ଭରତ ଆଜି ଉତ୍ତରାଧିକାରୀ ରୂପେ ସିଂହାସନ ଆରୋହଣ କରିବ । ତୁମର ପିତା ଦୁଃଖରେ ଏତେ ବେଶୀ ମ୍ରିୟମାଣ ହୋଇ ଯାଇଛନ୍ତି ତୁମଆଡ଼କୁ ଥରେ ଅନାଇ ବି ପାରୁନାହାନ୍ତି । କିନ୍ତୁ ସେ ପ୍ରଦାନ କରିଥିବା ଦୁଇଟିଯାକ ବର ଅନୁସାରେ କାର୍ଯ୍ୟ କରି ତୁମେ ଅବଶ୍ୟ ତାଙ୍କର ମାନକୁ ରକ୍ଷା କରିବ ।”

 

ଏହିସବୁ ନିଷ୍ଠୁର ଶବ୍ଦକୁ ଶ୍ରବଣ କରି ରାମ ଦୁଃଖ କିମ୍ବା କ୍ରୋଧ କରିନଥିଲେ, ମାତ୍ର ସ୍ଥିର ଭାବରେ ଉତ୍ତର ଦେଇ କହିଥିଲେ : “ଆପଣ ଯେପରି କହୁଛନ୍ତି, ଠିକ୍ ସେହିପରି ହେବ । ପିତାଙ୍କର ଦୁଃଖ ସକାଶେ ହିଁ ମୁଁ ଯାହା ଦୁଃଖ ଅନୁଭବ କରୁଛି । ଶୀଘ୍ର ଦୂତମାନେ ଭରତଙ୍କ ପାଖକୁ ଯାଆନ୍ତୁ ଓ ପିତୃସତ୍ୟ ରକ୍ଷା କରି ମୁଁ ବନବାସକୁ ଯାଏ । ଅବଶ୍ୟ, ପିତା ମୋତେ ସ୍ଵୟଂ କୌଣସି ଆଦେଶ ପ୍ରଦାନ କରିନାହାନ୍ତି, ତଥାପି ଆପଣଙ୍କର ଆଦେଶକୁ ମୁଁ ଯଥେଷ୍ଟ ବୋଲି ଗ୍ରହଣ କରୁଛି । ମୋତେ ଆପଣ ବର୍ତ୍ତମାନ ମୋ’ ମାଆଙ୍କ ପାଖକୁ ଯିବାପାଇଁ ଏବଂ ସୀତାଙ୍କୁ ମଧ୍ୟ ସାନ୍ତ୍ଵନା ଦେବପାଇଁ ଅନୁମତି ଦିଅନ୍ତୁ । ଏବଂ, ଆପଣ ବର୍ତ୍ତମାନ ଉଭୟ ଭରତ ଏବଂ ପିତାଙ୍କର ସକଳ ବିଷୟ ଅବଶ୍ୟ ବୁଝିବେ, କାରଣ ତାହାହିଁ ବିଧେୟ ।” ଏହାପରେ ରାମ ନିଜ ମାତାଙ୍କ ପାଖକୁ ଯାଇଥିଲେ, ଲକ୍ଷ୍ମଣର କ୍ରୋଧରେ ଜଳୁଥାନ୍ତି, ମାତ୍ର ରାମ ଅବିଚଳିତ ରହିଥାଆନ୍ତି । ସେତେବେଳକୁ କୌଶଲ୍ୟା ବିଷ୍ଣୁ ଏବଂ ଅନ୍ୟାନ୍ୟ ଦେବତାମାନଙ୍କର ଉପାସନା କରୁଥାନ୍ତି । କୌଶଲ୍ୟା ରାମଙ୍କୁ ଦେଖି ଆନନ୍ଦିତ ହେଲେ ଏବଂ ରାମ ଭକ୍ତିଭରେ ତାଙ୍କୁ ପ୍ରଣାମ କରିଥିଲେ । ତା’ପରେ ରାମ ମାଆଙ୍କ ଆଗରେ ସମସ୍ତ ଘଟଣା ପ୍ରକାଶ କରିଥିଲେ,–ତେଣୁ ବର୍ତ୍ତମାନ ଭରତ ଉତ୍ତରାଧିକାରୀ ରୂପେ ନିଯୁକ୍ତ ହେବେ ଏବଂ ସିଏ ନିଜେ ନିର୍ବାସନରେ ଚଉଦ ବର୍ଷ ପାଇଁ ଅବଶ୍ୟ ଯିବେ । କାଠୁରିଆର କୁରାଢ଼ିରେ ଗୋଟିଏ ବୃହତ୍ ଶାଳବୃକ୍ଷ ଭୂପତିତ ହେଲାପରି କୌଶଲ୍ୟା ଅତ୍ୟନ୍ତ ବିକଳ ହୋଇ ରୋଦନ କରିବାକୁ ଲାଗିଲେ । କହିଲେ, “ପୁତ୍ରରେ, ଯଦି ତୁ ଆଦୌ ଜନ୍ମ ହୋଇ ନଥାନ୍ତୁ, ତେବେ କେବଳ ପୁଅଟିଏ ନାହିଁ ବୋଲି ସିନା ମୁଁ ଦୁଃଖ କରୁଥାନ୍ତି, ମାତ୍ର ବର୍ତ୍ତମାନ ତ ଇଏ ମୋତେ ମହାଦୁଃଖଟିଏ ଆସି ପଡ଼ିଲା । ଜ୍ୟେଷ୍ଠା ରାଣୀରୂପେ କନିଷ୍ଠାମାନଙ୍କଠାରୁ ମୋତେ ସର୍ବଦା ବହୁତ ସହ୍ୟ କରିବାକୁ ପଡ଼ିଛି । ମାତ୍ର ଏହାପରେ ତ ମୋତେ କୈକେୟୀର ଏକ ଦାସୀ ଅଥବା ଆହୁରି ନିମ୍ନ ହୋଇ ରହିବାକୁ ହେବ । ସିଏ ମୋତେ କେବେହେଲେ ମଧ୍ୟ ଭଲ କଥା କହୁନଥିଲେ ଏବଂ ଏହାପରେ ମୋ’ ସ୍ଵାମୀଙ୍କର ଅବହେଳାର ପାତ୍ର ହୋଇ ମୁଁ କୈକେୟୀ ଆଡ଼କୁ କିପରି ଅନାଇ ବି ପାରିବି ? ତୁ ଜନ୍ମ ହେବା ପରେ ଏହି ସତେଇଶି ବର୍ଷ କାଳ ମୁଁ ଏହି ଦୁଃଖ ଦିନେ ଦୂର ହୋଇଯିବ ବୋଲି ଆଶା କରି ଆସିଛି ଏବଂ, ବର୍ତ୍ତମାନ ମରଣ ଆସି ମୋତେ କାହିଁକି ଯେ ଏଠାରୁ ନେଇ ଯାଉନାହୁଁ, ମୁଁ ସେକଥା ମୋଟେ ଜାଣି ପାରୁନାହିଁ । ଭିକାରୀକୁ କେତେ ଭିକ ଦେଇଥିଲି ଓ କେତେ ତପ କରିଥିଲି, ସେସବୁ ଖାଲି ବୃଥା ହୋଇଗଲା ସିନା ! ତେଣୁ, ହେ ମୋ’ର ପ୍ରାଣପ୍ରିୟ ରାମ, ନିଜ ବାଛୁରୀ ପଛରେ ଗାଈ ଚାଲିଗଲା ପରି ମୁଁ ମଧ୍ୟ ତୋ’ ପଛେପଛେ ବନକୁ ଯିବି, କିନ୍ତୁ ତୋ’ର ଫେରିଆସିବା ପର୍ଯ୍ୟନ୍ତ କଦାପି ସବୁ ସେହି ଅପେକ୍ଷା କରି ପାରିବିନାହିଁ ଏବଂ ସଉତୁଣୀମାନଙ୍କ ସହିତ ରହି ପାରିବି ନାହିଁ । ତେଣୁ ଗୋଟିଏ ବନ୍ୟ ହରିଣୀ ଭଳି ମୋତେ ମଧ୍ୟ ସାଙ୍ଗରେ ନେଇଯାଅ !” ମାତ୍ର ଲକ୍ଷ୍ମଣ କ୍ରୋଧପରବଶ ହୋଇ ନିଜର ଭାଇଙ୍କୁ ସେ ଏସବୁର ପ୍ରତିରୋଧ କରନ୍ତୁ ବୋଲି କହୁଥାନ୍ତି,–ସିଏ ରାମଙ୍କ ନିମନ୍ତେ ଆବଶ୍ୟକ ହେଲେ ଯୁଦ୍ଧ କରିବେ ବୋଲି ଉତ୍ତେଜିତ ଭାବରେ କହିବାରେ ଲାଗିଥାନ୍ତି ଏବଂ ଅତ୍ୟନ୍ତ ତୀବ୍ର ଭାବରେ ଦଶରଥଙ୍କୁ ସବୁ ଦୋଷ ଦେଉଥାନ୍ତି । ମାତ୍ର, ରାଜ୍ୟଲାଭର କୌଣସି କାମନାଦ୍ଵାରା ଆଦୌ ବିଚଳିତ ନହୋ ଅବିଚଳିତ ଭାବରେ ରାମ ଲକ୍ଷ୍ମଣଙ୍କୁ ଉତ୍ତର ଦେଉଥାନ୍ତି ଯେ, କୈକେୟୀ ଅଦୃଷ୍ଟ ହାତରେ କେବଳ ଗୋଟିଏ ନିମିତ୍ତ ପରି ହିଁ କାର୍ଯ୍ୟ କରୁଛନ୍ତି । ରଘୁକୁଳର ଅନ୍ୟମାନେ ସମସ୍ତେ ସେମାନଙ୍କ ପିତାମାନଙ୍କର ଆଦେଶ ମାନି ବହୁ କଠୋର କାର୍ଯ୍ୟର ସମ୍ପାଦନ କରିଛନ୍ତି । ତେଣୁ, ସିଏ ମଧ୍ୟ ସେହି ବାଟରେ ଅବଶ୍ୟ ଯିବେ–କାରଣ ନିଜ ପିତାଙ୍କର ଆଦେଶ ପାଳନ କରିବାରେ ଆଦୌ କୌଣସି ସମ୍ମାନହାନି ଭୋଗିବାକୁ ପଡ଼େନାହିଁ । ସେ କହିଥିଲେ, “ଭାଇ ;ଅକ୍ଷମାଣ, ମୋ’ ପିତାଙ୍କର ଆଜ୍ଞା ପାଳନ କରିବାକୁ ମୁଁ ପ୍ରକୃତରେ ଦୃଢ଼ସଂକଳ୍ପ ।” ମାତା କୌଶଲ୍ୟାଙ୍କୁ ଉତ୍ତର ଦେଇ କହିଥିଲେ, “ରାଜା କୈକେୟୀଙ୍କର ଜାଲରେ ପଡ଼ି ଯାଇଛନ୍ତି ସତ, ମାତ୍ର ମୁଁ ଚାଲିଯିବା ପରେ ଯଦି ତୁମେ ମଧ୍ୟ ତାଙ୍କୁ ଛାଡ଼ିଯିବ, ତେବେ ସିଏ ଆଉ କଦାପି ବଞ୍ଚିବେ ନାହିଁ । ତେଣୁ, ତୁମେ ରହିବ ଏବଂ ତାଙ୍କର ସେବା କରି ନିଜର କର୍ତ୍ତବ୍ୟ ପାଳନ କରିବ । ଏବଂ, ଦେବତା ତଥା ବ୍ରାହ୍ମଣମାନଙ୍କର ସେବାସତ୍କାର କରି ନିଜର ସମୟ ଅତିବାହିତ କରିବ ।” ଏକଥା ଶୁଣି କୌଶଲ୍ୟା କ୍ରମେ ସ୍ଥିର ହୋଇ ଆସିଥିଲେ ଓ ପୁତ୍ରକୁ ଆଶୀର୍ବାଦ ପ୍ରଦାନ କରିଥିଲେ ଯେ, ବନବାସ ସମୟରେ ଦେବତା ଓ ମୁନିମାନେ, ପବିତ୍ର ତୀର୍ଥସ୍ଥାନଗୁଡ଼ିକ, ବୃକ୍ଷ, ପର୍ବତ ତଥା ଅରଣ୍ୟ-ମୃଗମାନେ ଏବଂ ଆକାଶର ସକଳ ପ୍ରାଣୀ ତାଙ୍କର ଅବଶ୍ୟ ସୁରକ୍ଷା କରିବେ । ତା’ପରେ ପବିତ୍ର ହୋମ ତଥା ବ୍ରହ୍ମବିଧି ଦ୍ଵାରା ରାଣୀ ରାମଙ୍କର ବନଯାତ୍ରାକୁ ନିଜର ଶୁଭକାମନା ଜ୍ଞାପନ କଲେ, ତାଙ୍କ ଚାରିପାଖରେ ତିନିବାର ସୂର୍ଯ୍ୟାଭିମୁଖୀ ହୋଇ ପରିକ୍ରମା କଲେ ଏବଂ ରାମ ସୀତାଙ୍କ ପାଖକୁ ଚାଲି ଯାଇଥିଲେ ।

 

ଏସବୁ ଘଟଣା ସୀତା ଏପର୍ଯ୍ୟନ୍ତ କିଛି ଜାଣିନଥିଲେ । ସିଏ ଉଠିଯାଇ ରାମଙ୍କୁ ପ୍ରଣାମ କରିଥିଲେ । ରାମ ନିଜର ଦୁଃଖଟିକୁ ଆଦୌ ଲୁଚାଇ ରଖି ପାରୁନଥିଲେ; ତେଣେ କ’ଣ ଦୁଃଖଦ କିଛି ଘଟିଛି ବୋଲି ଆଶଙ୍କା କରି ପ୍ରଣାମ କରିବା ସମୟରେ ମଧ୍ୟ ସୀତାଙ୍କର ଅଙ୍ଗପ୍ରତ୍ୟଙ୍ଗ ଥରି ଉଠୁଥିଲା । ସମସ୍ତ ଘଟଣା ବର୍ଣ୍ଣନା କରି ରାମ ତାଙ୍କୁ ଶେଷରେ କହିଲେ : “ବର୍ତ୍ତମାନ ଭରତ ହେଉଛନ୍ତି ଅଯୋଧ୍ୟାର ରାଜା, ତେଣୁ ତୁମେ ଆଉ ମୋ’ର ପ୍ରଶଂସା କରିବା ଆଦୌ ଉଚିତ ହେବନାହିଁ, ନିଜର ବାନ୍ଧବୀମାନଙ୍କ ଆଗରେ ମଧ୍ୟ ନୁହେଁ । ତେବେ ଯାଇ ସେମାନଙ୍କର ଗହଣରେ ତୁମେ ଶାନ୍ତିରେ ସେମାନଙ୍କର ଗ୍ରହଣୀୟ ହୋଇ ରହିପାରିବ । ତେଣୁ, ବର୍ତ୍ତମାନ ଏଠାରେ ଶାନ୍ତିର ବିଶ୍ରାମ କର; ଉଚିତ ସମୟରେ ଶଯ୍ୟାତ୍ୟାଗ କରିବ, ଦେବତାମାନଙ୍କର ଅର୍ଚନା କରିବ, ପିତା ଦଶରଥଙ୍କର ଚରଣବନ୍ଦନା କରିବ, ମାତା କୌଶଲ୍ୟାଙ୍କୁ ଆଗ ପ୍ରଣାମ କରି ତା’ପରେ ମୋ’ର ଅନ୍ୟ ଜନନୀମାନଙ୍କୁ ସମାନ ଶ୍ରଦ୍ଧା ଓ ଆଦର ସହକାରେ ଯଥାମାନ୍ୟ ଦେଖାଇବ । ଭରତ ଏବଂ ଶତ୍ରୁଘ୍ନଙ୍କୁ ନିଜର ପୁତ୍ର ଅଥବା ଭ୍ରାତାଭଳି ଦେଖିବ, କାରଣ ସେମାନେ ହେଉଛନ୍ତି ମୋ’ ନିମନ୍ତେ ପ୍ରାଣଠାରୁ ମଧ୍ୟ ଅଧିକ ପ୍ରିୟ । ମୁଁ ବନବାସରେ ପ୍ରସ୍ଥାନ କଲାପରେ ତୁମେ ଏଠାରେ ଏହିଭଳି ହିଁ ରହିଥିବ ।”

 

ସୀତା ମଧ୍ୟ ସାଥିରେ ଯିବେ

 

ସକଳ କଥା ଶୁଣିସାରୀ ସୀତା ଉତ୍ତର ଦେଇଥିଲେ : “ଏଭଳି ଅନୁଚିତ କଥାଗୁଡ଼ିକୁ ଶୁଣି ମୋତେ କେବଳ ହସିବା ଲାଗି ହିଁ ଇଚ୍ଛା ହେଉଛି । ଏପରି କଥା ଶୁଣିବା ଆଦୌ ଉଚିତ ନୁହେଁ,–ଆପଣଙ୍କ ଭଳି ଜଣେ ମହାନ୍ ରାଜପୁତ୍ରଙ୍କ ମୁଖରୁ ତାହାକୁ ଶୁଣିବାର ତ ଅବକାଶ ହିଁ ରହିବା ଉଚିତ ନୁହେଁ । କାରଣ, ହେ ସ୍ଵାମୀ, ଜଣେ ପିତା, ମାତା, ପୁତ୍ର ଭ୍ରାତା ଅଥବା ବଧୂ, ଏମାନେ ତ ସମସ୍ତେ ଆପଣାର କର୍ମଦ୍ୱାରା ହିଁ ପରିଚାଳିତ ହୁଅନ୍ତି, କିନ୍ତୁ ହେ ନରୋତ୍ତମ, ଜଣେ ପତ୍ନୀ ତା’ର ସ୍ଵାମୀର ଭାଗ୍ୟରେ ହିଁ ସହଭାଗିନୀ ହୋଇଥାଏ । ତେଣୁ, ଆପଣଙ୍କ ଭଳି ମୋ’ ଭାଗ୍ୟରେ ମଧ୍ୟ ଅରଣ୍ୟରେ ନିର୍ବାସନରେ ଯିବାର କଥାଟି ମଧ୍ୟ ଲେଖାହୋଇ ରହିଛି । ଯଦି ଆପଣ ବନବାସୀ ହେବେ, ତେବେ ମୁଁ ମଧ୍ୟ ବନବାସରେ କଣ୍ଟକପଥ ଅତିକ୍ରମ କରି ସେଠାକୁ ଅବଶ୍ୟ ଯାତ୍ରା କରିବି । ସେଠାରେ ମୁଁ ପିତୃଗୃହ ପରି ସୁଖରେ ରହିପାରିବି; କେବଳ ଆପଣଙ୍କର ସେବା ବିଷୟରେ ହିଁ ଭାବିବି । ଆପଣଙ୍କୁ କୌଣସି କଷ୍ଟ ଦେବିନାହିଁ, ଫଳମୂଳ ଆହାର କରିବି । ପଥ ଚାଲିବା ସମୟରେ ଆଗରେ ରହିବି ଏବଂ ଆହାର ସମୟରେ ପଛକୁ ରହିଥିବି । ଏବଂ, ସେଠାରେ ତ ସରୋବରମାନ ରହିଥିବ, ବନହଂସୀ ଏବଂ ଅନ୍ୟ ପକ୍ଷୀମାନେ କ୍ରୀଡ଼ା କରୁଥିବେ,–ସରୋବରଗୁଡ଼ିକ ପୂର୍ଣ୍ଣପ୍ରସ୍ଫୁଟିତ ପଦ୍ମମାନଙ୍କ ଦ୍ଵାରା ଉଜ୍ଜ୍ଵଳ ଦିଶୁଥିବ । ଆମେ ମଧ୍ୟ ସେଠାରେ ସ୍ନାନ କରିପାରିବା, ଆପଣଙ୍କ ସହିତ ମୁଁ ମଧ୍ୟ ଅତ୍ୟନ୍ତ ସୁଖରେ ରହିପାରିବି,–ଶହେ ଅଥବା ସହସ୍ରବର୍ଷ ଯାଏ ରହିପାରିବି !”

 

କିନ୍ତୁ, ବନବାସୀମାନେ ସହ୍ୟ କରୁଥିବା ବହୁ କଷ୍ଟ ତଥା ବିପଦର ବର୍ଣ୍ଣନା କରି ରାମ ତାଙ୍କୁ ତା’ପରେ ନିବର୍ତ୍ତାଇବା ଲାଗି ଚେଷ୍ଟା କରିଥିଲେ; ସେଠାରେ ଭୟାନକ ବନ୍ୟଜନ୍ତୁ ଥିବେ, ବିଶଧର ସର୍ପମାନେ ରହିଥିବେ, ତୃଣର ଶଯ୍ୟା, ଅଳପ ଆହାର, କଠୋର ବ୍ରତପାଳନ, କ୍ଷୁଧା, ପିପାସା, ଭୟ ଇତ୍ୟାଦି ଇତ୍ୟାଦି । କିନ୍ତୁ ଏକଥା ଶୁଣି ସୀତା ଅଶ୍ରୁବିଗଳିତ ଚକ୍ଷୁରେ ଉତ୍ତର ଦେଇଥିଲେ : “ଆପଣ ମୋ’ ପାଖରେ ଥିବେ, ତେବେ ଏହି ମନ୍ଦଗୁଡ଼ିକ ମୋତେ ପ୍ରକୃତରେ ଆଶୀର୍ବାଦ ପରି ହିଁ ଲାଗିବ,–ମୁଁ ନିଜକୁ କେବେହେଲେ ପରିତ୍ୟକ୍ତା ହୋଇ ରହିବି ନାହିଁ । ଏବଂ, ମୋ’ର ପିତୃଗୃହରେ ବ୍ରାହ୍ମଣମାନେ ଏପରି ଏକ ଭବିଷ୍ୟବାଣୀ ମଧ୍ୟ କରିଥିଲେ ଯେ, ମୋତେ ଏକଦା ବନରେ ବାସ କରିବାକୁ ପଡ଼ିବ, ମୁଁ ସାନ ଝିଅଟିଏ ହୋଇଥିଲା ବେଳେ ଜଣେ ଯୋଗିନୀ ଆସି ମୋ’ ମାଆଙ୍କୁ ମଧ୍ୟ ସେହି କଥାଟିକୁ କହିଥିଲେ । ସାବିତ୍ରୀ ସତ୍ୟବାନଙ୍କର ଅନୁଗତା ହୋଇ ରହିଥିବା ପରି ମୁଁ ମଧ୍ୟ ସଂପୂର୍ଣ୍ଣ ଭାବରେ ଆପଣଙ୍କ ସହିତ ଏକତ୍ର ବନ୍ଧା ହୋଇ ରହିଛି । ଆପଣଙ୍କର ଉପସ୍ଥିତି ହିଁ ମୋ’ର ସ୍ଵର୍ଗ ଏବଂ ଅନୁପସ୍ଥିତି ମୋ’ ଲାଗି ନର୍କ । ଆପଣଙ୍କର ଅନୁଗାମିନୀ ହେବାଦ୍ୱାରା ହିଁ ମୁଁ ପବିତ୍ର ହୋଇ ରହିଥିବି, କାରଣ ଜଣେ ସ୍ଵାମୀ ହେଉଛନ୍ତି ଜଣେ ପତ୍ନୀ ନିମନ୍ତେ ପ୍ରକୃତରେ ଈଶ୍ଵର ସଦୃଶ । ମୋତେ ଆପଣ ସାଙ୍ଗରେ ନିଅନ୍ତୁ, ଯେପରିକି ମୁଁ ଆପଣଙ୍କର ଆନନ୍ଦ ତଥା ଦୁଃଖରେ ସମଭାଗୀ ହୋଇପାରିବି;–ନହେଲେ ମୋତେ ବିଷପାନ କରିବାକୁ ହେବ, ଅଥବା ଅଗ୍ନିରେ ଝାସ ଦେବାକୁ ହେବ, କିମ୍ବା ଜଳରେ ବୁଡ଼ି ମରିବାକୁ ପଡ଼ିବ ।” ସୀତା ଏହିଭଳି ବହୁତ ପ୍ରାର୍ଥନା କରିଥିଲେ, ତାଙ୍କର ମୁଖମଣ୍ଡଳରୁ ବଡ଼ ବଡ଼ ଲୋତକବିନ୍ଦୁ ବହି ଆସୁଥାଏ,–କମଳପୁଷ୍ପର ପାଖୁଡ଼ାଗୁଡ଼ିକ ଉପରୁ ଜଳବିନ୍ଦୁ ଝରି ଆସିବାଭଳି ।

 

ତା’ପରେ ରାମ ତାଙ୍କର ବାସନାକୁ ପୂରଣ କରିଥିଲେ : “ହେ ସୁନ୍ଦରୀ ସୀତା, ଯେହେତୁ ଅରଣ୍ୟଲାଗି ତୁମର କୌଣସି ଭୟ ନାହିଁ, ତେଣୁ ମୋ’ ସହିତ ନିଶ୍ଚୟ ବନଗମନ କରିବ ଓ ମୋ’ର ଧର୍ମପାଳନ ସହଭାଗିନୀ ମଧ୍ୟ ହେବ । ତେବେ ନିଜର ଯାହା ଧନସମ୍ପଦ ରହିଛି, ତୁମେ ତାହାକୁ ବ୍ରାହ୍ମଣମାନଙ୍କୁ ଦାନ କରିଦେଇ ଶୀଘ୍ର ବନବାସ ନିମନ୍ତେ ପ୍ରସ୍ତୁତ ହୋଇଯାଅ ।” ଏହାପରେ ସୀତାଙ୍କ ହୃଦୟ ଉଲ୍ଲସିତ ହୋଇ ଉଠିଥିଲା ଏବଂ ବ୍ରାହ୍ମଣମାନଙ୍କୁ ନିଜର ସମସ୍ତ ଧନରାଜି ଦାନ କରି ଓ ଦରିଦ୍ରମାନଙ୍କୁ ଭୋଜନ କରାଇ ସିଏ ମଧ୍ୟ ଯାତ୍ରା ପାଇଁ ପ୍ରସ୍ତୁତ ହୋଇଗଲେ ।

 

ଲକ୍ଷ୍ମଣ ଅନୁଗାମୀ ହେଲେ

 

ତା’ପରେ ଲକ୍ଷ୍ମଣ ମଧ୍ୟ ଅଶ୍ରୁପୂର୍ଣ୍ଣ ନୟନରେ ରାମଙ୍କର ଚରଣ ଧରି କହିଥିଲେ : “ଯଦି ଆପଣ ଏପରି ଭାବରେ ହସ୍ତୀ ଏବଂ ମୃଗମାନଙ୍କ ଦ୍ଵାରା ପରିପୂର୍ଣ୍ଣ ଅରଣ୍ୟକୁ ଯାତ୍ରା କରିବେ, ତେବେ ମୁଁ ମଧ୍ୟ ଆପଣଙ୍କ ସାଙ୍ଗରେ ଯିବି ଏବଂ ଆମେ ଏକତ୍ର ସେଠାରେ ରହିବା,–ସେଠାରେ ପକ୍ଷୀମାନଙ୍କର ଗୀତଗୁଡ଼ିକୁ ଶ୍ରବଣ କରିବା, ମଧୁମକ୍ଷୀର ମଧୁର ଗୁଣୁଗୁଣୁକୁ ମଧ୍ୟ ଶୁଣିପାରିବା । ମାର୍ଗରେ ମୁଁ ଆପଣଙ୍କର ଆଗରେ ଥିବି, ମାର୍ଗ କାଢ଼ି ନେଇ ଯାଉଥିବି–ଧନୁଗୁଡ଼ିକୁ, ଖନିତ୍ର ତଥା ଦ୍ରବ୍ୟର ମୁଣାଟିକୁ ବାହା କରୁଥିବି । ଆପଣଙ୍କର ଆବଶ୍ୟକ ଫଳମୂଳକୁ ମୁଁ ପ୍ରତ୍ୟହ ସଂଗ୍ରହ କରି ଆଣିବି । ଆପଣ ସୀତାଙ୍କ ସହିତ ପର୍ବତ ଧାରାରେ ନାନା କ୍ରୀଡ଼ା କରୁଥିବେ ଏବଂ ମୁଁ ଆପଣଙ୍କ ପାଇଁ ସବୁକିଛି କରି ଦେଉଥିବି ।” ଯେତେ ଯୁକ୍ତି ଦର୍ଶାଇଥିଲେ ମଧ୍ୟ ରାମ ତାଙ୍କୁ ନିବୃତ୍ତ କରିପାରିଲେ ନାହିଁ । କହିଥିଲେ, “ତେବେ ତୁମେ ଯାଇ ସ୍ଵଜନମାନଙ୍କ ଠାରୁ ବିଦାୟ ନେଇ ଆସିବ ଏବଂ, ରାଜା ଜନକ ବିବାହକାଳୀନ ଉପହାର ସଦୃଶ ଯେଉଁ ଦୁଇ ଭାର ପଜା ହୋଇଥିବା ଅସ୍ତ୍ରଗୁଡ଼ିକୁ ଦାନ କରିଥିଲେ, ମୋ’ ଗୁରୁଙ୍କ ଠାରୁ ସେଗୁଡ଼ିକୁ ଯାଇ ମଧ୍ୟ ନେଇ ଆସିବ । ଏବଂ, ମୋ’ର ସକଳ ସମ୍ପତ୍ତିକୁ ବ୍ରାହ୍ମଣମାନଙ୍କୁ ବିତରଣ କରିଦେବ । ଏହାପରେ ରାମ, ସୀତା ଏବଂ ଲକ୍ଷ୍ମଣ ପିତୃଦେବ ଓ କୌଶଲ୍ୟା ପାଖରୁ ବିଦାୟ ନେବାକୁ ଯାଇଥିଲେ । ସେହି ସମୟରେ ସୁମନ୍ତନାମକ ଜଣେ ଉତ୍ତମ ବ୍ରାହ୍ମଣ ଦଶରଥଙ୍କୁ ଏଭଳି ଦୁଃଖାଭିଭୂତ ଦେଖି ଓ ରାମ ଚାଲି ଯାଉଛନ୍ତି ବୋଲି କରୁଣା-ପରିବେଶ ହୋଇ କୈକେୟୀଙ୍କ ପାଖରେ ତାଙ୍କର ମତ ପରିବର୍ତ୍ତନ କରିବା ସକାଶେ ଯାଇ ପ୍ରାର୍ଥନା କରିଥିଲେ–ତାଙ୍କର ହାତକୁ ଧରି କୋମଳ ଅଥଚ ସ୍ପଷ୍ଟ ଭାବରେ ତାଙ୍କୁ କେତେ କଥା କହିଲେ । ମାତ୍ର, ସେତେବେଳକୁ ସେହ ମହୀଷୀଙ୍କର ହୃଦୟ ଆହୁରି ଅଧିକ କଠିନ ହୋଇ ଯାଇଥିଲା ଏବଂ ତେଣୁ ଆଉ କୌଣସି ପ୍ରକାରେ ନଇଁବାକୁ ପ୍ରସ୍ତୁତ ହେଲାନାହିଁ । ମାତ୍ର, ଯେତେବେଳେ ରାଜା ଦଶରଥ ନିଜ ରାଜ୍ୟର ସକଳ ସମ୍ପତ୍ତି ତଥା ଜନଗଣଙ୍କୁ, ମଧ୍ୟ ଅରଣ୍ୟକୁ ପ୍ରେରଣ କରିବାଲାଗି ଇଚ୍ଛା କଲେ, ସେତେବେଳେ କୈକେୟୀଙ୍କର ମୁଖ ବିବର୍ଣ୍ଣ ହୋଇଗଲା ଓ ସେ ଅତୀବ ରୋଷରେ ଅଣନିଃଶ୍ଵାସୀ ହୋଇ ଯାଉଥିବା ପରି ଦେଖାଗଲେ । କାରଣ ସିଏ ତ ଇଚ୍ଛା କରୁଥିଲେ ଯେ ରାମ ନିଃସ୍ଵ ହୋଇ ବନବାସ କରିବେ ଏବଂ ଭରତ ସକଳ ସମ୍ପତ୍ତିର ଅଧିକାରୀ ହେବେ ।

 

ମାତ୍ର ରାମଚନ୍ଦ୍ର ଆପତ୍ତି କରି କହିଥିଲେ, “ମାତ୍ର ଅରଣ୍ୟରେ ନିଜ ସହିତ ଏତେ ମନୁଷ୍ୟଙ୍କୁ ନେଇ ମୁଁ କ’ଣ କରିବି ? ଗୋଟିଏ ହସ୍ତୀକୁ ବର୍ଜନ କରିସାରିବା ପରେ ତଥାପି ସିଏ ବନ୍ଧା ହେଉଥିବା ରଜ୍ଜୁଗୁଡ଼ିକୁ ରଖିଲେ କି ପ୍ରୟୋଜନରେ ଲାଗିବ ? ବରଂ ସେମାନେ ମୋତେ ବକ୍କଳବସ୍ତ୍ର ଆଣି ଦିଅନ୍ତୁ, ଗୋଟିଏ ଖନିତ୍ର ଏବଂ ଦ୍ରବ୍ୟାଦି ରଖିବା ନିମନ୍ତେ ଗୋଟିଏ ଥଳୀ ଦିଅନ୍ତୁ-।” ତହୁଁ କୈକେୟୀ ବକ୍କଳବସ୍ତ୍ର ଆଣି ଦେଇଥିଲେ, ରାମ, ଲକ୍ଷ୍ମଣ ଓ ସୀତା ପ୍ରତ୍ୟେକଙ୍କ ସକାଶେ ଗୋଟିଏ ଗୋଟିଏ । ମାତ୍ର, ପାଟବସ୍ତ୍ର ପରିଧାନ କରିଥିବା ସୀତା ଜଣେ ଗୃହତ୍ୟାଗିନୀ ସନ୍ନ୍ୟାସୀର ଏହି ପରିଚ୍ଛଦଟିକୁ ଦେଖି ବ୍ୟାଧଜାଲ ସମ୍ମୁଖରେ ଗୋଟିଏ ହରିଣୀ ପରି ଜମ୍ପିତ ହୋଇ ଉଠିଲେ ଏବଂ କାନ୍ଦିବାକୁ ଲାଗିଲେ । ସେତେବେଳେ ସେମାନେ ରାମଙ୍କୁ ପରି ଜମ୍ପିତ ହୋଇ ଉଠିଲେ ଏବଂ କାନ୍ଦିବାକୁ ଲାଗିଲେ । ସେତେବେଳେ ସେମାନେ ରାମଙ୍କୁ ଏପରି ହେବାକୁ ପରାମର୍ଶ ଦେଇଥିଲେ ଯେ, ସୀତା ବରଂ ଗୃହରେ ରହନ୍ତୁ ଓ ରାମ ଲେଉଟି ଆସିବାଯାଏ ଅପେକ୍ଷା କରିଥାଆନ୍ତୁ-। ଏବଂ ମୁନି ବଶିଷ୍ଟ କୈକେୟୀଙ୍କୁ ଭର୍ତ୍ସନା କରି କହିଲେ, “ସୀତା ମଧ୍ୟ ଅରଣ୍ୟକୁ ଯିବେ ବୋଲି ସତ୍ୟରେ ଆଦୌ ନଥିଲେ । ବରଂ ସୀତା ହିଁ ଅଯୋଧ୍ୟାରେ ରହି ରାମଙ୍କର ଆସନରେ ରହନ୍ତୁ, କାରଣ, ବିବାହିତ ସକଳ ମନୁଷ୍ୟଙ୍କର କ୍ଷେତ୍ରରେ ପତ୍ନୀକୁ ଅର୍ଦ୍ଧାଙ୍ଗିନୀ ବୋଲି କୁହାଯାଏ । ତେଣୁ, ରାମଙ୍କର ସ୍ନାନରେ ସୀତା ଅଯୋଧ୍ୟା ରାଜ୍ୟର ଶାସନ କରନ୍ତୁ,–ଏବଂ, ଅତ୍ୟନ୍ତ ନିଶ୍ଚିତ ଭାବରେ ଜାଣି ରଖିବାକୁ ହେବ ଯେ, ଯେଉଁ ସିଂହାସନ ରାମଙ୍କର ହୋଇଥାନ୍ତା, ତାହାକୁ ଅଧିକାର କରିବାକୁ ଭରତ କଦାପି ରାଜି ହେବେନାହିଁ । ବିଚାର କର କୈକେୟୀ, ଏହି ପୃଥିବୀରେ ଏପରି ବ୍ୟକ୍ତି ଜଣେହେଲେ କେହି ନାହିଁ ଯିଏକି ରାମଙ୍କର ବନ୍ଧୁ ନୁହେଁ । ଏବେ ମଧ୍ୟ ତୁମେ ଦେଖୁଥିବ ଯେ, ପଶୁ, ପକ୍ଷୀ ଓ ସର୍ପମାନେ ମଧ୍ୟ ରାମଙ୍କ ପଛେ ପଛେ ଯାଆନ୍ତି ଏବଂ ବୃକ୍ଷମାନେ ରାମଙ୍କ ଆଡ଼କୁ ମସ୍ତକ ନତ କରି ଆଣନ୍ତି । ତେଣୁ, ସୀତା ହିଁ ସର୍ବାଳଙ୍କୃତା ହୋଇ ରହନ୍ତୁ, ରଥାଦି, ଯାବତୀୟ ବସ୍ତୁସମ୍ପଦ ଏବଂ ପରିକରବୃନ୍ଦ ସମସ୍ତେ ତାଙ୍କ ପାଖରେ ରହନ୍ତୁ !”

 

ତା’ପରେ ଦଶରଥ ସକଳ ରାଜକୀୟ ପରିଧାନ ଏବଂ ମୋତିମାଣିକ ସୀତାଙ୍କୁ ଆଣି ଦେଇଥିଲେ ଏବଂ ସେଗୁଡ଼ିକୁ ଗ୍ରହଣ କରି ସୀତା କେଡ଼େ ଉଜ୍ଜ୍ୱଳ ଦେଖାଗଲେ । ଜନଗଣ କୈକେୟୀଙ୍କର ନିନ୍ଦା ନାନା କଥା କହୁଥାନ୍ତି । ଏବଂ ସୁମନ୍ତ ମଧ୍ୟ ଘୋଡ଼ାମାନଙ୍କୁ ଆଣି ରାମଙ୍କ ପାଇଁ ରଥ ସଜ କରିବାକୁ ଲାଗିଲେ । ତା’ପରେ ରାଣୀ କିଉଶଲ୍ୟା ସୀତାଙ୍କ ଠାରୁ ବିଦାୟ ନେଇଥିଲେ : ଜଣେ ନାରୀର କର୍ତ୍ତବ୍ୟ ବିଷୟରେ ତାଙ୍କୁ ଉପଦେଶ ଦେଲେ, ନିର୍ବାସନ ସମୟରେ ମଧ୍ୟ ଓ ସ୍ଵାମୀଙ୍କ ପାଖରେ କୌଣସି ଧନ ନଥିଲେ ମଧ୍ୟ ସ୍ଵାମୀଙ୍କୁ ଈଶ୍ଵରଙ୍କ ଭଳି ଗ୍ରହଣ କରିବାକୁ କହିଥିଲେ । ସୀତା କୌଶଲ୍ୟାଙ୍କୁ ଉତ୍ତର ଦେଲେ, “ଚନ୍ଦ୍ରମା ପଛେ ଜ୍ୟୋତିହୀନ ହୋଇ ମଳିନ ଦେଖା ଯାଇପାରେ, ମାତ୍ର ମୁଁ କଦାପି ମୋ’ର ଏହି କର୍ତ୍ତବ୍ୟରୁ ବିଚ୍ୟୁତ ହେବିନାହିଁ । ତାର ଛିଡ଼ିଗଲେ ବାଦ୍ୟଯନ୍ତ୍ର ନୀରବ ହୋଇଯାଏ, ଚକ ନଥିଲେ ରଥର ଆଉ କୌଣସି ଗତି ରହେନାହିଁ, ଠିକ୍ ସେହିପରି ସ୍ଵାମୀଠାରୁ ଛିନ୍ନ ହୋଇ ଜଣେ ନାରୀର ଆଉ ସୁଖ ବୋଲି ଆଦୌ କିଛି ନଥାଏ । ମୋ’ର ଉର୍ଦ୍ଧ୍ୱରେ ରହିଥିବା ବ୍ୟକ୍ତିମାନେ ମୋ’ ସ୍ଵାମୀଙ୍କୁ ଯେତେବେଳେ ବୃହତ୍ ତଥା କ୍ଷୁଦ୍ର ଯାବତୀୟ କର୍ତ୍ତବ୍ୟ ବିଷୟରେ ଶିକ୍ଷା ଦେଇଛନ୍ତି, ସେତେବେଳେ ମୁଁ ତାଙ୍କ ପାଖରେ କିପରି ଅବାଧ୍ୟ ହୋଇ ପାରିବି ?”

 

ତା’ପରେ ରାମ ଦଶରଥ ଓ ମାଆମାନଙ୍କ ଠାରୁ ବିଦାୟ ନେଇ ପ୍ରାର୍ଥନା କରିବାଭଳି ଯୁକ୍ତିକର ହୋଇ କହିଲେ, “ଯଦି ମୁଁ କେବେ ମାନ୍ୟତା ରକ୍ଷା ନ କରି କୌଣସି କଥା କହିଥିବି, ଭାବନାରେ ବୁଡ଼ି ଯାଇଥିବି କିମ୍ବା ଅନ୍ୟମନସ୍କ ହୋଇ କୌଣସି ଅନୁଚିତ କାର୍ଯ୍ୟ କରିଥିବି, ତେବେ ଆପଣମାନେ ମୋତେ ସେଥିପାଇଁ କ୍ଷମା କରିବେ । ମୁଁ ସମସ୍ତଙ୍କୁ ପ୍ରଣାମ କରୁଛି ଏବଂ ପିତୃଦେବ ତଥା ଜନନୀମାନଙ୍କୁ ନମସ୍କାର କରି ଏଠାରୁ ପ୍ରସ୍ଥାନ କରୁଛି ।” ଏହାପରେ ସୀତା, ରାମ ଓ ଲକ୍ଷ୍ମଣ ସୂର୍ଯ୍ୟଙ୍କ ଆଡ଼କୁ ମୁଖ କରି ତିନିଥର ନିମନ୍ତେ ପିତାଙ୍କର ପରିକ୍ରମା କଲେ ଏବଂ ଯିବାକୁ ଆରମ୍ଭ କଲେ ।

 

ତତ୍ପରେ, ରାମ, ଲକ୍ଷ୍ମଣ, ଓ ସମସ୍ତଙ୍କ ପଛରେ ସୀତା ସ୍ଵର୍ଣ୍ଣଖଚିତ ଉଜ୍ଜ୍ଵଳ ରଥଟିରେ ଆରୋହଣ କଲେ; ନିଜର ଅସ୍ତ୍ର ଓ ଚର୍ମ, ଖନିତ୍ର ଓ ଦ୍ରବ୍ୟର ମୁଣି ଏବଂ ଦଶରଥ ସୀତାଙ୍କୁ ଦେଇଥିବା ବସ୍ତୁଗୁଡ଼ିକୁ ସାଙ୍ଗରେ ନେଇଥିଲେ । ସୁମନ୍ତ୍ର ଘୋଡ଼ାମାନଙ୍କୁ ପବନ ପରି ଛୁଟାଇ ଦେଲେ । ନଗରୀରେ ଥିବା ମନୁଷ୍ୟ ତଥା ଇତର ପ୍ରାଣୀମାନେ ଦୁଃଖରେ ବାକ୍‌ରୁଦ୍ଧ ହୋଇ ଅନାଇ ରହିଥାନ୍ତି । ସେମାନେ ବୁଦ୍ଧି ହରାଇଥିଲା ପରି ରଥ ପଶ୍ଚାତରେ ଦଉଡ଼ିବାକୁ ଲାଗିଲେ, ଜଳର ଦର୍ଶନ କରି ଧାଉଁଥିବା ଠିକ୍ ତୃଷାର୍ତ୍ତ ପଥିକମାନଙ୍କ ପରି । ରାମଙ୍କର ମାଆ କୌଶଲ୍ୟା ମଧ୍ୟ ରଥ ପଛରେ ଦଉଡ଼ି ଯାଇଥିଲେ । ତେଣୁ ରାମ ସାରଥିକୁ କହିଲେ, “ତୁମେ ଆହୁରି ଅଧିକ ବେଗରେ ରଥଚାଳନ କର, କାରଣ, ନିଜ ପଛରେ ଲୋକମାନେ ଧାଉଁଥିବା ପର୍ଯ୍ୟନ୍ତ ଗୋଟିଏ ହାତୀ ଯେପରି ଆଦୌ ପଛକୁ ଅନାଇ ପାରେନାହିଁ, ଠିକ୍ ସେହିପରି । ଅଳ୍ପ ସମୟରେ ରାମ ବହୁତ ଦୂରକୁ ଆଗେଇ ଗଲେ, ରଥର ଗତିପଥକୁ ଅନାଇ ରହିଥିବା ଲୋକମାନଙ୍କୁ ଆଉ କିଛି ହେଲେ ଦେଖାଯାଇନଥିବା । ତା’ପରେ ଦଶରଥ କୈକେୟୀଙ୍କୁ ଆଡ଼କୁ ମୁହଁକରି ଅଭିଶାପ ଦେଇଥିଲେ ଯେ ପ୍ରାସାଦର ଶୟନକକ୍ଷ ଏବଂ ସଦନଗୁଡ଼ିକରୁ ସେ ଏଣିକି ବଞ୍ଚିତ ହୋଇ ରହିବେ । ଏବଂ, ଏହାପରେ ନଗରୀଟିର ଶୂନ୍ୟ ପଥ ତଥା ବନ୍ଦ ହୋଇ ରହିଥିବା ବିପଣିଗୁଡ଼ିକୁ ଚାହିଁ ସେ କହିଥିଲେ, “ମୋତେ ତୁମମାନେ ରାମଙ୍କର ଜନନୀ କୌଶଲ୍ୟାଙ୍କର ପ୍ରକୋଷ୍ଠକୁ ଘେନିଯାଅ, କେବଳ, ସେହିଠାରେ ହିଁ ମୁଁ ବିଶ୍ରାମ ଗ୍ରହଣ କରିବି ।

 

ରାମ, ସୀତା ଓ ଲକ୍ଷ୍ମଣ ନିର୍ବାସନରେ ଗଲେ

 

ଦୁଇଦିନ ଦ୍ରୁତ ରଥଚାଳନା ଅନ୍ତେ ରାମ କୋଶଳରାଜ୍ୟର ସୀମାରେ ଯାଇ ପହଞ୍ଚିଥିଲେ ଏବଂ ସେଠାରେ ପଛଆଡ଼କୁ ନିଜର ମୁହଁ ବୁଲାଇ ଅଯୋଧ୍ୟାଭୂମି ଓ ତାହାର ଅଧିବାସୀଙ୍କ ଠାରୁ ବିଦାୟ ଭିକ୍ଷା କରିଥିଲେ । କହିଥିଲେ: “ହେ ନଗରୀମାନଙ୍କର ରାଣୀ, ତୁମକୁ ସୁରକ୍ଷା ଦେଇ ସେଠାରେ ବାସ କରୁଥିବା ଦେବତାମାନଙ୍କ ସମେତ ମୁଁ ତୁମକୁ ସମ୍ବୋଧନ କରି କହୁଛି,–ବ୍ରତରକ୍ଷାର କାଳଟି ପୂରିଯିବା ପରେ ମୁଁ ମୋ’ ଅରଣ୍ୟବାସରୁ ପୁନର୍ବାର ତୁମ ଅଙ୍କକୁ ଫେରିଆସିବି ଏବଂ ମୋ ଜନକଜନନୀଙ୍କୁ ପୁଣି ଦେଖିବି ।” ତା’ପରେ ସେମାନେ କୋଶଳ ତ୍ୟାଗ କରିଥିଲେ,–ସେତେବେଳେ ସେହି ରାଜ୍ୟଟି ଧନସମ୍ପଦ, ଗୋଧନ ତଥା ବ୍ରାହ୍ମଣମାନଙ୍କ ଦ୍ଵାରା ସମୃଦ୍ଧ ହୋଇ ରହିଥିଲା । ତା’ ପରେ ଖୁସୀରେ ଭରି ରହିଥିବା ଅନ୍ୟକେତେ ରାଜ୍ୟ ପାରି ହୋଇ ଗଙ୍ଗାନଦୀ ପାଖରେ ଆସି ପହଞ୍ଚିଥିଲେ । ସକଳ ଜୀବପ୍ରାଣୀଙ୍କର ପରିଚର୍ଯ୍ୟା କରୁଥିବା ସ୍ଵଚ୍ଛସଳିଳା ପୁଣ୍ୟବତୀ ଗଙ୍ଗାର ସେହି ତଟଭୂମିରେ ଦେବତା ତଥା ଦେବଦୂତମାନେ ବାସ କରୁଥିଲେ,–ଗଙ୍ଗାରେ କୌଣସି ପାପର ସ୍ଥାନ ନଥାଏ ଓ ତାହାରି ଅନୁଗ୍ରହରେ ସର୍ବପାପର କ୍ଷାଳନ ମଧ୍ୟ ହୋଇଥାଏ । ସେଠାରେ ନିଷାଦମାନଙ୍କର ରାଜା ଗୁହକ ରାମଙ୍କର ଅଭ୍ୟର୍ଥନା କରିଥିଲେ । ଅଶ୍ଵମାନଙ୍କୁ ଆହାର ଦେଲେ ଏବଂ ରାତ୍ରିତମାମ ସେମାନଙ୍କୁ ଜଗି ବସିଥିଲେ ଏବଂ ପ୍ରତ୍ୟୁଷ ସମୟରେ କୋଇଲି ଓ ମୟୂରମାନଙ୍କର ଡାକ ଶୁଭିବା ପରେ ସିଏ ଗୋଟିଏ ସୁନ୍ଦର ନୌକା ଆଣି ପହଞ୍ଚାଇବା ନିମନ୍ତେ ଆଜ୍ଞା ଦେଇଥିଲେ । ତା’ପରେ ଦୁଇ ଭାଇ ଅଠା ସାହାଯ୍ୟରେ ମୁଣ୍ଡର ବାଳକୁ ଜଟାଯୂଥରେ ପରିଣତ କରିଥିଲେ,–ଠିକ୍ ଅରଣ୍ୟବାସୀ ଯତିମାନେ ଯେପରି କରନ୍ତି । ତା’ପରେ ରାମଚନ୍ଦ୍ର ଗୂହକଙ୍କ ଠାରୁ ବିଦାୟ ନେଲେ, ସାରଥି ସୁମନ୍ତ୍ରକୁ ମଧ୍ୟ ରଥ ସହିତ ଅଯୋଧ୍ୟା ଫେରିଯିବାକୁ କହିଲେ । ଅବଶ୍ୟ ସୁମନ୍ତ୍ର ସେମାନଙ୍କୁ ଆଉକିଛି ଦୂର ରଥରେ ବାହିଦେବାକୁ ଇଚ୍ଛା କରୁଥିଲେ । ନଦୀ ପାର ହେଉଥିବା ସମୟରେ ସୀତା ଗଙ୍ଗାକୁ ପ୍ରାର୍ଥନା କରିଥିଲେ ଓ ଚଉଦ ବର୍ଷ ପରେ ସେମାନେ ଯେପରି ନିରାପଦରେ ଫେରିଆସିବେ, ତାଙ୍କ ପାଖରେ ସେହି ନିବେଦନ କରିଥିଲେ । ତେବେ ସେ ବହୁତ ନୈବେଦ୍ୟ ସହିତ ତାଙ୍କର ଉପାସନା ନିଶ୍ଚୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

 

ସେଦିନ ରାତ୍ରିରେ ସେମାନେ ଏକ ଦୂର ନଦୀର ତଟରେ ଗୋଟିଏ ବିରାଟ ବୃକ୍ଷତଳେ ଅତିବାହିତ କଲେ ଏବଂ ରାମ ଓ ଲକ୍ଷ୍ମଣ ଶିକାର କରି ଆଣିଥିବା ବରାହର ମାଂସ ଆହର କରିଥିଲେ । ଏବଂ ଏକାକୀ ଅଥବା ଲୋକସମାଗମ ଯେପରି ଅବସ୍ଥାରେ ରହିଥିଲେ ମଧ୍ୟ ଦୁଇ ଭ୍ରାତା ସୀତାଙ୍କୁ ଓ ପରସ୍ପରକୁ ରକ୍ଷା କରିବେ ବୋଲି ଶପଥ ଗ୍ରହଣ କଲେ । ଲକ୍ଷ୍ମଣ ଆଗେ ଆଗେ ଯିବେ, ମଝିରେ ସୀତା ଓ ରାମ ସବା ପଛରେ । ସେମାନେ ଅଯୋଧ୍ୟା ବିଷୟରେ ମଧ୍ୟ ଆଲୋଚନା କଲେ ଏବଂ କୈକେୟୀଙ୍କୁ ମନ୍ଦ ଅଭିପ୍ରାୟର ଆଶଙ୍କା କରି କୈକେୟୀଙ୍କର ସେବାଯତ୍ନ କରିବା ନିମନ୍ତେ ହୁଏତ ଲକ୍ଷ୍ମଣଙ୍କୁ ଫେରିଯିବାକୁ ପଡ଼ିବ ବୋଲି ରାମ ମଧ୍ୟ ଆଶଙ୍କା କରୁଥିଲେ । ସେ କୈକେୟୀଙ୍କ ବିଷୟରେ ଅଭିଯୋଗ କରି ନିଜ ବାପାଙ୍କୁ ମଧ୍ୟ କିଞ୍ଚିତ୍ ଦୋଷ ଦେଇଥିଲେ ଯେ, ସିଏ (ଦଶରଥ) ପ୍ରାୟ ସର୍ବଦା ନାରୀର ଇଚ୍ଛା ଅନୁସାରେ ନିଜକୁ ପରିଚାଳିତ କରନ୍ତି । ମାତ୍ର ଲକ୍ଷ୍ମଣ ନିଜ ଭାଇଙ୍କୁ ସାନ୍ତ୍ଵନା ଦେବାରୁ ରାମଙ୍କର କ୍ରନ୍ଦନ ବନ୍ଦ ହୋଇଗଲା । ଲକ୍ଷ୍ମଣ କହିଥିଲେ, “ଆପଣ ଦୁଃଖରେ କଦାପି ଏପରି ମ୍ରିୟମାଣ ହୋଇ ପଡ଼ିବେ ନାହିଁ । କାରଣ ତା’ହେଲେ ମୁଁ ଓ ସୀତା ମଧ୍ୟ ଦୁଃଖରେ ଅଧୀର ହୋଇପଡ଼ିବୁ । ଏବଂ, ହେ ରାମ, ପାଣି ବାହାରେ ମୀନ ରହି ନପାରିବା ଭଳି ମୁଁ ମଧ୍ୟ ଆପଣଙ୍କ ବ୍ୟତୀତ କୌଣସି ସ୍ଥାନରେ ରହି ପାରିବି ନାହିଁ । ତୁମଠାରୁ ଛିନ୍ନ ହୋଇ ମୁଁ ବାପାଙ୍କୁ, ଶତ୍ରୁଘ୍ନକୁ, ସୁମିତ୍ରାଙ୍କୁ ଓ ଏପରିକି ସ୍ଵର୍ଗକୁ ମଧ୍ୟ ଦେଖିବାକୁ ଇଚ୍ଛା କରିବିନାହିଁ ।” ଏହି କଥାଟିକୁ ଶୁଣି ରାମ ବହୁତ ସାନ୍ତ୍ଵନା ଲାଭ କଲେ ଏବଂ ସୀତାଙ୍କ ସହିତ ବଟବୃକ୍ଷ ତଳେ ଶୟନ କରିଥିଲେ । ଲକ୍ଷ୍ମଣ ପ୍ରହରୀ ହୋଇ ଜଗି ରହିଲେ ।

 

ତହିଁ ଆରଦିନ ସେମାନେ ଗଙ୍ଗାଯମୁନାର ସଂଗମସ୍ଥାନ ପ୍ରୟାଗଠାରେ ଯାଇ ପହଞ୍ଚିଲେ-। ସେଠାରେ ମୁନି ଭରଦ୍ୱାଜଙ୍କର ଆଶ୍ରମ ଥିଲା । ତାଙ୍କ ଯଜ୍ଞଶାଳାରୁ ଧୂମ୍ର କୁଣ୍ଡଳୀ ଉତ୍ଥିତ ହେବାରେ ଲାଗିଥାଏ ଏବଂ ସେହି ସ୍ଥାନଙ୍କୁ ମଧ୍ୟ ସେମାନଙ୍କୁ ନିମନ୍ତ୍ରିତ କରି ନିଆ ଯାଇଥିଲା । ଭରଦ୍ଵାଜ ସେମାନଙ୍କୁ ଚିତ୍ରକୂଟ ପର୍ବତ ଆରୋହଣ କରିବା ପାଇଁ ପରାମର୍ଶ ଦେଲେ,–ତାହା ପ୍ରୟାଗଠାରୁ ମାତ୍ର ଦଶ କ୍ରୋଶ ମାର୍ଗ । “ସେହିଠାରେ ହିଁ ତୁମେ ଅବସ୍ଥାନ କରିବାର ଅନୁକୂଳ ସ୍ଥାନଟିଏ ପାଇବ-। ବହୁ ସଂଖ୍ୟାରେ ବହୁତ ପ୍ରକାର ବୃକ୍ଷରାଜି, ମୟୂରମାନଙ୍କର ଡାକରେ ନିନାଦିତ ହୋଇ ରହିଛି-। ଅରଣ୍ୟରେ ବୃହତ୍ ବୃହତ୍ ହସ୍ତୀ ରହିଛନ୍ତି । ଦଳ ଦଳ ହସ୍ତୀ, ଯୂଥ ଯୂଥ ହରିଣ । ସେଠାରେ ତୁମେ ସୀତାଙ୍କ ସହିତ ବିହାର କରିବ, ସେଠାରେ ଥିବା ନଦୀ, ପ୍ରାନ୍ତର, ପର୍ବତଗୁହା ଏବଂ ନିର୍ଝରିଣୀ, କୋଇଲିମାନଙ୍କର କୂଜନ ଓ କୁରଙ୍ଗମାନଙ୍କର ଡାକ,–କେତେ ପ୍ରକାରର ସୁସ୍ଵାଦୁ ଫଳ ଓ ମୂଳ ସେଠାରେ,–ତୁମକୁ ଅତ୍ୟନ୍ତ ଭଲ ଲାଗିବ ।”–ମୁନି ରାମଙ୍କୁ କହିଥିଲେ, ମୁନି, ତା’ ପରେ ସେଠାରେ ପହଞ୍ଚି ପାରିବା ନିମନ୍ତେ ସେମାନଙ୍କୁ ପଥ କହିଦେଲେ : ପ୍ରଥମେ ଯମୁନା ନଦୀକୁ ପାର ହେବ, ତା’ପରେ ‘ଶ୍ୟାମା’ ନାମକ ଗୋଟିଏ ବଟବୃକ୍ଷକୁ ପାର ହୋଇଯିବ ଏବଂ ତା’ ପରେ ଗୋଟିଏ ବାଲିରାସ୍ତା ଦେଇ ସେହି ଅରଣ୍ୟରେ ପ୍ରବେଶ କରିବ ।

 

ଏହାପରେ ରାମ, ସୀତା ଓ ଲକ୍ଷ୍ମଣ ଭରଦ୍ଵାଜଙ୍କ ଠାରୁ ବିଦାୟ ନେଇଥିଲେ । ଏକ ନୌକାରେ ଯମୁନାନଦୀକୁ ପାର ହେଲେ ଏବଂ ସେହି ବଟବୃକ୍ଷ ପାଖରେ ଆସି ପହଞ୍ଚିଥିଲେ । ସେଠାରେ ପହଞ୍ଚି ସୀତା ସଙ୍ଗେ ସଙ୍ଗେ ଯମୁନାଙ୍କୁ ପ୍ରାର୍ଥନା କରିଥିଲେ । ରାମ ନିରାପଦ ଭାବରେ ଗୃହକୁ ଫେରିଯାଇ ପାରିଲେ ସେ ତାଙ୍କୁ ବହୁତ ଗୋଧନାଦି ଦାନ ଦେବେ ବୋଲି ପ୍ରତିଜ୍ଞା ମଧ୍ୟ କଲେ । ଏବଂ ଶ୍ୟାମାବୃକ୍ଷକୁ ମଧ୍ୟ ପ୍ରାର୍ଥନା କରିଥିଲେ । କୃତାଞ୍ଜଳିପୁଟରେ ପ୍ରଣାମ କରି କହିଥିଲେ; “ହେ ବିଶାଳ ବଟବୃକ୍ଷ, ତୁମକୁ ମୁଁ ପ୍ରଣାମ କରୁଛି । ମୋ’ ସ୍ଵାମୀଙ୍କର ବନବାସ–ବ୍ରତ ସମ୍ପୂର୍ଣ୍ଣରୂପେ ପୂରଣ ହୋଇଯାଉ ଏବଂ ଆମେ ପୁନର୍ବାର କୌଶଲ୍ୟା ଓ ସୁମିତ୍ରାଙ୍କର ଦର୍ଶନ ଲାଭ କରୁ ।” ତା’ପରେ ଅରଣ୍ୟପଥରେ ଅଗ୍ରସର ହୋଇ ଯାଉଥିବା ସମୟରେ କେତେ ଅପରିଚିତ ବୃକ୍ଷ ଓ ଫୁଲଗୁଡ଼ିକୁ ଦର୍ଶନ କରି ସୀତା ରାମଙ୍କୁ ବହୁତ ପ୍ରଶ୍ନ ପଚାରିବାରେ ଲାଗିଥାଆନ୍ତି । ସେଗୁଡ଼ିକର ନାମ କ’ଣ ବୋଲି ପଚାରୁଥାନ୍ତି, ସେଗୁଡ଼ିକର ବିଶେଷ ଗୁଣଚୟ ବିଷୟରେ ମଧ୍ୟ ଜିଜ୍ଞାସା କରୁଥାନ୍ତି-। ଏବଂ, ତାଙ୍କର ଆହ୍ଳାଦବିଧାନ ନିମନ୍ତେ ଲକ୍ଷ୍ମଣ ତାଙ୍କ ପାଇଁ ଫୁଲ ଓ ଫଳମାନ ତୋଳି ଆଣୁଥାନ୍ତି, ଏବଂ, ତରଙ୍ଗମୁଖର ଝରଣାମାନେ, ବକ ତଥା ମୟୂରମାନଙ୍କର ଭଳି ଭଳି ଡାକ, ଯୂଥ ଯୂଥ ହସ୍ତୀ ଏବଂ ବାନରମାନେ ଅତିକ୍ରମ କରିଯାଉଥିବାର ଦୃଶ୍ୟ,–ସବୁକିଛି ମିଶି ସୀତାଙ୍କର ଚିତ୍ତକୁ ଆମୋଦିତ କରି ଦେଉଥାନ୍ତି ।

 

ଦ୍ଵିତୀୟ ଦିନ ଯାଇ ସେମାନେ ଚିତ୍ରକୂଟ ପର୍ବତରେ ପହଞ୍ଚିଥିଲେ । ସେଠାରେ ଋଷି ବାଲ୍ମୀକିଙ୍କର ଆଶ୍ରମ । ଋଷି କୁଶଳଜିଜ୍ଞାସା କରନ୍ତେ ରାମ ତାଙ୍କୁ ସକଳ ଘଟଣାକୁ ବର୍ଣ୍ଣନା କରି କହି ଦେଇଥିଲେ । ତା’ ପରେ ଲକ୍ଷ୍ମଣ ବିବିଧ ପ୍ରକାରର କାଷ୍ଠ ସଂଗ୍ରହ କରି ଆଣିଲେ ଏବଂ ଦୁଇଭାଇ ଏକତ୍ର ସେଥିରୁ ଗୋଟିଏ ବେଶ୍ ସୁଦୃଶ୍ୟ ଗୃହ ମଧ୍ୟ ତିଆରି କରିନେଲେ । ଗୃହରେ କବାଟମାନ ଲାଗିଥିଲେ, ଚାଳଗୁଡ଼ିକ ପତ୍ରଦ୍ଵାରା ଛପର ହୋଇଥିଲା । ତା’ପରେ ଲକ୍ଷ୍ମଣ ଗୋଟିଏ ମୃଗ ଶିକାର କରି ଆଣି ଖାଦ୍ୟ ପ୍ରସ୍ତୁତ କଲେ । ସ୍ଥାନଦେବତା ମାନଙ୍କର ଉପାସନା କରି ରାମ ସେମାନଙ୍କ ଲାଗି ଅନ୍ନତର୍ପଣ କଲେ ଏବଂ ସେହି ଉପାସନାଟି ଶେଷ ହେବାପରେ ରାମ ସୀତା ଏବଂ ଲକ୍ଷ୍ମଣଙ୍କ ସହିତ ସେହି ସୁନିର୍ମିତ ଗୃହଟିରେ ପ୍ରବେଶ କରିଥିଲେ । ଏହିପରି ଭାବରେ ଆନନ୍ଦ ବିଗଳିତ ଚିତ୍ତରେ ସେମାନେ ସେଠାରେ ଖୁସି ହୋଇ ରହିଲେ ଏବଂ ଅଯୋଧ୍ୟା ପାଇଁ ଦୁଃଖ ପ୍ରକାଶ କରିବା କ୍ରମେ ଭୁଲି ଯାଇଥିଲେ ।

 

ଦଶରଥଙ୍କର ଦୁଃଖ ଓ ମୃତ୍ୟୁ

 

ତେଣେ ଅଯୋଧ୍ୟାରେ ଦୁଃଖ ଏବଂ ବିଳାପ ଲାଗି ରହିଥାଏ,–ରାଜା ଓ ପ୍ରଜାଗଣଙ୍କୁ କୌଣସି ପ୍ରକାରେ ସାନ୍ତ୍ଵନା ମିଳି ପାରୁନଥାଏ । ରାମ ନିର୍ବାସନରେ ଯାତ୍ରା କରିବାପରେ ପଞ୍ଚମ ଦିନ ଯେତେବେଳେ କୌଶଲ୍ୟା କ୍ଷଣକ ପାଇଁ ନିଜ ଦୁଃଖର ବଶବର୍ତ୍ତୀ ହୋଇ ନିଜ ସ୍ଵାମୀଙ୍କୁ ଭର୍ତ୍ସନା କରିବାକୁ ଲାଗିଲେ, ସେତେବେଳେ ଦଶରଥଙ୍କର ସିଏ କୌଣସି ବିଗତ ଅତୀତରେ ଏକଦା କରିଥିବା ପାପଟିଏ ମନେ ପଡ଼ିଯାଇଥିଲା । ସେତେବେଳେ ସିଏ ଏକ ଶବ୍ଦଭେଦୀ ବାଣର ପ୍ରୟୋଗ କରିଥିଲେ । ସେହି କୃତ ପାପଟିର ଫଳ ସିନା ବର୍ତ୍ତମାନ ଫଲୁଛି ! ପୁତ୍ରକୁ ସେଇଥିପାଇଁ ବନବାସରେ ଯିବାକୁ ହିଁ ପଡ଼ିଛି । ଦଶରଥଙ୍କର ସେହି ପାପଟି ସ୍ମରଣ ହୋଇଗଲା ଓ ସେହି ରାତିରେ ହିଁ ସେ କୌଶଲ୍ୟାଙ୍କୁ ଘଟଣାଟି ବର୍ଣ୍ଣନା କରି କହିଥିଲେ :

 

“ସେତେବେଳେ ମୁଁ ଧନୁର୍ବିଦ୍ୟାରେ ଏତେ ପାରଙ୍ଗମ ଥିଲି ଯେ, ମୋତେ ଶବ୍ଦଭେଦୀ ବାଣ ମଧ୍ୟ ପ୍ରୟୋଗ କରି ଆସୁଥିଲା । ହେ ମହୀଷୀ, ସେତେବେଳେ ତୁମେ ବିବାହ କରିନଥିଲ ଏବଂ ମୁଁ ଜଣେ ଅତ୍ୟନ୍ତ ଶକ୍ତିଶାଳୀ ରାଜା ଥିଲି । ବର୍ଷେ, ଦାରୁଣ ଗ୍ରୀଷ୍ମତାପ ଅନ୍ତେ ପ୍ରଥମ ବର୍ଷା ଆରମ୍ଭ ହୋଇଥାଏ, ମଣ୍ଡୁକ ଏବଂ ମୟୂରମାନେ ଆନନ୍ଦରେ ଡାକିବାରେ ଲାଗି ଥାଆନ୍ତି, ବୃକ୍ଷମାନେ ପବନ ତଥା ବୃଷ୍ଟିରେ ଦୋହଲି ଉଠୁଥାନ୍ତି ଏବଂ ପର୍ବତମାନେ ତୁମୁଳ ବର୍ଷଣ ମଧ୍ୟରେ ଲୁଚି ରହିଥାନ୍ତି । ଏହିଭଳି ଏକ ମନୋରମ ଦିବସରେ ମୁଁ ଦିନେ ସରଯୁନଦୀ ତଟକୁ ଶିକାର କରିବାପାଇଁ ବାହାରିଯାଇଥିଲି ଏବଂ ସେଠାରେ ଏପରି ଏକ ଶବ୍ଦ ହେଉଥିବାର ଶୁଣିବାକୁ ପାଇଲି ଯେଉଁଥିରୁ ମୋ’ର ମନେ ହୋଇଥିଲା ଯେ ହୁଏତ ଖାଲି ମାଠିଆଟିଏ ପାଣିଭିତରେ ଭରିବାରେ ଲାଗିଛି ଅଥବା ଗୋଟିଏ ହସ୍ତୀ ଗର୍ଜନ କରୁଛି । ତା’ପରେ ସେହି ଶବ୍ଦଟି ଆସୁଥିବା ଦିଗକୁ ମୁଁ ଶରଟିଏ ପେଷିଦେଲି, କାରଣ ଚତୁର୍ଦ୍ଦିଗ ଅନ୍ଧାର ହୋଇ ରହିଥିଲା ଓ କିଛି ଦେଖି ହେଉନଥିଲା । ତା’ ପରେ ଶୋକାକୁଳ ରୋଦନର ଶବ୍ଦମାନ ଶୁଣିବାକୁ ମିଳିଥିଲା । ଦେଖିଲି, ନଦୀକୂଳରେ ବାସ କରୁଥିବା ଜଣେ ଅରଣ୍ୟବାସୀ ମୁନିଙ୍କର ଦେହକୁ ମୋ’ର ଶରଟି ଯାଇ ବିଦ୍ଧ କରିଛି । ସିଏ ନିଜର ଅବସ୍ଥା ବିଷୟରେ ମୋତେ ସବୁକଥା ଜଣାଇ ଦେଇଥିଲେ ଏବଂ ନିକଟରେ ଥିବା ଏକ ଆଶ୍ରମରେ ତାଙ୍କର ବୃଦ୍ଧ ପିତାମାତାଙ୍କର ସନ୍ଧାନ ଦେବା ସକାଶେ ମୋତେ ନିର୍ଦ୍ଦେଶ ଦେଇଥିଲେ । ଏତିକି କହୁ କହୁ ତାଙ୍କର ପ୍ରାଣବାୟୁ ଚାଲି ଯାଇଥିଲା ଓ ତାଙ୍କର ସେହି ବିୟୋଗରେ ମୁଁ ଅତ୍ୟନ୍ତ ଆକୁଳ ହୋଇ ପଡ଼ିଲି । ତା’ପରେ ତାଙ୍କର ପିତାମାତାଙ୍କୁ ଖୋଜି ବାହାର କରିଥିଲି । ସେମାନେ ତ ପୁଅ ପାଣି ଆଣିବାକୁ ଯାଇଥିଲା ଏବଂ ଫେରିବାରେ କାହିଁକି ଏତେ ବିଳମ୍ବ ଘଟୁଛି ବୋଲି ଖୁବ୍ ବ୍ୟସ୍ତ ମଧ୍ୟ ହେଉଥିଲେ । ସେମାନଙ୍କ ଆଗରେ ମୁଁ ନିଜର କୁକର୍ମଟି ସ୍ଵୀକାର କରି କହି ଦେଇଥିଲି ଏବଂ ସେହି ବୃଦ୍ଧ ଋଷି ଯିଏକି ଇଚ୍ଛା କରିଥିଲେ ମୋତେ ଭସ୍ମ କରି ପାଉଁଶ କରି ଦେଇଥାଆନ୍ତେ, ତଥାପି ମୋ’ର ଜୀବନରକ୍ଷା କଲେ, କାରଣ ଘଟିଥିବା ଘଟଣାଗୁଡ଼ିକୁ ନଲୁଚାଇ ମୁଁ ସେମାନଙ୍କୁ ସ୍ପଷ୍ଟ ଭାବରେ ସବୁ କହି ଦେଇଥିଲି । ମାତ୍ର, ଯେତେବେଳେ ଶବଦାହ ନିମନ୍ତେ ଅଗ୍ନିସଂଯୋଗ କରାଗଲା, ସେତେବେଳେ ସତେଅବା ନିଜ ପୁଅଟି ଠାରୁ କିଛି ଇସାରା ପାଇଥିଲା ପରି ବୃଦ୍ଧ ପିତା ଓ ମାତା ଆପେ ମଧ୍ୟ ଯୂଇ ମଧ୍ୟକୁ ପ୍ରବେଶ କରିଥିଲେ । ତାହା କରିବା ପୂର୍ବରୁ ସେମାନେ ମୋତେ ଅପେକ୍ଷାକୃତ ଅଳ୍ପ କଠୋର ଗୋଟିଏ ଗୋଟିଏ ଅଭିଶାପ ଦେଲେ ଯେ ମୋତେ ମଧ୍ୟ ଶେଷରେ ଆପଣାର ଏକ ପୁତ୍ର ନିମନ୍ତେ ଶୋକାକୁଳ ହୋଇ ମରିବାକୁ ପଡ଼ିବ ।

 

ତା’ପରେ ଦଶରଥ କୌଶଲ୍ୟାଙ୍କୁ ଉଦ୍ଦେଶ୍ୟ କରି କହିଥିଲେ, “ଭଦ୍ରେ ! ତୁମେ ତ ଅବଶ୍ୟ ଜାଣିଛ ଯେ, ସୁକର୍ମ ହେଉ ଅଥବା କୁକର୍ମ ହେଉ, ସେଇଟି କରିଥିବା ବ୍ୟକ୍ତିକୁ ହିଁ ତାହାର ଫଳ ଭୋଗିବାକୁ ପଡ଼ିଥାଏ । ... ରାମଙ୍କର ଏହି ବନବାସର ଘଟଣା ହିଁ ମୋ’ ମୃତ୍ୟୁର କାରଣ ହେବ । ମୁଁ ବର୍ତ୍ତମାନ ତୁମକୁ ଆଦୌ ସ୍ପଷ୍ଟରୂପେ ଦେଖି ପାରୁନାହିଁ, ମୋ’ର ଇନ୍ଦ୍ରିୟମାନେ ଆଉ କିଛି ଗ୍ରହଣ କରୁନାହାନ୍ତି । କୌଣସି ପ୍ରଦୀପରୁ ତୈଳ କମ୍ ହୋଇ ଆସିଲେ ଯେପରି ତାହା କେବଳ ମିଞ୍ଜିମିଞ୍ଜି ହୋଇ ଜଳୁଥାଏ ଓ କେବଳ କିଛି ଧୂଆଁ ବାହାରୁଥାଏ, ବର୍ତ୍ତମାନ ମୋର ଦଶା ଠିକ୍ ସେହିପରି ହୋଇଛି । ହାୟ ରାମ, ହାୟ ରାଣୀ କୌଶଲ୍ୟା, ହାୟ ଦୁଃଖିନୀ ସୁମିତ୍ରା, ଏବଂ ହେ କୁଟିଳ କୈକେୟୀ !” ଏହିପରି ବିଳାପ କରୁ କରୁ ଦଶରଥଙ୍କର ପ୍ରାଣ ଚାଲି ଯାଇଥିଲା ।

 

ଏହି ସମ୍ବାଦଟି ପ୍ରଚାରିତ ହୋଇ ତହିଁ ଆରଦିନ ଅଯୋଧ୍ୟା ଆହୁରି ଅଧିକ ଗଭୀର ଦୁଃଖରେ ମଗ୍ନ ହୋଇ ରହିଥିଲା; କାରଣ, ଗୋଟିଏ ରାଜ୍ୟରେ ରାଜା ନରହିଲେ ତ ସବୁକିଛି ଗୋଳମାଳ ହୋଇଯିବ,–ମେଘ ବର୍ଷିବ ନାହିଁ, ସର୍ବବିଧ ଆନନ୍ଦ ଓ ମହୋତ୍ସବ ବନ୍ଦ ହୋଇଯିବ, ରାଜ୍ୟର ସମୃଦ୍ଧି ବନ୍ଦ ହୋଇଯିବ,–ନିରାପତ୍ତା ବୋଲି ଆଉ କିଛି ରହିବନାହିଁ । ରାଜା ନ ଥିଲେ ନଦୀ ଶୁଖିଲା ପଡ଼ି ରହିଥିବ,–ସବୁ ତୃଣ ପୋଡ଼ି ଜଳି ଯାଇଥିବା ଅରଣ୍ୟ ପରି ଦେଖାଯିବ । କେହି ଜଗୁଆଳି ନଥିବା ଗାଈଗୋଠ ପରି ହୋଇଯିବ । ରାଜା ହେଉଛନ୍ତି ଗୋଟିଏ ରାଜ୍ୟର ପିତା ଓ ମାତା, ସିଏ ସବୁ ପ୍ରଜାଙ୍କର ତଥା ସର୍ବ ପ୍ରାଣୀଙ୍କର ମଙ୍ଗଳ ପାଇଁ ନିରନ୍ତର ଦୃଷ୍ଟି ରଖିଥାନ୍ତି । ସେହିପରି ବିଚାର କରି ରାଜପ୍ରସାଦର କର୍ମକର୍ତ୍ତା ତଥା କୁଳପୁରୋହିତମାନେ ବଶିଷ୍ଟଙ୍କର ନେତୃତ୍ଵରେ ଏକତ୍ର ବସି ଭରତଙ୍କ ପାଖକୁ ବାର୍ତ୍ତାବହମାନଙ୍କୁ ପ୍ରେରଣ କରିବାଲାଗି ସ୍ଥିର କରିଥିଲେ-। ଏହିଭଳି ଗୋଟିଏ ବାରତା ଯିବ ସେ, ସିଏ ଅବିଳମ୍ବେ ଅଯୋଧ୍ୟାକୁ ଫେରି ଆସିବେ-। କିନ୍ତୁ ସେମାନେ କଦାପି ରାମଙ୍କର ନିର୍ବାସନ ଏବଂ ରାଜା ଦଶରଥଙ୍କର ମୃତ୍ୟୁ ବିଷୟରେ ଭରତଙ୍କୁ ମୋଟେ କିଛି କହିବେ ନାହିଁ । ରଥରେ ଘୋଡ଼ାମାନଙ୍କୁ ଉତ୍ତମରୂପେ ଯୋଚା ଯାଇଥିଲା ଏବଂ ବାର୍ତ୍ତାବହଗଣ ଅତ୍ୟନ୍ତ ତ୍ୱରାନ୍ୱିତ ଭାବରେ ଗୋଟିଏ ସନ୍ଧ୍ୟା ସମୟରେ କେକୟ ରାଜ୍ୟର ସମୃଦ୍ଧ ଗିରିବ୍ରଜ ସହରରେ ଯାଇ ପହଞ୍ଚି ଯାଇଥିଲେ । ଭରତ ସେହିଠାରେ ହିଁ ନିଜର ମାତୁଳାଳୟରେ ଅବସ୍ଥାନ କରୁଥିଲେ ।

 

ସେହିଦିନ ରାତ୍ରିରେ ଭରତ ବହୁତ ମନ୍ଦ ସ୍ଵପ୍ନମାନ ଦେଖିଥିଲେ ଏବଂ କୌଣସିମତେ ନିଜକୁ ଥୟ କରି ପାରୁନଥିଲେ । “ମୁଁ, ରାମ, ଲକ୍ଷ୍ମଣ ଅଥବା ରାଜା ଦଶରଥ,–ଏମାନଙ୍କ ମଧ୍ୟରୁ କାହାରି ଜଣଙ୍କର ନିଶ୍ଚୟ ମୃତ୍ୟୁ ହେବ”–ସେ କହିବାରେ ଲାଗିଥାନ୍ତି । ଦୂତମାନେ ପହଞ୍ଚିଯିବା ପରେ ସେମାନଙ୍କୁ ଯାଥୋଚିତ ଅଭ୍ୟର୍ଥନା କରା ଯାଇଥିଲା । ପିତୃଦେବ, ଜନନୀ ଓ ଭ୍ରାତାମାନେ ସମସ୍ତେ କୁଶଳରେ ଅଛନ୍ତି ତ,–ବୋଲି ଭରତ ବାର୍ତ୍ତାବହମାନଙ୍କୁ ପୁଚ୍ଛା କରିଥିଲେ । ସବୁ ଓ ସମସ୍ତେ ଠିକ୍ ଅଛନ୍ତି ବୋଲି ଅନୁମାନ କରିନେଲେ । ତା’ପରେ ଦୂତମାନେ ସନ୍ଦେଶଟିକୁ ଦେଲେ ଏବଂ ଭରତ ନିଜର ମାତୁଳ ତଥା ମାତାମହଙ୍କ ଠାରୁ ଅନୁମତି ନେଇ ଅଯୋଧ୍ୟା ପ୍ରସ୍ଥାନ କରିବା ନିମନ୍ତେ ପ୍ରସ୍ତୁତ ହେଲେ । ମାତୁଳ ଘରୁ ତାଙ୍କୁ ବହୁତ ଉପହାର ମିଳିଥିଲା,–ଶୀତବସ୍ତ୍ର, ମୃଗଚର୍ମ, ହସ୍ତୀ, ସାରମେୟ ଓ ଦ୍ରୁତଗାମୀ ଅଶ୍ଵ କେତେ ଭଳି ଉପହାର । ମାତ୍ର ମନ୍ଦ ସ୍ଵପ୍ନଗୁଡ଼ିକୁ ଦେଖିଥିବାରୁ ଏବଂ ବାର୍ତ୍ତାବହମାନେ ଯେ ଏପରି ଶୀଘ୍ର ଆସିଲେ ଏବଂ ଶୀଘ୍ର ପ୍ରସ୍ଥାନ କରିବାକୁ ବାହାରିଲେ, ସେଥିରେ ଭରତଙ୍କ ମନରେ ତଥାପି କିଛି ଆଶଙ୍କା ମଧ୍ୟ ହେବାରେ ଲାଗିଥାଏ । ଉପହାରଗୁଡ଼ିକ ପାଇ ତାଙ୍କୁ କୌଣସି ଉଲ୍ଲାସ ଲାଗିଲା ନାହିଁ ଓ ଶତ୍ରୁଘ୍ନଙ୍କୁ ସାଙ୍ଗରେ ନେଇ ସେ ବଡ଼ ତନ୍ଦ୍ରାରେ ଅଯୋଧ୍ୟା ଅଭିମୁଖେ ବାହାରି ଯାଇଥିଲେ ।

 

ସପ୍ତମ ଦିବସର ସୂର୍ଯ୍ୟୋଦୟ ସମୟରେ ଯାଇ କୈକେୟୀପୁତ୍ର ଭରତ ସେହି ନଗରୋତ୍ତମରେ ଯାଇ ପହଞ୍ଚି ପାରିଥିଲେ । ଦେଖିଲେ, ସବୁ ଅନ୍ଧାରରେ ଆଚ୍ଛନ୍ନ ହୋଇ ରହିଛି, ସେ ନୀରବ ଏବଂ ଦୁଃଖପୂର୍ଣ୍ଣ ହୃଦୟରେ ରାଜପ୍ରାସାଦ ମଧ୍ୟରେ ପ୍ରବେଶ କଲେ । ପିତୃଦେବଙ୍କୁ ତାଙ୍କର ପ୍ରକୋଷ୍ଠରେ ଦେଖିବାକୁ ନପାଇ ସେ ନିଜର ଜନନୀ କୈକେୟୀଙ୍କ ପାଖକୁ ଯାଇଥିଲେ । ଭରତ ତାଙ୍କର ଚରଣସ୍ପର୍ଶ କରନ୍ତେ କୈକୟୀ ବହୁତ ଆନନ୍ଦର ସହିତ ନିଜର ସ୍ଵର୍ଣ୍ଣାସନରୁ ଉଠି ତାଙ୍କର କୁଶଳ ପଚାରିଥିଲେ । ପଥଯାତ୍ରା ବିଷୟରେ ମଧ୍ୟ ପୁଚ୍ଛା କଲେ । ଭରତ ତାଙ୍କୁ ଏହି ପ୍ରଶ୍ନଗୁଡ଼ିକର ଜବାବ ଦେଇ ରାଜା ଦଶରଥଙ୍କ ବିଷୟରେ ପ୍ରଶ୍ନ କଲେ । କହିଲେ, “ସେହି ଲୋକମାନଙ୍କର ଅଧୀଶ୍ଵର ଦଶରଥ କାହାନ୍ତି, କାରଣ ମୁଁ ତାଙ୍କର ପଦସ୍ପର୍ଶ କରିବାକୁ ଇଚ୍ଛା କରୁଛି । ସେ ତ ଅଧିକାଂଶ ସମୟରେ ଏଠାରେ ତୁମପାଖରେ ହିଁ ଥାଆନ୍ତି,–କିନ୍ତୁ ତୁମର ପ୍ରକୋଷ୍ଠ ତଥା ପଲଙ୍କ ବର୍ତ୍ତମାନ ଖାଲି ପଡ଼ିରହିଛି କାହିଁକି ? ସିଏ କ’ଣ ରାଣୀ କୌଶଲ୍ୟାଙ୍କ ନିକଟରେ ଅଛନ୍ତି କି-? ଭରତ ଯାହାକୁ ପ୍ରକୃତରେ ମନ୍ଦ ବୋଲି ବିଚାର କରୁଥିଲେ ମାତ୍ର ନିଜର ସୁଖକାମନାରେ ବିମୂଢ଼ ହୋଇ କୈକେୟୀ ଯାହାକୁ ତାଙ୍କଲାଗି କାମ୍ୟ ବୋଲି ଚିନ୍ତା କରି ନେଇଥିଲେ, ବର୍ତ୍ତମାନ ଭରତଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ, “ଜୀବମାତ୍ରେ ପ୍ରତ୍ୟେକେ ଯେଉଁଠାକୁ ଯାଆନ୍ତି, ତୁମର ପିତା ସେହି ସ୍ଥାନକୁ ପ୍ରସ୍ଥାନ କରିଛନ୍ତି ।” ତା’ପରେ ସେ ବେଶ୍ ଦୀର୍ଘ କାଳ ନିମନ୍ତେ ବିଳାପ କରି ଭରତ ଶେଷରେ ଉତ୍ତର ଦେଇଥିଲେ : ରାମ ଏବଂ ମୋ’ର ପିତୃଦେବଙ୍କର ଜୀବଦ୍ଦଶାରେ ଯେଉଁମାନେ ତଥାପି ଏଠାରେ ଉପସ୍ଥିତ ଥିବେ, ସେମାନେ କେଡ଼େ ଭାଗ୍ୟବାନ୍ ପ୍ରକୃତରେ, କାରଣ ସେମାନେ ତାଙ୍କର ଅନ୍ତିମ କୃତ୍ୟଗୁଡ଼ିକୁ ସମ୍ପନ୍ନ କରିଥିବେ । ଏବଂ, ରାମଚନ୍ଦ୍ର କେଉଁଠାରେ ଅଛନ୍ତି-? ସିଏ ତ ମୋ’ର ପିତା, ଭ୍ରାତା ଏବଂ ସଙ୍ଗୀ,–ଏକାଧାରରେ ସବୁକିଛି । ମୁଁ ତାଙ୍କର ଭୃତ୍ୟ ମାତ୍ର, ତାଙ୍କର ଚରଣତଳେ ମୋ’ର ଆଶ୍ରୟ । ମୁଁ ଏଠାରେ ଆସି ପହଞ୍ଚି ଗଲିଣି ବୋଲି ରାମଙ୍କୁ ତୁମେ ସମ୍ବାଦ ଦିଅ । ଏବଂ, ପିତୃଦେବ କିପରି ଭାବରେ ପରଲୋକ ଗମନ କଲେ ଓ ସର୍ବଶେଷ ବାକ୍ୟରୂପେ କ’ଣସବୁ କହୁଥିଲେ, ମୋତେ ସେହି କଥାଗୁଡ଼ିକୁ ବିସ୍ତାରିତ ଭାବରେ କହ ।” ରାଜା ଦଶରଥ କିପରି ପ୍ରାଣତ୍ୟାଗ କଲେ, ସେକଥା କୈକେୟୀ ଭରତଙ୍କୁ କହିଲେ ଏବଂ ରାଜାଙ୍କର ସବାଶେଷ ଶବ୍ଦରୂପେ କୈକେୟୀ ଏହିଭଳି କହିଲେ, “ସେହିମାନେ ହିଁ ପ୍ରକୃତରେ ଭାଗ୍ୟବନ୍ତ, ଯେଉଁମାନେ କି ରାମ, ବୀର ଲକ୍ଷ୍ମଣ ଓ ସୀତାଙ୍କୁ ସାଙ୍ଗରେ ନେଇ ଏଠାକୁ ଫେରି ଆସୁଥିବାର ଦେଖିବାର ସୁଯୋଗ ପାଇବେ ।” ଏକଥା ଶୁଣି ଭରତ ଆହୁରି ଅଧିକ କିଛି ଦୁର୍ଭାଗ୍ୟ ଅବଶ୍ୟ ଘଟିଛି ବୋଲି ସୂଚନା ପାଇଥିଲେ, ଏବଂ କୌଶଲ୍ୟାପୁତ୍ର, ସୀତା ଓ ଲକ୍ଷ୍ମଣ ପ୍ରକୃତରେ କେଉଁଆଡ଼େ ଯାଇଛନ୍ତି ବୋଲି ନିଜ ମାତାଙ୍କୁ ପ୍ରଶ୍ନ କରିଥିଲେ । ସୀତା ଓ ଲକ୍ଷ୍ମଣଙ୍କ ସହିତ ରାମ ଯତିର ବସ୍ତ୍ର ପିନ୍ଧି ଦଣ୍ଡକାରଣ୍ୟ ଗମନ କରୁଛନ୍ତି–କୈକେୟୀ ଉତ୍ତର ଦେଇଥିଲେ ଏବଂ ଭରତଙ୍କୁ ପୂର୍ବରୁ ପ୍ରତିଶ୍ରୁତି ଦୁଇଟି ବର ବିଷୟରେ ସବୁ କଥା ପ୍ରକାଶ କରିଦେଲେ । ଏ କଥା ଶୁଣି ଭରତ ଖୁବ୍ ଉଲ୍ଲସିତ ହେବେ ବୋଲି କୈକେୟୀ ସିନା ଆଶା କରିଥିଲେ; ମାତ୍ର ଏଥିରେ ଭରତଙ୍କର କ୍ରୋଧ ଅତ୍ୟନ୍ତ ତିକ୍ତ ଭାବରେ ବଢ଼ି ଯାଇଥିଲା ଏବଂ ଦଶରଥଙ୍କୁ ହତ୍ୟାକାରୀରୂପେ ସେ ମାତାଙ୍କୁ ଭର୍ତ୍ସନା କରିବାକୁ ଲାଗିଲେ । ଖଣ୍ଡେ ଜଳନ୍ତା ଅଙ୍ଗାର ପରି ଆମର କୁଳରେ ବିନାଶ ନିମନ୍ତେ ହିଁ ତୁମେ ଜନ୍ମ ହୋଇଥିଲ ଏବଂ ମୋ’ର ପିତୃଦେବ ଆଦୌ କିଛି ନଜାଣି ହିଁ ତୁମକୁ ରାଣୀ କରି ଆଣିଥିଲେ” । ରାମଙ୍କ ପ୍ରତି ମୋ’ର ଯେଉଁ ଅଗାଧ ଶ୍ରଦ୍ଧା, ତୁମେ ସେହି ବିଷୟରେ କିଛି ଜାଣିନାହଁ । ରାମ ମଧ୍ୟ ତୁମକୁ ମାତା ବୋଲି ଡାକନ୍ତି,–କେବଳ ସେହି କାରଣରୁ ହିଁ ମୁଁ ତୁମକୁ ପରିତ୍ୟାଗ କରି ପାରୁନାହିଁ । ତୁମେ ଉତ୍ତମରୂପେ ଜାଣିଥାଅ ଯେ ଏହି ରାଜ୍ୟର ଏଡ଼େ ବୃହତ୍ ଦାୟିତ୍ଵକୁ ମୁଁ ଆଦୌ ବହନ କରି ପାରିବିନାହିଁ ଏବଂ, ସେକଥା ଯଦି ସତ୍ୟ ନୁହଏ ତାହାକୁ ବହନ କରିବାଲାଗି ମୋ’ର ଆଦୌ କୌଣସି ଅଧିକାର ନାହିଁ । ବର୍ତ୍ତମାନ ମୁଁ ରାମଙ୍କୁ ବନବାସରୁ ଫେରାଇ ଆଣିବି ଏବଂ ତାଙ୍କର ସେବା କରିବି । ଏବଂ, ତୁମେ ଏହି ଲୋକରେ ତଥା ପରଲୋକରେ ମଧ୍ୟ ଘୋର ଦୁଃଖ ନିଶ୍ଚୟ ଭୋଗ କରିବ । ଯଦି ତୁମେ ଅଗ୍ନିରେ ଝାସ ଦେଇ ମରନ୍ତ, ବନବାସରେ ଯାଆନ୍ତ କିମ୍ବା ବେକରେ ଫାଶ ଲଗାଇ ଆତ୍ମହତ୍ୟା କରନ୍ତୁ, ତେବେ ତୁମଲାଗି ଉପଯୁକ୍ତ ଶାସ୍ତି ହୁଅନ୍ତା ।” ତାପରେ କୌଶଲ୍ୟା ଏବଂ ବଶିଷ୍ଟ ଭରତଙ୍କୁ ସଂଖୋଳିବାକୁ ଆସିଲେ ଏବଂ ସେହି ବିଧିପ୍ରବୀଣ ମୁନିଙ୍କର ପରାମର୍ଶ ଅନୁସାରେ ଭରତ ନିଜ ପିତାଙ୍କର ସକଳ ଅନ୍ତ୍ୟେଷ୍ଟିକାଳୀନ କ୍ରିୟା ସମ୍ପାଦନ କଲେ ଏବଂ ସ୍ଵମାତାମାନଙ୍କର ଗହଣରେ ସୂର୍ଯ୍ୟଙ୍କୁ ମୁହଁ କରି ପିତାଙ୍କର ଯୁଇକୁ ପରିକ୍ରମା କରିଥିଲେ । ଦଶଦିନର ଶୋକପାଳନ ପରେ ଚିତାଭସ୍ମ ସଂଗ୍ରହ କରା ଯାଇଥିଲା । ତଥାପି ଶୋକାକୁଳ ହୋଇ ରହିଥିବା ଭରତଙ୍କର ହୃଦୟକୁ ଶାନ୍ତ କରିବା ଉଦ୍ଦେଶ୍ୟରେ ଅନେକେ ପରାମର୍ଶ ଦେଇଥିଲେ । ଜୀବସତ୍ତାମାନଙ୍କର ଜନ୍ମ, ମୃତ୍ୟୁ ତଥା ପ୍ରତ୍ୟେକ ପ୍ରାଣୀଙ୍କ ମଧ୍ୟରେ ରହିଥିବା ପରସ୍ପର ବିପରୀତ ନାନା ବୃତ୍ତି ବିଷୟରେ ତାଙ୍କୁ ଆବଶ୍ୟକ କଥାଗୁଡ଼ିକୁ କହିଥିଲେ । ଏହିପରି ଭାବରେ ସାନ୍ତ୍ଵନା ଲାଭ କରି ଏହି ନରପୁଙ୍ଗବମାନେ ପୁନର୍ବାର ନିଜର ମସ୍ତକକୁ ଉତ୍ତୋଳନ କରିଥିଲେ,–ଆଲୋକରେ ଉଜ୍ଜ୍ଵଳ ଚକଚକ ହେଉଥିବା ପତାକା ବର୍ଷାରେ ଆର୍ଦ୍ର ହୋଇ ପୁନର୍ବାର ସୂର୍ଯ୍ୟତାପରେ ଦୀପ୍ତ ହୋଇଉଠେ, ଠିକ୍ ସେହିପରି ।

 

ଭରତ ଅସ୍ଥାୟୀ ରାଜା ହେଲେ

 

ଚତୁର୍ଦ୍ଦଶ ଦିବସରେ ଅମାତ୍ୟଗଣ ଭରତଙ୍କୁ ସିଂହାସନ ଆରୋହଣ କରିବା ନିମନ୍ତେ ଅନୁରୋଧ କରିଥିଲେ । ମାତ୍ର ଭରତ ସମ୍ମତ ହୋଇନଥିଲେ । ଏବଂ, ରାମଙ୍କର ସନ୍ଧାନ କରି ବାହାରିବା ଲାଗି ଏକ ଅଭିଯାନ ପ୍ରସ୍ତୁତ କରିବାକୁ ଆଦେଶ ପ୍ରଦାନ କଲେ । ସକଳ ପ୍ରସ୍ତୁତ ହେବାପରେ ସେ ଗୋଟିଏ ରଥରେ ଚଢ଼ି ମାର୍ଗରେ ବାହାରି ଯାଇଥିଲେ । ସାଥିରେ ଛଅହଜାର ଅନ୍ୟାନ୍ୟ ରଥ, ଏକ ହଜାର ହସ୍ତୀ, ଏକଲକ୍ଷ ଅଶ୍ଵାରୋହୀ, ସମ୍ଭ୍ରାନ୍ତବର୍ଗ, ବଣିକ ତଥା ବିକ୍ରେତାମାନଙ୍କ ପରି ନାଗରିକମାନେ, କୁମ୍ଭୀର, ତନ୍ତୁବାୟ, ଅସ୍ତ୍ରକାରିଗର, ସ୍ଵର୍ଣ୍ଣକାର ଏବଂ ରଜକ, ଅଭିନେତା ଏବଂ ତତ୍‌ବ୍ୟତୀତ ବହୁସଂଖ୍ୟକ ପଣ୍ଡିତ ଏବଂ କୁଳୀନ ବ୍ରାହ୍ମଣ ଗୂହକଙ୍କର ରାଜ୍ୟକୁ ଅତିକ୍ରମ କରୁଥିବା ସମୟରେ ଭରତ ତାଙ୍କର ଅଭ୍ୟର୍ଥନା କରିଥିଲେ । ତା’ପରେ ପ୍ରୟାଗଠାରେ ଭରଦ୍ଵାଜଙ୍କ ସହିତ ଭେଟ ହୋଇଥିଲା । ଭରଦ୍ଵାଜ ଭରତଙ୍କୁ କେବଳ ଗୋଟିଏ କଥା ହିଁ କହିଥିଲେ-। ସେ କହିଲେ, “ତୁମେ କୈକେୟୀଙ୍କୁ ଦୋଷ ଦେବନାହିଁ । ଏହି ନିର୍ବାସନରେ ଯିବାଦ୍ଵାରା ମନୁଷ୍ୟ ତଥା ଦେବତାମାନଙ୍କର ବହୁତ ମଙ୍ଗଳ ହେବ,–ଅସୁର ଏବଂ ମୁନିମାନଙ୍କର ମଧ୍ୟ ମଙ୍ଗଳ ହେବ-।” ପ୍ରୟାଗଠାରୁ ଭରତ ଚିତ୍ରକୂଟକୁ ଯାତ୍ରା କରିଥିଲେ ଏବଂ ରାମଙ୍କର ବନକୁଟୀରରେ ପହଞ୍ଚିଥିଲେ-। ତା’ପରେ ଭରତ ଏକାକୀ ଅଗ୍ରସର ହୋଇ ଭାଇଙ୍କର ଚରଣତଳେ ପଡ଼ି ଯାଇଥିଲେ । ରାମ ପର୍ଣ୍ଣଛପରର ସେହି ଗୃହରେ ଆସୀନ ଥିଲେ, ମସ୍ତକରେ ଜଟ ଏବଂ ଏକ କୃଷ୍ଣସାର ମୃଗର ଚର୍ମ ପରିଧାନ କରିଥିଲେ । ସତେଅବା ଗୋଟିଏ ଅଗ୍ନିଶିଖା ପରି ଦେଖା ଯାଉଥିଲେ, ତାଙ୍କର ସ୍କନ୍ଧ ସିଂହ ସମାନ ଥିଲା, ବାହୁରେ ଅପାର ଶକ୍ତି ଭରି ରହିଥିଲା ଏବଂ ଚକ୍ଷୁ କମଳପୁଷ୍ପ କରି ଦେଖା ଯାଉଥିଲା । ପାର୍ଶ୍ଵରେ ଲକ୍ଷ୍ମଣ ଏବଂ ସୀତା ଉପବେଶନ କରିଥିଲେ । ଭ୍ରାତାଙ୍କୁ ଏହିଭଳି ଦଶାରେ ଦେଖି ଭରତ କ୍ରନ୍ଦନ କରିବାକୁ ଲାଗିଲେ । ପୂର୍ବରୁ ସେ ତାଙ୍କର ଏପରି ବେଶ କେବେହେଲେ ଦେଖିନଥିଲେ । ମାତ୍ର, ରାମ ତାଙ୍କୁ ଭୂମିରୁ ଉଠାଇ ଧରିଲେ, ତାଙ୍କ ମସ୍ତକକୁ ଚୁମ୍ବନ କଲେ ଏବଂ ଦଶରଥ ତାଙ୍କ ନିଜ ବିଷୟରେ କୁଶଳପ୍ରଶ୍ନ କଲେ । ତା’ପରେ ଭରତ ରାମଙ୍କୁ ଘଟିଥିବା ସବୁଯାକ ଘଟଣାକୁ ବର୍ଣ୍ଣନା କରି କହି ଦେଇଥିଲେ ଏବଂ ରାମ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରି ରାଜ୍ୟର ଶାସନ କରନ୍ତୁ ବୋଲି ବିନୀତ ଭାବରେ ପ୍ରାର୍ଥନା କରିଥିଲେ । କିନ୍ତୁ ରାମ ଅସମ୍ମତ ହେଲେ-। ଅରଣ୍ୟବାସୀ ହେବାପାଇଁ ମୋତେ ପିତାମାତା ଆଦେଶ ଦେଇଛନ୍ତି ଯେତେବେଳେ, ତେବେ ମୁଁ କିପରି ତାହାକୁ ଅନ୍ୟଥା କରି ପାରିବି ? ତେଣୁ, ସେମାନଙ୍କର ଇଚ୍ଛା ଅନୁସାରେ ତୁମେ ଅଯୋଧ୍ୟାର ଶାସନ କରିବ । ପୁନଶ୍ଚ, ତୁମେ କୈକେୟୀଙ୍କୁ ମଧ୍ୟ କୌଣସି ଦୋଷ ଦେବନାହିଁ; କାରଣ ଆଜ୍ଞାପାଳନ ହେଉଛି ପୁତ୍ର, ପତ୍ନୀ ତଥା ଶିଷ୍ୟମାନଙ୍କର ଅବଶ୍ୟ କର୍ତ୍ତବ୍ୟ; ଜଣେ ମାତାଙ୍କର ଇଚ୍ଛାକୁ ଜଣେ ପିତାଙ୍କର ଇଚ୍ଛାଠାରୁ ମଧ୍ୟ ଆଦୌ କମ୍ ମହତ୍ତ୍ୱପୂର୍ଣ୍ଣ ବୋଲି କୁହା ଯିବନାହିଁ ।” ଏକଥା ଶୁଣି ଭରତ ଉତ୍ତର ତାକୁ ଦେଇଥିଲେ, “ଯଦି ରାଜ୍ୟ ହେଉଛି ମୋ’ର, ତେବେ ତାକୁ ଆପଣଙ୍କୁ ପ୍ରଦାନ କରିବା ନିମନ୍ତେ ମୋ’ର ପୂର୍ଣ୍ଣ ଅଧିକାର ରହିଛି । ତେଣୁ ଆପଣ ତାହା ଗ୍ରହଣ କରନ୍ତୁ !” ମାତ୍ର ରାମ ଏଥିରେ ମଧ୍ୟ ସମ୍ମତ ହୋଇନଥିଲେ, କୌଣସି ପ୍ରକାର ଯୁକ୍ତିରେ ଟଳିଲେ ନାହିଁ,–ଭରତ, କୌଶଲ୍ୟା କିମ୍ବା ବଶିଷ୍ଟ ବା ସେହି ଗହଣରେ ଆସିଥିବା କାହାରି କଥା ରଖିନଥିଲେ । ତା’ପରେ ରାମ ତାଙ୍କର ସ୍ଵର୍ଣ୍ଣପାଦୁକାକୁ ତାଙ୍କୁ ଦିଅନ୍ତୁ ବୋଲି ଭରତ ଅଳି କରି କହିଥିଲେ ଏବଂ ପାଦୁକାଗୁଡ଼ିକୁ ନମସ୍କାର କରି ଏହି ଶପଥଟିକୁ ଗ୍ରହଣ କରିଥିଲେ : ଆଗାମୀ ଚଉଦବର୍ଷ ଯାଏ ଅଯୋଧ୍ୟା ନଗରୀର ପ୍ରାଚୀର ବାହାରେ ମୁଁ ଯତି ହୋଇ ରହିବି ଏବଂ ଆପଣଙ୍କର ପାଦୁକାଦ୍ଵୟକୁ ରାଜ୍ୟଶାସନର ଦାୟିତ୍ଵ ଅର୍ପଣ କରି ଦେଇଥିବି । ଯଦି ସେତେବେଳେ ଆପଣ ପ୍ରତ୍ୟାବର୍ତ୍ତନ ନକରିବେ, ତେବେ ମୁଁ ଅଗ୍ନିରେ ଝାସ ଦେଇ ପ୍ରାଣତ୍ୟାଗ କରିବି । ଏହି ଯୋଜନାକୁ ରାମ ମଧ୍ୟ ସମ୍ମତି ପ୍ରଦାନ କରିଥିଲେ ଏବଂ ଭରତ ଓ ଶତ୍ରୁଘ୍ନ ଉଭୟଙ୍କୁ ଆଲିଙ୍ଗନ କରି “ତଥାସ୍ତୁ” ବୋଲି କହିଲେ । ଆଉ ଗୋଟିଏ କଥା ମଧ୍ୟ କହିଥିଲେ, “କୈକେୟୀଙ୍କ ପ୍ରତି ତୁମେମାନେ କୌଣସି ମନ୍ଦଭାବ ପୋଷଣ କରିବନାହିଁ,–ତାଙ୍କ ପ୍ରତି ସହାନୁଭୂତିଶୀଳ ରହିଥିବ,–ଏହା ହେଉଛି ତୁମମାନଙ୍କୁ ମୋ’ ନିଜର ତଥା ସୀତାଙ୍କର ପ୍ରାର୍ଥନା ।” ତା’ପରେ ଭରତ ରାମଙ୍କର ଚାରିପାଖରେ ସୂର୍ଯ୍ୟ-ପ୍ରଦିକ୍ଷଣ କରିଥିଲେ ଏବଂ ପାଦୁକଦ୍ୱୟକୁ ଗୋଟିଏ ହସ୍ତୀ ଉପରେ ଥାପନା କରି ନିଜସହିତ ନେଇଗଲେ । ତାଙ୍କ ସହିତ ସେହି ବିଶାଳ ଜନସମୂହଟି ମଧ୍ୟ ତାଙ୍କର ଅନୁଗମନ କରିଥିଲେ-। ଅଯୋଧ୍ୟା ପହଞ୍ଚି ପାଦୁକା ଦୁଇଟିକୁ ସିଂହାସନ ଉପରେ ରଖିଲେ ଏବଂ ବାନପ୍ରସ୍ଥ ଅବଲମ୍ବନ କରି ସେଗୁଡ଼ିକର ଅମାତ୍ୟରୂପେ ରାଜକାର୍ଯ୍ୟ ପରିଚାଳନା କଲେ ।

 

ବନବାସର ଜୀବନ

 

ରାମ, ସୀତା ଏବଂ ଲକ୍ଷ୍ମଣ ବନ ମଧ୍ୟରେ ଭ୍ରମଣ କରି ବୁଲିଲେ, ପ୍ରତ୍ୟେକ ଯତି ଆଶ୍ରମରେ ସେମାନଙ୍କୁ ଅତିଥି ଭାବରେ ସ୍ଵାଗତ କରାଯାଇଥିଲା । ସେଠା ଆଶ୍ରମଚୟର ଅନ୍ତୋବାସୀ ମୁନିମାନେ ସେହି ଅଞ୍ଚଳରେ ମଧ୍ୟ ଉତ୍ପାତ କରୁଥିବା ନିଶାଚରମାନଙ୍କ ବିରୋଧରେ ଅଭିଯୋଗ କରିଥିଲେ ଏବଂ ରାମ ସେମାନଙ୍କୁ ଆବଶ୍ୟକ ସୁରକ୍ଷା ପ୍ରଦାନ କରିବେ ବୋଲି ସେମାନେ ଆଶା କରୁଥିଲେ । ରାମଚନ୍ଦ୍ର ତୁରନ୍ତ ସେଥିପାଇଁ ସହମତି ଦେଲେ ଏବଂ, ଦିନେ ଯେତେବେଳେ ସୀତା ଏଣିକି ସେମାନେ ସକଳ ଅସ୍ତ୍ରଶସ୍ତ୍ର ତ୍ୟାଗ କରିବେ,–ସାମରିକ ସାମନ୍ତମାନଙ୍କର ଜୀବନକୁ ତ୍ୟାଗ କରି ମୁନିମାନଙ୍କର ଜୀବନ ଯାପନ କରିବେ ଓ ଏପରିକି ରାକ୍ଷସମାନଙ୍କ ବିରୋଧରେ ମଧ୍ୟ ସକଳ ଶତ୍ରୁଭାବରୁ ବିରତ ହୋଇ ରହିବେ ବୋଲି ପ୍ରସ୍ତାବ କଲେ,–ସୀତା କହିଥିଲେ, “ଅସ୍ତ୍ରାଦି ଧାରଣ କରିବାଦ୍ଵାରା ହିଁ ଅସ୍ତ୍ରଧାରୀ ମାନଙ୍କର ମନ ମଧ୍ୟ ସେହି ଅନୁସାରେ ବଦଳି ଯାଏ”–ସେଥିରେ ରାମ ସମ୍ମତ ହେଲେନାହିଁ, କାରଣ ଜଣେ କ୍ଷତ୍ରିୟର ଧର୍ମଦ୍ଵାରା ଏବଂ ବ୍ୟକ୍ତିଗତ ପ୍ରତିଶ୍ରୁତି ଦ୍ଵାରା ବାଧ୍ୟ ହୋଇଥିବାରୁ ସିଏ ତାହା କଦାପି କରି ପାରିବେନାହିଁ ।

 

ଏହିପରି ଭାବରେ ଅରଣ୍ୟବାସର ଦଶ ବର୍ଷ ଅତିବାହିତ ହୋଇ ଯାଇଥିଲା : ସେମାନେ ଗୋଟିଏ ଗୋଟିଏ ଆଶ୍ରମରେ ମାସେ, ଗୋଟିଏ ଋତୁ ଅଥବା ଗୋଟିଏ ବର୍ଷ ଅବସ୍ଥାନ କରୁଥିଲେ । ଏକଦା ଏକ ଭୟଙ୍କର ରାକ୍ଷସ ସୀତାଙ୍କୁ କବଳିତ କରି ନେଇଥିଲା ଏବଂ ତାଙ୍କୁ ଏକାବେଳେକେ ନେଇ ପଳାଇବ ବୋଲି ବିଚାର କରିଥିଲା; ମାତ୍ର ରାମ ଓ ଲକ୍ଷ୍ମଣ ବହୁ କଷ୍ଟରେ ସେହି ରାକ୍ଷସଟିକୁ ହତ୍ୟା କରି ପାରିଥିଲେ । ଆଉଥରେ, ସେମାନେ ଗୋଟିଏ ପ୍ରବଳ ଚିଲପକ୍ଷୀର ସମ୍ମୁଖୀନ ହୋଇଥିଲେ । ମାତ୍ର, ଶତ୍ରୁ ନୁହେଁ, ଜଣେ ମିତ୍ର ଭାବରେ ସିଏ ନିଜକୁ ଜଟାୟୁ ବୋଲି ପରିଚୟ ଦେଲା । ରାମଙ୍କର ପିତା ଦଶରଥଙ୍କର ସିଏ ଜଣେ ବନ୍ଧୁ ହିଁ ଥିଲା । ଜଟାୟୁ ପ୍ରୟୋଜନ ସମୟରେ ଆସି ଅବଶ୍ୟ ସାହାଯ୍ୟ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା । ରାମ ଓ ଲକ୍ଷ୍ମଣ ଦୁହେଁ ଅନୁପସ୍ଥିତ ଥିବା ସମୟରେ ସୀତାଙ୍କୁ ପହରା ଦେଉଥିବ ବୋଲି କହିଲା ।

 

ସବାଶେଷରେ, ରାମ, ସୀତା ଓ ଲକ୍ଷ୍ମଣ ଆସି ପଞ୍ଚବଟୀଠାରେ ପହଞ୍ଚିଲେ; ସେଠାରେ ଗୋଦାବରୀ ନଦୀର ତଟରେ ଏକ ସୁଦୃଶ୍ୟ ତୃଣଭୂମି ବିସ୍ତୀର୍ଣ୍ଣ ହୋଇ ରହିଥିଲା । ଦୁଇ ତୀରର ବୃକ୍ଷମାନଙ୍କରେ ପୁଷ୍ପରାଜି ପରିପୂର୍ଣ୍ଣ ହୋଇ ରହିଥିଲା । ପାଣିରେ ପକ୍ଷୀମାନେ ସନ୍ତରଣ କରୁଥିଲେ–ଯୂଥ ଯୂଥ ହରିଣ ଜଙ୍ଗଲରେ ଭରି ରହିଥିଲେ । ମୟୂରମାନଙ୍କର ରାବରୁ ଉତ୍ପନ୍ନ ଶବ୍ଦମାନ ପ୍ରତିଧ୍ଵନିତ ହେବାରେ ଲାଗିଥାଏ, ସାନ ସାନ ପାହାଡ଼ମାନେ ମଧ୍ୟ ବୃକ୍ଷ, ପୁଷ୍ପ ଏବଂ ଗୁଳ୍ମରେ ପୂର୍ଣ୍ଣ ହୋଇ ରହିଥାନ୍ତି । ସେଠାରେ ଲକ୍ଷ୍ମଣ ଗୋଟିଏ ଓସାରିଆ ବାଉଁଶ ତିଆରି ଘର ନିର୍ମାଣ କରିଦେଲେ,–ଘରର ଛାତକୁ ତୃଣଦ୍ଵାରା ଛାଇଦେଲେ । ଘରର ଚଟାଣଟି ମଧ୍ୟ ସୁମସୃଣ ଲାଗୁଥିଲା । ସେଠାରେ ଜଟାୟୁ ବି ଆସି ପହଞ୍ଚିଲା । ଏଠାରେ ଅବସ୍ଥାନ କରି ରାମ, ସୀତା ଓ ଲକ୍ଷ୍ମଣ ସ୍ଵର୍ଗର ଦେବତା ମାନଙ୍କ ପରି ତୃପ୍ତି ଲାଭ କଲେ ।

 

ଥରେ ରାମ ସୀତାଙ୍କ ସହିତ ବସିଥିଲେ ଓ ଲକ୍ଷ୍ମଣଙ୍କୁ କ’ଣସବୁ କହୁଥିଲେ, ସେତିକିବେଳେ ଗୋଟିଏ ଭୟଙ୍କର ଏବଂ କୁରୂପ ରାକ୍ଷସୀ ଆସି ପହଞ୍ଚିଲା । ସିଏ ହେଉଛି ସୂର୍ପଣଖା,–ରାବଣର ଭଉଣୀ । ରାମଙ୍କୁ ଦେଖିବାକ୍ଷଣି ତାଙ୍କୁ ବିବାହ କରିବାକୁ ଇଚ୍ଛା କଲା । ରାମ ସମ୍ମତି ନଦେବାରୁ ଲକ୍ଷ୍ମଣଙ୍କର ପତ୍ନୀ ହୋଇ ରହିବାଲାଗି ଇଚ୍ଛା କଲା । ଏବଂ, ଲକ୍ଷ୍ମଣ ତାକୁ ଘଉଡ଼ାଇ ଦେବାରୁ ସିଏ ରାମଙ୍କ ପାଖକୁ ଫେରି ଆସିଲା ଏବଂ ସୀତାଙ୍କ ପ୍ରାଣ ନେବାକୁ ଯାଉଥିଲା-। ଏହା ଦେଖି ଲକ୍ଷ୍ମଣ ନିଜ ତରବାରୀ ସାହାଯ୍ୟରେ ସୂର୍ପଣଖାର ନାକ ଓ କାନ ଦୁଇଟିକୁ କାଟି ଦେଇଥିଲେ ଏବଂ ସେଠାରୁ ଲହୁନୁହାଣ ହୋଇ ସିଏ ସେଠାରୁ ପଳାଇ ଯାଇଥିଲା । ପଳାଇଯାଇ ରାବଣର ସାନ ଭାଇ ଘର ପାଖରେ ପହଞ୍ଚିଲା । ଭଉଣୀର ଏହି ଦୁର୍ଦ୍ଦଶା ଦେଖି ଭାଇର କ୍ରୋଧର ସୀମା ରହିଲାନାହିଁ ଏବଂ ତତ୍‌କ୍ଷଣାତ୍ ସେ ଚଉଦଜଣ ରାକ୍ଷସଙ୍କୁ ପଠାଇ ଦେଇଥିଲା । ଆଦେଶ ଦେଇଥିଲା ଯେ ଏମାନେ ପଞ୍ଚବଟୀ ଯିବେ ଏବଂ ଦୁଇଭାଇଙ୍କ ସହିତ ସୀତାଙ୍କୁ ମାରି ସେମାନଙ୍କର ରକ୍ତ ନେଇ ଆସିବେ ଓ ସୂର୍ପଣଖା ସେହି ରକ୍ତକୁ ପାନ କରିବ । କିନ୍ତୁ ରାମ ତୀର ମାରି ଏହି ସମସ୍ତ ମନ୍ଦ ଜୀବମାନଙ୍କୁ ମାରି ଦେଇଥିଲେ ।

 

ତା’ପରେ ଖର କ୍ରୋଧରେ ଅସମ୍ଭାଳ ହୋଇ ଉଠିଥିଲା ଓ ସଙ୍ଗରେ ଚଉଦ ହଜାର ରାକ୍ଷସକୁ ନେଇ ନିଜେ ପଞ୍ଚବଟୀକୁ ବାହାରି ପଡ଼ିଲା । ଏହି ରାକ୍ଷସମାନେ ନିଜର ଇଚ୍ଛା ଅନୁସାରେ ରୂପ ବଦଳାଇ ପାରୁଥିଲେ, ଦେଖିବାକୁ ଅତି ଭୟଙ୍କର ଥିଲେ, ସିଂହମାନଙ୍କ ପରି ଅହଙ୍କାରୀ ବି ଥିଲେ । ବିରାଟ ଗୋଟିଏ ଗୋଟିଏ ମୁଖ, ଦୁର୍ଦ୍ଧଷ ସାହସ ଏବଂ ନୃଶଂସ ହେବାରେ ଖୁବ୍ ଖୁସୀ । ଏହି ଯୂଥଟି ଯାଉଥିବା ସମୟରେ ବହୁତ ମନ୍ଦ ଶକୁନ ଦେଖିବାକୁ ମିଳିଥିଲା । କିନ୍ତୁ ଶକୁନଗୁଡ଼ିକୁ ଦେଖି ମଧ୍ୟ ଖର ସେଗୁଡ଼ିକ ପାଇଁ କୌଣସି ଖାତିର କରିନଥିଲା : ତିନିଟା ଛାର ମଣିଷ,–ସେମାନଙ୍କୁ ଖତମ କରିଦେବା ତ କେଡ଼େ ସାମାନ୍ୟ କଥାଟାଏ,—ତେଣୁ ସେ ଅଗ୍ରସର ହୋଇ ଯାଇଥିଲା ।

 

ଆକ୍ରମଣକାରୀ ଦଳଟିକୁ ଆସୁଥିବାର ଦେଖିବାକୁ ପାଇ ରାମ ଲକ୍ଷ୍ମଣ ଓ ସୀତାଙ୍କୁ ଗୋଟିଏ ଗୁପ୍ତ ପର୍ବତଗୁମ୍ଫାକୁ ପଠାଇ ଦେଇଥିଲେ,–ସେ ଏକାକୀ ଯୁଦ୍ଧ କରିବେ । ଦେବତାଗଣ, ଅନ୍ତରୀକ୍ଷର ଅଶରୀରୀ ଆତ୍ମାଗଣ ତଥା ସ୍ଵର୍ଗରାଜ୍ୟର ଜୀବନଧାରୀ ସମସ୍ତେ ସେହି ସମରଟିକୁ ଦେଖିବା ଲାଗି ଆସି ଉପସ୍ଥିତ ହେଲେ । ରାକ୍ଷସମାନେ ଗୋଟିଏ ସମୁଦ୍ର ପରି ମାଡ଼ି ଆସୁଥାନ୍ତି,–ଅଥବା କୃଷ୍ଣବର୍ଣ୍ଣ ମେଘଖଣ୍ଡ ପରି ଦେଖା ଯାଉଥାନ୍ତି; ସେମାନେ ରାମଙ୍କ ଉପରେ ବାଣ ପରେ ବାଣ ବର୍ଷଣ କରିବାକୁ ଲାଗିଲେ । ଭୟ ପାଇ ବନଦେବତାମାନେ ମଧ୍ୟ ପଳାଇ ଯାଇଥିଲେ । ମାତ୍ର ରାମ ସମ୍ପୂର୍ଣ୍ଣ ନିର୍ଭୟ ରହି ବାଣବର୍ଷଣ କରିବା ଆରମ୍ଭ କରି ଦେଇଥିଲେ ଓ ଅସୁରମାନଙ୍କୁ ଅସ୍ତବ୍ୟସ୍ତ କରି ପକାଇଲେ । ଅସୁରମାନେ ଆଖର ପ୍ରାଣରକ୍ଷା ନିମନ୍ତେ ଖର ପାଖକୁ ପଳାୟନ କଲେ । ଖର ସେମାନଙ୍କୁ ପୁନର୍ବାର ଏକତ୍ର କଲା; ସେମାନେ ଏଥର ଉପାଡ଼ି ଆଣିଥିବା ବଡ଼ ବଡ଼ ଗଛ ଓ ପର୍ବତମୁଣ୍ଡା ଧରି ପୁନର୍ବାର ଆସି ପହଞ୍ଚିଲେ । ତଥାପି ସବୁ ବୃଥା ହେଲା; କାରଣ ଏକାକୀ ରାମ ଭୂମିଉପରେ ଛିଡ଼ା ହୋଇ ସେହି ଚଉଦ ହଜାର ଭୟଙ୍କର ରାକ୍ଷସଙ୍କୁ ଗୋଟି ଗୋଟି କରି ନିପାତ କଲେ ଓ ଶେଷରେ ଖରର ମୁହାଁମୁହିଁ ହେବାକୁ ଆସିଥିଲେ । ଏକ ଭୟପ୍ରଦ ଯୁଦ୍ଧ ଆରମ୍ଭ ହୋଇଗଲା; ସତେଅବା ଗୋଟିଏ ହସ୍ତୀ ଓ ଗୋଟିଏ ସିଂହଙ୍କ ମଧ୍ୟରେ,–ଛୁଟି ଯାଉଥିବା ତୀରଗୁଡ଼ିକ ଦ୍ଵାରା ବାୟୁପଥ ଅନ୍ଧାର ଦେଖାଗଲା । ପରିଶେଷରେ ରାମଙ୍କ ଦ୍ଵାରା ପ୍ରେରିତ ଗୋଟିଏ ଅଗ୍ନୀବତ୍ ବାଣଦ୍ଵାରା ରାକ୍ଷସଟିର ମୃତ୍ୟୁ ହୋଇଥିଲା । ଏହା ଦେଖି ପ୍ରଭୂତ ଆହ୍ଲାଦରେ ଦେବଗଣ ଊର୍ଦ୍ଧ୍ଵରୁ ରାମଙ୍କ ଉପରେ ପୁଷ୍ପବର୍ଷା କରିଥିଲେ ଓ ନିଜ ନିଜ ଗୃହକୁ ପ୍ରସ୍ଥାନ କଲେ । ଏବଂ ସୀତା ଓ ଲକ୍ଷ୍ମଣ ମଧ୍ୟ ଗୁମ୍ଫା ମଧ୍ୟକୁ ଫେରି ଆସିଲେ ।

 

ରାବଣର ରୋଷ

 

ଏତେ ଏତେ ରାକ୍ଷସ ରାମଙ୍କ ହାତରେ ନିହତ ହୋଇଥିବାର ସମ୍ବାଦ ଆସି ରାବଣ ପାଖରେ ଆଣି ପହଞ୍ଚାଇ ଦିଆ ଯାଇଥିଲା ଏବଂ ଯିଏ ସମ୍ବାଦଟିକୁ ବହନ କରି ଆଣିଥିଲେ; ରାବଣଙ୍କୁ ସିଏ ନିଜେ ଯାଇ ପଞ୍ଚବଟୀରୁ ସୀତାଙ୍କୁ ଅପହରଣ କରି ଆଣୁ ଓ ରାମଙ୍କୁ ପରାସ୍ତ କରୁ ବୋଲି ପରାମର୍ଶ ମଧ୍ୟ ଦେଲେ । ପ୍ରସ୍ତାବଟି ରାବଣକୁ ମଧ୍ୟ ଉତ୍ତମ ଲାଗିଲା ଏବଂ ଆପଣାର ଅଭୀଷ୍ଟ ପୂରଣ କରିବାର ବାଟ ପାଞ୍ଚିବା ନିମନ୍ତେ ସିଏ ସକଳ ମାୟାକୌଶଳରେ ପାରଙ୍ଗମ ମାରୀଚ ପାଖରେ ଯାଇ ପହଞ୍ଚିଲା । ମାତ୍ର ମାରୀଚ ଆସି ବରଂ ସତର୍କ କରିଦେଇ କହିଥିଲା ଯେ, ଯାହା ଅସମ୍ଭବ, ସେଥିପାଇଁ ଚେଷ୍ଟା କରିବା ଆଦୌ ଉଚିତ ହେବନାହିଁ; ଏବଂ ରାବଣ ମଧ୍ୟ ସେଥର ପାଇଁ ମାରୀଚ କଥାରେ ରାଜୀ ହୋଇ ଲଙ୍କାକୁ ଫେରି ଆସିଲା ।

 

ରାବଣର କୋଡ଼ିଏ ହାତ ଓ ଦଶ ମୁଣ୍ଡ; ଆପଣାର ସୁବର୍ଣ୍ଣ ସିଂହାସନ ଉପରେ ବସିଥିବା ସମୟରେ ସେ ଯଜ୍ଞସମିଧ ଦ୍ଵାରା ଜଳୁଥିବା ଅଗ୍ନି ପରି ଉଜ୍ଜ୍ଵଳ ଦେଖା ଯାଉଥିଲା । ଦେବତାମାନଙ୍କ ସହିତ ଯୁଦ୍ଧ କରି କରି ତାହାର ଦେହସାରା ବହୁ କ୍ଷତଦାଗ ଦ୍ଵାରା ଭର୍ତ୍ତି ହୋଇ ରହିଥିଲା । ମହାବଳୀ ସେହି ନୃଶଂସ ରାକ୍ଷସ ରାଜକୀୟ ନାନା ଆଭରଣରେ ସର୍ବଦା ଅତ୍ୟନ୍ତ ଦର୍ପଯୁକ୍ତ ହୋଇ ଦେଖା ଯାଉଥିଲା ।

 

ବ୍ରାହ୍ମଣମାନଙ୍କର ଯଜ୍ଞାନୁଷ୍ଠାନ ଗୁଡ଼ିକୁ ନଷ୍ଟ କରିବା ଓ ଅପର ବହୁଜନଙ୍କର ଭାର୍ଯ୍ୟାମାନଙ୍କୁ ବଳପୂର୍ବକ ଅପହରଣ କରି ଆଣିବା ତା’ର ଏକ ସ୍ଵତନ୍ତ୍ର ବୃତ୍ତି ଥିଲା ଓ ସିଏ ଦେବତା, ପ୍ରେତ, ବିହଙ୍ଗ ଅଥବା ସର୍ପମାନଙ୍କ ଦ୍ଵାରା କଦାପି ନିହତ ହେବନାହିଁ ବୋଲି ବର ମଧ୍ୟ ପାଇଥିଲା । ଭଉଣୀ ସୂର୍ପଣଖା ବର୍ତ୍ତମାନ ଆସି ନିଜର ଶରୀରର କ୍ଷତ ଗୁଡ଼ିକୁ ଭାଇ ଆଗରେ ଦେଖାଇ ତାକୁ ରାମ ଓ ସୀତାଙ୍କ ବିଷୟରେ କହିଲା ଏବଂ ଭାଇ ରାବଣ ଯେ ନିଜର ପ୍ରଜାଗଣ ଏବଂ ଭାଇକୁ ବଧ କରାଯାଇ ଥିବାର କୌଣସି ପ୍ରତିଶୋଧ ନନେଇ ଅତ୍ୟନ୍ତ ଅରାଜକୀୟ କାର୍ଯ୍ୟ କରୁଛି, ସେକଥା କହି ତାହାକୁ ଉତ୍ତେଜିତ କରିଥିଲା । ସୂର୍ପଣଖା ହିଁ ରାବଣ ସୀତାଙ୍କୁ ଅପହରଣ କରି ଆଣି ନିଜର ଭାର୍ଯ୍ୟା କରି ରଖୁ ବୋଲି ଦୃଢ଼ ଭାବରେ ଦାବୀ କରିଥିଲା । ଏହାପରେ ରାବଣ ପୁନର୍ବାର ସମୁଦ୍ର ଉପରେ ରଥ ବାହି ଏକ ବୃହତ୍ ଅରଣ୍ୟରେ ଯାଇ ପ୍ରବେଶ କଲା ଓ ସେଠାରେ ଗୋଟିଏ ଆଶ୍ରମରେ ତପସ୍ୟାରତ ମାରୀଚ ସହିତ ପୁଣି ପରାମର୍ଶ କରି ବସିଲା ।

 

ରାମଙ୍କ ସହିତ ମୋଟେ ନଲାଗିବା ନିମନ୍ତେ ମାରୀଚ ରାବଣକୁ ତଥାପି ପରାମର୍ଶ ଦେଲା । କହିଥିଲା, “ରାମ ଯଦି ଥରେ କ୍ରୋଧାନ୍ଵିତ ହେବେ, ତେବେ ସେ ଗୋଟିଏ ରାକ୍ଷସକୁ ମଧ୍ୟ ଜୀବନରେ ରଖିବେ ନାହିଁ ଏବଂ ଲଙ୍କାନଗରୀକୁ ସଂପୂର୍ଣ୍ଣ ଭାବରେ ଧ୍ଵଂସ କରିଦେବେ,–ହୁଏତ ତେବେଯାଇ ତୁମର କୌଣସି ଶିକ୍ଷା ହେବ ।” ମାତ୍ର ରାବଣ ମାରୀଚର କଥାକୁ ମୋଟେ ଗ୍ରହଣ କଲାନାହିଁ ଏବଂ ରାମକୁ ସିଏ ଅତି ସହଜରେ ସାଧ୍ୟ କରିଦେଇ ପାରିବ ବୋଲି ଦମ୍ଭର ସହିତ କହିଲା । ମାରୀଚର ତା’ପ୍ରତି ନିଶ୍ଚୟ କୌଣସି ମନ୍ଦଇଚ୍ଛା ରହିଛି ବୋଲି ବରଂ ମାରୀଚ ଉପରେ ଦୋଷାରୋପ କରି ରାବଣ ତାକୁ ମଧ୍ୟ ହତ୍ୟା କରିବ ବୋଲି ଧମକ ଦେଖାଇଥିଲା । ବିଚରା ମାରୀଚ ଭୟରେ ରାଜି ହୋଇଗଲା; ଅବଶ୍ୟ ସିଏ ସୁନିଶ୍ଚିତ ଭାବରେ ଜାଣିଥିଲା ଯେ, ଆଉଥରେ ରାମଙ୍କ ହାବୁଡ଼ରେ ପଡ଼ିଲେ ନିଜର ମୃତ୍ୟୁଟିକୁ ସିଏ ଅବଶ୍ୟ ଡାକି ଆଣିବ । ମାରୀଚ ସମ୍ମତି ଦେବାରୁ ରାବଣ ଖୁବ୍ ଖୁସୀ ହେଲା ଏବଂ ତାକୁ ରଥରେ ବସାଇ ରାମଙ୍କର ପଞ୍ଚବଟୀରେ ଥିବା ଆଶ୍ରମ ଅଭିମୁଖରେ ଯାତ୍ରା କରିଥିଲା । ଏକ ଛଳ-ଅନୁଷ୍ଠାନ କରି କିପରି ସୀତାଙ୍କୁ ଅପହରଣ କରିହେବ, ମାରୀଚକୁ ସେହି କଥା ବୁଝାଇ ଦେଇଥିଲା ।

 

ସୁବର୍ଣ୍ଣ-ହରିଣ

 

ରାବଣର ପରାମର୍ଶ ମାନି ମାରୀଚ ଏକ ସୁବର୍ଣ୍ଣ-ମୃଗର ଆକାର କଲା ଏବଂ ରାମଙ୍କର ପର୍ଣ୍ଣକୁଟୀରର ଆଖପାଖରେ ଚରିବାରେ ଲାଗିଲା । ତା’ର ଦୁଇ ଶିଙ୍ଗ ଦୁଇଟା ମୁକ୍ତାପରି ଦିଶୁଥିଲା, ମୁହଁଟି ଦୁଇଟି ରଙ୍ଗଯୁକ୍ତ ହରିଣର ମୁହଁ ଏବଂ କାନଦୁଇଟି ଦୁଇଟି ନୀଳବର୍ଣ୍ଣ ପଦ୍ମଫୁଲ ସଦୃଶ । ପୃଷ୍ଠଦେଶର ଦୁଇ ପାର୍ଶ୍ଵ ମଧ୍ୟ ଗୋଟିଏ ଫୁଲର ପାଖୁଡ଼ା ପରି ମସୃଣ, ଖୁରାଗୁଡ଼ିକ ଅତ୍ୟୁଜ୍ଜ୍ଵଳ ଭାବରେ କଳା, କୁଜଗୁଡ଼ିକ ଅତ୍ୟନ୍ତ କୃଶ, ଏବଂ ଇନ୍ଦ୍ରଧନୁର ରଙ୍ଗଗୁଡ଼ିକ ପରି ବର୍ଣ୍ଣାଢ଼୍ୟ ଦିଶୁଥିବା ଲାଙ୍ଗୁଳଟିଏ,–ମାରୀଚ, ସେହିଭଳି ଏକ ହରିଣୀର ରୂପ ଧାରଣ କରି ଆସିଥିଲା । ପିଠି ଉପରେ ସୁନା ଓ ରୂପାବର୍ଣ୍ଣର ଠୋପିଠୋପି ଗୁଡ଼ିକ । ସୀତାଙ୍କର ଆଖି ଯେପରି ତା’ଉପରେ ଯାଇ ପଡ଼ିପାରିବ, ସେହି ଅଭିପ୍ରାୟରେ ହରିଣଟି ଆଖପାଖରେ ଥିବା ଅରଣ୍ୟପ୍ରାନ୍ତରରେ ଚରି ବୁଲୁଥାଏ-। ଏବଂ, ଯେତେବେଳେ ସତକୁ ସତ ସୀତାଙ୍କର ଆଖି ତା’ଉପରେ ଯାଇ ପଡ଼ିଗଲା, ସେତେବେଳେ ସିଏ ସମ୍ପୂର୍ଣ୍ଣ ଭାବରେ ବିସ୍ମିତ ଓ ଆନନ୍ଦିତ ହୋଇ ଯାଇଥିଲେ । ରାମ ଲକ୍ଷ୍ମଣଙ୍କୁ ମଧ୍ୟ ଦେଖିବାଲାଗି ଡାକି ଆଣିଲେ ଏବଂ ତାଙ୍କ ସକାଶେ ଜୀବିତ ବା ମୃତ ଯେଉଁ ଅବସ୍ଥାରେ ହେଉ ପଛକେ, ତାହାକୁ ଆଣିଦେବା ଲାଗି ରାମଙ୍କୁ ଅନୁରୋଧ କରିଥିଲେ । ଅତ୍ୟନ୍ତ ଅନୁନୟ ସହିତ ସେ ରାମଙ୍କୁ ଯିବା ନିମନ୍ତେ କହୁଥାଆନ୍ତି । ରାମ ନିଜେ ମଧ୍ୟ ସେହି କିସୁନ୍ଦର ପ୍ରାଣୀଟିକୁ ଦେଖି ଖୁବ୍ ଆକୃଷ୍ଟ ହୋଇ ପଡ଼ିଥିଲେ । “କୌଣସି ରାକ୍ଷସ ନିଶ୍ଚୟ ଛଦ୍ମ ବେଶ ଧାରଣ କରି ଏଠାକୁ ଆସିଥିବ,”–ଲକ୍ଷ୍ମଣଙ୍କର ସେହି ସତର୍କ ବାଣୀଟିକୁ ମଧ୍ୟ ଗ୍ରହଣ କରିବାକୁ ଇଚ୍ଛା କରିନଥିଲେ । ବରଂ ଉତ୍ତର ଦେଇଥିଲେ, “ଯଦି ସେକଥା ହୋଇଥାଏ, ତେବେ ତାକୁ ବଧ କରିବାର ତ ଏକ ଅଧିକ କାରଣ ମଧ୍ୟ ରହିଛି-।” କିନ୍ତୁ ତୁମେ ଏଠାରେ ରହିବ, ସୀତାଙ୍କର ରକ୍ଷା କରିବ । ଜଟାୟୁ ମଧ୍ୟ ରହିଛି । ମୁଁ ଅଳ୍ପ ସମୟ ମଧ୍ୟରେ ପୁନର୍ବାର ଫେରି ଆସିବି–ହରିଣଟିର ଛାଲଟି ନେଇ ଫେରି ଆସିବି ।”

 

ମାୟାମୃଗଟି ଏହି ମୁହୂର୍ତ୍ତରେ ଉଭେଇ ଯାଉଥାଏ ତ ପୁନର୍ବାର ନିକଟକୁ ଆସି ଦୃଶ୍ୟ ହୋଇ ଯାଉଥାଏ–ଏହିପରି ଭାବରେ ସିଏ ରାମଙ୍କୁ କୁଆଡ଼େ କେତେ ଦୂରକୁ ଦଉଡ଼ାଇ ନେଇ ଯାଉଥିଲା । ଶେଷରେ ସେ ପ୍ରକୃତରେ ଖୁବ୍ କ୍ଳାନ୍ତ ହୋଇଗଲେ ଏବଂ ଗୋଟିଏ ଝଙ୍କାଳିଆ ବୃହତ୍ ବୃକ୍ଷର ଛାୟାରେ ଆସି ମାଟି ଉପରେ ବସି ପଡ଼ିଥିଲେ । ତା’ପରେ ହରିଣଟି ପୁନର୍ବାର ଆସି ପହଞ୍ଚି ଯାଇଥିଲା,–ସାଙ୍ଗରେ ଅନ୍ୟ ହରିଣମାନେ ମଧ୍ୟ ରହିଥିଲେ; ଏବଂ ପୁଣି ଅଦୃଶ୍ୟ ହୋଇଗଲା । ମାତ୍ର ରାମ ଗୋଟିଏ ବାଣ ମାରିଲେ ଏବଂ ବାଣଟି ହରିଣର ଛାତିରେ ଯାଇ ଗଳି ଯାଇଥିଲା । ହରିଣର ଦେହଟା ତଦ୍ଦ୍ଵାରା ଶୂନ୍ୟକୁ ଉଠିଯାଇ ପୁନର୍ବାର ଭୂମିରେ ଆସି ପଡ଼ିଲା ଓ ଛଟପଟ ହୋଇ ଚିତ୍କାର କରିବାକୁ ଲାଗିଲା । ତା’ପରେ ମରଣର ମୁହୂର୍ତ୍ତଟି ଆସି ପହଞ୍ଚି ଯିବାରୁ ମାରୀଚ ନିଜର ରୂପ ଧାରଣ କରି ଓ ରାବଣର ଆଦେଶଟିକୁ ମନେ ପକାଇ, କ’ଣ କଲେ ଲକ୍ଷ୍ମଣ ମଧ୍ୟ ସେହି ସ୍ଥାନରୁ ସୀତାଙ୍କୁ ଛାଡ଼ି ବାହାରି ଚାଲିଯିବେ, ସେହି ପାଞ୍ଚରେ ରାମଙ୍କର କଣ୍ଠରେ “ହେ ସୀତା, ହେ ଲକ୍ଷ୍ମଣ !” ବୋଲି ଉଚ୍ଚସ୍ଵରରେ ଚିତ୍କାର କରିଥିଲା । ସେହି ଭୟଜାତକାରୀ ଚିତ୍କାରଟା ରାମଙ୍କୁ ମଧ୍ୟ ଏକ ଅଜ୍ଞାତ ଭୟ ଦ୍ଵାରା ଗ୍ରାସ କରି ପକାଇଥିଲା ଏବଂ ମୃତ ମାରୀଚକୁ ସେହିଠାରେ ଛାଡ଼ିଦେଇ ରାମ ଅତି ତ୍ଵରାର ସହିତ ପଞ୍ଚବଟୀ ଆଡ଼କୁ ଦଉଡ଼ି ଆସିଥିଲେ ।

 

ଏଣେ ସେହି ଚିତ୍କାର ସୀତାଙ୍କର କାନରେ ମଧ୍ୟ ବାଜିଥିଲା ଏବଂ ସିଏ ପ୍ରମାଦ ଗଣି ରାମଙ୍କୁ ସାହାଯ୍ୟ କରିବା ନିମନ୍ତେ ସଙ୍ଗେ ସଙ୍ଗେ ବାହାରି ଯିବାଲାଗି ଲକ୍ଷ୍ମଣଙ୍କୁ ଅତ୍ୟନ୍ତ ଆକୁଳ ଭାବରେ ନିବେଦନ କରିଥିଲେ । ଲକ୍ଷ୍ମଣ କୁଣ୍ଠିତ ହେବାର ଦେଖି ସେ ତାଙ୍କୁ ଅତ୍ୟନ୍ତ ତୀବ୍ର ଶବ୍ଦରେ ଭର୍ତ୍ସନା କରିବାକୁ ଲାଗିଲେ । ଲକ୍ଷ୍ମଣ ତ ରାମଙ୍କୁ ଅଜେୟ ବୋଲି ଜାଣିଥିଲେ ଏବଂ ସ୍ଵୟଂ ସୀତାଙ୍କୁ ହିଁ ସର୍ବଦା ସୁରକ୍ଷା ମଧ୍ୟରେ ରଖିବେ ବୋଲି ପ୍ରତିଜ୍ଞାବଦ୍ଧ ଥିଲେ । ମାତ୍ର ସୀତା ଅଧୀର ହୋଇ ତାଙ୍କୁ ଦୁଷ୍ଟ ଅଭିପ୍ରାୟର ଜଣେ କୁତ୍ସିତ ବ୍ୟକ୍ତି ବୋଲି କହିଲେ; କହିଲେ, ଲକ୍ଷ୍ମଣ କେବେହେଲେ ରାମଙ୍କ କଥା ଚିନ୍ତା କରନ୍ତି ନାହିଁ, ମାତ୍ର ସୀତାଙ୍କର ହିଁ ଯତ୍ନ ନେଉଥାନ୍ତି । ଲକ୍ଷ୍ମଣ ସୀତାଙ୍କର କ୍ରୂର ଶବ୍ଦଗୁଡ଼ିକ ଆଉ ସହ୍ୟ କରି ପାରିଲେ ନାହିଁ ଏବଂ ବହୁସଂଖ୍ୟକ ଅଶୁଭ ଶକୁନ ତାଙ୍କୁ ସତର୍କ କରି ଦେଉଥିଲେ ମଧ୍ୟ ସୀତା ଏହିପରି ଭାବରେ ଭାଇ ଲକ୍ଷ୍ମଣଙ୍କୁ ରାମଙ୍କର ସନ୍ଧାନରେ ଚାଲି ଯିବାକୁ ବାଧ୍ୟ କରିଥିଲେ । ପରିଶେଷରେ ଲକ୍ଷ୍ମଣ ନତମସ୍ତକ ହୋଇ ତାଙ୍କ କଥା ମାନିଲେ ଓ ପ୍ରସ୍ଥାନ କଲେ । ତଥାପି, ତାଙ୍କର ବିପଦ ଆଶଙ୍କା କରି ଲକ୍ଷ୍ମଣ ଚାଲିଯାଉଥିବା ସମୟରେ ବାରମ୍ବାର ବୁଲିପଡ଼ି ସୀତାଙ୍କ ଆଡ଼କୁ ଅନାଇ ଦେଉଥାଆନ୍ତି ।

 

ସୀତା ଅପହରଣ

 

ଇତ୍ୟବସରରେ ରାବଣ ଜଣେ ଅରଣ୍ୟଚାରୀ ଯୋଗୀର ଆକାର ଧାରଣ କରିଥିଲା । ହାତରେ ଯଷ୍ଟି ଏବଂ ଭିକ୍ଷାପାତ୍ର ଧାରଣ କରି ପଞ୍ଚବଟୀ ମଧ୍ୟରେ ପ୍ରବେଶ କଲା । ପଞ୍ଚବଟୀରେ ସେତେବେଳେ ସୀତା ଏକାକୀ ରହିଥାନ୍ତି ଓ ରାମ ଫେରି ଆସିବେ ବୋଲି ଅପେକ୍ଷା କରିଥାନ୍ତି । ସମସ୍ତ ଅରଣ୍ୟ ରାମଙ୍କୁ ଜାଣିଥିଲା : ବୃକ୍ଷମାନେ ମଧ୍ୟ ନିସ୍ତବ୍ଧ ହୋଇ ଠିଆ ହୋଇଥିଲେ ଏବଂ ସତେଅବା ଭୟାକୂଳ ହୋଇ ନଦୀ ଗୋଦାବରୀର ଜଳସ୍ରୋତଟି ମଧ୍ୟ ମନ୍ଥରତର ହୋଇ ଯାଇଥିଲା-। ମାତ୍ର ରାବଣ ସୀତାଙ୍କର ଅତି ସନ୍ନିକଟରେ ଆସି ପହଞ୍ଚିଗଲା, ସୀତାଙ୍କ ଉପରେ ଦୃଷ୍ଟି ପକାଉ ପକାଉ ନିତାନ୍ତ ମନ୍ଦ କାମନାରେ ପୂର୍ଣ୍ଣ ହୋଇ ଉଠିଥିଲା । ସୀତାଙ୍କର ରୂପସୌନ୍ଦର୍ଯ୍ୟର ପ୍ରଶଂସା କରି କିଛି ବାକ୍ୟ ଉଚ୍ଚାରଣ କଲା ଏବଂ ଏହି ଗହନ ବିପଦସଙ୍କୁଳ ଅରଣ୍ୟ ତ୍ୟାଗ କରି ତା’ ସହିତ ରାଜପ୍ରସାଦ ଏବଂ ଉଦ୍ୟାନମାନଙ୍କରେ ଯାଇ ବାସ କରିବା ନିମନ୍ତେ ପରାମର୍ଶ ଦେଇଥିଲା-। ମାତ୍ର ସୀତା ତାଙ୍କୁ ଜଣେ ବ୍ରାହ୍ମଣ ତଥା ଅତିଥି ବୋଲି ଭାବୁଥାନ୍ତି,–ସିଏ ରାବଣକୁ ଭୋଜନ ଏବଂ ଜଳ ଆଣିଦେଲେ ଏବଂ ଉତ୍ତର ଦେଇ କହିଥିଲେ ଯେ, ସିଏ ହେଉଛନ୍ତି ରାମଙ୍କର ଧର୍ମପତ୍ନୀ-। ରାବଣ ଆଗରେ ସୀତା ସେମାନଙ୍କ ନିଜର ଜୀବନକାହାଣୀଟି ମଧ୍ୟ ବର୍ଣ୍ଣନା କରିଥିଲେ ଏବଂ ଶେଷରେ ତାକୁ ତା’ ନିଜର ନାମ ଓ କୁଳ–ପରିଚୟ ମଧ୍ୟ ପଚାରିଥିଲେ । ରାବଣ ଉତ୍ତର ଦେଇ କହିଲା ଯେ, ସିଏ ହେଉଛି ରାବଣ; ତା’ପରେ ସିଏ ସୀତାଙ୍କୁ ତା’ର ପତ୍ନୀ ହେବାଲାଗି ଅନୁରୋଧ କଲା ଓ ତାଙ୍କୁ ରାଜପ୍ରସାଦ, ବହୁ ପରିକର ଏବଂ ବାଟିକାଗୁଡ଼ିକର ପ୍ରଲୋଭନ ଦେଖାଇଥିଲା । ମାତ୍ର, ତା’ର ଏଭଳି କଥାମାନ ଶୁଣି ସୀତା ଅତ୍ୟନ୍ତ କ୍ରୋଧାନ୍ଵିତ ହୋଇ କହିଲେ : “ମୁଁ ହେଉଛି ରାମଙ୍କର ସେବାକାରିଣୀ ଦାସୀ,–ରାମ, ଯିଏ ହେଉଛନ୍ତି ପୁରୁଷମାନଙ୍କର ସିଂହ, ଯେକୌଣସି ପର୍ବତ ପରି ଅବିଚଳ, ମହାସାଗର ପରି ପରିବ୍ୟାପ୍ତ ଏବଂ ଇନ୍ଦ୍ରଙ୍କ ଭଳି ଦୀପ୍ତିମାନ୍ । ଗୋଟିଏ ସିଂହର ମୁଖରୁ ତୁ ପୁଣି ଦାନ୍ତଗୁଡ଼ିକୁ ଉପାଡ଼ି ନେବାପାଇଁ ସାହସ କରୁଛୁ ? –ଏବଂ ବେକରେ ଗୋଟିଏ ପଥରମୁଣ୍ଡା ବାନ୍ଧି ସମୁଦ୍ର ପହଁରିବୁ ବୋଲି ବାହାରିଛୁ ? ମୋତେ ପାଇବାକୁ ଲୋଭ କରିବାର ଅର୍ଥ ସୂର୍ଯ୍ୟ ବା ଚନ୍ଦ୍ରକୁ ପାଇବା ନିମନ୍ତେ ଆଶା କରିବା । ନିଜକୁ ତୁ ସେହି ରାମଙ୍କର ସରି ବୋଲି କିପରି ବିଚାର କରି ପାରୁଛୁ ? –ମାତ୍ର, ତୁମ ଦୁହିଁଙ୍କ ମଧ୍ୟରେ ପାର୍ଥକ୍ୟ ହେଉଛି ସିଂହଠାରୁ ଏକ ଶୃଗାଳର ପାର୍ଥକ୍ୟ, ହସ୍ତୀଠାରୁ ମାର୍ଜାରର ପାର୍ଥକ୍ୟ, ମହାସମୁଦ୍ର ଠାରୁ ଏକ କ୍ଷୁଦ୍ର ଜଳାଶୟର ପାର୍ଥକ୍ୟ, ସୁବର୍ଣ୍ଣଠାରୁ ଲୌହର ପାର୍ଥକ୍ୟ । ତୁ ହୁଏତ ଇନ୍ଦ୍ରଙ୍କର ପତ୍ନୀକୁ ନେଇଯାଇ ତା’ ସହିତ ବାସ କରିପାରୁ; ମାତ୍ର, ଯଦି ମୋତେ ନେଇଯିବୁ, ରାମର ପତ୍ନୀଙ୍କୁ ନେଇଯିବୁ, ତେବେ ସୁନିଶ୍ଚିତ ଭାବରେ ମୃତ୍ୟୁମୁଖରେ ହିଁ ପଡ଼ିବୁ ଏବଂ ମୁଁ ନିଜେ ମଧ୍ୟ ନିଜର ଏହି ପ୍ରାଣକୁ ପରିହାର କରିବି ।” ସୀତା ଭୟରେ କମ୍ପି ଉଠୁଥିଲେ,–ପବନରେ ଠିକ୍ ଏକ ରମ୍ଭାବୃକ୍ଷ ପରି ।

 

ମାତ୍ର, ରାବଣର ପୀତବର୍ଣ୍ଣ ଚକ୍ଷୁଗୁଡ଼ିକ ମଧ୍ୟ ରୋଷରେ ଲାଲ ହୋଇ ଉଠିଲା; ଶାନ୍ତ ମୁଖଟି ସମ୍ପୂର୍ଣ୍ଣ ଭାବରେ ବଦଳିଗଲା । ସିଏ ଦଶଟି ଶିର ଓ କୋଡ଼ିଏଟି ହାତ ସହିତ ନିଜର ରାକ୍ଷସସ୍ୱରୂପକୁ ଧାରଣ କଲା ଏବଂ ଆଗକୁ ମାଡ଼ିଆସି ସୀତାଙ୍କର କୋମଳ ଅଙ୍ଗ ଏବଂ କେଶଗୁଚ୍ଛକୁ ହାତରେ ଧରି ଗର୍ଦ୍ଦଭ-ପରିଚାଳିତ ନିଜର ରଥଟି ଉପରକୁ ଡେଇଁ ପଡ଼ିଥିଲା । ସଙ୍ଗେ ସଙ୍ଗେ ରଥଟି ଆକାଶମାର୍ଗକୁ ଉଠି ଯାଇଥିଲା । ସୀତା ଲକ୍ଷ୍ମଣ ଓ ରାମଙ୍କୁ ଡାକି ଉଚ୍ଚ ସ୍ଵରରେ ରୋଦନ କରିବାରେ ଲାଗିଥାଆନ୍ତି ଏବଂ କାନ୍ଦି କାନ୍ଦି କହୁଥାଆନ୍ତି, “ହେ ଏହି ଅରଣ୍ୟ ଓ ତାହାର ପୁଷ୍ପପୂର୍ଣ୍ଣ ତରୁଲତାମାନେ, ହେ ଗୋଦାବରୀ, ହେ ବନଦେବତାମାନେ, ମୃଗଗଣ ଏବଂ ପକ୍ଷୀମାନେ,–ରାବଣ ମୋତେ ଅପହରଣ କରିନେଇ ଯାଉଛି ବୋଲି ତୁମେମାନେ ମୋ’ର ସ୍ଵାମୀଙ୍କୁ ଅବଶ୍ୟ କହିଦେବ,–ମୁଁ ତୁମ୍ଭମାନଙ୍କୁ ବିନୀତ ପ୍ରାର୍ଥନା କରୁଛି !”

 

ସେତେବେଳେ ବୃହତ୍ ବାଜପକ୍ଷୀ ଜଟାୟୁ ଗୋଟିଏ ଗଛ ଉପରେ ବସିଥିଲା ଓ ସୀତାଙ୍କର ଆଖି ତା’ ଉପରେ ମଧ୍ୟ ପଡ଼ିଗଲା । ସୀତା ଜଟାୟୁକୁ ସାହାଯ୍ୟ କରିବାପାଇଁ ପ୍ରାର୍ଥନା କଲେ । ଜଟାୟୁର ନିଦ ଭାଙ୍ଗିଗଲା ଏବଂ ରାବଣ ଓ ସୀତାଙ୍କୁ ଦେଖି ଅତ୍ୟନ୍ତ କୋମଳ ଶବ୍ଦରେ ସିଏ ଏହି ମନ୍ଦ ମାର୍ଗଟିକୁ ପରିହାର କରିବା ନିମନ୍ତେ ରାକ୍ଷସକୁ ଅନୁରୋଧ ଜଣାଇଥିଲା । ରାବଣକୁ ହତ୍ୟା କରି ରାମ ଏହି ମନ୍ଦ କର୍ମର ଅବଶ୍ୟ ପ୍ରତିଶୋଧ ନେବେ ବୋଲି ରାବଣକୁ ସତର୍କ କରି ଦେଇଥିଲା । “ଏବଂ, ମୋ’ର ପ୍ରାଣ ରହିଥିବା ପର୍ଯ୍ୟନ୍ତ ପରମ ପୁଣ୍ୟବତୀ ସୀତାଙ୍କୁ ତୁ କଦାପି ନେଇଯାଇ ପାରିବୁନାହିଁ,–ମୁଁ ତୋ’ ସହିତ ଯୁଦ୍ଧ କରି ତୋତେ ତୋ’ ରଥରୁ ନିଶ୍ଚୟ ବାହାରକୁ ଫିଙ୍ଗିଦେବି” ବୋଲି ସେ ତା’ର ଶପଥବାଣୀଟିକୁ ମଧ୍ୟ ଶୁଣାଇ ଦେଇଥିଲା । ଏକଥା ଶୁଣି ରାବଣ କ୍ରୋଧପୂର୍ଣ୍ଣ ରକ୍ତବର୍ଣ୍ଣ ଆଖି କରି ଜଟାୟୁ ଉପରକୁ ଡେଇଁ ପଡ଼ିଲା ଏବଂ ତତ୍‌କ୍ଷଣାତ୍ ଆକାଶକ୍ଷେତ୍ରରେ ଗୋଟିଏ ଭୟଙ୍କର ସମର ଆରମ୍ଭ ହୋଇ ଯାଇଥିଲା । ଜଟାୟୁ ଉପରେ ରାବଣ ବହୁ ସଂଖ୍ୟାରେ ତୀର ବର୍ଷଣ କରିବାକୁ ଲାଗିଲା ଏବଂ ସେ ପାଖରୁ ସେହି ପକ୍ଷୀରାଜ ମଧ୍ୟ ନିଜର ଚଞ୍ଚୁ ବା ନଖ ଦ୍ଵାରା ବହୁତ କ୍ଷତବିକ୍ଷତ କରି ପକାଇଲା । ଏକାବେଳେକେ ଏତେ ବାଣ ଆସି ଜଟାୟୁର ଶରୀରକୁ ବିଦ୍ଧ କରି ଦେଇଥିଲେ ଯେ, ସିଏ ସତେଅବା କୌଣସି ଏକ ନୀଡ଼ ଭିତରେ ଅଧା ଆଚ୍ଛାଦିତ ହୋଇ ରହିଥିବା ପରି ବୋଧ ହେଉଥିଲା । ମାତ୍ର, ନିଜର ପାଦଦ୍ଵାରା ସେହି ଜଟାୟୁ ମଧ୍ୟ ରାବଣର ଦୁଇଟି ଧନୁ ଭାଙ୍ଗି ଦେଇଥିଲା,–ଆକାଶଗାମୀ ରଥଟିକୁ ନଷ୍ଟ କରିଦେଲା,–ଯାହା ଫଳରେ କି ରାକ୍ଷସ ଭୂମିଉପରେ ଆସି ପଡ଼ି ଯାଇଥିଲା । ସେତେବେଳେ ସୀତାଙ୍କୁ ନିଜର କ୍ରୋଧରେ ଜାବୁଡ଼ି ଧରିଥାଏ । କିନ୍ତୁ, ଜଟାୟୁ ସେତେବେଳକୁ ଅତୀବ କ୍ଳାନ୍ତ ଓ ବଳଶୂନ୍ୟ ହୋଇ ଯାଇଥାଏ । ରାବଣ ପୁନର୍ବାର ଲମ୍ପପ୍ରଦାନ କରି ଜଟାୟୁକୁ ଆକ୍ରମଣ କଲା ଏବଂ ଏକ ତରବାରୀରେ ତା’ର ଦୁଇ ଡେଣାକୁ ହାଣି ପକାଇଥିଲା । ଜଟାୟୁ ସମ୍ପୂର୍ଣ୍ଣ ମୁମୁର୍ଷ ଭାବରେ ଭୂପତିତ ହୋଇ ଯାଇଥିଲା । ସୀତା ଏହି ମିତ୍ର ପକ୍ଷୀଟି ଆଡ଼କୁ ଡେଇଁପଡ଼ି ତାକୁ ଆନନ୍ଦରେ କୁଣ୍ଢାଇ ପକାଇ ଧରିଥିଲେ ମଧ୍ୟ ନିଭି ସାରିଥିବା ଜଙ୍ଗଲନିଆଁ ପରି ପକ୍ଷୀଟି ନିର୍ଜୀବ ଏବଂ ଭାଷାହୀନ ହୋଇ ପଡ଼ି ରହିଥାଏ । ତା’ପରେ ରାବଣ ପୁନର୍ବାର ସୀତାଙ୍କୁ ଧରି ଗଗନମାର୍ଗରେ ଯିବା ଆରମ୍ଭ କରି ଦେଇଥିଲା । କଳାମେଘମାନଙ୍କର ଗୋଟିଏ ସ୍ତୂପ ପରି ରାବଣର ଦେହ ଉପରେ ସୀତା ସୁବର୍ଣ୍ଣ ରଙ୍ଗର ବିଦ୍ୟୁତ୍‌ରେଖା ପରି ଝଲସି ଦିଶୁଥାଆନ୍ତି ଅଥବା ଏକ ଧୂସର ବର୍ଣ୍ଣ ହାତୀ ଉପରେ ଖଣ୍ଡେ ସୁନା ଚାଦର ପରି । ସୀତାଙ୍କ ପାଇଁ ସମସ୍ତ ପ୍ରକୃତି ହାହାକାର କରି ଉଠୁଥାଏ; ପଦ୍ମବନରେ ପଦ୍ମମାନେ ମଉଳିଗଲେ, ସୂର୍ଯ୍ୟଦେବ ମଳିନ ଦେଖାଗଲେ, ପର୍ବତଚୟ ଜଳପ୍ରପାତ ଗୁଡ଼ିକରେ ରୋଦନ କରି ଉଠିଲେ, ବାହୁ ଟେକି ଦେଇଥିବା ପରି ନିଜର ଶୃଙ୍ଗଗୁଡ଼ିକୁ ଉର୍ଦ୍ଧ୍ଵକୁ ବିସ୍ତାରି ରଖିଥିଲେ-। ବନଦେବତାମାନେ ତ୍ରାସ ପାଇଲେ, ହରିଣଶାବକ ମାନଙ୍କର ଆଖିରୁ ଅଶ୍ରୁଧାରା ବହି ଯାଉଥିଲା; ଏହିପରି ସକଳ ଜୀବ ଦୁଃଖ ପ୍ରକାଶ କରିବାକୁ ଲାଗିଲେ । କିନ୍ତୁ, ସୀତାଙ୍କୁ ଏହିପରି ଅପହୃତ ହୋଇ ଚାଲି ଯାଉଥିବାର ଦେଖି ବ୍ରହ୍ମା ଖୁସୀ ହୋଇ କହିବାକୁ ଆରମ୍ଭ କଲେ, “ଆମ୍ଭମାନଙ୍କର କାର୍ଯ୍ୟଟି ବର୍ତ୍ତମାନ ଅବଶ୍ୟ ସମ୍ପାଦିତ ହୋଇଯିବ !” ସମ୍ମୁଖକୁ ଚାହିଁ ବ୍ରହ୍ମା ରାବଣର ମୃତ୍ୟୁକୁ ଦେଖି ପାରୁଥିଲେ । ଅରଣ୍ୟର ଯତିଗଣ ଉଲ୍ଲସିତ ହେଲେ, ଦୁଃଖିତ ବି ହେଲେ; ସୀତାଙ୍କ ପାଇଁ ଦୁଃଖିତ ହେଲେ ଏବଂ ରାବଣର ମୃତ୍ୟୁ ନିଶ୍ଚିତ ବୋଲି ଆନନ୍ଦିତ ହେଲେ ।

 

ଏବଂ, ସେମାନେ ଏହିପରି ଭାବରେ ଆକାଶରେ ରଥାସୀନ ହୋଇ ଚାଲିଯାଉଥିବା ସମୟରେ ସୀତା ପାଞ୍ଚଗୋଟି ବୃହତ୍ ବାନରଙ୍କୁ ଗୋଟିଏ ପାହାଡ଼ ଉପରେ ଦେଖିବାକୁ ପାଇଲେ ଏବଂ ସେମାନଙ୍କ ଉଦ୍ଦେଶ୍ୟରେ ସିଏ ନିଜର ମଣିମୁକ୍ତା ସମେତ ସୁବର୍ଣ୍ଣ-ଉତ୍ତରୀଟିକୁ ତଳକୁ ପକାଇ ଦେଇଥିଲେ,–ରାମ ଦେଖିଲେ ବାରତା ଜାଣିବେ ବୋଲି ସେଗୁଡ଼ିକୁ ପକାଇଦେଲେ ଏବଂ ରାବଣର ଅଗୋଚରରେ ହିଁ ତାହା କରିଥିଲେ । ଏବଂ ରାବଣ କ୍ରମେ ଅରଣ୍ୟ ଏବଂ ପର୍ବତମାନଙ୍କୁ ପଛରେ ପକାଇ ସାଗରକୁ ଅତିକ୍ରମ କଲା ଏବଂ ଆପଣାର ଲଙ୍କାନଗରୀରେ ଆସି ପହଞ୍ଚିଗଲା । ସେ ସୀତାଙ୍କୁ ନେଇ ଅନ୍ତଃପୁରର ଗୋଟିଏ ପ୍ରକୋଷ୍ଠରେ ଏକାକୀ ବନ୍ଦିନୀ କରି ରଖିଲା । ତାଙ୍କର ସୁପରିଚର୍ଯ୍ୟା କରିଥିଲା ଓ ଚାରିପାଖରେ ପ୍ରହରୀମାନଙ୍କୁ ଲଗାଇଦେଲା । ରାମଙ୍କ ଉପରେ ଦୃଷ୍ଟି ରଖିବା ସକାଶେ ଗୋଇନ୍ଦାମାନେ ପଠାଗଲେ । ତା’ପରେ ରାବଣ ପୁନର୍ବାର ଫେରିଆସି ସୀତାଙ୍କୁ ଆପଣାର ପୂରା ରାଜପ୍ରାସାଦକୁ ଦେଖାଇଲା; ଧନ, ସମ୍ପତ୍ତି ଏବଂ ଉଦ୍ୟାନ ସବୁକିଛି ଏବଂ ତା’ର ପତ୍ନୀ ହୋଇ ରହିବା ଲାଗି ତାଙ୍କୁ ପ୍ରାର୍ଥନା କରିଥିଲା । ତାଙ୍କୁ ନାନାପ୍ରକାରେ ପ୍ରଲୋଭିତ କରିନେବାର ଉଦ୍ୟମ କଲା । କିନ୍ତୁ ସୀତା ଆପଣାର ମୁହଁକୁ ଲୁଚାଇ କ୍ରନ୍ଦନ କରୁଥାନ୍ତି ଓ ନିଃଶବ୍ଦ ଅଶ୍ରୁମାନ ବୁହାଇବାରେ ଲାଗିଥାଆନ୍ତି । ଏବଂ, ରାବଣ ପୁନର୍ବାର ସେହିଭଳି ଆଚରଣ କରିବାରୁ ସୀତା ରାବଣ ଓ ନିଜ ମଝିରେ ଖଣ୍ଡେ ତୃଣ ନେଇ ରଖିଦେଲେ, ରାମଙ୍କ ହାତରେ ଅବଶ୍ୟ ରାବଣର ପ୍ରାଣ ଯିବ ଏବଂ ସମୁଦାୟ ରାକ୍ଷସକୁଳର ଧ୍ଵଂସ ହେବ ବୋଲି ଭବିଷ୍ୟବାଣୀ କରି ତାକୁ ସମ୍ପୂର୍ଣ୍ଣ ଭାବରେ ବର୍ଜନ କରିଥିଲେ । ତା’ପରେ ରାବଣ ପ୍ରାର୍ଥନା କରିବା ଛାଡ଼ିଦେଇ ଭୟପ୍ରଦର୍ଶନ ଆରମ୍ଭ କରିଥିଲା, ଭୟାନକ ରାକ୍ଷସମାନଙ୍କୁ ଡକାଇ ସୀତାଙ୍କର ଚାରି ପାଖରେ ଲଗାଇ ରଖିଲା ଏବଂ, ହିଂସାରେ ହେଉ ପ୍ରଲୁବ୍ଧ କରି ହେଉ ସୀତାଙ୍କର ଏହି ଟାଣପଣ ଭାଙ୍ଗିଦେବା ସକାଶେ ସେମାନଙ୍କୁ ଆଦେଶ ଦେଇଥିଲା । ଏହିମାନଙ୍କର ଗହଣ ଭିତରେ ବୁଡ଼ି ଯାଇଥିବା ଏକ ଜାହଜ ପରି କୋମଳାଙ୍ଗୀ ସୀତା ବସି ରହିଥାଆନ୍ତି; ଅଥବା ତାଙ୍କୁ ହିଂସ୍ର ସାରମେୟ ମାନଙ୍କର ଏକ ଯୂଥ ମଧ୍ୟରେ ରହିଥିବା ହରିଣଟିଏ ସହିତ ମଧ୍ୟ ତୁଳନା କରାଯାଇ ପାରିବ ।

 

ରାମଙ୍କର କୋପ

 

ଏଣେ ମାରୀଚ ପଛରେ ଗୋଡ଼ାଇ ରାମ ଲେଉଟି ଆସିଥିଲେ । ତାଙ୍କର ହୃଦୟ ଅତ୍ୟନ୍ତ ନୈରାଶ୍ୟପୂର୍ଣ୍ଣ ହୋଇ ପଡ଼ିଥାଏ । ବାଟରେ ଲକ୍ଷ୍ମଣଙ୍କୁ ଭେଟିଲେ ଓ ସିଏ କାହିଁକି ସୀତାଙ୍କୁ ଛାଡ଼ି ଚାଲି ଆସିଲେ ବୋଲି ଅନେକ ଭର୍ତ୍ସନା କରିଥିଲେ । ସେତେବେଳେ ଶୃଗାଳମାନେ ଭୁକିବାରେ ଲାଗିଥାନ୍ତି ଏବଂ ନୀଡ଼କୁ ଫେରି ଆସୁଥିବା ପକ୍ଷୀମାନେ ଚିତ୍କାର କରୁଥାନ୍ତି । ଦୁଇଭାଇ ଆଶ୍ରମକୁ ଫେରି ଆସିବା ପରେ ରାମଙ୍କର ପାଦ ଆଉ ଆଗକୁ ଚଳିଲା ନାହିଁ, ଏକ ଅଜ୍ଞାନ କମ୍ପନରେ ସମସ୍ତ ଶରୀର କମ୍ପିବାକୁ ଲାଗିଲା । ସୀତା ଆଶ୍ରମରେ ନଥିଲେ । ସେମାନେ ପୁଷ୍ପବାଟିକାକୁ ଦଉଡ଼ିଲେ, କମଳପୁଷ୍ପ ଫୁଟିଥିବା ନଦୀତଟକୁ ଯାଇ ଦେଖିଲେ, ପର୍ବତର ଗୂହା ଗୁଡ଼ିକରେ ଖୋଜିଲେ । ତା’ପରେ ନଦୀକୁ ପଚାରିଲେ, ବୃକ୍ଷମାନଙ୍କୁ ପଚାରିଥିଲେ; ସୀତା କେଉଁଠାରେ ଅଛନ୍ତି ବୋଲି ସମସ୍ତ ପ୍ରାଣୀଙ୍କୁ ପଚାରିଥିଲେ । ରାମ ଅନୁମାନ କଲେ ଯେ ସେ ଖରକୁ ହତ୍ୟା କରିଥିବାର ପ୍ରତିଶୋଧ ନେଇ ରାକ୍ଷସମାନେ ସୀତାଙ୍କୁ ହୁଏତ ଖାଇ ଯାଇଥିବେ । କିନ୍ତୁ ତହିଁ ଆରଦିନ, ଯେଉଁଠାରେ ଜଟାୟୁ ରାବଣ ସହିତ ଯୁଦ୍ଧ କରିଥିଲେ, ସେମାନେ ସେଠାକୁ ଆସିଥିଲେ, ସେଠାରେ ଭଗ୍ନ ଅସ୍ତଶସ୍ତ୍ର ଗୁଡ଼ିକୁ ଦେଖିଲେ, ରଥଟିକୁ ଏବଂ ପାଦଦ୍ଵାରା ମଥିତ ହୋଇଥିବା ଭୂମିଟିକୁ ମଧ୍ୟ ଦେଖିବାକୁ ପାଇଲେ । ତା’ପରେ ଅତ୍ୟନ୍ତ କ୍ରୋଧାନ୍ଵିତ ହୋଇ ଉଠିଲେ ଏବଂ ଦେବତାମାନେ ତାଙ୍କର ସୀତାଙ୍କୁ ଆଣି ନଦେଲେ ସିଏ ସ୍ଵର୍ଗ କିମ୍ବା ମର୍ତ୍ତ୍ୟ ମୋଟେ କିଛି ରଖିବେନାହିଁ ବୋଲି ଗର୍ଜନ କରି କହିଥିଲେ । ତା’ପରେ ସେମାନେ ମରମର ଅବସ୍ଥାରେ ଅପେକ୍ଷା କରିଥିବା ଜଟାୟୁକୁ ଭେଟିଲେ ଏବଂ ତାକୁ ସୀତାଙ୍କୁ ଭକ୍ଷଣ କରିଥିବା କୌଣସି ରାକ୍ଷସ ବୋଲି ଭ୍ରମ କରି ରାମ ତାହାକୁ ବଧ କରିବେ ବୋଲି ଉଦ୍ୟତ ହେଉଥିଲେ । ମାତ୍ର ଜଟାୟୁ ଅତ୍ୟନ୍ତ କ୍ଷୀଣଭାବରେ ରାମଙ୍କୁ ସକଳ ଘଟଣା ବର୍ଣ୍ଣନା କରି କହି ଦେଇଥିଲା । ସେଗୁଡ଼ିକୁ ଶୁଣି ରାମ ଆପଣାର ଧନୁକୁ ତଳକୁ ଫିଙ୍ଗିଦେଲେ ଓ ସେହି ବନ୍ଧୁ ପକ୍ଷୀଟିକୁ ଯାଇ ଆଲିଙ୍ଗନ କଲେ; ତା’ର ଆସନ୍ନ ମୃତ୍ୟୁ ପାଇଁ ଶୋକାକୁଳ ହୋଇ ଯାଇଥିଲେ । ଜଟାୟୁ ରାମଙ୍କୁ ରାବଣ ବିଷୟରେ କହିଥିଲା ଓ ବିଜୟଲାଭ କରି ସିଏ ସୁନିଶ୍ଚିତ ଭାବରେ ସୀତାଙ୍କୁ ଉଦ୍ଧାର କରି ଆଣିବେ ବୋଲି ତାଙ୍କୁ ସାନ୍ତ୍ଵନା ଦେଇଥିଲା । ଏତିକି କହି ସାରିବାପରେ ଜଟାୟୁର ପ୍ରାଣବାୟୁ ଉଡ଼ିଗଲା, ତା’ର ମସ୍ତକ ଓ ଦେହ ଭୂମି ଉପରେ ନିର୍ଜୀବ ହୋଇ ପଡ଼ି ରହିଥିଲେ । ଏବଂ, ଏହି ବନ୍ଧୁଟିର ସ୍ମରଣ କରି ରାମ ଶୋକ କରିବାକୁ ଲାଗିଲେ :

 

ସେ କହିଲେ, “ଭାଇ ଲକ୍ଷ୍ମଣରେ ! ପକ୍ଷୀମାନଙ୍କର ରାଜା ସଦୃଶ ଏହି ଜଟାୟୁ ଏଠାରେ ପରମ ସୁଖରେ ବାସ କରୁଥିଲା ଏବଂ ବର୍ତ୍ତମାନ ମୋହରି ସକାଶେ ସିନା ତାହାର ପ୍ରାଣ ଗଲା ! ସୀତାଙ୍କୁ ଉଦ୍ଧାର କରିବାଲାଗି ଚେଷ୍ଟା କରି ସିଏ ନିଜର ଜୀବନକୁ ଉତ୍ସର୍ଗ କରିଛି । ତେଣୁ, ଦେଖ, ପ୍ରତ୍ୟେକ ଶ୍ରେଣୀର ପ୍ରାଣୀମାନଙ୍କ ମଧ୍ୟରେ ଏହିପରି ବୀରମାନେ ରହିଛନ୍ତି, ଏପରିକି ପକ୍ଷୀମାନଙ୍କ ମଧ୍ୟରେ ରହିଛନ୍ତି । ସୀତାଙ୍କୁ ହରାଇବାରୁ ମୁଁ ଅତିଶୟ ଦୁଃଖ ପାଇଛି ସତ, କିନ୍ତୁ ମୋ’ ପାଇଁ ପ୍ରାଣ ଦେଇଥିବା ଏହି ବାଜପକ୍ଷୀଟି ନିମନ୍ତେ ମୋ’ ମନରେ ତା’ଠାରୁ ଅଧିକ ଦୁଃଖ ଜାତ ହୋଇଛି ।”

Unknown

 

ଲକ୍ଷ୍ମଣ ତା’ପରେ କାଷ୍ଠ ଓ ଅଗ୍ନି ସଂଗ୍ରହ କରି ଆଣିଥିଲେ ଏବଂ ଦ୍ଵିଜମାନଙ୍କର ପ୍ରାପ୍ୟ ଯାବତୀୟ ବିଧି ସହକାରେ ସେମାନେ ଜଟାୟୁର ଦାହକ୍ରିୟା ସମ୍ପନ୍ନ କଲେ,–ଏବଂ, ସିଏ ଯେପରି ଯଥାସତ୍ଵର ଦେବଗତିକୁ ପ୍ରାପ୍ତ ହୁଏ, ସେଥିଲାଗି ବିହିତ ମନ୍ତ୍ରଗୁଡ଼ିକୁ ଉଚ୍ଚାରଣ କରିଥିଲେ । ଏବଂ ପକ୍ଷୀରାଜ ଜଟାୟୁ, ଏକ ଉତ୍ତମ ଉଦ୍ଦେଶ୍ୟରେ ଯୁଦ୍ଧରେ ପ୍ରାଣ ଦେଇଥିବାରୁ ରାମଙ୍କଠାରୁ ଆଶୀର୍ବାଦ ଲାଭ କରି ଏକ ଗୌରବମୟ ଗତିକୁ ପ୍ରାପ୍ତ ହୋଇଥିଲା ।

 

ତା’ପରେ ରାମ ଓ ଲକ୍ଷ୍ମଣ ସୀତାଙ୍କର ଅନ୍ଵେଷଣରେ ଦୂରଦୁରନ୍ତ ଖୋଜି ବୁଲିଲେ । ମାତ୍ର ଅଳ୍ପକାଳ ପରେ ଗୋଟିଏ ରାକ୍ଷସ ସହିତ ସେମାନଙ୍କର ଭେଟ ହୋଇଥିଲା । ସେହି ରାକ୍ଷସଟି ସହିତ ଯୁଦ୍ଧ କରି ଜୟଲାଭ କରିବା ଆଦୌ ସହଜ ନଥିଲା; ମାତ୍ର, ମରଣାନ୍ତକ ଭାବରେ ଆଘାତପ୍ରାପ୍ତ ହୋଇ ରାକ୍ଷସଟି ଅତ୍ୟନ୍ତ ଉଲ୍ଲସିତ ହୋଇ ଉଠିଥିଲା; କାରଣ ଏହିପରି ଭାବରେ ତା’ର ମୃତ୍ୟୁ ହେବ; ବୋଲି ଜଣେ ଋଷିଙ୍କଠାରୁ ତାକୁ ଅଭିଶାପ ହୋଇଥିଲା । ସିଏ କୁତ୍ସିତ ରାକ୍ଷସ ରୂପ ଧାରଣ କରିଥିବ ଓ ରାମଙ୍କ ହାତରେ ମରି ମୁକ୍ତିଲାଭ କରିବ ବୋଲି କଥା ଥିଲା । ଏକ ବୃହତ୍ ଯୂଇ ସ୍ଥାପନ କରି ରାମ ଓ ଲକ୍ଷ୍ମଣ ତା’ର ଦାହସଂସ୍କାର କରିଥିଲେ; ଅଗ୍ନି ଭିତରୁ ଉତ୍ଥିତ ହୋଇ ସ୍ଵର୍ଗର ଏକ ରଥରେ ଆରୋହଣ କରୁ କରୁ ସେହି ଋଷି ସିଏ ବୃହତ୍ ବାନରରାଜ ସୁଗ୍ରୀବଙ୍କର ସହାୟତା ଲୋଡ଼ିବା ନିମନ୍ତେ ରାମଙ୍କୁ ପରାମର୍ଶ ଦେଇଥିଲେ । ଋଷ୍ୟମୁଖ ପର୍ବତ ଉପରେ ସୁଗ୍ରୀବଙ୍କ ସହିତ ଆହୁରି ଚାରିଜଣ ବାନର ରହିଛନ୍ତି ବୋଲି ସେ ରାମଙ୍କୁ କହିଥିଲେ । ପୁନଶ୍ଚ କହିଥିଲେ, “ବାନରରାଜଙ୍କୁ ଆପଣ କଦାପି ଘୃଣା କରିବେ ନାହିଁ; କାରଣ ସିଏ ଅତ୍ୟନ୍ତ ଶକ୍ତିମନ୍ତ, ବିନୟପୂର୍ଣ୍ଣ, ସାହସୀ, ସୁକୁଶଳ ଓ ସୁନ୍ଦର, ଉତ୍ତମ ଏବଂ ନିଜର ରୂପକୁ ବଦଳାଇବାରେ ସର୍ବଦା ସମର୍ଥ । ଏବଂ ସିଏ ରାକ୍ଷସମାନଙ୍କର ପ୍ରତ୍ୟେକ ନିବାସସ୍ଥଳକୁ ମଧ୍ୟ ଅତି ଉତ୍ତମରୂପେ ଜାଣନ୍ତି । ଆପଣ ସେହି ସୁଗ୍ରୀବଙ୍କ ସହିତ ମିତ୍ରତା କରନ୍ତୁ, ଅଗ୍ନିକୁ ସାକ୍ଷୀ ରଖି ବନ୍ଧୁତାର ଶପଥ ନିଅନ୍ତୁ ଏବଂ ତାଙ୍କ ସାହାଯ୍ୟରେ ଆପଣ ସୀତାଙ୍କୁ ନିଶ୍ଚୟ ଉଦ୍ଧାର କରି ଆଣି ପାରିବେ ।” ଏତକ କହିବା ପରେ ଋଷି ପ୍ରସ୍ଥାନ କରିଥିଲେ; ବିଦାୟ ନେବା ସମୟରେ, ଦୁଇ ଭାଇଙ୍କୁ ଋଷ୍ୟମୁଖ ଆଡ଼କୁ ମାର୍ଗ କହି ଦେଇଥିଲେ । ତା’ପରେ ଭ୍ରାତାଦ୍ୱୟ ମାତଙ୍ଗ ଋଷିଙ୍କର ଆଶ୍ରମ ବାଟଦେଇ ଅରଣ୍ୟାନିପୂର୍ଣ୍ଣ ସେହି ଅନ୍ୟ ପର୍ବତଟିରେ ଆସି ପହଞ୍ଚିଥିଲେ; ଯେଉଁଠାରେ କି ବହୁତ ପକ୍ଷୀ ବାସ କରୁଥିଲେ । ପମ୍ପା ହ୍ରଦଟି ମଧ୍ୟ ଏହିଠାରେ ଅବସ୍ଥିତ ଥିଲା ।

 

ରାମ ସୁଗ୍ରୀବଙ୍କର ମିତ୍ର ହେଲେ

 

ଅଳ୍ପ ଦିନପରେ ରାମ ଏବଂ ଲକ୍ଷ୍ମଣ ଋଷ୍ୟମୁଖ୍ୟ ପର୍ବତରେ ଯାଇ ପହଞ୍ଚିଲେ । ସେଠାରେ ସୁଗ୍ରୀବ ବାସ କରୁଥିଲେ । ସୁଗ୍ରୀବ ସେତେବେଳେ ନିର୍ବାସିତ ଜୀବନ ଯାପନ କରୁଥାନ୍ତି,–ତାଙ୍କର ଭାଇ କ୍ରୂର ବାଳୀ ତାଙ୍କୁ ଘରୁ ବାହାର କରି ଦେଇଥାଏ ଓ ତାଙ୍କର ପତ୍ନୀଙ୍କୁ ଅପହରଣ କରି ନେଇଥାଏ । ସୁଗ୍ରୀବ ଯେତେବେଳେ ଏଡେ ବଡ଼ ବଡ଼ ଆଖି ରହିଥିବା ଏହି ଦୁଇ ବୀରପୁରୁଷଙ୍କୁ ପ୍ରଥମେ ଦେଖିଲେ,–ସେମାନେ ଅସ୍ତ୍ରଶସ୍ତ୍ର ବି ଧାରଣ କରିଥିଲେ,–ସେତେବେଳେ ଅନୁମାନ କରିଥିଲେ ଯେ ତାଙ୍କୁ ନିପାତ କରିବା ନିମନ୍ତେ ହିଁ ବାଳୀ ନିଶ୍ଚୟ ଏମାନଙ୍କୁ ଏହି ସ୍ଥାନକୁ ପଠାଇଛି । ଏଭଳି ଭାବି ସେ ସେଠାରୁ ପଳାୟନ କରିଥିଲେ ଏବଂ ହନୁମାନଙ୍କୁ ହିଁ ଜଣେ ସନ୍ନ୍ୟାସୀର ଛଦ୍ମବେଶରେ ସେମାନଙ୍କ ପାଖକୁ ପଠାଇ ସେହି ଦୁଇଜଣ ପ୍ରକୃତରେ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଏଠାକୁ ଆସିଛନ୍ତି, ତାହା ଜାଣିବାପାଇଁ ଇଚ୍ଛା କରିଥିଲେ । ଲକ୍ଷ୍ମଣ ସେହି ସନ୍ୟାସୀଙ୍କ ଆଗରେ ସକଳ ଘଟଣା ବର୍ଣ୍ଣନା କରି କହିଥିଲେ ଏବଂ ବର୍ତ୍ତମାନ ରାମ ଏଥିପାଇଁ ସୁଗ୍ରୀବଙ୍କ ସାହାଯ୍ୟ ମାଗି ଆସିଛନ୍ତି ବୋଲି ପ୍ରକାଶ କରିଥିଲେ । ନିଜର ପତ୍ନୀ ତଥା ରାଜ୍ୟ ଫେରିପାଇବା ସକାଶେ ସୁଗ୍ରୀବଙ୍କର ମଧ୍ୟ ତ ଜଣେ ସମର୍ଥ ବ୍ୟକ୍ତିଙ୍କ ଲାଗି ପ୍ରୟୋଜନ ରହିଥିଲା,–ଏକଥା ହୃଦୟଙ୍ଗମ କରି ହନୁମାନ ମଧ୍ୟ ସେମାନଙ୍କୁ ସୁଗ୍ରୀବଙ୍କର ସମୀପକୁ ନେଇ ଆସିଥିଲେ ଏବଂ ସେଠାରେ ରାମ ଓ ବାନରରାଜ ଉଭୟଙ୍କ ମଧ୍ୟରେ କଥୋପକଥନ ଆରମ୍ଭ ହୋଇ ଯାଇଥିଲା । ଦୁଇଖଣ୍ଡ କାଠରେ ହନୁମାନ ଅଗ୍ନିଟିଏ ପ୍ରସ୍ତୁତ କରିଦେଲେ ଏବଂ ସେହି ଅଗ୍ନିର ଚାରିପାଖରେ ପ୍ରଦକ୍ଷିଣ ପୂର୍ବକ ରାମ ଏବଂ ସୁଗ୍ରୀବ ପରସ୍ପର ସହିତ ମିତ୍ର ବସିଥିଲେ । ପ୍ରତ୍ୟେକ ଆରଜଣକୁ ସାହାଯ୍ୟ କରିବେ ବୋଲି ପ୍ରତିଜ୍ଞାବଦ୍ଧ ହୋଇଥିଲେ । ଉଭୟେ ଜଣେ ଆରେକ ଆଡ଼କୁ ନିବିଡ଼ ଭାବରେ ଦୃଷ୍ଟିପାତ କଲେ, ମାତ୍ର ପ୍ରକୃତରେ ଆଖି ପୂରାଇ ଦେଖିଲେ ବୋଲି ଅନୁଭବ କରି ପାରିନଥିଲେ । ଏହାପରେ ସୁଗ୍ରୀବ ମଧ୍ୟ ତାଙ୍କର ନିଜ କାହାଣୀଟିକୁ ରାମଙ୍କ ସମୀପରେ ବର୍ଣ୍ଣନା କରି କହିଥିଲେ ଏବଂ ରାମଙ୍କର ସାହାଯ୍ୟ ପ୍ରାର୍ଥନା କଲେ । ଏପରି କଥା ରହିଲା ଯେ ରାମ ସୁଗ୍ରୀବଙ୍କର ଭାଇ ସହିତ ଯୁଦ୍ଧ କରି ତାକୁ ପରାସ୍ତ କରିବେ ଏବଂ ତାହାର ବଦଳରେ ସୀତାଙ୍କର ଖବର ଆଣି ତାଙ୍କୁ ଦେବେ । ରାବଣ ସୀତାଙ୍କୁ ନେଇ ଯାଉଥିବାର ସିଏ ସ୍ଵୟଂ ଦେଖିଛନ୍ତି ବୋଲି ସୁଗ୍ରୀବ ରାମଙ୍କୁ କହିଥିଲେ । ହଁ, ସୀତା ନିଜର ଉତ୍ତରୀ ଓ ରତ୍ନ-ଅଳଙ୍କାରମାନ ମଧ୍ୟ ତଳକୁ ପକାଇ ଦେଇଥିଲେ । ରାମ ଓ ଲକ୍ଷ୍ମଣଙ୍କୁ ସୁଗ୍ରୀବ ସେହି ସନ୍ତକଗୁଡ଼ିକୁ ନେଇ ମଧ୍ୟ ଦେଖାଇଥିଲେ । ସେଗୁଡ଼ିକୁ ରାମ ଅବଶ୍ୟ ଚିହ୍ନି ପାରିଲେ; ମାତ୍ର ଲକ୍ଷ୍ମଣ କହିଥିଲେ, “ମୁଁ ହାତର ଚୂଡ଼ି ଏବଂ, କାନର ଅଳଙ୍କାରଟିକୁ ଭଲ କରି ଚିହ୍ନି ପାରୁନାହିଁ ସିନା, କିନ୍ତୁ ପାଦର ବଳାଗୁଡ଼ିକୁ ଚିହ୍ନୁଛି,–କାରଣ ନିଜ ଆଖିକୁ ମୁଁ କେବେହେଲେ ସୀତାଙ୍କର ପାଦ ଉପରକୁ କରି ଅନାଇନାହିଁ ।”

 

କାହାଣୀଟି ଅନୁସାରେ, ରାମ ବାଳୀକୁ ପରାସ୍ତ କଲେ ଏବଂ ସୁଗ୍ରୀବଙ୍କୁ ସିଂହାସନରେ ବସାଇଥିଲେ । ଏହାପରେ ଚତୁର୍ମାସ୍ୟା ଯାଇ ଯେତେବେଳେ ଆକାଶ ପରିଚ୍ଛନ୍ନ ହୋଇ ବନ୍ୟାଜଳ ମଧ୍ୟ କମି ଆସିଲା, ସେତେବେଳେ ସୁଗ୍ରୀବ ନିଜର ବାନରପ୍ରଜାମାନଙ୍କୁ ଡାକି ଆଣିବାଲାଗି ସେନାପତିମାନଙ୍କୁ ପ୍ରେରଣ କଲେ । ସେମାନେ ହିମାଳୟ, ବିନ୍ଧ୍ୟ ତଥା କୈଳାଶ, ସମସ୍ତ ଅଞ୍ଚଳରୁ ଆସିଥିଲେ, ପୂର୍ବରୁ ପଶ୍ଚିମରୁ ତଥା ପାଖରୁ ଏବଂ ଦୂରରୁ ମଧ୍ୟ ଆସି ପହଞ୍ଚିଗଲେ । ଗୁହା ଓ ଅରଣ୍ୟମାନଙ୍କରୁ ଆସିଲେ,–ଶତ ସହସ୍ର ଏବଂ ଲକ୍ଷ ସଂଖ୍ୟାରେ ଆସିଲେ । ଏବଂ, ପ୍ରତ୍ୟେକ ଯୂଥରେ ଜଣେ ଜଣେ ଅଭିଜ୍ଞତାଯୁକ୍ତ ନେତା ମଧ୍ୟ ରହିଥିଲେ । ପୃଥିବୀ ଯାକର ସବୁ ବାନର ସେଠାରେ ଆସି ଏକତ୍ର ହେଲେ, ଏବଂ ସୁଗ୍ରୀବଙ୍କର ସମ୍ମୁଖରେ ହାତ ଯୋଡ଼ି ଆସି ଛିଡ଼ା ହୋଇଥିଲେ । ସୁଗ୍ରୀବ ସେମାନଙ୍କୁ ରାମଙ୍କର ସେବାରେ ନିୟୋଜିତ କରିଥିଲେ; ସେମାନେ ସମସ୍ତେ ରାମଙ୍କର ଆଦେଶ ଅନୁସାରେ କାର୍ଯ୍ୟ କରିବେ ବୋଲି ନିର୍ଦ୍ଦେଶ କରି ଦେଇଥିଲେ । ମାତ୍ର, ସକଳ ଆଦେଶ ସୁଗ୍ରୀବ ହିଁ ଦିଅନ୍ତୁ ବୋଲି ରାମ ଇଚ୍ଛା ପ୍ରକାଶ କରିଥିଲେ; କାରଣ ସେଇ ଏଭଳି ଗୋଟିଏ ଯୂଥର ରୀତି ଏବଂ ଶୃଙ୍ଖଳାକୁ ସର୍ବୋତ୍ତମ ଭାବରେ ଜାଣିଥିଲେ ଏବଂ ସମ୍ପାଦିତ କରିବାକୁ ରହିଥିବା କାର୍ଯ୍ୟଟି ସହିତ ମଧ୍ୟ ତାଙ୍କର ଉଚିତ ଓ ଉତ୍ତମ ପରିଚୟ ରହିଥିଲା ।

 

ସୀତାଙ୍କୁ ଖୋଜା ହେଲା

 

ଏବେ ମଧ୍ୟ ରାମ, ଲକ୍ଷ୍ମଣ କିମ୍ବା ସୁଗ୍ରୀବ ରାବଣର କେବଳ ନାମଟି ବ୍ୟତୀତ ତାହା ସମ୍ପର୍କରେ ଅଧିକ କିଛି ଜାଣି ନଥିଲେ । ରାବଣ କେଉଁଠାରେ ରହେ ଅଥବା ସୀତାଙ୍କୁ ସିଏ କେଉଁଠାରେ ଲୁଚାଇ ରଖିଛି, ସେକଥାଟି ମଧ୍ୟ କେହି କହି ପାରୁନଥିଲେ । ତେଣୁ ସୁଗ୍ରୀବ ବାନରମାନଙ୍କୁ ଚାରି ଦିଗକୁ ପ୍ରେରଣା କରିଥିଲେ : ପ୍ରତ୍ୟେକ ଦଳରେ ଜଣେ ଜଣେ ନେତା ରହିଲେ, ମନୁଷ୍ୟ ଅଥବା ରାକ୍ଷସମାନେ ବାସ କରୁଥିବା ଓ ସୂର୍ଯ୍ୟ କିରଣ ଦେଉଥିବା ଭୂଖଣ୍ଡ ଗୁଡ଼ିକର ଯଥାସମ୍ଭବ ଶେଷସୀମା ପର୍ଯ୍ୟନ୍ତ ଯାଇ ସୀତାଙ୍କର ଠାବ କରିବା ନିମନ୍ତେ ସେମାନେ ଗୋଟିଏ ମାସ ନିମନ୍ତେ ବିଦାୟ ନେଇ ଚାଲିଗଲେ । କିନ୍ତୁ, ଅନ୍ୟମାନଙ୍କଠାରୁ ହନୁମାନ ଉପରେ ହିଁ ତାଙ୍କର ଅଧିକ ଆସ୍ଥା ରହିଥିଲା, କାରଣ ପବନଦେବତାଙ୍କର ପୁତ୍ର ହନୁମାନ ପିତାଙ୍କ ପରି ବଳବାନ୍ ଥିଲେ ଓ ସେତିକି ବେଗରେ ଯାଇ ପାରୁଥିଲେ; ଧରଣୀ ଅଥବା ଆକାଶର ସକଳ ସ୍ଥାନରେ ଯାଇ ପହଞ୍ଚି ପାରିବା ଲାଗି ତାଙ୍କର ତେଜ ତଥା ସାମର୍ଥ୍ୟ ରହିଥିଲା । ସିଏ ସାହସୀ ଥିଲେ, ବହୁତ ବାସ୍ତବ ବୁଦ୍ଧିର ଅଧିକାରୀ ଥିଲେ ଏବଂ କାଳ ତଥା ଦେଶ ଅନୁସାରେ କେଉଁଠାରେ କିଭଳି ଆଚରଣ କରିବାକୁ ହୁଏ, ସେହି ବିବେକଟି ବିଷୟରେ ମଧ୍ୟ ତାଙ୍କର ଉତ୍ତମ ଜ୍ଞାନ ରହିଥିଲା । ଏବଂ, ସେ ହନୁମାନଙ୍କୁ ଏତେ ବିଶ୍ଵାସ କରୁଥିବା ପରି ହନୁମାନଙ୍କର ମଧ୍ୟ ଆପଣାର ଶକ୍ତି ଉପରେ ପୂର୍ଣ୍ଣ ବିଶ୍ଵାସ ରହିଥିଲା । ରାମ ମଧ୍ୟ ହନୁମାନଙ୍କ ଉପରେ ପୂର୍ଣ୍ଣ ଆସ୍ଥା ସ୍ଥାପନ କଲେ ଏବଂ ସୀତାଙ୍କୁ ଭେଟିଲେ ସିଏ ଯେପରି ହନୁମାନଙ୍କୁ ଚିହ୍ନି ପାରିବେ, ସେଥିଲାଗି ନିଜର ରତ୍ନମୁଦିକାଟିକୁ ହନୁମାନକୁ ପ୍ରଦାନ କରିଥିଲେ ।

 

ତା’ପରେ ହନୁମାନ ରାମଙ୍କର ଚରଣତଳେ ପ୍ରଣାମ କଳା ଏବଂ ତା’ ଯୂଥଟିର ଅନ୍ୟମାନଙ୍କୁ ସାଙ୍ଗରେ ଧରି ଦକ୍ଷିଣ ଦିଗକୁ ଯାତ୍ରା କରିଥିଲା । ସିଏ ଫେରିଆସିବା ପର୍ଯ୍ୟନ୍ତ ରାମ ଏହି ଗୋଟିଏ ମାସ ସୁଗ୍ରୀବ ସହିତ ରହିଥିଲେ । ଏବଂ, ଗୋଟିଏ ମାସ ପରେ ଉତ୍ତର, ପଶ୍ଚିମ ଏବଂ ପୂର୍ବ ଦିଗକୁ ଯାଇଥିବା ଦଳଗୁଡ଼ିକ ଫେରି ଆସିଥିଲେ; ସୀତାଙ୍କୁ ବହୁତ ଖୋଜିଲେ ମାତ୍ର କେଉଁଠି ହେଲେ ତାଙ୍କର ସନ୍ଧାନ ପାଇନଥିଲେ । କିନ୍ତୁ ଦକ୍ଷିଣ ଦିଗକୁ ଯାଇଥିବା ଦଳଟି ଅରଣ୍ୟ, ଗୁହା ଓ ସବୁଯାକ ଗୋପ୍ୟସ୍ଥାନ ଖୋଜିଥିଲେ, ଶେଷରେ ମହାସାଗର ତଟରେ ଯାଇ ପହଞ୍ଚିଥିଲେ-। ବରୁଣର ରାଜ୍ୟ ସେହି ମହାସାଗର,–ସୀମାହୀନ, ପ୍ରତିଧ୍ଵନି ଦ୍ଵାରା ନିନାଦିତ ଏବଂ ଭୟଙ୍କର ତରଙ୍ଗମାଳା ଦ୍ଵାରା ଆନ୍ଦୋଳିତ ମହାସାଗର । ଗୋଟିଏ ମାସ ଅତିବାହିତ ହୋଇ ଯାଇଥିଲା, ଅଥଚ ସୀତାଙ୍କର କୌଣସି ସମ୍ବାଦ ମିଳିଲାନାହିଁ; ବାନରପଲଟି ଅତ୍ୟନ୍ତ ନିରାଶ ହୋଇ ବସିଥାନ୍ତି, ସମୁଦ୍ର ଉପରେ ଦୃଷ୍ଟିପାତ କରୁଥାନ୍ତି । ବିଫଳମନୋରଥ ହୋଇ ସୁଗ୍ରୀବ ପାଖକୁ ଫେରିଲେ ସେମାନଙ୍କର ଜୀବନ ରହିବଟି !

 

ସେହିଠାରେ ହିଁ ବୁଢ଼ା ବାଜପକ୍ଷୀ ସମ୍ପାତି ସହିତ ସେମାନଙ୍କର ସାକ୍ଷାତ ହେଲା । ବହୁତ ବଳବାନ୍ ସମ୍ପାତି ପାଖରେ ଗୋଟିଏ ଗୁହାରେ ବାସ କରୁଥିଲା । ଏବଂ, ବାନରମାନେ ତା’ର ଭାଇ ଜଟାୟୁ ବିଷୟରେ କଥାବାର୍ତ୍ତା ହେଉଥିବାର ଶୁଣିପାରି ସମ୍ପାତି ବାହାରକୁ ଆସି ନିଜର ଭାଇ ବିଷୟରେ ସେମାନଙ୍କୁ ପଚାରିଲା । ତା’ପରେ ବାନରବୃନ୍ଦ ତା’ ଆଗରେ ସମସ୍ତ ବିଷୟ ବର୍ଣ୍ଣନା କରି କହି ଦେଇଥିଲେ । ଏହି ସମ୍ପ୍ରାତି ହିଁ ସେମାନଙ୍କୁ ଖବର ଦେଲା ଯେ, ରାବଣ ସୀତାଙ୍କୁ ଅପହରଣ କରି ନେଉଥିବାର ସିଏ ସ୍ଵଚକ୍ଷୁରେ ଦେଖିଛି । ସମୁଦ୍ର ପଥରେ ଶହେକ୍ରୋଶ ପରେ ଅବସ୍ଥିତ ଯେଉଁ ଲଙ୍କା, ରାବଣ ସେହିଠାରେ ବାସ କରୁଥିଲା । ଶେଷରେ ସମ୍ପାତି କହିଥିଲା, “ତୁମେମାନେ ସେହିଠାକୁ ଯାଅ ଓ ସୀତାଙ୍କ ଅପହରଣ ଏବଂ ମୋ’ ଭାଇର ମୃତ୍ୟୁର ପ୍ରତିଶୋଧ ଦିଅ । ମୋ’ର ଦୂରଦୃଷ୍ଟି ଶକ୍ତି ରହିଛି ଓ ବର୍ତ୍ତମାନ ଏଠାରୁ ଥାଇ ମୁଁ ଦେଖିପାରୁଛି ଯେ ରାବଣ ଓ ସୀତା ସେଇଠି ଅଛନ୍ତି ।”

 

ଲଙ୍କାରେ ସୀତା ଠାବ ହେଲେ

 

ଏକଥା ଶୁଣି ବାନରମାନଙ୍କ ଭିତରେ କିଛି ଆଶାର ସଂଚାର ହେଲା; ମାତ୍ର ସମୁଦ୍ରତଟ ପର୍ଯ୍ୟନ୍ତ ଯାଇ ଯେତେବେଳେ ସେମାନେ ଉଦ୍‌ବେଳିତ ଜଳରାଶି ପାଖରେ ପହଞ୍ଚିଲେ, ସେତେବେଳେ ପୁନର୍ବାର ନିରାଶ ହୋଇ ପଡ଼ିଲେ ଏବଂ ସେହି ଦୁଃଖ ମନରେ ପରସ୍ପର ସହିତ ପରାମର୍ଶ କରିଥିଲେ । ଗୋଟିଏ ବାନର କହିଲା, ସିଏ କୋଡ଼ିଏ କ୍ରୋଶ ପହଁରିଯାଇ ପାରିବ, ଆଉଗୋଟିଏ ପଚାଶ କ୍ରୋଶ, ଜଣେ ଅଶୀ ଓ ଆଉଜଣେ ନବେ କ୍ରୋଶ ପାରି ହୋଇଯିବ; ଓ ବାଳୀର ପୁତ୍ର ଅଙ୍ଗଦ ଶହେ କ୍ରୋଶରୁ ହୁଏତ ଅଧିକ ଚାଲିଯିବ ସିନା, କିନ୍ତୁ ଫେରି ଆସିବାକୁ ଆଉ ତା’ର ବଳ ପାଇବନାହିଁ । ତା’ପରେ ବିଚାରବାନ୍ ଜାମ୍ବବାନ୍ ହନୁମାନକୁ ତା’ର ଉତ୍ପତ୍ତି ଓ ଜନ୍ମବୃତ୍ତାନ୍ତ ବିଷୟରେ ସ୍ମରଣ କରାଇ ଦେଇଥିଲେ: ସେ କିପରି ପବନ ଦେବତାଙ୍କ ଠାରୁ ଜାତ ହୋଇଛି, ତା’ର ମାଆ ଅଞ୍ଜନା କିପରି ପାର୍ବତ୍ୟାଞ୍ଚଳରେ ତାକୁ ଗର୍ଭରେ ଧାରଣ କରିଛି, ଇତ୍ୟାଦି ଇତ୍ୟାଦି, ଇତ୍ୟାଦି । ହନୁମାନ ଯେତେବେଳେ ତଥାପି ସାନ ପିଲାଟିଏ ଥିଲା, ସେତେବେଳେ ସୂର୍ଯ୍ୟକୁ ଦେଖି ସିଏ ତାକୁ ଆକାଶରେ ଫଳିଥିବା ଗୋଟିଏ ଫଳ ବୋଲି ଭାବିଥିଲା ଓ ଅତ୍ୟନ୍ତ ସହଜରେ ସେହି ଫଳଟିକୁ ଆଣିବାପାଇଁ ତା’ ଆଡ଼କୁ ତିନିହଜାର ଯୋଜନା ଡେଇଁ ପଡ଼ିଥିଲା; ଏବଂ ଥରେ ଇନ୍ଦ୍ରଙ୍କର ବଜ୍ର ଆଘାତ କରିବା ଫଳରେ ହନୁମାନର ଗୋଟିଏ ମାଢ଼ି ଭାଙ୍ଗି ଯାଇଥିଲା ଓ ସେଥିରେ ରୁଷ୍ଟ ହୋଇ ପବନଦେବତା ଯେତେବେଳେ ସ୍ଵର୍ଗ ତଥା ମର୍ତ୍ତ୍ୟ ସକଳ ପୁରକୁ ଭାଙ୍ଗି ପକାଇବେ ବୋଲି ବାହାରିଲେ, ସେତେବେଳେ ବ୍ରହ୍ମା ତାଙ୍କୁ ଗୋଟିଏ ବର ଦେଇଥିଲେ ଯେ, ତାଙ୍କର ପୁତ୍ର ସର୍ବଦା ଅପରାଜେୟ ହୋଇ ରହିବ,–ଏବଂ, ସେହି ପୁତ୍ରକୁ ଇନ୍ଦ୍ର ମଧ୍ୟ ଇଚ୍ଛାମୃତ୍ୟୁର ବର ପ୍ରଦାନ କରିଥିଲେ । ଜାମ୍ବବାନ୍ କହିଥିଲେ, “ତେଣୁ ହେ ବାନରବୀର, ବର୍ତ୍ତମାନ ତୁମେ ନିଜ ବୀରତ୍ଵର ପ୍ରମାଣ ଦେବ ଏବଂ ସମୁଦ୍ରକୁ ଅତିକ୍ରମ କରିବ । ତୁମକୁ ହିଁ ଆମେ ସର୍ବପ୍ରଥମ ଶ୍ରେଷ୍ଠ ବୋଲି ଜାଣୁଛୁ । ତୁମେ ହିଁ ସବୁକିଛିକୁ ନିଜର ଶକ୍ତିରେ ତଥା ନିଜର ବେଗରେ ଅତିକ୍ରମ କରିଯାଇ ପାରିବ ।”

 

ହନୁମାନ ଉଠି ଦଣ୍ଡାୟମାନ ହେଲେ ଏବଂ ତାହା ଦେଖି ଯୂଥର ଅନ୍ୟମାନେ ଉଲ୍ଲାସ ଅନୁଭବ କରିଥିଲେ । ପୂର୍ଣ୍ଣ ଆତ୍ମବିଶ୍ଵାସ ଏବଂ ଶକ୍ତିଦ୍ଵାରା ସେ ଯେଉଁ କାର୍ଯ୍ୟଟିକୁ ହାତକୁ ନେବେ ତାହାକୁ ଅବଶ୍ୟ ସମ୍ପନ୍ନ କରିବେ ବୋଲି ଘୋଷଣା କରିଥିଲେ । ତା’ପରେ ସେ ମହେନ୍ଦ୍ର ପର୍ବତ ଉପରକୁ ଉଠିଯାଇ ରୋଷଭର ହୋଇ ପର୍ବତଟିକୁ ଏପରି ଦୋହଲାଇ ହେବାକୁ ଲାଗିଲେ ଯେ ସେଠାରେ ଅରଣ୍ୟ ତଥା କନ୍ଦରଗୁଡ଼ିକରେ ବାସ କରୁଥିବା ପ୍ରାଣୀବର୍ଗ ଭୀତତ୍ରସ୍ତ ହୋଇ ଉଠିଲେ । କୌଣସି କଠିନ କାର୍ଯ୍ୟକୁ ସମ୍ପାଦନ କରିବାକୁ ଗଲାବେଳେ ଯେତେବେଳେ କୌଣସି ବନ୍ଧୁ କୌଣସି ସାହାଯ୍ୟ କରି ପାରନ୍ତିନାହିଁ ଓ କୌଣସି ଶତ୍ରୁ ମଧ୍ୟ ବାଧା ଦେଇ ପାରନ୍ତିନାହିଁ, ସେତେବେଳେ ବୀର ହନୁମାନ ବର୍ତ୍ତମାନ ସେହିପରି ଏକ ଅବସର ଆସି ଉପସ୍ଥିତ ହେବାରୁ ଏକ ବୃଷଭବତ୍ ଉନ୍ନତଶିର ହୋଇ ଛିଡ଼ା ହୋଇଗଲେ; ସୂର୍ଯ୍ୟଦେବ, ପର୍ବତଦେଶର ପବନ, ଆପେ ଆପଣାକୁ ସୃଷ୍ଟି କରିଥିବା ଏହି ପରମକର୍ତ୍ତା ତଥା ସର୍ବଭୂତକୁ ପ୍ରାର୍ଥନା କରି ଉପସ୍ଥିତ କର୍ତ୍ତବ୍ୟଟି ଉପରେ ଆପଣାର ହୃଦୟକୁ ନିବେଶିତ କରି ରଖିଥିଲେ । ଆକାରରେ ବଢ଼ିବାକୁ ଲାଗିଲେ, ଅଗ୍ନି ପରି ପ୍ରଜ୍ଜ୍ଵଳିତ ହୋଇ ଉଠିଲେ; ମସ୍ତକର କେଶଗୁଡ଼ିକ ଖରଭାବରେ ଉଡ଼ିବାରେ ଲାଗିଥାନ୍ତି, ଛିଡ଼ା ହୋଇଯାଇ ବଜ୍ର ପରି ଗର୍ଜନ କରି ଉଠିଲେ ଏବଂ ମନ ତଥା ଦେହର ବଳକୁ ଏକତ୍ର କରିଆଣି “ମୁଁ ସୀତାଙ୍କୁ ଆବିଷ୍କାର କରିବି ଅଥବା ରାବଣକୁ ଜଞ୍ଜିରରେ ବାନ୍ଧି ନେଇଆସିବି” ବୋଲି ଭାବିଥିଲେ । ତା’ପରେ ଏପରି ଏକ ଲମ୍ଫ ପ୍ରଦାନ କଲେ, ତାହାରି ପ୍ରଭାବରେ ତରୁମାନେ ଉତ୍ପାଟିତ ହେବାପରି ଅନୁଭବ କଲେ ଓ ପୁନର୍ବାର ଯେଉଁଠାରେ ଥିଲେ, ସେହି ସ୍ଥାନରେ ପତିତ ହେଲେ । ପବନପୁତ୍ର ଏକ ପର୍ବତବତ୍ ଅଗ୍ରସର ହୋଇ ଯାଉଥାନ୍ତି, ତାଙ୍କର ଆଖି ଦୁଇଟି ଜଙ୍ଗଲର ଅଗ୍ନିପରି ଝଲମଲ ହେଉଥାଏ ଏବଂ ଉପର ଆଡ଼କୁ ଠିଆ ହୋଇ ରହିଥିବା ତାଙ୍କର ପୁଚ୍ଛଟି ଶକ୍ରଦେବଙ୍କର ପତାକା ପରି ଦେଖା ଯାଉଥାଏ । ବୀର ହନୁମାନ ଏହିପରି ଭାବରେ ସମୁଦ୍ରକୁ ଅତିକ୍ରମ କରିବାରେ ଲାଗିଲେ । ଯେତେବେଳେ ମିତ୍ରତାଭାବର ବଶବର୍ତ୍ତୀ ହୋଇ ମହାସାଗର ନାନା ବୃକ୍ଷରେ ପରିପୂର୍ଣ୍ଣ ଏବଂ ବହୁତ ଫଳମୂଳ ଧାରଣ କରିଥିବା ମୈନାକ ଗିରିଶିଖରକୁ ନିଜର ଗର୍ଭରୁ ଉପରକୁ ଉଠାଇ ଧରିଲା, କାଳେ ହନୁମାନ ସେଠାରେ କିଛିକ୍ଷଣ ରହି ବିଶ୍ରାମ କରିବେ,–ହନୁମାନ ସେତେବେଳେ ସେଠାରେ ଆଦୌ ରହି ଯାଇନଥିଲେ ଏବଂ ସାକ୍ଷାତ ଗରୁଡ଼ଙ୍କ ପରି ପଥ ଅତିକ୍ରମ କରି ଚାଲି ଯାଇଥିଲେ । ତା’ପରେ ଗୋଟିଏ କୁତ୍ସିତ ରାକ୍ଷସୀ ଜଳମଧ୍ୟରୁ ଉଠି ହନୁମାନଙ୍କ ଛାଇକୁ କାମୁଡ଼ି ଧରିଥିଲା ଏବଂ ତାଙ୍କୁ ଗିଳି ପକାଇବ ବୋଲି ମନ କଲା । ହନୁମାନ ତା’ର ମୁଖ ଭିତରକୁ ପଶିଯାଇ ଏପରି ପ୍ରକାଣ୍ଡାକୃତି ହେବାକୁ ଆରମ୍ଭ କଲେ ଯେ, ବିଚାରୀ ରାକ୍ଷସଟିର ଦେହଟି ତାହା ଫଳରେ ଫାଟି ଯାଇଥିଲା ଓ ତାହାର ଜୀବନ ଗଲା । ତା’ପରେ ଆରପଟ ତଟଟି ଦୃଷ୍ଟିଗୋଚର ହୋଇ ଆସିଲା ଏବଂ ନିଜାରଣ ଏଡ଼ବଡ଼ ଶରୀରଟା ଏକ ଗୁପ୍ତ କାର୍ଯ୍ୟ ସମ୍ପାଦନ କରିବାରେ ଆଦୌ ଅନୁକୂଳ ହେବେନାହିଁ ବୋଲି ବୁଝିପାରି ହନୁମାନ ପୁନର୍ବାର ଆପଣାର ସ୍ଵାଭାବିକ ରୂପ ଏବଂ ଆକାରକୁ ଧାରଣ କଲେ ଓ ଲଙ୍କାର ସମୁଦ୍ର ତଟରେ ଅବରତରଣ କରିଥିଲେ । ତଥାପି ଆଦୌ କୌଣସି କ୍ଳାନ୍ତି ଅଥବା ଶାନ୍ତି ଅନୁଭବ କରୁନଥିଲେ ।

 

ପର୍ବତ ଉପରକୁ ଉଠିଯାଇ ସେ ଲଙ୍କାନଗରୀ ଉପରେ ଆଖି ପକାଇ ଆଣିଲେ । ଚାରିପାଖରେ ଗୋଟିଏ ସୁନା ପାଚେରୀ–ଏବଂ, ସେଥିରେ ଥିବା ଅଟ୍ଟାଳିକାମାନ ଏଡ଼େ ବଡ଼ ବଡ଼ ହୋଇଛି ଯେ, ଗୋଟିଏ ଗୋଟିଏ ମେଘର ପର୍ବତ ପରି ଦେଖାଯାଉଛି । ସ୍ଵୟଂ ବିଶ୍ଵକର୍ମା ସେଗୁଡ଼ିକର ନିର୍ମାଣ କରିଛନ୍ତି । କେତେବେଳେ ସୂର୍ଯ୍ୟାସ୍ତ ହେବ, ହନୁମାନ ଅତ୍ୟନ୍ତ ଅଧୀର ଭାବରେ ଅପେକ୍ଷା କରି ରହିଥିଲେ । ସୂର୍ଯ୍ୟାସ୍ତ ପରେ ରାତ୍ରି ଆସିବାରୁ ହନୁମାନ ଆପଣାକୁ ଏକ ବିରାଡ଼ିର ଆକାରକୁ କ୍ଷୁଦ୍ର କରିଆଣି ନଗରୀ ମଧ୍ୟରେ ଯାଇ ପ୍ରବେଶ କଲେ । ଲଙ୍କାନଗରୀ ତାଙ୍କର ଆଖିକୁ ସତେଯେପରି ଜଣେ ନାରୀର ରୂପଭଳି ମନେ ହୋଇଥିଲା, ସମୁଦ୍ରକୁ ଯାହାର ପରିଚ୍ଛଦ ବୋଲି କୁହାଯିବ, ଗୋଶାଳା ଏବଂ ଅଶ୍ଵଶାଳା ମାନଙ୍କୁ ଦେହରେ ପିନ୍ଧିଥିବା ରତ୍ନାଳଙ୍କାର ପରି ଏବଂ ପ୍ରାଚୀର ଉପରୁ ଦୃଶ୍ୟ ହେଉଥିବା ଗମ୍ବୁଜଗୁଡ଼ିକୁ ବକ୍ଷୋଜ ପରି ମଧ୍ୟ କୁହାଯିବ । ମାତ୍ର ହାୟ, ହନୁମାନ ସେହି ନଗରୀ ମଧ୍ୟରେ ପ୍ରବେଶ କରୁ କରୁ ସେହି ନଗରୀ ଏକ ଭୟଙ୍କର ରୂପ ଧାରଣ କରି ତାଙ୍କର ବାଟ ଓଗାଳିବାକୁ ଲାଗିଲା । ବୀର ହନୁମାନ ଗୋଟିଏ ମାତ୍ର ଆଘାତରେ ତାହାକୁ ତଳେ ପକାଇ ଦେଇଥିଲେ;–ଜଣେ ନାରୀ ବୋଲି ବିଚାର କରି ଆଘାତଟିକୁ ଯଥା ସମ୍ଭବ କୋମଳ କରିବାକୁ ଚେଷ୍ଟା କରିଥିଲେ । ନାରୀ ପରାଜୟ ସ୍ଵୀକାର କଲେ ଓ ନିଜର କାର୍ଯ୍ୟମାନ କରିଯିବା ଲାଗି ତାଙ୍କୁ ବାଟ ଛାଡ଼ି ଦେଇଥିଲେ । ହନୁମାନ ସିଧା ରାବଣର ରାଜପ୍ରସାଦ ଅଭିମୁଖରେ ହିଁ ଅଗ୍ରସର ହୋଇଗଲେ । ପର୍ବତର ଶିଖରଦେଶରେ ଅବସ୍ଥିତ ସେହି ପ୍ରାସାଦ,–ଚତୁର୍ଦ୍ଦିଗରେ ପାଚେରୀ ବୁଲିଛି ଏବଂ ତା’ଚାରିପାଖରେ ପାଣିଭର୍ତ୍ତି ଗୋଟିଏ ଖାଇ । ସେତେବେଳେ ଚନ୍ଦ୍ରମା ପୂର୍ଣ୍ଣାକୃତି ହୋଇ ଉପରକୁ ଉଠି ଯାଇଥାଏ ଏବଂ ସତେଅବା ଏକ ଶୁଭ୍ରହଂସ ପରି ଆକାଶରୂପୀ ସାଗରରେ ସନ୍ତରଣ କରୁଥାଏ । ପ୍ରାସାଦର ଅଧିବାସୀମାନଙ୍କ ଉପରେ ବର୍ତ୍ତମାନ ହନୁମାନଙ୍କର ଦୃଷ୍ଟି ପଡ଼ି ଯାଇଥିଲା; କିଏ ସୁରାପାନ କରୁଥିଲେ, କିଏ ରତିକ୍ରୀଡ଼ାରେ ରତ ହୋଇ ରହିଥିଲେ; କେତେ ବିରସ ଦିଶୁଥିଲେ ଏବଂ ଆଉ କେତେ ଉଲ୍ଲସିତ ଦେଖା ଯାଉଥିଲେ । ଅନ୍ୟମାନେ ପାନଭୋଜନ କରୁଥିଲେ; କିଏ ସଂଗୀତବିନୋଦରେ ମଗ୍ନ ଥିଲେ ଏବଂ ଆହୁରି କିଏ ନିଦ୍ରାମଗ୍ନ ରହିଥିଲେ । କେତେ ରୂପବତୀ ବଧୂ ନିଜ ଭର୍ତ୍ତାମାନଙ୍କର ବାହୁପାଶରେ ଆବଦ୍ଧ ହୋଇ ରହିଥିଲେ-। ହନୁମାନ ସବୁ ଦେଖିଲେ, ମାତ୍ର ସୀତାଙ୍କୁ କେଉଁଠି ହେଲେ ଦେଖି ପାରୁନଥାନ୍ତି-। ଫଳରେ ଅତ୍ୟନ୍ତ ବିରସ ଏବଂ ନୈରାଶ୍ୟମଗ୍ନ ହୋଇ ପଡ଼ିଥିଲେ । ତା’ପରେ ହର୍ମ୍ୟରୁ ହର୍ମ୍ୟକୁ ଡେଇଁ ଦେଖିବାରେ ଲାଗିଲେ, ସକଳ ପ୍ରମୁଖ ରାକ୍ଷସଙ୍କର ବାସଗୃହକୁ ବୁଲି ଦେଖିଥିଲେ, ଏବଂ ଶେଷରେ ସ୍ଵୟଂ ରାବଣର ଅନ୍ତଃପୁରରେ ଆସି ପହଞ୍ଚିଗଲେ । ସେହି ପ୍ରାସାଦଟିକୁ ପ୍ରକୃତରେ ସୁବର୍ଣ୍ଣ ଓ ନାନାବିଧ ମଣି ଓ ମାଣିକ୍ୟରେ ଗୋଟିଏ ଗନ୍ତାଘର ବୋଲି ହିଁ କୁହାଯିବ,–ରୂପେଲି ଆଲୁଅରେ ଖାଲି ଝଲସି ଉଠିବାରେ ଲାଗିଥାଏ । ସେଠାରେ ହନୁମାନ ସୀତାଙ୍କୁ ସର୍ବତ୍ର ଖୋଜିଲେ, କୌଣସି ଗୋଟିଏ ସ୍ଥାନକୁ ମଧ୍ୟ ଛାଡ଼ିନଥିଲେ : ସୁନାର କେତେ କେତେ ପାହାଚ, ବହୁ ରଙ୍ଗରେ ଚିତ୍ରିତ ହୋଇଥିବା ରଥମାନ, କାଚର କେତେ କେତେ ଗବାକ୍ଷ ଓ ରତ୍ନ ଦ୍ଵାରା ଖଚିତ ହୋଇଥିବା କେତେ ଶୟନକକ୍ଷ,–ହନୁମାନ ଚାରିଆଡ଼େ ବୁଲି ଦେଖିଲେ, କିନ୍ତୁ ସୀତାଙ୍କୁ କେଉଁଠି ହେଲେ ଦେଖି ନଥିଲେ-। ମାଂସ ଓ ସୁରାର ଗନ୍ଧସବୁ ତାଙ୍କ ନାକରେ ଆସି ବାଜି ଯାଉଥାଏ । ଠିକ୍ ସେତିକିବେଳେ ସର୍ବତ୍ର ବିରାଜି ରହିଥିବା ବାୟୁଦେବତା ମଧ୍ୟ ତାଙ୍କର ନାକପୁଡ଼ା ନିକଟକୁ ଆସି ପରାମର୍ଶ ଦେଇଥିଲେ, “ଯେଉଁଠାରେ ରାବଣ ଶୋଇଛି, ସେଠାରେ ଆସ ଦେଖିବା ।” ବାୟୁଙ୍କର ପଛେ ପଛେ ଯାଇ ହନୁମାନ ସେଠାରେ ମଧ୍ୟ ଯାଇ ପହଞ୍ଚିଗଲେ । ଏକ ମହାଡ଼ମ୍ବରମୟ ଶଯ୍ୟା ଉପରେ ରାକ୍ଷସମାନଙ୍କର ସେହି ରାଜା ଶୟନ ଥିଲେ,–ନିଦ୍ରାମଗ୍ନ ଥିଲେ ଏବଂ ଗଭୀର ନିଶ୍ଵାସ ତ୍ୟାଗ କରିବାରେ ଲାଗିଥିଲେ । କେଡ଼େ ବିଶାଳ ସେହି ଶରୀର, କେତେ କେତେ ମୁକ୍ତା ଭରଣ ଦ୍ଵାରା ଚକଚକ ଦେଖା ଯାଉଥିଲା : ସତେଅବା ସୂର୍ଯ୍ୟାସ୍ତକାଳୀନ ଖଣ୍ଡେ ରକ୍ତାଭ କଳାମେଘକୁ ବିଜୁଳିର ଝଲକମାନେ ଆସି ବିଦ୍ଧ କରି ଦେଉଥିଲେ । ରାବଣର ପ୍ରକାଣ୍ଡ ବାହୁଗୁଡ଼ିକ ସେହି ଶୁଭ୍ର ଶଯ୍ୟା ଉପରେ ପାଞ୍ଚଫଣା ବିଶିଷ୍ଟ ଭୟଙ୍କର ଗୋଟିଏ ଗୋଟିଏ ସର୍ପପରି ପଡ଼ି ରହିଥିଲେ-। ଚାରି ସ୍ତମ୍ଭ ଉପରେ ଜଳୁଥିବା ଚାରିଗୋଟି ସୁବର୍ଣ୍ଣ ପ୍ରଦୀପ ତା’ର ବିଛଣାକୁ ଆଲୋକିତ କରି ରଖିଥାନ୍ତି-। ରାବଣର ପତ୍ନୀମାନେ ମଧ୍ୟ ରାବଣର ଚାରିପାଖରେ ଶୋଇଥିଲେ: ଚନ୍ଦ୍ରମାଭଳି ଶୁଭ୍ର ବର୍ଣ୍ଣର; ସେମାନେ ସମସ୍ତେ ଝଲମଲ ବହୁ ମଣିମୁକ୍ତା ଓ ଆଦୌ କେବେହେଲେ ମଳିନ ହୋଇ ଯାଉନଥିବା ପୁଷ୍ପହାରମାନଙ୍କ ଦ୍ଵାରା ଭୂଷିତ ହୋଇ ରହିଥିଲେ । ରାତ୍ରୀକାଳୀନ ବିଳାସପରେ ଶ୍ରାନ୍ତ ହୋଇପଡ଼ି କେତେ ଆପଣାର ସେହି ବସିବା ଜାଗାରେ ହିଁ ନିଦରେ ଢଳି ପଡ଼ିଥିଲେ; ଏକ ରତିଆତୁରା ବାଳିକା ଆପଣାର ପ୍ରେମିକଙ୍କୁ ଆଲିଙ୍ଗନ କରି ରହିଥିଲା ଭଳି ଆଉଜଣେ ଆପଣାର ସୁଗୋଲ ବାଦ୍ୟଯନ୍ତ୍ରଟିକୁ କୁଣ୍ଢାଇ ରହିଥିଲା । ଆଉକେହି ଗୌରବର୍ଣ୍ଣା ନୃତ୍ୟକୁଶଳା ସେହି ନିଦ୍ରାବସ୍ଥାରେ ମଧ୍ୟ ଭଳି ଭଳି ମୁଦ୍ରା କରିବାରେ ଲାଗିଥିଲା । ଅନ୍ୟମାନେ ଜଣେ ଆଉଜଣକୁ କୁଣ୍ଢାଇ ଧରିଥିଲେ-। ରାବଣର ରାଣୀ ମନ୍ଦୋଦରୀ ମଧ୍ୟ ସେଠାରେ ଥିଲେ । ଶୋଭା ଏବଂ ସୌନ୍ଦର୍ଯ୍ୟରେ ମନ୍ଦୋଦରୀ ଅନ୍ୟ ସମସ୍ତଙ୍କୁ ବଳି ଯାଇଥିଲେ । ହନୁମାନ ତାହାଙ୍କୁ ସୀତା ବୋଲି ଅନୁମାନ କଲେ ଏବଂ, ସେହି ଭାବିବାଟା ହିଁ ତାଙ୍କୁ ଏପରି ଭାବରେ ଉଜ୍ଜୀବିତ କରି ଆଣିଥିଲା ଯେ ସିଏ ନିଜର ବାହୁଗୁଡ଼ିକୁ ଦୋହଲାଇ ପୁଚ୍ଛକୁ ଟେକି ଗୀତ ଗାଇ ଆନନ୍ଦରେ ନାଚିବାକୁ ଲାଗିଲେ । ସୁବର୍ଣ୍ଣ ସ୍ତମ୍ଭଗୁଡ଼ିକରେ ଚଢ଼ିଯାଇ ବାରମ୍ବାର ତଳକୁ ଡେଇଁ ପଡ଼ିବାକୁ ଆରମ୍ଭ କଲେ । ନିଜ ବାନରପ୍ରକୃତିର ପ୍ରେରଣାବଶତଃ । ମାତ୍ର କିଞ୍ଚିତ୍ ଚିନ୍ତା କରିବା ପରେ ସେ ଆପଣାର ଭୁଲ ବୁଝି ପାରିଥିଲେ; କାରଣ ମନେ ମନେ କହିଥିଲେ, “ରାମଙ୍କର ବିହୁନେ ସୀତା ତ ଅନ୍ନ କିମ୍ବା ଜଳ ମଧ୍ୟ ସ୍ପର୍ଶ କରିବେ ନାହଁ ତାଙ୍କୁ ନିଦ ହିଁ ହେବନାହିଁ । ନିଜର ଶରୀରକୁ କଦାପି ଏପରି ଭାବେ ସଜାଇବେ ଏବଂ ରାମଙ୍କ ବ୍ୟତୀତ ଆଉ କାହା ସହିତ ଆଦୌ ଶୟନ କରିବେନାହିଁ । ତେଣୁ ଇଏ ନିଶ୍ଚୟ ଆଉକେହି ହୋଇଥିବେ ।” ଏହାପରେ ହନୁମାନ ପ୍ରାସାଦର ଅନ୍ୟ ସ୍ଥାନଗୁଡ଼ିକୁ ଖୋଜି ବାହାରିଗଲେ, କେତେ କେତେ ବାଟିକାକୁ ଯାଇ ଖୋଜିଲେ, ମାତ୍ର ବିଫଳ ହୋଇଥିଲେ । କେତେ ସୌନ୍ଦର୍ଯ୍ୟବତୀଙ୍କୁ ଦେଖିଲେ, ମାତ୍ର ସୀତାଙ୍କୁ ଭେଟି ପାରିଲେନାହିଁ । ଏପରି ମଧ୍ୟ ଆଶଙ୍କା କଲେ ଯେ ରାକ୍ଷସମାନେ ତାଙ୍କୁ ହତ୍ୟା କରିଥିବେ ବା ତାଙ୍କୁ ଖାଇ ଯାଇଥିବେ । ତେଣୁ, ପ୍ରାସାଦ ମଧ୍ୟରୁ ବାହାରିଯାଇ ନଗରଟିର ପାଚେରୀ ଉପରେ ଗଭୀର ନୈରାଶ୍ୟରେ କିଛିକ୍ଷଣ ବସି ରହିଥିଲେ । ଭାବୁଥିଲେ, “ଯଦି ସୀତାଙ୍କୁ ନପାଇ ମୁଁ ଏଠାରୁ ଲେଉଟିଯିବି, ତେବେ ମୋ’ର ଏତେଏତେ ଶ୍ରମ କେବଳ ବୃଥା ହିଁ ହେବ । ଏବଂ, ଏପରି ହେଲେ ମୋତେ ସୁଗ୍ରୀବ କ’ନ କହିବେ, ରାମ ଓ ଲକ୍ଷ୍ମଣ ମଧ୍ୟ ଦୁଃଖରେ ପ୍ରାଣ ହରାଇବେ ଏବଂ ସେମାନଙ୍କ ପରେ ଭରତ, ଭରତଙ୍କ ପରେ ଶତ୍ରୁଘ୍ନ ଓ ତାଙ୍କପରେ ରାଣୀ କୌଶଲ୍ୟା ମଧ୍ୟ ପ୍ରାଣ ବିସର୍ଜନ କରିବେ । ଏବଂ, ଏହି ଘଟଣାଗୁଡ଼ିକୁ ଦେଖି ରାମଙ୍କ ବନ୍ଧୁ ମଧ୍ୟ ମୃତ୍ୟୁକୁ ବରଣ କରିବେ, ବାନରପତ୍ନୀମାନେ ମରିବେ,–ଅଙ୍ଗଦ ଯିବ, ସମସ୍ତ କପିକୁଳର ମଧ୍ୟ ବିନାଶ ହେବ ! ତା’ପରେ ଅରଣ୍ୟ, ପର୍ବତ ନାନାବିଧ ଗୁପ୍ତ ସ୍ଥାନରେ ଏକତ୍ର କ୍ରୀଡ଼ାରତ ହୋଇ ରହିବାକୁ ଆଉ କୌଣସି ବାନର ରହିବେ ନାହିଁ । ମୁଁ ବିଫଳ ହୋଇ ଫେରିଲି ବୋଲି ଜାଣି ଅପେକ୍ଷାରତ ବାନରମାନେ ଆର୍ତ୍ତ ଏବଂ ଉଚ୍ଚସ୍ଵରରେ କ୍ରନ୍ଦନ କରିବାକୁ ଆରମ୍ଭ କରିବେ; ସେମାନେ ବିଷପାନ କରିବେ, ନିଜ ଗଳାରେ ଫାଶ ଲଗାଇଦେବେ ଅଥବା ଉଚ୍ଚ ପର୍ବତଗୁଡ଼ିକ ଉପରୁ ଡେଇଁପଡ଼ି ଜୀବନ ହରାଇବେ । ତେଣୁ, ବିଫଳ ହୋଇ ଫେରିବାର କୌଣସି ପ୍ରଶ୍ନ ହିଁ ଉଠୁନାହିଁ-। ବରଂ ମୁଁ ନିଜେ ଉପବାସ କରି ପ୍ରାଣ ହରାଇବା ହିଁ ଅଧିକ ଶ୍ରେୟସ୍କର ହେବ । କିନ୍ତୁ, ମୋ’ ସକାଶେ ସେହି ଉତ୍ତମ ବାନର ନିଧନ ଘଟିବ, ସେକଥା କେବେହେଲେ ହେବନାହିଁ । ମୁଁ ଏହିଠାରେ ରହିବି ଏବଂ ଲଙ୍କାଯାକ ବାରବାର ଖୋଜୁଥିବି । ପ୍ରାଚୀର ବାହାରେ ତେଣେ ରହିଥିବା ସେହି ଅଶୋକବନଟିକୁ ମଧ୍ୟ ଯିବି ।”

 

ତା’ପରେ ହନୁମାନ ରାମ ଓ ସୀତାଙ୍କୁ ପ୍ରଣାମ କଲା; ଶିବ, ଇନ୍ଦ୍ର ଏବଂ ମୃତ୍ୟୁଦେବତାଙ୍କୁ ପ୍ରଣାମ କଲା, ପବନ, ଚନ୍ଦ୍ର ଏବଂ ଅଗ୍ନିଙ୍କୁ ନମସ୍କାର ଜଣାଇଲା । ଶେଷରେ ସୁଗ୍ରୀବଙ୍କୁ ମଧ୍ୟ,–ଏବଂ ଭାବନାରେ ଏକାଗ୍ର ରହି ଏହି ସମସ୍ତଙ୍କୁ ପ୍ରାର୍ଥନା କରିସାରିବା ପରେ କଳ୍ପନାର ଚକ୍ଷୁରେ ଅଶୋକବନକୁ ଚାହିଁଦେଇ ସେହିଠାରେ ସୀତାଙ୍କୁ ଦେଖିପାରିଲା । ତା’ପରେ, ଆପଣାର ପ୍ରକୃତ ଶରୀରଟିକୁ ଧାରଣ କରି ଧନୁରୁ ତୀରତିଏ ଛୁଟିଗଲା ପରି ସେ ପାଚେରୀ ଉପରୁ ଡେଇଁପଡ଼ିଲା ଏବଂ ଅଶୋକବନରେ ପ୍ରବେଶ କଲା ଅତୀବ ସୁଖ ଏବଂ ଆନନ୍ଦ ଆଣି ଦେଉଥିବା ସେହି ଅଶୋକବନ,–ବୃକ୍ଷମାନଙ୍କରେ କେତେ କେତେ ଫୁଲ ଫୁଟିଥିଲେ ଓ କେତେ ପ୍ରାଣୀ ହରଷିତ ହୋଇ ଭ୍ରମଣ କରୁଥିଲେ । ମାତ୍ର ହନୁମାନ ସେହି ବନଟିକୁ ଗୋଟାସୁଦ୍ଧା ଛାରଖାର କରିଦେଇଥିଲା, ବୃକ୍ଷମାନଙ୍କୁ ମଡ଼ମଡ଼ କରି ଭାଙ୍ଗି ପକାଇଲା । ସେଠାରେ ଗୋଟିକିଆ ଏକ ଅଶୋକ ବୃକ୍ଷ ଅବସ୍ଥିତ ରହିଥିଲା । ହନୁମାନ ଫକ୍ କରି ସେହି ବୃକ୍ଷ ଉପରକୁ ଲମ୍ପପ୍ରଦାନ କରିଥିଲା ଏବଂ ଚତୁର୍ଦ୍ଦିଗକୁ ଆଖି ପକାଇ ଚିନ୍ତା କରିବାକୁ ଲାଗିଲା । ଭାବୁଥିଲା, ଯଦି ସୀତା ଏହି ବନଟି ଭିତରେ ବାସ କରୁଥିବେ, ତେବେ ଏହି କେଡ଼େ ସୁନ୍ଦର ବୃକ୍ଷଟିର ମୂଳକୁ ନିଶ୍ଚୟ ଆସୁଥିବେ-। ସିଏ ଏକ ମର୍ମର ଅଟ୍ଟାଳିକା ଦେଖିବାକୁ ପାଇଲା, ସିଡ଼ିଗୁଡ଼ିକ ପ୍ରବାଳରେ ଏବଂ ଚଟାଣଗୁଡ଼ିକ ଉଜ୍ଜ୍ଵଳ ସୁନା ଦେଇ ତିଆରି ହୋଇଥିଲେ; ଏବଂ, ସେହିଠାରେ ଜଣେ ନାରୀ ବନ୍ଦିନୀ ହୋଇ ରହିଥିଲେ, ସତେଅବା ଉପବାସରେ ରହିବାରୁ ତାଙ୍କର ତନୁ ବଳହୀନ ଏବଂ କୃଶ ହୋଇ ଯାଇଥିଲା, କୌଣସି ଦାରୁଣ ଦୁଃଖ ହେତୁ ସେ ଦୀର୍ଘଶ୍ଵାସ ପକାଇବାରେ ଲାଗିଥିଲେ, ଅତ୍ୟନ୍ତ ମଳିନ ବସ୍ତ୍ର ପରିଧାନ କରିଥିଲେ । ଭୟଙ୍କର ଦେଖାଯାଉଥିବା ଦଳେ ରାକ୍ଷସୀ ତାଙ୍କର ଚାରିପାଖରେ ବସି ତାଙ୍କୁ ଜଗି ରହିଥିଲେ । ସତେଯେପରି ଗୋଟିଏ ହରିଣକୁ ବନ୍ୟ ସାରମେୟ ଦଳେ ଜଗି ରହିଛନ୍ତି ଅଥବା ଏକ ଧୂମପଟଳ ମଧ୍ୟରେ ଅଗ୍ନିଶିଖାଟିଏ ଝାପସା ହୋଇ ରହି ଯାଇଛି, ପ୍ରାୟ ସେହିପରି ଦିଶୁଛି ।

 

ହନୁମାନ ବିଚାର କରିଥିଲେ, ଏଇ ନିଶ୍ଚୟ ସୀତା ହୋଇଥିବେ । କାରଣ ସିଏ ଗୌରବର୍ଣ୍ଣ ଦେଖା ଯାଉଥିଲେ ଓ ତାଙ୍କ ଦେହ ଉପରେ କେଉଁଠି ହେଲେ କୌଣସି ମଇଳା ନଥିଲା-। ସତେଅବା ମେଘମାନେ ଘେରିଯାଇ ଚନ୍ଦ୍ରକୁ ଢାଙ୍କି ରଖିଥିଲେ । ଏବଂ, ସିଏ ସେହିସବୁ ଅଳଙ୍କାର ପିନ୍ଧିଥିଲେ, ରାମ ଯେଉଁଗୁଡ଼ିକ ବିଷୟରେ ତାଙ୍କୁ ବର୍ଣ୍ଣନା କରି କହିଥିଲେ । ହନୁମାନଙ୍କର ଆଖିରୁ ଆନନ୍ଦାଶ୍ରୁ ବହିଯିବାକୁ ଆରମ୍ଭ କଲା ଏବଂ ସେ ରାମ ଓ ଲକ୍ଷ୍ମଣଙ୍କର ବିଷୟରେ ଭାବିବାକୁ ଲାଗିଲେ । ମାତ୍ର, ସିଏ ତ ଏପର୍ଯ୍ୟନ୍ତ ବୃକ୍ଷ ଉପରେ ଲୁଚି କରି ବସିଥିଲେ ଓ ତେଣେ ରାବଣ ନିଦରୁ ଉଠି ରାଜକୀୟ ଆଡ଼ମ୍ବର ସହିତ ବହୁ ନାରୀଙ୍କ ଦ୍ଵାରା ବେଷ୍ଟିତ ହୋଇ ଅଶୋକବନକୁ ଆଗମନ କରିଥିଲା । ଗୋଟିଏ ମେଘଖଣ୍ଡକୁ ବିଦ୍ୟୁତମାନେ ଅନୁସରଣ କଲାପରି ସେହି ନାରୀଗଣ ରାବଣର ପଛେ ପଛେ ଯାଉଥିଲେ ଏବଂ, ସେମାନେ ସେହି ମାର୍ଗ ଦେଇ ଚାଲିଯିବା ସମୟରେ ହନୁମାନ ସେମାନଙ୍କ ପାଦର ନୁପୂରଶବ୍ଦକୁ ଶ୍ରବଣ କରି ପାରିଥିଲେ ।

 

ହନୁମାନ ଓ ସୀତା କଥା ହେଲେ

 

ରାବଣ ସୀତାଙ୍କ ଆଡ଼କୁ ଅଗ୍ରସର ହୋଇ ଆସିଥିଲା ଏବଂ ତାକୁ ଦେଖି ସୀତା ପବନଦ୍ଵାରା କବଳିତ ହୋଇ ରମ୍ଭାବୃକ୍ଷ ଭଳି କମ୍ପିବାକୁ ଲାଗିଲେ । ନିଜର ମୁହଁଟିକୁ ଲୁଚାଇ କ୍ରନ୍ଦନ କରିବାକୁ ଆରମ୍ଭ କଲେ । ରାବଣ ତାକୁ କେତେ ପ୍ରକାରେ ପ୍ରଲୁବ୍ଧ କରିବାକୁ ଉଦ୍ୟମ କଲା,–ଧନ, କ୍ଷମତା ଓ ଆରାମର ଲୋଭ ଦେଖାଇଥିଲା, ମାତ୍ର ସୀତା ତାକୁ ବାରବାର ପ୍ରତ୍ୟାଖ୍ୟାନ କରୁଥାନ୍ତି ଏବଂ ରାମଙ୍କର ହାତରେ ଅବଶ୍ୟ ତାହାର ମୃତ୍ୟୁ ହେବ ବୋଲି ଭବିଷ୍ୟବାଣୀ କରୁଥାନ୍ତି । ଏଥିରେ ରାବଣ ପ୍ରଚଣ୍ଡ ଭାବରେ କୁପିତ ହୋଇ ଉଠିଥିଲା ଏବଂ ସୀତାଙ୍କୁ ଦୁଇମାସ ସମୟ ଦେଲା । ଦୁଇମାସ ଭିତରେ ଯଦି ସେ ମାନି ନଯିବେ, ତେବେ ତାଙ୍କୁ ନାନାଭାବେ ଉତ୍ପୀଡ଼ିତ କରାଯିବ ଓ ଜୀବନରୁ ମାରି ଦିଆଯିବ । ଏବଂ ତା’ପରେ, ସୀତାଙ୍କୁ ଯେକୌଣସି ପ୍ରକାରେ ମନାଇ ଆଣିବାକୁ ଆଦେଶ ଦେଇ ସେହି ଭୟଙ୍କରୀ ରାକ୍ଷସୀମାନଙ୍କର ଜିମାରେ ତାଙ୍କୁ ରଖିଦେଇ ରାବଣ ନିଜର ପତ୍ନୀମାନଙ୍କର ଗହଣରେ ପୁନର୍ବାର ପ୍ରାସାଦକୁ ଫେରି ଯାଇଥିଲା । ଏହି ରାକ୍ଷସୀମାନେ ତ ସର୍ବଦା ସୀତାଙ୍କୁ ନାନା ଉତ୍ପୀଡ଼ନ ଓ ମୃତ୍ୟୁର ଭୟ ଦେଖାଇବାରେ ଲାଗିଥିଲେ ଏବଂ ରାମଙ୍କୁ କେତେ ପ୍ରକାରେ ଭର୍ତ୍ସନା ମଧ୍ୟ କରୁଥିଲେ । ରାବଣ ନିଷ୍କ୍ରାନ୍ତ ହୋଇଯିବା ପରେ ସେମାନେ ସେହି ଅଶୋକ ବୃକ୍ଷର ପାଦଦେଶକୁ ଲାଗି ଲାଗି ଆସିଥିଲେ । ହନୁମାନ ସେହି ବୃକ୍ଷଟିରେ ହିଁ ଉପରେ ଲୁଚିକରି ବସିଥିଲେ ।

 

ଏଥର କୌଣସି ପ୍ରକାରେ ସୀତାଙ୍କ ସହିତ କଥାବାର୍ତ୍ତା କରିବା ନିତାନ୍ତ ଆବଶ୍ୟକ ବୋଲି ହନୁମାନ ଅନୁଭବ କରିବାକୁ ଲାଗିଲା । ମାତ୍ର ତାଙ୍କର ଚିତ୍ତରେ କୌଣସି ଭୟ ଜନ୍ମାଇବାକୁ ହନୁମାନଙ୍କୁ ବଡ଼ ଶଙ୍କା ଲାଗୁଥିଲା । ଏବଂ, ତେଣେ ପହରା ଦେଉଥିବା ରାକ୍ଷସୀମାନେ ମଧ୍ୟ ଏହି ବିଷୟରେ କିଞ୍ଚିତ୍ ଇସାରା ପାଇଗଲେ ମଧ୍ୟ ସିଏ ନିଜ ବିନାଶକୁ ନିଜେ ଡାକିଆଣିବେ । କାରଣ, ରାକ୍ଷସଗଣକୁ ଜୀବନରେ ମାରି ଦେବାପାଇଁ ତାଙ୍କ ଭିତରେ ବଳ ରହିଥିଲେ ମଧ୍ୟ ତା’ପରେ ସମୁଦ୍ର ଅତିକ୍ରମ କରି ଫେରି ଯିବାପାଇଁ ତାଙ୍କର ଆଉ କୌଣସି ଶକ୍ତି ରହିବନାହିଁ । ତେଣୁ ହନୁମାନ ପୂର୍ବପରି ବୃକ୍ଷଶାଖା ଗୁଡ଼ିକ ଭିତରେ ନିଜକୁ ଗୋପ୍ୟ କରି ରଖିଲେ ଏବଂ ଅତ୍ୟନ୍ତ ମୃଦୁ କଣ୍ଠରେ ରାମଙ୍କର ଗୁଣ ଏବଂ କୀର୍ତ୍ତିଗୁଡ଼ିକର ବର୍ଣ୍ଣନା କରିବାକୁ ଲାଗିଲେ । ଆଖର ସେହି କଥାଗୁଡ଼ିକ ସୀତାଙ୍କର କାନରେ ମଧ୍ୟ ଯାଇ ବାଜିଥିଲା । ଅତ୍ୟନ୍ତ ଭୟସଙ୍କୁଚିତ ଭାବରେ ନିଃଶ୍ଵାସକୁ ପ୍ରାୟ ବନ୍ଦ କରି ରଖି ସୀତା ଉପରକୁ ବୃକ୍ଷ ଡାଳକୁ ଅନାଇଦେଲେ ଏବଂ ସେଠାରେ ବାନରଟିଏ ବସିଥିବାର ଦେଖିବାକୁ ପାଇଲେ । ବାନର କେଡ଼େ ବିନମ୍ର ଓ ସ୍ପଷ୍ଟ ଭାବରେ ନିଜ କଥାଗୁଡ଼ିକୁ କହି ଯାଉଥିଲା ଓ ତା’ର ଚକ୍ଷୁ ଭିତର ସ୍ଵର୍ଣ୍ଣରଙ୍ଗର ଅଗ୍ନି ସଦୃଶ ଜ୍ଵଳନ୍ତ ହୋଇ ରହିଥିଲା । ତା’ପରେ ହନୁମାନ ତଳକୁ ଓହ୍ଲାଇ ଆସିଥିଲେ; ଉଜ୍ଵଳ ନାଲିରଙ୍ଗର ମୁହଁ, ପରିଧାନ ଅତ୍ୟନ୍ତ ନମ୍ରତାପୂର୍ଣ୍ଣ,–ଓହ୍ଲାଇ ଆସି ହନୁମାନ ଯୋଡ଼ହସ୍ତ ହୋଇ ସୀତାଙ୍କ ସହିତ କଥା କହିଲେ । ସୀତା ମଧ୍ୟ ନିଜର ପରିଚୟ ଦେଲେ ଏବଂ ରାମଙ୍କର କୁଶଳପ୍ରଶ୍ନ କରିଥିଲେ । ହନୁମାନ ତାଙ୍କ ଆଗରେ ସକଳ ଘଟଣାକୁ ବର୍ଣ୍ଣନା କରି କହିଥିଲେ; ରାମ ଲକ୍ଷ୍ମଣଙ୍କର ବାରତା ମଧ୍ୟ ଦେଲେ ଯେପରିକି ସୀତା ଏସବୁ ଶୁଣି ରାମଙ୍କୁ ନିଜେ ଦେଖୁଥିବା ପରି ଅନୁଭବ କରିପାରିବେ । ମାତ୍ର, ହନୁମାନ ଆଉଟିକିଏ କତିକୁ ଚାଲି ଆସିଥିଲେ; ଏଥିରେ ସୀତା ଭୟଭୀତ ହୋଇ ପଡ଼ିଥିଲେ; ରାବଣ ଏହିପରି ଛଦ୍ମବେଶ ଧରି ଆସିନାହିଁ ତ !–ସିଏ ସେହିଭଳି ଆଶଙ୍କା କରୁଥାଆନ୍ତି । ସୀତା ଯେପରି ତାଙ୍କୁ ରାମଙ୍କର ବନ୍ଧୁପକ୍ଷ ବୋଲି ଜାଣିବେ, ସେହି ବିଶ୍ଵାସଟି ଦେବାପାଇଁ ହନୁମାନଙ୍କୁ କେତେଭଳି ଉପାୟ କରିବାକୁ ହୋଇଥିଲା । ମାତ୍ର, ପରିଶେଷରେ, ରାମଙ୍କର ରତ୍ନମୁଦିଟିକୁ ଦେଖିବା ପରେ ଯାଇ ସେ ଏଥର ତାଙ୍କର ଉଦ୍ଧାର ହେବ ବୋଲି ଅନୁଭବ କରି ପାରିଲେ । ଏକାବେଳେକେ ଖୁସୀ ହୋଇଗଲେ, ଦୁଃଖୀ ମଧ୍ୟ ହେଲେ,–ରାମ ଜୀବନରେ ଅଛନ୍ତି ଏବଂ କୁଶଳରେ ଅଛନ୍ତି ବୋଲି ଜାଣି ଖୁସୀ ହେଲେ ଏବଂ, ସିଏ ଯେ ଏତେ ଦୁଃଖ ପାଉଛନ୍ତି, ସେଥିପାଇଁ ଦୁଃଖୀ ମଧ୍ୟ ହୋଇ ପଡ଼ିଥିଲେ ।

 

ହନୁମାନ ତା’ପରେ ପ୍ରସ୍ତାବ କରିଥିଲେ ଯେ ସିଏ ସୀତାଙ୍କୁ ପିଠିରେ ବସାଇ ସମୁଦ୍ର ଅତିକ୍ରମ କରାଇ ନେଇଯିବେ ଓ ରାମଙ୍କ ପାଖରେ ପହଞ୍ଚାଇ ଦେବେ । ସେକଥା ଶୁଣି ସୀତା ତାଙ୍କର ଶକ୍ତିକୁ ଖୁବ୍ ପ୍ରଶଂସା କରିଥିଲେ ସତ, ମାତ୍ର ସିଏ ହନୁମାନଙ୍କ ସହିତ ପ୍ରକୃତରେ ଯାଇ ପାରିବେନାହିଁ ବୋଲି କହିଲେ । କାରଣ, ହୁଏତ ଅଧାସମୁଦ୍ରରେ ସିଏ ହନୁମାନଙ୍କ ପିଠିଉପରୁ ତଳକୁ ଖସିପଡ଼ିବେ; ବିଶେଷତଃ, ଯଦି ରାକ୍ଷସମାନେ ତାଙ୍କ ପଛରେ ଗୋଡ଼ାଇ ଥିବେ, ତେବେ ସେଭଳି ଆଶଙ୍କା ଅବଶ୍ୟ ରହିବ । ପୁନଶ୍ଚ, କେବଳ ରାମଙ୍କ ବ୍ୟତୀତ ସିଏ ଆଉ କୌଣସି ପୁରୁଷକୁ ସ୍ପର୍ଶ ବି କରି ପାରିବେନାହିଁ । ଏବଂ, ଆଉଗୋଟିଏ କାରଣ ହେଉଛି ଯେ, ତାଙ୍କର ଉଦ୍ଧାର ତଥା ରାକ୍ଷସ ମାନଙ୍କର ବିନାଶ କରିଥିବାର ଗୌରବଟି କେବଳ ରାମଙ୍କର ହିଁ ହୋଇପାରିବା ଉଚିତ । “ମାତ୍ର ତୁମେ ରାମଙ୍କୁ ଅବଶ୍ୟ ଏଠାକୁ ସତ୍ଵର ନେଇ ଆସିବ ।”–ସୀତା ହନୁମାନଙ୍କୁ ପ୍ରାର୍ଥନା କରି କହିଥିଲେ । ହନୁମାନ ସୀତାଙ୍କର ପ୍ରଜ୍ଞା ତଥା ସଞ୍ଜମର ଅଶେଷ ପ୍ରଶଂସା କଲେ ଏବଂ ରାମଙ୍କର ବିଶ୍ଵାସ ହେବାଭଳି ସନ୍ତକଟିଏ ତାଙ୍କୁ ମାଗିଥିଲେ । ଆଗରୁ ମଧ୍ୟ ଗୋଟିଏ ପକ୍ଷୀ, ଯାହାକୁ କେବଳ ରାମ ଓ ସିଏ ନିଜେ ଜାଣନ୍ତି, ସିଏ ଚିତ୍ରକୂଟରେ ଅସୀମ ଦୁଃସାହାସର ଦୃଷ୍ଟାନ୍ତ ଦେଖାଇଥିଲା; ସୀତା ନିଜ କେଶ ଭିତରୁ ମୋତିଟିଏ ବାହାର କରି ତାକୁ ଦେଇଥିଲେ ଏବଂ ରାମ ଓ ଲକ୍ଷ୍ମଣ ତାଙ୍କୁ ଉଦ୍ଧାର କରିବେ ବୋଲି ବାର୍ତ୍ତାଟିଏ ପଠାଇ ଥିଲେ । ହନୁମାନ ସୀତାଙ୍କ ଠାରୁ ସେହିଭଳି ମୋତିଟିଏ ଗ୍ରହଣ କରି ସୀତାଙ୍କୁ ପ୍ରଣାମ କଲେ ଓ ସେଠାରୁ ପ୍ରସ୍ଥାନ କରିବାକୁ ଉଦ୍ୟତ ହେଲେ । ତହୁଁ ସୀତା ରାମଙ୍କ ପାଖକୁ ଆଉଗୋଟିଏ ସନ୍ଦେଶ ମଧ୍ୟ ପ୍ରେରଣ କରିଥିଲେ,–ଯେଉଁଥିରୁ କି ହନୁମାନ ତାଙ୍କୁ ପ୍ରକୃତରେ ଠାବ କରିଛନ୍ତି ବୋଲି ସେ ବିଶ୍ଵାସ କରିପାରିବେ,–“ରାମଙ୍କୁ କହିବ ଯେ, ‘ଥରେ ମୋ’ ଭ୍ରୂଲତା ବିନ୍ଦୁଟି ନିଭି ଯାଇଥିଲା ଓ ଆପଣ ରକ୍ତବର୍ଣ୍ଣ ମୃତ୍ତିକାଦ୍ଵାରା ସେଇଟିକୁ ପୁନର୍ବାର ଆଙ୍କି ଦେଇଥିଲେ,–ଆପଣ ଏହି କଥାଟିକୁ କଦାପି ପାସୋରି ଦେବେନାହିଁ । ତେଣୁ ହେ ରାମ, ଆପଣ ଅବିଳମ୍ବେ ଏଠାକୁ ଆସିବେ; କାରଣ ଇତିମଧ୍ୟରେ ଦଶମାସ ସମୟ ଚାଲିଯାଇ ସାରିଲାଣି ଏବଂ ମୁଁ ଆପଣଙ୍କର ଦର୍ଶନ ପାଇନାହିଁ–ଏବଂ ମୁଁ ଗୋଟିଏ ମାସରୁ ଅଧିକ କଦାପି ସହ୍ୟ କରି ରହିପାରିବି ନାହିଁ । ହେ ବୀର କପିଶ୍ରେଷ୍ଠ, ସଦା ସୌଭାଗ୍ୟବନ୍ତ ହୁଅ !”–ସୀତା ହନୁମାନଙ୍କୁ ବିଦାୟ ଦେଇଥିଲେ ।

 

ହନୁମାନ ଲଙ୍କାକୁ ପୋଡ଼ିଦେଲେ

 

ସୀତାଙ୍କର ଠାବ ହୋଇଗଲା ସତ, ମାତ୍ର ହନୁମାନ କେବଳ ସେତିକିରେ ମୋଟେ ସନ୍ତୁଷ୍ଟ ହୋଇ ରହିପାରିଲେ ନାହିଁ । ସିଏ ଅଶୋକବନରେ ପ୍ରବଳ ପ୍ରତାପ ସହିତ ଏଣେତେଣେ ଡେଇଁବାକୁ ଆରମ୍ଭ କରିଦେଲେ; କେତେ କେତେ ଗଛ ଭାଙ୍ଗି ପକାଇଲେ, କେତେ କେତେ ହର୍ମ୍ୟକୁ ନଷ୍ଟ କରିଦେଲେ । ସତେଅବା ନିଜେ ପବନଦେବତା ଏହିସବୁ ଭୀଷଣ କାଣ୍ଡ ଘଟାଇବାରେ ବାହାରି ଆସିଛନ୍ତି ! ରାକ୍ଷସମାନେ ଅତ୍ୟନ୍ତ ଭୀତ ହୋଇପଡ଼ି ସାହାଯ୍ୟ କରିବା ଲାଗି ରାବଣ ପାଖକୁ ଖବର ପଠାଇଥିଲେ ଏବଂ, ସିଏ ମଧ୍ୟ, ଗୋଟିଏ ଶକ୍ତିଶାଳୀ ବାନର ଆସି ତାଙ୍କ ପରିଚାରକମାନଙ୍କୁ ବିନଷ୍ଟ କରିବାରେ ଲାଗିଛି ବୋଲି ଶୁଣି ପ୍ରତିକାର ନିମନ୍ତେ ବଳବାନ୍ ଜମ୍ବୁମାଳୀକୁ ସେହି ସ୍ଥାନକୁ ପ୍ରେରଣ କଲେ । ହାତରେ ଧନୁଶର ଧରି ଜମ୍ବୁମାଳୀ ହନୁମାନଙ୍କୁ ବଧ କରିବେ ବୋଲି ସେଠାରେ ଆସି ତୁରନ୍ତ ପହଞ୍ଚିଗଲେ ଏବଂ ହନୁମାନ ଗୋଟିଏ ମନ୍ଦିର ଉପରେ ବସିଥିବା ସମୟରେ ଗୋଟିଏ ତୀକ୍ଷ୍ଣ ଶର ମାରି ତାଙ୍କୁ ପ୍ରକୃତରେ ଘାଇଲା ମଧ୍ୟ କରି ଦେଇଥିଲେ । ମାତ୍ର ହନୁମାନ ଗୋଟିଏ ଭୁଷା ମାରି ତାଙ୍କ ପୁରା ଶରୀରଟିକୁ ଏକାବେଳେକେ ଗୁଣ୍ଡ ଗୁଣ୍ଡ କରି ପକାଇଲେ । ତା’ପରେ ଏକାବେଳେକେ ଦଳେ ରାକ୍ଷସବୀର ଆସି ପହଞ୍ଚିଗଲେ ଏବଂ ସ୍ଵୟଂ ରାଜପୁତ୍ର ଅକ୍ଷ ସେମାନଙ୍କର ନେତୃତ୍ଵ ନେଉଥିଲେ । ସେମାନେ ସମସ୍ତେ ମିଶି ହନୁମାନଙ୍କୁ ଆସି ଆକ୍ରମଣ କଲେ, କିନ୍ତୁ ଗୋଟି ଗୋଟି ହୋଇ ଯମପୁରକୁ ହିଁ ଗଲେ । ତା’ପରେ ହନୁମାନ ସହିତ ଯୁଝିବାକୁ ଇନ୍ଦ୍ରଜିତ୍ ଆସିଲେ; ଏପରି ଏକ ତୁମୁଳ ସମର ଆରମ୍ଭ ହୋଇଯାଇଥିଲା ଯେ ସ୍ଵର୍ଗର ଦେବତାମାନେ ମଧ୍ୟ ଚକିତ ହୋଇଗଲେ । ବାନରକୁ ଉଦ୍ଦେଶ୍ୟ କରି ଇନ୍ଦ୍ରଜିତ୍ ଦଶଲକ୍ଷ ଶର ପ୍ରେରଣ କଲେ; ମାତ୍ର ହନୁମାନ ଆକାଶମାର୍ଗରେ ଏପରି ଏପାଖ ସେପାଖ ହେଉଥିଲେ ଯେ, ତାଙ୍କ ଦେହରେ ଗୋଟିଏ ବୋଲି ଶର ବାଜିପାରି ନଥିଲା । ତା’ପରେ ଇନ୍ଦ୍ରଜିତ୍ ଦଣ୍ଡକ ନିମନ୍ତେ ଶର ପେଷିବା ବନ୍ଦ କଲେ ଏବଂ ଅଭିନିବିଷ୍ଟ ମନରେ ହନୁମାନଙ୍କର ପ୍ରକୃତ ସାମର୍ଥ୍ୟ ବିଷୟରେ କିଞ୍ଚିତ୍ ଚିନ୍ତା କରିବାକୁ ଲାଗିଲେ । ଆପଣାର ଅନ୍ତର୍ଗତ ବୁଦ୍ଧି ଦ୍ଵାରା ସିଏ ଜାଣିପାରିଲେ ଯେ, ଏହି ଶତ୍ରୁକୁ ଅସ୍ତ୍ରପ୍ରୟୋଗ ଦ୍ଵାରା କଦାପି ମାରି ହେବନାହିଁ । ତେଣୁ, ହନୁମାନଙ୍କୁ ବାନ୍ଧି ପକାଇବାକୁ ସେ ଗୋଟିଏ ଉପାୟ ବାହାର କରିଥିଲେ ଏବଂ ସେଥିଲାଗି ଏକ ବ୍ରାହ୍ମାସ୍ତ୍ର ପ୍ରେରଣ କରିଥିଲେ । ହନୁମାନ ସେହି ଅସ୍ତ୍ର ଦ୍ଵାରା ବାନ୍ଧି ହୋଇ ପଡ଼ିଲେ ଏବଂ ସେହି ବନ୍ଧନକୁ ଛିନ୍ନ କରିବା ଆଦୌ ସମ୍ଭବ ନୁହେଁ ବୋଲି ଜାଣି ଭୂମିଉପରେ ଆସି ପଡ଼ିଗଲେ । ହନୁମାନ ଭାବୁଥିଲେ ଯେ ଏହି ଅବସରରେ ରାବଣ ସହିତ ତାଙ୍କର କିଛି କଥୋପକଥନ ହୋଇଗଲେ ମଧ୍ୟ ଅତ୍ୟନ୍ତ ଭଲକଥା ହୁଅନ୍ତା । ତେଣୁ, ସିଏ ଆଉ କୌଣସି ପ୍ରତିରୋଧ କଲେ ନାହିଁ ଏବଂ ରାକ୍ଷସମାନେ ମଧ୍ୟ ତାଙ୍କୁ ଆହୁରି ଅଧିକ କଷିକରି ବାନ୍ଧି ପକାଇଲେ । ବଡ଼ ଯନ୍ତ୍ରଣା ପାଉଥିବା ପରି ହନୁମାନ କୁଁ କୁଁ ହେବାରେ ଲାଗିଥାନ୍ତି । ମାତ୍ର ବରାଦ ତ ଏପରି ଥିଲା ଯେ ସେହି ବନ୍ଧନ ହିଁ ତାଙ୍କର ମୁକ୍ତିର କାରଣ ମଧ୍ୟ ହେଲା । କାରଣ, ଶସ୍ତ୍ରର ବିଧାନ ଅନୁସାରେ ବ୍ରହ୍ମାସ୍ତ୍ର ଉପରେ ଯଦି କିଏ ଆଉ ଗଣ୍ଠିଟିଏ ପକାଇ ଦେବ, ତେବେ ସେହି ଅସ୍ତ୍ରର ଆଉ କୌଣସି ପରାକ୍ରମ ରହିବନାହିଁ । ତେଣୁ, ଭିତରୁ ଗଣ୍ଠିଗୁଡ଼ିକ କ୍ରମେ ଫିଟି ଫିଟି ଆସିବାକୁ ଆରମ୍ଭ କରିଦେଲା । କିନ୍ତୁ ଗଣ୍ଠିଗୁଡ଼ିକ ଫିଟି ଆସୁଛନ୍ତି ବୋଲି ଚତୁର ହନୁମାନ ଆଦୌ କୌଣସି ସଙ୍କେତ ପ୍ରକଟ କରିନଥିଲେ । ଭୀଷଣରୂପ ରାକ୍ଷସମାନେ ତେଣେ ନିଜ ଭିତରେ ‘‘ସେଇଟା କିଏ, ତା’ର ମତଲବ କ’ଣ ?” ଏବଂ “ଚାଲ ତାକୁ ପ୍ରାଣରୁ ମାରିଦେବା, ପୋଡ଼ିଦେବା, ତାକୁ ଖାଇଦେବା” ବୋଲି ଚିତ୍କାର କରି କହିବାରେ ଲାଗିଥାଆନ୍ତି । ହନୁମାନଙ୍କୁ ଟାଣି ଟାଣି ନେଇ ସେମାନେ ତାଙ୍କୁ ରାବଣ ପାଖରେ ହାଜର କରାଇ ଦେଇଥିଲେ ।

 

ରାବଣର ଜଣେ ମନ୍ତ୍ରୀଠାରୁ ପ୍ରଶ୍ନଟିଏ ହେବାରୁ ହନୁମାନ ଉତ୍ତର ଦେଇଥିଲେ ଯେ, ସିଏ ହେଉଛନ୍ତି ପ୍ରକୃତରେ ଜଣେ ବାନର ଏବଂ ରାମଙ୍କର ଆଦେଶରେ ତାଙ୍କର ଦୂତରୂପେ ରାବଣକୁ ଦେଖିବା ସକାଶେ ଏଠାକୁ ଆସିଥିଲେ । ତା’ପରେ ସିଏ ସେପର୍ଯ୍ୟନ୍ତ ଘଟିଥିବା ରାମଙ୍କର ସମସ୍ତ କାହାଣୀଟିକୁ ବର୍ଣ୍ଣନା କରିଥିଲେ ଏବଂ ସୀତାଙ୍କୁ ଫେରାଇ ଦେଇ ନିଜର ଜୀବନରକ୍ଷା କରିବା ନିମନ୍ତେ ରାବଣକୁ ପରାମର୍ଶ ବି ଦେଇଥିଲେ । ସେ କଥା ଶୁଣି ରାବଣ ମହାକ୍ରୋଧରେ ଜଳି ଉଠିବା ପରି ଏହି ବାନରଟାକୁ ମାରିଦିଅ ବୋଲି ଇଚ୍ଛା ପ୍ରକାଶ କରିଥିଲା । ମାତ୍ର, ପରାମର୍ଶଦାତାମାନେ ରାବଣକୁ ମନେ ପକାଇଦେଇ କହିଲେ ଯେ ଆପଣାଙ୍କୁ ଦୂତ ବୋଲି କହୁଥିବା ଜଣେ ବ୍ୟକ୍ତିକୁ ପ୍ରାଣଦଣ୍ଡ ଦେବା ଆଦୌ ବିହିତ ହେବନାହିଁ । ତା’ପରେ ଆଉ କ’ଣ ହେଲେ ବାନରକୁ ଉଚିତ ଶାସ୍ତିଟିଏ ମିଳିବ ବୋଲି ଚିନ୍ତା କରି ରାବଣ ହନୁମାନଙ୍କ ଲାଙ୍ଗୁଳରେ ନିଆଁ ଲଗାଇ ଦିଆଯାଉ ବୋଲି ସ୍ଥିର କଲା । ଆଦେଶ ପାଇ ରାକ୍ଷସମାନେ ହନୁମାନ ଲାଙ୍ଗୁଳରେ କନା ବାନ୍ଧି ଓ ସେଥିରେ ତେଲ ଢାଳି ନିଆଁ ଲଗାଇ ଦେଇଥିଲେ । ଏହାପରେ କପିବରଙ୍କ ମନ ଭିତରେ ଆଉ ଗୋଟିଏ ଗୁପ୍ତ ଯୋଜନା ମଧ୍ୟ ଆସି ଜୁଟି ଯାଇଥିଲା । ଲଙ୍କାର ପ୍ରଣାଳୀଗୁଡ଼ିକୁ ଏବଂ ଶକ୍ତିକୁ ଯେପରି ସିଏ ଉତ୍ତମରୂପେ ଠଉରାଇ ନେଇପାରିବେ, ସେଥିପାଇଁ ରାକ୍ଷସମାନେ ସେହି ଅବସ୍ଥାରେ ତାଙ୍କୁ ନଗରୀଟିର ଚାରିଆଡ଼କୁ ନେଇ ଯାଆନ୍ତୁ ବୋଲି ମଧ୍ୟ ସୁଯୋଗ ପ୍ରଦାନ କରିଦେଲେ । ସମ୍ବାଦ ଯାଇ ସୀତାଙ୍କ ପାଖରେ ପହଞ୍ଚିଥିଲା ଯେ, ସିଏ ଯେଉଁ ବାନରଟି ସହିତ କଥାବାର୍ତ୍ତା ହେଉଥିଲେ, ତାଙ୍କୁ ବର୍ତ୍ତମାନ ଲଙ୍କାର ମାର୍ଗଗୁଡ଼ିକରେ ବୁଲାଇ ନିଆଯାଉଛି ଓ ସିଏ ଗୁପ୍ତଚର ହୋଇ ଲଙ୍କାକୁ ଆସିଥିଲା ବୋଲି ଘୋଷଣା କରାଯାଇ ତା’ର ଲାଙ୍ଗୁଡ଼ରେ ନିଆଁ ଲଗାଇ ଦିଆଯାଇଛି । ଏକଥା ଶୁଣି ସୀତା ଅତ୍ୟନ୍ତ ଆତୁର ହୋଇ ଉଠିଲେ ଏବଂ, “ମୁଁ ଯେପରି ମୋ’ ପତିଙ୍କ ପାଖରେ ଅନୁଗତା ହୋଇ ରହିଆସିଛି, ତୁମେ ମଧ୍ୟ ହନୁମାନ ପ୍ରତି ସେହିପରି ଶୀତଳ ହେବ” ବୋଲି ଅଗ୍ନିଦେବତାଙ୍କୁ ପ୍ରାର୍ଥନା କରିଥିଲେ । ଅଗ୍ନିଦେବତା ଅବଶ୍ୟ ପ୍ରସନ୍ନ ହେଲେ ଏବଂ ହନୁମାନପିତା ପବନ ମଧ୍ୟ ଅଗ୍ନିଶିଖା ଓ ହନୁମାନଙ୍କ ମଧ୍ୟରେ ଶୀତଳହୋଇ ବହୁଥିଲେ ।

 

ନିଆଁ ତଥାପି ଜଳୁଥାଏ ଓ ଏଣେ ଶୀତଳ ପବନ ହେତୁ ତାଙ୍କର ଲାଙ୍ଗୁଡ଼ଟି ମଧ୍ୟ ସଂପୂର୍ଣ୍ଣ ଶୀତଳ ହୋଇ ରହିଥାଏ; ହନୁମାନ ନିଶ୍ଚିତ ଭାବରେ ଜାଣି ପାରିଥିଲେ ଯେ ରାମ ଏବଂ ସୀତାଙ୍କ ସକାଶେ, ତଥା ତାଙ୍କ ପିତାଙ୍କ ସକାଶେ ମଧ୍ୟ ତାଙ୍କୁ ଉତ୍ତାପଟି ମୋଟେ ଉତ୍ତାପ ବୋଲି ଲାଗୁନଥିଲା-। କ’ଣ ଭାବି ହନୁମାନ ରଜ୍ଜୁଗୁଡ଼ିକୁ ଛିଣ୍ଡାଇ ପକାଇ ଆକାଶ ମାର୍ଗକୁ ଡେଇଁ ପଡ଼ିଲେ,–ସତେଅବା ଏକ ପର୍ବତପରି ବିଶାଳ ଦେଖା ଯାଉଥିଲେ,–ଏବଂ ଲଙ୍କାନଗରୀର ଏଣେତେଣେ ହୋଇ ଖେଦୀ ଯାଇଥିଲେ । ସିଏ ଯେଉଁଆଡ଼େ ଯାଉଥିଲେ, ସେଠାରେ ପ୍ରାସାଦମାନ ନିଆଁ ଲାଗି ଯାଉଥିଲା ଓ ସେଗୁଡ଼ିକରେ ରହିଥିବା ଧନସମ୍ପତ୍ତି ପୋଡ଼ି ପାଉଁଶ ହୋଇ ଯାଉଥିଲା । ଅଧା ଲଙ୍କାନଗରୀ ପୋଡ଼ି ମାଟିରେ ମିଶିଯିବା ପରେ ଏବଂ ଅନେକ ରାକ୍ଷସଙ୍କୁ ମାରିସାରିବା ପରେ ହନୁମାନ ସମୁଦ୍ରକୁ ଯାଇ ନିଜ ଲାଙ୍ଗୁଡ଼ର ନିଆଁକୁ ନିଭାଇ ଦେଇଥିଲେ ।

 

ହନୁମାନ ଫେରିଆସିଲେ

 

କିନ୍ତୁ, ଏପରି ଏକ ହୁଣ୍ଡା କାର୍ଯ୍ୟ କରି ପକାଇଲେ ବୋଲି ହନୁମାନ ହଠାତ୍ ଦୁଃଖରେ କାତର ହୋଇ ପଡ଼ିଥିଲେ । ଏହି ଅଗ୍ନି ଅଶୋକବନରେ ସୀତାଙ୍କୁ ମଧ୍ୟ ପୋଡ଼ି ଦେଇ ନଥିବ ତ !–ସେ ଖୁବ୍ ଆଶଙ୍କା କରିବାକୁ ଲାଗିଲେ । ଚିନ୍ତା କଲେ, “ଲଙ୍କାନଗରକୁ ନିଆଁ ଲଗାଇ ପୋଡ଼ିଦେବାଟା ଅତ୍ୟନ୍ତ ତୁଚ୍ଛ କଥାଟିଏ; ମାତ୍ର ଯଦି ଏହି ନିଆଁରେ ସୀତା ମଧ୍ୟ ପ୍ରାଣ ହରାଇଥିବେ, ତେବେ କହିବାକୁ ହେବ ଯେ ମୋ’ କାର୍ଯ୍ୟଟିରେ ମୁଁ ସମ୍ପୂର୍ଣ୍ଣ ଭାବରେ ବିଫଳ ହିଁ ହୋଇଗଲି । ତେଣୁ, ବୃଥା ରାମଙ୍କ ପାଖକୁ ଫେରିଯିବା ଅପେକ୍ଷା ବରଂ ପ୍ରାଣ ହାରିଦେବା ହିଁ ଶ୍ରେୟସ୍କର ହେବ-।” ତଥାପି ପୁନର୍ବାର ଚିନ୍ତା କରିଥିଲେ: “ସୀତାଦେବୀ ତ ତାଙ୍କର ସ୍ଵପୁଣ୍ୟର ବଳରେ ଅବଶ୍ୟ ରକ୍ଷା ପାଇ ଯାଇଥିବେ; ଯେଉଁ ନିଆଁ ମୋତେ କୌଣସି ପ୍ରକାରେ ଆଘାତ କରିନାହିଁ, ତାହା ତାଙ୍କର ମଧ୍ୟ କଦାପି କୌଣସି ଅନିଷ୍ଟ କରିନଥିବ । ଏତିକି ଭାବି ହନୁମାନ୍ ପୁନର୍ବାର ଅଶୋକବନକୁ ପ୍ରସ୍ଥାନ କରିଥିଲେ ଏବଂ ସୀତାଙ୍କୁ ସେଠାରେ ଉପବିଷ୍ଟ ରହିଥିବାର ଦେଖିବାକୁ ପାଇଥିଲେ । ସେ ସୀତାଙ୍କୁ ନମସ୍କାର କଲେ, ସୀତା ମଧ୍ୟ ପ୍ରତିନମସ୍କାର କଲେ; ସେମାନେ ପୁନର୍ବାର ରାମଙ୍କ ବିଷୟରେ କଥାବାର୍ତ୍ତା ହୋଇଥିଲେ । ହନୁମାନ ଭବିଷ୍ୟବାଣୀ କରି କହିଥିଲେ ଯେ, ରାମ ଅଚିରେ ରାକ୍ଷସମାନଙ୍କୁ ବଧ କରି ସୀତାଙ୍କୁ ଉଦ୍ଧାର କରିବେ । ତା’ପରେ ଡେଣା ଲାଗିଥିବା ଏକ ପର୍ବତ ସଦୃଶ ହନୁମାନ ଉପରକୁ ଡେଇଁ ପଡ଼ିଥିଲେ ଏବଂ କ୍ଷଣେ ସ୍ପଷ୍ଟ ଭାବରେ ଦୃଶ୍ୟମାନ୍ ହେଉଥିବା ଓ ପରକ୍ଷଣରେ ମେଘଦ୍ଵାରା ଆଚ୍ଛନ୍ନ ହୋଇ ରହୁଥିବା ସମୁଦ୍ରକୁ ଲଙ୍ଘନ କରି ମହେନ୍ଦ୍ରରେ ଆସି ପହଞ୍ଚି ଯାଇଥିଲେ । ଗୁହା ଭିତରେ ଭଉଁରୀ ବୁଲୁଥିବା ପବନ ପରି ଘୋର ଗର୍ଜନ କରି ଓ ଭୂମି ଉପରେ ଲାଙ୍ଗୁଳକୁ ପିଟି ଦେଇ ସେ ତଳକୁ ଓହ୍ଲାଇଥିଲେ । ତାଙ୍କୁ ଦେଖି ଏବଂ ତାଙ୍କ କଥାକୁ ଶ୍ରବଣ କରି ସମସ୍ତ ବାନରଯୂଥ ଉତ୍‌ଫୁଲ୍ଲ ହୋଇ ଉଠିଥିଲେ । ହନୁମାନ ଯେ ସୀତାଙ୍କୁ ଅବଶ୍ୟ ଠାବ କରି ଆସିଛନ୍ତି, ସେଥିରେ ସେମାନଙ୍କର କୌଣସି ସନ୍ଦେହ ନଥିଲା । ସେମାନେ ନୃତ୍ୟ କରିବାକୁ ଲାଗିଲେ, ଶୃଙ୍ଗରୁ ଶୃଙ୍ଗକୁ ଡେଇଁ ପଡ଼ୁଥିଲେ, ବୃକ୍ଷମାନଙ୍କର ଡାଳକୁ ଦୋହଲାଇ ପକାଇଲେ, ଆପେ ପିନ୍ଧିଥିବା ଧବଳ ବସନଗୁଡ଼ିକୁ ଫରଫର କରି ପବନରେ ଉଡ଼ାଇ ଦେଇଥିଲେ-। ହନୁମାନଙ୍କର ଭୋଜନ ନିମନ୍ତେ ଫଳମୂଳ ସଂଗ୍ରହ କରି ନେଇଆସିଲେ । ତା’ପରେ ନିଜର କୃତ ସବୁକିଛିକୁ ହନୁମାନ ଅଙ୍ଗଦ ଓ ଜାମ୍ବବାନ୍‌ଙ୍କ ଆଗରେ ବିବରଣୀ ଆକାରରେ ବଖାଣି ଦେଇଥିଲେ; ସେହି ତିନିଜଣ ପ୍ରମୁଖ ବାନରଙ୍କୁ ଅବଶିଷ୍ଟ ବାନରପଲଟି ଘେରି କରି ବସି ରହିଥାଏ-

 

ସମସ୍ତ ବିଷୟ କୁହାହୋଇ ସାରିବା ପରେ ଅଙ୍ଗଦ ଅନ୍ୟମାନଙ୍କୁ ଉଦ୍ଦେଶ୍ୟ କରି କହିଥିଲେ, “ହେ ବାନରବୃନ୍ଦ, ଆମକୁ ଦିଆ ଯାଇଥିବା କାର୍ଯ୍ୟଟି ବର୍ତ୍ତମାନ ସମ୍ପନ୍ନ ହୋଇଯାଇଛି, ଚାଲ ଅବିଳମ୍ବେ ଆମେ ସୁଗ୍ରୀବଙ୍କ ନିକଟକୁ ଫେରିଯିବା ।” ଅନ୍ୟମାନେ ମଧ୍ୟ ହଁ ଭରିଲେ । ପ୍ରଥମେ ଅଙ୍ଗଦ ଓ ତାଙ୍କ ପରେ ଅନ୍ୟ ବାନରମାନେ ଆକାଶମାର୍ଗକୁ ଡେଇଁ ପଡ଼ିଥିଲେ; ଆକାଶର ସେହି ଖଣ୍ଡଟା ସତେଅବା ମେଘଦ୍ଵାରା ଆଚ୍ଛନ୍ନ ହୋଇ ଉଠିଥିଲା । ସମସ୍ତେ ପବନ ପରି ଗର୍ଜନ କରିବାରେ ଲାଗିଥାନ୍ତି । ସେମାନେ ଖର ବେଗରେ ଆସି ସୁଗ୍ରୀବଙ୍କ ପାଖରେ ପହଞ୍ଚିଗଲେ; ଅଙ୍ଗଦ ହିଁ ସର୍ବପ୍ରଥମେ ଗଭୀର ଦୁଃଖରେ ନିମଗ୍ନ ରାମଙ୍କୁ ତୁଣ୍ଡ ଖୋଲି କଥା କହିଥିଲେ । ସମସ୍ତ ସମାଚାର ଦେଇ ସେ ହନୁମାନର କାର୍ଯ୍ୟଗୁଡ଼ିକର ପ୍ରଶଂସା କରିବାରେ ଲାଗିଥାନ୍ତି । ତା’ପରେ ରାମ ହନୁମାନଙ୍କ ସହିତ ମଧ୍ୟ କଥାହେଲେ, କୃଶ-ବଟି ସୀତାଙ୍କର ସକଳା କୌଶଳ-ସମ୍ବାଦ ଜାଣିବା ନିମନ୍ତେ ତାଙ୍କୁ ବହୁତ ପ୍ରଶ୍ନ ପଚାରିଥିଲେ । ହନୁମାନ ଗୋଟି ଗୋଟି କରି ସବୁ ପ୍ରଶ୍ନର ଉତ୍ତର ଦେଇଥିଲେ, ତାଙ୍କୁ କାକ ବିଷୟରେ ସୀତା କହିଥିବା କାହାଣୀଟିକୁ ମଧ୍ୟ କହିଥିଲେ ଏବଂ ସୀତାଙ୍କ ଠାରୁ ସନ୍ତକ ରୂପେ ସାଙ୍ଗରେ ଆଣିଥିବା ସୀତାଙ୍କ କେଶରେ ଥିବା ରତ୍ନଟିକୁ ମଧ୍ୟ ରାମଙ୍କ ଆଗରେ କାଢ଼ି ଦେଖାଇଦେଲେ । ସେଇଟିକୁ ଦେଖିବା ମାତ୍ରକେ ରାମ ଭୋ ଭୋ କରି କାନ୍ଦିଉଠିଲେ । ସିଏ ଯେ କେବଳ ରତ୍ନଟିକୁ ଦେଖୁଛନ୍ତି ଅଥଚ ସୀତାଙ୍କୁ ଦେଖୁନାହାନ୍ତି, ସେଥିପାଇଁ ଦୁଃଖରେ ଅଭିଭୂତ ହୋଇ ପଡ଼ିଥିଲେ । ମାତ୍ର, ସୀତା ଯେ ଜୀବନରେ ରହିଛନ୍ତି ଏବଂ ହନୁମାନ ତାଙ୍କୁ ଠାବ କରି ଆସିଛନ୍ତି, ସେଥିରେ ସେ ପ୍ରଫୁଲ୍ଲ ହୋଇ ଉଠିଥିଲେ ।

 

ସର୍ବଶ୍ରେଷ୍ଠ ଭୃତ୍ୟରୂପେ ରାମ ହନୁମାନଙ୍କର ଅତୀବ ପ୍ରଶଂସା କରିଥିଲେ; ତାଙ୍କୁ ଯେତିକି କାର୍ଯ୍ୟ କରିବାକୁ ଦିଆ ଯାଇଥିଲା, ସିଏ ତା’ଠାରୁ ଅନେକ ଅଧିକ କାର୍ଯ୍ୟ ସମ୍ପନ୍ନ କରି ଆସି ପାରିଛନ୍ତି । ଏବଂ, ଜଣେ ଉତ୍ତମ ଭୃତ୍ୟ ତ ତାକୁ ଯେତିକି କରିବାପାଇଁ କୁହାଯାଏ କେବଳ ସେତିକି କରିଦିଏ, ତା’ଠାରୁ କିଛିହେଲେ ଅଧିକ କରେନାହିଁ; ପୁନଶ୍ଚ, ଜଣେ ମନ୍ଦ ଭୃତ୍ୟ ତାକୁ ଯେତିକି କରିବାଲାଗି ଆଦେଶ ହୋଇଯାଏ ସେତିକି ମଧ୍ୟ କରେନାହିଁ । ରାମ କହିଥିଲେ, “ମାତ୍ର ହନୁମାନ ତ ତାଙ୍କୁ ଦିଆ ହୋଇଥିବା କାର୍ଜ୍ୟଟିକୁ କରିଛନ୍ତି ଏବଂ ତା’ଠାରୁ ଅଧିକ ମଧ୍ୟ କରିଛନ୍ତି । ଅତ୍ୟନ୍ତ ଦୁଃଖର କଥା ଯେ ଏହାର ପ୍ରତିଦାନରେ ମୁଁ ତାଙ୍କର କୌଣସି କାର୍ଯ୍ୟ କରି ପାରିଲି ନାହିଁ । କିନ୍ତୁ, ସ୍ନେହ,–ତାହାହିଁ ସବୁଠାରୁ ଅଧିକ ମୂଲ୍ୟବାନ୍ ବସ୍ତୁ ।” ଏକଥା କହି ରାମ ପୂର୍ଣ୍ଣ ଭାବରେ ସଂଯମଶୀଳ ବୃହତ୍‌ହୃଦୟ ହନୁମାନଙ୍କୁ ନିଜର ଜଣେ ଭାଇ ପରି ଆଲିଙ୍ଗନରେ ଜଡ଼ାଇ ଧରିଥିଲେ-

 

ତା’ପରେ ସୁଗ୍ରୀବ ତୁଣ୍ଡ ଖୋଲିଲେ; ସମସ୍ତ ବାନରଯୂଥ ବର୍ତ୍ତମାନ ଦୂର ଦକ୍ଷିଣ ଦିଗକୁ ଯାଇ ଲଙ୍କା ଅବରୋଧ କରନ୍ତୁ ବୋଲି ନିର୍ଦ୍ଦେଶ ଦେଇଥିଲେ । ଏବଂ, ଲଙ୍କାଗଡ଼ର ବଳ ଏବଂ ସୁରକ୍ଷାଶକ୍ତି ବିଷୟରେ ସିଏ ସ୍ଵୟଂ ଯାହା ଦେଖି ଆସିଛନ୍ତି, ହନୁମାନ ରାମଙ୍କୁ ମଧ୍ୟ ତାହାର ବିବରଣୀ ପ୍ରଦାନ କରିଥିଲେ । କହିଥିଲେ: “ଆପଣ ଜାଣନ୍ତୁ ଯେ ଆପଣ ସେହି ନଗରୀକୁ ଅଧିକାର କରି ସାରିଲେଣି, କାରଣ ମୁଁ ତ ଏକାକୀ ତାହାକୁ ଛାରଖାର କରି ଦେଇଥାଆନ୍ତି । ଆମ ଭଳି ଏଡେ ବଡ଼ ବାହିନୀଟି ହାତରେ ତାହା ସମ୍ପୂର୍ଣ୍ଣ ଭାବରେ ଧ୍ଵସ୍ତ ବିଧ୍ଵସ୍ତ ହୋଇଯିବ ।"

 

ବାନରବାହିନୀ ଦକ୍ଷିଣଗାମୀ ହେଲା; ଆଗରେ ସୁଗ୍ରୀବ ଓ ରାମ । ବାନରମାନେ ଡେଇଁ ଡେଇଁ ଆନନ୍ଦରେ ପରସ୍ପର ସହିତ କ୍ରୀଡ଼ାରତ ହୋଇ ଅଗ୍ରସର ହେବାରେ ଲାଗିଥାଆନ୍ତି । ସେମାନଙ୍କ ସହିତ ବନ୍ଧୁରୂପେ କେତେ ଭଲ୍ଲୁକ ମଧ୍ୟ ରହିଥାନ୍ତି । ଜାମ୍ବବାନ ସବାପଛରେ ରହି ଏମାନଙ୍କର ପରିଚାଳନା କରୁଥିଲେ । ସେମାନେ କେତେ କେତେ ପର୍ବତ ଏବଂ ଆନନ୍ଦପୂର୍ଣ୍ଣ ଅରଣ୍ୟପଥକୁ ଅତିକ୍ରମ କରି ଚାଲିଗଲେ ଏବଂ ପରିଶେଷରେ ମହେନ୍ଦ୍ରରେ ଯାଇ ପହଞ୍ଚି ଯାଇଥିଲେ । ସେଠାରେ ସେମାନଙ୍କ ସମ୍ମୁଖରେ ରହିଥିବା ସାଗରକୁ ଦେଖି ପାରିଥିଲେ । ସେଠାରୁ ପୂରା ସମୁଦ୍ର ବେଳାରେ ଯାଇ ପହଞ୍ଚିଲେ ଏବଂ ତରଙ୍ଗମାନଙ୍କ ଦ୍ଵାରା ଧୌତ ହେଉଥିବା ପାହାଡ଼ଗୁଡ଼ିକ ପାର୍ଶ୍ଵରେ ନିଜପାଇଁ ଛାଉଣି ତିଆରି କରିଦେଲେ । ସେମାନେ ବସ୍ତୁତଃ ସମଗ୍ର ତଟଟିକୁ ପୂର୍ଣ୍ଣ କରି ଦେଇଥିଲେ, ବିକ୍ଷୁବ୍ଧ ତରଙ୍ଗଗୁଡ଼ିକର ପାଖରେ ସତେଅବା ଆଉଗୋଟିଏ ସାଗର ପରି ଦେଖା ଯାଉଥିଲେ । ବର୍ତ୍ତମାନ ଏହି ମହାସାଗରକୁ ଡେଇଁ କିପରି ଆରପାଖକୁ ଯିବାକୁ ହେବ, ତହିଁର ଉପାୟ ସ୍ଥିର କରିବା ପାଇଁ ରାମ ତା’ପରେ ଏକ ବୈଠକ ଡକାଇଥିଲେ । ଚତୁର୍ଦ୍ଦିଗରେ ପ୍ରହରୀ ରହିବାର ବ୍ୟବସ୍ଥା ହୋଇଗଲା ଏବଂ ନିର୍ଦ୍ଦେଶ ଦିଆ ଯାଇଥିଲା ଯେ, କେହି କଦାପି ଏଣେତେଣେ ଚାଲି ଯିବେ ନାହିଁ । ରାମ ରାକ୍ଷସମାନଙ୍କର ଯାଦୁର କାଳେ କେହି ଶିକାର ହୋଇଯିବ, ସେଥିପାଇଁ ଅତ୍ୟନ୍ତ ଭୟ କରୁଥିଲେ ।

 

ବିଭୀଷଣ ଯୋଗ ଦେଲେ

 

ତେଣେ ଲଙ୍କାନଗରୀରେ ରାବଣ ମଧ୍ୟ ଆଉଗୋଟିଏ ବୈଠକ ଡକାଇଥିଲା । କାରଣ, ମୁନିମାନେ ଯେପରି କହି ଯାଇଛନ୍ତି, ପରାମର୍ଶ ଗ୍ରହଣ କରିବଦ୍ଵାରା ହିଁ ବିଜୟ ସୁନିଶ୍ଚିତ ହୋଇ ଯାଇଥାଏ । ସେହି ବୈଠକରେ ନିଜର ପରମର୍ଶଦାତା ମାନଙ୍କୁ ରାବଣ କହିଥିଲା: “କପି ହନୁମାନ କିପରି ଲଙ୍କାକୁ ଆସି କେତେ କ’ଣ ଭାଙ୍ଗିରୁଜି ଦେଇଗଲା, ସମସ୍ତେ ତାହା ନିଶ୍ଚୟ ଜାଣନ୍ତି । ଏବଂ, ବର୍ତ୍ତମାନ ରାମ ମଧ୍ୟ ମହାସାଗରର ତଟରେ ଆସି ପହଞ୍ଚି ଗଲେଣି; ତାଙ୍କ ସହିତ ଭଲ୍ଲୁକ ଏବଂ ବାନରମାନଙ୍କର ଯୂଥଟିଏ ରହିଛି । ସେମାନେ ହୁଏତ ସମୁଦ୍ରକୁ ଶୁଖାଇବେ ଅଥବା ଗୋଟିଏ ସେତୁ ପକାଇ ଆମକୁ ଆସି ଅବରୋଧ କରିବେ । ବର୍ତ୍ତମାନ ଆମର ଏହି ନଗର ଏବଂ ସୈନ୍ୟ ବଳଟିର କିପରି ସୁରକ୍ଷା ହେବ, ଆପଣମାନେ ତାହା ଚିନ୍ତା କରନ୍ତୁ । ସମରର ମୁଖ୍ୟ ଦାୟିତ୍ଵ ରାବଣପୁତ୍ର ଇନ୍ଦ୍ରଜିତ୍ ଉପରେ ନ୍ୟସ୍ତ କରାଯାଉ ବୋଲି ସେନାପତିମାନେ ପରାମର୍ଶ ଦେଇଥିଲେ । ପ୍ରହସ୍ତ, ନିଜୁମ୍ଭ ଓ ବଜ୍ରହନୁ ପ୍ରଭୃତି ଅନ୍ୟମାନେ ଦମ୍ଭର ସହିତ କହିଥିଲେ ଯେ ଏକୁଟିଆ ସେହିମାନେ ହିଁ ଏହି ସମ୍ପୂର୍ଣ୍ଣ ବାନରସେନାଟିକୁ ଗିଳି ଖତମ କରିଦେଇ ପାରିବେ । ମାତ୍ର ରାବଣର ସାନଭାଇ ବିଭୀଷଣ ଅନ୍ୟପ୍ରକାରର ପରାମର୍ଶ ଦେଲେ । ସେ କହିଲେ, “ଅନ୍ୟ ସକଳ ଉପଚାର,-ଅର୍ଥାତ୍ ସାମ, ଦାନ ଏବଂ ଭେଦ ବିଫଳ ହେଇ ଗଲାପରେ ଯାଇ ବଳ ବା ଦଣ୍ଡର ଆଶ୍ରୟ ନିଆଜିବା ଉଚିତ-। ପୁନଶ୍ଚ, ଯେଉଁମାନେ ଆମଠାରୁ କମ୍ ବଳଶାଳୀ ଏବଂ ଯେଉଁମାନେ ଦେବତାମାନଙ୍କ ଆଖିରେ ମନ୍ଦ, କେବଳ ସେହିମାନଙ୍କ ଲାଗି ବଳର ପ୍ରୟୋଗ କଲେ ତାହା ଫଳବତୀ ହୋଇଥାଏ-। ମାତ୍ର, ସକଳ ଦେବତାଙ୍କର ବଳଦ୍ଵାରା ବଳଶାଳୀ ମର୍ଯ୍ୟାଦାପୁରୁଷ ରାମଙ୍କ ସହିତ ଦ୍ଵନ୍ଦ୍ଵ କରି ବସିଲେ ପରିମାଣ କେବଳ ମୃତ୍ୟୁ ହିଁ ହେବ । ହନୁମାନ ହିଁ ଏତେ ଏତେ କାର୍ଯ୍ୟ ସାଧନ କରିପାରିବେ ବୋଲି ପ୍ରକୃତରେ କିଏ ଚିନ୍ତା କରିଥିଲା ? ଏହିଥିରୁ ହିଁ ଏବେ ଆପଣଙ୍କର ସାବଧାନ ହୋଇଯିବା ଉଚିତ ଓ ସୀତାଙ୍କୁ ତାଙ୍କର ସ୍ଵାମୀଙ୍କ ପାଖରେ ନେଇ ପହଞ୍ଚାଇ ଦେବା ଉଚିତ । ତେବେ ଯାଇ ଆପଣଙ୍କର ରକ୍ଷା ହେବ, ଆମର ମଧ୍ୟ ରକ୍ଷା ହୋଇ ପାରିବ ।” ଏବଂ, ତା’ପରେ ନିଜପାଇଁ ଏକ ବିପଜନ୍ନକ ଭୂମିକା ଆଦରି ନେଇ ବିଭୀଷଣ ନିଜ ଭ୍ରାତାଙ୍କ ସହିତ ତାଙ୍କର ପ୍ରକୋଷ୍ଠକୁ ଯାଇଥିଲେ ଓ ତାଙ୍କୁ ପ୍ରମାଣ କରି ତାଙ୍କରି କଲ୍ୟାଣ ନିମରେ ଆଉ କେତେକ କଥା ମଧ୍ୟ କହିଥିଲେ-। ସେ କହିଥିଲେ, “ଯେଉଁଦିନ ଠାରୁ ଆପଣ ସୀତାଙ୍କୁ ଲଙ୍କାକୁ ନେଇ ଆସିଛନ୍ତି, ସେ ଦିନଠାରୁ ବହୁତ ମନ୍ଦ ଶକୁନ ହିଁ ଦେଖିବାକୁ ମିଳିଛି; ନିଆଁ ନିଜ ଧୂଆଁ ଢାଙ୍କି ହୋଇ ରହିଯାଇଛି, ସର୍ପମାନେ ରନ୍ଧନଶାଳା ମାନଙ୍କରେ ଆସି ପ୍ରବେଶ କଲେଣି, ଗାଈମାନଙ୍କର ଚିରରୁ ଗୋରସ ଶୁଷ୍କ ହୋଇ ଗଲାଣି ଏବଂ ରାଜପ୍ରସାଦର ଚାରିପାଖରେ ବନ୍ୟଜନ୍ତୁମାନେ ଆସି ଗର୍ଜନ କରୁଛନ୍ତି । ଆପଣ ତୁରନ୍ତ ସୀତାଙ୍କୁ ଫେରାଇ ଦିଅନ୍ତୁ, ନହେଲେ ଆପଣଙ୍କ ପାପ ସକାଶେ ଆମେ ସମସ୍ତେ ବହୁ କଷଣ ଭୋଗ କରିବୁ ।” ରାବଣ ଏସବୁ ଶୁଣି ଅତ୍ୟନ୍ତ କ୍ରୋଧ କଲା ଓ ଭାଇର ପରାମର୍ଶକୁ ସଂପୂର୍ଣ୍ଣ ଭାବରେ ହିଁ ବର୍ଜନ କରିଥିଲା । ବହୁତ ଦମ୍ଭର ସହିତ କହିଥିଲା ଯେ ସିଏ ସୀତାଙ୍କୁ ନିଜର ରାଣୀ କରି ଏହି ଲଙ୍କାରେ ହିଁ ରଖିବ,–ସକଳ ଦେବତା ତା’ ସହିତ ଯୁଝିବାକୁ ଆସିଲେ ମଧ୍ୟ ସେ କେବଳ ତାହାହିଁ କରିବ-

 

ହଁ, ରାବଣ ଯେ ଏପର୍ଯ୍ୟନ୍ତ ସୀତାଙ୍କୁ ପ୍ରତି ବଳପ୍ରୟୋଗ କରିନଥିଲା, ତାହା ପଛରେ ଗୋଟିଏ କାରଣ ରହିଥିଲା । କାରଣଟି ହେଉଛି, ପୂର୍ବରୁ ଥରେ ରାବଣ ସ୍ଵର୍ଗର ଜଣେ ଅପ୍ସରା ସହିତ କୁଆଚାର କରିଥିବା ହେତୁ ବ୍ରହ୍ମା ଏକଦା ତାକୁ ଅଭିଶାପ ଦେଇଥିଲେ ଯେ, ଯଦି ସିଏ ସେହିପରି ଧରି ଆଣିଥିବା କୌଣସି ନାରୀପ୍ରତି ଅସଦାଚରଣ କରେ, ତେବେ ତା’ର ମୁଣ୍ଡ ଶହେଖଣ୍ଡ ହୋଇ ଖଣ୍ଡଖଣ୍ଡ ହୋଇଯିବ । ଏବଂ ଇତିମଧ୍ୟରେ ରାବଣ କୃଶତନୁ, ବାସନାକ୍ଲାନ୍ତ ଏବଂ କୌଣସି ଏକ ଦୀର୍ଘ ଯାତ୍ରାରୁ ଫେରିଥିବା ଗୋଟାଏ ଘୋଡ଼ା ପରି ପରିଶ୍ରାନ୍ତ ବି ହୋଇ ପଡ଼ିଥିଲା ଏବଂ ସେଥିପାଇଁ ପ୍ରଥମେ ରାମଙ୍କୁ ବଧ କରିସାରି ତା’ପରେ ଯାଇ ସୀତାଙ୍କୁ ଅଧିକାର କରିବ ବୋଲି ଇଚ୍ଛା କରୁଥିଲା । ତେଣୁ, ଏକ ଯୁଦ୍ଧ ନିମନ୍ତେ ସେ ନିଜ ସେନାପତି ମାନଙ୍କଠାରୁ ପୁନର୍ବାର ପରାମର୍ଶ ମାଗୁଥିଲା, କିନ୍ତୁ ତା’ର ଭାଇ ବିଭୀଷଣ ପୁନର୍ବାର ତା’ର ବିରୋଧ କଲେ । ବିଭୀଷଣଙ୍କର ବାକ୍ୟଗୁଡ଼ିକୁ ଶୁଣି ରାବଣ ଅତ୍ୟନ୍ତ ରୋଷପୂର୍ବକ ତାଙ୍କୁ ଭର୍ତ୍ସନା କରିଥିଲା, ତାଙ୍କୁ ଭୀରୁ ଏବଂ ରାଜଦ୍ରୋହୀ ବୋଲି କହୁଥିଲା । ବିଭୀଷଣ ବୁଝିପାରିଲେ ଯେ ଏହିଭଳି ବାରମ୍ବାର ଅପମାନ ପାଇବାର ସମୟ ବର୍ତ୍ତମାନ ଅତୀତ ହୋଇଯାଇଛି । ତା’ପରେ ସେ ଆପଣାର ଚାରି ବ୍ୟକ୍ତିଗତ ଅନୁଚରଙ୍କ ସହିତ ଶୂନ୍ୟମାର୍ଗକୁ ଉଠିବାକୁ ଲାଗିଲେ ଏବଂ ରାବଣକୁ କହିଥିଲେ ଯେ, ନିଜ ଭାଇଙ୍କୁ ସିଏ ଯାହାକିଛି କହିଛନ୍ତି, ସବୁ ଭାଇଙ୍କର ମଙ୍ଗଳ ପାଇଁ କହିଛନ୍ତି, ମାତ୍ର “ଜଣେ ମରଣାପନ୍ନ ବ୍ୟକ୍ତି ଔଷଧ ଖାଇବାକୁ ରାଜି ନହେବା ପରି ଆପଣ ମୋ’ର ପରାମର୍ଶକୁ ଗ୍ରହଣ କରିନାହାନ୍ତି । “ଏତିକି କହି ବିଭୀଷଣ ଆକାଶମାର୍ଗକୁ ଉଠିଯାଇ ସମୁଦ୍ର ପାର ହୋଇ ଯାଇଥିଲେ ଏବଂ ଅପର ତଟରେ ବାନରମେଳରେ ଅବତରଣ କରି ସେ ରାମଙ୍କ ସହିତ ମେଣ୍ଟ ବାନ୍ଧିବାକୁ ଆସିଛନ୍ତି ବୋଲି ଘୋଷଣା କଲେ । ଅଧିକାଂଶ ବାନରପ୍ରମୁଖ ତାଙ୍କୁ ଶତ୍ରୁ ମଣି ମାରିଦେବାକୁ ଉଦ୍ୟତ ହୋଉଥିଲେ । କୌଣସି ରାକ୍ଷସ ଉପରେ ସେମାନଙ୍କର ଟିକିଏ ହେଲେ ଆସ୍ଥା ନଥିଲା ଓ ସିଏ ଗୁପ୍ତଚର ହୋଇ ଏପରି ଭାବରେ ଆସିଛନ୍ତି ବୋଲି ସେମାନେ ଖୁବ୍ ଆଶଙ୍କା କରୁଥିଲେ । ମାତ୍ର ରାମ ଅତ୍ୟନ୍ତ ସଦ୍‌ଭାବର ସହିତ ତାଙ୍କ ସହିତ କଥା ହୋଇଥିଲା ଓ ସିଏ ଯେ ସଂପ୍ରତି ତାଙ୍କୁ ଯୁଦ୍ଧରେ ସହାୟତା କରିବେ, ତାହା ବଦଳରେ ରାବଣର ନିଧନ ଅନ୍ତେ ବିଭୀଷଣ ହିଁ ଲଙ୍କାରେ ସିଂହାସନ ଆରୋହଣ କରିବେ ବୋଲି ତାଙ୍କୁ ପ୍ରତିଶ୍ରୁତି ପ୍ରଦାନ କଲେ ।

 

ସେତୁବନ୍ଧ ବନ୍ଧା ହେଲା

 

ଏହାପରେ ହନୁମାନ, ସୁଗ୍ରୀବ ଏବଂ ରାମ ସମୁଦ୍ର ପାରି ହୋଇ ସେପାଖକୁ ଯିବା ବିଷୟରେ ବିଭୀଷଣଙ୍କ ସହିତ ଆଲୋଚନା କଲେ ଏବଂ ବିଭୀଷଣ ଭାବୁଥିଲେ ଯେ ଏଥିପାଇଁ ଜଳରାଶି ଉପରେ ଗୋଟାଏ ସେତୁ ବାନ୍ଧିବା ନିମନ୍ତେ ରାମଙ୍କୁ ମହାସମୁଦ୍ର ସହାୟତା କଥା ବନ୍ଧୁତା ଲୋଡ଼ିବାକୁ ପଡ଼ିବ । ଏଥିରେ ସମସ୍ତେ ସହମତ ହେଲେ ଓ ରାମ ଏକ ପବିତ୍ର କୁଶାସନ ଉପରେ ପୂର୍ବଦିଗକୁ ମୁହଁ କରି ଆସୀନ ହେଲେ ଏବଂ ଯୋଡ଼ହସ୍ତ ହୋଇ ସମୁଦ୍ର ଆଡ଼କୁ ଚାହିଁ “ସମୁଦ୍ର ବାଟ ଛାଡ଼ିଦେବ ନହେଲେ ମୁଁ ମୃତ୍ୟୁବରଣ କରିବି” ବୋଲି ପ୍ରାର୍ଥନା କରିବାକୁ ଲାଗିଲେ । ଏହିପରି ତିନିଦିନ ଅତିବାହିତ ହୋଇ ଯାଇଥିଲା; ରାମ ନୀରବ ହୋଇ ବସିଥାନ୍ତି ଓ ବିହିତ ଅଭିନିବେଶ ସହିତ ସମୁଦ୍ର ଉଦ୍ଦେଶ୍ୟରେ ଧ୍ୟାନ କରୁଥାନ୍ତି । ମାତ୍ର ମହାସମୁଦ୍ର କୌଣସି ପ୍ରତ୍ୟୁତ୍ତର ଦେଲାନାହିଁ । ତହିଁ ରାମଙ୍କ ମନରେ କ୍ରୋଧ ଜାତ ହୋଇଥିଲା; ସିଏ ଆସନକୁ ଉଠିଯାଇ ଧନୁଶର ଧାରଣ କଲେ ଏବଂ ତୀର ମାରି ସମୁଦ୍ରକୁ ଶୁଖାଇ ଦେଇ ବରୁଣଙ୍କ ଗୃହକୁ ଖାଲି କରିଦେବେ ବୋଲି ବାହାରିଲା । ରାମ ତା’ ପରେ ମହାଭୟଙ୍କର ଶରମାନ ପୋଷିବାକୁ ଆରମ୍ଭ କଲେ; ପ୍ରଜ୍ଜ୍ଵଳିତ ସେହି ତାରାମାନେ ସମୁଦ୍ରର ଜଳ ଭିତରକୁ ଗଳିଯିବାରେ ଲାଗିଥାନ୍ତି; ପ୍ରବଳ ତୋଫାମାନ ଉପସ୍ଥିତ ହେଲା, ସମୁଦ୍ରରେ ବାସ କରୁଥିବା ନାଗ ଏବଂ ମଗରମାନେ ଘୋର ଦୁର୍ଦ୍ଦଶାରେ ପଡ଼ିଲେ ଏବଂ ଦେବଲୋକର ତପସ୍ଵୀମାନେ “ଯଥେଷ୍ଟ ହେଲା, ଯଥେଷ୍ଟ ହେଲା” ବୋଲି ହାହାକାର କରିଥିଲେ । ମାତ୍ର, ତଥାପି ମହାସମୁଦ୍ରର ଦର୍ଶନ ମିଳୁନଥାଏ । ରାମ ତେଣୁ ତାହାର ଭୟ ଜନ୍ମାଇ ନିଜ ଧନୁରେ ଏକ ବ୍ରହ୍ମାସ୍ତ୍ର ଆଣି ବସାଇଥିଲେ । ସେଥିରେ ବ୍ରହ୍ମାଙ୍କର ଅଲୌକିକ ଶକ୍ତି ନିହିତ ରହିଥିଲା । ରାମ ସେଇଟିକୁ ପେଷିବାକୁ ସଙ୍ଗେ ସଙ୍ଗେ ଆକାଶ ଓ ପୃଥିବୀ ଅନ୍ଧାର ହୋଇଗଲେ, ପର୍ବତମାନେ କମ୍ପି ଉଠିଥିଲେ, ବିଦ୍ୟୁତ୍‌ମାନେ ଝଲସି ଉଠିଲେ ଏବଂ ଚରାଚର ପ୍ରାଣୀଗଣ ଭୟତ୍ରସ୍ତ ହୋଇ ଯାଇଥିଲେ । ବଳବାନ୍ ସମୁଦ୍ରର ଗର୍ଭରେ ମଧ୍ୟ ଭୀଷଣ ବିକ୍ଷୋଭମାନ ଜାତ ହୋଇଥିଲା । ସେତେବେଳେ ଯାଇ ସୂର୍ଯ୍ୟଦେବ ମେରୁପର୍ବତରୁ ଉଠି ଆସିବାପରି ସ୍ଵୟଂ ମହାସମୁଦ୍ରର ମଧ୍ୟ ଗାତ୍ରୋତ୍ଥାନ ହୋଇଥିଲା । କଣ୍ଠରେ ବହୁ ମୁକ୍ତାର ମାଳା ପରିଧାନ କରି ଏବଂ ବହୁ ରତ୍ନରେ ଭୂଷିତ ହୋଇ ସିଏ ଗଙ୍ଗା ସିନ୍ଧୁ ତଥା ଅନ୍ୟ ନଦୀମାନଙ୍କର ଗହଣରେ ଆସି ଉପସ୍ଥିତ ହୋଇଥିଲେ । ମହାସମୁଦ୍ର କୃତାଜ୍ଞଳି ହୋଇ ରାମଙ୍କ ସମୀପରେ ଉଭା ହୋଇ ନମ୍ର ଭାବରେ କହିଥିଲେ :

 

“ହେ ରାମ, ଆପଣଙ୍କୁ ଜଣାଅଛି ଯେ, ପ୍ରତ୍ୟେକ ଉପାଦାନର ଅନ୍ତର୍ନିହିତ ସ୍ୱଗୁଣମାନ ରହିଛି । ମୋ’ ନିଜର ଗୁଣ ହେଉଛି ଯେ ମୁଁ ଅଗାଧ ହେବି ଏବଂ ମୋତେ ଲଙ୍ଘନ କରିବା କଷ୍ଟସାଧ୍ୟ ହେବ । ଶ୍ରଦ୍ଧା ଅଥବା ଭୟ କୌଣସି କାରଣରୁ ମଧ୍ୟ ମୁଁ ଏହି ଜଳରାଶିକୁ ତାହାର ଅବିରାମ ଗତିଶୀଳତାରୁ କ୍ଷାନ୍ତ କରି ରଖି ପାରିବିନାହିଁ । ମାତ୍ର ଗୋଟିଏ ସେତୁ ସାହାଯ୍ୟରେ ଆପଣ ମୋତେ ଅତିକ୍ରମ କରିବେ ଏବଂ ତାହା ସ୍ଵୀକାର କରିବାକୁ ହେବ ତଥା ସେହି ସେତୁଟିକୁ ଦୃଢ଼ କରି ରଖିବାକୁ ହେବ ।” ଏହାପରେ ଯାଇ ରାମଙ୍କର କୋପ ଶାନ୍ତ ହେଲା; ମାତ୍ର ତଥାପି ବ୍ରହ୍ମାସ୍ତ୍ର ଭେଦ କରିବା ନିମନ୍ତେ କୌଣସି ବସ୍ତୁରେ ଯାଇ ବାଜିନଥିଲା ଏବଂ ସେଥିରୁ ତାହାକୁ କଦାପି କ୍ଷାନ୍ତ କରି ହୋଇନଥାନ୍ତା । “ଏହି ଅସ୍ତ୍ରଟିକୁ ମୁଁ କେଉଁଠାରେ ବିଦ୍ଧ କରିବି ?”–ରାମଚନ୍ଦ୍ର ପ୍ରଶ୍ନ କରିଥିଲେ । ମହାସାଗର ଉତ୍ତର ଦେଲା, “ମୋ’ ରାଜ୍ୟର ଉତ୍ତରାଞ୍ଚଳକୁ ଏପରି କିଛି ସ୍ନାନ ରହିଛି, ଯେଉଁଠାରେ କି ମନ୍ଦ ମନୁଷ୍ୟମାନେ ବାସ କରୁଛନ୍ତି । ଆପଣଙ୍କର ଅସ୍ତ୍ର ସେହି ସ୍ଥାନଟିକୁ ବିଦ୍ଧ କରୁ ।” ଏହାପରେ ଜ୍ଵଳନ୍ତ ଅସ୍ତ୍ରଟି ସେହି ଅଭିମୁଖରେ ଯାତ୍ରା କରିବାକୁ ଲାଗିଲା; ସେହି ଅଞ୍ଚଳର ସାଗରଟି ଶୁଷ୍କ ହୋଇ ଯାଇଥିଲା ଏବଂ ଯେଉଁଠାରେ ସମୁଦ୍ର ଥିଲା, ତାହା ଏକ ମରୁଭୂମିରେ ପରିଣତ ହୋଇଗଲା । ମାତ୍ର ରାମ ମରୁଭୂମିକୁ ଆପଣାର ଆଶୀର୍ବାଦ ପ୍ରଦାନ କରିଥିଲେ ଓ ତାହାକୁ ଫଳସମର୍ଥ କରିଦେଲେ ।

 

ମହାସାଗର ରାମଙ୍କୁ ପୁନର୍ବାର କହିଲେ: “ହେ ଦୟାବାନ୍, ଏହି ଯୂଥରେ ନଳ ନାମକ ଜଣେ ବାନର ଅଛନ୍ତି, ସିଏ ହେଉଛନ୍ତି ବିଶ୍ଵକର୍ମାଙ୍କର ପୁତ୍ର ଓ ନିଜ ପିତାଙ୍କର କୌଶଳଟିକୁ ସମ୍ପୂର୍ଣ୍ଣ ଭାବରେ ଜାଣିଛନ୍ତି । ସେହି ଶକ୍ତିମାନ୍ ନଳ ହିଁ ମୋ’ ଉପରେ ସେତୁଟିକୁ ନିର୍ମାଣ କରିବେ ଏବଂ ମୁଁ ତାହାକୁ ସହ୍ୟ କରିନେବି ।” ଏତିକି କହି ମହାସାଗର ପୁନର୍ବାର ଜଳ ମଧ୍ୟରେ ଅଦୃଶ୍ୟ ହୋଇଗଲେ । ମାତ୍ର ନଳ ଆସି ରାମଙ୍କୁ କହିଥିଲେ: “ମହାସାଗର ସତ୍ୟକଥା କହିଲେ; ଆପଣ ତ ମୋତେ ଆଦେଶ ଦେଇନଥିଲେ, ତେଣୁ ମୁଁ ମୋର ସାମର୍ଥ୍ୟ ବିଷୟରେ କିଛି କହିନଥିଲି ।”

 

ତା’ପରେ ନଳଙ୍କର ନିର୍ଦ୍ଦେଶକୁ ମାନି ସମଗ୍ର ବାନରପଲ ବୃକ୍ଷ ଏବଂ ପ୍ରସ୍ତରଖଣ୍ଡମାନ ସଂଗ୍ରହ କରି ଆଣିଥିଲେ, ସେଗୁଡ଼ିକୁ ଅରଣ୍ୟ ମଧ୍ୟରୁ ସମୁଦ୍ରତଟ ବୋହି ଆଣିଲେ ଏବଂ ସମୁଦ୍ର ମଧ୍ୟକୁ ନିକ୍ଷେପ କଲେ । ଆଉ କିଏ କାଠର ଗଣ୍ଡିମାନ ଆଣି ପହଞ୍ଚାଇ ଦେଲା, କେହି ଜରିବକାଠି ଧରିଲା, କେହି ପଥରମାନଙ୍କୁ ମୁଣ୍ଡାଇ ଏଠାରୁ ସେଠାକୁ ନେଇ ଯାଉଥିଲା । ଏହିପରି ଭାବରେ ସେଠାରେ ଏକ ତୁମୁଳ କୋଳାହଳ ଆରମ୍ଭ ହେଇଗଲା । ପଥରମୁଣ୍ଡମାନେ ଏଡ଼େ ଏଡ଼େ ଶବ୍ଦ କରି ପାଣି ଭିତରେ ଯାଇ ପଡ଼ୁଥିଲେ । ପ୍ରଥମେ ଦିନରେ ହିଁ ଚଉଦ ଯୋଜନ ବନ୍ଧ ତିଆରି ହୋଇଗଲା ଏବଂ ପାଞ୍ଚ ଦିନରେ ସମସ୍ତେ ସେତୁ ନିର୍ମାଣର କାର୍ଯ୍ୟଟି ସମାପ୍ତ ହେଲା । ମାହାସାଗରର ମସ୍ତକରେ ସତେଅବା ସୁନାଟିଏ ପଡ଼ିଥିଲା ପରି ଦେଖା ଯାଉଥିଲା । ତା’ପରେ ପ୍ରଥମେ ବାନରଦଳ ସେତୁ ଉପରଦେଇ ଜଳରାଶିକୁ ପାରି ହେଲେ । ରାମ ଏବଂ ଲକ୍ଷ୍ମଣ ସୁଗ୍ରୀବ ଏବଂ ଅଙ୍ଗଦଙ୍କର କାନ୍ଧରେ ବସି ଗଲେ । କେହି ପବନମାର୍ଗରେ ବି ଯାଉଥିଲେ । ଏବଂ, ସେମାନଙ୍କ ଏହି ଅଭିଯାନ ଶବ୍ଦରେ ସମୁଦ୍ରତରଙ୍ଗର ଶବ୍ଦ ମଧ୍ୟ ଆଦୌ ଶୁଣା ହିଁ ଯାଉନଥିଲା ।

 

ଲଙ୍କାର ଅବରୋଧ

 

ଯୁଦ୍ଧ ଆସନ୍ନ ହୋଇ ଆସୁଥିବାର ମନ୍ଦ ଶକୁନମାନେ ଦୃଶ୍ୟ ହୋଇ ଆସିଲେ । ଭୂମିରେ କମ୍ପନ ହେଲା, ମେଘରୁ ରକ୍ତବର୍ଷା ହେଲା, ସୂର୍ଯ୍ୟଙ୍କଠାରୁ ଏକ ଅଗ୍ନିପିଣ୍ଡୁଳା ଖସିଲା । ମାତ୍ର ବାନରମାନେ ମହାଦର୍ପର ସହିତ ରକ୍ଷସମାନଙ୍କ ଉଦ୍ଦେଶ୍ୟରେ ଗର୍ଜନ କରିବାରେ ଲାଗିଥାନ୍ତି । ସେମାନଙ୍କର ଧ୍ଵଂସର ଭବିଷ୍ୟବାଣୀ କରୁଥାଆନ୍ତି । ଏବଂ ରାମ ବିଶ୍ଵକର୍ମା ଦ୍ଵାରା ନିର୍ମିତ ଲଙ୍କାପୁର ଉପରେ ଦୃଷ୍ଟିପାତ କରି ସେଠାରେ ବନ୍ଦିନୀ ହୋଇ ରହିଥିବା ସୀତାଙ୍କର କଥା ଭାବି ଦୁଃଖରେ ଅବଶ ହୋଇ ପଡ଼ୁଥାନ୍ତି । ପରିଶେଷରେ ଭଲ୍ଲୁକ ଏବଂ ବାନରମାନଙ୍କ ବାହିନୀ ସହିତ ସିଏ ଲଙ୍କାନଗରୀର ଅବରୋଧ କରିଥିଲେ ।

 

ସମ୍ବାଦ ଆଣି ଦେବା ଲାଗି ରାବଣ ଦ୍ଵାରା ବାନରବେଶରେ ପ୍ରେରିତ ଗୁପ୍ତଚରମାନେ ଲଙ୍କାକୁ ଆସି ରାମଙ୍କର ଅପ୍ରୀତିରୋଧ ଶକ୍ତି ବିଷୟରେ ବର୍ଣ୍ଣନା କରିଥିଲେ, ସୀତାଙ୍କୁ ଫେରାଇ ଦେବାଲାଗି ରାବଣର ପରାମର୍ଶ ଦେଲେ । ରାବଣ ମହାକୋପାନ୍ଵିତ ହୋଇ ଗୁପ୍ତଚରମାନଙ୍କୁ ଅପମାନିତ କରି ବାହାର କରି ଦେଇଥିଲା । ସେମାନଙ୍କ ବଦଳରେ ଅନ୍ୟ ଗୁପ୍ତଚରଙ୍କୁ ପଠାଇଥିଲା, ସେମାନେ ମଧ୍ୟ ଫେରିଆସି ସେହିକଥା କହିଲେ । ବସ୍ତୁତଃ ଅନ୍ୟ କୌଣସି ଗତି ନଥିଲା; ସମୟର ଅବତୀର୍ଣ୍ଣ ହେବାକୁ ପଡ଼ିବ ଅଥବା ରାମଙ୍କର ରମଣୀଙ୍କୁ ରାମଙ୍କ ପାଖରେ ଦେଇ ଆସିବାକୁ ହେବ । ମାତ୍ର ରାବଣ ପ୍ରଥମେ ସୀତାଙ୍କୁ ନିଜ ପକ୍ଷରୁ ରାଜି କରାଇ ଆଣିବାକୁ ସ୍ଥିର କରିଥିଲା । ସୀତାଙ୍କୁ ଯାଇ କହିଥିଲା ଯେ, ବାନରଯୂଥ ଯିଏ ଯୁଆଡ଼େ ଛିନ୍‌ଛତ୍ର ହୋଇ ପକାଇଲେଣି, ରାମ ବି ନିହତ ହୋଇଛନ୍ତି । ଗୋଟିଏ ରାକ୍ଷସ ରାମଙ୍କ ମସ୍ତକ ପରି ମସ୍କକଟିଏ ଓ ରାମଙ୍କର ଧନୁକୁ ନେଇ ସେଠାରେ ପ୍ରବେଶ କରିଥିଲା । ସୀତା ସେଗୁଡ଼ିକ ଚିହ୍ନିଲେ ଓ ଆକୁଳ ହୋଇ ରୋଦନ କରିବାକୁ ଲାଗିଲେ । ରାବଣ ତାଙ୍କୁ ମଧ୍ୟ ମାରିଦେଇ ରାମଙ୍କ ମସ୍ତକ ପାଖରେ ପକାଇଦେଉ ବୋଲି ସୀତା ରାବଣକୁ ପ୍ରାର୍ଥନା କଲେ; ତେବେ ସିଏ ଅନ୍ତତଃ ରାମଙ୍କର ଅନୁସରଣ ତ କରିପାରନ୍ତେ ! କିନ୍ତୁ ଠିକ୍ ସେତିକିବେଳେ ଜଣେ ରାକ୍ଷସ ସେନାପତି ଆସି ରାବଣକୁ ଯୁଦ୍ଧଯାତ୍ରା କରିବା ନିମନ୍ତେ କହିଥିଲା ଓ ରାବଣ ଯୁଦ୍ଧକ୍ଷେତ୍ରକୁ ବାହାରି ଯାଇଥିଲେ । ଏବଂ, ରାବଣ ଚାଲିଯିବା ସଙ୍ଗେ ସଙ୍ଗେ ଉକ୍ତ ମସ୍ତକ ଓ ଧନୁଟି ତତ୍‌କ୍ଷଣାତ୍‌ ଅନ୍ତର୍ହିତ ହୋଇ ଯାଇଥିଲେ । ସୀତା ଜାଣି ପାରିଥିଲେ ସେଗୁଡ଼ିକ ଆଦୌ ସତ ନଥିଲେ ଏବଂ ମାୟା ରଚିବା ପାଇଁ ସର୍ଜନା କରା ଯାଇଥିଲା ।

 

ରାମ ଆହତ ହେଲେ

 

ଇତି ମଧ୍ୟରେ ବିଭୀଷଣଙ୍କର ଚାରି ଅନୁଚର ଗୋପନରେ ଯାଇ ଲଙ୍କାଗଡ଼ର ସମସ୍ତ ସ୍ଥିତି ଦେଖି ଆସିଥିଲେ ଓ ରାବଣସେନାର ବଳ ବିଷୟରେ ଏକ କଳନା ମଧ୍ୟ କରି ନେଇଥିଲେ । ଏବଂ, ସେହି ଅନୁସାରେ ରାମଙ୍କ ଲଙ୍କାର ଚାରିଦ୍ଵାରକୁ ଯାଇ ଅବରୋଧ କଲେ; କପିବର ନଳ ପୂର୍ବ ଦ୍ଵାରରେ ରହିଲେ, ସେଠାରେ ଅପର ପକ୍ଷରୁ ରାକ୍ଷସ ପ୍ରହସ୍ତ ପହରା ଦେଉଥିଲେ । ଅଙ୍ଗଦ ପଶ୍ଚିମ ଦ୍ଵାରାରେ ନିଯୁକ୍ତି ହେଲେ, ଯେଉଁଠାରେ ରାକ୍ଷସପକ୍ଷରୁ ମହାପାର୍ଶ୍ଵ ରହିଥିଲା । ହନୁମାନ ଦକ୍ଷିଣ ଦ୍ଵାରରେ, ଯେଉଁଠାରେ ରାବଣପୁତ୍ର ଯୁବରାଜ ଇନ୍ଦ୍ରଜିତ୍ ଥିଲେ । ଏବଂ, ସ୍ଵୟଂ ଉତ୍ତର ଦ୍ଵାର ଉପରେ ଆକ୍ରମଣ କରିଥିଲେ ଓ ସେଠାରେ ସ୍ଵୟଂ ରାବଣ ଉପସ୍ଥିତ ରହିଥିଲା । ତା’ପରେ ରାମ ଅଙ୍ଗଦକୁ ରାବଣପାଖକୁ ନିଜର ଦୂତରୂପେ ପ୍ରେରଣ କଲେ ଏବଂ ତାହାକୁ ଯୁଦ୍ଧ ନିମନ୍ତେ ଆହ୍ଵାନ କଲେ । ମାତ୍ର, ଜଣେ ଦୂତକୁ ଯେଉଁଦିନ ସମ୍ମାନ ଦିଆଯାଏ, ସେକଥା ଭୁଲିଯାଇ ରାବଣ ଅଙ୍ଗଦକୁ ହତ୍ୟା କରିବାକୁ ଉଦ୍ୟତ ହେବାକୁ ଅଙ୍ଗଦ ସେଠାରୁ ଡେଇଁ କରି ଚାଲି ଆସିଥିଲେ । ଏବଂ ଆସିବା ସମୟରେ ପ୍ରସାଦର ଛାତକୁ ଭାଙ୍ଗି ଦେଇଥିଲେ । ତା’ପରେ ବାନରମାନେ ଏକ ସୈନ୍ୟବାହିନୀ ପରି ଆଗେଇ ଯାଇଥିଲେ, ଗଡ଼ପ୍ରାଚୀରକୁ ସଂପୂର୍ଣ୍ଣ ଭାବରେ ଘେରିଗଲେ, ଗଡ଼ଖାଇ ଭିତରେ ଭର୍ତ୍ତି ହୋଇଗଲେ ଏବଂ ରାକ୍ଷସମାନଙ୍କୁ ଭୟଭୀତ କରି ଦେଇଥିଲେ । “ରାମ ଓ ସୁଗ୍ରୀବଙ୍କ ଜୟ” ବୋଲି ଉଚ୍ଚ ରାବ କରି ବୃକ୍ଷ ତଥା ପ୍ରସ୍ତରଖଣ୍ଡ ସାହାଯ୍ୟରେ ତୋରଣମାନଙ୍କୁ ଭାଙ୍ଗି ଖଣ୍ଡଖଣ୍ଡ କରିଦେଲେ । ସେ ପକ୍ଷରୁ ରାକ୍ଷସଗଣ ମଧ୍ୟ ତୁରୀ ଭେରୀ ବଜାର ମାଡ଼ି ଆସିଥିଲେ । ବାନରମାନଙ୍କ ସହିତ ଯୁଦ୍ଧ କଲେ । ଯୁଦ୍ଧରବରେ ହିଁ ସମସ୍ତେ ମଣ୍ଡଳ ପ୍ରକମ୍ପିତ ହୋଇ ଉଠିଲା, ଶତ୍ରୁ ମିତ୍ର ଅଥବା ମନୁଷ୍ୟ ତଥା ପଶୁମାନଙ୍କୁ ଆଦୌ ଅଲଗା କରି ବାରି ହେଉନଥିଲା । ଭୂମି ଉପରେ ମୃତଦେହ ଗୁଡ଼ିକର ଅଂଶ ବିକୀର୍ଣ୍ଣ ହୋଇଗଲା, ରକ୍ତରେ ଆର୍ଦ୍ର ହୋଇ ମଧ୍ୟ ଉଠିଲା । ଏହିପରି ଭାବରେ ସନ୍ଧ୍ୟା ପର୍ଯ୍ୟନ୍ତ ଏକ ସମାନ ଯୁଦ୍ଧରେ ବଳ କଷାକଷି ଚାଲିଥିଲା । ମାତ୍ର ରାକ୍ଷସମାନେ ରାତ୍ରି ଆସିଯିବାଯାଏ ଅପେକ୍ଷା କରି ରହିଥିଲେ ଏବଂ ସୂର୍ଯ୍ୟାସ୍ତ ହେବା ପର୍ଯ୍ୟନ୍ତ ଅନାଇ ରହିଥିଲେ । କାରଣ, ନିଶାକାଳରେ ହିଁ ତ ନିଶାଚରମାନେ ସର୍ବାଧିକ ପରିମାଣରେ ବଳପ୍ରଦର୍ଶନ କରିପାରନ୍ତି ! ଶେଷରେ ରାତ୍ରି ଉପଗତ ହେଲା ଏବଂ ରାକ୍ଷସମାନେ ପ୍ରମତ୍ତ ହୋଇ ଉଠିଥିଲେ । ସେମାନେ ହଜାର ହଜାର ସଂଖ୍ୟାରେ କପିମାନଙ୍କୁ ଗିଳି ପକାଇଲେ । ତା’ପରେ ରାମଙ୍କର ପକ୍ଷଟି ଭିଡ଼ କରି ଆସିଲା, ଅଧିକ ଶକ୍ତିର ପ୍ରଦର୍ଶନ କଲା ଏବଂ ଇନ୍ଦ୍ରଜିତ୍‌କୁ ପରାସ୍ତ କରି ଘଉଡ଼ାଇ ଦିଆ ଯାଇଥିଲା । ମାତ୍ର, ଆପଣାର କିମିଆକୁ ପ୍ରୟୋଗ କରି ଇନ୍ଦ୍ରଜିତ୍ ନିଜକୁ ଅଦୃଶ୍ୟ କରି ରଖିଲା ଏବଂ ରାମ ତଥା ଲକ୍ଷ୍ମଣଙ୍କ ଉପରେ ଭୟାନକ ଓ ମୃତ୍ୟାଘାତୀ ବାଣମାନ ବର୍ଷଣ କରିବାକୁ ଲାଗିଲା । ନାନା କୁଟିଳ ପ୍ରକାରେ ଯୁଦ୍ଧ କରି ସିଏ ସେମାନଙ୍କୁ ବାନ୍ଧି ପକାଇଲା, ଯାହାଫଳରେ କି ସେମାନେ ଅକର୍ତ୍ତବ୍ୟ ହୋଇ ଭୂମି ଉପରକୁ ଗଡ଼ି ପଡ଼ିଲେ ଏବଂ ସେମାନଙ୍କର ଦେହରେ ପ୍ରାୟ ସହସ୍ର କ୍ଷତ ହୋଇ ଯାଇଥିଲା ।

 

ସୁଗ୍ରୀବ, ହନୁମାନ, ବିଭୀଷଣ ତଥା ଅବଶିଷ୍ଟ କପିନାୟକ ଅଶ୍ରୁପୂର୍ଣ୍ଣ ଲୋଚନରେ କ୍ଷତବିକ୍ଷତ ଦୁଇ ବୀରଙ୍କର ଚାରିପାଖରେ ଘେରି ଠିଆ ହୋଇଥିଲା । ମାତ୍ର, ଅତ୍ୟନ୍ତ ହୃଷ୍ଟ ହୋଇ ଏବଂ ଅଦୃଶ୍ୟ ହୋଇ ରହି ବାଣ ମାରି ଇନ୍ଦ୍ରଜିତ୍ ହନୁମାନ, ନଳ ଏବଂ ଜାମ୍ବବାନ୍‌ଙ୍କୁ ମଧ୍ୟ ବିଦ୍ଧ କରି ପକାଇଥିଲା । କେବଳ କକା ବିଭୀଷଣଙ୍କୁ ହିଁ ତାହା ଦୃଶ୍ୟ ହୋଇ ପାରୁଥିଲା । ଶେଷରେ ଇନ୍ଦ୍ରଜିତ୍ ବିଜୟୀରୂପେ ଲଙ୍କାଙ୍କୁ ଫେରିଗଲା ଏବଂ ତା’ର ପିତା ତାହାର ଭୂୟସୀ ପ୍ରଶଂସା କରିବାକୁ ଲାଗିଲେ-। କିଛି ସମୟ ନିମନ୍ତେ ଯୁଦ୍ଧ ମଧ୍ୟ ସ୍ଥଗତ ରହିଥିଲା ।

 

ତା’ପରେ ବିଭୀଷଣ ଭୀତତ୍ରସ୍ତ ବାନରମାନଙ୍କୁ ଏକତ୍ର କରାଇଲେ ଏବଂ ସୁଗ୍ରୀବଙ୍କୁ ସାନ୍ତ୍ଵନା ଦେଇ କହିଲେ, “ଏବେ ଆଦୌ ଦୁଖରେ ମ୍ରିୟମାଣ ହେବାର ସମୟ ନୁହେଁ । ରାମ କଦାପି ମରିବେ ନାହିଁ । ଆପଣ ବାନରବାହିନୀକୁ ଏକଜୁଟ କରାନ୍ତୁ ଓ ସେମାନଙ୍କର ମନରେ ନୂତନ ଆଶାର ସଞ୍ଚାର କରନ୍ତୁ !” କିନ୍ତୁ ବାନରମାନେ ସଂପୂର୍ଣ୍ଣ ଭାବରେ ଆତଙ୍କିତ ହୋଇ ପଡ଼ିଥିଲେ ଏବଂ ଗଛରୁ ପତ୍ରଟିଏ ଖସିଲେ ମଧ୍ୟ ସେମାନେ ଗୋଟିଏ ରାକ୍ଷସ ଆସି ପହଞ୍ଚିଲାଣି ବୋଲି ଭୟ କରୁଥିଲେ । ଏବଂ ଇତ୍ୟବସରେ ରାବଣ ମଧ୍ୟ ସୀତାଙ୍କୁ ନିଜ ରଥରେ ବସାଇ ରାମ ଓ ଲକ୍ଷ୍ମଣଙ୍କର ଦୁର୍ଦ୍ଦଶାକୁ ନେଇ ଦେଖାଉଥିଲା; ସେମାନେ ଭୂମି ଉପରେ ଅଚେତ ହୋଇ ପଡ଼ିଥିଲେ, ଦେହରେ ବହୁସଂଖ୍ୟକ ଶର ବାଜି ସେମାନଙ୍କୁ କ୍ଷତବିକ୍ଷତ କରି ପକାଇଥିଲା । ଦେହ ଧୂଳିଧୂସରିତ ହୋଇ ଯାଇଥିଲା । ସେମାନେ ଆଉ ଜୀବନରେ ନାହାନ୍ତି ବୋଲି ଧରିନେଇ ସୀତା ରୋଦନ କରିବାକୁ ଲାଗିଲେ । ରାବଣ ତାଙ୍କୁ ପୁଣି ଲଙ୍କାକୁ ନେଇ ଆସିଥିଲା ।

 

ଏହାପରେ ରାମ ପ୍ରକୃତିସ୍ଥ ହେଲେ ଏବଂ ଲକ୍ଷ୍ମଣଙ୍କୁ ଅଚେତପ୍ରାୟ ଦେଖି ଗଭୀର ବିଳାପ କରିବାକୁ ଲାଗିଲେ । ବିଫଳ ହୋଇଥିଲେ ମଧ୍ୟ ବାନରମାନେ କରିଥିବା କାର୍ଯ୍ୟଗୁଡ଼ିକର ପ୍ରଶଂସା କରି ସେମାନଙ୍କୁ ସେ ସେତୁ ପାର ହୋଇ ନିଜ ନିଜ ଘରକୁ ଫେରି ଯିବାଲାଗି ପରାମର୍ଶ ଦେଲେ । ଏବଂ, ବିଭୀଷଣଙ୍କର ମଧ୍ୟ ଆଉ ଯୁଦ୍ଧରେ କୌଣସି ଆଗ୍ରହ ନଥିଲା, ଲଙ୍କାର ସିଂହାସନ ଲାଗି ଆଉ ବାସନା ମଧ୍ୟ ନଥିଲା । କିନ୍ତୁ ସୁଗ୍ରୀବ ସମସ୍ତଙ୍କୁ ସାନ୍ତ୍ଵନା ଦେଲେ, ନୂତନ ସାହସ ପ୍ରଦାନ କରିଥିଲେ । ସୁଶେଣ ମଧ୍ୟ ପାୟୋନିଧି ତଟରେ ଥିବା ଏକ ଆମେଘ ଔଷଧି କଥା କହିଲେ, ଯାହାକି ମୃତବ୍ୟକ୍ତି ଦେହରେ ପୁନର୍ବାର ପ୍ରାଣର ସଞ୍ଚାର କରାଇ ଆଣିବ । ପବନପୁତ୍ର ହନୁମାନ ସେହି ଔଷଧିଟିକୁ ଆଣିବାକୁ ଯାଆନ୍ତୁ ବୋଲି ସେ ପ୍ରସ୍ତାବ ଦେଲେ ।

 

ଗରୁଡ଼ ଆସି ପହଞ୍ଚିଲେ

 

ମାତ୍ର ସୁଶେଣ ଏକଥା କହୁଥିବା ସମୟରେ ହଠାତ୍ ଝଡ଼ପବନ ପରି କ’ଣ ଗୋଟିଏ ମାଡ଼ି ଆସିଥିଲା; ମହାସମୁଦ୍ର ଉଛୁଳି ଉଠିବା ପରି ଲାଗିଲା, ପର୍ବତମାନେ ବି କମ୍ପି ଉଠିଥିଲେ; ବାନରମାନେ ଉପରକୁ ଅନାଇ ଦେଖିଲେ ଯେ ପକ୍ଷୀରାଜ ଗରୁଡ଼ ଏକ ଜ୍ଵଳନ୍ତ ଅଗ୍ନି ପରି ପର୍ବତମାର୍ଗରେ ଗତି କରି ଏହି ଦିଗକୁ ଆସୁଛନ୍ତି । ଗରୁଡ଼ ଅଧିକ ନିକଟକୁ ଆସିଯିବାରୁ ଭୟଭୀତ ସର୍ପମାନଙ୍କ ଭଳି ଦୁଇଭାଇଙ୍କ ଦେହରେ ଲାଗି ରହିଥିବା ତୀରଗୁଡ଼ିକ ଖସି ବାହାରି ଆସିଲେ । ଏବଂ, ପ୍ରଥମେ ପ୍ରଣାମ କରି ସିଏ ନିଜ ହାତରେ ସେମାନଙ୍କର ମୁଖକୁ ସ୍ପର୍ଶ କରିବା ମାତ୍ରକେ ରାଜା ଦଶରଥଙ୍କର ଦୁଇ ତନୟ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇଉଠିଲେ । ପୂର୍ବ ଅପେକ୍ଷା ଅଧିକ ଜଳ ଏବଂ ଦୀପ୍ତି ଫେରି ପାଇଥିଲେ । ତା’ପରେ ରାମ ଗରୁଡ଼ର ପରିଚୟ ପୂଜା କରିଥିଲେ ଏବଂ ଗରୁଡ଼ ଉତ୍ତର ଦେଲେ: “ମୁଁ ହେଉଛି ଗରୁଡ଼ ଆପଣଙ୍କର ମିତ୍ର, ଆପଣଙ୍କ ବାହ୍ୟ ଶରୀରଟିର ଜୀବନ । ଇନ୍ଦ୍ରଜିତ୍‌ର ଯାଦୁବାଣଗୁଡ଼ିକ ବଳରେ ଆପଣ ଏପରି ବନ୍ଧନରେ ପଡ଼ି ରହିଛନ୍ତି ବୋଲି ଶୁଣି ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ ଆସିଛି । ରାକ୍ଷସମାନେ କିପରି ଧୂର୍ତ୍ତ ହୋଇ ଯୁଦ୍ଧ କରନ୍ତି’, ଯାଦୁଶକ୍ତିର ଆଶ୍ରୟ ନିଅନ୍ତି, ଆପଣ ସେହି ବିଷୟରେ ସାବଧାନ ରହିବେ ଏବଂ ଯୁଦ୍ଧକ୍ଷେତ୍ରରେ ସେମାନଙ୍କୁ ଆଦୌ ବିଶ୍ଵାସ କରିବେନାହିଁ । ମୁଁ ବର୍ତ୍ତମାନ ବିଦାୟ ନେଉଛି: ଏହି ବନ୍ଧୁତା ଆମଭିତରେ କିପରି ସ୍ଥାପିତ ହେଲା, ସେ କଥାରେ ଆପଣ ଆଦୌ ବିସ୍ମିତ ହେବେନାହିଁ । ଯୁଦ୍ଧ ଶେଷ ହେଲେ ସବୁ ଜାଣିପାରିବେ । ଆପଣ ନିଶ୍ଚୟ ରାବଣକୁ ବଧ କରିବେ ଏବଂ ସୀତାଙ୍କୁ ଉଦ୍ଧାର କରିବେ ।” ରାମ, ଲକ୍ଷ୍ମଣ ତଥା ବାନରମୁଖ୍ୟ ମାନଙ୍କୁ ଆଲିଙ୍ଗନ କରି ଗରୁଡ଼ ବିଦାୟ ନେଲା; ଆକାଶକୁ ଉଠିଯାଇ ପବନମାର୍ଗରେ ଚାଲି ଯାଇଥିଲା ।

 

ରାମ ଏବଂ ଲକ୍ଷ୍ମଣ ପୁନର୍ବାର ଆପଣାର ଜୀବନ ଓ ଶକ୍ତି ଲାଭ କରିଥିବାର ଦେଖି କପି ମୁଖ୍ୟମାନେ ପୁଣି ଗର୍ଜନ କରିବାକୁ ଆରମ୍ଭ କଲେ ଓ ଲାଙ୍ଗୁଳି ଟେକି ଡେଇଁବାକୁ ଲାଗିଲେ । ପୁଣି ରଣବାଦ୍ୟମାନ ବାଜି ଉଠିଥିଲା ଓ ହାତରେ ବିଶାଳ ବୃକ୍ଷମାନ ଧରି ସେମାନେ ପୁନର୍ବାର ଲଙ୍କାଗଡ଼ର ଫାଟକ ଆଡ଼କୁ ଅଗ୍ରସର ହେଲେ । ଧ୍ରୂମାକ୍ଷର ନେତୃତ୍ଵରେ ସେପାଖରୁ ମଧ୍ୟ ରାତ୍ରିର ପ୍ରହରୀମାନେ ବାହାରି ଆସିଲେ ଓ ଏକ ଭୟାନକ ସମର ଆରମ୍ଭ ହୋଇଗଲା । ବାନରମାନେ ବୃକ୍ଷ ଏବଂ ପ୍ରସ୍ତରଖଣ୍ଡର ବ୍ୟବହାର କରୁଥଲେ ଏବଂ ରାକ୍ଷସମାନେ ସେମାନଙ୍କୁ ବାଣଦ୍ଵାରା ବିଦ୍ଧ କରି ଦେଉଥିଲେ, କୁଠାରଦ୍ଵାର ହାଣି ପକାଉଥିଲେ ଅଥବା ଗଦାପ୍ରହାର ଦ୍ଵାରା ସେମାନଙ୍କର ଶରୀରକୁ ଗୁଣ୍ଡ କରି ଦେଉଥିଲେ । ବାନରମାନଙ୍କୁ ଏପରି କଠୋର ସ୍ଥିତିରେ ଦେଖି ହନୁମାନ ଗୋଟାଏ ପାହାଡ଼ମାନ ପ୍ରସ୍ତରଖଣ୍ଡକୁ ଧରି ଧୂମ୍ରାକ୍ଷର ରଥ ଉପରେ ନେଇ ପିଟିଦେଲା । ତାହାରି ଆଘାତରେ ରଥ ସମ୍ପୂର୍ଣ୍ଣ ଭାବରେ ଚୂନା ହୋଇ ଯାଇଥିଲା । ତା’ପରେ ହନୁମାନ ଗୋଟାଏ ପାହାଡ଼ଶୃଙ୍ଗକୁ ଧରି ଧୃମ୍ରାକ୍ଷ ଉପରେ ଆକ୍ରମଣ କରିଥିଲେ । ଧୃମ୍ରାକ୍ଷ ଆପଣାର ଗଦାରେ ହନୁମାନର ମୁଣ୍ଡକୁ ପିଟି ଦେଇଥିଲେ ଏବଂ ତାକୁ ଅତ୍ୟନ୍ତ ଶୋଚନୀୟ ଭାବରେ ଆହତ କରି ପକାଇଲା । ଏବଂ ହନୁମାନ ମଧ୍ୟ ଆପଣାର କ୍ଷତଉପରେ କୌଣସି ଦୃଷ୍ଟି ନଦେଇ ପୁରା ଶୃଙ୍ଗଟାକୁ ନେଇ ଧୃମ୍ରାକ୍ଷ ଉପରେ କଚାଡ଼ି ଦେଇଥିଲେ । ଧୃମ୍ରାକ୍ଷ ମୁଣ୍ଡାଏ ପାହାଡ଼ ପରି ଏକାବେଳେକେ ଚୂନା ହୋଇଗଲା । ସ୍ଵୟଂ ନେତାର ପ୍ରାଣ ଚାଲିଯିବାର ଦେଖି ରାକ୍ଷସମାନେ ମଧ୍ୟ ପଳାୟନ କରିଥିଲେ ।

 

ଭୟଙ୍କର ସମର

 

କିଞ୍ଚିତ୍ ବିରତି ପରେ ରାବଣ ପୁନର୍ବାର ଜଣେ ରାକ୍ଷସମୁଖ୍ୟ ଭୟଙ୍କର ବଜ୍ର ଦନ୍ତକୁ ଯୁଦ୍ଧକ୍ଷେତ୍ରକୁ ପ୍ରେରଣ କରିଲା । ନିଜ ସହିତ ସମଗ୍ର ବାନରପଲକୁ ନେଇ ଅଙ୍ଗଦ ସେହି ରାକ୍ଷସର ସମ୍ମୁଖୀନ ହେଲା । ଏକା ମହାଭୟଙ୍କର ବାଣ-ବିନିମୟ ପରେ ରାକ୍ଷସଟିର ମସ୍ତକ ତା’ଦେହରୁ ଅଲଗା ହୋଇ ତଳେ ପଡ଼ି ଯାଇଥିଲା । ତା'ପରେ ଅକମ୍ପନ ଆସିଲା ଓ ସିଏ ହନୁମାନ ଦ୍ଵାରା ନିହତ ହେଲା । ତା ସହିତ ତା’ର ସମ୍ପୂର୍ଣ୍ଣ ବାହିନୀଟି ମଧ୍ୟ ନିପାତ ହେଲେ । ଏହାପରେ ରାବଣ ପ୍ରକୃତରେ କିଞ୍ଚିତ୍ ତ୍ରାସର ବଶବର୍ତ୍ତୀ ହେଲା, ଅଶୁଭର ଆଶଙ୍କା କରିବାକୁ ଲାଗିଲା । ମାତ୍ର ତା’ପରେ ଆପଣାର ସର୍ବପ୍ରଧାନ ସେନାପତି ପ୍ରହସ୍ତକୁ ପ୍ରେରଣ କରିଥିଲା । ପ୍ରହସ୍ତ ଆପଣାର ବାହିନୀଟିକୁ ଠୁଳ କରି ଏକ ସୁଦୃଶ୍ୟ ରଥରେ ଆରୂଢ଼ ହୋଇ ପୂର୍ବଦ୍ୱାର ବାଟେ ଯୁଦ୍ଧକୁ ଯାତ୍ରା କରିଥିଲା, ତା' ସହିତ ତା’ର ଫୁଲ ପରାମର୍ଶଦାତା ନରଖାଦକ ଓ ଖରିକଣ୍ଠ ମଧ୍ୟ ରହିଥିଲେ । ସେହି ଯୁଦ୍ଧରେ ବହୁ ରାକ୍ଷସ ବଥା ବାନରଙ୍କର ପ୍ରାଣହାନି ବି ଘଟିଲା, ଅନେକ ଯୋଦ୍ଧା ଆପଣା ବୀରତ୍ଵର ମଧ୍ୟ ପରିଚୟ ଦେଇଲେ ଆପଣାର ରଥଉପରୁ ପ୍ରହସ୍ତ ତୀରମାନ ପେଷି ସହସ୍ର ସଂଖ୍ୟାରେ ବାନରମାନଙ୍କୁ ବଧ କଲା ଏବଂ ଦୁଇ ସେନାର ମଝିରେ ପ୍ରକୃତରେ ଗୋଟିଏ ରକ୍ତନଦୀ ପ୍ରବାହିତ ହେବାକୁ ଆରମ୍ଭ କଲା । ତା’ପରେ ଅଗ୍ନିଦେବତାଙ୍କର ପୁତ୍ର ନୀଳ ଏକ ଉତ୍ପାଟିତ ବୃହତ୍ ବୃକ୍ଷକୁ ଝୁଲାଇ ଝୁଲାଇ ପ୍ରହସ୍ତ ଆଡ଼କୁ ଧାଇଁ ଆସିଥିଲା । ମାତ୍ର ପ୍ରହସ୍ତ ଅଜସ୍ର ବାଣବର୍ଷା କରି ତାକୁ କ୍ଷତବିକ୍ଷତ କରି ପକାଇଲା । ଶେଷରେ ସେହି ଯୁଦ୍ଧରେ ପ୍ରହସ୍ତର ଧନୁ ଭାଙ୍ଗିଯିବାରୁ ଉଭୟେ ହାତାହାତି ହୋଇ ତଥା ନଖ ଓ ଦନ୍ତର ପ୍ରୟୋଗ କରି ଲଢ଼ିବାକୁ ଆରମ୍ଭ କଲେ । ତା’ପରେ ପ୍ରହସ୍ତ ନୀଳ ଉପରେ ଏକ ଦାରୁଣ ଗଦାପ୍ରହାର କରିଥିଲା ଏବଂ ପ୍ରହସ୍ତର ଛାତିକୁ ଲକ୍ଷ୍ୟ କରି ନୀଳ ଗୋଟିଏ ବୃହତ୍ ବୃକ୍ଷକୁ ନିକ୍ଷେପ କରିଥିଲେ । ମାତ୍ର ସେଇଟିକୁ ଏଡ଼ିଦେଇ ପ୍ରହସ୍ତ ନୀଳକୁ ଆଡ଼କୁ ମାଡ଼ି ଆସିଥିଲା । ତା’ପରେ ନୀଳ ଏକ ଶକ୍ତିଶାଳୀ ପ୍ରସ୍ତରଖଣ୍ଡ ଦ୍ଵାରା ରାକ୍ଷସକୁ ଆଘାତ କରିଥିଲେ ଓ ସେଥିରେ ତାକୁ ପ୍ରାଣ ହରାଇବାକୁ ହିଁ ପଡ଼ିଲା । ତହୁଁ ରାକ୍ଷସବାହିନୀ ପଳାୟନ କଲେ ଏବଂ ଏକ ନଦୀବନ୍ଧ ଭାଙ୍ଗି ଜଳରାଶି ବହିଗଲା ପରି ସେମାନେ ଅତ୍ୟନ୍ତ ଭୟଭୀତ ତଥା ନିରାଶ ହୋଇ ଲଙ୍କାନଗରୀ ମଧ୍ୟରେ ଅଦୃଶ୍ୟ ହୋଇ ଯାଇଥିଲେ ।

 

ପ୍ରହସ୍ତର ନିଧନସମ୍ବାଦ ଶୁଣି ରାବଣ କ୍ରୋଧରେ ପ୍ରଜ୍ଜଳିତ ହୋଇ ଉଠିଥିଲା; ହୃଦୟ ଭିତରେ ଛାନିଆ ହୋଇ ପଡ଼ିଲାପରି ଲାଗୁଥିଲେ ମଧ୍ୟ ଏହାପରେ ସକାରଟି ଶର ପେଷି ସେ ରାମ ଓ ଲକ୍ଷ୍ମଣଙ୍କୁ ବିନାଶ କରିଦେବ ବୋଲି ଆସ୍ଫାଳନ କରିବାକୁ ଲାଗିଲା । ନିଜର ରଥରେ ଆରୋହଣ କରି ରାବଣ ଏକ ରାକ୍ଷସବାହିନୀ ସହିତ ବାନରମାନଙ୍କର ସମ୍ମୁଖୀନ ହେବାକୁ ବାହାରି ପଡ଼ିଥିଲା । ସତେଅବା ସାକ୍ଷାତ୍ ଧ୍ଵଂସକାରୀ କାଳ ପରି ଦେଖା ଯାଇଥାଏ,–ତା’ ସହିତ ପ୍ରେତ ଏବଂ ଜ୍ଵଳନ୍ତ ଚକ୍ଷୁବିଶିଷ୍ଟ ମାଂସାଶୀ ରାକ୍ଷସମାନେ ମଧ୍ୟ ଅଗ୍ରସର ହେଉଥାଆନ୍ତି । ତ୍ରିଶିର ଆଦି ଅନ୍ୟ ରାକ୍ଷସଗଣ ହାତରେ ଗଦା ଏବଂ ପ୍ରସ୍ତରଖଣ୍ଡ ଧରି ବାହାରି ଥାଆନ୍ତି । ମାତ୍ର ଅବରୋଧକାରୀ ମାନଙ୍କର ମୁହାଁମୁହିଁ ହୋଇ ରାବଣ କ'ଣ ଭାବି ନିଜର ବାହିନୀଟିକୁ ସେହିଠାରେ ରହିଯିବା ପାଇଁ କହିଲା ଏବଂ ସମ୍ପୂର୍ଣ୍ଣ ଏକାକୀ ଯୁଦ୍ଧ ଲାଗି ଆଗେଇ ଯାଇଥିଲା । ସର୍ବପ୍ରଥମେ ସୁଗ୍ରୀବ ତାକୁ ଲକ୍ଷ୍ୟ କରି ଏକ ପର୍ବତର ଅଗ୍ରଭାଗକୁ ନିକ୍ଷେପ କରିଥିଲେ ମାତ୍ର ତାହାକୁ ସେ ଆପଣାର ବାଣଦ୍ଵାରା କାଟି ପକାଇଲା । ତେଣୁ ସେଇଟି ବ୍ୟର୍ଥ ହୋଇ ଭୂମିଉପରେ ଆସି ପଡ଼ିଗଲା । ତା ପରେ ରାବଣ ସଙ୍ଗେ ସଙ୍ଗେ ଏକ ଚିତ୍କାର କରିବାକୁ ଲାଗିଲା । ତା'ପରେ ଅନ୍ୟ ବାନରପ୍ରମୁଖମାନେ ଏକତ୍ର ରାବଣ ଉଦ୍ଦେଶ୍ୟରେ ଧାଇଁ ଆସିଥିଲେ, ମାତ୍ର ସେମାନଙ୍କୁ ମଧ୍ୟ ସେ ବିନାଶ କରି ଦେଇଥିଲା ଏବଂ ସେମାନେ ରାମଙ୍କର ସାହାଯ୍ୟ ପ୍ରାର୍ଥନା କଲେ । ଏହି ସମରଟିରେ ସ୍ଵୟଂ ଅବତୀର୍ଣ୍ଣ ହେବା ନିମନ୍ତେ ଲକ୍ଷ୍ମଣ ରାମଙ୍କର ଅନୁମତି ପ୍ରାର୍ଥନା କରିଥିଲେ ଏବଂ ଅନୁମତି ଲାଭ କରି ଯୁଦ୍ଧରେ ନେତୃତ୍ଵ ନେଇଥିଲେ । ମାତ୍ର ଇତିମଧ୍ୟରେ ହନୁମାନ ଯାଇ ରାବଣକୁ କଠିନ ପରିସ୍ଥିତିରେ ପକାଇ ଦେଇଥାଏ । ହନୁମାନର ପ୍ରଶଂସା କରି ରାବଣ “ସାବାସ୍ ବାନର, ତୋ’ପରି ଶତ୍ରୁ ସହିତ ସଂଗ୍ରାମ କରି ମୁଁ ପ୍ରକୃତରେ ଅଶେଷ ତୃପ୍ତି ଲାଭ କରୁଛି” ବୋଲି କହୁଥାଏ । ତା'ପରେ ଏକ ଦୃଢ଼ ପ୍ରହାରଦ୍ଵାରା ପବନପୁତ୍ରକୁ ଏପରି ଗୋଟିଏ ଆଘାତ ଦେଇଥିଲା ଯେ ତାହାକୁ କି ନପାରି ହନୁମାନ ତଳେ ପଡ଼ିଗଲେ ଏବଂ ତା'ପରେ ରାବଣ ନୀଳଙ୍କ ସହିତ ଲଢ଼ିବାକୁ ଆସି ପହଞ୍ଚିଗଲେ । ମାତ୍ର ଅଗ୍ନିପୁତ୍ର ନୀଳ କ୍ରୋଧରେ ନିଆଁ ହୋଇଯାଇ ରାବଣର ରଥ ଉପରକୁ ଲମ୍ଫ ଦେଲେ ଏବଂ ସେଥିରେ ବହୁସ୍ଥାନରେ ଅଗ୍ନି ସଂଯୋଗ କରି ଦେଇଥିଲେ । ଏହା ଦେଖି ରାବଣ ପ୍ରମାଦ ଗଣିଲା; ମାତ୍ର ଗୋଟିଏ ଭୟାନକ ଅସ୍ତ୍ର ନେଇ ନୀଳକୁ ଏପରି ବିଦ୍ଧ କରି ଦେଲା ଯେ ନୀଳ ତଳେ ପଡ଼ିଗଲେ ଏବଂ ମରଣାନ୍ତକ ଯନ୍ତ୍ରଣାରେ ଛଟପଟ ହେବାକୁ ଲାଗିଲେ । ମାତ୍ର ତା'ପରେ ଲକ୍ଷ୍ମଣ ଆସି ଅବତୀର୍ଣ୍ଣ ହୋଇଲେ; ଉଭୟ ଯୋଦ୍ଧା ଜଣେ ଅପର ଉପରେ ଏପରି ଅବିରାମ ଭାବରେ ବାଣଗୁଡ଼ିକର ବର୍ଷା କରିବାକୁ ଲାଗିଲେ ଯେ ତଦ୍ଦ୍ୱାରା ଦୁହେଁ ଅତ୍ୟନ୍ତ ଦାରୁଣ ଭାବରେ କ୍ଷତ ଓ ରକ୍ତାକ୍ତ ହୋଇ ପଡ଼ିଥିଲେ । ଏବଂ ଗୋଟିଏ ଜ୍ଵଳନ୍ତ ବାଣ ଆସି ରାମଙ୍କର ଅନୁଜଙ୍କୁ ଏକାବେଳେକେ ତଳେ ପକାଇ ଦେଇଥିଲା । ତା'ପରେ ରାବଣ ଆସି ତାକୁ ଧରି ପକାଇଲା; ମାତ୍ର ସିଏ ଏକଦା ଏତେ ବଡ଼ ପର୍ବତ ହିମାଳୟକୁ ସିନା ଉଠାଇ ଦେଇଥିଲା ,କିନ୍ତୁ ବର୍ତ୍ତମାନ ଆଦୌ ଲକ୍ଷ୍ମଣଙ୍କୁ ଉଠାଇ ପାରିଲାନାହିଁ । କାରଣ ଲକ୍ଷ୍ମଣ ଆପଣାକୁ ବିଷ୍ଣୁଙ୍କର ହିଁ ଗୋଟାଏ ଅଂଶ ବୋଲି ସ୍ମରଣ କରିଥିଲେ ଏବଂ ତେଣୁ ତାଙ୍କର ଶରୀରକୁ ଆଉ ଆଦୌ ଟଳାଇ ହେଲାନାହିଁ । ଇତି ମଧ୍ୟରେ ହନୁମାନ ଲେଉଟି ଆସି ରାବଣକୁ ଏପରି ମୁଥଟାଏ ମାରିଲେ ଯେ ରାବଣ ସେହି ଆଘାତରେ ଗୋଟାସୁଦ୍ଧା ଲେଉଟି ପଡ଼ିଥିଲା : ସଂପୂର୍ଣ୍ଣ ଭାବରେ ଅଚେତା ହେଇଗଲେ । ତା’ର ଶରୀରରୁ ରକ୍ତାଧାରମାନ ବହିବାରେ ଲାଗିଥାଏ ଏବଂ ନିଜ ରଥର ଉପରେ ପଡ଼ି ସେ ଛଟପଟପ୍ରାୟ ହେଉଥାଏ । ଏଣେ ହନୁମାନ ଖୁବ୍ ସହଜରେ ଲକ୍ଷ୍ମଣଙ୍କୁ ଉଠାଇ ନେଇଗଲେ ଓ ରାମଙ୍କ ପାଖରେ ପହଞ୍ଚାଇ ଦେଇଥିଲେ । ଅବଶ୍ୟ ଅଳ୍ପସମୟ ପରେ ରାବଣ ତଥା ଲକ୍ଷ୍ମଣ ଉଭୟଙ୍କର ଚେତା ଫେରି ଆସିଲା ଏବଂ ହନୁମାନଙ୍କର ପିଠିରେ ଆରୂଢ଼ ହୋଇ ରାମ ଲଙ୍କପତି ସହିତ ଏକ ତୁମୁଳ ସମରରେ ଯାଇ ପ୍ରବିଷ୍ଟ ହୋଇ ଯାଇଥିଲେ । ରାମ ରାବଣର ରଥକୁ ଭାଙ୍ଗି ଚୂନା କରିଦେଲେ, ବାଣ ବିନ୍ଧି ତାହାକୁ କ୍ଷତବିକ୍ଷତ କରିଦେଲେ ଏବଂ ଏକ ଜ୍ଜ୍ୱଳନ୍ତ ଚକ୍ର ପେଷିଦେଇ ତା’ର ମୁକୁଟକୁ ଦୁଇଖଣ୍ଡ କରି ଦେଇଥିଲେ । ଏବଂ ତାକୁ ଏଭଳି ଏକ ବାଣ ମାରିଥିଲେ ଯେ ରାବଣ ଅତ୍ୟନ୍ତ ବଳହୀନ ଓ ମୂର୍ଚ୍ଛିତପ୍ରାୟ ହୋଇ ଆସିଥିଲା । ମାତ୍ର, ତାକୁ ଜୀବନରୁ ନମାରି ରାମ ତାଙ୍କୁ ଲଙ୍କାକୁ ପଳାଇ ଯିବାକୁ ଛାଡ଼ିଦେଲେ । ସେତେବେଳେ କହୁଥିଲେ: “ତୁମେ ବହୁ ବୀରତ୍ଵ ପ୍ରଦର୍ଶନ କରିପାରିଛ । ମାତ୍ର ବର୍ତ୍ତମାନ ତୁମେ ମୂର୍ଚ୍ଛା ଯାଉଥିବା ପରି ଦେଖା ଯାଉଥିବାରୁ ମୁଁ ତୁମକୁ ବର୍ତ୍ତମାନ ଲଙ୍କା ଫେରିଯିବାକୁ ଛାଡ଼ିଦେଉଛି; ଏବଂ, ଆଉ ଏକ ସମରରେ ତୁମେ ଅବଶ୍ୟ ମୋ’ ଶକ୍ତିର ପରିଚୟ ପାଇପାରିବ ।” ଏହିପରି ଭାବରେ ଉଦାରହୃଦୟ ରାମ ନିଜ ଶତ୍ରୁକୁ ନମାରି ଛାଡ଼ି ଦେଇଥିଲେ ଏବଂ ରାବଣର ଏହିଭଳି ପରାଭବରେ ଦେବଗଣ, ତିନିପୁର, ସମୁଦ୍ର ତଥା ପୃଥିୀଯାକର ପ୍ରାଣୀମାନେ ହରଷିତ ହୋଇ ଉଠିଥିଲେ ।

 

କୁମ୍ଭକର୍ଣ୍ଣ ନିଦରୁ ଉଠିଲା

 

ଏହାପରେ ରାବଣ ନିଜର ଭାଇ କୁମ୍ଭକର୍ଣ୍ଣ ବିଷୟରେ ଚିନ୍ତା କରିଥିଲା । କୁମ୍ଭକର୍ଣ୍ଣ ତ ସବୁବେଳେ ନିଦରେ ଶୋଇ ରହୁଥିଲା ଏବଂ ସେହିପରି ଭାବରେ ଥରେ ଥରେ ଛଅ, ଆଠ ଓ ଏପରିକି ଦଶ ମାସ ଶୋଇ ଚାଲି ଯାଉଥିଲା । ସିଏ କେବଳ ଆହାର କରିବାଲାଗି ହିଁ ନିଦରୁ ଉଠୁଥିଲା ଓ ଆହାରପରେ ପୁନର୍ବାର ଶୋଇ ପଡ଼ୁଥିଲା । ମାତ୍ର ଜଣେ ଶକ୍ତ ଯୋଦ୍ଧା ବି ଥିଲା ଓ ରାକ୍ଷସମାନଙ୍କ ଭିତରେ ଯୁଦ୍ଧରେ ସର୍ବୋତ୍ତମ ଥିଲା । ବର୍ତ୍ତମାନ ସିଏ ଦୀର୍ଘ ନଅମାସ କାଳ ଶୋଇ ସାରିଥିଲା ଏବଂ ତାକୁ ଉଠାଇବା ପାଇଁ ରାବଣ କେତେକ ବାର୍ତ୍ତାବହଙ୍କୁ ପ୍ରେରଣ କରିଥିଲା । ଏମାନେ କୁମ୍ଭକର୍ଣ୍ଣକୁ ତା’ ଗୁମ୍ଫା ଭିତରେ ଶୋଇଥିବାର ଦେଖିଥିଲେ ଗୋଟିଏ ପର୍ବତ ପରି ପଡ଼ି ରହିଥାଏ, ଘୋର ନିଦ୍ରାସକ୍ତ ହୋଇ ରହିଥାଏ ଏବଂ ତା’ର ଖର ଘୁଙ୍ଗୁଡ଼ିମାଡ଼ରେ ତା’ ଆଗରୁ ପଦାର୍ଥମାନେ ଉଡ଼ି ପଳାଉ ଥାଆନ୍ତି ଓ ସେଥିରୁ ଖାଲି ରକ୍ତ ଓ ଚର୍ବିର ଦୁର୍ଗନ୍ଧ ବାହାରୁଥାଏ । ରାକ୍ଷସମାନେ ତା’ର ଆହାର ନିମନ୍ତେ ମୁଗ ଓ ମହିଷମାନଙ୍କୁ ପ୍ରସ୍ତୁତ କରି ରଖିଲେ, ଶଗଡ଼େ ଭାତ ଓ ଅନେକ ଗରା ରକ୍ତ ମଧ୍ୟ ସଜ ହୋଇଗଲା । ସତେ ଅବା ମେରୁ ପର୍ବତ ପରି ଆହାର ଆଣି ଗଦା କରି ଦିଆଗଲା । ତା’ପରେ ଯାଇ ତାକୁ ନିଦରୁ ଉଠାଇବାର ଉଦ୍ୟମ ହୋଇଥିଲା । ଶଙ୍ଖ ବଜାଗଲା, ଢୋଲ ପିଟାଗଲା,–ସେହି ଶବ୍ଦରେ ପକ୍ଷୀମାନେ ଭୀତ ହୋଇଗଲେ ଓ ପ୍ରାଣ ହରାଇ ଭୂତଳରେ ପତିତ ହେଲେ । କିନ୍ତୁ ବଳୀ କୁମ୍ଭକର୍ଣ୍ଣର ନିଦ ଭାଙ୍ଗିଲାନାହିଁ । ସ୍ଵୟଂ ରାକ୍ଷସମାନେ ମଧ୍ୟ ତା ଖର ନିଃଶ୍ଵାସ ଆଗରେ ଛିଡ଼ାହୋଇ ପାରୁନଥାନ୍ତି । ସେମାନେ ତା’ପରେ ଭଲ କରି ଅଣ୍ଟାରେ ଲୁଗା ଭିଡ଼ି ଦଶହଜାର ଏକତ୍ର ମିଳି ଉଚ୍ଚ ଚିତ୍କାର କରିଥିଲେ, କାଠର ଲମ୍ବା ଖୁଣ୍ଟମାନ ଆଣି ତା’ର ଶରୀର ଉପରେ ଭୂଷା ମାରିଲେ ଏବଂ ଏକାବେଳେକେ ହଜାରଟା ଢୋଲ ଆଣି ପିଟିଲେ । ତଥାପି ସଫଳ ନହେବାରୁ ଏଣିକି ପ୍ରକୃତରେ ଖୁବ କ୍ରୋଧାନ୍ଵିତ ହୋଇ ଯାଇଥିଲେ ଏବଂ ଗମ୍ଭୀର ଭାବରେ ନିଜର ଉଦ୍ୟମରେ ଲାଗି ପଡ଼ିଲେ : କେତେ ଯାଇ ତା’ କାନକୁ କାମୁଡ଼ି ଧରିଲେ, ଆଉକେତେ ତା’ ଉପରେ ହଜାର ହଜାର ଘର ପାଣି ଆଣି ଢାଳିଲେ, କିଏ ତୀରମାରି ତା’ ଶରୀରକୁ ଖଣ୍ଡିଆ କଲେ, ଆଉ କିଏ ଗଦାମାନ ପ୍ରହାର କରିଥିଲେ । ହଜାରଟା ହାତୀ ଆଣି ତା’ ଉପରେ ମଡ଼ାଇ ଦିଆଗଲା-। ଏତେସବୁ କରିବାପରେ ଯାଇ କୁମ୍ଭକର୍ଣ୍ଣର ନିଦ ଭାଙ୍ଗିଲା, ସେ ବାରମ୍ବାର ହାଇ ମାରିବାକୁ ଲାଗିଲା ଏବଂ ତା’ଫଳରେ ସେଠାରେ ସତେଅବା ଏକ ଝଡ଼ ହିଁ ଆରମ୍ଭ ହୋଇଗଲା-। ତେଣେ ପ୍ରବଳ ବେଗରେ ଭୋକ ମାଡ଼ିଆସିଲା ଏବଂ ସେ ଖାଇବ ବୋଲି ହାଇଁପାଇଁ ହୋଇଉଠିଲା-। ଚାରିପାଖରେ ଆହାରମାନ ଗଦା ହୋଇଥିବାର ଦେଖି ଖାଦ୍ୟ ଓ ପାନୀୟଗୁଡ଼ିକୁ ପଣିନେବାରେ ଲାଗି ଯାଇଥିଲା । ଏଥର ତା'ର ପେଟ କ୍ରମେ ପୂରି ଆସିଲାଣି ବିଚାରି ଚତୁର୍ଦ୍ଦିଗରେ ଛିଡ଼ା ହୋଇଥିବା ରାକ୍ଷସମାନେ ତାକୁ ଅଭିବାଦନ କଲେ ଓ ସମସ୍ତ ଘଟଣାର ନିବେଦନ କରିଥିଲେ-। ସେମାନେ ତା’ର ସାହାଯ୍ୟ ପ୍ରାର୍ଥନା କଲେ । କୁମ୍ଭକର୍ଣ୍ଣ ତଥାପି ଅଧା ନିଦ୍ରାମଗ୍ନ ହୋଇ ରହିଥାଏ; ସିଏ ହଠାତ୍ ଉଠି ବସିଲା ଓ ରାକ୍ଷସମାନଙ୍କ ଲାଗି ସେ ଏଥର ବାନରମାଂସ ଓ ବାନରରକ୍ତର ମସ୍ତ ଭୋଜୀଟିଏ ଅବଶ୍ୟ ବ୍ୟବସ୍ଥା କରିଦେବ ବୋଲି ଦମ୍ଭର ସହିତ କହିଥିଲା । “ଏବଂ ମୁଁ ସେହି ରାମ ଓ ଲକ୍ଷ୍ମଣଙ୍କର ରକ୍ତକୁ ନିଜେ ପିଇବି” ବୋଲି ସବାଶେଷରେ କହି ପାଟି କରି ଉଠିଥିଲା-

 

କୁମ୍ଭକର୍ଣ୍ଣ ସ୍ନାନ କରିସାରି ଭାଇ ରାବଣ ପାଖକୁ ଯାଇ ଦମ୍ଭ ଧରି ରହିବାକୁ ଆଶ୍ଵାସନା ଦେଲା । ଦୁଇହଜାର ମାଠିଆ ମଦ ପିଇଲା ଏବଂ ସୁନାରଙ୍ଗର ସାଞ୍ଜୁ ପିନ୍ଧି ବାନରମାନଙ୍କୁ ଆକ୍ରମଣ କରିବ ବୋଲି ଗୋଟାଏ ଚଳନ୍ତି ପର୍ବତ ପରି କ୍ଷେତ୍ରକୁ ବାହାରି ଗଲା । ବାନରମାନେ ଭୀତ ଓ ଆତଙ୍କିତ ହୋଇ ପଳାଇ ଯାଇଥିଲେ, ମାତ୍ର କୁମ୍ଭକର୍ଣ୍ଣ ସେମାନଙ୍କୁ ଧରି ମୁଠା ମୁଠା କରି ପାଟି ଭିତରକୁ ପକାଇ ଦେଉଥିଲା । ତା’ପରେ ବିଶାଳ ବୃକ୍ଷ ଓ ଗିରିଖଣ୍ଡମାନ ଧରି ରାମ, ହନୁମାନ, ଅଙ୍ଗଦ ଓ ଅନ୍ୟ ସାହସୀ କପିମାନେ ତା’ର ସମାନା କରିବାକୁ ଆସି ପହଞ୍ଚିଗଲେ । କୌଣସି ପର୍ବତକୁ ମେଘ ଆସି ଢାଙ୍କିଦେଲା ପରି ସେମାନେ ତା’ ଚାରିପାଖରେ ଆସି ଘେରି ଯାଇଥିଲେ । ସେତେବେଳେ ଯାଏ ପୂରା ନିଦ ଭାଙ୍ଗିନଥିଲେ ମଧ୍ୟ କୁମ୍ଭକର୍ଣ୍ଣ ତା’ପରେ ଜାଗ୍ରତ ହୋଇ ଆସିଲା ଏବଂ ନିଜର ପୂର୍ଣ୍ଣବଳରେ ସଂଗ୍ରାମ କରିଥିଲା । ଆକାଶ ଉପରୁ ଥାଇ ହନୁମାନ ତା’ ଉପରେ ଗିରିଖଣ୍ଡମାନ ନିକ୍ଷେପ କରିବାରେ ଲାଗିଥାନ୍ତି । ମାତ୍ର କୁମ୍ଭକର୍ଣ୍ଣ ଗୋଟିଏ ଗୋଟିଏ ହାଉଁରେ କୋଡ଼ିଏ କି ତିରିଶି ବାନରଙ୍କୁ ଗିଳି ପକେଇବାରେ ଲାଗିଥାଏ ଏବଂ ଗୋଟାଏ ପ୍ରହାରରେ ଶହ ଶହ ସଂଖ୍ୟାରେ ସେମାନଙ୍କୁ ମାରି ଦେଉଥାଏ । ସିଏ ହନୁମାନଙ୍କୁ ମଧ୍ୟ ଆହତ କରି ପକାଇଲା । ସିଏ ଖାଲି ଏପାଖ ସେପାଖ ପ୍ରବଳ ଦର୍ପରେ ଧାଇଁବାରେ ଲାଗିଥାଏ ।

 

କୁମ୍ଭକର୍ଣ୍ଣ ବି ମଲା

 

କୁମ୍ଭକର୍ଣ୍ଣ ହନୁମାନଙ୍କୁ ଲକ୍ଷ କରି ପୁଣି ଗୋଟିଏ ମରଣାନ୍ତକ ଶର ପ୍ରେରଣ କଲା । ମାତ୍ର ହନୁମାନ ତୀରଟିକୁ ଧରି ପକାଇ ହାତରେ ଦୁଇଖଣ୍ଡ କରି ଭାଙ୍ଗି ପକାଇଥିଲେ । ବାନରଯୂଥ ସମସ୍ତେ ଏକାବେଳେ ହର୍ଷଚିତ୍କାର କରି ଉଠିଲେ ଏବଂ ସେଥିରେ ରାକ୍ଷସ ପୂରା ଦର୍ପ ହରାଇଲା ଏବଂ ଛତ୍ରଭଙ୍ଗ ଦେଲା । ତଥାପି ଗୋଟିଏ ଗିରିଖଣ୍ଡକୁ ସୁଗ୍ରୀବଙ୍କ ଆଡ଼କୁ ପେଷି ତାଙ୍କୁ ଭୂଇଁରେ ପକାଇ ଦେଇଥିଲା ଏବଂ ତାଙ୍କୁ ଟେକି ନେଇ ପଳାଇବାକୁ ଯାଉଥିଲା । ନିଜର ରାଜା ବନ୍ଦୀ ହୋଇ ଚାଲି ଯାଉଥିବାର ଦେଖି କପିମାନେ ଇତସ୍ତତଃ ହୋଇ ପଡ଼ିଥିଲେ; ମାତ୍ର ସେତିକିବେଳେ ସୁଗ୍ରୀବ ପୁନର୍ବାର ଭୁଇଁରୁ ଉଠିଯାଇ କୁମ୍ଭକର୍ଣ୍ଣକୁ କଠିନ ଭାବରେ ଆଘାତ କଲେ ଏବଂ ପଳାଇଗଲେ । ତା’ପରେ ଘମାଘୋଟ ଆଉ ଏକ ସମର ଆରମ୍ଭ ହୋଇଗଲା ଏବଂ ଲକ୍ଷ୍ମଣ ଯୁଝିବାକୁ ଆସି ପହଞ୍ଚିଗଲେ । ତା’ପରେ ରାମ ମୁଖ୍ୟ ଭୂମିକା ଗ୍ରହଣ କଲେ । ଅନେକ ତୀର ପେଷି ରାକ୍ଷସକୁ ଅସ୍ତବ୍ୟସ୍ତ କରିଦେଲେ । ସେ ତା’ର ଗୋଟିଏ ବାହୁକୁ କାଟି ତଳେ ପକାଇ ଦେଇଥିଲେ; ବିଶାଳ ବାହୁଟି ଭୂମିରେ ଆସି ପଡ଼ିବା ସମୟରେ ଶହେଟି ବନରଙ୍କୁ ପଡ଼ିବାକୁ ହେଲା । ତା’ପରେ, ଏକ ଦ୍ଵିତୀୟ ବାଣ ମାରି ରାମ ତା’ର ଅନ୍ୟ ବାହୁଟିକୁ କାଟିଦେଲେ ଏବଂ ଦୁଇଗୋଟି ତୀକ୍ଷ୍ଣ ଚନ୍ଦ୍ର ପ୍ରେରଣ କରି ତା’ର ଗୋଡ଼ମାନଙ୍କୁ ମଧ୍ୟ ଛିନ୍ନ କରିଦେଲେ । ପରିଶେଷରେ ଇନ୍ଦ୍ରଙ୍କର ଧନୁରୁ ତୀର ପେଷି ସେ କୁମ୍ଭକର୍ଣ୍ଣର ମସ୍ତକକୁ ମଧ୍ୟ ତା’ ଦେହରୁ ଅଲଗା କରିଦେଲେ । ବିଶାଳ ରାକ୍ଷସ ଏକ ବୃହତ୍ ପର୍ବତ ସଦୃଶ ଭୂମିଉପରେ ପଡ଼ିଗଲା ଏବଂ ଏକାବେଳେକେ ସମୁଦ୍ରଜଳକୁ ମଧ୍ୟ ତାହା ଫଳରେ ଉଛୁଳାଇ ଦେଇଥିଲା । ଦେବତା ତଥା ବୀରଗଣ ଉତ୍‌ଫୁଲ୍ଲ ହୋଇ ଉଠିଥିଲେ ।

 

ରାକ୍ଷସପଟର ସଫଳତା

 

କୁମ୍ଭକର୍ଣ୍ଣର ନିଧନବାର୍ତ୍ତା ଶୁଣି ରାବଣ ଆହୁରି ଦୁଃଖମଗ୍ନ ହୋଇ ଯାଇଥିଲା; କିନ୍ତୁ ଯୁବରାଜ ଇନ୍ଦ୍ରଜିତ୍ ସ୍ଵୟଂ ଯୁଦ୍ଧକ୍ଷେତ୍ରକୁ ଯାଇ ସେହିଦିନ ହିଁ ରାମ ଓ ଲକ୍ଷ୍ମଣଙ୍କୁ ବଧ କରିବ ବୋଲି ପ୍ରତିଜ୍ଞା କଲାରୁ ତା’ ଚିତ୍ତରେ କିଞ୍ଚିତ୍ ଥୟ ଆସି ପଶି ପାରିଥିଲା । ମାତ୍ର ସର୍ବପ୍ରଥମେ ଅଗ୍ନିକୁ ନୈବେଦ୍ୟ ଅର୍ପଣ କଲା ଓ ଛାଗଳଟିଏ ବଳି ଦେଇଥିଲା । ଉଜ୍ଜ୍ଵଳ ଅଗ୍ନିଦେବତା ଲେଲିହାନ୍ ଜିହ୍ଵା ବିସ୍ତାର କରି ନୈବେଦ୍ୟ ଗ୍ରହଣ କରି ଅଧିକ ଉଜ୍ଜ୍ଵଳ ହୋଇ ଜଳି ଉଠିଥିଲେ ଏବଂ ଇନ୍ଦ୍ରଜିତ୍ ହାତରେ ଏକ ବ୍ରହ୍ମାସ୍ତ୍ର ଆଣି ଦେଲେ । ଇନ୍ଦ୍ରଜିତ୍‌ର ରଥ ତଥା ଧନୁକୁ ମଧ୍ୟ ସିଏ ଅଲୌକିକ କ୍ଷମତା ପ୍ରଦାନ କଲେ । ସେହି ଅସ୍ତ୍ରବଳରେ ଇନ୍ଦ୍ରଜିତ୍ ଅଗଣିତ ସଂଖ୍ୟାରେ ପ୍ରାଣନାଶ କଲା; ସୁଗ୍ରୀବ, ଅଙ୍ଗଦ, ଜାମ୍ବବାନ୍ ଏବଂ ଅନ୍ୟାନ ମୁଖ୍ୟଙ୍କର ପରାଭବ ଘଟାଇଲା ମାତ୍ର ନିଜେ ସର୍ବଦା ଅଦୃଶ୍ୟ ହୋଇ ରହି ଯାଇଥିଲା । ଇନ୍ଦ୍ରଜିତ୍‌କୁ ଏହିପରି ଭାବରେ ଅସ୍ତ୍ରସଜ୍ଜିତ ଏବଂ ଅପ୍ରତିରୋଧ୍ୟ ହୋଇ ଆସିଥିବାର ଦେଖିପାରି ରାମ ଏକ ଆପାତ ପରାଜୟ ନିମନ୍ତେ ପରମର୍ଶ ଦେଇଥିଲେ । ଏବଂ ଇନ୍ଦ୍ରଜିତ୍ ବିଜୟୀ ହୋଇ ଲଙ୍କାକୁ ପ୍ରତ୍ୟାବର୍ତ୍ତନ କଲା ।

 

ହନୁମାନ ସଂଜୀବନୀ ଆଣିଲା

 

ତା’ପରେ ବିଭୀଷଣ ଏବଂ ହନୁମାନ କ୍ଷେତ୍ରକୁ ଆସିଥିଲେ । ହଜାର ହଜାର ବାନର ଆହତ ହେଉଥିବାର ଓ ମୃତ୍ୟୁମୁଖରେ ପଡ଼ୁଥିବାର ଭୟଙ୍କର ଦୃଶ୍ୟଟିକୁ ଅବଲୋକନ କରି ସେମାନେ ଅତିଶୟ ଦୁଃଖିତ ହୋଇ ପଡ଼ିଥିଲେ । ସେମାନେ ଉଲ୍ଲୁକରାଜ ଜାମ୍ବବାନ୍‌ଙ୍କ ପାଖକୁ ଆସି ସିଏ ଜୀବିତ ଅଛନ୍ତି କି ନାହିଁ ତାଙ୍କୁ ପଚାରୁଥିଲେ । ଜାମ୍ବବାନ ବିଭୀଷଣଙ୍କର ତୁଣ୍ଡଶବ୍ଦରୁ ତାଙ୍କୁ ଚିହ୍ନିଲେ ଏବଂ ଅତ୍ୟନ୍ତ କ୍ଷୀଣ ସ୍ଵରରେ ଜବାବ ଦେଇଥିଲେ । ହନୁମାନ ଜୀବିତ ଅଛନ୍ତି କି ନାହିଁ ବୋଲି ସିଏ ପ୍ରଶ୍ନ କରନ୍ତେ ହନୁମାନ ଜାମ୍ବବାନ୍‌ଙ୍କୁ ପ୍ରଣାମ କରି ତାଙ୍କର ପାଦ ସ୍ପର୍ଶ କଲେ । ଜାମ୍ବବାନ୍ ଏଥିରେ ଅତ୍ୟନ୍ତ ପ୍ରସନ୍ନ ହେଲେ ଏବଂ ନିଜର କ୍ଷତଗୁଡ଼ିକ ସତ୍ତ୍ୱେ ପବନପୁତ୍ରଙ୍କୁ କହିଥିଲେ :

 

"ଏହି ଏତେସଂଖ୍ୟକ ଭଲ୍ଲୁକ ଓ ବାନରମାନଙ୍କ ନିମନ୍ତେ ତୁମକୁ କିଛି ଶ୍ରମ କରିବାକୁ ପଡ଼ିବ, କାରଣ କେବଳ ତାହାରି ଦ୍ଵାରା ହିଁ ସେମାନଙ୍କର ଜୀବନରକ୍ଷା ହେବ । ତୁମେ ସମୁଦ୍ର ଅତିକ୍ରମ କରି ପର୍ବତରାଜ ହିମାଳୟକୁ ଯିବ, ଏବଂ ସେଠାରେ ଉପଲବ୍ଧ ହେଉଥିବା ଚାରିଗୋଟି ସଞ୍ଜୀବନୀ ଉଦ୍ଭିଦ ବହନ କରି ଆଣିବ; ତେବେଯାଇ ବାନରମାନେ ଆରୋଗ୍ୟଲାଭ କରିବେ ।”

 

ଏକଥା ଶୁଣି ହନୁମାନ ଗର୍ଜନ କରି ଆକାଶ ମଧ୍ୟକୁ ଲମ୍ଫ ଦେଲେ ଏବଂ ସାଗର ଅତିକ୍ରମ କରିବା ପରେ କେତେ ଅରଣ୍ୟ ତଥା ଗିରିରାଜି ପାର ହୋଇ, ନଦନଦୀ ଓ ନଗର ଡେଇଁ ହିମାଳୟରେ ଯାଇ ପହଞ୍ଚିଥିଲେ । ସେ ସେଠାରେ ଥିବା ଆଶ୍ରମ ମାନଙ୍କୁ ଦର୍ଶନ କଲେ । ପର୍ବତାଞ୍ଚଳରେ କେତେ ବୁଲିଲେ, ମାତ୍ର ଆବଶ୍ୟକ ଉଦ୍ଭିଦଗୁଡ଼ିକୁ ଆଦୌ ଦେଖି ପାରିନଥିଲେ । କୋପାନ୍ଵିତ ଏବଂ ଅଧୀର ହୋଇପଡ଼ି ହନୁମାନ ତେଣୁ ସମଗ୍ର ପର୍ବତଟିକୁ ଉତ୍ପାଟିତ କରି ଆଣିଥିଲେ ଏବେ ସେଇଟିକୁ ଧରି ଆକାଶ ପଥରେ ପୁନର୍ବାର ଲଙ୍କା ଫେରି ଆସିଥିଲେ । ପହଞ୍ଚିବା ମାତ୍ରକେ ସମସ୍ତ ଯୂଥ ତାଙ୍କର ସ୍ଵାଗତ କରିଥିଲା ଏବଂ ଔଷଧ ମାନଙ୍କୁ କେବଳ ଘ୍ରାଣ କରି ସୁସ୍ଥ ହୋଇ ପାରିଥିଲେ । ମାତ୍ର, ମୃତ ରାକ୍ଷସମାନଙ୍କୁ ସମୁଦ୍ରଭିତରକୁ ଫିଙ୍ଗି ଦିଆ ଯାଉଥିଲା । ତା’ପରେ ହନୁମାନ ପୁନର୍ବାର ଗିରିଶୃଙ୍ଗଟିକୁ ନେଇ ହିମାଳୟରେ ଥାପି ଲଙ୍କାକୁ ବାହୁଡ଼ି ଆସିଥିଲେ ।

 

ଲଙ୍କାନଗରୀକୁ ପହରା ଦେବାପାଇଁ ବର୍ତ୍ତମାନ ମାତ୍ର ଅଳ୍ପସଂଖ୍ୟକ ରାକ୍ଷସ ଜୀବିତ ରହିଛନ୍ତି ବୋଲି ଜାଣି ସୁଗ୍ରୀବ ତୋରଣ ଗୁଡ଼ିକୁ ଯାଇ ଭାଙ୍ଗି ପକାଇଲେ ଏବଂ ବାନରମାନେ ନିଆଁ ହୁଳା ଧରି ଚାରିଆଡ଼େ ନିଆଁ ଲଗାଇ ଦେଲେ । ନଗରୀଟି ସମ୍ପୂର୍ଣ୍ଣ ଭାବରେ ଛାରଖାର ହୋଇ ଯାଇଥିଲା । ସଂପ୍ରତି ଦ୍ଵିତୀୟ ରାତ୍ରିଟା ଆସି ପହଞ୍ଚିଥିଲା ଓ ସେହି ଅନ୍ଧକାର ମଧ୍ୟରେ ଜଳିବାରେ ଲାଗିଥିବା ଲଙ୍କାପୁର ଦାବାଗ୍ନି ଦ୍ଵାରା ଜଳୁଥିବା ଗୋଟିଏ ପର୍ବତ ସଦୃଶ ଦେଖା ଯାଉଥିଲା । କିନ୍ତୁ ରାବଣ ବାନରମାନଙ୍କ ସହିତ ଯୁଝିବା ସକାଶେ ତଥାପି ଦଳେ ଦଳେ ସେନା ପଠାଇବାରେ ଲାଗିଥାଏ । ଆଗ କୁମ୍ଭ ନିକୁମ୍ଭ ସେନାପତି ହୋଇ ଆସିଲେ ଏବଂ ଯୁଦ୍ଧରେ ନିହତ ହେଲେ । ତା’ପରେ ଖରର ପୁତ୍ର ମହାରାକ୍ଷସ ଆସି ନିହତ ହେଲା । ଶେଷକୁ ପୁନର୍ବାର ଇନ୍ଦ୍ରଜିତ୍ ଆସି ପହଞ୍ଚିଥିଲା । ସିଏ ପୂର୍ବପରି ଅଦୃଶ୍ୟ ହୋଇ ରହି ଯୁଦ୍ଧ କରୁଥିଲା ଏବଂ ରାମ ଓ ଲକ୍ଷ୍ମଣଙ୍କୁ ଭୟଙ୍କର ଭାବରେ ଆହତ କଲା । ତା’ପରେ ସିଏ ଯୁଦ୍ଧ କ୍ଷେତ୍ରରୁ ଚାଲିଗଲା ଓ ପୁଣି ଆସିଲା; ଏଥର ରଥରେ ବସି ଆସିଥିଲା ଏବଂ ସୀତାଙ୍କର ଏକ ମାୟାମୂର୍ତ୍ତିକୁ ପାର୍ଶ୍ଵରେ ବସାଇଥିଲା । ସିଏ ଯୁଦ୍ଧ କ୍ଷେତ୍ରରେ ଏପାଖ ସେପାଖ ହୋଇ ବୁଲିବାରେ ଲାଗିଥାଏ, ସୀତାଙ୍କର ବାଳ ଟାଣୁଥାଏ ଓ ତାଙ୍କ ଦେହରେ ମାଡ଼ ବି ବସାଇ ଦେଉଥାଏ । ଶେଷରେ ସମଗ୍ର ବାନରବାହିନୀର ଆଖି ଆଗରେ ତାଙ୍କୁ ଦୁଇଗଡ଼ କରି କାଟି ପକାଇ ଥିଲା । ସେହି ମିଛପ୍ରଦର୍ଶନକୁ ସତ୍ୟ ବୋଲି ମଣି ହନୁମାନ ସେହି ସମ୍ବାଦଟିକୁ ରାମଙ୍କୁ ଆଣି ଦେଇଥିଲେ । ମୂଳରୁ ଜଟା ହେଉଥିବା ବୃକ୍ଷଟିର ପରି ରାମ ମର୍ମାହତ ହୋଇ ତଳେ ପଡ଼ିଗଲେ । ଏବଂ ସେମାନେ ଏହି ପରି ଶୋକାତୁର ହେଉଥିବା ସମୟରେ ତେଣେ ଇନ୍ଦ୍ରଜିତ୍ ଅଗ୍ନି ଦେବତାଙ୍କୁ ବଳି ଦେବା ନିମନ୍ତେ ତାଙ୍କ ମନ୍ଦିରକୁ ଚାଲି ଯାଇଥିଲା-

 

ରାବଣପୁତ୍ରର ନିଧନ

 

ଇତ୍ୟବସରେ ବିଭୀଷଣ ରାମଙ୍କ ପାଖକୁ ଆସି ତାଙ୍କୁ ସେହି ଦୁଃଖାଭିଭୂତ ଅବସ୍ଥାରେ ଦେଖିବାକୁ ପାଇଥିଲେ । ଇନ୍ଦ୍ରଜିତ୍ ସୀତାଙ୍କୁ ହତ୍ୟା କରିଛି ବୋଲି ଲକ୍ଷ୍ମଣ ତାଙ୍କୁ ସମାଚାର ପ୍ରଦାନ କଲେ । ମାତ୍ର ତାହା ଯେ ଏକ ମିଛ ପ୍ରଦର୍ଶନ ଥିଲା, ବିଭୀଷଣ ତାହା ସହଜରେ ଅନୁମାନ କରିନେଲେ । ଭାବିଲେ, ସମୁଦ୍ର ପଛେ ଶୁଷ୍କ ହୋଇଯିବ, ମାତ୍ର ଏପରି ଘଟଣା କଦାପି ଘଟିବନାହିଁ-। ସେ କହିଲେ, “ଅଗ୍ନିଦେବତାଙ୍କ ପାଖରେ ଇନ୍ଦ୍ରଜିତ୍‌ର ବଳିପୂଜା ସମାପ୍ତ ହେବା ପର୍ଯ୍ୟନ୍ତ ବାନର ବାହିନୀ ଯେପରି ଯୁଦ୍ଧରୁ ବିରତ ହୋଇ ରହିବେ, ସେହି ଅଭିପ୍ରାୟରେ ହିଁ ଏହି କୌଶଳଟିକୁ କରାଯାଇଛି । ଏହି ପୂଜାଟିକୁ ସମ୍ପନ୍ନ କରିପାରିଲେ ଇନ୍ଦ୍ରଜିତ୍‌କୁ ଯୁଦ୍ଧରେ ସର୍ବଦା ଅଜେୟ ହୋଇ ରହିବାର ବର ମିଳିଯିବ । ତେଣୁ ହେ ରାମ, ଆପଣ ଶୋଚନା କରନ୍ତୁ ନାହିଁ; ଇନ୍ଦ୍ରଜିତ୍‌ର ପୂଜାକୁ ଭଙ୍ଗ କରିବା ପାଇଁ ବରଂ ଅବିଳମ୍ବେ କିଛି କରନ୍ତୁ । କାରଣ ସେହି ପୂଜାଗୁଡ଼ିକ ସମ୍ପନ୍ନ ହୋଇଗଲେ ଦେବତାମାନେ ମଧ୍ୟ ଅତ୍ୟନ୍ତ ବିପନ୍ନ ହୋଇପଡ଼ିବେ’’ । ଏକଥା ଶୁଣି ରାମ ଉଠି ଠିଆ ହେଲେ ଏବଂ ଲକ୍ଷ୍ମଣ ଓ ବିଭୀଷଣଙ୍କ ସହିତ ରାବଣ ପୁତ୍ରର ଅନୁଧାବନ କରିଥିଲେ । ଅଗ୍ନିଙ୍କର ମନ୍ଦିରରେ ସେ ପହଞ୍ଚିବା ପୂର୍ବରୁ ତାକୁ ଯାଇ ଧରି ପାରିଲେ ଏବଂ ତା’ପରେ ଏକ ଅତ୍ୟନ୍ତ ଭୟାନକ ସମର ଆରମ୍ଭ ହୋଇଯାଇଥିଲା । ଲକ୍ଷ୍ମଣ ହିଁ ସେହି ସମରର ମୁଖ୍ୟ ଦାୟିତ୍ଵ ବହନ କଲେ ଏବଂ କଥିତ ଅଛି ଯେ, ପୂର୍ବ ପୁରୁଷ ଏବଂ ଦେବତମାନେ, ପକ୍ଷୀ ଓ ସର୍ପମାନେ ଇନ୍ଦ୍ରଜିତ୍‌ର ମରଣାନ୍ତକ ବାଣଗୁଡ଼ିକରୁ ଲକ୍ଷ୍ମଣଙ୍କୁ ସୁରକ୍ଷା ପ୍ରଦାନ କରିଥିଲେ । ଏବଂ ପରିଶେଷରେ ଏହିପରି ଭାବରେ ହିଁ ଇନ୍ଦ୍ରଜିତ୍‌ର ମୃତ୍ୟୁ ହେଲା : ଲକ୍ଷ୍ମଣ ଏକ ଇନ୍ଦ୍ରାସ୍ତ୍ର ବାହାର କଲେ; ସିଏ ଏକ ସତ୍ୟ କରି ତୀରଟି ମଧ୍ୟରେ ଅଧିଷ୍ଠିତ ଦେବତାଙ୍କୁ ପ୍ରାର୍ଥନା କରି କହିଥିଲେ, “ଯଦି ରାମ ପ୍ରକୃତରେ ଧର୍ମ ପରାୟଣ ହୋଇଥିବେ, ତେବେ ତୁମେ ରାବଣ ପୁତ୍ରକୁ ଆଜି ନିଶ୍ଚୟ ହତ୍ୟା କରିବ ।” ଏବଂ ବାଣଟିକୁ ନିଜର କର୍ଣ୍ଣ ପର୍ଯ୍ୟନ୍ତ ଆକର୍ଷଣ କରିଆଣି ଲକ୍ଷ୍ମଣ ସେଇଟିକୁ ପ୍ରେରଣ କରିଥିଲେ । ସେହି ବାନ ରାକ୍ଷସର ମସ୍ତକକୁ ତା’ ଶରୀରରୁ ଅଲଗା କରି ନେଇଥିଲା । ଏବଂ ସେହି ଦେହଟା ଭୂମି ଉପରକୁ ଟଳି ପଡ଼ିବାରୁ ରାକ୍ଷସ କୂଳ ନିଜ ନେତାର ନିଧନକୁ ପ୍ରତ୍ୟକ୍ଷ କରି ଅସ୍ତ୍ର ଶସ୍ତ୍ର ଫିଙ୍ଗି ଦେଇ ତତ୍‌କ୍ଷଣାତ୍‌ ପଳାୟନ କରିଥିଲେ । ବାନର କୂଳ ଉତ୍‌ଫୁଲ ହୋଇ ଉଠିଲେ, କାରଣ ଖାଲି ସେହି ରାବଣ ବ୍ୟତୀତ ବର୍ତ୍ତମାନ ଆଉ ଗୋଟିଏ ହେଲେ ରାକ୍ଷସ ବୀର ବାକି ରହିଲେ ନାହିଁ । ତା’ପରେ ରାମ ଆହତ ଶରୀର ଲକ୍ଷ୍ମଣକୁ ଯାଇ ଅତୀବ ସ୍ନେହରେ ଆଲିଙ୍ଗନ କଲେ ଏବଂ ତାକୁ ଆଉ ଆହତ ଅନ୍ୟ କପି ମାନଙ୍କୁ ବିହୀତ ଔଷଧୀ ମାନ ଦେଇ ଆରୋଗ୍ୟ କରି ଆଣିବା ଲାଗି ସୁଶେଣକୁ ଆଦେଶ ଦେଲେ । ସୁଶେଣ ଲକ୍ଷ୍ମଣଙ୍କ ନାସିକାରେ ଏକ ଶକ୍ତିଶାଳୀ ଔଷଧ ଆଣି ଲଗାଇ ଦେଲେ ଏବଂ ତାହାକୁ ଆଘ୍ରାଣ କରିବା ମାତ୍ରକେ ଲକ୍ଷ୍ମଣଙ୍କର ଗତପ୍ରାୟ ଜୀବନ ପୁନର୍ବାର ପ୍ରାଣ ପାଇଲା ଓ ସେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଥିଲେ ।

 

ନିଜ ପୁତ୍ରର ନିଧନରେ ରାବଣ ଆକୁଳ ହୋଇ ବିଳାପ କରିବାକୁ ଲାଗିଲା : “ବର୍ତ୍ତମାନ ମୋତେ ତ୍ରିଭୁବନ ତଥା ଅରଣ୍ୟଗୁଡ଼ିକ ସମେତ ଏହି ପୃଥିବୀର ଦଶଦିଶ ଶୂନ୍ୟ ଦେଖା ଯାଉଛି, କାରଣ ମୋ’ର ଏଡେ ବଡ଼ ବୀରପୁତ୍ର ଆଜି ଯମପୁରକୁ ଚାଲି ଯାଇଛି । ବାବୁ, ତୁ ସିନା ମୋ’ର ଅନ୍ତ୍ୟେଷ୍ଟିକ୍ରିୟା କରିଥାନ୍ତୁ, ମୁଁ ତୋ’ର ସେହି କ୍ରିୟାଟିକୁ କଦାପି କରିନଥାନ୍ତି ।” ରାବଣ କୋପ ଏବଂ ଦୁଃଖରେ ଜଳି ଯାଉଥାଏ । ପ୍ରତିଶୋଧ ସ୍ୱରୂପ ରାବଣ ସୀତାଙ୍କୁ ବଧ କରିବ ବୋଲି ମନସ୍ଥ କରିଥିଲା, ମାତ୍ର ତା’ର ସୁପରାମର୍ଶ ଦାତା ସୁପାର୍ଶ୍ଵ ଆପତ୍ତି କରି କହିଥିଲେ: “ଆପଣ ଜଣେ ନାରୀକୁ ଆଦୌ ହତ୍ୟା କରି ପାରିବେ ନାହିଁ; ମାତ୍ର ରାମ ନିହତ ହୋଇଯିବା ପରେ ଆପଣ ସୀତାଙ୍କୁ ଭୋଗ କରି ପାରିବେ ।” ରାକ୍ଷସଗଣ ଯୁଦ୍ଧରେ ଏତେ ସଂଖ୍ୟାରେ ନିହତ ହେବାପରେ ରାକ୍ଷସୀ ମାନଙ୍କର ଆର୍ତ୍ତ ବିଳାପଧ୍ୱନିରେ ଲଙ୍କାପୁର ପ୍ରତିଧ୍ଵନିତ ହୋଇ ଉଠୁଥାଏ । ରାବଣ କୋପଭର ହୋଇ ରାମଙ୍କୁ ଜୟ କରିବାର ଉପାୟ ଚିନ୍ତା କରିବାକୁ ଲାଗିଲା । ଦାନ୍ତମାନଙ୍କୁ ରଗଡ଼ି ଓ ଓଷ୍ଠକୁ କାମୁଡ଼ି ଏକ ଅଟ୍ଟହାସ୍ୟ ହସି ତିନିଜଣ ଅସୁର ଯୋଦ୍ଧାଙ୍କ ସହିତ ସେ ଯୁଦ୍ଧ କ୍ଷେତ୍ରକୁ ଗମନ କଲା । ଅସୁରସେନାର ଅବଶିଷ୍ଟ ସୈନ୍ୟମାନେ ତା’ର ଅନୁଗମନ କଲେ । “ମୁଁ ଆଜି ହିଁ ରାମ ଏବଂ ଲକ୍ଷ୍ମଣଙ୍କୁ ନିପାତ ଅବଶ୍ୟ କରିବି,”–ରାବଣ ବହୁତ ଦମ୍ଭରେ ମନେ ମନେ କହିଥିଲା ।

 

ରାବଣର କ୍ରୋଧାଗ୍ନି

 

ବାନରମାନେ ଆଉ ଆଦୌ ରାବଣ ସମ୍ମୁଖରେ ତିଷ୍ଠି ପାରିଲେନାହିଁ, ମାଛିମାନେ ଆସି ନିଆଁରେ ପଡ଼ି ମଲା ପରି ମରିବାକୁ ଲାଗିଲେ । ମାତ୍ର ସୁଗ୍ରୀବ ଏକାକୀ ଜଣେ ଅସୁର ସେନାପତି ସହିତ ଯୁଦ୍ଧ କରି ତାଙ୍କୁ ମାରି ଦେଇଥିଲେ । ଏବଂ ତା’ପରେ ଦୁଇ ଫଉଜ ପୁନର୍ବାର ମୁହାଁ ମୁହିଁ ହୋଇଗଲେ ଏବଂ ଉଭୟେ ବହୁତ ମାରିଲେ, ଉଭୟ ପକ୍ଷରୁ ବହୁତ ପ୍ରାଣ ମଧ୍ୟ ହରାଇଲେ । ଗ୍ରୀଷ୍ମ ଋତୁର ଏକ ପୁଷ୍କରିଣୀ ପରି ଉଭୟ ପଟ କ୍ଷୀଣ ହୋଇ ଆସିଥିଲେ । ସୁଗ୍ରୀବ ମହୋଦର ଅସୁରକୁ ବଦ୍ଧ କଲେ, ଅଙ୍ଗଦ ବୃହଦ୍ ପଟକୁ ମାରିଦେଲେ ଏବଂ ତାହା ଫଳରେ ବାନରମାନେ ହର୍ଷଧ୍ୱନି କରିବାକୁ ଆରମ୍ଭ କଲେ । କିନ୍ତୁ ସେତିକି ବେଳେ ରାବଣ ଗୋଟିଏ ବ୍ରହ୍ମାସ୍ତ୍ର ସହିତ ଆସି ସମର କ୍ଷେତ୍ରରେ ପ୍ରବେଶ କରିଥିଲା ଏବଂ ସେ କପିମାନଙ୍କୁ ସଂପୂର୍ଣ୍ଣ ଭାବରେ ଅସ୍ତ ବ୍ୟସ୍ତ କରିଦେଲା ।

Unknown

 

କୌଣସି କାଳବିଳମ୍ବ ନକରି ସିଏ ଦଶରଥଙ୍କର ପୁତ୍ରଦ୍ଵୟଙ୍କ ପାଖରେ ଆସି ପହଞ୍ଚି ଯାଇଥିଲା : ରାମ ସେତେବେଳେ ଯୁଦ୍ଧପ୍ରାଙ୍ଗଣର ଗୋଟିଏ ପାର୍ଶ୍ଵରେ ଛିଡ଼ା ହୋଇଥିଲେ, ତାଙ୍କର ଆଖିଦୁଇଟି କମଳ ପୁଷ୍ପର ପାଖୁଡ଼ା ପରି ଝଟକି ଉଠୁଥିଲା, ଆପଣାର ଦୀର୍ଘ ବାହୁଦ୍ୱୟକୁ ତଳକୁ ପ୍ରସାରି ଦେଇ ସେ ଅଜେୟ ହୋଇ ଛିଡ଼ା ହୋଇଥିଲେ, ତାଙ୍କର ବୃହତ୍ ଧନୁଟି ସତେଅବା ଆକାଶଟା ଯାକ ମାଡ଼ି ବସିଥିବା ପରି ମନେ ହେଉଥିଲା । ରାମ ନିଜର ଧନୁରେ ତୀର ବସାଇଲେ ଏବଂ ଗୁଣକୁ ଟାଣିବାକୁ ଆରମ୍ଭ କଲେ; ତାହାରି ଶବ୍ଦରେ ଭୟଭୀତ ହୋଇ ହଜାର ହଜାର ରାକ୍ଷସ ପ୍ରାଣ ହରାଇଲେ । ତା’ପରେ ଯୋଦ୍ଧାମାନଙ୍କ ଭିତରେ ତୁମୁଳ ଯୁଦ୍ଧ ଲାଗିଯାଇଥିଲା । ରାମଙ୍କର ଶରଗୁଡ଼ିକ ପଞ୍ଚ ଫଣା ସର୍ପମାନଙ୍କ ପରି ଲଙ୍କାଧିପତି ରାବଣକୁ ବିଦ୍ଧ କରିଦେଲେ ଓ ତା’ପରେ ସେହି ସର୍ପ ଭଳି ସୁ’ ସୁ’ ଶବ୍ଦ କରି ତଳେ ଯାଇ ପଡ଼ିଲେ । ମାତ୍ର ରାବଣ ଏକ ମହା ଭୟଙ୍କର ଅସୁରାସ୍ତ୍ର ବାହାର କଲା ଓ ତାହାକୁ ଏପରି ଭାବରେ ରାମଙ୍କୁ ଲକ୍ଷ୍ୟ କରି ପେଷି ଦେଇଥିଲା ଯେ ତାହା ସିଂହ, ବ୍ୟଘ୍ର ଏବଂ ଆହୁରି କେତେ ଶ୍ଵାପଦଙ୍କର ମୁଖ ବିସ୍ତାର କରି ରାମଙ୍କ ଉପରେ ଯାଇ ବର୍ଷି ହୋଇଗଲା । ରାମ ତାହାର ଜବାବରେ ସୂର୍ଯ୍ୟ ଓ ନକ୍ଷତ୍ରମୁଖ ଶରମାନ ପ୍ରେରଣ କଲେ । ସତେ ଯେପରି ଜ୍ଵଳନ୍ତ ଉଲ୍‍କା ଖଣ୍ଡମାନ ଧାବିତ ହେବାରେ ଲାଗିଥାନ୍ତି । ସେଗୁଡ଼ିକ ଅଧବାଟରେ ହିଁ ରାବଣ ଦ୍ଵାରା ପ୍ରେରିତ ବାଣଗୁଡ଼ିକୁ ନଷ୍ଟ କରି ଦେଇଥାନ୍ତି । ତା’ପରେ ରାବଣ ସ୍ଵର୍ଗରୁ ଆଣିଥିବା ଆଉ କେତେ ଅସ୍ତ୍ର ଦ୍ଵାରା ମଧ୍ୟ ଯୁଦ୍ଧ କଲା ଓ ତା’ପରେ ଏକ ଅପ୍ରତିରୋଧ୍ୟ ତଥା ପ୍ରଜ୍ଵଳ ଅଷ୍ଟ ଘଣ୍ଟା ବିଶିଷ୍ଟ ରୁଦ୍ର ବାଣ ବାହାର କରି ବିଭୀଷଣଙ୍କ ଉପରକୁ ନିକ୍ଷେପ କରିଥିଲା । ମାତ୍ର ଲକ୍ଷ୍ମଣ ନିଜେ ଆସି ତାହାକୁ ସମ୍ଭାଳି ନେଲେ ଏବଂ ବିଭୀଷଣଙ୍କର ଜୀବନ ରକ୍ଷା କରିଥିଲେ । ଅସ୍ତ୍ରଟି ଲକ୍ଷ୍ମଣଙ୍କ ଉପରେ ଆସି ପଡ଼ିବାକୁ ଯାଉଛି ବୋଲି ଦେଖିପାରି ରାମ ତାହାକୁ ପ୍ରାର୍ଥନା କରି କହିଥିଲେ: “ଲକ୍ଷ୍ମଣଙ୍କର ଜୀବନରକ୍ଷା ହେଉ । ତେଣୁ ହେ ବାଣ, ତୁମେ ବ୍ୟର୍ଥ ହୋଇଯାଅ ଏବଂ ତୁମର ଶକ୍ତି ନିଷ୍କ୍ରାନ୍ତ ମଧ୍ୟ ହେଉ । ତଥାପି ଜ୍ଵଳନ୍ତ ବାଣଟି ଲକ୍ଷ୍ମଣଙ୍କର ବକ୍ଷକୁ ଆସି ଭେଦ କଲା ଏବଂ ସେ ଧରାଶାୟୀ ହୋଇଥିଲେ । ଏବଂ, କୋଣସି କପି ତାଙ୍କର ଛାତି ଭିତରୁ ଶରଟିକୁ ବାହାର କରି ନେଇ ପାରିନଥିଲେ । ରାମ ତଳକୁ ନଇଁ ପଡ଼ି ସେଇଟିକୁ ଟାଣି ଆଣିଲେ ସିନା, ମାତ୍ର ତାହା ତଥାପି ପୂରା ନ ବାହାରି ମଝିରୁ ଭାଙ୍ଗି ଯାଇଥିଲା । ଲକ୍ଷ୍ମଣଙ୍କ ସକାଶେ ଘୋର ଦୁଃଖାଭିଭୂତ ହୋଇପଡ଼ି ରାମଙ୍କର କ୍ରୋଧ ବି ଜାତ ହେଲା ଏବଂ ସୁଗ୍ରୀବ ତଥା ହନୁମାନଙ୍କୁ ଡାକି ସେ କହିଥିଲେ : “ବର୍ତ୍ତମାନ ଯାଇ ଉପଯୁକ୍ତ ସମୟଟି ଉପଗତ ହେଲା । ଆଜି ମୁଁ ଏପରି ଗୋଟିଏ କାର୍ଯ୍ୟର ସାଧନ କରିବି, ଯାହା ବିଷୟରେ କି ଏହି ପୃଥିବୀରେ ଜୀବଗଣ ବାସ କରୁଥିବା ପର୍ଯ୍ୟନ୍ତ ଦେବଗଣ ଏବଂ ଲୋକସମୂହ କହିବାରେ ଲାଗିଥିବେ । ଆଜି ହିଁ ମୋ’ ଦୁଃଖର ଅନ୍ତ ହେବ ଏବଂ ମୋ’ର ଏହି ସମୁଦାୟ ଶ୍ରମଟି ସାର୍ଥକ ମଧ୍ୟ ହୋଇଯିବ ।”

 

ତା’ପରେ ରାମ ସଂପୂର୍ଣ୍ଣ ଭାବରେ ନିଜକୁ ଯୁଦ୍ଧରେ ଅଭିନିବେଶିତ କଲେ; ମାତ୍ର ହନୁମାନ ପୁନର୍ବାର ହିମାଳୟ ଯାଇ ଲକ୍ଷ୍ମଣଙ୍କର ଆରୋଗ୍ୟ ନିମନ୍ତେ ବିଶଲ୍ୟକରଣୀ ଥିବା ପାହାଡ଼ଟିକୁ ଉଠାଇ ଆଣିଲେ ଓ ସୁଶେଣ ସେଇଟିକୁ ଲକ୍ଷ୍ମଣଙ୍କର ନାସିକା ରନ୍ଧ୍ରରେ ଶୁଙ୍ଘାଇ ଦେବାରୁ ସେ ସଂପୂର୍ଣ୍ଣ ଭାବରେ ସୁସ୍ଥ ହୋଇ ଉଠିଥିଲେ । ସୁସ୍ଥ ହୋଇ ଲକ୍ଷ୍ମଣ ଭ୍ରାତାଙ୍କୁ ଆଲିଙ୍ଗନ କଲେ ଏବଂ ପ୍ରକୃତରେ ସେହିଦିନ ହିଁ ନିଜର ଲକ୍ଷ୍ୟସାଧନ କରିବା ନିମନ୍ତେ ତାଙ୍କୁ ଅନୁରୋଧ କରିଥିଲେ । ଇନ୍ଦ୍ର ସ୍ଵର୍ଗପୁରରୁ ସାରଥି ମାତଳି ସହିତ ତାଙ୍କର ରଥଟିକୁ ପ୍ରେରଣ କରିଥିଲେ ଏବଂ ଯୁଦ୍ଧରେ ରାମଙ୍କର ସହାୟତା କଲେ । ରାମ ଯାଇ ରଥକୁ ସ୍ଵାଗତ କଲେ ଏବଂ ସେଇଟି ଉପରେ ଆରୋହଣ କରିଥିଲେ । ତାହା ଦ୍ଵାରା ସକଳ ଜଗତ ସତେଅବା ଉଦ୍‌ଭାସିତ ହୋଇ ଉଠିଥିଲା । କିନ୍ତୁ ପୁନର୍ବାର ରାବଣ ଏକ ରାକ୍ଷସ ବାଣ ପ୍ରୟୋଗ କରିଥିଲା ଏବଂ ତାହାର କାଞ୍ଚନ ବର୍ଣ୍ଣ ତୀରଗୁଡ଼ିକ ଅଗ୍ନି ବର୍ଷଣ କରି ଚତୁର୍ଦ୍ଦିଗରୁ ରାମଙ୍କ ଉପରେ ଆସି ଅଜାଡ଼ି ହୋଇ ପଡ଼ିଲେ । ସେହି ତୀରମାନେ ବିଷଧର ବହୁସଂଖ୍ୟକ ସର୍ପରେ ରୂପାନ୍ତରିତ ହୋଇ ଯାଇଥିଲେ । ମାତ୍ର ରାମ ଗରୁଡ଼ାସ୍ତ୍ର ବାହାର କଲେ ଏବଂ ସେଥିରେ ଥିବା ସ୍ଵର୍ଣ୍ଣାଭ ତୀରମାନେ ଇଚ୍ଛା ଅନୁସାରେ ପକ୍ଷୀମାନଙ୍କର ରୂପ ଧରି ରାକ୍ଷସର ସର୍ପଶର ଗୁଡ଼ିକୁ ଯାଇ ଗିଳି ପକାଇଲେ । ତା’ପରେ ସକଳ ଶର ଗୁଡ଼ିକର ଅଧିଷ୍ଠାତା ଦେବତାମାନେ ରାମଙ୍କର ପକ୍ଷ ଗ୍ରହଣ କଲେ ଏବଂ ଏହି ଶୁଭ ଶକୁନଟି ସମେତ ଅନ୍ୟାନ୍ୟ ସୁସଂକେତ ଦ୍ଵାରା ଉତ୍ସାହିତ ହୋଇ ରାମ ରାବଣକୁ ସଂପୂର୍ଣ୍ଣ ଭାବରେ ସନ୍ତାପିତ କରି ଦେଇଥିଲେ । ରାବଣ ସଂପୂର୍ଣ୍ଣ ଭାବରେ କ୍ଷତ ବିକ୍ଷତ ହୋଇଗଲା ଏବଂ ରାକ୍ଷସ ରାଜର ଅନ୍ତିମ କ୍ଷଣ ଆସି ପହଞ୍ଚିଲା ବୋଲି ସତେ ଅବା ଘ୍ରାଣ କରି ପାରି ତାର ସାରଥି ରଣକ୍ଷେତ୍ରରୁ ପଳାୟନ କରିଥିଲା । ତା’ପରେ ରାବଣର ପରାଜୟକୁ ଦେଖିବା ନିମନ୍ତେ ଦେବତାମାନଙ୍କ ସହିତ ସେଠାକୁ ଆସିଥିବା ମହାଭାଗ ଅଗସ୍ତ୍ୟ ରାମଙ୍କୁ ଶିକ୍ଷା ଦେବାଲାଗି ଆସି ପହଞ୍ଚିଯାଇ କହିଲେ” ହେ ରାମ, ହେ ମହାବାହୁ ଯୋଦ୍ଧା, ହେ ମୋ’ର ସନ୍ତାନ ତୁମେ ଶାଶ୍ଵତ ରହସ୍ୟବତ୍ ସେହି ସୂର୍ଯ୍ୟ ମନ୍ତ୍ରଟିକୁ ସ୍ମରଣ କର ଯାହା ବଳରେ କି ପ୍ରତ୍ୟେକ ଶତ୍ରୁ ଉପରେ ବିଜୟହାସଲ ସମ୍ଭବ ହୋଇଥାଏ-। ତୁମେ ବିଶ୍ଵଧାତା ସେହି ସୂର୍ଯ୍ୟଙ୍କର ଉପାସନା କର,–ଯାହାଙ୍କ ମଧ୍ୟରେ କି ସକଳ ଦେବତାଙ୍କର ବଳ ଓ ମହିମା ଠୁଳ ହୋଇ ରହିଛି: ସହସ୍ରାଂଶୁ ହେ ସୂର୍ଯ୍ୟ, ତୁମର ଜୟ ହେଉ, ତୁମର ଜୟ ହେଉ–ଆଦିତ୍ୟଦେବଙ୍କର ବିଜୟ ହେଉ,–ଯିଏ କମଳମାନଙ୍କୁ ପ୍ରସ୍ଫୁଟିତ କରାନ୍ତି, ଯିଏ ଜୀବନ ତଥା ମୃତ୍ୟୁର ଉତ୍ସସ୍ୱରୂପ, ସକଳ ଅନ୍ଧକାରର ବିନାଶକ, ଅନ୍ତରାତ୍ମାର ଆଲୋକ, ଯିଏ ନିଦ୍ରା ଭଙ୍ଗାଇ ଚରାଚର ସମସ୍ତଙ୍କୁ ଜାଗୃତ କରି ଆଣନ୍ତି ପ୍ରତ୍ୟେକର ହୃଦୟ ମଧ୍ୟରେ ଅବସ୍ଥାନ କରୁଥାନ୍ତି-। ତୁମେ ହିଁ ସର୍ବଦେବତା, ସକଳ ଯଜ୍ଞ ତଥା ସେଗୁଡ଼ିକରୁ ପ୍ରାପ୍ତ ହେଉଥିବା ଫଳ ମଧ୍ୟ ତୁମେ । ରାମ, ତୁମେ ଏହି ମନ୍ତ୍ରଦ୍ଵାରା ସେହି ବିଶ୍ଵଦେବଙ୍କର ଆରାଧନା କର ଏବଂ ତେବେ ତୁମେ ଆଜି ରାବଣ ଉପରେ ବିଜୟୀ ହୋଇ ପାରିବ ।”

 

ରାବଣ ନିହତ ହେଲା

 

ତା’ପରେ ରାମ ସୂର୍ଯ୍ୟଙ୍କର ଆରାଧନା କଲେ ଏବଂ ଆଚମନ ଦ୍ଵାରା ଆପଣାକୁ ଶୁଦ୍ଧ କଲେ ଓ ପ୍ରସନ୍ନ ଚିତ୍ତରେ ରାବଣର ସମ୍ମୁଖୀନ ହେବାକୁ ବାହାରିଲେ । ରାବଣ ମଧ୍ୟ ପୁଣି ସ୍ଵଭାବସ୍ଥ ହୋଇ ଯୁଦ୍ଧ ପାଇଁ ବ୍ୟଗ୍ର ହୋଇ ଉଠିଥିଲା । ଉଭୟେ ପ୍ରଜ୍ଜ୍ଵଳିତ ଗୋଟିଏ ଗୋଟିଏ ସିଂହ ସଦୃଶ ପରସ୍ପର ସହିତ ଯୁଦ୍ଧରତ ହେଲେ । ନିଜର ମରଣଘାତୀ ବାଣଗୁଡ଼ିକ ଦ୍ଵାରା ଦଶାନନ ରାବଣର ଗୋଟିକପରେ ଗୋଟିଏ ମସ୍ତକକୁ ରାମ କାଟି ପକାଉଥାନ୍ତି ସତ, ମାତ୍ର କଟା ମୁଣ୍ଡ ଗୁଡ଼ିକର ସ୍ଥାନରେ ପୁନର୍ବାର ନୂଆ ମୁଣ୍ଡ ଆବିର୍ଭୂତ ହେବାରେ ଲାଗିଥାଏ । ମନେ ହେଉଥାଏ, ପ୍ରକୃତରେ ଏହି ରାବଣର ଆଉ ମୃତ୍ୟୁ ହିଁ ହେବ ନାହିଁ । ଯେଉଁ ବାଣଗୁଡ଼ିକ ଦ୍ଵାରା ମାରୀଚ, ଖର ଓ ବାଳୀଙ୍କର ମୃତ୍ୟୁ ଘଟିଥିଲା, ସେହି ବାଣ ରାବଣର ପ୍ରାଣ ନାଶ ଘଟାଇ ପାରୁନଥିଲା । ରାମ ତା’ପରେ ଅଗସ୍ତ୍ୟଙ୍କ ଦ୍ଵାରା ପ୍ରଦତ୍ତ ବ୍ରହ୍ମ ଶରଟିକୁ ହାତକୁ ନେଲେ; ସେହି ଶରର ଡେଣାରେ ପବନ ରହିଥିଲେ, ମସ୍ତକରେ ଅଗ୍ନି ଦେବତା ଥିଲେ ଏବଂ ତାହା ଓଜନରେ ମେରୁ ଓ ମନ୍ଦର ପର୍ବତର ସମାନ ହୋଇ ରହିଥିଲା । ସେହି ଅସ୍ତ୍ରଟିକୁ ବେଦ ମନ୍ତ୍ର ଦ୍ଵାରା ସମ୍ବଳିତ କରି ରାମ ତାହାକୁ ନିଜର କୋଦଣ୍ଡ ଉପରେ ଆଣି ବସାଇଲେ ଏବଂ ପେଷି ଦେଉଥିଲେ । ବାଣଟି ଅଭିପ୍ରେତ ସ୍ଥଳଟିକୁ ଯାଇ ରାବଣର ଛାତି ଭିତରେ ଗଳି ଯାଇଥିଲା ଏବଂ ରକ୍ତରେ ଜୁଡ଼ୁବୁଡ଼ୁ ହୋଇ ପୁନର୍ବାର ବିନମ୍ର ଭାବରେ ରାମଙ୍କ ପାଖକୁ ଫେରି ଆସିଥିଲା । ଏହିପରି ଭାବରେ ହିଁ ରାକ୍ଷସରାଜର ମୃତ୍ୟୁ ହେଲା; ଦେବତାମାନେ ରାମଙ୍କ ରଥ ଉପରେ ପୁଷ୍ପ ବୃଷ୍ଟି କରିବାକୁ ଲାଗିଲେ ଏବଂ ପ୍ରଶସ୍ତି ମନ୍ତ୍ର ମାନ ଗାନ କଲେ । କାରଣ ଏତେଦିନେ ଯାଇ ସେମାନଙ୍କର ଅଭିଳାଷ ପୂର୍ଣ୍ଣ ହୋଇଥିଲା,– ଯେଉଁଟି ନିମନ୍ତେ ବିଷ୍ଣୁ ମାନବଶରୀର ଧାରଣ କରିଥିଲେ, ସେହି ଅଭିଳାଷ । ଅନ୍ତରୀକ୍ଷ ଶାନ୍ତ ହେଲା, ପବନ ମନମୁକ୍ତ ଏବଂ ଉଜ୍ଜ୍ଵଳ ଦିଶିଲା ଏବଂ ଯୁଦ୍ଧଭୂମିରେ ସୂର୍ଯ୍ୟ ଦେବ ମଧ୍ୟ ମେଘମୁକ୍ତ ହୋଇ କିରଣ ଦେଇଥିଲେ ।

 

ରାବଣ ପାଇଁ ବିଳାପ

 

ବିଭୀଷଣ ନିଜ ଭ୍ରାତାଙ୍କର ନିଧନରେ ଦୁଃଖ ବିଳାପ କରିବାକୁ ଲାଗିଲେ ଓ ରାମ ତାଙ୍କୁ ସାନ୍ତ୍ଵନା ଦେଇ କହିଥିଲେ : “ଯୁଦ୍ଧ କ୍ଷେତ୍ରରେ ନିହତ ଜଣେ ବୀରପାଇଁ ଆଦୌ ଶୋକ କରିବା ଉଚିତ ନୁହେଁ । ଯୁଦ୍ଧରେ ପ୍ରାପ୍ତ ସଫଳତା କଦାପି ଚିରସ୍ଥାୟୀ ହୁଏ ନାହିଁ; ତେଣୁ ଏକଦା ଇନ୍ଦ୍ରଙ୍କୁ ମଧ୍ୟ ପଳାଇଯିବା ନିମନ୍ତେ ବାଧ୍ୟ କରିଥିବା ଜଣେ ଯୋଦ୍ଧାର ମୃତ୍ୟୁରେ ଆପଣ ଦୁଃଖ କାହିଁକି କରିବେ ? ବରଂ, ଆପଣ ହିଁ ତାଙ୍କର ଅନ୍ତିମ କ୍ରିୟା ସମାପନ କରନ୍ତୁ ଏବଂ ନିଜକୁ ସାନ୍ତ୍ଵନା ମଧ୍ୟ ଦିଅନ୍ତୁ ଯେ, ଏହି ମୃତ୍ୟୁରେ ହିଁ ଆମର ଶତ୍ରୁତାର ମଧ୍ୟ ଅନ୍ତ ହେଲା ଏବଂ ବର୍ତ୍ତମାନ ରାବଣ ମୋ’ଲାଗି ଠିକ୍ ଆପଣଙ୍କ ପରି ହିଁ ପ୍ରିୟ ହୋଇ ଅବଶ୍ୟ ରହିବେ ।”

 

ଲଙ୍କା ନଗରୀରୁ ରାକ୍ଷସପତ୍ନୀମାନଙ୍କର କରୁଣା ବିଳାପଧ୍ଵନି ନିନାଦିତ ହୋଇ ଉଠିଲା, ସେମାନେ ନିଜନିଜର ନିହତ ସ୍ଵାମୀମାନଙ୍କୁ ସ୍ମରଣ କରି ଉଚ୍ଚ ସ୍ଵରରେ ରୋଦନ କରୁଥିଲେ । ରାଣୀ ମନ୍ଦୋଦରୀ ବାହୁନି କହୁଥିଲେ:

 

“ହେ ମହାବାହୁ, ବୈଶ୍ରାବଣଙ୍କର ଅନୁଜ, ଆପଣଙ୍କର ସମକକ୍ଷ ହୋଇ ଯୁଦ୍ଧ କରିବାକୁ ପୁଣି ପୃଥିବୀରେ କିଏ କେଉଁଠାରେ ଥିଲା ? ଆପଣ ତ ଦେବତା ଏବଂ ଋଷିମାନଙ୍କୁ କବଳିତ କରି ରଖିଥିଲେ ! ଭୂମି ଉପରେ ତଳେ ଛିଡ଼ା ହୋଇଥିବା ଜଣେ ମନୁଷ୍ୟ ଯେ ଆପଣଙ୍କର ପ୍ରାଣନାଶ କରିପାରିଲା, ଏକଥା ଶୁଣି ପ୍ରକୃତରେ କିଏ ସହ୍ୟ କରିପାରିବ ? ମାତ୍ର, କେବଳ ସୀତାଙ୍କ ସକାଶେ ହିଁ ଆପଣଙ୍କର ନିଧନ ଘଟିଲା ଏବଂ ମୁଁ ବିଧବା ହେଲି । ଆପଣ ତ ଆଦୌ ମୋ’ ନିବେଦନଗୁଡ଼ିକୁ ଶୁଣିଲେ ନାହିଁ ଏବଂ ସୀତାଙ୍କ ଠାରୁ ଅଧିକ ସୌନ୍ଦର୍ଯ୍ୟବତୀ କେତେ କନ୍ୟା ଯେ ଆପଣଙ୍କ ପରିଚର୍ଯ୍ୟା ପାଇଁ ରହିଥିଲେ, ଆପଣ ସେକଥା ଚିନ୍ତା ବି କଲେ ନହିଁ । ହାୟ ହାୟ, ଆପଣ କେତେ ଉତ୍ତମ ଗୁଣରେ ଭୂଷିତ ନଥିଲେ, ଆପଣଙ୍କ ମୁଖର ହସରେ କେତେ ଅନୁକମ୍ପା ମଧ୍ୟ ପୂରି ରହିନଥିଲା: ଏବଂ ଆପଣ ବର୍ତ୍ତମାନ ରକ୍ତରେ ଜୁଡ଼ୁବୁଡ଼ୁ ହୋଇ ତୀରବିଦ୍ଧ ହୋଇ ପଡ଼ି ରହିଛନ୍ତି । ଆପଣ ତ କାଞ୍ଚନନିର୍ମିତ ପର୍ଯ୍ୟଙ୍କ ଉପରେ ଶୟନ କରୁଥିଲେ, ମାତ୍ର ବର୍ତ୍ତମାନ ଧୂଳି ଉପରେ ପଡ଼ି ରହିଛନ୍ତି । ଆପଣ ଏପରି ଭାବରେ ମୋତେ ଏକା ଛାଡ଼ିଦେଇ କାହିଁକି ଚାଲିଗଲେ ? ଏବଂ ଏବେ ମୋତେ ମଧ୍ୟ କାହିଁକି ଡାକିନେଇ ଯାଉନାହାନ୍ତି ?” ଏହି ସମୟରେ ରାବଣର ଅନ୍ୟ ପତ୍ନୀମାନେ ଆସି ମନ୍ଦୋଦରୀଙ୍କୁ ତଳୁ ଉଠାଇଥିଲେ ଏବଂ ସାନ୍ତ୍ଵନା ଦେଇ କହିଲେ, “ରାଣୀ, ଯିଏ ଯେତେ ବଡ଼ ହୋଇଥିଲେ ମଧ୍ୟ ଜୀବନ କାହାରି ଲାଗି ଆଦୌ ଚିରସ୍ଥାୟୀ ନୁହେଁ ଏବଂ ପୃଥିବୀରେ ସବୁ କିଛି ହିଁ ଅବଶ୍ୟ ବଦଳିବାରେ ଲାଗିଥାଏ ।” ତେଣେ ବିଭୀଷଣ ମୃତଦେହର ସତ୍କାର ନିମନ୍ତେ ଆୟୋଜନ କରିଥିଲେ ଏବଂ ରାବଣକୁ ଶ୍ମଶାନରେ ତିଆରି ହୋଇଥିବା ଯୂଇକୁ ନେଇ ନିଆଗଲା । ଯୋଦ୍ଧାର ପ୍ରାପ୍ୟ ସମସ୍ତ ବିଧି ଓ ସମ୍ମାନ ସହିତ ଦାହ ସମ୍ପନ୍ନ ହୋଇଥିଲା । ରାବଣର ପତ୍ନୀବୃନ୍ଦ ଲଙ୍କାକୁ ଫେରି ଆସିଲେ ତଥା ଦେବତାବୃନ୍ଦ ମଧ୍ୟ ନିଜନିଜ ସ୍ଥାନକୁ ପ୍ରସ୍ଥାନ କଲେ । ତା’ ପରେ ସୁଗ୍ରୀବ ଏକ ସ୍ଵର୍ଣ୍ଣ ଘଟରେ ମହାସାଗରରୁ ଆସିଥିବା ଜଳ ଦ୍ଵାରା ବିଭୀଷଣଙ୍କୁ ଲଙ୍କା ନଗରୀର ରାଜାରୂପେ ଅଭିଷିକ୍ତ କରିଥିଲେ । ବିଭୀଷଣ ରାକ୍ଷସ ମାନଙ୍କର ରାଜା ହେଲେ ଏବଂ ସେଥିରେ ବାନର ଏବଂ ରାକ୍ଷସ ଉଭୟେ ଆନନ୍ଦ ଅନୁଭବ କଲେ ।

 

ସୀତା ରାମଙ୍କ ପାଖକୁ ଆସିଲେ

 

ତା’ପରେ ରାମ ହନୁମାନଙ୍କୁ ଡାକି ସୀତାଙ୍କର ସନ୍ଧାନରେ ଲଙ୍କା ଯାଇ ତାଙ୍କୁ ଘଟିଥିବା ସକଳ ଘଟଣା ବିଷୟରେ ଅବଗତ କରାଇବା ନିମନ୍ତେ ଆଦେଶ ଦେଲେ । ହନୁମାନ ଯାଇ ଦେଖିଲା, ସୀତା ତଥାପି ଅଶୋକବୃକ୍ଷର ତଳେ ବସି ରହିଛନ୍ତି ଓ ରାକ୍ଷସୀମାନେ ତାଙ୍କୁ ପହରା ବି ଦେଉଛନ୍ତି । ହନୁମାନ ସେଠାରେ ତାଙ୍କୁ ସମସ୍ତ ସମ୍ବାଦ ଦେଇଥିଲେ ଏବଂ ସୀତା “ମୁଁ ସ୍ଵାମୀଙ୍କୁ ଦେଖିବାପାଇଁ ଇଚ୍ଛା କରୁଛି” ବୋଲି ଉତ୍ତର ଦେଲେ । ହନୁମାନ ରାମଙ୍କୁ ସୀତା ଦେଇଥିବା ସମ୍ବାଦଟିକୁ ଦିଅନ୍ତେ ରାମ ରୋଦନ କରି ଉଠିଥିଲେ ଏବଂ ଗଭୀର ଭାବନା ଭିତରେ ନିମଗ୍ନ ହୋଇ ଯାଇଥିଲେ । ତା’ପରେ ଏକ ଦୀର୍ଘନିଶ୍ଵାସ ପକାଇ ବିଭୀଷଣଙ୍କୁ କହିଲେ, “ଆପଣ ଯାଇ ସୀତାଙ୍କୁ ଶୀଘ୍ର ଏଠାକୁ ଆଣନ୍ତୁ, ସୀତା ସ୍ନାନ କରି ଚନ୍ଦନ ଏବଂ ଅଳଙ୍କାରରେ ମଣ୍ଡିତା ହୋଇ ଏଠାକୁ ଆସନ୍ତୁ-। ବିଭୀଷଣ ସଙ୍ଗେ ସଙ୍ଗେ ଯାଇ ରାମଙ୍କର ସନ୍ଦେଶ ପ୍ରଦାନ କଲେ । ସୀତା ସ୍ନାନ ନକରି ହିଁ ଯିବାକୁ ବାହାରିଥିଲେ; “ମାତ୍ର ନିଜ ସ୍ଵାମୀଙ୍କର ନିର୍ଦ୍ଦେଶ ପାଳନ କରି ହିଁ ସେଠାକୁ ଯିବେ” ବୋଲି ବିଭୀଷଣ ତାଙ୍କୁ କହିବାରୁ ସୀତା ରାଜୀ ହେଲେ ଏବଂ ସିଏ ପ୍ରସ୍ତୁତ ହୋଇଯିବା ପରେ ଯୋଗ୍ୟ ବାହକମାନେ ତାଙ୍କୁ ପାଲିଙ୍କିରେ ବସାଇ ରାମଙ୍କ ପାଖକୁ ନେଇ ଆସିଥିଲେ । ରାବଣ ପାଖରେ ଦୀର୍ଘଦିନ ବନ୍ଦିନୀ ହୋଇ ରହିଥିବା ସୀତାଙ୍କୁ ଦର୍ଶନ କରି ରାମ ଦୁଃଖରେ ଅଭିଭୂତ ହୋଇ ପଡ଼ିଥିଲେ ଏବଂ ଏକାବେଳେକେ ରୋଷାନ୍ଵିତ, ଆନନ୍ଦିତ ଓ ଦୁଃଖିତ ହେଲେ । ବିଭୀଷଣଙ୍କୁ ସମ୍ବୋଧନ କରି କହିଲେ, “ହେ ରାକ୍ଷସରାଜ ବିଭୀଷଣ, ଆପଣ ସୀତାଙ୍କୁ ମୋ’ ନିକଟରେ ନେଇ ଆସନ୍ତୁ-!” ଏଣୁ, ବିଭୀଷଣ ବାନର, ରାକ୍ଷସ ଓ ଭଲ୍ଲୁକମାନଙ୍କୁ ସେଠାରୁ ଘଉଡ଼ାଇ ଦେଇଥିଲେ, ବେତ୍ରଧାରୀ ଜଗୁଆଳ ମାନେ ଢୋଲ ବଜାଇ ସେଠାରୁ ସେହି ଭିଡ଼ଟିକୁ ଭାଙ୍ଗିଦେଲେ । କିନ୍ତୁ ରାମ ସେମାନଙ୍କୁ ସେଥିରୁ କ୍ଷାନ୍ତ ହେବାଲାଗି ଆଦେଶ ଦେଲେ ଏବଂ କହିଥିଲେ ଯେ ସୀତା ପାଲିଙ୍କି ଉପରୁ ଓହ୍ଲାଇ ପଦରେ ହି ଚାଲି ତାଙ୍କ ପାଖକୁ ଆସିବେ । ରାମ ବିଭୀଷଣଙ୍କୁ କହିଲେ, “ନିଜର ପ୍ରଜାବର୍ଗଙ୍କ ପ୍ରତି ଆପଣ ଆଦୌ ରୁକ୍ଷ ହେବେନାହିଁ, ବରଂ ସେମାନଙ୍କୁ ସାନ୍ତ୍ଵନା ହିଁ ଦେବେ । ଯୁଦ୍ଧବେଳେ, ବିପଦ ସମୟରେ, ସ୍ୱୟମ୍ବର ସଭାରେ କିମ୍ବା ବିବାହ ଅବସରରେ ନାରୀମାନେ ବାହାରକୁ ଆସିଲେ ତଦ୍ଦ୍ୱାରା ଆଦୌ ପାପ ହୁଏ ନାହିଁ । ବର୍ତ୍ତମାନ ସୀତା ବିପଦ-ସ୍ଥିତିରେ ହିଁ ଅଛନ୍ତି ଏବଂ ତେଣୁ ତାଙ୍କ ଉପରେ କାହାର ଆଖି ପଡ଼ିଲେ ତଦ୍ଦ୍ୱାରା କୌଣସି ଦୋଷ ହେବ ନାହିଁ; ଏବଂ ତାଙ୍କୁ ସୁରକ୍ଷା ଦେବାପାଇଁ ମୁଁ ଏଠାରେ ଉପସ୍ଥିତ ମଧ୍ୟ ରହିଛି ।”

 

କିନ୍ତୁ, ଯେତେବଳେ ସୀତା ରାମଙ୍କ ପାଖରେ ଆସି ଦଣ୍ଡାୟମାନ ହେଲେ, ସେତେବେଳେ ରାମ ଆଉ କୌଣସି ପ୍ରକାରେ ବାକ୍ୟ ସବଂରଣ କରିପାରିଲେ ନାହିଁ ଏବଂ କହି ଉଠିଲେ, “ହେ ସୁଧୀରା ସୀତା, ମୁଁ ତୁମର ଶତ୍ରୁକୁ ପରାହତ କରି ଦେଇଛି ଓ ମୋ’ ସମ୍ମାନରେ ଲାଗିଥିବା କଳଙ୍କକୁ ପୋଛି ମଧ୍ୟ ଦେଇଛି । ହନୁମାନ ସମୁଦ୍ର ଲଙ୍ଘନ କରି ଲଙ୍କାକୁ ଛାରଖାର କରିଦେଲେ, ସୁଗ୍ରୀବ ତାଙ୍କର ସୈନ୍ୟ ବାହିନୀଟି ଦ୍ଵାରା ସାହାଯ୍ୟ କଲେ ଓ ଉତ୍ତମ ପରାମର୍ଶ ମାନ ଦେଉଥିଲେ, ଏବଂ ବିଭୀଷଣ ଆମ ସହିତ ଆସି ଯୋଗ ଦେଲେ,–ଏମାନଙ୍କର ସମସ୍ତଙ୍କର କାର୍ଯ୍ୟ ଏବେ ସଫଳ ହେଲା ଏବଂ ନିଜର ଶକ୍ତିବଳରେ ଜଣେ ପୁରୁଷର କର୍ତ୍ତବ୍ୟ କରି ମୁଁ ମୋ’ର ପ୍ରତିଜ୍ଞାପୂରଣ ମଧ୍ୟ କରିପାରିଲି ।” ଏହାପରେ ସୀତା ବିରସ ହୋଇ ରାମଙ୍କ ଆଡ଼କୁ ଚାହିଁଲେ, ଲୋତକପୂର୍ଣ୍ଣ ଚକ୍ଷୁରେ ସତେଅବା ଗୋଟିଏ ହରିଣୀ ପରି ଚାହିଁ ରହିଲେ ଏବଂ ରାମ ତାଙ୍କୁ ଏତେ ନିକଟରେ ପାଇ ଏବଂ ଏତେ ଲୋକଙ୍କର ଆଖିରେ ଆପଣାର ସମ୍ମାନ ବିଷୟରେ ମଧ୍ୟ ଚିନ୍ତା କରି ସତେଅବା ଏକ ଦ୍ଵିଧାରେ ପଡ଼ିଗଲେ ଓ କହିଲେ, “ମୋ’ର ବଂଶ ପ୍ରତି ଓ ମୋ’ ଆପଣା ପ୍ରତି ଓ ହୋଇଥିବା ଅପମାନକୁ ସିନା ମୁଁ ପୋଛିଦେଇ ପାରିଛି, କିନ୍ତୁ ତୁମେ ମୋ’ ବ୍ୟତୀତ ଆଉଜଣଙ୍କର ରାଜ୍ୟରେ ବାସ କରି ମଧ୍ୟ କଳଙ୍କ ଅର୍ଜନ କରିଛ । ଜଣେ ଅପର ବ୍ୟକ୍ତିର ଗୃହରେ ଦୀର୍ଘକାଳ ଅବସ୍ଥାନ କରିଥିବା ପତ୍ନୀକୁ ଜଣେ ଉଚ୍ଚ ସମ୍ମାନର ଅଧିକାରୀ ବ୍ୟକ୍ତି ପୁନର୍ବାର କିପରି ଗ୍ରହଣ କରିପାରିବ ? ରାବଣ ତୁମକୁ କୋଳରେ ଧାରଣ କରିଥିଲା ଏବଂ କାମୁକତାପୂର୍ଣ୍ଣ ଆଖିରେ ମଧ୍ୟ ତୁମ ଉପରେ ଦୃଷ୍ଟି ପକାଇଥିଲା । ମୁଁ ତା’ର ମନ୍ଦ କାର୍ଯ୍ୟର ପ୍ରତିଶୋଧ ଅବଶ୍ୟ ନେଇଛି, ମାତ୍ର ତଥାପି ତୁମପ୍ରତି ଆଦୌ ସ୍ଵୀକୃତି ଜଣାଇ ପାରୁନାହିଁ । ତେଣୁ ଏହିପରି ଏକ ସମ୍ମାନ ବୋଧ ଦ୍ଵାରା ପରିଚାଳିତ ହୋଇ ମୁଁ ତୁମକୁ ବର୍ଜନ କରୁଛି । କାରଣ, ତୁମ ସଦୃଶ ଏଭଳି ଜଣେ ରୂପବତୀ ତଥା ସୁକୁମାରୀ ରମଣୀକୁ ନିଜର ଇଚ୍ଛା ଅନୁସାରେ ରଖିଥିବା ରାବଣ ତୁମକୁ କଦାପି ଉପେକ୍ଷା କରି ପାରିନଥିବ । ତେବେ ତୁମେ ଲକ୍ଷ୍ମଣ, ଭରତ, ସୁଗ୍ରୀବ କିମ୍ବା ବିଭୀଷଣ, ଯାହାପାଖରେ ରହିବାକୁ ଇଚ୍ଛା କରୁଛ, ବର୍ତ୍ତମାନ ତାହାରି ପାଖକୁ ଯାଇପାରିବ ।”

 

ରାମଙ୍କର ଏହି ନିଷ୍ଠୁର ବାକ୍ୟଗୁଡ଼ିକୁ ଶୁଣି ସୀତା ଗୋଟିଏ ବାତାହତ ଦ୍ରାକ୍ଷାଲତା ପରି କମ୍ପି ଉଠିଥିଲେ ଏବଂ ତାଙ୍କର ଆଖିରୁ ଟପଟପ ଲୁହ ନିର୍ଗତ ହୋଇ ଆସିଥିଲା । ଏଡେବଡ଼ ସମାଗମଟି ଭିତରେ ସିଏ ଅତ୍ୟନ୍ତ ଲଜ୍ଜା ମଧ୍ୟ ଅନୁଭବ କଲେ । ତଥାପି, ମୁଖ ଉପରୁ ଅଶ୍ରୁ ପୋଛିଦେଇ ରାମଙ୍କୁ ଉତ୍ତର ଦେଇଥିଲେ; “ଆପଣ ଏପରି ନିର୍ଦ୍ଦୟ ଓ ରୁକ୍ଷ ବାକ୍ୟମାନ କାହିଁକି ପ୍ରୟୋଗ କରୁଛନ୍ତି । ଅନ୍ୟ ନାରୀମାନଙ୍କର ରୀତିଗୁଡ଼ିକୁ ଦେଖି ଆପଣ କୌଣସି ନାରୀକୁ ଆଉ କଦାପି ବିଶ୍ଵାସ କରି ପାରିବେନାହିଁ । ମାତ୍ର, ହେ ମହାବାହୁ ବୀର ଶ୍ରେଷ୍ଠ, ମୁଁ ନିଜେ ହିଁ ମୋ’ ପବିତ୍ରତାର ଯଥେଷ୍ଟ ସାକ୍ଷୀ ହୋଇ ରହିଛି । ମୋ’ର ବିନା ଅନୁମତିର କୌଣସି ପୁରୁଷ କେବେ ହେଲେ ମୋ’ ଦେହକୁ ସ୍ପର୍ଶ କରିନାହିଁ । ମୋ’ର ଶରୀର ସିନା ମୋ’ ନିଜ ଅଧୀନରେ ନଥିଲା, ମାତ୍ର ମୋ’ର ସଂପୂର୍ଣ୍ଣ ଅକ୍ତିଆରରେ ରହିଥିବା ମୋ’ର ହୃଦୟକୁ ମୁଁ କେବଳ ଆପଣଙ୍କଠାରେ ହିଁ ସମର୍ପିତ କରି ରଖିଛି । ହେ ସ୍ଵାମୀ, ହେ ମୋ’ର ସକଳ ସମ୍ମାନର ଅଧିକାରୀ, ଦୀର୍ଘ ସମୟ ଧରି ଏକତ୍ର ବାସ କରିବା ଦ୍ଵାରା ପରସ୍ପର ପ୍ରତି ଆମର ସ୍ନେହରେ ଅଭିବୃଦ୍ଧି ହିଁ ଘଟିଛି । ଏବଂ, ଯଦି ବର୍ତ୍ତମାନ ମଧ୍ୟ ଆପଣଙ୍କୁ ମୋ’ର ପାତିବ୍ରତ୍ୟ ଅଜ୍ଞାତ ରହିଛି, ତେବେ ମୋ’ର ଆଉ କୌଣସି ବଳ ହିଁ ନାହିଁ । ହେ ରାଜନ୍, ଯେତେବେଳେ ହନୁମାନଙ୍କୁ ଆପଣ ମୋ’ ପାଖକୁ ପ୍ରେରଣ କଲେ, ସେତେବେଳେ ହିଁ ମୋ’ତେ କାହିଁକି ବର୍ଜନ ନକଲେ ? ସେତେବେଳେ ମୁଁ ନିଜେ ନିଜର ଜୀବନକୁ ହରାଇ ଦେଇଥାନ୍ତି ଓ ଆପଣଙ୍କୁ ଆଉ କଦାପି ଏତେ ଶ୍ରମ କରିବାକୁ ପଡ଼ି ନଥାନ୍ତା । ଆପଣଙ୍କର ମିତ୍ରମାନଙ୍କୁ ମଧ୍ୟ ଏତେ ଏତେ ବୋଝ ବୋହିବାକୁ ହୋଇ ନଥାନ୍ତା । ଆପଣ କ୍ରୋଧାନ୍ଵିତ ହୋଇଛନ୍ତି; ଜଣେ ସାଧାରଣ ବ୍ୟକ୍ତି ପରି ଆପଣ ମୋ’ର ନାରୀତ୍ଵ ବ୍ୟତୀତ ଆଉ କିଛି ହେଲେ ଦେଖି ପାରୁନାହାନ୍ତି । ମୋତେ ଜନଙ୍କର ଦୁହିତା ବୋଲି ସମସ୍ତେ ସିନା ଜାଣନ୍ତି, କିନ୍ତୁ ବସ୍ତୁତଃ ମୁଁ ପୃଥିବୀ ମାତାଙ୍କଠାରୁ ଜନ୍ମ ଗ୍ରହଣ କରିଛି । ଆପଣ ମୋ’ର ପ୍ରକୃତ ପରିଚୟକୁ ଜାଣି ନାହାନ୍ତି ।” ଏହାପରେ ସୀତା ଲକ୍ଷ୍ମଣଙ୍କୁ ଉଦ୍ଦେଶ୍ୟ କରି ରହି ରହି କହିଥିଲେ, “ହେ ସୌମିତ୍ରି, ତୁମେ ମୋ’ ପାଇଁ ଗୋଟିଏ ଯୂଇ ପ୍ରସ୍ତୁତ କରିଦିଅ, ବର୍ତ୍ତମାନ ତାହା ହିଁ ମୋ’ର ଏକମାତ୍ର ଆଶ୍ରୟ ହେଉ । ମିଥ୍ୟରେ ଏକ କଳଙ୍କରେ ଭାଗୀ ହୋଇ ଏହି ଜୀବନ ରଖିବାକୁ ମୁଁ ଆଦୌ ଇଚ୍ଛା କରୁନାହିଁ ।” ଲକ୍ଷ୍ମଣ ସେତେବେଳେ ଦୁଃଖ ଓ କୋପରେ ପୂର୍ଣ୍ଣ ହୋଇ ଉଠିଥିଲେ । ସିଏ ରାମଙ୍କ ଆଡ଼କୁ ଚାହିଁଲେ ଓ ରାମଙ୍କଠାରୁ ସଙ୍କେତ ପାଇ ଯୂଇ ପ୍ରସ୍ତୁତ କଲେ ।

 

ସୀତାଙ୍କର ଅଗ୍ନିପରୀକ୍ଷା

 

ତା’ପରେ ସୀତା ରାମଙ୍କୁ ପ୍ରଦକ୍ଷିଣ କଲେ ଏବଂ ଅଧୋଦୃଷ୍ଟି ହୋଇ ଜ୍ଜ୍ଵଳନ୍ତ ଅଗ୍ନିର ସମୀପବର୍ତ୍ତୀ ହୋଇଥିଲେ । କୃତାଞ୍ଜଳି ପୁଟରେ ଅଗ୍ନି ସମ୍ମୁଖରେ ଦଣ୍ଡାୟମାନ ହୋଇ ପ୍ରାର୍ଥନା କଲେ: “ଯେହେତୁ ମୋ’ର ହୃଦୟ କସ୍ମିନ୍‌କାଳେ ମଧ୍ୟ ରାମଙ୍କଠାରୁ ଟଳି ଯାଇ ନାହିଁ, ତେଣୁ ହେ ଅଗ୍ନି, ହେ ସମଗ୍ର ଜଗତର ସାକ୍ଷୀ, ତୁମେ ମୋ’ର ରକ୍ଷା କର; ରାମ ମୋତେ କଳଙ୍କିନୀ ବୋଲି କହି ପରିତ୍ୟାଗ କରିବାକୁ ଯାଉଛନ୍ତି, ମାତ୍ର ମୁଁ ପ୍ରକୃତରେ ନିଷ୍କଳଙ୍କ ହୋଇ ରହିଛି,–ତେଣୁ ବର୍ତ୍ତମାନ ତୁମେ ହିଁ ମୋତେ ଆଶ୍ରୟ ଦେବ ।” ଏତିକି କହି ସୀତା ସେହି ଅଗ୍ନିର ପରିକ୍ରମା କଲେ ଓ ତାହାରି ମଧ୍ୟରେ ପ୍ରବେଶ କଲେ । ସେଠାରେ ଉପସ୍ଥିତ ଜ୍ୟେଷ୍ଠ ଏବଂ କନିଷ୍ଠ ସମସ୍ତେ ଦୁଃଖରେ ଅଭିଭୂତ ହୋଇ ପଡ଼ିଥିଲେ ଏବଂ ଉଚ୍ଚ ସ୍ଵରରେ ରୋଦନ କରି ଉଠିଲେ ।

 

ରାମ ସେହିପରି ଅବିଚଳ ହୋଇ ରହିଥାନ୍ତି; ମାତ୍ର ଦେବତାମାନେ ନିଜ ନିଜର ରଥଉପରେ ଆରୂଢ଼ ହୋଇ ପହଞ୍ଚି ଯାଇଥିଲେ ଏବଂ ଯୋଡ଼ ହସ୍ତ ହୋଇ ରାମଙ୍କୁ କୋମଳ ହେବା ନିମନ୍ତେ ପ୍ରାର୍ଥନା କଲେ: “ଆପଣ ତ ଏହି ସମଗ୍ର ପୃଥିବୀର ରକ୍ଷା କରନ୍ତି, ତେବେ ଆପଣ ଆଜି ଜନକନନ୍ଦିନୀଙ୍କୁ କାହିଁକି ତ୍ୟାଗ କରୁଛନ୍ତି ଓ ଅଗ୍ନିରେ ଝାସ ଦେଇ ସେ ମୃତ୍ୟୁ ବରଣ କରନ୍ତୁ ବୋଲି ଇଚ୍ଛା କରୁଛନ୍ତି ? ଏହା କିପରି ସମ୍ଭବ ଯେ ଆପଣ ନିଜର ପ୍ରକୃତ ପରିଚୟ ବିଷୟରେ ଅଜ୍ଞାନ ହୋଇ ରହିଛନ୍ତି ? ଆପଣ ଆଦିରେ ଥିଲେ, ଅନ୍ତରେ ମଧ୍ୟ ଅବଶ୍ୟ ରହିବେ । ଆପଣ ଦେବତାମାନଙ୍କ ମଧ୍ୟରେ ସର୍ବାଗ୍ର, ଆପଣ ପିତାମହ ଏବଂ ଆପଣ ହିଁ ସୃଜନକର୍ତ୍ତା । ତେଣୁ ଆପଣ ସୀତାଙ୍କ ପ୍ରତି କେବଳ ଏକ ସାମାନ୍ୟ ମନୁଷ୍ୟ ପରି ଆଚରଣ କାହିଁକି କରୁଛନ୍ତି ?” ସେମାନଙ୍କୁ ରାମ ଉତ୍ତର ଦେଇଥିଲେ : “ମୁଁ ନିଜକୁ କେବଳ ଜଣେ ମନୁଷ୍ୟ ବୋଲି ହିଁ ଜାଣିଛି, ଦଶରଥପୁତ୍ର ରାମ ବୋଲି ଜାଣିଛି; ତେଣୁ, ମୁଁ ପ୍ରକୃତରେ କିଏ ଏବଂ କେଉଁଠାରୁ ଆସିଛି, ବର୍ତ୍ତମାନ ପିତାମହ ମୋତେ ସେକଥା କହି ଦିଅନ୍ତୁ !”

 

ତାହା ଶ୍ରବଣ କରି ବ୍ରହ୍ମା ଉତ୍ତର ଦେଲେ: “ହେ ସତ୍ୟସ୍ଵରୂପ ରାମ, ତେବେ ଶୁଣନ୍ତୁ,–ଆପଣ ନାରାୟଣ, ଚକ୍ର ଏବଂ ଗଦାଧାରଣ କରିଛନ୍ତି, ଆପଣ ବରାହ, ଆପଣ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ତିନୋଟି ଯାକ କାଳର ଅତୀତ, ଆପଣ କାଳଧନ୍ଵା; ଆପଣ ସୃଷ୍ଟି, ଆପଣ ମଧ୍ୟ ପ୍ରଳୟ । ଆପଣ ସକଳ ଶତ୍ରୁଙ୍କୁ ନିପାତ କରନ୍ତି, ଆପଣ ସାକ୍ଷାତ କ୍ଷମାଧର,–ଯାବତୀୟ ବାସନାକୁ ଆପଣ ହେଉଛନ୍ତି ସକଳ ଦେବତା ତଥା ଋଷି ଓ ମୁନୀମାନଙ୍କର ପରମ ଆଶ୍ରୟ । ଆପଣ ଗୋ, ବ୍ରାହ୍ମଣ ତଥା ସକଳ ପ୍ରାଣୀଙ୍କ ମଧ୍ୟରେ ରୂପ ଧାରଣ କରିଛନ୍ତି; ସକଳ ଲୋକରେ, ଆକାଶରେ, ନଦୀରେ ଓ ଗିରିଶୃଙ୍ଗରେ ରହିଛନ୍ତି–ଆପଣ ସହସ୍ରଅଙ୍ଗ, ସହସ୍ରଚକ୍ଷୁ ଏବଂ ସହସ୍ରମସ୍ତକ । ମୁଁ ହେଉଛି ଆପଣଙ୍କର ହୃଦୟ, ସରସ୍ଵତୀ ଆପଣଙ୍କର ଜିହ୍ଵା । ଆପଣ ନୟନ ବୁଜିଲେ ରାତ୍ରି, ନୟନ ଖୋଲି ଅନାଇଲେ ଦିନ । ସୀତା ହେଉଛନ୍ତି ଲକ୍ଷ୍ମୀ ଏବଂ ଆପଣ ହେଉଛନ୍ତି ବିଷ୍ଣୁ ଓ କୃଷ୍ଣ । ଏବଂ ହେ ରାମ, ବର୍ତ୍ତମାନ ରାବଣ ନିହତ ହୋଇଛି, ଆପଣଙ୍କର କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି,–ଏବଂ ଆପଣ ପୁଣି ସ୍ଵର୍ଗକୁ ପ୍ରତ୍ୟାବର୍ତ୍ତନ କରନ୍ତୁ । ଆପଣଙ୍କଠାରେ ହ୍ରୁଦୟକୁ ଥାପିଥିବା କାହାରି ଆଦୌ କିଛି ଅଭାବ ନଥାଏ ଏବଂ, ଯେଉଁମାନେ ଆପଣଙ୍କର ସ୍ତୁତି କରନ୍ତି, ସେମାନେ କଦାପି ବିଫଳ ହୁଅନ୍ତି ନାହିଁ ।”

 

ସେହି ଉଲ୍ଲସିତ ଶବ୍ଦଗୁଡ଼ିକୁ ଶ୍ରବଣ କରି ଅଗ୍ନିଦେବ ସୀତାଙ୍କୁ କ୍ରୋଡ଼ରେ ଧାରଣ କରି ଆବିର୍ଭୂତ ହେଲେ,–ସେ ଉଦୟମାନ ସୂର୍ଯ୍ୟ ପରି ଉଜ୍ଜ୍ଵଳ ଦେଖା ଯାଉଥିଲେ । ରାମଙ୍କ ହାତରେ ସୀତାଙ୍କୁ ଫେରାଇ ଦେଇ କହିଲେ, “ହେ ରାମ, ଇଏ ହେଉଛନ୍ତି ଆପଣଙ୍କର ସୀତା, ଯାହାଙ୍କୁ କି କୌଣସି କଳଙ୍କ କଳୁଷିତ କରିନାହିଁ । ନିଜ ଭାବନା, ବଚନ ତଥା ନୟନପାତରେ ସୀତା କେବେହେଲେ ଆପଣଙ୍କର ପାଖରୁ ଚାଲି ଯାଇନାହାନ୍ତି । ରାବଣ ତାଙ୍କୁ ଯାବତୀୟ ପ୍ରକାରେ ପ୍ରଲୁବ୍ଧ କରିଛି, କିନ୍ତୁ ନିଜ ହୃଦୟର ଅତଳତଳରେ ମଧ୍ୟ ସୀତା ତାହାକୁ ସ୍ଥାନ ଦେଇନାହାନ୍ତି । ସୀତା ନିଷ୍କଳଙ୍କ, ତେଣୁ ଆପଣ ତାଙ୍କୁ ଗ୍ରହଣ କରିଥାନ୍ତି, ତେବେ ଲୋକେ ଅଭିଯୋଗ କରିଥାନ୍ତେ ଯେ ଦଶରଥପୁତ୍ର ରାମ ସ୍ଵବାସନା ଦ୍ଵାରା ଉଚ୍ଚାରିତ କଥାଗୁଡ଼ିକ ବିଷୟରେ ଚିନ୍ତା କରୁଥିଲେ । ଏବଂ ତା’ପରେ ଉତ୍ତର ଦେଲେ, “ସୀତା ଦୀର୍ଘକାଳ ରାବଣଗୃହରେ ବାସ କରିଛନ୍ତି ଓ ତେଣୁ ସମବେତ ସମସ୍ତଙ୍କ ପାଖରେ ତାଙ୍କୁ ନିଜ ନିଷ୍କଳଙ୍କତାର ପ୍ରମାଣ ଦେବା ଆବଶ୍ୟକ ଥିଲା । ଯଦି କୌଣସି ପ୍ରମାଣ ବ୍ୟତୀତ ମୁଁ ତାଙ୍କୁ ଗ୍ରହଣ କରିଥାନ୍ତି, ତେବେ ଲୋକେ ଅଭିଯୋଗ କରିଥାନ୍ତେ ଯେ ଦଶରଥ ପୁତ୍ର ରାମ ସ୍ଵବାସନା ଦ୍ଵାରା ପରିଚାଳିତ ହୋଇ ସାମାଜିକ ଧର୍ମକୁ ସ୍ଵୀକାର କଲା ନାହିଁ । ମୁଁ ଉତ୍ତମ ରୂପେ ଜାଣେ ଯେ ସୀତାଙ୍କର ହୃଦୟ କେବଳ ମୋ’ଠାରେ ହିଁ ଅର୍ପିତ ହୋଇଛି ଏବଂ କେବଳ ଆପଣାର ଗୁଣବତ୍ତା ବଳରେ ହିଁ ସୀତା ରାବଣର ସକଳ ଆକ୍ରମଣରୁ ନିଜକୁ ରକ୍ଷା କରିଛନ୍ତି । ସୂର୍ଯ୍ୟଙ୍କର କିରଣ ଯେପରି କେବଳ ସୂର୍ଯ୍ୟଙ୍କର, ସୀତା ମଧ୍ୟ ସେହିପରି କେବଳ ମୋ’ର-। ମୁଁ ତାଙ୍କୁ କଦାପି ତ୍ୟାଗ କରି ପାରିବିନାହିଁ; ମାତ୍ର ଆପଣଙ୍କର ବଚନ ଗୁଡ଼ିକୁ ମୁଁ ଅବଶ୍ୟ ପାଳନ କରିବି ।” ଏହିପରି ଭାବରେ କୀର୍ତ୍ତିମାନ୍ ଦଶରଥପୁତ୍ର ନିଜ ପତ୍ନୀଙ୍କୁ ଗ୍ରହଣ କରିଥିଲେ ଏବଂ ତାଙ୍କର ହୃଦୟ ମଧ୍ୟ ହରଷିତ ହୋଇଥିଲା ।

 

ଦେବତମାନଙ୍କର ଉକ୍ତି

 

ବର୍ତ୍ତମାନ ଶିବ କିଛି କହିଲେ: ରାମପିତା ଦଶରଥ ଦେବତାମାନଙ୍କର ଗହଣରେ ଏକ ଉଜ୍ଜ୍ଵଳ ରଥରେ ଆସୀନ ରହିଛନ୍ତି ବୋଲି ସେ ରାମଙ୍କର ପ୍ରତ୍ୟକ୍ଷ କରାଇ ଦେଇଥିଲେ ଏବଂ ରାମ ଓ ଲକ୍ଷ୍ମଣ ଦଶରଥଙ୍କୁ ପ୍ରଣାମ କଲେ । ଦଶରଥ ମଧ୍ୟ ନିଜର ସର୍ବାଧିକ ପ୍ରିୟ ରାମଙ୍କୁ ଦେଖି ତାଙ୍କୁ କ୍ରୋଡ଼କୁ ନେଲେ ଓ କହିଲେ : “ସ୍ଵର୍ଗରେ ଏହି ଦେବତାମାନଙ୍କର ମେଳରେ ମଧ୍ୟ ମୁଁ ତୋ ଅଭାବରେ ସୁଖୀ ହୋଇ ପାରିନାହିଁ । ଇହାଦେ ମୋ’ର କୈକେୟୀଙ୍କର ବାକ୍ୟଟି ମଧ୍ୟ ମନେ ପଡ଼ିଯାଉଛି । ମୋ’ର ପୁତ୍ର ତୁ ହିଁ ମୋତେ ମୋର ଶପଥରୁ ମୁକ୍ତ କରିଛୁ ଏବଂ ମୋର ସକଳ ଋଣରୁ ମୋତେ ବାହାର କରି ଆଣି ପାରିଛୁ । ବର୍ତ୍ତମାନ ତ ମୁଁ ଶୁଣିଲି ଯେ ତୁ ହେଉଛୁ ରାବଣର ନିଧନ ନିମନ୍ତେ ମର୍ତ୍ତ୍ୟରେ ଯାଇ ଅବତୀର୍ଣ୍ଣ ହୋଇଥିଲୁ । ତୋତେ ବିଜୟୀ ହୋଇ ଫେରିଥିବାର ଦେଖି କୌଶଲ୍ୟା କେତେ ଆନନ୍ଦିତ ହେବେ । ତୋତେ ଅଯୋଧ୍ୟାର ସିଂହାସନରେ ଯେଉଁମାନେ ଆରୋହଣ କରିବାର ଦେଖିବେ, ସେମାନେ ପ୍ରକୃତରେ ଭାଗ୍ୟବାନ । ତୋ’ର ନିର୍ବାସନ କାଳ ପୂର୍ଣ୍ଣ ହୋଇଛି; ବର୍ତ୍ତମାନ ତୁ ତୋ’ର ଅନ୍ୟ ଭ୍ରାତାମାନଙ୍କ ସହିତ ଅଯୋଧ୍ୟାର ଶାସନ କରିବୁ ଏବଂ ଦୀର୍ଘଜୀବୀ ହେବୁ !”

 

ତା’ପରେ ରାମ ପିତାଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କଲେ : “ବର୍ତ୍ତମାନ ଆପଣ କୈକେୟୀଙ୍କର ଦୋଷକୁ ମଧ୍ୟ କ୍ଷମା କରିଦିଅନ୍ତୁ ଏବଂ ତାଙ୍କୁ ଓ ତାଙ୍କର ପୁତ୍ରକୁ ପରିତ୍ୟାଗ କଲେ ବୋଲି ଯେଉଁ ଅଭିଶାପ ଦେଇଥିଲେ, ତାକୁ ଫେରାଇ ନିଅନ୍ତୁ ।” ଦଶରଥ ଉତ୍ତର ଦେଲେ, “ତେବେ ତାହାହିଁ ହେଉ !” ଏବଂ ଲକ୍ଷ୍ମଣଙ୍କୁ ମଧ୍ୟ କହିଲେ, “ତୁ ହେଉଛୁ ସତ୍ୟ ତଥା ସମ୍ମାନର ଏକ ନିଦର୍ଶନ,–ତୋ’ର କେବଳ ଶୁଭ ହିଁ ହେଉ । ତୁ ମଧ୍ୟ ସ୍ଵର୍ଗରାଜ୍ୟରେ ଏକ ଉଚ୍ଚ ସ୍ଥାନର ଅଧିକାରୀ ଅବଶ୍ୟ ହେବୁ । ରାମଙ୍କର ସେବା କରୁଥିବୁ, ସକଳ ଦେବତା କରପତ୍ର ଯୋଡ଼ି ଯାହାଙ୍କର ଆରାଧନା କରୁଛନ୍ତି ।” ଏବଂ ଶେଷରେ ସୀତାଙ୍କୁ ମଧ୍ୟ କହିଲେ, “ରାମ ତୋତେ ପରିତ୍ୟାଗ କରୁଥିଲେ ବୋଲି ତୁ କଦାପି କ୍ଷୁବ୍ଧ ହେବୁନାହିଁ; କେବଳ ତୋ’ର ମଙ୍ଗଳ ଲାଗି ହିଁ ତାହା ହେଉଥିଲା-। ବର୍ତ୍ତମାନ ତୁ ଯେଉଁ ଗୌରବର ଅଧିକାରିଣୀ ହେଲୁ, ତାହା କୌଣସି ନାରୀର ଭାଗ୍ୟରେ କଦାପି ସମ୍ଭବ ହେବନାହିଁ ।” ଜଣେ ପତ୍ନୀର କର୍ତ୍ତବ୍ୟ ତୋତେ ଅତ୍ୟନ୍ତ ଉତ୍ତମରୂପେ ଜଣା ଅଛି-। ତୋ’ର ପତି ଯେ ତୋ’ ପାଇଁ ବସ୍ତୁତଃ ଦେବତାସ୍ୱରୂପ, ଏକଥା ତୋତେ କହିବାର କୌଣସି ପ୍ରୟୋଜନ ନାହିଁ ।” ଏହାପରେ ଦଶରଥ ନିଜ ରଥରେ ବସି ଇନ୍ଦ୍ରଙ୍କର ସ୍ଵର୍ଗପୁରକୁ ପ୍ରସ୍ଥାନ କରିଥିଲେ-

 

ଏହାପରେ ରାମଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇ ଇନ୍ଦ୍ର କର ଯୋଡ଼ି କରିଥିଲେ : “ହେ ଆଦିପୁରୁଷ ରାମ, ଆମେ ଏତେ ଦେବତା ଯେ ବିନା ପ୍ରୟୋଜନରେ ଆପଣଙ୍କ ପାଖକୁ ଆସିଛୁ, ସେ କଥା ନୁହେଁ । ଆପଣ ଏବେ ନିଜର ଇଚ୍ଛାମତେ ଗୋଟିଏ ବର ମାଗନ୍ତୁ ।” ରାମ ହୃଷ୍ଟ ହୋଇ ଉତ୍ତର ଦେଇଥିଲେ, “ହେ ସ୍ଵର୍ଗାଧିପତି ଏବଂ ବଚନପ୍ରବର ଇନ୍ଦ୍ରଦେବ, ଆପଣ ମୋତେ ଏହି ବର ଦିଅନ୍ତୁ ଯେ ଏହି ସମରରେ ଜୀବନହାନି ଘଟିଥିବା ସକଳ ବାନର ପୁନର୍ବାର ଜୀବିତ ହୋଇ ନିଜ ପତ୍ନୀ ତଥା ସନ୍ତାନମାନଙ୍କ ପାଖକୁ ଫେରି ଯାଅନ୍ତୁ । ମୋ’ ପାଇଁ ଯୁଦ୍ଧ କରି ମୃତ୍ୟୁ ଲାଗି କୌଣସି ଭୟ ନରଖି ଏତେ କଠୋର ଶ୍ରମମାନ କରିଥିବା ଭଲ୍ଲୁକ ଓ ବାନର ମାନଙ୍କୁ ଆପଣ ପୁନର୍ବାର ଜୀବିତ କରାଇ ଦିଅନ୍ତୁ । ସେମାନଙ୍କ ନିମନ୍ତେ ସର୍ବଦା ଓ ସର୍ବତ ଯଥେଷ୍ଟ ପରିମାଣରେ ଫୁଲ, ଫଳ ଏବଂ ମୂଳ ଉପଲବ୍ଧ ହେଉ” । ଏବଂ ଇନ୍ଦ୍ର ସେହି ମହାନ୍ ବରଟିକୁ ମଧ୍ୟ ପ୍ରଦାନ କଲେ; ଏହାଫଳରେ ନିଦରୁ ଉଠିଲା ପରି ବହୁ ସଂଖ୍ୟକ ବାନର ପ୍ରାଣ ପାଇ ଉଠି ବସିଲେ । କ’ଣ ହେଲା, କ’ଣ ହେଲା” ବୋଲି ପଚାରିବାକୁ ଲାଗିଲେ । ତା’ପରେ ପୁନର୍ବାର ରାମଙ୍କୁ ସମ୍ବୋଧନ କରି ଦେବତାମାନେ କହିଥିଲେ, “ବାନରମାନଙ୍କୁ ବିଦାୟ ଦେଇ ଆପଣ ବର୍ତ୍ତମାନ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରନ୍ତୁ । ସୀତାଙ୍କୁ ମଧ୍ୟ ସାନ୍ତ୍ଵନା ଦିଅନ୍ତୁ, ଭରତ ପାଖକୁ ଯାଇ ଅଯୋଧ୍ୟାରେ ରାଜଗାଦୀରେ ବସନ୍ତୁ । ଅଯୋଧ୍ୟାବାସୀଙ୍କୁ ସୌଭାଗ୍ୟ ଆଣି ଦିଅନ୍ତୁ !” ଏହା ପରେ ଦେବତାମାନେ ସେଠାରୁ ପ୍ରସ୍ଥାନ କଲେ ଏବଂ ହରଷିତ ସେନାବାହିନୀଟି ନିଜ ଶିବିରକୁ ଚାଲି ଯାଇଥିଲା ।

 

ରାମଙ୍କର ପ୍ରତ୍ୟାବର୍ତ୍ତନ

 

ରାତି ପାହି ପ୍ରତ୍ୟୁଷ ହେଲା; ବିଭୀଷଣ ତାଙ୍କୁ ଦେଇଥିବା ପୁଷ୍ପକ ବିମାନରେ ଆରୋହଣ କରି ରାମ ଯାତ୍ରା ନିମନ୍ତେ ପ୍ରସ୍ତୁତ ହେଲେ । ସେହି ବିମାନ ସ୍ଵୟଂ ଚାଲି ପାରୁଥିଲା; ବୃହତ୍ ଥିଲା ଓ ସୁଦୃଶ୍ୟ ଭାବରେ ଚିତ୍ରିତ ହୋଇଥିଲା । ବିମାନରେ ଦୁଇଟି ମହଲା, ଗବାକ୍ଷ ଏକାଧିକ ଥିଲା–ପ୍ରକୋଷ୍ଠମାନ ରହିଥିଲା ଓ ପତାକାଦି ଦ୍ଵାରା ସୁଶୋଭିତ ଦେଖା ଯାଉଥିଲା ଏବଂ ଆକାଶପଥରେ ଗତି କରୁଥିବା ସମୟରେ ସେଥିରୁ ଏକ ମୃଦ୍ୟୁ ସଙ୍ଗୀତଧ୍ୱନି ମଧ୍ୟ ନିର୍ଗତ ହେଉଥିଲା । ତହୁଁ ବିଭୀଷଣ ଆସି କହିଥିଲେ: “ମୁଁ ଆପଣଙ୍କର ଆଉ କ’ଣ ସେବା କରିପାରିବି ?” ରାମ ଉତ୍ତର ଦେଲେ, “ମୋ’ର କାର୍ଯ୍ୟଟିକୁ ସମ୍ପୂର୍ଣ୍ଣ କରିଥିବା ଏହି ଭଲ୍ଲୁକ ଏବଂ ବାନରମାନଙ୍କୁ ଆପଣ ମଣିମୁକ୍ତା ତଥା ଅନ୍ୟାନ୍ୟ ସମ୍ପଦ ପ୍ରଦାନ କରନ୍ତୁ । ସେମାନେ ତା’ପରେ ଯେଝା ଯେଝା ଘରକୁ ଚାଲି ଯିବେ । ଏବଂ ଆପଣ ଜଣେ ଧର୍ମରେ ତତ୍ପର, ଆତ୍ମସଂଯତ, ଦୟାଶୀଳ ଶାସକ ରୂପେ ରାଜତ୍ଵ କରନ୍ତୁ । ନ୍ୟାୟ ସହିତ ରାଜ୍ୱସ ଆଦାୟ କରନ୍ତୁ, ଯେପରିକି ସକଳ ପ୍ରଜା ଆପଣଙ୍କର ଅନୁଗତ ହୋଇ ରହିବେ ।” ନିର୍ଦ୍ଦେଶ ଅନୁସାରେ ବିଭୀଷଣ ସମସ୍ତଙ୍କୁ ନାନା ସମ୍ପଦ ପ୍ରଦାନ କଲେ, ଏବଂ ରାମ ବିଭୀଷଣଙ୍କ ସମେତ ସମସ୍ତ ଭଲ୍ଲୁକ ଓ ବାନରମାନଙ୍କଠାରୁ ବିଦାୟ ନେଉଥିଲେ । ମାତ୍ର ସେମାନେ ଏକ ସ୍ଵରରେ ଚିତ୍କାର କରି କହିଲେ, “ଆପଣଙ୍କ ସହିତ ଆମେ ମଧ୍ୟ ଅଯୋଧ୍ୟା ଯିବୁ ।” ରାମ ସହର୍ଷ ମନରେ ସେମାନଙ୍କୁ ସେଥିଲାଗି ନିମନ୍ତ୍ରଣ ଜଣାଇଲେ । ସୁଗ୍ରୀବ, ବିଭୀଷଣ ଏବଂ ସମଗ୍ର ସମସ୍ତେ ସେହି ବିଶାଳ ବିମାନ ଉପରେ ଯାଇ ଆରୁଡ଼ ହେଲେ । ସୁବର୍ଣ୍ଣ ହଂସମାନଙ୍କ ଦ୍ଵାରା ଚଳିତ ବିମାନଟି ଆକାଶକୁ ଉଠି ଯାଇଥିଲା ଏବଂ ବାୟୁ ମାର୍ଗରେ ଗତି କରିବାକୁ ଲାଗିଲା । ବାନର, ଭଲ୍ଲୁକ ଏବଂ ରାକ୍ଷସ ନିଃଶଙ୍କ ଭାବରେ ସେହି ବିମାନରେ ଚାଲି ଯାଉଥିଲେ ।

 

କିନ୍ତୁ, ବିମାନଟି ସୁଗ୍ରୀବଙ୍କର ରାଜଧାନୀ କିସ୍କିନ୍ଧା ନଗର ଉପର ଦେଇ ଗଲାବେଳେ ସୁଗ୍ରୀବଙ୍କର ପତ୍ନୀ ତାରାଙ୍କୁ ମଧ୍ୟ ସାଙ୍ଗରେ ଅଯୋଧ୍ୟା ନେବା ପାଇଁ ସୀତା ରାମଙ୍କୁ ଅନୁରୋଧ କଲେ; ଅନ୍ୟାନ୍ୟ କପି ମୁଖ୍ୟଙ୍କର ପତ୍ନୀମାନେ ମଧ୍ୟ ଯିବେ ବୋଲି କହିଥିଲେ । ବିମାନ ଅଟକିଥିଲା ଓ ସୁଗ୍ରୀବ ଯାଇ ତାରା ତଥା ଅନ୍ୟାନ୍ୟ ପତ୍ନୀମାନଙ୍କୁ ନେଇ ଆସିଥିଲେ । ସମସ୍ତଙ୍କୁ ବହି ବିମାନ ଅଯୋଧ୍ୟା ଉଦ୍ଦେଶ୍ୟରେ ଚାଲିଲା । ସେମାନେ ଚିତ୍ରକୂଟକୁ ଅତିକ୍ରମ କଲେ, ଯମୁନା ଓ ଗଙ୍ଗାର ତ୍ରିସଂଗମକୁ ମଧ୍ୟ ଡେଇଁ ଗଲେ; ଏବଂ ଶେଷରେ ଅଯୋଧ୍ୟା ଦୃଷ୍ଟି ଗୋଚର ହୋଇ ଆସିଲା । ତହୁଁ ଭଲ୍ଲୁକ, କପି ଯୂଥ ତଥା ବିଭୀଷଣ ଅଯୋଧ୍ୟାକୁ ଚାହିଁ ଦେଖିବା ଲାଗି ଉଠି ଛିଡ଼ା ହୋଇଗଲେ । ଇନ୍ଦ୍ରଙ୍କର ରାଜଧାନୀ ଅମରାବତୀପୁର ପରି ଅଯୋଧ୍ୟା ଝଲମଲ ଦେଖା ଯାଉଥିଲା ।

 

ଚଉଦବର୍ଷର ନିର୍ବାସନ–ସମୟ ପୂରିବାକୁ ଆଉ କେବଳ ପାଞ୍ଚଦିନ ଥିଲା, ମୁନି ଭରଦ୍ଵାଜଙ୍କ ସହିତ ରାମଙ୍କର ସାକ୍ଷାତ ଘଟିଲା । ରାମ ମୁନିଙ୍କଠାରୁ ଜାଣିବାକୁ ପାଇଲେ ଯେ ଭରତ ତାଙ୍କର ଫେରିଆସିବା ଲାଗି ଅପେକ୍ଷା କରି ରହିଛନ୍ତି; ଭରତ ଜଣେ ଯତିର ଜୀବନ ଯାପନ କରୁଛନ୍ତି ଓ ପାଦୁକା ଗୁଡ଼ିକର ପୂଜା କରୁଛନ୍ତି । ଭରଦ୍ଵାଜ ଗୋଟିଏ ବର ମଧ୍ୟ ଦେଇଥିଲେ ଯେ ରାମ ଚାଲି ଯାଉଥିବା ସଙ୍ଗେ ଅଯୋଧ୍ୟା ଯିବା ମାର୍ଗରେ ଅବସ୍ଥିତ ବୃକ୍ଷ ସମୂହ ପୁଷ୍ପ ଏବଂ ଫଳରେ ପୂର୍ଣ୍ଣ ହୋଇ ଉଠିବେ,–ଉଚିତ ଋତୁ ହୋଇନଥିଲେ ମଧ୍ୟ ସେହିପରି ହିଁ ହେବ । ଏହା ଫଳରେ ଭରଦ୍ଵାଜଙ୍କର ଆଶ୍ରମଠାରୁ ଅଯୋଧ୍ୟା ପର୍ଯ୍ୟନ୍ତ ରହିଥିବା ତିନି ଯୋଜନ ମାର୍ଗ ବୃକ୍ଷମାନେ ଫୁଲ ଏବଂ ଫଳରେ ଶୋଭିତ ହୋଇ ଉଠିଲେ ଏବଂ ବାନରମାନେ ସତେଅବା ସ୍ଵର୍ଗରେ ଆସି ପହଞ୍ଚିଯିବା ପରି ଅନୁଭବ କରିଥିଲେ । କିନ୍ତୁ ଅଯୋଧ୍ୟା ଓ ଭରତଙ୍କଠାରୁ ସମ୍ବାଦ ବହନ କରି ଆଣିବା ସକାଶେ ହନୁମାନଙ୍କୁ ଆଗୁଆ ପଠାଇ ଦିଆଗଲା ଏବଂ ସେ ମାନବରୂପ ଧାରଣ କରି ତତକ୍ଷଣାତ ଅଯୋଧ୍ୟା ଯାତ୍ରା କରିଥିଲେ । ହନୁମାନ ଯାଇ ଯୋଗୀର ପରିଚ୍ଛଦ ପିନ୍ଧିଥିବା ଭରତଙ୍କୁ ତାଙ୍କର କୂଟୀରରେ ସାକ୍ଷାତ କଲେ; ଭରତ ଅତ୍ୟନ୍ତ କୃଶ ଏବଂ ରୁଗ୍‍ଣ ଦେଖା ଯାଉଥିଲେ, ମାତ୍ର ତଥାପି ଜଣେ ମହାପତିଙ୍କ ପରି ଉଜ୍ଜଳ ମଧ୍ୟ ଦିଶୁଥିଲେ । ପାଦୁକାମାନଙ୍କର ପ୍ରତିନିଧିରୂପେ ହିଁ ରାଜ୍ୟର ଶାସନ କରୁଥିଲେ । ଚିତ୍ରକୂଟ ଠାରେ ଦୁଇ ଭ୍ରାତା ବିଚ୍ଛିନ୍ନ ହେବା ପରଠାରୁ ଘଟିଥିବା ସକଳ ସମାଚାର ହନୁମାନ ଭରତଙ୍କୁ ତା’ପରେ ଜ୍ଞାନ କରାଇଥିଲେ । ଭରତଙ୍କର ହୃଦୟ ଆନନ୍ଦରେ ପୂର୍ଣ୍ଣ ହୋଇ ଉଠିଲା ଓ ସେ ସମଗ୍ର ନଗରୀକୁ ରାମଙ୍କର ଆଗମନ ନିମନ୍ତେ ପ୍ରସ୍ତୁତ କରିବା ଲାଗି ନିର୍ଦ୍ଦେଶ ପ୍ରଦାନ କଲେ । ନଗରୀରେ ଥିବା ସବୁ ଦେବତାଙ୍କୁ ସଙ୍ଗୀତ ତଥା ପୁଷ୍ପଦ୍ଵାରା ଅର୍ଚ୍ଚନା କରାଯିବ ଏବଂ ରାମଙ୍କର ଅଭ୍ୟର୍ଥନା ଲାଗି ସମସ୍ତେ ଉପସ୍ଥିତ ରହିବେ । ନଗରପଥଗୁଡ଼ିକୁ ଜଳ ଢାଳି ସିକ୍ତ କରାଗଲା, ପତାକାମାନ ଉଡ଼ିଲେ ଏବଂ ନଗରୀତମାମ ଅଶ୍ଵାରୋହୀ ବାହିନୀ, ବିମାନ ଏବଂ ହସ୍ତୀମାନଙ୍କର ସମାଗମରେ କୋଳାହଳରେ ପୂରି ଉଠିଲା । ତା’ପରେ ରାମ ଆସିଲେ, ଭରତ ତାଙ୍କର ପାଦଗୁଡ଼ିକୁ ଧୋଇ ବନ୍ଦନା କରିଥିଲେ ଏବଂ ତାଙ୍କୁ ବିନମ୍ରଭାବେ ପ୍ରଣାମ କଲେ । ରାମ ଭରତଙ୍କୁ ଉଠାଇ ନେଇ ବାହୁମଧ୍ୟରେ ଯାବୁଡ଼ି ଧରିଥିଲେ । ଭରତ ତା’ପରେ ସୀତାଙ୍କୁ ପ୍ରଣାମ କଲେ ଏବଂ ଲକ୍ଷ୍ମଣଙ୍କୁ ସ୍ଵାଗତ ଜଣାଇଲେ । କପିମୁଖ୍ୟମାନଙ୍କୁ ଆଲିଙ୍ଗନ କଲେ ଓ ସୁଗ୍ରୀବଙ୍କୁ ‘‘ଆମର ପଞ୍ଚମ ଭ୍ରାତା” ବୋଲି ସମ୍ବୋଧନ କରିଥିଲେ । ଏବଂ ବିଭୀଷଣଙ୍କର ମଧ୍ୟ ପ୍ରଶଂସା କଲେ ।

 

ତା’ପରେ ରାମ ନିଜ ମାଆଙ୍କୁ ସାକ୍ଷାତ କରିବାକୁ ଆସିଲେ ଓ ତାଙ୍କର ଚରଣସ୍ପର୍ଶ କଲେ । ପୁରୋହିତମାନଙ୍କୁ ଅଭିବାଦନ ଜଣାଇଥିଲେ । ତା’ପରେ ଭରତ ପାଦୁକାଗୁଡ଼ିକୁ ଆଣି ରାମଙ୍କର ଚରଣପାର୍ଶ୍ଵରେ ରଖିଦେଇଥିଲେ ଏବଂ କର ଯୋଡ଼ି ନିବେଦନ କଲେ : “ଆପଣଙ୍କ ରାଜ୍ୟର ଏହି ସବୁ କିଛି ଆପଣ ମୋ’ ଦାୟିତ୍ଵରେ ରଖି ଯାଇଥିଲେ ଏବଂ ବର୍ତ୍ତମାନ ମୁଁ ସେଗୁଡ଼ିକୁ ପୁଣି ଆପଣଙ୍କୁ ଅର୍ପଣ କରୁଛି । ଆପଣ ଜାଣନ୍ତୁ ଯେ ଆପଣଙ୍କର ଧନରତ୍ନ, ପ୍ରାସାଦ ତଥା ସେନାବାହିନୀ,–ଏହି ପ୍ରତ୍ୟେକଟିର ଦଶଗୁଣ ଅଭିବୃଦ୍ଧି ଘଟିଛି । ତା’ପରେ ଭରତଙ୍କୁ ନିଜର କ୍ରୋଡ଼କୁ ଟାଣିନେଇ ରାମ ଭରତଙ୍କର କୂଟୀର ଆଡ଼କୁ ଗମନ କଲେ ଏବଂ ସେଠାରେ ବିମାନରୁ ଅବତରଣ କରି ତାକୁ କହିଥିଲେ, “ବର୍ତ୍ତମାନ ତୁମେ ବୈଶ୍ରାବଣ ପାଖକୁ ଫେରିଯାଅ; ମୁଁ ତୁମକୁ ଛୁଟୀ ଦେଉଛି ।” ସେହି ସ୍ଵୟଂଚାଳିତ ବିମାନଟିକୁ ରାବଣ ତା’ର ବଡ଼ ଭାଇ ଠାରୁ ନେଇଥିଲା ଏବଂ ବର୍ତ୍ତମାନ ରାମଙ୍କ ଠାରୁ ଆଦେଶ ପାଇ କୁବେରଙ୍କ ପାଖକୁ ଫେରି ଯାଇଥିଲା ।”

 

ରାମ ଓ ସୀତାଙ୍କର ଅଭିଷେକ

 

ତା’ପରେ ରାମଙ୍କ ହାତରେ ରାଜ୍ୟକୁ ଅର୍ପଣ କରି ଭରତ କହିଥିଲେ : “ଆଜି ଆପଣଙ୍କର ଅଭିଷେକ ହେବ ଏବଂ ମଧ୍ୟଦିନର ଉଜ୍ଜ୍ଵଳ ସୂର୍ଯ୍ୟ ଭଳି ଆପଣଙ୍କର ସେହି ରୂପଟିକୁ ପୃଥିବୀ ପ୍ରତ୍ୟକ୍ଷ କରିବ । ଅଯୋଧ୍ୟା ପରି ଆମର ଏହି ସାମ୍ରାଜ୍ୟଟିର ବୋଝକୁ କେବଳ ଆପଣ ହିଁ ବହନ କରିପାରିବେ । ଆପଣଙ୍କୁ ଆଉ ମୋଟେ ନିର୍ଜନ ସ୍ଥାନମାନଙ୍କରେ ବାସ କରିବାକୁ ପଡ଼ିବ ନାହିଁ; ସଙ୍ଗୀତର ଧ୍ୱନି ଏବଂ ଲଳନାମାନଙ୍କର ନୁପୂରଶବ୍ଦ ଶୁଣି ଆପଣ ନିଦ୍ରା ଯିବେ ତଥା ନିଦ୍ରାରୁ ଉଠିବେ । ଯେ ପର୍ଯ୍ୟନ୍ତ ଏହି ସୂର୍ଯ୍ୟ ବିଦ୍ୟମାନ ରହିଛି ଏବଂ ଯେତେ ଦୂରଯାଏ ଏହି ପୃଥିବୀ ଯାଇଛି, ଆପଣ ସେତିକି କାଳ ପ୍ରଜାବର୍ଗଙ୍କର ଶାସନ କରନ୍ତୁ ।” ଉତ୍ତରରେ ରାମ ‘ତଥାସ୍ତୁ’ ବୋଲି କହିଥିଲେ ।

 

ତା’ପରେ କୁଶଳୀ କ୍ଷୌରକାରମାନେ ଆସିଲେ; ଏବଂ ରାମ ଓ ଲକ୍ଷ୍ମଣ ସ୍ନାନ ସମାପନ କରି ଦେହରୁ ଜଟାଯୂଥ ଓହ୍ଲାଇ ଚକ ଚକ କରୁଥିବା ରାଜ ପୋଷାକ ପରିଧାନ କଲେ । ଦଶରଥଙ୍କର ରାଣୀମାନେ ସୀତାଙ୍କୁ ମଧ୍ୟ ସୁଦୃଶ୍ୟ ରତ୍ନ ଗୁଡ଼ିକରେ ସଜ୍ଜିତ କରି ଦେଇଥିଲେ; କୌଶଲ୍ୟା ବାନରରମଣୀମାନଙ୍କୁ ସଜାଇଦେଲେ ଏବଂ ପୁରୋହିତମାନେ ଅଭିଷେକୋତ୍ସବ ନିମନ୍ତେ ଆଦେଶ ଦେଇଥିଲେ । ତା’ପରେ ରାମ ଭରତଙ୍କ ଦ୍ଵାରା ଟଣା ହେଉଥିବା ଗୋଟିଏ ବିମାନରେ ଆରୋହଣ କଲେ, ଶତ୍ରୁଘ୍ନ ଛତ୍ର ଧରିଲେ, ଲକ୍ଷ୍ମଣ ତଥା ବିଭୀଷଣ ବ୍ୟଜନ କରୁଥିଲେ । ସୁଗ୍ରୀବ ଗୋଟିଏ ହସ୍ତୀ ଉପରେ ଆରୋହଣ କରିଥିଲେ ଏବଂ ଅବଶିଷ୍ଟ କପି କୂଳ ପ୍ରାୟ ନଅଶହ ହାତୀଙ୍କର ପିଠି ଉପରେ ବସି ପଛରେ ଯାଉଥିଲେ । ସଂଗୀତ ଝଙ୍କୃତ ହୋଇ ଉଠୁଥିଲା, ଶଙ୍ଖମାନେ ବାଜୁଥିଲେ ଏବଂ ନରପତି ରାମ ନିଜର ନଗରୀ ମଧ୍ୟରେ ପ୍ରବେଶ କଲେ । ଚାରି ମହାସାଗରରୁ ପବିତ୍ର ଜଳ ଆଣିବା ନିମନ୍ତେ ହନୁମାନ, ଜାମ୍ବବାନ୍, ବେଗଦର୍ଶୀ ଏବଂ ଋଷଭଙ୍କୁ ଚାରିଗୋଟି ସୁବର୍ଣ୍ଣନିର୍ମିତ ଘଟ ଦିଆଯାଇଥିଲା ଏବଂ ସେମାନେ ଆକାଶମାର୍ଗରେ ଗତି କରି ଉତ୍ତର, ଦକ୍ଷିଣ, ପୂର୍ବ ଓ ପଶ୍ଚିମ ସୁଦୂରତମ ସମୁଦ୍ରପାର ମାନଙ୍କରୁ ପବିତ୍ର ଜଳ ବହନ କରି ଆଣିଲେ । ତା’ପରେ ବିଭୀଷଣ ରାମ ଏବଂ ସୀତାଙ୍କୁ ନେଇ ସୁବର୍ଣ୍ଣସିହାଂସନ ଉପରେ ବସାଇଦେଲେ, ସେମାନଙ୍କ ଉପରେ ପବିତ୍ର ଜଳ ସିଞ୍ଚନ କଲେ ଓ ରାମଙ୍କୁ ଆଯୋଧ୍ୟାର ନୃପତିରୂପେ ଅଭିଷିକ୍ତ କଲେ । ଏଥରେ ଦେବତାମାନେ ଉଲ୍ଲସିତ ହେଲେ, ଗନ୍ଧର୍ବଗଣ ସଂଗୀତ ଗାନ କଲେ ଏବଂ ଅପ୍ସରାମାନେ ନୃତ୍ୟ କରିବାକୁ ଲାଗିଲେ । ଧରଣୀ ଶସ୍ୟପରିପୂର୍ଣ୍ଣ ହୋଇ ଉଠିଲା, ବୃକ୍ଷମାନେ ଫଳ ପୁଷ୍ପରେ ଭରିଗଲେ ଏବଂ ସକଳ ମନୁଷ୍ୟଗଣ ଅତିଶୟ ଆନନ୍ଦିତ ହେଲେ; ହର୍ଷଧ୍ଵନି କଲେ । ରାମ ବ୍ରାହ୍ମଣମାନଙ୍କୁ ସ୍ଵର୍ଣ୍ଣ ଏବଂ ନାନାବିଧ ଅଳଙ୍କାର ଦାନ କରିଥିଲେ; ଗାଭୀ ଦେଇଥିଲେ, ଅଶ୍ଵ ଦେଇଥିଲେ । ଅଙ୍ଗଦକୁ ଗୋଟିଏ ରତ୍ନ ଖଚିତ ସୁନାର ହାର ପ୍ରଦାନ କଲେ, ଯାହାକୁ କି କେବଳ ଦେବତାମାନେ ହିଁ ପରିଧାନ କରିଥାନ୍ତି । ସିଏ ସୀତାଙ୍କୁ ମଧ୍ୟ ପଟାନ୍ତର ନଥିବା ବହୁ ମୁକ୍ତ ଏବଂ ଅନ୍ୟାନ୍ୟ ଆଭରଣ ତଥା ସୁଦୃଶ୍ୟ ପରିଧାନମାନ ଦେଲେ । କିନ୍ତୁ ସିତା ନିଜ ହାତରେ ସେହି ମୁକ୍ତାଗୁଡ଼ିକୁ ଧରି ପ୍ରଥମେ ନିଜର ସ୍ଵାମୀ ଓ ତା’ପରେ ହନୁମାନଙ୍କ ଆଡ଼କୁ ଚାହିଁ ଦେଖିଥିଲେ ଏବଂ ହନୁମାନଙ୍କ ଦ୍ଵାରା କୃତ ସକଳ ସେବା ତତ୍‌କ୍ଷଣାତ୍ ତାଙ୍କର ସ୍ମରଣ ହୋଇ ଯାଇଥିଲା । ରାମ ମଧ୍ୟ ସୀତାଙ୍କର ଇଚ୍ଛାଟିକୁ ବୁଝିପାରି ଆପଣାର ସମର୍ଥନ ଦେବାରୁ ସୀତା ସେହି ହାରଟିକୁ ଗଳାରେ ପରିଧାନ କରି ଚନ୍ଦ୍ରମାଧୌତ ଏବଂ ଲୋମଶ ମେଘଦ୍ଵାରା ଆବୃତ ଗୋଟିଏ ପର୍ବତ ସଦୃଶ ଦେଖା ଯାଉଥିଲେ । ଅନ୍ୟ ବୀରମାନଙ୍କୁ ମଧ୍ୟ ରାମ ମୁକ୍ତ ତଥା ଅନ୍ୟ ବହୁ ବହୁ ସମ୍ପଦ ପ୍ରଦାନ ଦ୍ଵାରା ଉପକୃତ କରିଥିଲେ ।

 

ଏହାପରେ ସୁଗ୍ରୀବ, ହନୁମାନ ଏବଂ ଜାମ୍ବବାନ୍ ନିଜନିଜର ଦଳବଳଙ୍କ ସହିତ ସ୍ଵଗୃହକୁ ପ୍ରସ୍ଥାନ କରିଥିଲେ ଏବଂ ବିଭୀଷଣ ମଧ୍ୟ ଲଙ୍କା ଅଭିମୁଖରେ ଯାତ୍ରା କଲେ । ରାମ ଅଯୋଧ୍ୟାର ପାଳନ କରିବାକୁ ଲାଗିଲେ; ତାଙ୍କର ରାଜତ୍ଵକାଳରେ ମନୁଷ୍ୟମାନେ ହଜାର ହଜାର ବର୍ଷ ବଞ୍ଚିଥିଲେ, ମେଘମାନେ ଉଚିତ ସମୟରେ ବର୍ଷୁଥିଲେ, ପବନମାନେ ସଦା ଅନୁକୂଳ ଥିଲେ, କେହି କୌଣସି ରୋଗରେ ପଡ଼ି ନଥିଲେ ଓ ବନ୍ୟଜନ୍ତୁ ତଥା ବହିଃଶତ୍ରୁର କୌଣସି ଆକ୍ରମଣ ହୋଇନଥିଲା । ସମସ୍ତ ପ୍ରଜା ସୁଖ ତଥା ସମ୍ଭୋଗରେ ରହିଲେ ।

 

ରାମ ଶାସନ କଲେ

 

ରାମ ସିଂହାସନରେ ଆସୀନ ହେବା ପରେ ସବୁ ମହାଯତିମାନେ ପୁନର୍ବାର ନିଜର ରାଜ୍ୟ ଫେରି ପାଇଥିବା ତାଙ୍କୁ ଦର୍ଶନ କରିବା ନିମନ୍ତେ ଆସି ପହଞ୍ଚିଲେ । ସେମାନେ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଚତୁର୍ଦ୍ଦିଗରୁ ଅଗସ୍ତ୍ୟଙ୍କର ନେତୃତ୍ଵରେ ଆଯୋଧ୍ୟା ଆସିଥିଲେ । ରାମ ସେମାନଙ୍କର ବିହିତ ଅଭ୍ୟର୍ଥନା କଲେ; ସେମାନଙ୍କ ଲାଗି ସୁଦୃଶ୍ୟ କୁଶାସନ ତଥା ସୁନରେ ଧଡ଼ି ପଡ଼ିଥିବା ମୃଗଛାଲମାନ ଯୋଗାଇ ଦେଇଥିଲେ । ମୁନିଗଣ ରାମଙ୍କର ଭୂୟସୀ ଗୁଣଗାନ କରିଥିଲେ; ବିଶେଷ କରି ରାବଣଠାରୁ ଅଧିକ ବଳଶାଳୀ ରାବଣର ପୁତ୍ରକୁ ଯେ ସିଏ ବଧ କରିଥିଲେ ଓ ମନୁଷ୍ୟ ତଥା ଦେବତାମାନଙ୍କୁ ଅଭୟ ଆଣି ଦେଲେ, ସେଇଥିପାଇଁ ତାଙ୍କର ପ୍ରଶଂସା କଲେ । ରାମ ସେମାନଙ୍କୁ ରାବଣ ଓ ରାବଣପୁତ୍ରର ପୂର୍ବ-ଇତିହାସ ବିଷୟରେ ବହୁ ପ୍ରଶ୍ନ ପଚାରିଥିଲେ ଏବଂ ମୁନୀମାନେ ରାକ୍ଷସମାନଙ୍କର ଉତ୍ପତ୍ତି ସମ୍ବନ୍ଧରେ ତାଙ୍କୁ ବିସ୍ତୃତ ଭାବରେ ସମସ୍ତ କଥା କହିଦେଲେ : ସେମାନେ କିପରି ଲଙ୍କାକୁ ଆସିଲେ, କିପରି ରାବଣ, କୁମ୍ଭକର୍ଣ୍ଣ ଓ ବିଭୀଷଣ କୁଳପିତା ବ୍ରହ୍ମାଙ୍କଠାରୁ ବରଲାଭ କରିଥିଲେ, ରାବଣ କ’ଣସବୁ କୁକାର୍ଯ୍ୟ କରିଥିଲା ଏବଂ ତାହାର ନିଧନ ସକାଶେ ଦେବତା ମାନେ କିପରି ବିଷ୍ଣୁଙ୍କୁ ମନୁଷ୍ୟ ରୂପେ ଜନ୍ମ ନେବା ପାଇଁ ପ୍ରାର୍ଥନା କରିଥିଲେ, ଇତ୍ୟାଦି ସବୁକଥା । ଠିକ୍ ସେହି ପରି ସେମାନେ ବାଳୀ, ସୁଗ୍ରୀବ ଏବଂ ହନୁମାନ–ଏହି ତିନି କପିଙ୍କର ଜନ୍ମବୃତାନ୍ତ ତଥା କୃତିଗୁଡ଼ିକର କାହାଣୀକୁ ମଧ୍ୟ କହିଥିଲେ । ଶେଷରେ କହିଲେ : ହେ ରାମ, ଏହି ରାକ୍ଷସ ସତ୍ୟଯୁଗରେ ମଧ୍ୟ ଆପଣଙ୍କ ସହିତ ଯୁଝିବାକୁ ଇଚ୍ଛା କରିଥିଲା; କାରଣ, ଯେଉଁମାନଙ୍କୁ ଦେବତାମାନେ ସଂହାର କରନ୍ତି, ସେମାନେ ପୁନର୍ବାର ପୃଥିବୀରେ ଜନ୍ମ ଗ୍ରହଣ କରିବା ପର୍ଯ୍ୟନ୍ତ ଦେବଲୋକକୁ ହିଁ ଯାଇଥାନ୍ତି; ବିଷ୍ଣୁ ଯେଉଁମାନଙ୍କୁ ସଂହାର କରନ୍ତି, ସେମାନେ ବିଷ୍ଣୁଙ୍କର ପୁରକୁ ଯାଆନ୍ତି । ଏହିପରି ଭାବରେ ତାଙ୍କର ଅଭିଶାପ ମଧ୍ୟ ଏକ ଆର୍ଶୀବାଦରେ ପରିଣତ ହୋଇଯାଏ । ଏବଂ, ସେହି ସକାଶେ ହିଁ ରାବଣ ସୀତାଙ୍କର ଅପହରଣ କରି ନେଇଥିଲା ଏବଂ ତାହାର ନିଧନ ଲାଗି ଆପଣଙ୍କୁ ମନୁଷ୍ୟ ରୂପ ଧାରଣ କରିବାକୁ ପଡ଼ିଲା । ହେ ମହାଭାଗ, ଆପଣ ହେଉଛନ୍ତି ସ୍ଵୟଂ ନାରାୟଣ । ଆପଣ ସେହି କଥାଟିକୁ ସ୍ମରଣ କରନ୍ତୁ,–ଆପଣ ସେହି ଶାଶ୍ଵତ ବିଷ୍ଣୁ ଓ ସୀତା ହେଉଛନ୍ତି ଲକ୍ଷ୍ମୀ ।”

 

ସ୍ଵୟଂ ରାମ ତଥା ସେଠାରେ ସମବେତ ହୋଇଥିବା ସମସ୍ତେ–ରାମଙ୍କର ଭାଇମାନେ, ବାନରମୁଖ୍ୟମାନେ, ବିଭୀଷଣ ଓ ତାଙ୍କ ସହିତ ଆସିଥିବା ରାକ୍ଷସମାନେ, ଅଧୀନସ୍ଥ ରାଜନ୍ୟ ବୃନ୍ଦ, ଏବଂ ଅଯୋଧ୍ୟା ବାସୀ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଏବଂ ଶୂଦ୍ର,–ଏହି ମହାମୁନିମାନଙ୍କର କଥାଗୁଡ଼ିକୁ ଶୁଣି ବିସ୍ମିତ ହୋଇଗଲେ । ତା’ପରେ ଅଗସ୍ତ୍ୟ ରାମଙ୍କଠାରୁ ବିଦାୟ ନେଲେ ଏବଂ ରାତ୍ରି ସମାଗତ ହୋଇ ଆସିଲା ।

 

ହନୁମାନ ପୁରସ୍କୃତ ହେଲେ

 

ବାନରମାନେ ମାସାଧିକ ସମୟ ଅଯୋଧ୍ୟାରେ ରହିଥିଲେ, ଆନନ୍ଦଉତ୍ସବ କଲେ; ମଧୁ ତଥା ସୁପ୍ରସ୍ତୁତ ଭୋଜନମାନ ପାଇଲେ, ନାନା ଫଳମୂଳ ଭକ୍ଷଣ କରିଥିଲେ । ଏହି ଦୀର୍ଘ ସମୟଟି ସେମାନଙ୍କୁ ସତେଅବା ମୁହୂର୍ତ୍ତକ ଭଳି ଲାଗିଲା, କାରଣ ରାମଙ୍କ ପ୍ରତି ରହିଥିବା ସେମାନଙ୍କର ଅନୁରକ୍ତି ସେମାନଙ୍କୁ ଅଭିଭୂତ କରି ରଖିଥିଲା । ପରିଶେଷରେ ସେମାନଙ୍କର ମଧ୍ୟ ବିଦାୟଗ୍ରହଣ କରିବାର ସମୟ ଆସି ପହଞ୍ଚିଥିଲା । ରାମ ସେମାନଙ୍କୁ ସକଳଙ୍କୁ ହିଁ ଅତ୍ୟନ୍ତ ସ୍ନେହରେ ଆଲିଙ୍ଗନ କରିଥିଲେ ଏବଂ ସେମାନଙ୍କୁ ଉତ୍ତମ ଉପହାରମାନ ପ୍ରଦାନ କଲେ । ମାତ୍ର ହନୁମାନ ରାମଙ୍କୁ ପ୍ରଣାମ କରି ଏପରି ଏକ ବର ମାଗିଲେ ଯାହାଫଳରେ କି ମନୁଷ୍ୟମାନେ ରାମଙ୍କର କଥା ଶୁଣିଥିବା ଯାଏ ସିଏ ମଧ୍ୟ ଏହି ପୃଥିବୀରେ ବଞ୍ଚି ରହିଥିବେ । ରାମ ତଥାସ୍ତୁ ବୋଲି କହିଲେ ଓ ନିଜ ବେକରୁ ଗୋଟିଏ ରତ୍ନହାର ବାହାର କରି ତାଙ୍କ ଗଳାରେ ନେଇ ଲମ୍ବାଇଦେଲେ । କପିମାନେ କଣ କଣ ହୋଇ ଆସି ରାମଙ୍କର ଚରଣସ୍ପର୍ଶ କରିଥିଲେ ଏବଂ ପ୍ରସ୍ଥାନ କଲେ । ରାମଙ୍କଠାରୁ ଦୂରକୁ ଚାଲିଯିବେ ବୋଲି ଦୁଃଖରେ ଅଶ୍ରୁବର୍ଷଣ କରୁଥିଲେ ।

 

ସୀତାଙ୍କର ଦ୍ଵିତୀୟ ପରୀକ୍ଷା

 

ରାମ ତା’ପରେ ଦଶହଜାର ବର୍ଷଯାଏ ଅଯୋଧ୍ୟାରେ ପ୍ରଜାମାନଙ୍କୁ ପାଳନ କଲେ । ଏବଂ ଘଟଣାକ୍ରମେ ସୀତା ମଧ୍ୟ ଗର୍ଭବତୀ ହୋଇଥିଲେ । ସୀତାଙ୍କର ମନରେ କୌଣସି ବିଶେଷ ବାସନା ରହିଛି କି ନାହିଁ ବୋଲି ରାମ ପ୍ରଶ୍ନ କରନ୍ତେ ସୀତା ଗଙ୍ଗାତଟରେ ଅବସ୍ଥିତ ଋଷିଆଶ୍ରମଗୁଡ଼ିକୁ ଥରେ ଯିବାଲାଗି ଇଚ୍ଛା ପ୍ରକାଶ କରିଥିଲେ । ରାମ ସମ୍ମତି ପ୍ରଦାନ କଲେ ତହିଁ ଆରଦିନ ପାଇଁ ସେହି ଯାତ୍ରାଟି ନିର୍ଦ୍ଧାରିତ ହୋଇ ଯାଇଥିଲା ।

 

ସେହି ରାତ୍ରିରେ ଘଟଣା କ୍ରମେ ରାମ ନିଜର ପରାମର୍ଶଦାତା ଏବଂ ମିତ୍ରମାନଙ୍କ ସହିତ କଥା ହେଉଥିବା ସମୟରେ “ଅଯୋଧ୍ୟାର ଅଧିବାସୀମାନେ ସୀତା, ମୋ’ର ସମସ୍ତ ଭାଇ ଏବଂ କୈକେୟୀଙ୍କ ସମ୍ପର୍କରେ କ’ଣସବୁ କହୁଛନ୍ତି” ବୋଲି ରାମ ସେମାନଙ୍କ ମଧ୍ୟରୁ ଜଣେ ଉତ୍ତର ଦେଇ କହିଥିଲେ ଯେ, ସେମାନେ ସମସ୍ତେ ରାବଣ ଉପରେ ରାମଙ୍କର ବିଶାଳ ବିଜୟଲାଭଟି ବିଷୟରେ ହିଁ କଥା ହେଉଛନ୍ତି । ରାମ ଆହୁରି ଅଧିକ ନିର୍ଦ୍ଦିଷ୍ଟ କରି ସମାଚାର ଦେବାପାଇଁ ଚାପ ଦେବାରୁ ଆଉଜଣେ ପରାମର୍ଶଦାତା କହିଥିଲେ, "ହଁ, ଆପଣଙ୍କର ମହାବୀରୋଚିତ କାର୍ଯ୍ୟ ବିଷୟରେ ଏବଂ ଭଲ୍ଲୁକ, ବାନର ତଥା ରାକ୍ଷସଙ୍କ ସହିତ ମେଣ୍ଟ ବାନ୍ଧିବା ବିଷୟରେ ସେମାନେ ଅବଶ୍ୟ ପରସ୍ପରକୁ କହୁଛନ୍ତି ସତ, କିନ୍ତୁ ଆପଣ ଯେ ପୁନର୍ବାର ସୀତାଙ୍କୁ ଗ୍ରହଣ କଲେ, ରାବଣ ତାଙ୍କୁ ସ୍ପର୍ଶ କରିଛି ଏବଂ ସୀତା ଲଙ୍କାପୁରରେ ଦୀର୍ଘକାଳ ଯାଇ ରହିଛନ୍ତି ବୋଲି ଜାଣିଥିବା ସତ୍ତ୍ୱେ ଯେ ଆପଣ ସୀତାଙ୍କୁ ଗ୍ରହଣ କଲେ, ଏହି ବିଷୟରେ ଲୋକମାନଙ୍କ ଭିତରେ ଏକ ଗୁଞ୍ଜରଣ ଅବଶ୍ୟ ଶୁଣାଯାଉଛି । ଆପଣ ସୀତାଙ୍କୁ ତଥାପି ସ୍ଵୀକାର କରି ନେଇଛନ୍ତି ବୋଲି ସେମାନେ ମନ୍ତବ୍ୟ କରୁଛନ୍ତି । “ହଁ, ଆମେ ମଧ୍ୟ ଏଣିକି ଆମ ସ୍ତ୍ରୀମାନଙ୍କ କୁକର୍ମଗୁଡ଼ିକୁ ଜାଣି ମଧ୍ୟ ନ ଜାଣିଲା ପରି ହେବୁ ଓ ସେଗୁଡ଼ିକୁ କ୍ଷମା କରିଦେବୁ, କାରଣ ପ୍ରଜାମାନେ ତ ସର୍ବଦା ନିଜ ରାଜାର ହିଁ ଅନୁକରଣ କରନ୍ତି’ ବୋଲି ସେମାନେ କହୁଛନ୍ତି ।’’

 

ଏକଥା ଶୁଣି ରାମଙ୍କର ହୃଦୟ ଅତ୍ୟନ୍ତ ଦବି ଯାଇଥିଲା ଏବଂ ପରାମର୍ଶଦାତା ମାନଙ୍କୁ ବିଦାୟ ଦେଇ ସେ ନିଜର ଭାଇମାନଙ୍କୁ ଡକାଇ ପଠାଇଥିଲେ । ଭାଇମାନେ ଆସି ଯୁକ୍ତକର ହୋଇ ଛିଡ଼ା ହେଲେ ଏବଂ ତାଙ୍କର ପାଦକୁ ସ୍ପର୍ଶ କଲେ । ମାତ୍ର ଜ୍ୟେଷ୍ଠଭ୍ରାତଙ୍କୁ ଅତ୍ୟନ୍ତ ବିରସ ହୋଇ ପଡ଼ିଥିବାର ଦେଖି ଓ ତାଙ୍କର ଆଖି ଅଶ୍ରୁପୂର୍ଣ୍ଣ ହୋଇ ରହିଥିବାର ଅବଲୋକନ କରି ତାଙ୍କ ମୁହଁରୁ କିଛି କଥା ଶୁଣିବା ନିମନ୍ତେ ବହୁ ଶଙ୍କାର ସହିତ ଅପେକ୍ଷା କରି ରହିଲେ । ରାମ ସେମାନଙ୍କ ଆଗରେ ନିଜର ଶୁଣିଥିବା କଥାଟିକୁ ପ୍ରକାଶ କରିଥିଲେ : “ଏହି ଅପବାଦଗୁଡ଼ିକ ମୋତେ ଅତିଶୟ କ୍ଷୁବ୍ଧ କରି ପକାଉଛି : କାରଣ ମୁଁ ଏକ ସୁବିଜ୍ଞାତ ପରିବାରରେ ଜନ୍ମଗ୍ରହଣ କରିଛି ଏବଂ ସୀତା ମଧ୍ୟ ସେହିପରି ଏକ ସମ୍ଭ୍ରାନ୍ତ ପରିବାରରୁ ଆସିଛନ୍ତି । ପୁନଶ୍ଚ, ନିଜର ନିର୍ଦ୍ଦୋଷତା ପ୍ରମାଣ କରିବା ନିମନ୍ତେ ତୁମମାନଙ୍କ ସମକ୍ଷରେ ଏକ ଅଗ୍ନିପରୀକ୍ଷାରୁ ବି ଉତ୍ତୀର୍ଣ୍ଣ ହୋଇଛନ୍ତି ଓ ଅଗ୍ନି, ମରୁତ୍ ତଥା ଅନ୍ୟ ସବୁ ଦେବତା ତାଙ୍କୁ ନିଷ୍କଳଙ୍କ ବୋଲି ଘୋଷଣା ମଧ୍ୟ କରିଛନ୍ତି । ଏବେ ମଧ୍ୟ ମୋ’ ର ହୃଦୟ ତାଙ୍କୁ କଳଙ୍କରହିତ ବୋଲି ଜାଣିଛି । ମାତ୍ର, ଲୋକମାନଙ୍କର ଅପବାଦ ମୋତେ ତୀରପରି ଆସି ବିଦ୍ଧ କରିଦେଇଛି; ମୋ’ ପାଇଁ ଏହି ନିନ୍ଦା ଅତ୍ୟନ୍ତ ମର୍ମଘାତୀ ହେଉଛି ଓ ଏହି ନିନ୍ଦାଠାରୁ ହୁଏତ ମୃତ୍ୟୁ ହିଁ ଶ୍ରେୟସ୍କର ହେବ ବୋଲି ମୁଁ ବିଚାରୁଛି । ତେଣୁ, ହେ, ଲକ୍ଷ୍ମଣ, ତୁମେ ଆଉ ମୋତେ କୌଣସି ପ୍ରଶ୍ନ ନ ପଚାରି ଆସନ୍ତା କାଲି ସୀତାଙ୍କୁ ଗଙ୍ଗାତଟରେ ଅବସ୍ଥିତ ବାଲ୍ମୀକିଙ୍କର ଆଶ୍ରମକୁ ନେଇଯାଅ; ସୀତା ଅନୁଭବ କରନ୍ତୁ ସତେଯେପରି ତାଙ୍କ ମନରେ ଏଯାବତ୍ ରହିଥିବା ଗୋଟିଏ ବାସନାର ପୂରଣ ନିମନ୍ତେ ମୁଁ ଏପରି କରୁଛି । ଏବଂ ତୁମକୁ ମୋ’ର ଜୀବନର ତଥା ମୋ’ ଅସ୍ତ୍ରଗୁଡ଼ିକର ରାଣ ଯେ ତୁମେ ମୋତେ ଏହି ନିଷ୍ପତ୍ତିକୁ ଟଳାଇଦେବା ସକାଶେ ଆଦୌ କୌଣସି ପ୍ରୟାସ କରନାହିଁ; କାରଣ ନଚେତ୍ ମୁଁ ତୁମକୁ ମୋ’ର ଶତ୍ରୁ ବୋଲି ହିଁ ଜାଣିବି ।’’ ରାମଙ୍କର ନୟନଯୁଗଳ ଅଶ୍ରୁପୂର୍ଣ୍ଣ ହୋଇ ରହିଥିଲେ ଏବଂ ଗୋଟିଏ ଆହତ ହସ୍ତୀ ପରି ସେ ସେଠାରୁ ଉଠି ନିଜର ପ୍ରକୋଷ୍ଠକୁ ଚାଲି ଯାଇଥିଲେ ।

 

ପରଦିନ ପ୍ରଭାତରେ ଲକ୍ଷ୍ମଣ ଗୋଟିଏ ସୁସଜ୍ଜିତ ରଥ ଆଣି ସୀତାଙ୍କୁ ଆସି କହିଥିଲେ, “ଆପଣଙ୍କର ବାସନାକୁ ପୂରଣ କରିବା ନିମନ୍ତେ ରାମ ମୋତେ ଗଙ୍ଗାନଦୀର ତଟରେ ଅବସ୍ଥିତ ଆଶ୍ରମଗୁଡ଼ିକୁ ଦେଖାଇନେବା ପାଇଁ ଆଦେଶ ଦେଇଛନ୍ତି” । ଏକଥା ଶୁଣି ସାଙ୍ଗରେ ବହୁମୂଲ୍ୟ ନାନା ଉପହାର ଧରି ଅତ୍ୟନ୍ତ ଆଗ୍ରହର ସହିତ ରଥ ଉପରେ ଯାଇ ସୀତା ବସିଲେ । ଦିନକ ପରେ ସେମାନେ ଗଙ୍ଗାର ତଟରେ ପହଞ୍ଚିଲେ । ଗଙ୍ଗାର ଜଳ ସକଳ ପାପକୁ ସମ୍ପୂର୍ଣ୍ଣ ଭାବରେ ହରଣ କରି ନେଇଥାଏ । ମାତ୍ର ସେଠାରେ ଛିଡ଼ା ହୋଇ ଲକ୍ଷ୍ମଣ ଭୋ’ ଭୋ’ ହୋଇ କାନ୍ଦି ଉଠିଥିଲେ । ସୀତା ଏହି କ୍ରନ୍ଦନର କାରଣ ପଚାରି କହିଲେ, “ମୋଟେ ଦୁଇଦିନ ପୂର୍ବେ ତ ତୁମେ ରାମଙ୍କୁ ଦେଖିଥିଲ : ମୋ’ ପାଇଁ ରାମ ହେଉଛନ୍ତି ପ୍ରାଣଠାରୁ ଅଧିକ ପ୍ରିୟ । ମାତ୍ର ମୁଁ ତଥାପି ତୁମପରି ଏତେ ଦୁଃଖିତ ଅନୁଭବ କରୁନାହିଁ । ତୁମେ ମୋତେ ବର୍ତ୍ତମାନ ନଦୀର ଅପର ତଟକୁ ନେଇଯାଅ, ଯେପରିକି ମୁଁ ମୁନିମାନଙ୍କୁ ଭେଟି ସାଙ୍ଗରେ ଆଣିଥିବା ଉପହାରଗୁଡ଼ିକୁ ପ୍ରଦାନ କରିପାରିବ ଏବଂ ତା’ପରେ ଆମେ ପୁଣି ଅଯୋଧ୍ୟା ଫେରିଯିବା । ବସ୍ତୁତଃ ମୁଁ ମଧ୍ୟ ମୋ’ର ଭର୍ତ୍ତାଙ୍କୁ ଦେଖିବାଲାଗି ବ୍ୟଗ୍ର ଅନୁଭବ କରୁଛି, କମଳଦଳସଦୃଶ ନୟନ, ସିଂହ ସଦୃଶ କଟି ଧାରଣ କରିଥିବା ସେହି ଶ୍ରେଷ୍ଠତମ ପୁରୁଷଙ୍କୁ ଦେଖିବା ଲାଗି । ଲକ୍ଷ୍ମଣ ନାଉରୀକୁ ଡାକିଲେ ଓ ସେମାନେ ନଦୀ ପାର ହେଲେ । ସେହି ଅପର ତଟରେ ଯୁକ୍ତକର ହୋଇ ସେ ସୀତାଙ୍କ ଆଗରେ କହିଲେ ଯେ ସୀତାଦେବୀ ତାଙ୍କୁ ଅବଶ୍ୟ କ୍ଷମା ଦେବେ ଓ ଆଦୌ ତାଙ୍କୁ ଦୋଷ ଦେବେନାହିଁ । ତା’ପରେ କହିଲେ, “ଏଇଟି ଏପରି ଦୁଖଦାୟକ କଥା ଯେ ଶବ୍ଦରେ ବହୁତ କଷ୍ଟରେ ହିଁ ବ୍ୟକ୍ତ କରାଯାଇ ପାରିବ । ତଥାପି ମୁଁ ଆପଣଙ୍କୁ କଥାଟିକୁ କହିବାକୁ ବାଧ୍ୟ ହେଉଛି ଯେ, ରାମ ଆପଣଙ୍କୁ ବର୍ଜନ କରିଛନ୍ତି, କାରଣ ଅଯୋଧ୍ୟାର ଅଧିବାସୀମାନେ ଆପଣଙ୍କର ବିରୋଧରେ ନାନା ମନ୍ତବ୍ୟ ପ୍ରଦାନ କରିଛନ୍ତି । ଆପଣଙ୍କୁ ଏଠାକୁ ଆଣି ଛାଡ଼ିଯିବାକୁ ସେ ମୋତେ ଆଦେଶ ଦେଇଛନ୍ତି; ସତେଅବା ଆପଣଙ୍କର ଏକ ବାସନା ପୂରଣ କରିବା ସକାଶେ ଆପଣଙ୍କୁ ଏଠାକୁ ଅଣାଯାଉଛି, ଆପଣଙ୍କ ମନରେ ସେହିଭଳି ଧାରଣାଟିଏ ଦିଆଯାଇଛି । ମାତ୍ର ହେ ଦେବୀ, ଆପଣ ଦୁଃଖ କରନ୍ତୁନାହିଁ, କାରଣ ଆପଣ ସଂପୂର୍ଣ୍ଣ ନିର୍ଦ୍ଦୋଷ ବୋଲି ମୁଁ ଉତ୍ତମରୂପେ ଜାଣିଛି । ଏବଂ ଏଠାରେ ଆପଣ ଆମ ପିତାଙ୍କର ଜଣେ ମିତ୍ର ଋଷି ବାଲ୍ମୀକିଙ୍କ ସହିତ ଅବସ୍ଥାନ କରିବେ । ଆପଣ ନିରନ୍ତର ସେହି ରାମଙ୍କୁ ସ୍ମରଣ କରିବେ, ଦେବତାମାନଙ୍କର ସେବା କରିବେ । ତେଣୁ ଆପଣଙ୍କୁ ସର୍ବଦେବଙ୍କର ଆଶୀର୍ବାଦ ହିଁ ପ୍ରାପ୍ତ ହେଉ-।’’ ଏପରି ଶ୍ରବଣ କରି ସୀତା ମୂର୍ଚ୍ଛିତା ହୋଇ ତଳେ ପଡ଼ି ଯାଇଥିଲେ, ମାତ୍ର ପୁନର୍ବାର ଚେତା ହୋଇ ଅତ୍ୟନ୍ତ ଚେତା ହୋଇ ଅତ୍ୟନ୍ତ ବୀତଶ୍ରଦ୍ଧ ହୋଇ ଅଭିଯୋଗ କରି କହିଥିଲେ : “ହାୟ ହାୟ, କୌଣସି ପୂର୍ବ ଜନ୍ମରେ ମୁଁ ନିଶ୍ଚୟ ଘୋର ପାପ କରିଛି, ଯାହାଫଳରେ କି ମୋତେ ଏପରି ବାରମ୍ବାର ବିଚ୍ଛିନ୍ନ ହେବାକୁ ପଡ଼ୁଛି, କୌଣସି ଅପରାଧ କରି ନଥିଲେ ମଧ୍ୟ ପଡ଼ୁଛି । ହେ ଲକ୍ଷ୍ମଣ, ପଞ୍ଚବଟୀର ଅରଣ୍ୟବାସ ମୋତେ ଆଦୌ କଷ୍ଟଦାୟକ ଲାଗି ନଥିଲା, କାରଣ ସେଠାରେ ମୁଁ ରାମଙ୍କର ସେବା କରି ପାରୁଥିଲି । ମାତ୍ର ବର୍ତ୍ତମାନ ମୁଁ କିପରି ଏକାକୀ ବନରେ ରହିପାରିବି ଏବଂ, କେଉଁ ଦୋଷ କରିଥିବାରୁ ମୁଁ ଏପରି ନିର୍ବାସିତ ହେଲି ବୋଲି ମୋତେ କେହି ପଚାରିଲେ ମୁଁ ପ୍ରକୃତରେ କି ଉତ୍ତର ବା ଦେବି ? ବରଂ ଏହି ନଦୀର କୂଳରେ ବୁଡ଼ିଯାଇ ପ୍ରାଣ ହରାଇବା ପଛକେ, ମାତ୍ର ତଥାପି ମୋ’ ପତିଙ୍କର ବଂଶରେ କୌଣସି କଳଙ୍କ ଲଗାଇବି ନାହିଁ । ତୁମେ ରାମଙ୍କର ଆଦେଶକୁ ଅବଶ୍ୟ ପାଳନ କର, କିନ୍ତୁ ମୋ’ର ଏହି ସନ୍ଦେଶଟିକୁ ତାଙ୍କ ପାଖରେ ନିଶ୍ଚୟ ପହଞ୍ଚାଇ ଦେବ : “ହେ ରାମ, ଆପଣ ଉତ୍ତମରୂପେ ଜାଣିଛନ୍ତି ଯେ ମୋ’ ଠାରେ କୌଣସି କଳଙ୍କ ଲାଗିନାହିଁ ଏବଂ ମୁଁ ସଂପୂର୍ଣ୍ଣ ଭାବରେ ହିଁ ଆପଣଙ୍କଠାରେ ସମର୍ପିତ ହୋଇ ରହିଛି । ମୁଁ ବୁଝିପାରୁଛି ଯେ କେବଳ ନିନ୍ଦା ଏଡ଼ାଇବା ନିମନ୍ତେ ହିଁ ଆପଣ ମୋତେ ବର୍ଜନ କରିଛନ୍ତି ଏବଂ ଏହିପରି ଗୋଟିଏ ସ୍ଥିତିରେ ମଧ୍ୟ ଆପଣଙ୍କର ଅନୁଗତା ହୋଇ ରହିବା ମୋ’ର କର୍ତ୍ତବ୍ୟ ହୋଇ ରହିବ-। ସ୍ଵାମୀ ହେଉଛି ଜଣେ ନାରୀର ଦେବତା, ତା’ର ବନ୍ଧୁ ଓ ତା’ର ଗୁରୁ । ମୋତେ ଭୋଗିବାକୁ ପଡ଼ୁଥିବା ଦୁର୍ଦ୍ଦଶା ପାଇଁ ମୁଁ ଆଦୌ ଦୁଃଖିତ ନୁହେଁ, ମାତ୍ର ଲୋକମାନେ ମୋତେ ଅପବାଦ ଦେଇଛନ୍ତି ବୋଲି ଦୁଃଖିତ । ଲକ୍ଷ୍ମଣ, ତୁମେ ରାମଙ୍କ ପାଖରେ ମୋ’ର ଏହିସବୁ କଥା କହିବ ।’’ ଏହାପରେ ଲକ୍ଷ୍ମଣ ଏଣେ ତେଣେ ପଦଚାରଣା କଲେ ଏବଂ ଉଚ୍ଛ ସ୍ଵରରେ ରୋଦନ କରିବାକୁ ଲାଗିଲେ । ତା’ ପରେ ବାଲ୍ମୀକୀଙ୍କର ସନ୍ତାନମାନେ ତାଙ୍କୁ ସେଠାରେ ଦେଖିଲେ; ଖବର ପାଇ ମୁନି ବାଲ୍ମୀକି ନଦୀତଟକୁ ଆସିଥିଲେ ଓ ସୀତାଙ୍କୁ ସାନ୍ତ୍ଵନା ଦେଲେ । ତାଙ୍କ ନିଜର ଆଶ୍ରମକୁ ନେଇ ଆସିଥିଲେ ଏବଂ ଆଦରର ସହିତ ସାଙ୍ଗରେ ରଖିବା ପାଇଁ ଋଷିପତ୍ନୀ ମାନଙ୍କ ହାତରେ ଅର୍ପଣ କରିଥିଲେ ।

 

ଲକ୍ଷ୍ମଣ ଫେରିଆସି ଦେଖିଲେ, ଅଗ୍ରଜ ଗଭୀର ଦୁଃଖରେ ନିମଗ୍ନ ହୋଇ ରହିଛନ୍ତି, ତାଙ୍କର ଚକ୍ଷୁଦ୍ୱୟ ଲୋତକଦ୍ଵାରା ପୂରି ଯାଇଛି । ଏହି ଦୃଶ୍ୟ ଦେଖି ସିଏ ମଧ୍ୟ ଦୁଃଖିତ ହେଲେ, ତାଙ୍କର ଚରଣସ୍ପର୍ଶ କରି କର ଯୋଡ଼ି ଠିଆ ହେଲେ ଓ କହିଥିଲେ: “ହେ ମହାଭାଗ, ମୁଁ ଆପଣଙ୍କର ସମସ୍ତ ଆଦେଶ ପାଳନ କରିଛି ଓ ସେହି ଅସାମାନ୍ୟ ନାରୀଙ୍କୁ ବାଲ୍ମୀକିଙ୍କର ଆଶ୍ରମରେ ଛାଡ଼ିଦେଇ ଆସିଛି । ସେହି ବିଷୟରେ ଆପଣ କୌଣସି ଚିନ୍ତା କରନ୍ତୁନାହିଁ; ଏସବୁ କାଳର ହିଁ କରଣି ଏବଂ ତେଣୁ ବିଜ୍ଞମାନେ ସେଥିଲାଗି କୌଣସି ଶୋଚନା କରନ୍ତିନାହିଁ । ଯେଉଁଠାରେ ବୃଦ୍ଧି ରହିଛି, ସେଠାରେ କ୍ଷୟ ମଧ୍ୟ ରହିଛି, ଯେଉଁଠି ଉନ୍ନତି ରହିଛି, ସେଠାରେ ବିନାଶ ମଧ୍ୟ ରହିଛି, ଜନ୍ମ ଥିଲେ ମୃତ୍ୟୁ ଅବଶ୍ୟ ରହିଛି । ତେଣୁ, ପତ୍ନୀ, ସୁତ, ବନ୍ଧୁବାନ୍ଧବ ସେ ଧନସମ୍ପତ୍ତି ପ୍ରତି କୌଣସି ଆସକ୍ତି ରହିବା ଅନୁଚିତ, କାରଣ ଦିନେ ନା ଦିନେ ଅବଶ୍ୟ ବିଚ୍ଛେଦ ଘଟିବ । ଆପଣ ନିଜ ପ୍ରଜାମାନଙ୍କ ଆଗରେ ମଧ୍ୟ ନିଜର ଦୁଃଖକୁ ପ୍ରକାଶ କରିବେନାହିଁ, କାରଣ ତା’ହେଲେ ସେମାନେ ଆପଣଙ୍କୁ ପୁନର୍ବାର ଅପବାଦ ଦେବେ ।’’

 

ଏହିସବୁ ବାକ୍ୟ ଶୁଣି ରାମ ସାନ୍ତ୍ଵନା ଲାଭ କଲେ, ଲକ୍ଷ୍ମଣଙ୍କର କଥାକୁ ଏବଂ ତାଙ୍କର ଶ୍ରଦ୍ଧାକୁ ବହୁତ ପ୍ରଶଂସା କରିଥିଲେ । ତା’ପରେ ସେ ଅପେକ୍ଷା କରିଥିବା ପୁରୋହିତ ଓ ପରାମର୍ଶଦାତାମାନଙ୍କୁ ଡକାଇ ପଠାଇଲେ ଏବଂ ପୁନର୍ବାର ରାଜକାର୍ଯ୍ୟରେ ତତ୍ପର ରହିଲେ । ମାତ୍ର ସେଦିନ କୌଣସି ଗୁହାରି ଜଣାଇ କେହି ରାଜାଙ୍କ ପାଖକୁ ଆସିନଥିଲେ, କାରଣ ରାମଙ୍କର ଶାସନରେ ରୋଗ ବା ଦାରିଦ୍ର୍ୟ କିଛି ନଥିଲା ଓ ତେଣୁ କେହି ପ୍ରତିକାର ଲୋଡ଼ୁନଥିଲେ । ମାତ୍ର ଲକ୍ଷ୍ମଣ ବାହାରକୁ ଯିବା ସମୟରେ ଗୋଟିଏ କୁକୁରଙ୍କୁ ଭେଟିଥିଲେ; କୁକୁରଟି ଫାଟକ ପାଖରେ ଛିଡ଼ା ହୋଇ ଭୋକିବାରେ ଲାଗିଥାଏ । ଲକ୍ଷ୍ମଣ କୁକୁରଟିକୁ ତା’ର କି ଦୁଃଖ ବୋଲି ପଚାରିଲେ । କୁକୁର ଉତ୍ତର ଦେଇଥିଲା, ଯେଉଁ ରାମ ସକଳ ପ୍ରାଣୀଙ୍କୁ ଆଶ୍ରୟ ଦିଅନ୍ତି ଓ ସେମାନଙ୍କୁ ‘କୌଣସି ଭୟ କରନାହିଁ ବୋଲି କହନ୍ତି, ମୁଁ ମୋ’ର ବକ୍ତବ୍ୟ କେବଳ ସେହି ରାମଙ୍କ ପାଖରେ ହିଁ ନିବେଦନ କରିଚି ।’’ ଲକ୍ଷ୍ମଣ ଫେରିଆସି ରାମଙ୍କୁ ସେହି ସମ୍ବାଦ ଦେଲେ ଏବଂ ରାମ କୁକୁରଟିକୁ ଡକାଇ ପଠାଇଥିଲେ । ମାତ୍ର କୁକୁରଟି ତଥାପି ଯାଉନଥାଏ ଏବଂ କହୁଥାଏ, “ଆମେ ହେଉଛୁ ଅଧମତମ ପ୍ରାଣୀ ଏବଂ ତେଣୁ ଦେବତା, ରାଜନ୍ୟ ଓ ବ୍ରାହ୍ମଣମାନଙ୍କର ପୁରରେ ପ୍ରବେଶ କରିବାଲାଗି ଆମର କୌଣସି ଅଧିକାର ନାହିଁ ।" ଲକ୍ଷ୍ମଣ ଏହି ଖବରଟିକୁ ମଧ୍ୟ ରାମଙ୍କ ପାଖରେ ନେଇ ପହଞ୍ଚାଇ ଦେଲେ; ମାତ୍ର ରାମ ପୁନର୍ବାର କୁକୁରଟି ଡକାଇ ପଠାଇଲେ, ତାକୁ ପୁରରେ ପ୍ରବେଶ କରିବାକୁ ଅନୁମତି ଦେଲେ ।

 

ରାମଙ୍କ ନ୍ୟାୟ

 

ତା’ପରେ ସେ ଭିତରକୁ ପ୍ରବେଶ କଲା ଓ ରାମଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇ ରାମଙ୍କର ସତ୍ୟନିଷ୍ଟାର ବହୁତ ପ୍ରଶଂସା କରି ତାଙ୍କଠାରୁ କ୍ଷମାଭିକ୍ଷା କରିଥିଲା । ରାମ ପଚାରିଲେ, “ମୁଁ ତୋ’ ପାଇଁ କ’ଣ କରି ପାରିବି, ତୁ ଆଦୌ କୌଣସି ଭୟ ନକରି ମୋ’ ଆଗରେ ତାହା ପ୍ରକାଶ କର !’’ ଭରସା ପାଇ କୁକୁରଟି ବର୍ଣ୍ଣନା କରି କହିଥିଲା ଯେ ଜଣେ ବ୍ରାହ୍ମଣ ଯତି ଆଦୌ କୌଣସି କାରଣ ନଥାଇ ନୃଶଂସ ଭାବରେ ତାକୁ ପ୍ରହାର କରିଛନ୍ତି । ରାମ ସେହି ବ୍ରାହ୍ମଣଙ୍କୁ ଡକାଇ ପଠାଇଥିଲେ ଏବଂ ବ୍ରାହ୍ମଣ ଆସି ଉପସ୍ଥିତ ହେବାରୁ ତାଙ୍କୁ କୁକୁରକୁ ପ୍ରହାର କରିଥିବାର କାରଣ ପଚାରିଥିଲେ । ରାମ ସମସ୍ତ ପ୍ରସଙ୍ଗ ଶୁଣି କାରଣଗୁଡ଼ିକୁ ଦେଇ କହିଲେ, “ହେ ଦ୍ଵିଜବର, ଏହି କୁକୁର ଆପଣଙ୍କୁ କୌଣସି ଆଘାତ ନେଇନଥିଲେ ମଧ୍ୟ ଆପଣ ତାହାକୁ ଆଘାତ କରିଛନ୍ତି । ଆପଣ ଜାଣିଛନ୍ତି ଯେ କ୍ରୋଧ ହେଉଛି ଗୋଟିଏ ଅତ୍ୟନ୍ତ ନିକୃଷ୍ଟ ସ୍ଵଭାବ,–ଠିକ ଗୋଟିଏ ତୀକ୍ଷ୍ଣ ଛୁରୀକା ପରି; ତାହା ମନୁଷ୍ୟର ସକଳ ସୁଗୁଣକୁ ହରଣ କରି ନେଇଥାଏ । କୌଣସି ତରବାରୀ, ଏକ ସର୍ପ ଅଥବା ଜଣେ ଅତିଦୁର୍ଦ୍ଧଶ ଶତ୍ରୁଦ୍ଵାରା ମଧ୍ୟ ଯାହା ନହୁଏ, ଆତ୍ମସଞ୍ଜମର ଅଭାବଦ୍ଵାରା ତାହାଠାରୁ ଅଧିକ ଅନିଷ୍ଟ ହୋଇଥାଏ ।’’ ବ୍ରାହ୍ମଣ ଉତ୍ତର ଦେଇ କହିଥିଲେ : “ମହାଶୟ, ମୁଁ ଭିକ୍ଷା ମାଗି ଅତ୍ୟନ୍ତ କ୍ଳାନ୍ତ ଏବଂ କ୍ଷୁଧାତୁର ହୋଇ ପଡ଼ିଥିଲି ଏବଂ ମୁଁ ବହୁତ କହିବା ସତ୍ତ୍ୱେ ଏହି କୁକୁର ତଥାପି ମୋ’ ବାଟରୁ ହଟିନଥିଲା । ଏବଂ ତେଣୁ ମୁଁ ତାହାକୁ ପ୍ରହାର କରିଛି । କିନ୍ତୁ ହେ ନରପତି, ଏଭଳି କରି ମୁଁ ନିଶ୍ଚୟ ଦୋଷ କରିଛି ଏବଂ ଆପଣ ମୋତେ ଅବଶ୍ୟ ଶାସ୍ତି ଦିଅନ୍ତୁ । ତେବେ ଯାଇ ମୁଁ ନରକର ଦଣ୍ଡରୁ ମୁକ୍ତି ଲାଭ କରି ପାରିବି ।’’

 

ରାମ ଏହି ଦୋଷର ଏକ ଉପଯୁକ୍ତ ଦଣ୍ଡ ବିଷୟରେ ଚିନ୍ତା କରୁଛନ୍ତି, ମାତ୍ର କୁକୁରଟି ତାଙ୍କୁ ଏକ ଅନୁରୋଧ ଜଣାଇ କହିଥିଲା, “ଆଜ୍ଞା, ଆପଣ ଏହି ବ୍ରାହ୍ମଣଙ୍କୁ ଗୋଟିଏ ପରିବାରର ମୁଖ୍ୟ କରିଦିଅନ୍ତୁ ।’’ ରାମ କୁକୁରର କଥାକୁ ରକ୍ଷା କରି ବ୍ରାହ୍ମଣଙ୍କୁ ହାତୀ ଉପରେ ବସାଇ ବିଦାୟ କରି ଦେଇଥିଲେ । ଏଥିରେ ପରାମର୍ଶଦାତାମାନେ ବହୁତ ଆଚମ୍ବିତ ହେବାରୁ ରାମ ସେମାନଙ୍କୁ କହିଲେ, “ଆପଣମାନେ କଥାଟିକୁ ବୁଝି ପାରୁନାହାନ୍ତି, କିନ୍ତୁ ଏହାର ତାତ୍ପର୍ଯ୍ୟଟିକୁ ଏହି କୁକୁର ଉତ୍ତମରୂପେ ଜାଣିଛି । ରାମଙ୍କର ଆଦେଶରେ ତା’ପରେ କୁକୁରଟି କହିଥିଲା, “ମୁଁ ନିଜେ ମଧ୍ୟ ଏକଦା ଗୋଟିଏ ପରିବାରର ମୁଖ୍ୟ ଥିଲି, ଦେବତା ତଥା ବ୍ରାହ୍ମଣମାନଙ୍କର ବିହିତ ସେବା କରୁଥିଲି, ସ୍ଵୟ˚ ଭୋଜନ କରିବା ପୂର୍ବରୁ ଭୃତ୍ୟମାନଙ୍କୁ ଖୁଆଉଥିଲି, ମୁଁ ଅତ୍ୟନ୍ତ ଭଦ୍ର ଥିଲି, ଉଦାର ମଧ୍ୟ ଥିଲି-। ତଥାପି ଏହି କୁକୁରର ଗତି ଲାଭ କଲି । ହେ ରାଜନ୍, ଏହି ବ୍ରାହ୍ମଣ ଜଣେ ନିଷ୍ଠୁର ବ୍ୟକ୍ତି ଓ ତାଙ୍କଠାରେ ଯଥେଷ୍ଟ ଧୈର୍ଯ୍ୟ ମଧ୍ୟ ନାହିଁ । ଫଳରେ ସିଏ ପରିବାରର ମୁଖ୍ୟ ହିସାବରେ ନିଜର କର୍ତ୍ତବ୍ୟ କରିବାରେ ଅବଶ୍ୟ ଅକ୍ଷମ ହେବେ ଏବଂ ତେଣୁ ନରକକୁ ଯିବେ ।’’ କୁକୁରର କଥାଗୁଡ଼ିକୁ ଶୁଣି ରାମ ବିସ୍ମିତ ହୋଇ ଯାଇଥିଲେ । ମାତ୍ର କୁକୁରଟି ସେଠାରୁ ପ୍ରସ୍ଥାନ କରି ବାରଣାସୀରେ ଯାଇ ତପସ୍ୟା କରିଥିଲା ।

 

ଆଉ ଦିନେ ଆଉଜଣେ ବ୍ରାହ୍ମଣ ମଧ୍ୟ ଆସି ପହଞ୍ଚିଥିଲେ; ସେ ନିଜ ପୁତ୍ରର ମୃତଦେହକୁ କାନ୍ଧରେ ପକାଇ ଆସିଥିଲେ । ପ୍ରାସାଦର ଫାଟକ ପାଖକୁ ଆସି ରୋଦନ କରି କହିଥିଲେ, “ହାୟ ମୋ’ର ପୁତ୍ରରେ, ତୋତେ ମାତ୍ର ଚଉଦବର୍ଷ ବୟସ ହୋଇଛି, ତଥାପି ମୁଁ ଜାଣି ପାରୁନାହିଁ ମୋର କେଉଁ ପାପ ହେତୁ ତୋ’ର ନିଧନ ଘଟିଲା । ମୁଁ କେବେହେଲେ ମିଥ୍ୟା କରିନାହିଁ, କୌଣସି ଜୀବକୁ ପ୍ରହାର କରିନାହିଁ ଅଥବା ଅନ୍ୟ କୌଣସି ପାପ ଆଚରି ନାହିଁ । ତେଣୁ ନିଶ୍ଚୟ ଅନ୍ୟ କୌଣସି କାରଣରୁ ହିଁ ତୋତେ ଆଜି ଯମଙ୍କର ପୁରକୁ ଯିବାକୁ ପଡ଼ିଲା ! ବସ୍ତୁତଃ, ରାଜ୍ୟର ରାଜା ହିଁ ଅବଶ୍ୟ କୌଣସି ଅପରାଧ କରିଛନ୍ତି, କାରଣ ତା’ ନହେଲେ ତାଙ୍କର ପ୍ରଜାମାନଙ୍କୁ କଦାପି ଏଭଳି ଦୁର୍ଗତିରେ ପଡ଼ିବାକୁ ଆଦୌ ହୁଅନ୍ତା ନାହିଁ । ତେଣୁ ହେ ରାଜା, ଆପଣ ହିଁ ମୋ’ର ପୁତ୍ରର ଜୀବନକୁ ଫେରାଇ ଆଣନ୍ତୁ । ଏବଂ ଯଦି ଆପଣ ତାହା ନକରିବେ, ତେବେ କୌଣସି ରାଜା ନଥିବା ଛେଉଣ୍ଡ ପ୍ରଜାଙ୍କ ପରି ମୋ’ର ପତ୍ନୀ ଓ ମୁଁ ଏଠାରେ ପ୍ରାଣ ହରାଇବୁ !’’

 

ଏକଥା ଶୁଣି ରାମ ଆଥଯାନ ମୁଖ୍ୟ ବ୍ରାହ୍ମଣଙ୍କର ଏକ ପରିଷଦ ଡାକିଥିଲେ ଏବଂ, ବାଳକଟି କାହିଁକି ଅକାଳମୃତ୍ୟୁର କବଳରେ ପଡ଼ିଲା, ପ୍ରଥମେ ନାରଦ ରାମଙ୍କୁ ସେହିକଥା ବୁଝାଇ କହିଲେ । ସିଏ ରାମଙ୍କୁ ଚାରି ଯୁଗ ବିଷୟରେ କହିଥିଲେ : “ଏବଂ ହେ ରାଜନ୍, ଏବେ କଳିଯୁଗଟି ଆରମ୍ଭ ହୋଇ ଗଲାଣି, କାରଣ ଆପଣଙ୍କର ରାଜ୍ୟରେ ଜଣେ ଶୂଦ୍ର ମଧ୍ୟ ତପସ୍ୟା କରିବାକୁ ଆରମ୍ଭ କରିଛି ଏବଂ ସେହି କାରଣରୁ ଏହି ବାଳକଟିର ମୃତ୍ୟୁ ଘଟିଛି । ତେଣୁ ଆପଣ ବିଷୟଟିର ଅନୁସନ୍ଧାନ କରନ୍ତୁ ଏବଂ ଏଭଳି ଅବିହିତ କାର୍ଯ୍ୟମାନ ବନ୍ଦ କରାନ୍ତୁ, ଯେପରିକି ଆପଣଙ୍କ ପ୍ରଜାମାନଙ୍କର ଧର୍ମବୃଦ୍ଧି ହେବ ଓ ଏହି ବାଳକଟି ମଧ୍ୟ ତଦ୍ଦ୍ଵାରା ପୁନର୍ବାର ଜୀବନ ଲାଭ କରିବ ।’’

 

ବାଳକର ମୃତଦେହଟି ଅନୁକୂଳ ତୈଳଦ୍ଵାରା ସୁରକ୍ଷିତ ହୋଇ ରହୁ ବୋଲି ରାମ ଆଦେଶ ପ୍ରଦାନ କଲେ ଏବଂ ସ୍ଵୟଂଚାଳିତ ଯାନ ପୁଷ୍କକକୁ ସ୍ମରଣ କରିବା ମାତ୍ରକେ ପୁଷ୍କକ ମଧ୍ୟ ତାଙ୍କର ମନ ଜାଣି ତତ୍‌କ୍ଷଣାତ୍ ସେଠାରେ ଆସି ଉପସ୍ଥିତ ହୋଇଗଲା । ରାମ ବିମାନରେ ବସି ସର୍ବତ୍ର ସନ୍ଧାନ କରିଥିଲେ ମଧ୍ୟ ପଶ୍ଚିମ, ଉତ୍ତର ତଥା ପୂର୍ବ ଦିଗରେ କୌଣସି ଅଣଆଚାରର ଠାବ ପାଇନଥିଲେ । କେବଳ, ଦକ୍ଷିଣ ଦିଗରେ ଗୋଟିଏ ସରୋବରର ପାର୍ଶ୍ଵରେ ସେ ଜଣେ ଯୋଗୀକୁ ନିଜ ମସ୍ତକ ଉପରେ ଦଣ୍ଡାୟମାନ ହୋଇ କଠୋରତମ ନାନା ସାଧନା କରୁଥିବାର ଦେଖିବାକୁ ପାଇଲେ । ରାମ ପଚାରିଥିଲେ : “ହେ ଭାଗ୍ୟବନ୍ତ ଏବଂ ଆତ୍ମନିଷ୍ଠ ତପସ୍ଵୀ, ଆପଣ କିଏ, ଆପଣଙ୍କର କି ବର୍ଣ୍ଣ ଏବଂ ଆପଣ କ’ଣ ଲାଭ କରିବାକୁ, ସ୍ଵର୍ଗଲାଭ ଅଥବା ଆଉ କେଉଁ ଅଭିଳାସରେ ଏହି ସାଧନା କରୁଛନ୍ତି ?” ଯୋଗୀ ଉତ୍ତର ଦେଲେ, “ହେ ମହାନ୍ ପୁରୁଷ ରାମ, ମୁଁ ଶୂଦ୍ରବଂଶରେ ଜାତ ଏବଂ ସ୍ଵର୍ଗଲାଭ ନିମନ୍ତେ ଏଠାରେ ଏହି ତପସ୍ୟା କରୁଛି ।’’ ଏକଥା ଶୁଣି ରାମ ନିଜ ତରବାରୀକୁ ବାହାର କରି ଯୋଗୀଙ୍କର ମସ୍ତକକୁ କାଟି ଦେଇଥିଲେ । ଦେବତାମାନେ କାର୍ଯ୍ୟଟିର ପ୍ରଶଂସା କରି ଉର୍ଦ୍ଧ୍ଵରୁ ପୁଷ୍ପବୃଷ୍ଟି କରିଥିଲେ । ମାତ୍ର ଶୂଦ୍ର ଯୋଗୀଙ୍କୁ ମଧ୍ୟ ସ୍ଵର୍ଗଲୋକ ପ୍ରାପ୍ତ ହୋଇଥିଲେ । ତା’ ପରେ ରାମ ଦେବତାମାନଙ୍କୁ ପ୍ରାର୍ଥନା କରି ନିବେଦନ କରିଥିଲେ, “ଆପଣମାନେ ଯଦି ମୋ’ର ଏହି କାର୍ଯ୍ୟରେ ପ୍ରକୃତରେ ତୁଷ୍ଟ ହୋଇଛନ୍ତି, ତେବେ ବ୍ରାହ୍ମଣର ପୁତ୍ରକୁ ପୁନଃଜୀବିତ କରିଦିଅନ୍ତୁ ଏବଂ ମୋ’ ପ୍ରତିଜ୍ଞାର ପୂରଣ କରନ୍ତୁ ।’’ ଦେବତାମାନେ ତଥାସ୍ତୁ ବୋଲି କହିଲେ ଓ ରାମ ଅଯୋଧ୍ୟାକୁ ଫେରି ଆସିଥିଲେ । ଇତି ମଧ୍ୟରେ ବାଲ୍ମୀକିଙ୍କର ଆଶ୍ରମରେ ଅବସ୍ଥାନ କରୁଥିବା ସୀତା ଦୁଇ ପୁତ୍ର ପ୍ରସବ କରିଥିଲେ ଓ ସେମାନଙ୍କୁ ଲବ ଓ କୁଶ ନାମରେ ନାମିତ କରା ଯାଇଥିଲା । ଦୁଇ ପୁତ୍ର ଅରଣ୍ୟର ସେହି ଆଶ୍ରମରେ ହିଁ ବଢ଼ିଲେ, ଋଷି ବାଲ୍ମୀକିଙ୍କ ଠାରୁ ବିଦ୍ୟାଲାଭ କଲେ । ଶ୍ଳୋକର ଶୈଳୀର ଏହି ରାମାୟଣ ଗ୍ରନ୍ଥର ରଚନା କରି ଋଷି ବାଳକ ଦୁହିଁଙ୍କୁ ଶ୍ଳୋକଗୁଡ଼ିକୁ ଆବୃତ୍ତି କରିବାର କୌଶଳ ମଧ୍ୟ ଶିଖାଇ ଦେଇଥିଲେ ।

 

ରାମଙ୍କର ଅପତ୍ୟଦ୍ୱୟ

 

ସେହି ସମୟରେ ରାମ ଗୋଟିଏ ଅଶ୍ଵମେଧ ଯଜ୍ଞର ମଧ୍ୟ ଆୟୋଜନ କରିଥିଲେ । ଗୋଟିଏ ଚିକ୍କଣ କଳା ଅଶ୍ଵକୁ ସୌଭାଗ୍ୟର ଶକୁନଚିହ୍ନ ଗୁଡ଼ିକ ସହିତ ଯାତ୍ରା କରିବାକୁ ଛାଡ଼ି ଦିଆ ଯାଇଥିଲା ଏବଂ ଲକ୍ଷ୍ମଣ ତାହାର ଅନୁଗମନ କରୁଥିଲେ । ଭଲ୍ଲୁକ ତଥା ବାନରମାନଙ୍କୁ ନିମନ୍ତ୍ରଣ କରାଗଲା, ବିଭୀଷଣ ତଥା ବହୁତ ରାଜ୍ୟର ରାଜା ନିମନ୍ତ୍ରଣ ହେଲେ । ଦୂର ତଥା ନିକଟରୁ ଋଷି ଓ ଅନ୍ୟମାନେ ମଧ୍ୟ ଆହୂତ ହେଲେ । ସେମାନେ ସମସ୍ତେ ଯଜ୍ଞଟିର ପୂର୍ଣ୍ଣାହୂତି ନିମନ୍ତେ ଆମନ୍ତ୍ରିତ ହୋଇଥିଲେ । ଅଶ୍ଵଟି ଦେଶାଟନରେ ଯାଇଥିବା ସମୟରେ ରାମ ବର୍ଷସାରା ଅସରନ୍ତି ଧନ ଦାନ କରିଥିଲେ ମଧ୍ୟ ରାମଙ୍କର ଭଣ୍ଡାରରୁ ଧନର କୌଣସି ହ୍ରାସ ଘଟିନଥିଲା । ପୃଥିବୀରେ ଏପରି ଗୋଟିଏ ଅଶ୍ଵମେଧ ଆଗରୁ କେବେହେଲେ ଅନୁଷ୍ଠିତ ହୋଇ ନଥିଲା ।

 

ମୁନି ବାଲ୍ମୀକିଙ୍କ ସହିତ କୁଶ ଓ ଲବ ମଧ୍ୟ ଉତ୍ସବଟିକୁ ଆସିଥିଲେ । ବାଲ୍ମୀକି ସେମାନଙ୍କୁ ସର୍ବତ୍ର ରାମାୟଣ ଗାନ କରି ଶୁଣାଇବା ଲାଗି କହିଥିଲେ । ଯଦି କେହି ପଚାରନ୍ତି, ତେବେ ସେମାନେ ହେଉଛନ୍ତି ବାଲ୍ମୀକିଙ୍କର ଶିଷ୍ୟ ବୋଲି କହିବାକୁ ସେମାନଙ୍କୁ ନିର୍ଦ୍ଦେଶ ଥିଲା । ବାଳକଦ୍ୱୟ ଚାରିଆଡ଼େ ବୁଲି ରାମଙ୍କର କୀର୍ତ୍ତିଗାଥା ଗାନ କଲେ । ତାହା ରାମଙ୍କର ମଧ୍ୟ ଶ୍ରୁତିଗୋଚର ହେଲା ଏବଂ ସେ ବ୍ରାହ୍ମଣ, ବ୍ୟାକରଣ ପଣ୍ଡିତ, କଳାକାର ତଥା ସଙ୍ଗିତଜ୍ଞମାନଙ୍କର ଏକ ସଭା ଡକାଇଲେ, ଯେଉଁଥିରେ କି ମୁନିକୁମାରମାନେ ରାମାୟଣ ଗାନ କରି ସମସ୍ତଙ୍କୁ ଶୁଣାଇଲେ । ସେମାନଙ୍କର ରାମାୟଣଗାନ ଅତ୍ୟନ୍ତ ଆନନ୍ଦଦାୟକ ହୋଇଥିଲା ଓ ସମସ୍ତଙ୍କୁ ଆଚମ୍ବିତ କରିଦେଲା । ସେଗୁଡ଼ିକୁ ଯେତେ ଶୁଣିଲେ ମଧ୍ୟ ଆହୁରି ଶୁଣିବାକୁ ଇଚ୍ଛା ହେଲା । ଶିଶୁଦୁହିଁଙ୍କୁ ଦେଖି ସମସ୍ତଙ୍କର ନୟନ ପୂରି ଉଠୁଥିଲା ଏବଂ ସେମାନେ ପରସ୍ପରକୁ କହୁନଥିଲେ: “ଗୋଟିଏ ବୁଦ୍‌ବୁଦ୍‌ ଆଉ ଗୋଟିଏ ବୁଦ୍‌ବୁଦ୍‌ ପାଖରେ ଏକାଭଳି ଦିଶୁଥିବା ପରି ଏମାନେ ଠିକ୍ ରାମଙ୍କ ପରି ଦେଖା ଯାଉଛନ୍ତି ।’’ ରାମ ସେମାନଙ୍କୁ କିଛି ଧନ ଦାନ କରିବାକୁ ଇଚ୍ଛା କରନ୍ତେ ଲବକୁଶ କହିଥିଲେ, “ଆମେ ତ ଅରଣ୍ୟରେ ଥାଉ, ଆମର ଏହି ଅର୍ଥରେ ପୁଣି ବି ପ୍ରୟୋଜନ ଅଛି-?” ଏହି ଶ୍ଳୋକଗୀତ ଗୁଡ଼ିକର ରଚୟିତା କିଏ ବୋଲି ରାମ ସେମାନଙ୍କୁ ପଚାରିବାରୁ ସେମାନେ ଉତ୍ତର ଦେଇଥିଲେ, “ବାଲ୍ମୀକି ଏଗୁଡ଼ିକୁ ରଚନା କରିଛନ୍ତି ଏବଂ ଆମକୁ ଶିଖାଇଛନ୍ତି । ଏବଂ ହେ ମହାରାଜ, ଯଦି ଆପଣଙ୍କର କୀର୍ତ୍ତିଗାନ କରୁଥିବା ଏହି କାହାଣୀଟି ଆପଣଙ୍କୁ ଆନନ୍ଦ ପ୍ରଦାନ କରୁଛି, ତେବେ ଆପଣ ଯେତେବେଳେ ଇଚ୍ଛା କରିବେ, ତେବେ ଆମେ ସେତେବେଳେ ମଧ୍ୟ ଏହାକୁ ଗାନ କରି ଅବଶ୍ୟ ଶୁଣାଇବୁ ।’’

 

ତେଣୁ ରାମ ଦିନପରେ ଦିନ ରାମାୟଣର କାହାନୀକୁ ଶୁଣିଥିଲେ ଏବଂ କୁଶ ଓ ଲବ ସୀତାଙ୍କର ଦୁଇ ସନ୍ତାନ ବୋଲି ସେଇଥିରୁ ହିଁ ଅବଗତ ହୋଇଥିଲେ । ତା’ପରେ ରାମ ପରିଷଦଟି ପାଖରେ ସୀତାଙ୍କର ନାମକୁ ପ୍ରକାଶ କରିଥିଲେ ଏବଂ ଏହିପରି ଏକ ଅଭିପ୍ରାୟରେ ମୁନିଗଣଙ୍କ ନିକଟକୁ ଜଣେ ଦ୍ରୁତକୁ ପ୍ରେରଣ କରିଥିଲେ, ଯେପରିକି ସୀତା ପ୍ରକୃତରେ ନିଜର ପାତିବ୍ରତ୍ୟ ରକ୍ଷା କରିଛନ୍ତି କି ନାହିଁ, ସେମାନେ ସେହି ବିଷୟରେ ନିଜର ମତ ପ୍ରଦାନ କରିବେ । ସୀତା ଆଉଥରେ ଆପଣା ନିର୍ଦ୍ଦୋଷତାର ପ୍ରମାଣ ଦେବେ କି ନାହିଁ, ଋଷିମାନେ ସେକଥା ମଧ୍ୟ ସିତା ଜନସମୂହଙ୍କ ସପକ୍ଷରେ ଶପଥ କରି କହିବେ କି ନାହିଁ, ତୁମେ ତାଙ୍କୁ ପଚାରିବ ।’’ ସୀତା ଅଯୋଧ୍ୟା ଆସୁଛନ୍ତି ବୋଲି ମୁନିଗଣ ସମ୍ବାଦ ପଠାଇଥିଲେ ଏବଂ ରାମ ସେକଥା ଶୁଣି ଆଶ୍ଵସ୍ତ ହେଲେ । ପରବର୍ତ୍ତୀ ଦିବସଟି ହିଁ ଶପଥ କରିବା ନିମନ୍ତେ ନିର୍ଦ୍ଧାରିତ ହୋଇଥିଲା ।

 

ସେହି ମୁହୂର୍ତ୍ତଟି ଆସି ପହଞ୍ଚିଗଲା, ସମସ୍ତେ ଆସି ସଭାରେ ଆସି ସଭାରେ ଉପବିଷ୍ଟ ହେଲେ, ସତେଅବା ପର୍ବତ ପରି ମନେ ହେଉଥିଲା । ଋଷି ବାଲ୍ମୀକି ସମ୍ମୁଖରେ ଆସିଲେ ଏବଂ ସୀତା ନିମ୍ନମୁଖ ହୋଇ କରପତ୍ରକୁ ଯୋଡ଼ି ତାଙ୍କର ଅନୁଗମନ କରୁଥିଲେ । ସୀତାଙ୍କର ଆଖିରୁ ବିନ୍ଦୁ ବିନ୍ଦୁ ଲୁହ ଖସି ପଡ଼ୁଥିଲା । ସୀତାଙ୍କୁ ବାଲ୍ମୀକିଙ୍କ ପଛରେ ଆସୁଥିବାର ଦେଖି ସମଗ୍ର ସଭାଟି ତାଙ୍କର ସ୍ଵାଗତରେ ସରବ ହୋଇ ଉଠିଲା, ଲୋକମାନେ ପରସ୍ପର ଭିତରେ କଥାବାର୍ତ୍ତା ହେବାକୁ ଲାଗିଲେ । ସତେ ଯେପରି ବ୍ରହ୍ମା ଆଗେ ଆଗେ ଯାଉଥିଲେ ଏବଂ ବେଦଗ୍ରନ୍ଥ ତାଙ୍କୁ ଅନୁସରଣ କରୁଥିଲା । ବାଲ୍ମୀକି ସମବେତ ସଭାଟି ଆଗରେ ରାମଙ୍କୁ କହିଥିଲେ: “ହେ ଦଶରଥତନୟ ରାମ; ସୀତା ଶୁଦ୍ଧ ହୋଇ ରହିଛନ୍ତି ଓ ଧର୍ମର ଆଚରଣ କରିଛନ୍ତି,—ତଥାପି ଲୋକମାନେ ସନ୍ଦେହ କଲେ ବୋଲି ଆପଣ ତାଙ୍କୁ ମୋ’ର ଆଶ୍ରମ ପାଖରେ ବର୍ଜନ କରି ଆସିଥିଲେ । ବର୍ତ୍ତମାନ ନିଜ ସତିତ୍ଵର ସାକ୍ଷ୍ୟ ଦେବାପାଇଁ ଆପଣ ସୀତାଙ୍କୁ ଅନୁମତି ଦିଅନ୍ତୁ । ଏବଂ ହେ ରାମ, ନିରନ୍ତର ସତ୍ୟର ପାଳନ କରି ଆସିଥିବା ମୁଁ ଆପଣଙ୍କୁ କହିବାକୁ ଯାଉଛି ଯେ ଏହି ଯମଜ ବାଳକ ଦୁହେଁ ହେଉଛନ୍ତି ଆପଣଙ୍କର ପୁତ୍ର । ମୁଁ ଆପଣଙ୍କ ଆଗରେ ଏକଥାଟି ମଧ୍ୟ ଶପଥ କରି କହିବି ଯେ, ଯଦି ସୀତାଙ୍କଠାରେ କୌଣସି କଳୁଷ ରହିଛି ବୋଲି ସଂକେତ, ତେବେ ବହୁସହସ୍ର ବର୍ଷର ମୋ’ର ଏହି ଯାବତୀୟ ତପସ୍ୟାର ଫଳକୁ ମୁଁ ନିଶ୍ଚୟ ପରିତ୍ୟାଗ କରିଦେବି ।’’

 

ସୀତା ଜଣେ ଦେବୀ ସଦୃଶ କର ଯୋଡ଼ି ସଭା ଆଗରେ ଠିଆ ହୋଇଥିବାର ଦେଖି ରାମ ଉତ୍ତର ହେଲେ: “ହେ ମହର୍ଷି, ଆପଣ ନିରନ୍ତର ଧର୍ମର ଆଚରଣ କରି ଆସିଛନ୍ତି ଏବଂ ଆପଣଙ୍କ ବାକ୍ୟକୁ ଶୁଣି ସୀତାଙ୍କର ଶୁଦ୍ଧତା ବିଷୟରେ ମୋ’ର ସମ୍ପୂର୍ଣ୍ଣ ପ୍ରତ୍ୟୟ ଜାତ ହୋଇଛି । କୁଶ ଏବଂ ଲବ ଉଭୟଙ୍କୁ ମୁଁ ମୋ’ର ପୁତ୍ର ବୋଲି ସ୍ଵୀକାର କରୁଛି । ତଥାପି ସୀତାଙ୍କୁ ସ୍ଵୟଂ ସାକ୍ଷୀ ଦେବାକୁ ହେବ; ତାଙ୍କର ଘୋଷଣାଟିକୁ ଶୁଣିବା ନିମନ୍ତେ ଯେଉଁମାନେ ଏଠାରେ ଉପସ୍ଥିତ ରହିଛନ୍ତି, ସେହିମାନଙ୍କର ସନ୍ତୋଷବିଧାନ ନିମନ୍ତେ ।’’

 

ସୀତାଙ୍କୁ ବସୁଧା ଗ୍ରହଣ କରିନେଲେ

 

ତା’ପରେ ସେହି ସ୍ଥାନରେ ଏକ ମଧୁର, ଶୀତଳ ଏବଂ ସୌରଭଯୁକ୍ତ ପବନ ବହିବାକୁ ଆରମ୍ଭ କଲା; କେବଳ ସତ୍ୟଯୁଗରେ ଯେଉଁଟି ବହିଥାଏ, ସେହିଭଳି ଗୋଟିଏ ଦିବ୍ୟ ପବନ । ଏହି ତ୍ରେତାଯୁଗରେ ମଧ୍ୟ ଯେ ଏଭଳି ବାୟୁଟିଏ ପ୍ରବାହିତ ହେଲା, ତାହା ପ୍ରତ୍ୟକ୍ଷ କରି ସମବେତ ଜନଗଣ ଚକିତ ହୋଇ ଯାଇଥିଲେ । ମାତ୍ର, ନିମ୍ନଦୃଷ୍ଟି ଏବଂ ଯୁକ୍ତହସ୍ତ ହୋଇ ସୀତା କହିଲେ, “ମୋ’ର ଅନ୍ତର୍ଗତରେ ମଧ୍ୟ ମୁଁ ରାମଙ୍କ ବ୍ୟତୀତ ଅନ୍ୟ କୌଣସି ପୁରୁଷର ଚିନ୍ତା କରିନାହିଁ; ଏବଂ ଏହା ସମ୍ପୂର୍ଣ୍ଣ ସତ୍ୟ ହୋଇଥିବାରୁ ଦେବୀ ବସୁନ୍ଧରା ବର୍ତ୍ତମାନ ମୋତେ ରକ୍ଷା କରନ୍ତୁ । କାୟ, ମନ ଏବଂ ବାକ୍ୟରେ ମୁଁ ସର୍ବଦା ରାମଙ୍କର ମଙ୍ଗଳ ପାଇଁ ପ୍ରାର୍ଥନା କରିଛି । ଏବଂ, ଏତିକି କହି ମୁଁ ମାତା ବସୁନ୍ଧରାଙ୍କୁ ମୋତେ ଗ୍ରହଣ କରିବା ନିମନ୍ତେ ପ୍ରାର୍ଥନା କରୁଛି ।’’

 

ତା’ପରେ ମାଟି ତଳୁ ଗୋଟିଏ ଦିବ୍ୟ ସିଂହାସନ ବାହାରି ଆସିଲା, ମହାବଳୀ ନାଗମାନେ ହିଁ ତାହାକୁ ନିଜ ମସ୍ତକଗୁଡ଼ିକ ଉପରେ ଧାରଣା କରିଥିଲେ । ସେହି ସିଂହାସନରେ ବହୁ ମୁକ୍ତା ଓ ମାଣିଜ୍ୟ ଖଚିତ ହୋଇ ରହିଥିଲା । ମାଆ ବସୁନ୍ଧରା ନିଜର ବାହୁଗୁଡ଼ିକୁ ପ୍ରସାରିତ କରି ଦେଇଥିଲେ ଏବଂ ସୀତାଙ୍କୁ ସ୍ଵାଗତ କରିନେଲେ । ସୀତାଙ୍କୁ ନେଇ ଉକ୍ତ ସିଂହାସନ ଉପରେ ବସାଇଦେଲେ ଏବଂ ତା’ପରେ ସିଂହାସନଟି ପୁନର୍ବାର ତଳକୁ ପଶି ଅଦୃଶ୍ୟ ହୋଇ ଯାଇଥିଲା । ଦେବତାମାନେ ସୀତାଙ୍କର ପ୍ରଶସ୍ତିରେ ସରବ ହୋଇ ଉଠିଲେ ଏବଂ ଚରାଚର ପୃଥିବୀ ତଥା ଅନ୍ତରୀକ୍ଷ ବିସ୍ମୟଚକିତ ହୋଇ ଅନାଇ ରହିଥିଲା । ସକଳ ବିଶ୍ଵବ୍ରହ୍ମାଣ୍ଡରେ ସେହି ଗୋଟିଏ ଭାବନା ହିଁ ରାଜତ୍ଵ କରୁଥିଲା ।

 

ମାତ୍ର ରାମ ବିସ୍ମୟାଭିଭୂତ ହୋଇ ମୁଣ୍ଡ ତଳକୁ କରି ବସି ପଡ଼ିଥିଲେ; ତାଙ୍କରି ଚକ୍ଷୁ ସମକ୍ଷରେ ସୀତା ଏପରି ଭାବରେ ଅନ୍ତର୍ହିତା ହୋଇଗଲେ ବୋଲି ଦୁଃଖ ତଥା କ୍ରୋଧ ଅନୁଭବ କରୁଥିଲେ ଏବଂ ସୀତାଙ୍କୁ ଫେରାଇ ନଦେଲେ ସିଏ ସମଗ୍ର ବସୁଧାକୁ ସମ୍ପୂର୍ଣ୍ଣ ଧ୍ଵଂସ କରିଦେବାକୁ ଭାବୁଥିବା ପରି ମନେ ହେଉଥିଲା । କିନ୍ତୁ ବ୍ରହ୍ମା ତାଙ୍କୁ କହିଥିଲେ, “ହେ ଅଟଳବ୍ରତ ରାମ, ଆପଣ ଆଦୌ କ୍ଷୁବ୍ଧ ହୁଅନ୍ତୁ ନାହିଁ, ବରଂ ମୂଳତଃ ଆପଣାର ଦେବତ୍ଵକୁ ହିଁ ସ୍ମରଣ କରନ୍ତୁ । ଆପଣାକୁ ବିଷ୍ଣୁ ବୋଲି ଜାଣନ୍ତୁ । ସୀତା କଳୁଷହୀନା, ପବିତ୍ରତାର ଅଧିକାରିଣୀ, ଏବଂ ଆପଣାର ଧର୍ମବଳରେ ହିଁ ସେ ନାଗଲୋକକୁ ଗମନ କରିଛନ୍ତି । କିନ୍ତୁ ଆପଣ ସ୍ଵର୍ଗପୁରରେ ପୁନର୍ବାର ତାଙ୍କୁ ଲାଭ କରିବେ । ବର୍ତ୍ତମାନ ଆପଣ ବାଲ୍ମୀକିଙ୍କ କାହାଣୀଟିର ଶେଷ ଭାଗଟିକୁ ଶୁଣନ୍ତୁ ଏବଂ ନିଜର ଭବିଷ୍ୟତ ଇତିହାସକୁ ଜାଣନ୍ତୁ ।’’ ଏତିକି କହି ବ୍ରହ୍ମା ଦେବତାମାନଙ୍କ ସହିତ ଆପଣାର ପୁରକୁ ଫେରି ଯାଇଥିଲେ ଏବଂ ରାମାୟଣର ଉତ୍ତରାକାଣ୍ଡଟିକୁ ଶୁଣିବା ପାଇଁ ରାମ ତହିଁ ଆର ଦିନଟିକୁ ଧାର୍ଯ୍ୟ କରିଥିଲେ ।

 

ରାମଙ୍କର ଅନ୍ତିମ ଦିନଗୁଡ଼ିକ

 

କିନ୍ତୁ ରାମଙ୍କର ହୃଦୟ ଅତ୍ୟନ୍ତ ଦୁଃଖଭରା ହୋଇ ରହିଥିଲା ଓ ସୀତାଙ୍କ ବିହୁନେ ତାଙ୍କୁ ସମୁଦାୟ ପୃଥିବୀ ହିଁ ଶୂନ୍ୟ ମନେ ହେଲା । ସେ ନିଜର ଶାନ୍ତିକୁ ହରାଇ ବସିଲେ । ବାନରବୃନ୍ଦ, ରାଜନ୍ୟଗଣ ଏବଂ ମୁନିମାନଙ୍କୁ ସେ ବହୁତ ଧନ ସମ୍ପଦ ଉପହାର ଦେଇଥିଲେ ଏବଂ ସମସ୍ତଙ୍କୁ ସ୍ଵାସ୍ଥାନକୁ ପଠାଇଦେଲେ । ତା’ପରେ ଯଜ୍ଞର ପବିତ୍ର କର୍ମବିଧିଗୁଡ଼ିକୁ ସମ୍ପନ୍ନ କରିବା ନିମନ୍ତେ ସହଚାରିଣୀ ହେବାପାଇଁ ସେ ସୀତାଙ୍କର ଏକ ସ୍ଵର୍ଣ୍ଣପ୍ରତିମା ନିର୍ମାଣ କରାଇଲେ । ତା’ପରେ ହଜାରେ ବର୍ଷ ଅତିବାହିତ ହୋଇଗଲା ଓ ଅଯୋଧ୍ୟାରେ ସକଳ ଦ୍ରବ୍ୟର ଅଭିବୃଦ୍ଧି ଘଟିଥିଲା । ତା’ପରେ କୌଶଲ୍ୟା ଓ କୈକେୟୀ ପରଲୋକ ଗମନ କଲେ ଏବଂ ସ୍ଵର୍ଗପୁରରେ ରାଜା ଦଶରଥଙ୍କ ସହିତ ମିଳିତ ହେଲେ । ଭରତ କୈକେୟୀ ରାଜ୍ୟରେ ଓ ଶତ୍ରୁଘ୍ନ ମଧୁରାଜ୍ୟରେ ରାଜତ୍ଵ କଲେ; ଲକ୍ଷ୍ମଣଙ୍କର ପୁତ୍ରମାନେ ନିଜର ଅନ୍ୟ ସାମ୍ରାଜ୍ୟମାନ ପ୍ରତିଷ୍ଠା କରିଥିଲେ ।

 

ସମୟକ୍ରମେ ଯୋଗୀ ମହାକାଳର ରାମଙ୍କର ପ୍ରସାଦରେ ଆସି ଉପସ୍ଥିତି ହେଲେ ଓ ରାମ ତାଙ୍କର ଅଭ୍ୟର୍ଥନା କରିଥିଲେ । ସେ ଆପଣାକୁ ମହାକାଳ ବୋଲି ପରିଚୟ ଦେଲେ, ନିଜକୁ ନାରାୟଣ ଓ ମାୟାଙ୍କର ଜନ୍ମିତ ପୁତ୍ର ବୋଲି କହିଥିଲେ । ସେ ରାମଙ୍କୁ ତାଙ୍କର ଦେବତ୍ଵ-ପରିଚୟ ବିଷୟରେ ସ୍ମରଣ କରାଇଦେଲେ । ସେ ସ୍ଵର୍ଗ ଏବଂ ମର୍ତ୍ତ୍ୟରେ ଅର୍ଜନ କରିଥିବା କୀର୍ତ୍ତିଗୁଡ଼ିକର ବୟାନ କଲେ : “ହେ ପୃଥିବୀର ଅଧିପତି, ଆପଣ ଦଶଶିର ରାବଣର ନିଧନ ସକାଶେ ହିଁ ମର୍ତ୍ତ୍ୟରେ ଜନ୍ମଗ୍ରହଣ କରିଥିଲେ ଏବଂ ଏଠାରେ ଏଗାର ସହସ୍ର ବର୍ଷ ରାଜତ୍ଵ କରିବାକୁ ଆସିଥିଲେ-। ବର୍ତ୍ତମାନ ଉଚିତ ମୂହୁର୍ତ୍ତଟି ଆସି ଉପଗତ ହେଲାଣି ଏବଂ ପିତାମହ ବ୍ରହ୍ମା ଆପଣଙ୍କୁ ଏପରି କହିବାଲାଗି ପ୍ରେରଣ କରିଛନ୍ତି ଯେ ଆପଣ ବର୍ତ୍ତମାନ ତଥାପି ଆହୁରି ଦୀର୍ଘକାଳ ଲୋକଶାସନ କରିବେ ଅଥବା ଦେବତାମାନଙ୍କର ନାୟକ ହେବାଲାଗି ସେଠାକୁ ପ୍ରତ୍ୟାବର୍ତ୍ତନ କରିବେ, ତାହା ସ୍ଵୟଂ ସ୍ଥିର କରନ୍ତୁ”—ରାମ ଯୋଗୀଙ୍କର ବହୁତ ପ୍ରଶଂସା କଲେ ଓ ତାଙ୍କୁ କହିଥିଲେ ଯେ, ସିଏ ସର୍ବଦା ସତ୍ୟ ହିଁ କହି ଆସିଛନ୍ତି ଓ ବର୍ତ୍ତମାନ ନିଜ ସ୍ଥାନକୁ ଲେଉଟି ଯିବାପାଇଁ ନିଜେ ଚିନ୍ତା କରୁଛନ୍ତି-

 

ସେତେବେଳକୁ ଲକ୍ଷ୍ମଣ ମଧ୍ୟ ଗୃହତ୍ୟାଗ କରି କଠୋର ତପସ୍ୟା କରିବେ ବୋଲି ସରଯୂ ନଦୀର ତଟକୁ ଚାଲି ଯାଇଥିଲେ ଏବଂ ସେଠାରେ ତାଙ୍କ ଉପରେ ପ୍ରସନ୍ନ ହୋଇ ଦେବତାମାନେ ପୁଷ୍ପବୃଷ୍ଟି କରିଥିଲେ ଏବଂ ଇନ୍ଦ୍ର ତାଙ୍କୁ ଧରାପୃଷ୍ଠରୁ ଉତ୍ତୋଳିତ କରିନେଇ ତାଙ୍କର ନିଜ ନଗରୀଟିରେ ପହଞ୍ଚାଇ ଦେଇଥିଲେ, ଯାହା ଫଳରେ କି ବିଷ୍ଣୁଙ୍କର ଚତୁର୍ଥ ଅଂଶଟି ସେମାନଙ୍କ ପାଖକୁ ଫେରି ଆସିଛନ୍ତି ବୋଲି ଦେଖି ସକଳ ଦେବତା ଅତିଶୟ ଆନନ୍ଦିତ ହୋଇ ତାଙ୍କର ଉପାସନା କରିବାକୁ ଲାଗିଲେ । ତା’ପରେ ରାମ ମଧ୍ୟ ସେହି ପଥ ଅନୁସରଣ କରିବାକୁ ଇଚ୍ଛା କଲେ ଏବଂ ତେଣୁ ଭରତଙ୍କୁ ଅଯୋଦ୍ଧାରେ ସିଂହାସନରେ ବସାଇବା ନିମନ୍ତେ ଅଭିଳାଷ ବ୍ୟକ୍ତ କରିଥିଲେ । ଭରତ ଅସମ୍ମତ ହୋଇ କୁଶ ଏବଂ ଲବ ହିଁ ଉତ୍ତର ଏବଂ ଦକ୍ଷିଣ କୋଶଳରେ ରାଜା ହୁଅନ୍ତି ବୋଲି ପ୍ରସ୍ତାବ ଦେଲେ । ରାମ ସେଥିରେ ସମ୍ମତି ଦେଇ ପୁତ୍ରଦ୍ୱୟଙ୍କୁ ଅଭିଷିକ୍ତ କରାଇଦେଲେ ଓ ସେମାନେ କୁଶବତୀ ଏବଂ ଶ୍ରବନ୍ତୀ ନାମକ ଦୁଇଟି ନୂତନ ନଗରରେ ଯାଇ ରାଜା ହେଲେ ।

 

ମାତ୍ର ଅଯୋଧ୍ୟା ମଧ୍ୟ କ୍ରମଶଃ ଜନଶୂନ୍ୟ ହୋଇ ଆସିଲା, କାରଣ ରାମ ପ୍ରସ୍ଥାନ କରିବାକୁ ସକଳ ପ୍ରଜା ମଧ୍ୟ ତାଙ୍କର ଅନୁଗମନ କରିବାପାଇଁ ଇଚ୍ଛା କରିଥିଲେ । ଏହିସବୁ ସମ୍ବାଦ ଶତ୍ରୁଘ୍ନଙ୍କ ପାଖରେ ମଧ୍ୟ ଯାଇ ପହଞ୍ଚିଥିଲା ଏବଂ ସେ ନିଜର ଦୁଇ ପୁତ୍ରଙ୍କୁ ମଥୁରାର ସିଂହାସନ ପ୍ରଦାନ କରି ଶୀଘ୍ର ରାମଙ୍କ ନିକଟକୁ ଫେରି ଆସିଥିଲେ । ରାମ ଯାଉଛନ୍ତି ବୋଲି ବାର୍ତ୍ତା ପାଇ ଦେବତାମାନଙ୍କର ଅଂଶରୁ ଜାତ ହୋଇଥିବା ବାନରମାନେ ତାଙ୍କର ଦର୍ଶନାଭିଳାଷୀ ହୋଇ ଅଯୋଧ୍ୟାରେ ଆସି ପହଞ୍ଚିଲେ ।ଏବଂ ସୁଗ୍ରୀବ କହିଥିଲେ, “ମୁଁ ଅଙ୍ଗଦକୁ କିସ୍କିନ୍ଧାର ରାଜା କରିଦେଇ ଆସିଛି, ମୁଁ ମଧ୍ୟ ଆପଣଙ୍କ ସାଙ୍ଗରେ ଯିବି ।”

 

ଏହାପରେ ରାମ ସକଳ ବାନରଙ୍କୁ ତାଙ୍କର ଅନୁଗମନ କରିବାକୁ ଅନୁମତି ଦେଲେ; ମାତ୍ର ହନୁମାନଙ୍କୁ ବରଗି କହିଥିଲେ, “ଏକଥା ତ ପୂର୍ବରୁ ସ୍ଥିର ହୋଇ ସାରିଛି ଯେ, ତୁମେ ଏଠାରେ ସର୍ବକଳା ନିମନ୍ତେ ରହିବ ମୋ’ର ଗାଥାଟି ସମସ୍ତଙ୍କର ମନେ ରହିଥିବା ପର୍ଯ୍ୟନ୍ତ ତୁମେ ମଧ୍ୟ ଏଠାରେ ହରଷିତ ହୋଇ ବାସ କରିବ ।’’ ଜାମ୍ବବାନ୍ ଏବଂ ଅନ୍ୟମାନଙ୍କୁ ରାମ କଳିଯୁଗରେ ଅନ୍ତ ହେବା ପର୍ଯ୍ୟନ୍ତ ଜୀବନ ପ୍ରଦାନ କରିଥିଲେ ଏବଂ ଅନ୍ୟାନ୍ୟ ଉଲ୍ଲୁକ ତଥା ବାନରଙ୍କୁ ତାଙ୍କର ଅନୁଗମନ କରିବା ସକାଶେ ଅନୁମତି ଦେଲେ । ସେ ବିଭୀଷଣଙ୍କୁ ରାଜ୍ୟଶାସନ ବିଷୟରେ ଉତ୍ତର ନାନା ପରାମର୍ଶ ଦେଇଥିଲେ ଏବଂ ଚିରକାଳ ନିମନ୍ତେ ଜଗନ୍ନାଥଙ୍କର ଉପାସନା କରିବା ପାଇଁ ତାଙ୍କୁ କହିଥିଲେ ।

 

ତହିଁ ଆରଦିନ ପରଲୋକକୁ ଗମନ କରୁଥିବା ସଭିଙ୍କ ନିମନ୍ତେ ବିଭୀଷଣ ବିହିତ ଯାବତୀୟ ବିଧିବ୍ୟବସ୍ଥା ପ୍ରସ୍ତୁତ କରି ଦେଇଥିଲେ ଏବଂ ବ୍ରାହ୍ମଣମାନଙ୍କ ସମେତ ସଜନ ସରଯୂନଦୀକୁ ଯାତ୍ରା କଲେ । ଭରତ ଗଲେ, ଲକ୍ଷ୍ମଣ ଏବଂ ଶତ୍ରୁଘ୍ନ ଗଲେ, ସେମାନଙ୍କର ପତ୍ନୀମାନେ ମଧ୍ୟ ଯାଇଥିଲେ, ପରାମର୍ଶଦାତା ତଥା ଭୃତ୍ୟମାନେ ମଧ୍ୟ ଗଲେ । ଏବଂ ଅଯୋଦ୍ଧାରେ ସମସ୍ତେ ପଶୁ, ପକ୍ଷୀ ଓ ସାମାନ୍ୟତମ ପ୍ରାଣୀମାନେ ମଧ୍ୟ ସେଠାରେ ଉପସ୍ଥିତ ହେଲେ । ତଥା ହରଷିତ ହୃଦୟରେ ଉଲ୍ଲୁକ, ରାକ୍ଷସ ଓ ବାନରମାନେ ମଧ୍ୟ ଗମନ କଲେ ।

 

ସେମାନେ ସକଳେ ସରଯୂତଟରେ ଆସି ପହଞ୍ଚିବା ପରେ ପିତାମହ ବ୍ରହ୍ମା ମଧ୍ୟ ଦେବଗଣଙ୍କୁ ସାଙ୍ଗରେ ନେଇ ସେଠାରେ ଉପସ୍ଥିତ ହୋଇଥିଲେ; ସାଙ୍ଗରେ ଏକ ଲକ୍ଷ ସୁଦୃଶ୍ୟ ରଥ ଆଣିଥିଲେ, ଅମରପୁର ପବନ କହିବାକୁ ଲାଗିଲା ଓ ପୃଥିବୀ ଉପରେ ଆକାଶରୁ ପୁଷ୍ପବୃଷ୍ଟି ହେଲା-। ଏଥିଉତ୍ତାରୁ ବ୍ରହ୍ମା ରାମଙ୍କୁ କହିଲେ, “ହେ ଦେବପ୍ରବର ବିଷ୍ଣୁ, ଯିଏକି ସମସ୍ତ ଜୀବଙ୍କର ଆଶ୍ରୟ, ଭାବନା ତଥା ବାକ୍ୟ ନିମନ୍ତେ ଅଗୋଚର, ଆପଣଙ୍କର ମାୟା ବ୍ୟତୀତ ଆଉ ସମସ୍ତଙ୍କ ନିମନ୍ତେ ଅଜ୍ଞାତ, ବର୍ତ୍ତମାନ ଆପଣାର ଭାଇମାନଙ୍କ ସହିତ ଯେଉଁ ରୂପରେ ଯିବାଲାଗି ଇଚ୍ଛା କରୁଛନ୍ତି, ସେହି ରୂପରେ ହିଁ ଅପର ଧାମଟିରେ ପ୍ରବେଶ କରନ୍ତୁ ।’’ ତା’ପରେ ଭ୍ରାତାମାନଙ୍କ ସହିତ ବିଷ୍ଣୁ ନିଜର ରୂପରେ ହିଁ ସ୍ଵର୍ଗରାଜ୍ୟରେ ପ୍ରବେଶ କଲେ ଏବଂ ଦେବଗଣ ତାଙ୍କୁ ପ୍ରଣତି ଜ୍ଞାପନ କରି ହୃଷ୍ଟ ହୋଇ ଉଠିଥିଲେ । ଏହାପରେ ବିଷ୍ଣୁ ବ୍ରହ୍ମାଙ୍କୁ ସମ୍ବୋଧନ କରି କହିଥିଲେ, “ଏତେ ଶ୍ରଦ୍ଧାର ସହିତ ମୋ’ ପାଇଁ ଆପଣାର ଜୀବନଟିକୁ ଛାଡ଼ି ଏହି ଯେଉଁମାନେ ମୋ’ ସହିତ ଆସିଛନ୍ତି, ଆପଣ ସେମାନଙ୍କୁ ଯୋଗ୍ୟ ସ୍ଥାନ ପ୍ରଦାନ କରନ୍ତୁ । ବ୍ରହ୍ମା ସମସ୍ତଙ୍କ ନିମନ୍ତେ ଉପଯୁକ୍ତ ସ୍ଥାନଗୁଡ଼ିକର ବ୍ୟବସ୍ଥା କରି ଦେଇଥିଲେ । ଭଲ୍ଲୁକ ତଥା ବାନରବୃନ୍ଦ ଯିଏ ଯାହାଠାରୁ ଜାତ ହୋଇଥିଲେ, ସେହିମାନଙ୍କର ସାଦୃଶ୍ୟରେ ନିଜ ନିଜର ଦେବରୂପ ଧାରଣ କରିଥିଲେ । ଏହିପରି ଭାବରେ ସେଠାରେ ସମବେତ ସରବେ ସରଯୁଜଳରେ ପ୍ରବିଷ୍ଟ ହୋଇ ଆପଣାର ସ୍ଵର୍ଗାବସ୍ଥାକୁ ପ୍ରାପ୍ତ ହେଲେ ଓ ତା’ ପରେ ବ୍ରହ୍ମା ତଥା ଅନ୍ୟ ଦେବତାମାନେ ନିଜ ନିଜର ସଦନକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।

 

ଏହିପରି ଭାବରେ ବ୍ରହ୍ମାଙ୍କ ଦ୍ଵାରା ଆଦୃତ ଓ ବାଲ୍ମୀକିଙ୍କ ଦ୍ଵାରା ରଚିତ ରାମାୟଣ ସଂପୂର୍ଣ୍ଣ ହୋଇଛି । ରାମ-ଜୀବନଗାଥାର ମାତ୍ର ଗୋଟିଏ ଶ୍ଳୋକ ବି ପାଠ କଲେ ଅପୁତ୍ରିକ ପୁତ୍ରଲାଭ କରିବ । ଯେଉଁମାନେ ଏହାକୁ ପଢ଼ିବେ ଅଥବା ଏହାର ପାରାୟଣକୁ ଶ୍ରବଣ କରିବେ, ସେମାନଙ୍କର ସକଳ ପାପ ଧୌତ ହୋଇଯିବ । ଯିଏ ରାମାୟଣଗ୍ରନ୍ଥକୁ ପାଠ କରିବ, ସେ ଦୀର୍ଘଜୀବୀ ହେବ, ଆପଣାର ପୁତ୍ର ତଥା ପୌତ୍ରମାନଙ୍କ ସହିତ ଏହି ଲୋକରେ ଏବଂ ପରଲୋକରେ ମଧ୍ୟ ଅବଶ୍ୟ ବହୁ ସମ୍ମାନ ଓ ସୌଭାଗ୍ୟ ଲାଭ କରିବ ।

☆☆☆

 

Unknown

ବୁଦ୍ଧଙ୍କ କଥା

ଇତିହାସର ପୃଷ୍ଠଭୂମି

 

ବୃଦ୍ଧଙ୍କର କଥାକୁ ଏକ ପୌରାଣିକ କାହାଣୀ ବୋଲି କୁହା ଯିବନାହିଁ ବୋଲି ହୁଏତ କେହି କହିପାରନ୍ତି । ଏହା ଅବଶ୍ୟ ସତ୍ୟ ଯେ ଯାଶୁଖ୍ରୀଷ୍ଟଙ୍କର କାହାଣୀ ପରି ବୁଦ୍ଧ କାହାଣୀରୁ ମଧ୍ୟ କେତେକ ଐତିହାସିକ ସତ୍ୟକୁ ଅଲଗା କରି ବାହାର କରିହେବ । ଏପରି ଏକ ଉଦ୍ୟମ କରି ତାଙ୍କର ଶିକ୍ଷାଗୁଡ଼ିକୁ ସ୍ପଷ୍ଟଭାବରେ ଉପସ୍ଥାପିତ କରିବା ନିମନ୍ତେ ବିଦ୍ଵାନମାନେ ବିଗତ ପଚାଶବର୍ଷ ମଧ୍ୟରେ ଏକ ପ୍ରଶଂସନୀୟ ଚେଷ୍ଟା କରି ଆସିଛନ୍ତି । ଏଠାରେ ଆମେ ଅବଶ୍ୟ ବୁଦ୍ଧଙ୍କର ସମ୍ପୂର୍ଣ୍ଣ କାଳ୍ପନିକ ଇତିହାସଟିକୁ ଉପସ୍ଥାପିତ କରିବା । ଏଗୁଡ଼ିକ ଏଭଳି ଶାସ୍ତ୍ରମାନଙ୍କରେ ଲିପିବଦ୍ଧ ହୋଇ ରହିଛି, ଯେଉଁଗୁଡ଼ିକୁ କଦାପି ନିରୋଳା ଇତିହାସ ବୋଲି କୁହାଯାଇ ପାରିବନାହିଁ । ମାତ୍ର ସେଗୁଡ଼ିକର ନିଶ୍ଚିତ ଭାବରେ ଏକ ସାହିତ୍ୟକ ତଥା ଆଧ୍ୟାତ୍ମିକ ମୂଲ୍ୟ ଅବଶ୍ୟ ରହିଛି । କିନ୍ତୁ, ବୁଦ୍ଧ–ସମ୍ପର୍କିତ ଗାଥାଟିକୁ ବର୍ଣ୍ଣନା କରିବା ପୂର୍ବରୁ ଆମେ ସଂକ୍ଷେପରେ ଯଥାସମ୍ଭବ ତାହାର ଐତିହାସିକ ମର୍ମସାରଟିକୁ ସୂଚିତ କରିଦେବା ଏବଂ ବୁଦ୍ଧଙ୍କ ଦ୍ଵାରା ପ୍ରଚାରିତ ନୀତିଗୁଡ଼ିକ ବିଷୟରେ ମଧ୍ୟ କିଛି ବିବରଣୀ ପ୍ରଦାନ କରିବା ।

 

ବୁଦ୍ଧ–ଜୀବନୀ

 

ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀ ବେଳକୁ ଭାରତବର୍ଷରେ ପ୍ରବେଶ କରିଥିବା ଆର୍ଯ୍ୟମାନେ ପଞ୍ଜାବ ଅତିକ୍ରମ କରି ସମତଳ ଭୂମି ଭିତରକୁ ବହୁତ ଦୂର ଆଗେଇ ଯାଇଥିଲେ । ଗଙ୍ଗାନଦୀର ଅବବାହିକାରେ ସେମାନେ ଗ୍ରାମ ଓ କ୍ଷୁଦ୍ର କ୍ଷୁଦ୍ର ରାଜ୍ୟମାନଙ୍କରେ ବାସ କରୁଥିଲେ । ସାକ୍ୟ ନାମକ ଗୋଟିଏ ଆର୍ଯ୍ୟଗୋଷ୍ଠୀ ବାରାଣସୀର ଉତ୍ତରପୂର୍ବକୁ ଶହେ ମାଇଲ ଓ ହିମାଳୟର ତିରିଶ ଚାଳିଶ ମାଇଲ ଦକ୍ଷିଣକୁ ଅବସ୍ଥିତ କପିଳବାସ୍ତୁଠାରେ ପ୍ରତିଷ୍ଠିତ ରହିଥିଲେ । ସେମାନେ କୃଷିଜୀବୀ ଥିଲେ, ଧାନ୍ୟ ତଥା ଗୋଧନ ଉପରେ ପ୍ରଧାନତଃ ନିର୍ଭର କରୁଥିଲେ । ଶୁଦ୍ଧୋଧନ ସାକ୍ୟମାନଙ୍କର ରାଜା ଥିଲେ ଏବଂ ଏକ ପ୍ରତିବେଶୀ ଗୋଷ୍ଠୀ କୋହ୍ଲଣ ରାଜାଙ୍କର ଦୁଇ କନ୍ୟା ତାଙ୍କୁ ବିବାହ କରିଥିଲେ । ଦୁହେଁ ନିଃସନ୍ତାନ ଥିଲେ; କିନ୍ତୁ ଶେଷରେ ଏକାଚାଳିଶି ବର୍ଷ ବୟସରେ (ଖ୍ରୀଷ୍ଟପୂର୍ବ ପ୍ରାୟ ୫୬୩) ପ୍ରଥମ ରାଣୀ ଏକ ପୁତ୍ରସନ୍ତାନକୁ ଜନ୍ମ ଦେଲେ ଏବଂ ପୁତ୍ର ଜନ୍ମ ହେବାରେ ସାତଦିନ ପରେ ପରଲୋକପ୍ରାପ୍ତ ହୋଇଥିଲେ । ସନ୍ତାନଟିର ପାରିବାରିକ ନାମ ଗୌତମ ରଖା ଯାଇଥିଲା ଏବଂ ପରେ ତାଙ୍କୁ ସିଦ୍ଧାର୍ଥ ବୋଲି ଆଉଗୋଟିଏ ନାମ ମଧ୍ୟ ଦିଆଗଲା । ଖୁବ୍ ଅଳ୍ପ ବୟସରେ ଗୌତମ ନିଜର ନିକଟ ସମ୍ପର୍କୀୟା ଜଣେ ଭଗିନୀ ବୋଲି ରାଜ୍ୟର ରାଜକନ୍ୟା ଯଶୋଧାରାଙ୍କୁ ବିବାହ କରିଥିଲେ । ସୁଖରେ ଜୀବନ କଟି ଯାଉଥିଲା, ଅଭାବ କିମ୍ବା କ୍ଷୋଭ ବୋଲି କିଛି ଜଣାନଥିଲା । ଅଣତିରିଶି ବର୍ଷ ହୋଇଥିବା ସମୟରେ ଗୌତମ ଜଣେ ବୃଦ୍ଧ, ଜଣେ ରୋଗଗ୍ରସ୍ତ, ଜଣେ ମୃତବ୍ୟକ୍ତି ଓ ଶେଷରେ ସଂସାର ତ୍ୟାଗ କରୁଥିବା ଜଣେ ସନ୍ୟାସୀଙ୍କୁ ଦେଖିବାକୁ ପାଇଥିଲେ ଏବଂ, ଜୀବନରେ କାହିଁକି ଏତେ ଦୁଃଖ ରହିଛି ବୋଲି ସେ ଅତ୍ୟନ୍ତ କ୍ଷୁବ୍ଧ ହୋଇ ପଡ଼ିଥିଲେ । ମନୁଷ୍ୟର ସକଳ ସୁଖ କ’ଣ ଏହିପରି ଅନିତ୍ୟ ବୋଲି ଘାରି ହୋଇ ଅନ୍ୟ ଜଗତପ୍ରାଣୀ ଏତେ ଦୁଃଖରେ ବାନ୍ଧି ହୋଇ ରହିଛନ୍ତି ବୋଲି ଘୋର ଦୁଃଖ ଅନୁଭବ କରି ସେ ଜୀବନରେ ବ୍ୟର୍ଥତା ବିଷୟରେ ଅତ୍ୟନ୍ତ ଅଧୀର ହୋଇ ପଡ଼ିଥିଲେ ଏବଂ, ଦଶବର୍ଷ ପରେ ଯେତେବେଳେ ତାଙ୍କର ଗୋଟିଏ ପୁତ୍ରସନ୍ତାନ ଜାତ ହୋଇଥିଲା, ସିଏ ତାହାକୁ ତଥାପି ଆଉ ଗୋଟିଏ ବନ୍ଧନ୍ନ ବୋଲି ଅନୁଭବ କରିଥିଲେ । ଏହି ଜୀବନର ଗଭୀର ସମସ୍ୟା ଗୁଡ଼ିକର ଅବଶ୍ୟ ଗୋଟିଏ ସମାଧାନ ଅନ୍ଵେଷଣ କରିବାକୁ ପଡ଼ିବ, ଏବଂ ଜୀବନସହିତ ନିୟତ ଗଣ୍ଠି ପଡ଼ି ରହିଥିବା ଦୁଃଖରୁ ଅବ୍ୟାହତି ପାଇବାର ମାର୍ଗଟିଏ ବାହାର କରିବାକୁ ହେବ ବୋଲି ଗୌତମ ତାଙ୍କର ସେହି ସୁରକ୍ଷିତ ସଂସାର ଭିତରୁ ବାହାରି ଯିବାକୁ ଆବଶ୍ୟକ ମନେ କରିଥିଲେ ।

 

ସେହିଦିନ ରାତିରେ ସମସ୍ତେ ନିଦ୍ରାମଗ୍ନ ରହିଥିବା ସମୟରେ ସେ ରାଜପ୍ରାସାଦ ତ୍ୟାଗ କଲେ । କେବଳ ନିଜର ଅଶ୍ଵ ଏବଂ ସାରଥି ଚନ୍ନକୁ ସାଥିରେ ନେଇଥିଲେ । ନିଜର କୁମାରଟିକୁ ଶେଷଥର ପାଇଁ ନିଜ ହାତରେ ଧରିବେ ବୋଲି ଭାବିଥିଲେ ସିନା, ମାତ୍ର ସିଏ ଯଶୋଧାରାଙ୍କ ସହିତ ଶୋଇଥିବାରୁ, କାଳେ ମାଆଙ୍କର ନିଦ ମଧ୍ୟ ଭାଙ୍ଗିଯିବ, ସେହି ଆଶଙ୍କାରେ ସବୁଦିନ ପାଇଁ ସେହି ସର୍ବାଧିକ ପ୍ରିୟ ସମ୍ପତ୍ତିଠାରୁ ବିଦାୟ ନେଇ ଜଣେ ଅନିକେତ ପରିବ୍ରାଜକର ଜୀବନକୁ ବରଣ କରି ନେଇଥିଲେ । ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଏହିପରି ବହୁତ ବିପଦପୂର୍ଣ୍ଣ ତଥା କଠୋର ଜୀବନ ହିଁ,–ସୁଖ ନୁହେଁ ବା ନିରାପତ୍ତା ମଧ୍ୟ ନୁହେଁ,–ମନୁଷ୍ୟମାନଙ୍କୁ ବହୁ ବୃହତ୍ କାର୍ଯ୍ୟମାନଙ୍କର ସାଧନ ନିମନ୍ତେ ପ୍ରଲୋଭିତ କରି ନେଇ ଯାଆନ୍ତି !

 

ଗୌତମ ପ୍ରଥମେ ରାଜଗୃହ ଓ ବିନ୍ଧ୍ୟାଞ୍ଚଳର କେତେକ ବ୍ରାହ୍ମଣ ଯତିଜନଙ୍କ ପାଖକୁ ଗଲେ; ମାତ୍ର ସେମାନଙ୍କର ଶିକ୍ଷାରେ ସନ୍ତୋଷ ନପାଇ ସେ ନିର୍ଜନ ବନରେ ଏକାକୀ ତପସ୍ୟାରେ ବି ଯାଇ ବସିଲେ,–ବ୍ରାହ୍ମଣ ତପସ୍ଵୀମାନେ ଯେପରି ବସନ୍ତି, ଠିକ୍ ସେହିପରି । ଲକ୍ଷ୍ୟ ରହିଥିଲା ଯେ ଏହିଭଳି ସାଧନା ଦ୍ଵାରା ସେ ଅତିମାନବିକ ଶକ୍ତି ତଥା ଅନ୍ତର୍ଦୃଷ୍ଟି ଲାଭ କରିପାରିବେ । ମାତ୍ର କଠୋରତମ ସଂକଳ୍ପ ସହିତ ନାନାବିଧ ଦେହକୃଚ୍ଛ କରିବାର ଦୀର୍ଘ ସମୟ ଅତିକ୍ରାନ୍ତ ହୋଇଯିବା ପରେ ସିଏ ଜ୍ଞାନଲାଭର ଆଦୌ ନିକଟବର୍ତ୍ତୀ ହେଉଥିବା ପରି ଅନୁଭବ କରିପାରି ନଥିଲେ । ଏବଂ ତେଣେ, ଜଣେ ଯୋଗୀ ବା ମହାତ୍ମା ହିସାବରେ ସେ ବହୁ ଖ୍ୟାତି ଲାଭ କରି ପାରିଲେ । ତା’ପରେ ସେ ଏହିସବୁକୁ ବର୍ଜନ କରି ଆହାର ଗ୍ରହଣ କଲେ । ଅର୍ଜନ କରିଥିବା ଖ୍ୟାତିକୁ ହରାଇଲେ, ଏବଂ, ତାଙ୍କର ଶିଷ୍ୟମାନେ ମଧ୍ୟ ତାଙ୍କୁ ଛାଡ଼ି ଚାଲି ଯାଇଥିଲେ ।

 

ବୁଦ୍ଧ ପ୍ରଲୁବ୍ଧ ହେଲେନାହିଁ

 

ନିର୍ଜନରେ ରହି ବିଫଳ ହେଉଥିବାର ସେହି କାଳରେ ବୁଦ୍ଧଙ୍କୁ ଗୋଟିଏ ପ୍ରଲୋଭନର ସମ୍ମୁଖୀନ ହେବାକୁ ପଡ଼ିଥିଲା । ବର୍ଣ୍ଣିତ ଅଛି ଯେ ସ୍ଵୟଂ ମୋର ତାଙ୍କୁ ଜଡ଼ସୁଖର ବହୁ ପ୍ରଲୋଭନ ଦେଖାଇବାକୁ ଆସିଥିଲା । ସେଥିରେ ଆଦୌ ବିଚ୍ୟୁତ ହୋଇ ନଯାଇ ଗୌତମ ନିରଞ୍ଜନା ନଦୀର ତଟରେ ଭ୍ରମଣ କରିବାକୁ ଲାଗିଲେ, ବୋଧିବୃକ୍ଷର ମୂଳରେ ଆପଣାକୁ ଆସୀନ କରି ରଖିଲେ । ସେଠାରେ ସେ ନିକଟବର୍ତ୍ତୀ ଗୋଟିଏ ଗ୍ରାମର ଜଣେ ଝିଅ ସୁଜାତାଠାରୁ ଗୋଟିଏ ସାଧାରଣ ଆହାର ଗ୍ରହଣ କରୁଥିଲେ । ପ୍ରଥମେ ସୁଜାତା ତାଙ୍କୁ ଜଣେ ବନଦେବତା ବୋଲି ଭ୍ରମ କରିଥିଲା । ଗୌତମ ସେଠାରେ ଦିନଯାକ ଉପବିଷ୍ଟ ରହୁଥିଲେ, ବହୁ ବହୁ ସଂଶୟଦ୍ଵାରା ପ୍ରପୀଡ଼ିତ ହେବାରେ ଲାଗିଥିଲେ । ସୁଗୃହକୁ ଲେଉଟିଯିବାର କିଛି ପ୍ରଲୋଭନ ମଧ୍ୟ ଆସୁଥିଲା । ମାତ୍ର ଦିବସଟିର ଅବସାନ ହୋଇ ଆସିବାବେଳକୁ ତାଙ୍କର ମନର ଭାବନାଗୁଡ଼ିକ ଅଧିକରୁ ଅଧିକ ସ୍ପଷ୍ଟ ହୋଇ ଆସୁଥିବା ପରି ବୋଧ ହେଉଥିଲା, ସଂଶୟମାନେ ଅନ୍ତର୍ହିତ ହୋଇ ଯାଉଥିଲେ,–ପ୍ରତ୍ୟେକ ବସ୍ତୁର ତାତ୍ପର୍ଯ୍ୟଟି ପ୍ରତ୍ୟକ୍ଷ ହୋଇ ଆସିବା ସଙ୍ଗେ ସଙ୍ଗେ ସେ ଏକ ମହାନ୍ ଶାନ୍ତି ଅନୁଭବ କରୁଥିଲେ । ଏହିପରି ଭାବରେ ଦିନ ଓ ରାତିଟି ଚାଲିଯିବା ପରେ ପ୍ରତ୍ୟୁଷ ସମୟକୁ ପୂର୍ଣ୍ଣ ଜ୍ଞାନର ପରିଚୟ ଲାଭ କରି ପାରୁଥିଲେ । ଏହିପରି ଭାବରେ ଗୌତମ ବୋଧି ଲାଭ କଲେ, ବୁଦ୍ଧ ହେଲେ ।

 

ସଂପୂର୍ଣ୍ଣ ଜ୍ଞାନର ଉପଲବ୍ଧି ପରେ ସେ ହଠାତ୍ ସବୁକିଛିରୁ ବିଚ୍ଛିନ୍ନ ହୋଇ ଯାଇଥିବା ପରି ବୋଧ କଲେ; ତାଙ୍କଠାରୁ କମ୍ ଜ୍ଞାନ ଏବଂ ନିଷ୍ଠା ରହିଥିବା ଅନ୍ୟ ମନୁଷ୍ୟଙ୍କର ପାଇଁ ସିଏ କିପରି ଏହି ପ୍ରାପ୍ତ ସତ୍ୟଜ୍ଞାନକୁ ନେଇ ବିତରଣ କରିପାରିବେ ? ସଚରାଚର ମନୁଷ୍ୟମାନେ ଯେପରି କରି ଆସିଛନ୍ତି, ଏହିସବୁ ବିଧାନ, ନିୟମ ତଥା ଇଶ୍ଵରତତ୍ତ୍ଵ ଉପରେ କୌଣସି ବିଶ୍ଵାସ ନରଖି ସେ କିପରି ଆତ୍ମସଂଯମ ଏବଂ ଶ୍ରଦ୍ଧା ଦ୍ଵାରା ନିଜର ମୁକ୍ତି ନିଜେ ଲାଭ କରିବାର ଏହି ସତ୍ୟଟିକୁ ପ୍ରକୃତରେ ଅନ୍ୟମାନଙ୍କର ହୃଦ୍‌ବୋଧ କରାଇ ପାରିବେ କି ? ଏହିପରି ବିଚ୍ଛିନ୍ନତାବୋଧ ପ୍ରକୃତରେ ସକଳ ମହାନ ପୁରୋଗାମୀମାନଙ୍କର ଜୀବନରେ ଆସିଥାଏ । କିନ୍ତୁ, ସକଳ ମନୁଷ୍ୟଙ୍କ ପ୍ରତି ଶ୍ରଦ୍ଧା ଏବଂ ସହୃଦୟତାର ଅନୁଶୀଳନ କରିବାଲାଗି ପରାମର୍ଶ ଦେଲେ ସମସ୍ତେ ବୁଦ୍ଧଙ୍କୁ ଭୁଲ ବୁଝିବେନାହିଁ ତ ଏବଂ ତା’ ଫଳରେ ସିଏ ପ୍ରତ୍ୟକ୍ଷ କରିଥିବା ସତ୍ୟଟି ପ୍ରକୃତରେ ବିଫଳ ହୋଇ ଯିବନାହିଁ ତ ?

 

ଏହିପରି ଭାବନାଦ୍ୱାରା ପରିଚାଳିତ ହୋଇ ବୁଦ୍ଧ ଧର୍ମଚକ୍ର-ପ୍ରବର୍ତ୍ତନ ନିମନ୍ତେ ବାରଣାସୀ ଯାତ୍ରା କରିଥିଲେ ଏବଂ ନିକଟସ୍ଥ ମୃଗବନରେ ଅବସ୍ଥାନ କରିଥିଲେ । ପ୍ରଥମ ଅବସ୍ଥାରେ ଜନସମୁଦାୟ ତାଙ୍କର ସୂତ୍ରଗୁଡ଼ିକୁ ସେପରି ଉତ୍ତମ ଭାବରେ ଗ୍ରହଣ କରି ନଥିଲେ ହେଁ ତାଙ୍କର ପୁରାତନ ଶିଷ୍ୟ ତଥା ବହୁ ଅନ୍ୟମାନେ ତାହାକୁ ଗ୍ରହଣ କଲେ । କେତେଜଣ ତାଙ୍କର ବ୍ୟକ୍ତିଗତ ଅନୁଗାମୀ ମଧ୍ୟ ହେଲେ, ଅନ୍ୟମାନେ ଗୃହତ୍ୟାଗ ନକରି ମଧ୍ୟ ସେହି ଦୀକ୍ଷାରେ ଦୀକ୍ଷିତ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ତାଙ୍କର ପିତାମାତା ତଥା ପତ୍ନୀ ଓ ପୁତ୍ର ମଧ୍ୟ ଦୀକ୍ଷା ଗ୍ରହଣ କରିଥିଲେ । ଏହିପରି ଦୀର୍ଘ ପଇଁଚାଳିଶି ବର୍ଷ କାଳ ଧର୍ମପ୍ରଚାର କରି ସେ କପିଳବାସ୍ତୁ ଓ ପ୍ରତିବେଶୀ ରାଜ୍ୟଗୁଡ଼ିକରେ ମଧ୍ୟ ନିଜ ଧର୍ମମାର୍ଗର ପ୍ରବେଶ ଘଟାଇଥିଲା । ବୌଦ୍ଧଭିକ୍ଷୁ ମାନଙ୍କର ଗୋଟିଏ ସଂଘର ପ୍ରତିଷ୍ଠା କଲେ ଏବଂ ଯେତେ କୁଣ୍ଠିତ ଭାବରେ ହେଲେ ମଧ୍ୟ ଭିକ୍ଷୁଣୀମାନଙ୍କର ସଙ୍ଘଟିଏ ମଧ୍ୟ ଗଠିତ କରାଇଥିଲେ । ଏବଂ ଶେଷରେ, ଆପଣାର ଶୋକସନ୍ତପ୍ତ ଶିଷ୍ୟବର୍ଗଙ୍କର ଗହଣରେ ବୁଦ୍ଧ ନିର୍ବାରଣ ପ୍ରବିଷ୍ଟ ହେଲେ । (ଖ୍ରୀଷ୍ଟପୂର୍ବ ପ୍ରାୟ ୪୮୩)

 

ବୁଦ୍ଧଙ୍କର ଶିକ୍ଷାବଳୀ

 

ବୁଦ୍ଧଙ୍କର ଜୀବନୀ ସମ୍ବନ୍ଧରେ ଆମେ ତୁଳନାତ୍ମକ ଭାବରେ ଅତ୍ୟନ୍ତ ଅଳ୍ପ ଜାଣିଥିଲେ ହେଁ, ଅନ୍ୟ ପକ୍ଷରେ, ଅତ୍ୟନ୍ତ ବିଶ୍ଵାସଯୁକ୍ତ ଭାବରେ ତାଙ୍କର ଶିକ୍ଷାବଳୀ ସମ୍ବନ୍ଧରେ ଆମକୁ ବହୁତ କିଛି ଅବଗତ ହୋଇ ପାରିଛି । ବୁଦ୍ଧଙ୍କର ବ୍ୟକ୍ତିତ୍ଵ ବିଷୟରେ ଆମର ଧାରଣାଗୁଡ଼ିକ ପ୍ରକୃତରେ ସର୍ବଦା ବଦଳି ଯାଇଛନ୍ତି ସତ, କିନ୍ତୁ ଖ୍ରୀଷ୍ଟପୂର୍ବ ପ୍ରାୟ ୨୫୦ ଅର୍ଦ୍ଦରୁ ହିଁ ତାଙ୍କର ଶିକ୍ଷାବଳୀ ଅକ୍ଷୁର୍ଣ୍ଣ ଭାବରେ ସୁରକ୍ଷିତ ହୋଇ ରହିଛି । ଏବଂ, ଏପରି ବିଶ୍ଵାସ କରିବା ସକାଶେ ବହୁତ ରହିଛି ଯେ, ସେତେବେଳେ ଧର୍ମସୂତ୍ର ବୋଲି ଔପଚାରିକ ଭାବରେ ଗୃହୀତ ହୋଇଥିବା ଗ୍ରନ୍ଥଗୁଡ଼ିକ ତାଙ୍କର ପ୍ରକୃତ ଶିକ୍ଷାଗୁଡ଼ିକର ସାର ଅଂଶଗୁଡ଼ିକୁ ଅବଶ୍ୟ ଲିପିବଦ୍ଧ କରି ରଖିଛନ୍ତି ।

 

ସର୍ବପ୍ରଥମେ ଏହି କଥାଟି ବୁଝି ରଖିବା ଅତ୍ୟନ୍ତ ଆବଶ୍ୟକ ଯେ, ଧର୍ମର ରାଜ୍ୟରେ ଜଣେ ସଂସ୍କାରକ ଏବଂ ଧର୍ମପୁରୋହିତ ମାନଙ୍କର ଦୃଷ୍ଟିରୁ ଜଣେ ଧର୍ମବିରୋଧୀ (ସତ୍ୟାନୁମାନ କରିବା ନିମନ୍ତେ ପୂର୍ଣ୍ଣ ସ୍ଵାଧୀନତା ପ୍ରଦାନ କରିଥିବା ଏକ ମାର୍ଗ ବିଷୟରେ ଏହିପରି ଶବ୍ଦଟିଏ ଯଦି ଆଦୌ ପ୍ରୟୋଗ କରାଯାଏ) ହିସାବରେ ବୁଦ୍ଧ ଜଣେ ହିନ୍ଦୁରୂପେ ହିଁ ଲାଳିତ ପାଳିତ ହୋଇଥିଲେ, ଜୀବନ ଅତିବାହିତ କରିଥିଲେ ତଥା ସେହି ହିନ୍ଦୁ ଭାବରେ ହିଁ ତାଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା । ତାଙ୍କଦ୍ୱାରା ପ୍ରଣୀତ ସୂତ୍ରଗୁଡ଼ିକ ହେଉ ଅଥବା ଧର୍ମନୀତିଟି ହେଉ, ତୁଳନାତ୍ମକ ଭାବରେ ତାଙ୍କର ମାର୍ଗରେ ଅତ୍ୟନ୍ତ ଅଳପ ଏପରି ରହିଥିଲା ଯାହାକୁ କି ସମ୍ପୂର୍ଣ୍ଣ ମୌଳିକ ବୋଲି କୁହାଯାଇ ପାରିବ କିମ୍ବା ତତ୍କାଳୀନ ସର୍ବୋତ୍ତମ ବ୍ରାହ୍ମଣମାନଙ୍କର ସମର୍ଥନ ତଥା ସହାନୁଭୂତିରୁ ତାଙ୍କୁ ବଞ୍ଚିତ କରିରଖିବାଲାଗି ଯାହା ଉଦ୍ଦିଷ୍ଟ ରହିଥିଲା;–କାରଣ ସେହି ବ୍ରାହ୍ମଣମାନଙ୍କ ଭିତରୁ ମଧ୍ୟ ଅନେକେ ତାଙ୍କର ଶିଷ୍ୟତ୍ଵ ଗ୍ରହଣ କରିଥିଲେ । ତାଙ୍କ ପ୍ରଦର୍ଶିତ ମାର୍ଗଟି ସଫଳତା ଲାଭ କରିଥିବାର ଏକାଧିକ କାରଣ ରହିଛି : ବୁଦ୍ଧଙ୍କର ନିଜର ଚମତ୍କାର ବ୍ୟକ୍ତିତ୍ଵ ଓ ହୃଦ୍‌ବୋଧ କରାଇ ପାରୁଥିବା ସୁବିନୀତ ଯୁକ୍ତିଗୁଡ଼ିକ, ତାଙ୍କର ସାହସର ସହିତ କେତୋଟି ମୂଳ ସତ୍ୟ ଉପରେ ସର୍ବଦା ବିଶେଷ ଗୁରୁତ୍ଵ ପ୍ରଦାନ କରିବା ଏବଂ ଏପରି ଗୋଟିଏ ପ୍ରଣାଳୀକୁ ଗ୍ରହଣ କରିବା, ଯାହାଦ୍ୱାରା କି ସେ ଜନ୍ମ ତଥା ବୃଦ୍ଧିମତ୍ତା ନିର୍ବିଶେଷରେ ଆପଣାର ଶିକ୍ଷାଗୁଡ଼ିକୁ ବୋଧଗମ୍ୟ କରାଇ ପାରୁଥିଲେ ।

 

ଏହି ଜଗତରେ ସବୁକିଛି ଯେ ଅନିତ୍ୟ, ସେହି ବିଷୟରେ ଏକ ମୂଳ ବିଚାର, ଜୀବନ ସହିତ ଦୁଃଖର ତଥା ତୃଷ୍ଣା ବା ବାସନା ସହିତ ଅପରିହାର୍ଯ୍ୟ ଭାବରେ ରହିଥିବା ସମ୍ପର୍କ, ପୁନର୍ଜନ୍ମର ସିଦ୍ଧାନ୍ତ, କରମବାଦ (ଅର୍ଥାତ୍, ଜଣେ ବ୍ୟକ୍ତି ଯାହା ବୁଣିଥିବ, ତାହାର ପରିଣାମକୁ ସିଏ ଅବଶ୍ୟ ପାଇବ) ଏବଂ ଏକ ପରସ୍ପର-ସମ୍ପର୍କିତ ଔପଚାରିକ ମନୋବିଜ୍ଞାନତତ୍ତ୍ଵ–ଏଗୁଡ଼ିକ ସବୁକିଛି ବୁଦ୍ଧଙ୍କର ନିଜ ସମୟର ବୌଦ୍ଧିକ ବିଚାର-ପରିବେଶଟିର ହିଁ ଅଂଶ ହୋଇ ରହିଥିଲେ । ଗଭୀର ଭାବରେ ଯେଉଁ କଥାଟିରେ ବ୍ରାହ୍ମଣମାନଙ୍କ ସହିତ ତାଙ୍କର ଭିନ୍ନ ମତ ରହିଥିଲା, ସେଇଟି ହେଉଛି ଯେ, ବୁଦ୍ଧ ଆତ୍ମାର ଅସ୍ତିତ୍ଵକୁ ସ୍ଵୀକାର କରିନଥିଲେ, ମନୁଷ୍ୟ ଭିତରେ ଯେ ବ୍ୟକ୍ତିଗତ ଏକ ମାୟା ଅର୍ଥାତ୍ ଅହଂର ସୃଷ୍ଟି କରୁଥିବା କ୍ଷଣିକ କେତେକେ ସମ୍ବନ୍ଧିତତା ବ୍ୟତୀତ ଆଉ କୌଣସି ସ୍ଥାୟୀ ସାମଗ୍ରୀ ବା ସତ୍ତ୍ଵ ରହିଛି, ବୃଦ୍ଧଦେବ ତାହାକୁ ଗ୍ରହଣ କରି ପାରିନଥିଲେ ।

 

ତଥାପି, ସେହି ପ୍ରଭେଦଟିକୁ ମଧ୍ୟ ପ୍ରକୃତ ବୋଲି ନକହି ବରଂ ଅଧିକତର ଅର୍ଥରେ ଆପାତ ବୋଲି ହିଁ କୁହାଯିବ ଏବଂ, ଆମେ ପରବର୍ତ୍ତୀ କାଳମାନଙ୍କରେ ମଧ୍ୟ ଦେଖିବାକୁ ପାଇଥାଉ ଯେ, ସେତେବେଳେ ବୌଦ୍ଧମାର୍ଗର “ଶୂନ୍ୟ” ଓ ବ୍ରାହ୍ମଣ୍ୟମାର୍ଗର “ଆତ୍ମା” ମଧ୍ୟରେ ଏକ ପାର୍ଥକ୍ୟ ନିରୂପଣ କରିବା ମଧ୍ୟ ଆଦୌ ସମ୍ଭବ ହୋଇନଥିଲା । ସ୍ଵଭାବଲକ୍ଷଣ ବୋଲି କେଉଁଠାରେ କିଛି ଆଦୌ ନାହିଁ,–ଏହାକୁ ହିଁ ଉକ୍ତ ପ୍ରତ୍ୟେକଟିର ଅସଲ ପରିଚାରକ ବୋଲି କୁହାଯାଇ ପାରିବ । ଏଇଟି ପରି ସେଇଟି ମଧ୍ୟ ସତ୍ ତଥା ଅସତ୍‌ଠାରୁ ଭିନ୍ନ । ଏପରିକି “ନିର୍ବାଣ” ନାମକ ସେହି ଶବ୍ଦଟି ବୌଦ୍ଧଧର୍ମ ତଥା ହିନ୍ଦୁଧର୍ମ ଦୁଇଟିଯାକରେ ରହିଛି । ଏହି ନିର୍ବାଣ କହିଲେ ତାହା ନିର୍ବାପିତ ହୋଇଯିବାକୁ ବୁଝାଇବ କି ନାହିଁ, ସେହି ବିଷୟରେ ଯାହାକିଛି ମତଭେଦ ରହିଛି । ଏହି ପ୍ରଶ୍ନଟି ମଧ୍ୟ ପ୍ରକୃତରେ ଅବାନ୍ତର, କାରଣ ନିର୍ବାଣର ଅର୍ଥ କହିଲେ ଯାବତୀୟ ବ୍ୟକ୍ତିଭାବରେ ବନ୍ଧନରୁ ମୁକ୍ତିଲାଭ କରିବାକୁ ହିଁ ବୁଝାଏ,–ଗୋଟିଏ ମାଟିପାତ୍ରକୁ ଭାଙ୍ଗିଦେଲେ ଯେପରି ତାହା ନିଜର ସୀମାବଦ୍ଧତାରୁ ମୁକ୍ତ ହୋଇ ଅନନ୍ତ ଶୂନ୍ୟର ଏକ ଅଂଶରେ ପରିଣତ ହୋଇଯାଏ, ଠିକ୍ ସେହିପରି-। ସେହି ଅନନ୍ତ ବିସ୍ତୃତିକୁ ଆମେ ଶୂନ୍ୟ ବୋଲି କହିବା ଅଥବା ପୂର୍ଣ୍ଣ ବୋଲି କହିବା,–ତାହା ଆଦୌ କୌଣସି ସତ୍ୟ ଉପରେ ନୁହେଁ, ଆମର ଦୃଷ୍ଟିଟି ଉପରେ ହିଁ ନିର୍ଭର କରିବ । ଅସଲ କଥା ହେଉଛି, ଆମେ ବୁଝିବା ଯେ, ଏହାର ଯେକୌଣସି ଅଂଶ ଯେ ଆପାତତଃ ଅଲଗା ହୋଇ ରହିଥିଲା, ସେହି ଧାରଣାଟି ହେଉଛି କ୍ଷଣିକ ଏବଂ ଭ୍ରାନ୍ତିଯୁକ୍ତ ଏବଂ ତାହାହିଁ ହେଉଛି ସକଳ ଦୁଃଖର କାରଣ-

 

ତେଣୁ, ବ୍ୟକ୍ତିତ୍ଵବୋଧର ଏହି ସ୍ତିତିଟି ହେଉଛି ସର୍ବପ୍ରଥମ ଭ୍ରମ, ଯାହାକୁ କି ବୌଦ୍ଧ ମାର୍ଗରେ ମୁକ୍ତିର ସନ୍ଧାନ କରୁଥିବା ଜଣେ ମନୁଷ୍ୟକୁ ତ୍ୟାଗ କରିବାକୁ ହେବ । ଏହି ଭ୍ରମାତ୍ମକ ବ୍ୟକ୍ତିଗତ ଆତ୍ମଭାବଟିକୁ ସଞ୍ଚିତ କରି ରଖିବାର ବାସନା, ତାହାହିଁ ଆମ ଜୀବନରେ ସକଳ ଦୁଃଖ ଓ ସକଳ ମନ୍ଦର ମୂଳ କାରଣ । ଆତ୍ମାର ଅସ୍ତିତ୍ଵ ରହିଛି ବୋଲି ଏକ ଧାରଣା ପୋଷଣ କରିବା,–ତାହା ଭ୍ରମାତ୍ମକ; କାରଣ, ବସ୍ତୁତଃ ସତ୍ତା ବୋଲି ଆଦୌ କିଛି ନାହିଁ, କେବଳ ଅବିରାମ ଭାବରେ ଏକ ସମ୍ଭବ ହେବାରେ ହିଁ ରହିଛି । ଯେଉଁମାନେ ଏହିସବୁ ଭ୍ରମକୁ ମୁକ୍ତ ହେବେ, ସେହିମାନେ ହିଁ ମାନସିକ ଶାନ୍ତି, ପ୍ରଜ୍ଞା ତଥା ନିର୍ବାଣ ଲାଭ କରିବାକୁ ମାର୍ଗଟିକୁ ଅବଶ୍ୟ ପାଇବେ । ନିମ୍ନୋକ୍ତ ପ୍ରଖ୍ୟାତ ପଦଟିରେ ସଂକ୍ଷେପରେ ତାହାହିଁ କୁହାଯାଇଛି !

 

ସକଳ ପାପରୁ କ୍ଷାନ୍ତ ରହିବା

ଗୁଣର ଅର୍ଜନ କରିବା,

ନିଜର ହୃଦୟକୁ ପରିଷ୍କୃତ କରି ରଖିଥିବା,–

ଏହା ହିଁ ବୌଦ୍ଧମାନଙ୍କର ଧର୍ମ ।

 

ଏତିକି ହେଲା ଇତିହାସର ବିଷୟ । ବୋଧିଲାଭ କରିଥିବା ସେହି ତଥାଗତଙ୍କୁ କେନ୍ଦ୍ର କରି ଜନସମୂହର କଳ୍ପନା ଯେଉଁ କାହାଣୀଗୁଡ଼ିକୁ କ୍ରମେ ବୁଣି ଆଣିଛି, ବର୍ତ୍ତମାନ ଆମେ ସେହିଗୁଡ଼ିକ ସହିତ ପରିଚିତ ହେବା । ଆପଣାର ଏକ ବହୁପୂର୍ବ ସମୟର ଗୋଟିଏ ଜନ୍ମରେ ସେ ଏକ ବୁଦ୍ଧ ହେବାରେ ଯେଉଁ ସଂକଳ୍ପ ଗ୍ରହଣ କରିଥିଲେ, ଆମେ ସେଇଠାରୁ ହିଁ ଆରମ୍ଭ କରିବା । ତା’ପରେ ଏକାଧିକ ଦେହରେ ସେ ଗ୍ରହଣ କରିଥିବା ପରବର୍ତ୍ତୀ ଅବତାରଗୁଡ଼ିକର ବାଟଦେଇ ଆମେ ପୂର୍ବରୁ କଥିତ ସାକ୍ୟ ରାଜପୁତ୍ର ଭାବେ ଜନ୍ମିଥିବାର ସେହି ଶେଷ ଜନ୍ମଟିରେ ଆସି ପ୍ରବେଶ କରିପାରିବା ।

 

ସୁମେଧ କିପରି ବୁଦ୍ଧ ହେଲେ

 

ଏକଲକ୍ଷ ଯୁଗ ପୂର୍ବ ଜଣେ ଧନବାନ୍, ବିଦ୍ଵାନ ଏବଂ ଧାର୍ମିକ ବ୍ରାହ୍ମଣ ଅମର ନାମକ ବୃହତ୍ ନଗରୀଟିରେ ବାସ କରୁଥିଲେ । ଦିନେ ସେ ପୁନର୍ଜନ୍ମ ହେତୁ ଭୋଗିବାକୁ ପଡ଼ୁଥିବା ଦୁଃଖ, ବାର୍ଦ୍ଧକ୍ୟ ଓ ରୋଗ ବିଷୟରେ ବସି ଚିନ୍ତା କରୁଥିଲେ । ଏବଂ ହଠାତ୍ କହିବାକୁ ଆରମ୍ଭ କଲେ :

ଅବଶ୍ୟ ମୁକ୍ତିର ଏକ ଉପାୟ ଥିବ,

ଅସମ୍ଭବ ବୋଲି କଦାପି କହି ହେବନାହିଁ !

ମୁଁ ନିଜେ ଅନୁସନ୍ଧାନ କରିବି ଓ ମାର୍ଗଟିକୁ ଜାଣିବି,

ଯାହାକି ଏହି ଜୀବନଚକ୍ରରୁ ମୁକ୍ତି ପ୍ରଦାନ କରିବ !

ଏହିପରି ମନସ୍ଥ କରି ସେ ହିମାଳୟକୁ ପ୍ରସ୍ଥାନ କଲେ ଏବଂ ଏକ ପର୍ଣ୍ଣକୁଟୀରରେ ଜଣେ ଯତିରୂପେ ବାସ କରିବାକୁ ଲାଗିଲେ । ସେଠାରେ ତାଙ୍କର ଜ୍ଞାନପ୍ରାପ୍ତି ହେଲା । ସିଏ ଭାବାବେଶ ମଧ୍ୟରେ ମଗ୍ନ ହୋଇ ରହିଥିବା ସମୟରେ ଦୀପଙ୍କର ଜନ୍ମଲାଭ କରିଥିଲେ । ଘଟଣାକ୍ରମେ ଏହି ବୁଦ୍ଧ ଏକଦା ସୁମେଧ ବାସ କରିଥିବା ସ୍ଥାନଟିର ପାର୍ଶ୍ଵବର୍ତ୍ତୀ ହୋଇ ଯାତ୍ରା କରୁଥିଲେ ଏବଂ ଲୋକମାନେ ସିଏ ଯିବେ ବୋଲି ଗୋଟିଏ ପଥ ନିର୍ମାଣ କରି ଦେଉଥିଲେ । ସୁମେଧ ମଧ୍ୟ ଏହି କାର୍ଯ୍ୟରେ ଆସି ଯୋଗ ଦେଲେ ଏବଂ ବୁଦ୍ଧ ସେହି କର୍ଦ୍ଦମ ଭିତରେ ପଶି ତାଙ୍କର ନିକଟକୁ ଆସି ନିଜର ମନେ ମନେ କହିଥିଲେ :

ଯଦି ତାଙ୍କୁ ମୁଁ କର୍ଦ୍ଦମ ଭିତରୁ ଉଦ୍ଧାର କରି ପାରନ୍ତି,

ତେବେ ଏକ ବୃହତ୍ ଗୌରବର ଅଧିକାରୀ ହୁଅନ୍ତି ।

 

ସେହିଠାରେ ଠିଆ ହୋଇଥିବା ସମୟରେ ଗୋଟିଏ ଭାବନା ତାଙ୍କ ମନଭିତରେ ଆସି ପ୍ରବେଶ କଲା । “ବର୍ତ୍ତମାନ ମୁଁ କାହିଁକି ମୋ’ ନିଜ ଭିତରେ ରହିଥିବା ଅବଶିଷ୍ଟ ସକଳ ମନ୍ଦକୁ ବର୍ଜନ କରି ନିର୍ବାଣରେ ପ୍ରବେଶ ନକରିବି ? ମାତ୍ର ଏହାକୁ କେବଳ ମୋ’ ନିଜପାଇଁ ଅର୍ଜନ କରିବା ମୋଟେ ଉଚିତ ହେବନାହିଁ । ବରଂ ଏପରି ହେବା ଉଚିତ ଯେ, ଦିନେ ମୁଁ ସର୍ବଜ୍ଞତାର ଉପଲବ୍ଧି କରିବି ଏବଂ ବହୁ ବହୁ ମନୁଷ୍ୟସତ୍ତାଙ୍କୁ ନିରାପଦ ଭାବରେ ପୁନର୍ଜନ୍ମର ଏହି ସମଦ୍ର ଉପରେ ସଦ୍ଧର୍ମର ନୌକାଉପରେ ବସାଇ ପରପାରକୁ ବାହିନେଇ ପାରିବି ।’’

 

ଅନାଗତ ସକଳ କିଛିକୁ ଜାଣି ପାରୁଥିବା ଦୀପଙ୍କର ତାଙ୍କ ପାଖରେ କିଛି କ୍ଷଣ ଅଟକିଗଲେ ଏବଂ ଜନଗଣଙ୍କ ସମ୍ମୁଖରେ ଘୋଷଣା କରିଥିଲେ ଯେ ସିଏ ମଧ୍ୟ ବାହୁଯୁଗ ପରେ ଠିକ ତାଙ୍କରି ଭଳି ବନ୍ଧୁତ୍ଵ ଲାଭ କରିବେ; ସେ ତାଙ୍କର ଜନ୍ମ ହେବାର ସ୍ଥାନ, ତାଙ୍କର ପରିବାର, ତାଙ୍କର ଶିଷ୍ୟବର୍ଗ ତଥା ତାଙ୍କର ବୃକ୍ଷଟିର ନାମ ମଧ୍ୟ କହିଦେଲେ । ଏକଥା ଶୁଣି ଲୋକମାନେ ଅତ୍ୟନ୍ତ ଆନନ୍ଦିତ ହେଲେ; କାରଣ ସେମାନେ ଭାବିଲେ ଯେ, ଯଦି ଆମେ ଏହି ଜୀବନରେ ବୁଦ୍ଧତ୍ଵ ଲାଭ କରି ନପାରିବୁ, ତେବେ ଆଉଗୋଟିଏ ଜୀବନରେ ଏହି ଅନ୍ୟ ବୁଦ୍ଧଙ୍କ ଠାରୁ ଶିକ୍ଷାଲାଭ କରି ସତ୍ୟଟିକୁ ପ୍ରାପ୍ତ ହେବାର ଗୋଟିଏ ଉତ୍ତମ ସୁଯୋଗ ଅବଶ୍ୟ ପାଇ ପାରିବୁ । କାରଣ, ସବୁଯାକ ବୁଦ୍ଧ ତ ସେହି ଗୋଟିଏ ମାର୍ଗର ହିଁ ଶିକ୍ଷା ପ୍ରଦାନ କରିବେ । ସୁମେଧଙ୍କର ବ୍ରତସ୍ଵୀକାର ଏବଂ ଉସର୍ଗଭାବର ସାକ୍ଷୀରୂପେ ସେତେବଳେ ସମଗ୍ର ପ୍ରକୃତି ମଧ୍ୟ ନାନା ସଙ୍କେତ ଓ ପୂର୍ବସୂଚନା ପ୍ରଦାନ କଲା: ପ୍ରତ୍ୟେକ ବୃକ୍ଷ ଫଳ ଧରିଲେ, ନଦୀମାନେ ଥିର ହୋଇ ରହିଲେ, ସ୍ଵର୍ଗରାଜ୍ୟରୁ ପୁଷ୍ପବର୍ଷା ହେଲା ଏବଂ ନରକର ଅଗ୍ନି ନିର୍ବାପିତ ହୋଇଗଲା । ଦୀପଙ୍କର କହିଥିଲେ, “ବିମୁଖ ହୁଅନାହିଁ, ଅଗ୍ରସର ହୁଅ,–ମୁଁ ଏକଥା ସୁନିଶ୍ଚିତ ଭାବରେ ଜାଣିଛି ଯେ ଆପଣ ନିଶ୍ଚୟ ଜଣେ ବୁଦ୍ଧ ହେବେ ।” ତା’ପରେ ସୁମେଧ ଅଧିକ ସଂକଳ୍ପର ସହିତ ଯାବତୀୟ ସର୍ତ୍ତ ପୂରଣ କରିବାକୁ ଲାଗିଲେ, ଭିକ୍ଷାଗ୍ରହଣ, ଦୃଷ୍ଟାନ୍ତ-ପାଳନ, ଆସକ୍ତିହୀନତା, ପ୍ରଜ୍ଞା, ସାହସ, ଧୈର୍ଯ୍ୟ, ସତ୍ୟ, ସଂକଳ୍ପ-ସଚେତନା, ସଦିଚ୍ଛା ଓ ଉପେକ୍ଷା ସକଳ ବିଷୟରେ । ସେହି ଅନ୍ୱେଷଣର ଦଶଗୋଟି ଯାକ ସର୍ତ୍ତପୂରଣ କରିବାକୁ ଆରମ୍ଭ କରି ସୁମେଧ ଅରଣ୍ୟକୁ ପ୍ରତ୍ୟାବର୍ତ୍ତନ କଲେ,–ମୃତ୍ୟୁ ପର୍ଯ୍ୟନ୍ତ ସେହି ସାଧନା କରିଥିଲେ ।

 

ତା’ପରେ ସେ ଅସୁମାରି ସଂଖ୍ୟାର ଶରୀର ଧରି ଜନମଲାଭ କରିଥିଲେ,–ମନୁଷ୍ୟ, ଦେବତା, ଏକ ଇତରପ୍ରାଣୀ ଇତ୍ୟାଦି ଇତ୍ୟାଦି,–ଏବଂ, ଏହି ଯାବତୀୟ ଜନ୍ମରେ ସେ ନିର୍ଦ୍ଦେଶିତ ପଥରେ ଅବିଚ୍ୟୁତ ରହିଥିଲେ, ଯେଉଁ କାରଣରୁ ବି ଏହା କୁହା ଯାଇଥାଏ ଯେ, ପୃଥିବୀରେ ଏପରି ଗୋଟିଏ ଅଣୁ ମଧ୍ୟ ନାହିଁ, ଯେଉଁଥିରେ କି ପ୍ରାଣୀସକଳଙ୍କ ନିମନ୍ତେ ବୁଦ୍ଧ ଆପଣାର ଜୀବନକୁ ଉତ୍ସର୍ଗ କରିନାହାନ୍ତି । ଏହି ବହୁ ବହୁ ଜନ୍ମଗୁଡ଼ିକର କାହାଣୀ ଜାତକ ଗ୍ରନ୍ଥ ମାନଙ୍କରେ ଲିପିବଦ୍ଧ ହୋଇ ରହିଛି,–ସେଥିରେ ୫୫୦ଟି ଜନ୍ମର କଥା କୁହାଯାଇଛି । ସେଗୁଡ଼ିକରୁ ବାଛି ବାଛି ଆମେ ଏଠାରେ ଅଳ୍ପ କେତୋଟିର ବର୍ଣ୍ଣନା କରିବା ।

 

ଛଅଟି ଶୁଣ୍ଢ ଥିବା ହସ୍ତୀ

 

ଏକଦା ବୁଦ୍ଧ ଜଣେ ହସ୍ତୀମୁଖ୍ୟଙ୍କର ପୁତ୍ରରୋପେ ଜନ୍ମଗ୍ରହଣ କରିଥିଲେ; ସେହି ଯୂଥରେ ଆଠହଜାର ପାଟହସ୍ତୀ ରହିଥିଲେ । ଯୂଥଟି ହିମାଳୟର ଗୋଟିଏ ବୃହତ୍ ହ୍ରଦ ନିକଟରେ ବାସ କରୁଥିଲା । ହ୍ରଦଟିର ମଧ୍ୟଭାଗରେ ଅତି ସ୍ଵଚ୍ଛ ଜଳ ରହିଥିଲା ଏବଂ ତାହାର ଚତୁର୍ଦ୍ଦିଗରେ ଶୁଭ୍ର ତଥା ଆଉ କେତେ ବର୍ଣ୍ଣର କୁମୁଦପୁଷ୍ପମାନେ ଫୁଟିଥିଲେ । ହ୍ରଦର ତଟରେ ଧାନ୍ୟକ୍ଷେତ ଥିଲା, ଅଲାବୁ, ଇକ୍ଷୁ ଏବଂ ରମ୍ଭା ବୃକ୍ଷମାନେ ମଧ୍ୟ ରହିଥିଲେ । ସେଗୁଡ଼ିକର ସେପାଖକୁ ଏକ ବଂଶବନ ଓ ବୃହତ୍ ପର୍ବତଶ୍ରେଣୀଟିଏ ଅବସ୍ଥିତ ଥିଲା । ହ୍ରଦର ଉତ୍ତରପୂର୍ବ କୋଣରେ ଗୋଟିଏ ବିଶାଳ ବାଟବୃକ୍ଷ ଏବଂ ପଶ୍ଚିମ ପାର୍ଶ୍ଵରେ ଏକ ବୃହଦାକାର ସୁନାରଙ୍ଗର ଗୁମ୍ଫା ରହିଥିଲା । ବର୍ଷାକାଳରେ ହସ୍ତିମାନେ ଗୁମ୍ଫାଟି ଭିତରେ ରହୁଥିଲେ ଏବଂ ନିଦୀଘ କାଳର ବଟବୃକ୍ଷର ଶାଖାତଳେ ଶୀତଳ ବାୟୁ ଉପଭୋଗ କରୁଥିଲେ । ଦିନେ ଭାବୀ-ବୁଦ୍ଧ ନିଜର ଦୁଇପତ୍ନୀଙ୍କ ସହିତ ଶାଳବୃକ୍ଷମାନଙ୍କର ଗୋଟିଏ ତୋଟାକୁ ଯାଇଥିଲେ ଏବଂ ସେଠାରେ ନିଜର ମୁଣ୍ଡଦ୍ୱାରା ଗୋଟିଏ ଗଛକୁ ଏପରି ମୁଣ୍ଡିଆଟିଏ ମାରିଥିଲେ, ଯାହାଫଳରେ କି ବୃକ୍ଷଟିରୁ ଶୁଖିଲା ଡାଳପତ୍ର ତଥା ଲୋହିତବର୍ଣ୍ଣ ପିପୀଲିକାମାନେ ତଳକୁ ଅଜାଡ଼ି ହୋଇ ପଡ଼ିଲେ । ସେଠାରେ ତାଙ୍କର ଜଣେ ପତ୍ନୀ ଚୁଲ୍ଲଶୁଭଦ୍ଦା ଛିଡ଼ା ହୋଇଥିଲେ । ଏବଂ, ଅନ୍ୟ ପାଖଟିରେ ସବୁଜ ପତ୍ର ତଥା ପୁଷ୍ପଚୟ ଅଜାଡ଼ି ହୋଇ ପଡ଼ିଲେ, ଯେଉଁଠାରେ ତାଙ୍କର ଅନ୍ୟ ପତ୍ନୀ ମହାସୁଭଦ୍‌ଦା ଛିଡ଼ା ହୋଇଥିଲେ । ଏ ଭଳି ଘଟିବା ଫଳରେ ମହାସୁଭଦ୍‌ଦା ଅପମାନିତ ବୋଧ କଲେ ଏବଂ ଭର୍ତ୍ତାଙ୍କ ପ୍ରତି ମନରେ ଅତ୍ୟନ୍ତ କ୍ରୋଧ ପୋଷଣ କରିଥିଲେ । ଏଣୁ, ଆଉଦିନେ ସେ ଫଳ ଏବଂ ପୁଷ୍ପଦଳର ନୈବେଦ୍ୟ ପସ୍ତୁତ କରି ରଖି ଯେତେବେଳେ ପାଞ୍ଚଶତ ପ୍ରତ୍ୟେକବୁଦ୍ଧଙ୍କର ଅର୍ଚ୍ଚନା କରୁଥିଲେ, ସେତେବେଳେ ଚୁଲ୍ଲସୁଭଦ୍‌ଦା ମଧ୍ୟ ସେମାନଙ୍କର ଉପାସନା କଲେ ଏବଂ ପ୍ରାର୍ଥନା କରିଥିଲେ ଯେ ସିଏ ଜଣେ ରାଜକନ୍ୟା ହୋଇ ଜନ୍ମଗ୍ରହଣ କରିବେ ଏବଂ ବାରାଣସୀର ରାଜାଙ୍କର ରାଣୀ ମଧ୍ୟ ହେବେ । ତେବେ ସେ ରାଜାଙ୍କୁ ସମ୍ମତ କରାଇ ଏଠାକୁ ଜଣେ ଶିକାରୀକୁ ପ୍ରେରଣ କରିବେ, ଯିଏକି ଗୋଟିଏ ବିଷାକ୍ତ ବାଣ ମାରି ଏହି ହାତୀଟିକୁ ମାରିଦେଇ ପାରିବ । ତା’ପରେ ସେ ଝୁରି ହୋଇ ମୃତ୍ୟୁବରଣ କଲେ ଏବଂ କାଳକ୍ରମେ ତାଙ୍କର ମନ୍ଦ ଇଚ୍ଛାଗୁଡ଼ିକର ମଧ୍ୟ ପୂରଣ ହୋଇଥିଲା । ଏବଂ ସେ ବାରାଣସୀରାଜାଙ୍କର ପ୍ରିୟା ପତ୍ନୀ ହୋଇ ପାରିଥିଲେ, ରାଜାଙ୍କର ଦୃଷ୍ଟିକୁ ଅତ୍ୟନ୍ତ ତୃପ୍ତି ଦେଇଥିଲେ । ସେ ନିଜ ପୂର୍ବ ଜନ୍ମଗୁଡ଼ିକୁ ମଧ୍ୟ ସ୍ମରଣ ରଖିଥିଲେ ଏବଂ ବର୍ତ୍ତମାନ ସେହି ହାତୀଟିର ଶୁଣ୍ଢଗୁଡ଼ିକୁ ଉତ୍ପାଟିତ କରି ତାଙ୍କ ପାଖକୁ ଅଣାଯିବାର ଉପଯୁକ୍ତ ସମୟଟି ଆସି ପହଞ୍ଚିଛି ବୋଲି ମନେ ମନେ ଚିନ୍ତା କଲେ । ତେଣୁ ସେ ଶୟନକକ୍ଷକୁ ଯାଇ ଅତ୍ୟନ୍ତ ପୀଡ଼ିତ ଥିବାର ଛଳନା କରିଥିଲେ । ସମ୍ବାଦ ପାଇ ରାଜା ତାଙ୍କ ପାଖକୁ ଯାଇଥିଲେ ଏବଂ ପଚାରିଲେ: ପାଦରେ ଦଳିହୋଇ ଯାଇଥିବା ଗୋଟିଏ ଶୁଷ୍କ ପୁଷ୍ପହାର ପରି ତୁମେ କାହିଁକି ଏପରି ମଳିନ ଦେଖାଯାଉଛ ?” ରାଣୀ ଉତ୍ତର ଦେଲେ, “କାରଣ, ମୋର ଗୋଟିଏ ଗୋଟିଏ ଇଚ୍ଛା ଅପୂରଣ ହୋଇ ରହିଛି ।” ସିଏ ଯାହା ଇଚ୍ଛା କରିବେ, ତାହାର ଅବଶ୍ୟ ପୂରଣ ହେବ ବୋଲି ରାଜା ପ୍ରତିଜ୍ଞା କରିଥିଲେ । ଏହାପରେ ରାଜ୍ୟର ସବୁ ଶିକାରୀଙ୍କୁ ଡକା ଯାଇଥିଲା,–ଷାଠିଏ ହଜାର ଶିକାରୀ ଆସି ଠୁଳ ହୋଇଥିଲେ । ରାଜା ସେମାନଙ୍କୁ କହିଥିଲେ ଯେ ରାଣୀ ଛଅଟି ଶୁଣ୍ଡ ଥିବା ଗୋଟିଏ ହାତିକୁ ସ୍ଵପ୍ନରେ ଦେଖିଛନ୍ତି ଏବଂ ସେହି ଶୁଣ୍ଢଗୁଡ଼ିକୁ ଆଣି ତାଙ୍କୁ ନଦେଲେ ସିଏ ଆଉ ପ୍ରାଣ ରଖିବେ ନାହିଁ । ରାଣୀ ଜଣେ ଶିକାରୀକୁ ବାଛିଲେ,–ସିଏ ଅତ୍ୟନ୍ତ ରୁକ୍ଷ ସ୍ଵଭାବର ଥିଲା । କାର୍ଯ୍ୟଟିକୁ ସାଧନ କରିବା ନିମନ୍ତେ ରାଣୀ ତାକୁ ସେହି ହସ୍ତୀ ବାସ କରୁଥିବା ହ୍ରଦକୁ ବାଟ କହି ଦେଇଥିଲେ ଏବଂ, ଶୁଣ୍ଢଗୁଡ଼ିକୁ ଆଣିଦେଲେ ତାକୁ ପାଞ୍ଚୋଟି ଗ୍ରାମ ପୁରସ୍କାର ସ୍ୱରୂପ ମିଳିବ ବୋଲି ଜବାବ ଦେଲେ । ବାଣୁଆ ଏହି କାର୍ଯ୍ୟଟି ବିଷୟରେ ଅତ୍ୟନ୍ତ ଭୟ କରୁଥିଲା ଏବଂ ତାଙ୍କର ବାସନାଟି ଅବଶ୍ୟ ପୂର୍ଣ୍ଣ ହେବ ବୋଲି ରାଣୀ ସ୍ଵପ୍ନ ଦେଖିଥିବାର କଥାଟି ଯେତେବେଳେ କହିଲେ, ସେ ଶେଷରେ ରାଜି ହୋଇ ଯାଇଥିଲା । ରାଣୀ ତାକୁ ଆବଶ୍ୟକ ଅସ୍ତ୍ରଗୁଡ଼ିକୁ ଦେଲେ, ଯାତ୍ରାଲାଗି ଆଉ ଜିନିଷମାନ ବି ପ୍ରଦାନ କଲେ ଏବଂ ପର୍ବତମାଳା ଉପରୁ ହ୍ରଦସ୍ଥାନଟିକୁ ଅବତରଣ କରିବା ପାଇଁ ଚମଡ଼ାର ଗୋଟିଏ ଛତ୍ର ମଧ୍ୟ ଦାନ କରିଥିଲେ ।

 

ଶିକାରୀ ବ୍ୟକ୍ତିଟି ହିମାଳୟରେ ଥିବା ଅରଣ୍ୟର ଗଭୀର ଏବଂ ଆହୁରି ଗଭୀରକୁ ପ୍ରବେଶ କରିଥିଲା,–ମନୁଷ୍ୟ ବସତି ଠାରୁ ଗୁର୍ଦୁ ଦୂରକୁ ଚାଲି ଯାଇଥିଲା ଏବଂ ନାନା ଅବିଶ୍ଵସନୀୟ ବାଧାମାନଙ୍କୁ ଅତିକ୍ରମ କରି ସାତ ବର୍ଷ, ସାତ ମାସ ଓ ସାତ ଦିନ ପରେ ସେ ସେହି ବଟବୃକ୍ଷ ପାଖରେ ଯାଇ ପହଞ୍ଚି ପାରିଥିଲା । ସେହିଠାରେ ହିଁ ଭାବୀ ବୁଦ୍ଧ ତଥା ଅନ୍ୟ ହସ୍ତିମାନେ ବାସ କରୁଥିଲେ,–ଶାନ୍ତି ଓ ନିର୍ଭୟରେ ରହୁଥିଲେ । ଶିକାରୀ ପ୍ରଥମ ଭୂମିରେ ଗୋଟିଏ ଗାତ ଖୋଲିଲା ଏବଂ ସେଠାରେ ଜଣେ ଯତିର ପୀତବସ୍ତ୍ରଟିଏ ସ୍ଥାପନ କରି ତା'ଉପରେ ମାଟି ଚଢ଼ାଇ ଦେଲା । କେବଳ ତା’ ବାଣଟି ଯାଇ ପାରିବାର କ୍ଷୁଦ୍ର ମାର୍ଗଟିଏ ଯାହା ଛାଡ଼ି, ଦେଇଥିଲା । ନିର୍ଦ୍ଦେଶିତ ହସ୍ତୀଟି ସେହି ମାର୍ଗଦେଇ ଯିବା ସମୟରେ ସିଏ ଗୋଟିଏ ବିଷାକ୍ତ ବାଣଦ୍ଵାରା ବିଦ୍ଧ କରିଥିଲା,–ବାଣଟି ବାଜିବାଦ୍ଵାରା ହସ୍ତୀଟି କ୍ରୋଧ ତଥା ଯନ୍ତ୍ରଣା ଦ୍ଵାରା ଉନ୍ମତ୍ତପ୍ରାୟ ହୋଇ ଯାଇଥିଲା ଏବଂ ଦୁଷ୍ଟ ସେହି ଶିକାରୀଟିକୁ ଠିକ୍ ଯେତେବେଳେ ପ୍ରାଣରୁ ମାରି ଦେଇଥାନ୍ତା, ସେତେବେଳେ ନିଜର ପୀତବସ୍ତ୍ରଟିକୁ ଦେଖିବାକୁ ପାଇଲା ।

 

ଏହି ବସ୍ତ୍ରଟିକୁ ଦେଖିବା ଦ୍ଵାରା କ୍ଷତବିକ୍ଷତ ହୋଇ ପଡ଼ିଥିବା ହାତୀଟି ନିଜର ଆତ୍ମସଂଯମର ଶକ୍ତିକୁ ପୁନର୍ବାର ଫେରି ପାଇଥିଲା ଏବଂ ତାକୁ ହତ୍ୟା କରିବା ପଛରେ ଶିକାରୀର ପ୍ରକୃତରେ କି ଅଭିପ୍ରାୟ ରହିଛି, ସେକଥା ସିଏ ଶିକାରୀକୁ ପଚାରିଲା । ଶିକାରୀ ତାକୁ ବାରାଣସୀରେ ରାଣୀ ଦେଖୁଥିବା ସ୍ଵପ୍ନଟିର ବୃତାନ୍ତଟିକୁ କହି ଦେଇଥିଲା । ହାତୀ ସମୁଦାୟ ବ୍ୟାପାରଟିକୁ ଉତ୍ତମରୂପେ ବୁଝି ପାରି ବାଣୁଆକୁ ତା’ର ଶୁଣ୍ଡଗୁଡ଼ିକୁ କାଟି ନେବା ସକାଶେ ବି ଅନୁମତି ପ୍ରଦାନ କରିଥିଲା । କିନ୍ତୁ, ସିଏ ଏଡ଼େ ପ୍ରକାଣ୍ଡକାୟ ଥିଲା ଏବଂ ବାଣୁଆ ମଧ୍ୟ ଏପରି ଅକୁଶଳ ଭାବରେ ସେହି କାର୍ଯ୍ୟଟିକୁ କରିଥିଲା ଯେ, ସିଏ ସେଗୁଡ଼ିକୁ କାଟିନେଇ ପାରିଲାନାହିଁ । କେବଳ ହାତୀଟିକୁ ଅସହ୍ୟ ଯନ୍ତ୍ରଣା ଦେବା ହିଁ ସାର ହେଲା ଏବଂ ତା'ର ପାଟି ରକ୍ତରେ ଭର୍ତ୍ତି ହୋଇ ଯାଇଥିଲା । ତହୁଁ ହସ୍ତୀଟି ନିଜର ଗୋଟିଏ ଶୁଣ୍ଡରେ କରତ ଧରି ନିଜେ ସେଗୁଡ଼ିକୁ କାଟି ବାହାର କଲା ଏବଂ ଶିକାରୀକୁ ଦେଇ କହିଲା, “ମୋ’ ପାଇଁ ଜ୍ଞାନର ଶୁଣ୍ଡଗୁଡ଼ିକର ମୋ’ ଦେହର ଏହି ଶୁଣ୍ଡଗୁଡ଼ିକ ଅପେକ୍ଷା ଶହେ ଗୁଣ ଅଧିକ ମୂଲ୍ୟ ରହିଛି ଏବଂ ଏହି ଉତ୍ତମ କାର୍ଯ୍ୟଟି ମୋତେ ସର୍ବଜ୍ଞାନସାମର୍ଥ୍ୟ ପ୍ରଦାନ କରିବ ବୋଲି ମୁଁ ଆଶା କରୁଛି ।” ସେ ଶିକାରୀକୁ କେବଳ ସାତଦିନରେ ବାରାଣସୀ ଲେଉଟିଯିବା ନିମନ୍ତେ ଏକ ଆଲୌକିକ ଶକ୍ତି ପ୍ରଦାନ କଲା ଓ ପ୍ରାଣତ୍ୟାଗ କଲା । ତା'ପରେ ଅନ୍ୟ ହସ୍ତୀମାନେ ଏକ ଯୁଇ ପ୍ରସ୍ତୁତ କରି ତାକୁ ଦାହ କରି ଦେଇଥିଲେ । ଶିକାରୀ ଶୁଣ୍ଡଗୁଡ଼ିକ ସହିତ ରାଣୀଙ୍କ ପାଖରେ ଯାଇ ପହଞ୍ଚିଲା ଏବଂ, ତାଙ୍କର ଅଭିପ୍ରାୟଟିକୁ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ଜାଣିପାରି ଥିବାରୁ ତାଙ୍କର ଦୁଷ୍ଟ ସ୍ୱଭାବଟିର ଅତ୍ୟନ୍ତ ନିନ୍ଦା କରି ଘୋଷଣା କଲା ଯେ, ଏଡ଼େ ସାମାନ୍ୟ ଗୋଟିଏ ଅପରାଧ ନିମନ୍ତେ ସିଏ ଯେଉଁ ହାତୀଟି ଉପରେ ଏଡ଼େ ବଡ଼ କ୍ରୋଧ ପୋଷଣ କରିଥିଲେ, ବର୍ତ୍ତମାନ ସିଏ ତାହାକୁ ହତ୍ୟା କରିଛି । “ତାହାର ମୃତ୍ୟୁ ହୋଇଛି-?" ବୋଲି ରାଣୀ ପ୍ରଶ୍ନ କରିଥିଲେ ଏବଂ ଶୁଣ୍ଡଗୁଡ଼ିକୁ ପ୍ରଦାନ କରି ଶିକାରୀ କହିଥିଲା, “ଆପଣ ନିଶ୍ଚିତ ହୋଇ ରହନ୍ତୁ ଯେ ସିଏ ପ୍ରାଣ ହରାଇଛି ।” ଅତ୍ୟନ୍ତ ସୁନ୍ଦର ସେହି ଶୁଣ୍ଡଗୁଡ଼ିକୁ ନିଜ କ୍ରୋଡ଼ ଉପରକୁ ରଖି ରାଣୀ ଆଉ ଏକ ଜୀବନରେ ତାଙ୍କର ସ୍ଵାମୀ ହୋଇ ରହିଥିବା ପ୍ରିୟ ପୁରୁଷହସ୍ତୀଟିର ଦେହରୁ ଆସିଥିବା ଏହି ସନ୍ତକଗୁଡ଼ିକ ଉପରେ ଦୃଷ୍ଟିପାତ କରିଥିଲେ ଏବଂ ସେହି କାରଣରୁ ଅମାପ ଦୁଃଖ ଅନୁଭବ କରିବାକୁ ଲାଗିଲେ । ରାଣୀ ଆଉ ଆଦୌ ହୃଦୟ ଧରି ରହି ପାରିନଥିଲେ ଏବଂ ସେହିଦିନ ହିଁ ପ୍ରାଣତ୍ୟାଗ କଲେ ।

 

ବହୁଯୁଗ ପରେ ସେହି ରାଣୀ ପୁନର୍ବାର ଜଣେ ପୁରୁଷ ହୋଇ ଶ୍ରାବସ୍ତିଠାରେ ଜନ୍ମ ହେଲେ । ନିଜର ଅନ୍ୟ ଭଗିନୀମାନଙ୍କ ସହିତ ସେ ଦିନେ ବୁଦ୍ଧଙ୍କର ମୁଖୋପଦେଶ ଶୁଣିବାପାଇଁ ଯାଇଥିଲେ । ବୃଦ୍ଧଙ୍କର ଶାନ୍ତ ତଥା କାନ୍ତିମୟ ଶରୀରଟି ଉପରେ ଅବଲୋକନ କରି ସିଏ ନିଜ ହୃଦୟ ଭିତରେ ସ୍ମରଣ କରି ପାରିଲେ ଯେ, ଏକଦା ସେ ଏହି ମହାନ୍ ପୁରୁଷଙ୍କର ପତ୍ନୀ ଥିଲେ । ସେତେବେଳେ ସିଏ ଏକ ହସ୍ତୀଯୂଥର ପ୍ରମୁଖ ହୋଇ ରହିଥିଲେ । ସେହି ସ୍ମୃତି ତାଙ୍କୁ ଅତିଶୟ ଆନନ୍ଦ ପ୍ରଦାନ କଲା । ମାତ୍ର ତା' ସହିତ ସେ ଆପଣାର ଦୁଷ୍ଟ କାର୍ଯ୍ୟଟିକୁ ମଧ୍ୟ ମନେ ପକାଇ ପାରିଥିଲେ–କେବଳ ସାମାନ୍ୟ ଏକ ଦୋଷ ନିମନ୍ତେ ସେ ନିଜେ କିପରି ତାଙ୍କ ମୃତ୍ୟୁର କାରଣ ମଧ୍ୟ ହୋଇଥିଲେ,–ତାହାରି ପ୍ରତିକ୍ରିୟା ଫଳରେ ତାଙ୍କର ଅନ୍ତର କୋପାନ୍ୱିତ ହୋଇ ଉଠିଲା ଏବଂ ସେ ଅଶ୍ରୁମୋଚନ କରି ରୋଦନ କରିବାକୁ ଲାଗିଲେ । ତାହା ଦେଖି ମହାନ୍ ବୃଦ୍ଧ ଈଷତ୍ ହାସ୍ୟ କରିଥିଲେ ଏବଂ ଭିକ୍ଷୁମାନେ ତାଙ୍କୁ ସେହି ହସିବାର କାରଣ ପଚାରନ୍ତେ ସେ ସମ୍ପୂର୍ଣ୍ଣ କାହାଣୀଟିକୁ ବର୍ଣ୍ଣନା କରି କହିଦେଲେ । କାହାଣୀଟିକୁ ଶ୍ରବଣ କରି ଉପସ୍ଥିତ ବହୁ ବ୍ୟକ୍ତି ସେହି ମାର୍ଗଟିରେ ପ୍ରବିଷ୍ଟ ହୋଇଥିଲେ ଏବଂ ସ୍ଵୟଂ ଭଗିନୀଟି ମଧ୍ୟ ଏକ ପରବର୍ତ୍ତୀ କାଳରେ ଯତିତ୍ୱ ଲାଭ କରିଥିଲେ-

 

ବୃକ୍ଷ-ଦେବତା

 

ବହୁପୂର୍ବେ, ଯେତେବେଳେ ବ୍ରହ୍ମଦତ୍ତ ବାରାଣସୀର ରାଜା ଥିଲେ, ସେତେବେଳେ ଦିନେ ସେ ଏପରି ବିଚାର କଲେ :

 

“ଏହି ଭାରତବର୍ଷର ସର୍ବତ୍ର ଏପରି ଅନେକ ରାଜା ଅଛନ୍ତି, ଯେଉଁମାନଙ୍କର ପ୍ରାସାଦରେ ବହୁସଂଖ୍ୟକ ସ୍ତମ୍ଭ ରହିଛି; ତେଣୁ, ଯଦି ମୁଁ କେବଳ ଗୋଟିଏ ସ୍ତମ୍ଭ ଉପରେ ହିଁ ଗୋଟିଏ ପ୍ରାସାଦ ନିର୍ମାଣ କରାଇ ପାରନ୍ତି, ତେବେ କିପରି ହୁଅନ୍ତା ? ତେବେ ସବୁ ରାଜାଙ୍କ ମଧ୍ୟରେ ମୁଁ ଏହି କ୍ଷେତ୍ରରେ ସର୍ବପ୍ରଥମ ଓ ଏକମାତ୍ର ରାଜା ହୋଇ ରହି ପାରନ୍ତି ।” ଏପରି ବିଚାର କରି ସେ ନିଜର ମିସ୍ତ୍ରୀମାନଙ୍କୁ ଡକାଇଥିଲେ ଏବଂ ସେମାନଙ୍କୁ ଏପରି ଏକ ଭବ୍ୟ ରାଜପ୍ରସାଦ ତିଆରି କରିବାପାଇଁ ଆଦେଶ ଦେଇ, ଯେଉଁଟି କେବଳ ଗୋଟିଏ ସ୍ତମ୍ଭକୁ ଆଶ୍ରୟ କରି ରହିଥିବ । ମିସ୍ତ୍ରୀମାନେ ସମ୍ମତି ଜଣାଇଲେ ଏବଂ ଅରଣ୍ୟକୁ ଚାଲିଗଲେ ।

 

ସେଠାରେ ସେମାନେ ଗୋଟିଏ ସୁଦୀର୍ଘ ଏବଂ ସିଧା ବୃକ୍ଷଟିଏ ଦେଖିବାକୁ ପାଇଲେ, ଯାହାକି ସେହି ରାଜପ୍ରାସାଦରେ ଏକମାତ୍ର ସ୍ତମ୍ଭରୂପେ ବ୍ୟବହୃତ ହୋଇ ପାରିବ । ମାତ୍ର, ମାର୍ଗ ଅତ୍ୟନ୍ତ ଖରାପ ଥିଲା, ଜାଗାଟି ମଧ୍ୟ ଅତ୍ୟନ୍ତ ଦୂର ଥିଲା; ତେବେ ସେମାନେ ସେହି ପ୍ରକାଣ୍ଡ ଗଛର ଗଣ୍ଡିଟିକୁ ନଗର ପର୍ଯ୍ୟନ୍ତ କିପରି ଆଣିପାରିବେ ? ସେମାନେ ରାଜାଙ୍କ ପାଖକୁ ଫେରିଆସିଲେ ଏବଂ ଉପାୟ ପୁଚ୍ଛା କଲେ । ରାଜା କହିଲେ, “ ଯେଉଁ ଉପାୟରେ ହେଉ ପଛକେ, ସେଇଟିକୁ ଆଣିବାକୁ ହିଁ ପଡ଼ିବ ଏବଂ ଶୀଘ୍ର ବି ଆଣିବାକୁ ହେବ ।” ମାତ୍ର ସେମାନେ ଏହା ଆଦୌ ସମ୍ଭବ ହେବନାହିଁ ବୋଲି କହିବାରୁ ରାଜା ପୁଣି ଉତ୍ତର ଦେଇଥିଲେ, “ତେବେ ଆପଣମାନେ ମୋ’ ରାଜ୍ୟର ଉଦ୍ୟାନରେ ହିଁ ଗୋଟିଏ ବୃକ୍ଷକୁ ଯାଇ ବାଛନ୍ତୁ ।”

 

ଏଠାରେ ମଧ୍ୟ ମିସ୍ତ୍ରୀମାନେ ଗୋଟିଏ ସିଧା ଏବଂ ସୁନ୍ଦର ପ୍ରକାଣ୍ଡ ବୃକ୍ଷଟିଏ ଦେଖିଥିଲେ; ସେହି ବୃକ୍ଷଟିକୁ ଗ୍ରାମ-ତଥା ସହରବାସୀ ତଥା ରାଜପରିବାରର ସମସ୍ତେ ପୂଜା କରି ଆସୁଥିଲେ । ସମ୍ବାଦ ପାଇ ରାଜା ଆଦେଶ ଦେଲେ, “ଆପଣମାନେ ସେହି ବୃକ୍ଷଟିକୁ ହିଁ କାଟନ୍ତୁ ।” ମାତ୍ର ସେଠାରେ ବାସ କରୁଥିବା ବୃକ୍ଷ ଦେବତାଙ୍କୁ ଆବଶ୍ୟକ ପୂଜାର୍ଘ୍ୟମାନ ପ୍ରଦାନ ନକରି ଓ ତାଙ୍କର ଅନୁମତି ନନେଇ ସେମାନେ କଦାପି ତାହା କରିପାରନ୍ତେ ନାହିଁ । ତେଣୁ, ପୁଷ୍ପ ଓ ପତ୍ରାଦି ଆସିଲା, ପ୍ରଦୀପମାନ ଜଳିଲା ଏବଂ ବୃକ୍ଷଟିକୁ ନିବେଦନ କରାଗଲା : “ଆଜିଠାରୁ ସାତଦିନ ପରେ ଆମେ ଏହି ବୃକ୍ଷଟିକୁ କାଟିବୁ,–ରାଜାଙ୍କର ଏଭଳି ଆଦେଶ ହୋଇଛି । ତେଣୁ, ଏହି ବୃକ୍ଷଟିରେ ଯଦି କୌଣସି ଦେବତା ବାସ କରୁଛନ୍ତି, ତେବେ ସିଏ ସଦୟ ହୋଇ ଅନ୍ୟତ୍ର ଯାଆନ୍ତୁ ଏବଂ ଆମକୁ ମଧ୍ୟ କୌଣସି ଦୋଷ ନଲାଗୁ !” ବୃକ୍ଷଟିରେ ଅବସ୍ଥାନ କରୁଥିବା ଦେବତା ତାହା ଶୁଣିଥିଲେ ଏବଂ ବିଚାର କଲେ, “ଏହି ମିସ୍ତ୍ରୀମାନେ ମୋ’ର ଏହି ବୃକ୍ଷଟିକୁ କାଟିବେ ବୋଲି ବାହାରିଛନ୍ତି । ମୋ’ର ନିବାସଟିକୁ ନଷ୍ଟ କରିଦେଲେ ମୁଁ ନିଜେ ମଧ୍ୟ ନଷ୍ଟ ହୋଇଯିବି । ତା’-ସହିତ ମୋ’ର ଚାରିକଡ଼େ ରହିଥିବା ସମସ୍ତ ଶିଶୁ ଶାଳବୃକ୍ଷଗୁଡ଼ିକ ମଧ୍ୟ ବିନଷ୍ଟ ହେବେ,–ସେଠାରେ ମଧ୍ୟ ତ ମୋ’ର ଜ୍ଞାତି ତଥା ପଂକ୍ତିର ବହୁ ଦେବତା ବାସ କରୁଛନ୍ତି । ମୋ’ ନିଜର ବିନାଶ ଅପେକ୍ଷା ମୋ' ପିଲାମାନଙ୍କର ସମ୍ଭାବ୍ୟ ମୃତ୍ୟୁ ହିଁ ମୋତେ ଅଧିକ କଷ୍ଟ ଦେଉଛି । ତେଣୁ, ଅନ୍ତତଃ ସେମାନଙ୍କର ଜୀବନ ରକ୍ଷା ସକାଶେ ସମ୍ଭବ ହେଲେ କିଛି କରିବାକୁ ହିଁ ପଡ଼ିବ ।” ତେଣୁ ମଧ୍ୟରାତ୍ରି ସମୟରେ ସେହି ବୃକ୍ଷଟି ଏକ ଦିବ୍ୟ ଜ୍ୟୋତିର ଉଜ୍ଜ୍ୱଳତା ଧାରଣ କରି ରାଜାଙ୍କର ଦୀପ୍ତ ପ୍ରାସାଦଟି ମଧ୍ୟରେ ଆସି ପ୍ରବେଶ କରିଥିଲା,–ରାଜାଙ୍କର ଗୌରବ ହିଁ ସତେଅବା ସମଗ୍ର ପ୍ରକୋଷ୍ଠଟିକୁ ଦୀପ୍ତ କରି ରଖିଥଲା । ରାଜା ଆଚମ୍ବିତ ଚକିତ ହୋଇ କହିଲେ, “ତୁମେ କିଏ ?–ଦେବତା ସଦୃଶ ଦେଖାଯାଉଛି ଅଥଚ ଏପରି ଦୁଃଖପୂର୍ଣ୍ଣ ହୋଇ ରହିଛି ?'' ଦେବକୁମାର ଉତ୍ତରରେ କହିଲା, “ହେ ରାଜା, ଆପଣଙ୍କର ରାଜ୍ୟରେ ମୋତେ ସୌଭାଗ୍ୟ-ପ୍ରଦାନକାରୀ ବୃକ୍ଷ ବୋଲି କୁହାଯାଏ; ଗତ ଷାଠିଏହଜାର ବର୍ଷ ହେଲା ମୋତେ ସକଳ ମନୁଷ୍ୟ ଭଲ ପାଇଁ ଆସିଛନ୍ତି ଓ ପୂଜା କରିଛନ୍ତି । ସେମାନେ ବହୁ ଗୃହ, ବହୁ ନଗର ଓ ବହୁ ପ୍ରାସାଦ ନିର୍ମାଣ ମଧ୍ୟ କରିଛନ୍ତି ସିନା, ମାତ୍ର ମୋ’ ପ୍ରତି କୌଣସି ଅନ୍ୟାୟ କରିନାହାନ୍ତି,–ସେମାନଙ୍କ ସଦୃଶ ଏବେ ଆପଣ ମଧ୍ୟ ମୋ’ର ସମ୍ମାନକୁ ରକ୍ଷା କରନ୍ତୁ !” ମାତ୍ର, ଠିକ୍ ଏହିପରି ବୃକ୍ଷଟିଏ ହିଁ ତାଙ୍କର ପ୍ରାସାଦ ନିମନ୍ତେ ଆବଶ୍ୟକ ହେଉଛି ବୋଲି,–ଏହିପରି ସୁନ୍ଦର, ସିଧା ଓ ଡେଙ୍ଗା ବୃକ୍ଷଗଣ୍ଡିଟିଏ ଦରକାର ହେଉଛି ବୋଲି ରାଜା ଉତ୍ତର ଦେଇଥିଲେ । ଏବଂ, ରାଜା ପୁଣି କହିଲେ, “ସେହି ପ୍ରାସାଦଟିରେ ତୁମେ ବହୁତ କାଳଯାଏ ସ୍ଥାୟୀହୋଇ ରହିବ, ତୁମକୁ ଦେଖି ସମସ୍ତେ ତୁମର ପ୍ରଶଂସା କରୁଥିବେ ।” ବୃକ୍ଷଦେବତା କହିଲେ, “ଯଦି ତାହାହିଁ ଅବଶ୍ୟ ହେବ, ତେବେ ଆପଣଙ୍କୁ ମୁଁ ଗୋଟିଏ ବର ମାଗିବି,–ପ୍ରଥମେ ଅଗଟି କଟାଯାଉ, ତା'ପରେ ମଝିଟିକୁ ଓ ତା'ପରେ ଯାଇ ମୋ’ର ମୂଳଟିକୁ କଟାଯାଉ !'' ରାଜା ଆପତ୍ତି କରି କହିଥିଲେ ଯେ, ଏକାବେଳେକେ କଟା ନହୋଇ ଏପରି ଖଣ୍ଡ ଖଣ୍ଡ କରି, ଗୋଟିଏ ଅଙ୍ଗ ପରେ ଆଉଗୋଟିଏ ଅଙ୍ଗକୁ କାଟିବାଦ୍ୱାରା ଆପଣଙ୍କର କ’ଣ ଲାଭ ହେବ ?'' ସୌଭାଗ୍ୟ–ପ୍ରଦାନକାରୀ ସେହି ବୃକ୍ଷ ଉତ୍ତର ଦେଲା, “ହଁ, ଏହା ପଛରେ ଏକ ଉତ୍ତମ କାରଣ ହଁ ରହିଛି : ମୋ'ର ଚାରି ପାଖରେ ମୋର ଜ୍ଞାତି କୁଟୁମ୍ବମାନେ ମଧ୍ୟ ବଢ଼ୁଛନ୍ତି, ମୋ’ର ଛାୟାକୁ ଲାଭ କରୁଛନ୍ତି ଏବଂ, ଗୋଟାଏ ହୋଇ ଏକାବେଳେବେ ସେମାନଙ୍କ ଉପରେ ଆସି ପଡ଼ିଲେ ସେମାନେ ଭାଙ୍ଗି ରୁଜି ଶେଷ ହୋଇଯିବେ ଏବଂ ଅତିଶୟ କଷ୍ଟ ପାଇବେ ।”

 

ରାଜା ଏକଥା ଶୁଣି ଅତ୍ୟନ୍ତ ବିଗଳିତ ହେଲେ ଏବଂ ବୃକ୍ଷଦେବତାଙ୍କର ଏହି ଉତ୍ତମ ବିଚାରଟିକୁ ଶୁଣି ବହୁତ ଆଚମ୍ବିତ ହୋଇ ଯାଇଥିଲେ । ହାତ ଟେକି ପ୍ରଣାମ କଲେ ଓ କହିଲେ, “ହେ ସୌଭାଗ୍ୟବନ୍ତ ବୃକ୍ଷ, ହେ ବନଦେବତା, ଆପଣ ଯଦି ନିଜ ଜ୍ଞାତିକୁଟୁମ୍ବଙ୍କର ଜୀବନରକ୍ଷା ନିମନ୍ତେ ଏପରି ଚାହୁଛନ୍ତି, ତେବେ ଆପଣଙ୍କୁ ମୁଁ ଆଦୌ କାଟିବାଲାଗି ଆଦେଶ ଦେବିନାହିଁ; ଆପଣ କୌଣସି ଭୟ କରନ୍ତୁନାହିଁ ।”

 

ତା’ପରେ ବୃକ୍ଷଦେବତା ରାଜାଙ୍କୁ ଉତ୍ତମ ପରାମର୍ଶମାନ ଦେଇ ସେଠାରୁ ପ୍ରସ୍ଥାନ କରିଥିଲେ; ତହିଁ ଆରଦିନ ରାଜା ଉଦାର ହସ୍ତରେ ଭିକ୍ଷାଦାନ କରିଥିଲେ ଏବଂ, ସ୍ୱର୍ଗକୁ ପ୍ରସ୍ଥାନ କରିବା ପର୍ଯ୍ୟନ୍ତ ଜଣେ ଯୋଗ୍ୟ ନରପତିଙ୍କ ପରି ମଧ୍ୟ ରାଜ୍ୟର ଶାସନ କରିଥିଲେ ।

 

ଚନ୍ଦ୍ରରେ ଶଶକର ଚିହ୍ନ

 

ଏକଦା, ଯେତେବେଳେ ବ୍ରହ୍ମଦତ୍ତ ବାରାଣସୀର ରାଜା ଥିଲେ, ସେତେବେଳେ ଭାବୀ ବୁଦ୍ଧ ଏକ ଶଶକରୂପେ ଜନ୍ମଗ୍ରହଣ କରିଥିଲେ ଏବଂ କୌଣସି ଅରଣ୍ୟରେ ବାସ କରୁଥିଲେ । ତାଙ୍କର ତିନି ମିତ୍ର ଥିଲେ : ଗୋଟିଏ ବାନର, ଗୋଟିଏ ଶୃଗାଳ ଏବଂ ଗୋଟିଏ ଓଧ । ଏହି ପ୍ରାଣୀମାନେ ଅତ୍ୟନ୍ତ ବୁଦ୍ଧିମାନ୍ ଥିଲେ । ଶଶକ ସମସ୍ତଙ୍କୁ ସବୁ ବିଷୟରେ କର୍ତ୍ତବ୍ୟ ଅକର୍ତ୍ତବ୍ୟ ବିଷୟରେ କହି ଦେଉଥିଲା । ସେମାନଙ୍କୁ ଭିକ୍ଷାଦାନ କରିବାକୁ ଓ ଉପବାସ ପାଳନ କରିବାକୁ ଶିକ୍ଷାଦାନ କରୁଥିଲା । ଥରେ ଉପବାସର ଦିନ ଥିଲା; ସବୁଦିନ ପରି ଠେକୁଆ ଓ ତା’ର ସାଙ୍ଗମାନେ ନିଜନିଜର ଖାଦ୍ୟ ଅନ୍ୱେଷଣ କରୁଥିଲେ । ଓଧକୁ କିଛି ମାଛ ମିଳିଲା, ଶୃଗାଳକୁ କିଛି ମାଂସ ଓ ବାନରକୁ କିଛି ଆମ୍ବ । ମାତ୍ର, ନିଜର ଘାସ ଆହାର କରିବା ନିମନ୍ତେ ଯିବାପୂର୍ବରୁ ନିଜର ବାସସ୍ଥାନରେ ବସି ରହି ଠେକୁଆ ଭାବୁଥିଲା ଯେ, ଯଦି କେହି ଆସି ତାକୁ କିଛି ଖାଦ୍ୟ ଦିଅନ୍ତୁ ବୋଲି ମାଗିବ, ତେବେ ସିଏ କ'ଣ ତାକୁ ପୁଳାଏ ଘାସ ହିଁ ଦେବ ? କାରଣ, ତା’ ପାଖରେ ତ ଶସ୍ୟ ନଥିଲା କି ମାଂସ ନଥିଲା;–ହଁ, ଯଦି କେହି ଆସି ତାକୁ କିଛି ଆହାର ଦିଅ ବୋଲି କହିବ, ତେବେ ସିଏ ନିଜର ଦେହଟିକୁ ପ୍ରଦାନ କରିଦେବ ବୋଲି ସେ ସ୍ଥିର କରିଥିଲା ।

 

ଏବଂ, ଯେତେବେଳେ ଏହିପରି ଗୋଟିଏ ଚମତ୍କାର ଘଟଣା ପୃଥିବୀରେ ଘଟେ, ସେତେବେଳେ ତେଣେ ସ୍ଵର୍ଗରାଜ୍ୟରେ ଇନ୍ଦ୍ରଙ୍କର ସିଂହାସନ ଟଳମଳ ହେବାକୁ ଆରମ୍ଭ କରେ । ପ୍ରକୃତରେ କ'ଣ ଘଟୁଛି ବୋଲି ଇନ୍ଦ୍ର ତଳକୁ ଅନାଇ ଦେଖିଥିଲେ ଏବଂ ଶଶକ ଉପରେ ଦୃଷ୍ଟି ପଡ଼ିଯିବାରୁ ତା’ର ପରୀକ୍ଷା ନେବାକୁ ସଂକଳ୍ପ କଲେ । ଜଣେ ବ୍ରାହ୍ମଣର ରୂପ ଧାରଣ କରିଥିଲେ ଏବଂ ସବାଆଗ ଓଧ ପାଖକୁ ଯାଇ ମୋତେ କଣ ଖାଇବାକୁ ଦିଅ ବୋଲି ମାଗିଥିଲେ । ଓଧ ତାକୁ ମାଛ ଯାଚିଲା । ଶୃଗାଳ ଏବଂ ବାନର ଯଥାକ୍ରମେ ମାଂସ ଓ ଫଳ ନିଅ ବୋଲି କହିଲେ । ଇନ୍ଦ୍ର ଏଗୁଡ଼ିକୁ କିଛିହେଲେ ଗ୍ରହଣ କଲେନାହିଁ ଏବଂ ତହିଁ ଆରଦିନ ପୁନର୍ବାର ଆସିବେ ବୋଲି କହିଥିଲେ । ଏଥର ସେ ଠେକୁଆ ପାଖକୁ ଗଲେ; ନିଜକୁ ଭିକ୍ଷାରୂପେ ଦାନ କରିବାର ଗୋଟିଏ ସୁଯୋଗ ଆସି ଉପସ୍ଥିତ ହେଲା ବୋଲି ଶଶକ ମହାଆନନ୍ଦିତ ହୋଇ ଉଠିଥିଲା । କହିଲା, “ହେ ବ୍ରାହ୍ମଣ, ଆଜି ମୁଁ ଭିକ୍ଷାରୂପେ ଏପରି ଗୋଟିଏ ଦ୍ରବ୍ୟ ଆପଣଙ୍କୁ ଦେବି, ଯାହା ମୁଁ ଆଗରୁ କେବେହେଲେ ଦେଇନାହିଁ । ଆପଣ କିଛି କାଠ ସଂଗ୍ରହ କରି ଆଣନ୍ତୁ ଓ ଗୋଟିଏ ଅଗ୍ନି ପ୍ରସ୍ତୁତ କରନ୍ତୁ ଏବଂ ଅଗ୍ନି ପ୍ରସ୍ତୁତ ହୋଇଗଲେ ମୋତେ ଆସି କହନ୍ତୁ । ତା'ପରେ ଶଶକ,–ଯିଏକି ଭବିଷ୍ୟତରେ ଜଣେ ବୁଦ୍ଧ ହେବ ବୋଲି ଉଦ୍ଦିଷ୍ଟ ହୋଇ ରହିଥିଲା,–ସିଏ ସେହି ନିଆଁ ଭିତରକୁ ଡେଇଁ ପଡ଼ିଲା । ସତେଯେପରି ଗୋଟିଏ ରାଜହଂସ ଏକ ବହଳ ହୋଇ ଫୁଟିଥିବା କଇଁଫୁଲର ଶଯ୍ୟା ମଧ୍ୟକୁ ଡେଇଁ ପଡ଼ିବାପରି ଦେଖା ଯାଇଥିଲା । ମାତ୍ର, ନିଆଁ ଆଦୌ ଜଳିଲାନାହିଁ,–ମେଘ ଉପରର ପବନ ପରି ପୂରା କାଲୁଆ ଲାଗିଲା । ଏପରି ଘଟିବାର କି ଅର୍ଥ ହୋଇପାରେ ବୋଲି ଠେକୁଆଟି ଛଦ୍ମବେଶଧାରୀ ଇନ୍ଦ୍ରଙ୍କୁ ପଚାରିଥିଲା । ଉତ୍ତର ଦେଇ ଇନ୍ଦ୍ର କହିଲେ ଯେ, ପ୍ରକୃତରେ ସେ ଆଦୌ ଜଣେ ବ୍ରାହ୍ମଣ ନୁହନ୍ତି,–ମାତ୍ର ସିଏ ହେଉଛନ୍ତି ଇନ୍ଦ୍ର ଏବଂ ଠେକୁଆର ନିଷ୍ଠାକୁ ପରୀକ୍ଷା କରିବା ନିମନ୍ତେ ସ୍ଵର୍ଗରୁ ପୃଥିବୀକୁ ଆସିଥିଲେ । ଶଶକ ଉତ୍ତର ଦେଲା : “ହେ ଇନ୍ଦ୍ର, ଆପଣଙ୍କର ସବୁ ପ୍ରୟାସ ବ୍ୟର୍ଥ ହିଁ ହେଲା; ଜୀବନ ଧାରଣ କରିଥିବା ପ୍ରତ୍ୟେକ ପ୍ରାଣୀ ଜଣକ ପରେ ଜଣେ ମୋ’ର ପରୀକ୍ଷା ନେଇ ପାରନ୍ତି, ତଥାପି ସେମାନେ କେହିହେଲେ ମୋ’ତେ ଏଥିପାଇଁ ଇଚ୍ଛୁକ ନଥିବାର ଆଦୌ ଦେଖିବାକୁ ପାଇବେନାହିଁ ।''

 

ତା’ପରେ ଶକ୍ର ବା ଇନ୍ଦ୍ର ଉତ୍ତର ଦେଲେ: “ହେ ପୁଣ୍ୟାତ୍ମା ଶଶକ, ତୁମର ଗୁଣଟିର ଏହି ପୃଥ୍ୱୀକଳ୍ପଟିର ଶେଷଯାଏ କୀର୍ତ୍ତନ ହେଉଥାଉ ।” ଗୋଟିଏ ପର୍ବତକୁ ଉଠାଇ ଇନ୍ଦ୍ର ତାହାକୁ ନିଜ ହାତରେ ଚିପି ଧରିଲେ ଏବଂ ନିଜ ବାହୁରେ ଠେକୁଆକୁ ଧରି ସିଏ ଗାର କାଟି ଜହ୍ନ ଉପରେ ତାହାର ଗୋଟିଏ ଚିତ୍ର ଅଙ୍କନ କରି ଦେଇଥିଲେ । ହଁ, ପର୍ବତଟିରୁ ବାହାରିଥିବା ନିର୍ଯ୍ୟାସଟି ଏହି କ୍ଷେତ୍ରରେ ସ୍ୟାହିର କାର୍ଯ୍ୟ କରିଥିଲା । ତା'ପରେ ଶଶକକୁ ଅରଣ୍ୟର ସେହି କଅଁଳ ଘାସ ଉପରେ ଗୋଟିଏ ଥାନରେ ରଖିଦେଇ ଇନ୍ଦ୍ର ନିଜର ସ୍ଵର୍ଗପୁରକୁ ଫେରି ଯାଇଥିଲେ । ଏବଂ, ସେହି କାରଣରୁ ଆଜି ମଧ୍ୟ ଜହ୍ନ ଉପରେ ଏକ ଶଶକର ଚିହ୍ନ ଅଙ୍କିତ ହୋଇ ରହିଛି ।

 

ସନ୍ତୁଷିତ

 

ଏହି ଯୁଗର ସର୍ବଶେଷ ଅବତାରରୂପେ ଭାବୀ ବୁଦ୍ଧ ରାଜା ବସନ୍ତରା ହୋଇ ଜନ୍ମ ନେଇଥିଲେ । ସେହି ରାଜାଙ୍କର ଭିକ୍ଷାଦାନ କରିବାର କ୍ଷେତ୍ରରେ ରହିଥିବା ପ୍ରତିଷ୍ଠା ବିଷୟରେ ଗୋଟିଏ ଦୀର୍ଘ ଜାତକ ଲିଖିତ ହୋଇ ରହିଛି । ବହୁ ବର୍ଷ ରାଜତ୍ୱ କରିବା ପରେ ଭାବୀବୁଦ୍ଧ ସ୍ଵର୍ଗରେ ଥିବା ତୁଷିତ ନାମକ ଗୋଟିଏ ଅରଣ୍ୟକୁ ପ୍ରୟାଣ କରିଥିଲେ ଏବଂ ମନୁଷ୍ୟମାନଙ୍କ ମଧ୍ୟରେ ଆପଣାର ସର୍ବଶେଷ ଜନ୍ମଗ୍ରହଣ ନିମନ୍ତେ ସେହିଠାରେ ଅପେକ୍ଷା କରୁଥିଲେ । ଏହି କଥାଟି ବୁଝିଥିବା ଆବଶ୍ୟକ ଯେ, ଜଣେ ଭାବୀବୁଦ୍ଧ ନିଜର ଦୁଇ ଅବତାର ମଧ୍ୟରେ ରହିଥିବା ସ୍ଵର୍ଗରେ ବାସ କରୁଥିବାର ଅନ୍ତରକାଳଟିକୁ ଯଥାସମ୍ଭବ କ୍ଷୁଦ୍ର କରି ନିଅନ୍ତି । ଅବଶ୍ୟ, ଆପଣାର ଅର୍ଜିତ ପୁଣ୍ୟର ଅଧିକାରରେ ସେ ସେଠାରେ ଦୀର୍ଘ ସମୟ ଅବଶ୍ୟ ଅବସ୍ଥାନ କରି ପାରୁଥାନ୍ତେ । ଏପରିକି, ପ୍ରାଣୀମାନଙ୍କର କଲ୍ୟାଣ ନିମନ୍ତେ ଜଗତରେ ବାରମ୍ବାର ଜନ୍ମ ହେବାଲାଗି ସ୍ଵୟଂ ବରିନେଇ ନଥିଲେ, ଭବିଷ୍ୟତରେ ବୃଦ୍ଧତ୍ଵ ଲାଭ କରିବାର ଏକ ପ୍ରଥମ ପ୍ରତିଶ୍ରୁତି ପାଇବା ସମୟରେ ମଧ୍ୟ ସେ ଇଚ୍ଛା କରିଥିଲେ ନିର୍ବାଣରେ ପ୍ରବେଶ କରି ପାରିଥାନ୍ତେ । ମାତ୍ର, ଏହିଭଳି କୃତ ତ୍ୟାଗଗୁଡ଼ିକ ସକାଶେ ବୋଧିସତ୍ତ୍ଵକୁ କିଛି କ୍ଷତିପୂରଣ ମଧ୍ୟ ପ୍ରାପ୍ତ ହୁଏ । ବୋଧିସତ୍ତ୍ଵ ପଦର ପ୍ରାପ୍ତି ମଧ୍ୟ ପ୍ରକୃତରେ ଏକ ବିରାଟ ଉପଲବ୍ଧି; ଗୋଟିଏ ବୃକ୍ଷର ଫଳକୁ ତୋଳିବା ନିମନ୍ତେ ଜଣେ ମନୁଷ୍ୟର ସକଳ କଷ୍ଟକୁ ବରଣ କରି ତାହାର ଅଗଯାଏ ଆରୋହଣ କରିବା ସହିତ ହିଁ ତାହାର ତୁଳନା କରା ଯାଇଥାଏ । ପୁନଶ୍ଚ, ଜଣେ ବୋଧିସତ୍ତ୍ଵ କଦାପି କୌଣସି ନରକରେ ଜନ୍ମଗ୍ରହଣ କରନ୍ତିନାହିଁ, କେବେହେଲେ କୌଣସି ନିକୃଷ୍ଟ କିମ୍ବା ବିକାରଯୁକ୍ତ ଶରୀରକୁ ଧାରଣ ବି କରନ୍ତିନାହିଁ । ସର୍ବୋପରି, ନିରବଚ୍ଛିନ୍ନ ଭାବରେ ଆତ୍ମଦାନ କରିଥିବାର ଯନ୍ତ୍ରଣାଟିର ମଧ୍ୟ ସେ ଲାଭ କରିବାକୁ ଯାଉଥିବା ପୁରସ୍କାରଟିର ମହତ୍ତାଟି ଉପରେ ଦୃଷ୍ଟିପାତ କରିବାଦ୍ୱାରା ଉପଶମ ହୋଇ ଯାଇଥାଏ,–ଅନ୍ୟମାନଙ୍କୁ ଆଲୋକ ପ୍ରଦାନ କରିବାର ଶକ୍ତି ଅର୍ଜନ କରିବାର ସେହି ମହାନ୍ ସୁଯୋଗଟି ଉପରେ ।

ଯେକୌଣସି ସ୍ଵର୍ଗରେ ଜନ୍ମ ନେଇଥିଲେ ମଧ୍ୟ ବୋଧିସତ୍ତ୍ଵ ଆପଣାର ଇଚ୍ଛାନୁସାରେ ହିଁ ଅବତାର ଗ୍ରହଣ କରିବାର ସେହି ଅଦ୍ଭୁତ ଶକ୍ତିଟିକୁ କାର୍ଯ୍ୟକାରୀ କରି ପାରନ୍ତି । ଯିଏ ଗୋଟିଏ ଶଯ୍ୟା ଉପରେ ଗାତ୍ରକୁ ସ୍ଥାପନ କରନ୍ତି ଏବଂ ନିଜଦ୍ଵାରା ସ୍ଥିରୀକୃତ ସ୍ଥାନରେ ତଥା ପ୍ରଣାଳୀରେ ପୃଥିବୀ ଜନ୍ମ ନେବାପାଇଁ ‘ମୃତ୍ୟୁବରଣ’ କରନ୍ତି । ତାଙ୍କର ସର୍ବଶେଷ ଅବଚାରର ପୂର୍ବରୁ ଏବଂ ପୂର୍ବର ଧାରାଟିକୁ ଭାଙ୍ଗିଦେଇ ସେ ଏକ ଦୀର୍ଘକାଳ ନିମନ୍ତେ ତୁଷିତ ସ୍ଵର୍ଗରେ ଯାଇ ରହିଲେ ଓ ସେଠାରେ ସନ୍ତୁଷ୍ଟିତ ନାମରେ ପରିଚିତ ହୋଇଥିଲେ । ଏବଂ, ସିଏ ପୁନର୍ବାର ଜନ୍ମଗ୍ରହଣ କରିବାଲାଗି ଉଦ୍ୟତ ହେଉଛନ୍ତି ବୋଲି ଦେଖିପାରି ଦେବଗଣ କୃତଜ୍ଞତା ଜ୍ଞାପନ କରିବା ନିମନ୍ତେ ତାଙ୍କର ଚାରିପାଖରେ ଆସି ରୁଣ୍ଡ ହେଲେ । ସେଠାରୁ ଅନ୍ତର୍ହିତ ହୋଇ ବୋଧିସତ୍ତ୍ଵ କପିଳବାସ୍ତୁର ସାକ୍ୟ ରାଜା ଶୁଦ୍ଧୋଦନଙ୍କର ପତ୍ନୀ ମହାମାୟାଙ୍କର ଗର୍ଭରେ ପ୍ରବେଶ କଲେ । ସେହି ଗର୍ଭଧାରଣ ମଧ୍ୟ ଏକ ଅଲୌକିକ ଘଟଣା ହିଁ ଥିଲା; ତାହା ଏକ ସ୍ଵପ୍ନ ମଧ୍ୟରେ ସଂଘଟିତ ହୋଇଥିଲା । ଚାରି ଦିଗପାଳ ମହାମାୟାଙ୍କୁ ହିମାଳୟ ପର୍ବତକୁ ବହନ କରି ନେଇଥିଲେ । ସେଠାରେ ସ୍ନାନ କରିବାପରେ ସେମାନଙ୍କର ଚାରି ରାଣୀଙ୍କ ଦ୍ୱାରା ଆନୁଷ୍ଠାନିକ ଉତ୍ସବ ଦ୍ୱାରା ପବିତ୍ର ହୋଇଥିଲେ । ତା'ପରେ ବୋଧିସତ୍ତ୍ଵ ଆସି ତାଙ୍କ ସମ୍ମୁଖରେ ଆବିର୍ଭୂତ ହେଲେ, ଚନ୍ଦ୍ରଜ୍ୟୋସ୍ନା ଦ୍ୱାରା ଉଜ୍ଜ୍ଵଳ ଏକ ମେଘଖଣ୍ଡ ଭଳି ଦେଖା ଯାଉଥିଲେ । ହାତରେ ପଦ୍ମପୁଷ୍ପ ଧାରଣ କରି ସେ ଉତ୍ତର ଦିଗରୁ ଆସିଥିଲେ; ଅଥବା, କେତେ ଲୋକ ଯେପରି କହନ୍ତି, ଏକ ଶ୍ଵେତ ହସ୍ତୀର ରୂପରେ ଆସିଥିଲେ । ରାଣୀଙ୍କର ସମୀପବର୍ତ୍ତୀ ହୋଇ ତାଙ୍କୁ ତ୍ରିବାର ପ୍ରଦକ୍ଷିଣ କରିଥିଲେ; ଏବଂ ତା'ପରେ ସମଗ୍ର ସ୍ଵପ୍ନଟିର ଅନୁଗମନ କରିଥିବା ସନ୍ତୁଷିତ ଦେବତାମାନଙ୍କର ସନ୍ନିଧାନରୁ ଉଭେଇ ଯାଇ ମହାମାୟାଙ୍କର ଗର୍ଭରେ ପ୍ରବିଷ୍ଟ ହେଲେ । ସେହି ସମୟରେ ବିସ୍ମୟକର ଅନେକ ଘଟଣା ଘଟିଥିଲା : ଦଶସହସ୍ର ମଣ୍ଡଳ ସହସା କମ୍ପି ଉଠିଲେ, ନର୍କର ଅଗ୍ନିମାନେ ନିର୍ବାପିତ ହୋଇଯାଇଥଲେ, ବାଦ୍ୟମାନେ ଆପଣାଛାଏଁ ବାଜି ଉଠିଥିଲେ, ନଦୀମାନଙ୍କର ସ୍ରୋତଗୁଡ଼ିକ ସ୍ଥିର ହୋଇଗଲା (ସତେଅବା କ୍ଷଣେ ଅଟକି ଯାଇ ବୋଧିସତ୍ତ୍ଵଙ୍କୁ ଅନାଇ ଦେଖିବା ଲାଗି), ବୃକ୍ଷ ଓ ଗୁଳ୍ମମାନେ ପୁଷ୍ପମାନଙ୍କରେ ଭରିଗଲେ । ଏପରିକି, ଶୁଷ୍କ କାଠଗଡ଼ମାନଙ୍କରେ କମଳମାନେ ଫୁଟି ଉଠିଥିଲେ । ତହିଁ ଆରଦିନ ଚଉଷଠି ଜଣ ବ୍ରାହ୍ମଣ ଆସି ରାଣୀ ଦେଖିଥିବା ଏହି ସ୍ୱପ୍ନଟିର ଅର୍ଥ ବାହାର କରାଗଲା; ସେମାନେ ଘୋଷଣା କରିଥିଲେ ଯେ ରାଣୀଙ୍କର ସନ୍ତାନଟି ହୁଏତ ସମଗ୍ର ପୃଥିବୀର ଅଧିପତି ହେବ ନହେଲେ ଜଣେ ସର୍ବୋଚ୍ଚସ୍ଥାନୀୟ ବୁଦ୍ଧ ମଧ୍ୟ ହୋଇପାରିବ । ନଅମାସ ଯାବତ୍ ମହାମାୟାଙ୍କୁ ଦଶ ଦିଗର ଦେବଗଣ ଏବଂ ଅନ୍ୟ ବହୁ ଭୁବନର ଚାଳିଶି ସହସ୍ର ଦେବତା ଜଗି ରହିଥିଲେ । ସେତେବେଳେ ତାଙ୍କର ଶରୀର କ୍ରମେ ପାରଦର୍ଶକ ହୋଇ ଉଠିଲା, ଯେପରିକି ଗୋଟିଏ କାଚ ପେଡ଼ିରେ ରହିଥିବା ଗୋଟିଏ ପ୍ରତିମା ସଦୃଶ ଶିଶୁଟିକୁ ମଧ୍ୟ ସ୍ପଷ୍ଟ ଭାବରେ ବାହାରୁ ଦେଖିହେଲା । ଦଶମାସ ଗତ ହେବା ପରେ ମହାମାୟା ଏକ ସୁବର୍ଣ୍ଣବର୍ଣ୍ଣର ପାଲିଙ୍କି ଉପରେ ଚଢ଼ି ପିତ୍ରାଳୟ ଗଲେ । ପଥ ଅଧରେ ଲୁମ୍ବିନୀ ନାମକ ଶାଳଗଛର ଗୋଟିଏ ଉଦ୍ୟାନରେ ବିଶ୍ରାମ ନେବାପାଇଁ ଅଟକିଥିବା ସମୟରେ ବୁଦ୍ଧଦେବ ଭୂମିସ୍ଥ ହେଲେ । ପ୍ରସବ ସମୟରେ ମାଆଙ୍କୁ କୌଣସି କଷ୍ଟ କିମ୍ବା ଯନ୍ତ୍ରଣା ହୋଇନଥିଲା । ସ୍ଵୟଂ ବ୍ରହ୍ମା ଆସି ସେହି ଶିଶୁଟିକୁ ଗ୍ରହଣ କଲେ, ଏବଂ ବ୍ରହ୍ମାଙ୍କଠାରୁ ଚାରି ଦିଗପାଳ ଏବଂ ସେମାନଙ୍କ ଠାରୁ ରାଣୀଙ୍କ ସହିତ ସେବାରତ ଅନ୍ୟ ସାମନ୍ତଗଣ । ମାତ୍ର, ଜନ୍ମ ହେବା ମାତ୍ରକେ ହଁ ଶିଶୁଟି ଭୂମିଉପରେ ପାଦ ପକାଇ ପାରିଥିଲା ଏବଂ, ଯେଉଁଠାରେ ପ୍ରଥମ କରି ପାଦଟି ପଡ଼ିଲା, ସେଠାରେ ତତ୍‌କ୍ଷଣାତ୍ ପଦ୍ମଫୁଲଟିଏ ଫୁଟି ଉଠିଥିଲା । ଠିକ୍ ସେହି ଗୋଟିଏ ଦିନରେ ହିଁ ପରେ ତାଙ୍କର ପତ୍ନୀ ହୋଇଥିବା ଯଶୋଧାରା ଦେବୀ ମଧ୍ୟ ଜନ୍ମ ହୋଇଥିଲେ । ଏବଂ, ଯେଉଁ କୁନ୍ତଙ୍କ ରଥ ଉପରେ ଆରୋହଣ କରି ସେ ବୋଧିର ଅନ୍ୱେଷଣରେ ସହରଟିରୁ ପଳାଇ ଯାଇଥିଲେ ତଥା ସେହି ଅବସରରେ ତାଙ୍କ ସହିତ ଯାଇଥିବା ଚାଳକ ଚନ୍ମ ମଧ୍ୟ ସେତିକିବେଳେ ଭୂମିସ୍ଥ ହେଲେ । ତାଙ୍କର ପ୍ରିୟ ଶିଷ୍ୟ ଆନନ୍ଦ ଓ ଯେଉଁ ବୋଧିବୃକ୍ଷର ମୂଳରେ ବସି ସେ ବୋଧିପ୍ରାପ୍ତ ହୋଇଥିଲେ, ସେମାନେ ମଧ୍ୟ ।

 

ସିଦ୍ଧାନ୍ତଙ୍କୁ ସମସ୍ତେ ଜଗିଲେ

 

ଜନ୍ମ ହେବାର ପାଞ୍ଚଦିନ ପରେ ସିଦ୍ଧାର୍ଥ ବୋଲି କୁମାରଙ୍କର ନାମକରଣ ହୋଇଥିଲା ଏବଂ ସପ୍ତମ ଦିନରେ ତାଙ୍କର ଜନନୀଙ୍କର ଦେହାନ୍ତ ହେଲା । ତାଙ୍କୁ ବାରବର୍ଷ ହୋଇଥିବା ସମୟରେ ରାଜା ବ୍ରାହ୍ମଣମାନଙ୍କର ପୁଣି ପରାମର୍ଶ ଲୋଡ଼ିବାରୁ ସେମାନେ ସମ୍ବାଦ ଦେଇଥିଲେ ଯେ, ରାଜକୁମାର ଚାରିଗୋଟି ଶକୁନ,–ବୃଦ୍ଧାବସ୍ଥା, ରୋଗ, ମୃତ୍ୟୁ ଓ ଜଣେ ଗୃହତ୍ୟାଗୀ ଯତି–ଦେଖି ବୈରାଗୀ ହୋଇ ଚାଲିଯିବେ । ରାଜା ଏହିଗୁଡ଼ିକୁ ରାଜପୁତ୍ର ଯେପରି ଦେଖି ନପାରିବେ, ସେଥିପାଇଁ ନିଜ ମନରେ ବିଚାର କରିଥିଲେ : “ମୋ’ର ପୁତ୍ର ଜଣେ ବୃଦ୍ଧ ହୋଇ ଯାଉ ବୋଲି ମୁଁ ଆଦୌ ଇଚ୍ଛା କରୁନାହିଁ, କାରଣ ଏପରି କଲେ ତାକୁ ମାରଠାରୁ ଭୟଙ୍କର ଆକ୍ରମଣର ବିପଦଟିର ସମ୍ମୁଖୀନ ହେବାକୁ ପଡ଼ିବ । ବରଂ ସେ ରାଜଚକ୍ରବର୍ତ୍ତୀ ହେଉ, ତାହାହିଁ ଅଧିକ ଭଲ !” ତେଣୁ ଉକ୍ତ ଚାରିଗୋଟି ଶକୁନ ଠାରୁ କୁମାର ଯେପରି ସର୍ବଦା ଦୂର ହୋଇ ରହିଥିବେ, ରାଜା ସେଥିଲାଗି ସବୁ ପ୍ରକାରର ସତର୍କତା ଅବଲମ୍ବନ କରିଥିଲେ । ଏଥିପାଇଁ ସିଏ ଉତ୍ତମ ସତର୍କତା ଅବଲମ୍ବନ କରା ଯାଇଥିବା ତିନିଗୋଟି ପ୍ରାସାଦ ନିର୍ମାଣ କରାଇଲେ,–ସେଗୁଡ଼ିକରେ ଆନନ୍ଦ ବିନୋଦନର ସର୍ବବିଧ ବ୍ୟବସ୍ଥା ଯୋଗାଇ ଦିଆଗଲା ଏବଂ, ସେଠାରେ ଯେପରି ଦୁଃଖ ଓ ମୃତ୍ୟୁର କଦାପି ନାମୋଲ୍ଲେଖ ନହୁଏ, ସେଥିଲାଗି ସମସ୍ତେ ସାବଧାନ ରହିଲେ ।

 

ପୁନଶ୍ଚ, ରାଜା ବିଚାର କରିଥିଲେ ଯେ, ତାଙ୍କର ରାଜକୀୟ ସକଳ ସଂସାରଟି ମଧ୍ୟରେ ତାଙ୍କୁ ବାନ୍ଧି ରଖିବାର ଏକ ନିଶ୍ଚିତ ଉପାୟରୂପେ ତାଙ୍କ ପାଇଁ ଏକ ପତ୍ନୀର ଯୋଗାଡ଼ କରିଦେବା ମଧ୍ୟ ଅତ୍ୟନ୍ତ ଉଚିତ ହେବ । ତେଣୁ, କୁମରଙ୍କର ପ୍ରୀତି ଆକର୍ଷଣ କରିବା ଭଳି ଗୋପନରେ ଜଣେ ରାଜକୁମାରୀର ସନ୍ଧାନ ନେବା ସକାଶେ ସେ ସୁଦୃଶ୍ୟ ବହୁ ମଣିମାଣିକ୍ୟର ବରାଦ କରି ଅଣାଇଲେ ଏବଂ ଘୋଷଣା କରିଥିଲେ ଯେ ଏକ ନିର୍ଦ୍ଦିଷ୍ଟ ଅବସରରେ ରାଜକୁମାର ରାଜ୍ୟର ସମ୍ଭ୍ରାନ୍ତବଂଶୀୟା କନ୍ୟାମାନଙ୍କୁ ସେହି ରତ୍ନଗୁଡ଼ିକୁ ପ୍ରଦାନ କରିବେ । ସକଳ ରତ୍ନର ପ୍ରଦାନକାର୍ଯ୍ୟଟି ଶେଷ ହୋଇଯିବା ପରେ ଯଶୋଧାରା ନାମରେ ମହାନାମା ମନ୍ତ୍ରୀଙ୍କର ଦୁହିତା ମଧ୍ୟ ସେଠାରେ ଆସି ପହଞ୍ଚିଥିଲେ । ତାଙ୍କୁ ଦେବାଲାଗି କୁମାରଙ୍କ ପାଖରେ କିଛି ଅଛି କି ବୋଲି ସେ ତାଙ୍କୁ ପଚାରନ୍ତେ ରାଜକୁମାର ତାଙ୍କର ଦୃଷ୍ଟି ସହିତ ଦୃଷ୍ଟି-ବିନିମୟ କରି ନିଜ ହାତର ବହୁମୂଲ୍ୟ ମୁଦ୍ରିକାଟିକୁ ତାଙ୍କୁ ଅର୍ପଣ କରିଥିଲେ । ସେହି ଦୃଷ୍ଟି ବିନିମୟର ଘଟଣାଟି ରାଜାଙ୍କ ଆଗରେ ଉପସ୍ଥାପିତ କରାଯାଇଥିଲା ଏବଂ ତାଙ୍କର କନ୍ୟା ରାଜକୁମାରଙ୍କୁ ବିବାହ କରିବାଲାଗି ଇଚ୍ଛୁକ ଅଛି କି ନାହିଁ, ତାକୁ ତାହା ପଚାରିବା ଲାଗି ସେ ମହାନାମାଙ୍କୁ ପ୍ରେରଣ କରିଥିଲେ । ଅବଶ୍ୟ, ସାକ୍ୟ ସମ୍ଭ୍ରାନ୍ତମାନଙ୍କ ମଧ୍ୟରେ ପ୍ରଚଳିତ ଗୋଟିଏ ନିୟମ ରହିଥିଲା ଯେ, ଯେଉଁମାନେ ସମରବିଦ୍ୟାର ପ୍ରଦର୍ଶନ କରି ପାରୁଥିବେ, କେବଳ ସେହିମାନଙ୍କ ସହିତ ହିଁ ସବୁଠାରୁ ଅଧିକ ସୌନ୍ଦର୍ଯ୍ୟବତୀ କନ୍ୟାମାନଙ୍କର ପରିଣୟ କରାଯାଇ ପାରିବ । ସେ କହିଥିଲେ, “କିନ୍ତୁ ମୋର ଭୟ ହେଉଛି ଯେ, ଏତେ ଆଦର ସହିତ ପ୍ରତିପାଳିତ ରାଜକୁମାର ହୁଏତ ତୀରବିଦ୍ୟା କିମ୍ବା ମଲ୍ଲଯୁଦ୍ଧରେ କଦାପି ପ୍ରବୀଣ ହୋଇନଥବେ ।'' ସେହି ପରୀକ୍ଷା ନିମନ୍ତେ ଗୋଟିଏ ଦିନ ସ୍ଥିର ହେଲା ଏବଂ ଯଶୋଧାରାଙ୍କର ପାଣିଗ୍ରହଣ କରିବାକୁ ଏକ ପ୍ରତିଯୋଗିତାରେ ଅବତରଣ କରିବା ସକାଶେ ତରୁଣ କ୍ଷତ୍ରିୟଜମାନେ ରାଜକୁମାରଙ୍କୁ ନେଇ ସେଠାରେ ଆସି ପହଞ୍ଚିଥିଲେ । ପ୍ରଥମେ ସାହିତ୍ୟ ଏବଂ ଗଣିତ ବିଦ୍ୟାର ପରୀକ୍ଷା ହେଲା,–ତା’ପରେ ତୀରଚାଳନାର ପାଳି ପଡ଼ିଥିଲା । ତରୁଣ କୁଳଜମାନେ ଉତ୍ତମ ପ୍ରଦର୍ଶନ କରି ପାରିଥିଲେ; ମାତ୍ର, ନିଜର ପିତାମହଙ୍କ କାଳରୁ ରହି ଆସିଥିବା ଗୋଟିଏ ପବିତ୍ର ଧନୁକୁ ହାତରେ ନେଇ, ଯାହା ଉପରେ କି ଆଉ କେହି ଗୁଣ ବସାଇ ପାରିନଥାନ୍ତେ, ରାଜକୁମାର ଖୁବ୍ ସହଜରେ ସେମାନଙ୍କୁ ସମସ୍ତଙ୍କୁ ଟପି ଯାଇଥିଲେ । ସେହିପରି, ଅଶ୍ଵଚାଳନା, ତରବାରୀଯୁଦ୍ଧ ଏବଂ ମଲ୍ଲଯୁଦ୍ଧରେ ମଧ୍ୟ ଅନୁରୂପ ଘଟଣା ଘଟିଲା । ଏହିପରି ଭାବରେ ହିଁ ରାଜକୁମାର ସିଦ୍ଧାର୍ଥ ଯଶୋଧାରାଙ୍କୁ ଲାଭ କରିଥିଲେ । ପିତୃନିର୍ମିତ ପ୍ରାସାଦଗୁଡ଼ିକରେ ଯାଇ ବାସ କଲେ ଏବଂ ଯାବତୀୟ ଦୁଃଖଭୋଗ ତଥା ମୃତ୍ୟୁ ବିଷୟରେ ସେ କୌଣସି ଜ୍ଞାନ ଯେପରି ଲାଭ ନକରି ପାରିବେ, ସେଥିଲାଗି ଚାରିପାଖରେ ପ୍ରହରୀମାନେ ତାଙ୍କୁ ଜଗି ରହିଥିଲେ । ରାଜପ୍ରାସାଦକୁ ଘେରି ଏକ ବୃହତ୍ ଉଦ୍ୟାନ ରହିଥିଲା,–ତାହା ତିନିପରସ୍ତ ପାଚେରୀ ଦ୍ଵାରା ଘେରା ହୋଇଥିଲା; ପ୍ରତ୍ୟେକ ପ୍ରାଚୀରରେ କେବଳ ଗୋଟିଏ ଦ୍ଵାର ଥିଲା,–ସେହି ଦ୍ଵାରକୁ ବହୁତ ସୈନ୍ୟ ଜଗି ରହିଥିଲେ ।

 

ଇତ୍ୟବସରେ ଦେବଗଣ ଚିନ୍ତା କରିବାକୁ ଲାଗିଲେ ଯେ, ସମୟ ଅତିକ୍ରାନ୍ତ ହୋଇ ଯାଇଛି ଏବଂ ତେଣୁ, ପ୍ରାସାଦର ସୁଖଚୟ ମଧ୍ୟରେ ଆଉ ଜଡ଼ିତ ହୋଇ ନରହି ରାଜକୁମାରଙ୍କୁ ନିଜର ନିର୍ଦ୍ଦେଶିତ ବ୍ରତଟିର ପଥରେ ବାହାରିବାକୁ ହିଁ ପଡ଼ିବ । ତେଣୁ, ସେମାନେ ଏହି ଭାବନାଟି ଦ୍ଵାରା ହିଁ ସମଗ୍ର ଶୂନ୍ୟମଣ୍ଡଳକୁ ପୂର୍ଣ୍ଣ କରି ଦେଇଥିଲେ: “ଏଥର ବାହାରି ଯିବାକୁ ହେବ, ଏଥର ବାହାରି ଯିବାକୁ ହେବ !” ଯେପରିକି ଏହି କଥାଟି କୁମାରଙ୍କର ମାନସ ଭିତରେ ଯାଇ ପ୍ରବେଶ ବି କରିପାରିଲା, ଏବଂ, ତା’ ପରେ ଗାୟକମାନଙ୍କର ସଂଗୀତ ଓ ନୃତ୍ୟକାରୀ ମାନଙ୍କର ନୃତ୍ୟମୁଦ୍ରା ଗୁଡ଼ିକ ତାଙ୍କ ନିମନ୍ତେ ଏକ ନୂତନ ଅର୍ଥ ଗ୍ରହଣ କଲା । ତା'ପରେ ସେଗୁଡ଼ିକ ତାଙ୍କ ଲାଗି ଆଉ ଇନ୍ଦ୍ରିୟତୃପ୍ତିକାରୀ କୌଣସି ଆନନ୍ଦଭାବ ଆଣି ଦେଇନଥିଲା, ମାତ୍ର କାମନାର ସକଳ ବସ୍ତୁର ଅସ୍ଥାୟିତ୍ଵ ତଥା ବୃଥାଚମତ୍କାର ବିଷୟରେ ତାଙ୍କୁ ସଚେତନ କରାଇ ଦେଇଥିଲା । ଏଥର ପ୍ରାସାଦ ତ୍ୟାଗ କରି ପୃଥିବୀକୁ ଦେଖିବା ଲାଗି ହିଁ ସଂଗୀତକାରମାନଙ୍କର ସଂଗୀତ ତାଙ୍କୁ ଆହ୍ଵାନ କଲା;–ତେଣୁ ସେ ନିଜର ରଥବାହକ ପାଖକୁ ଯାଇ ନଗରଭ୍ରମଣ ଲାଗି ସେ ଇଚ୍ଛା କରୁଛନ୍ତି ବୋଲି କହିଥିଲେ । ଏହି ସମ୍ବାଦ ପାଇ ରାଜା ସହରକୁ ଉତ୍ତମରୂପେ ପରିଚ୍ଛନ୍ନ କରାଇଥିଲେ ଓ କୁମାରଙ୍କର ପରିଦର୍ଶନ ନିମନ୍ତେ ପ୍ରସ୍ତୁତ ରଖିବାପାଇଁ ଆଦେଶ ଦେଇଥିଲେ । ଯେପରିକି କୌଣସି ବୃଦ୍ଧ ବା ଅସମର୍ଥ ବ୍ୟକ୍ତି ସେଠାରେ ନରହିବେ ଓ କୌଣସି ଅଶୁଭ ବସ୍ତୁ ଆଖିରେ ନପଡ଼ିବ, ସେଥିଲାଗି ପୂର୍ଣ୍ଣ ସତର୍କତା ଗ୍ରହଣ କରାଗଲା । ମାତ୍ର, ସବୁ ବୃଥା ହେଲା; କାରଣ, କୁମାର ମାର୍ଗଗୁଡ଼ିକର ମଧ୍ୟଦେଇ ଯାଉଥିବା ସମୟରେ ଜଣେ ଦେବତା ତାଙ୍କ ସମ୍ମୁଖରେ ଜଣେ ଥରଥର ହୋଇ କମ୍ପୁଥିବା ବୃଦ୍ଧ ବ୍ୟକ୍ତି, ବାର୍ଦ୍ଧକ୍ୟ ଦ୍ଵାରା ବକ୍ର ହୋଇ ବାଟ ଚାଲୁଥିବା ଜଣେ ବ୍ୟକ୍ତି–ଗଳିତଚର୍ମ ଏବଂ ପ୍ରାୟ ନିଃଶ୍ଵାସ ନେଇ ନପାରୁଥିବା ଜଣେ ବ୍ୟକ୍ତି ରୂପେ ଆସି ଆବିର୍ଭୂତ ହୋଇଥିଲେ । କୁମାର ଏହି ଅଦ୍ଭୂତ ଦୃଶ୍ୟଟିର ଅର୍ଥ ପଚାରିବାରୁ ରଥଚାଳକ ଉତ୍ତର ଦେଇଥିଲା, “ମହାଭାଗ, ଇଏ ହେଉଛି ଜଣେ ବୃଦ୍ଧ ବ୍ୟକ୍ତି ।'' କୁମାର ପୁନର୍ବାର “ବୃଦ୍ଧ”ର ଅର୍ଥ ପଚାରିଲେ । ତାଙ୍କୁ ବୁଝାଇ ଦେବାକୁ ପଡ଼ିଲା ଯେ, ବୟସ ଅଧିକ ହୋଇଯିବାରୁ ଏହି ବ୍ୟକ୍ତିଟିର ଶାରୀରିକ ଶକ୍ତି ଅତ୍ୟନ୍ତ କ୍ଷୀଣ ହୋଇ ଗଲାଣି ଏବଂ ଯେକୌଣସି ମୁହୂର୍ତ୍ତରେ ତା'ର ମୃତ୍ୟୁ ଘଟିବାର ଆଶଙ୍କା ରହିଛି । ପୁନର୍ବାର ପ୍ରଶ୍ନ ହେଲା, “ଏହିପରି ଅବସ୍ଥାରେ ପଡ଼ିଥିବା ଏହି ମନୁଷ୍ୟଟି କ’ଣ ଏକମାତ୍ର ବ୍ୟକ୍ତି ନାଁ ଏହାକୁ ମନୁଷ୍ୟମାନଙ୍କୁ ସମସ୍ତଙ୍କୁ ଭୋଗ କରିବାକୁ ପଡ଼ିବ ? ଏବଂ, ମୁଁ ମଧ୍ୟ କ'ଣ ଦିନେ ବୃଦ୍ଧ ହୋଇଯିବି-?” “ହଁ” ବୋଲି ଉତ୍ତର ଆସିବାରୁ କୁମାର ଆଉ ସେଦିନ କିଛି ଅଧିକ ଦେଖିବାଲାଗି ଇଚ୍ଛା କଲେନାହିଁ ଏବଂ ପ୍ରାସାଦକୁ ଫେରି ଆସିଲେ; ଏପରି ଗୋଟିଏ ବିଚିତ୍ର ଦଶା ବିଷୟରେ ଗଭୀର ଭାବରେ ଭାବିବାକୁ ଲାଗିଲେ । ଏବଂ, ଏଇଟିରୁ ରକ୍ଷା ପାଇବାର କୌଣସି ରାସ୍ତା ଅଛି କି ନାହିଁ, ସେ କଥା ମଧ୍ୟ ଚିନ୍ତା କରିଥିଲେ ।

 

ଆଉଦିନେ ବି ରାଜକୁମାର ଯାନ ଆରୋହଣ କରି ବାହାରକୁ ଯାଇଥିଲେ ଏବଂ ସେହିଭଳି ଅତ୍ୟନ୍ତ ପୀଡ଼ିତ ହୋଇ ପଡ଼ିଥିବା ଜଣେ ବ୍ୟକ୍ତିକୁ ଦେଖିବାକୁ ପାଇଲେ । ପୁନର୍ବାର ଆଉଦିନେ ଗୋଟିଏ ଶବ ଦେଖିଥିଲେ । ପଚାରିଲେ, “ମୁଁ ବି କ'ଣ ମରିବି ?” ଏବଂ ହଁ ବୋଲି ଉତ୍ତର ପାଇଲେ । ତଥାପି ଆଉଦିନେ ସହରରେ ଜଣେ ଭିକ୍ଷୁକ ସନ୍ନ୍ୟାସୀଙ୍କୁ ମଧ୍ୟ ଦେଖିଥିଲେ । ସେ ସନ୍ନ୍ୟାସୀଙ୍କ ସହିତ କଥା ହେଲେ । ଯୋଗୀ ଉତ୍ତର ଦେଇ କହିଥିଲେ ଯେ, ଚିତ୍ତଶାନ୍ତିର ସନ୍ଧାନରେ ସେ ସଂସାରତ୍ୟାଗ କରିଛନ୍ତି, ଘୃଣା ତଥା ଶ୍ରଦ୍ଧା ଉଭୟକୁ ଜୟ କରିଛନ୍ତି ଏବଂ ପୂର୍ଣ୍ଣ ଭାବରେ ମୁକ୍ତ ହୋଇ ପାରିଛନ୍ତି । ଏକଥା ଶୁଣି ରାଜକୁମାର ଗଭୀର ଭାବରେ ପ୍ରଭାବିତ ହୋଇଗଲେ ଏବଂ ସେହି ଭିକ୍ଷୁକ ପରିବ୍ରାଜକଙ୍କର ପୂଜା କଲେ । ଏବଂ, ଗୃହକୁ ପ୍ରତ୍ୟାବର୍ତ୍ତନ କରି ଠିକ୍ ସେହିଭଳି ଏକ ଜୀବନ ଯାପନ କରିବା ସକାଶେ ଗୃହତ୍ୟାଗ କରିବାକୁ ପିତାଙ୍କର ଅନୁମତି ପ୍ରାର୍ଥନା କଲେ । କହିଥିଲେ, ‘‘ହେ ରାଜା, ପାର୍ଥିବ ଯାବତୀୟ ବସ୍ତୁ ଅତ୍ୟନ୍ତ କ୍ଷଣିକ, ଅତ୍ୟନ୍ତ ଅଳ୍ପକାଳସ୍ଥାୟୀ ।” ଏକଥା ଶୁଣି ରାଜା ମସ୍ତକ ଉପରେ ବଜ୍ରପାତ ହେଲା ପରି ଅନୁଭବ କଲେ ଏବଂ ବିକଳ ହୋଇ କାନ୍ଦିବାକୁ ଲାଗିଲେ ଏବଂ ରାଜକୁମାର ଚାଲିଯିବା ପରେ ପ୍ରାସାଦର ପହରା ତଥା ସେଠାରେ ବ୍ୟବସ୍ଥା କରା ଯାଇଥିବା ଆନନ୍ଦବିନୋଦକୁ ଚାରିଗୁଣ ବଢ଼ାଇ ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ । ଏବଂ, ବସ୍ତୁତଃ, ରାଜକୁମାର ଯେପରି କଦାପି ଗୃହତ୍ୟାଗ କରି ନପାରିବେ, ସମଗ୍ର ନଗରଟି ହିଁ ସେହି ବିଷୟରେ ତତ୍ପର ହୋଇ ଉଠିଥିଲା ।

 

ସିଦ୍ଧାର୍ଥଙ୍କର ଗୃହତ୍ୟାଗ

 

ପ୍ରାୟ ସେହି ସମୟରେ ଯଶୋଧାରାଙ୍କର ଗୋଟିଏ ପୁତ୍ର ଜାତ ହୋଇଥିଲା । ପୁତ୍ରର ନାମ ରାହୁଳ ରଖା ଯାଇଥିଲା । କିନ୍ତୁ ଏହି ନୂତନ ଫାଶଟି ମଧ୍ୟ ରାଜକୁମାରଙ୍କୁ ନିଜର ଅଭିପ୍ରାୟରୁ ନିବର୍ତ୍ତାଇ ରଖି ପାରିନଥିଲା ଏବଂ ଗୋଟିଏ ଏପରି ରାତ୍ରି ଆସି ଉପଗତ ହୋଇଥିଲା,–ଯେତେବେଳେ କି ଦେବଗଣ ତାଙ୍କୁ ଗୃହତ୍ୟାଗ ନିମନ୍ତେ ଅନୁରୋଧ କରିଥିଲେ । ଶେଷଥର ନିମନ୍ତେ ସେ ନିଦ୍ରିତା ଯଶୋଧାରାଙ୍କ ଆଡ଼କୁ ଅନାଇଲେ; ତାଙ୍କର ଗୋଟିଏ ହାତ ଶିଶୁଟିର ମସ୍ତକ ଉପରେ ରହିଥିବାରୁ କୁମାର ତାଙ୍କର ନିଦ୍ରା ଭାଙ୍ଗିଯିବା ଭୟରେ ଛୁଆଟିକୁ ଥରେ ହାତକୁ ଉଠାଇଆଣି ବି ପାରିଲେ ନାହିଁ । ତେଣୁ, ଉଭୟଙ୍କୁ ତ୍ୟାଗ କରି ସେ ସେହି ପ୍ରକୋଷ୍ଠଟିକୁ ବାହାରର କକ୍ଷରୁ ଅଲଗା କରି ରଖିଥିବା ମୋତିଦ୍ଵାରା ଖଚିତ ଜାଲଟିକୁ ଆଡ଼େଇ ଦେଇ ଏବଂ ବାହ୍ୟ ଅନ୍ୟ ପ୍ରକୋଷ୍ଠଗୁଡ଼ିକୁ ପାର ହୋଇ ପୂର୍ବଦ୍ଵାର ପାଖରେ ଯାଇ ଦଣ୍ଡେ ଅଟକି ଛିଡ଼ା ହୋଇଥିଲେ । ସେଠାରେ ସକଳ ବୁଦ୍ଧଗଣଙ୍କୁ ଆବାହନ କରି ମସ୍ତକ ଉତ୍ତୋଳନ ପୂର୍ବକ ଅଗଣିତ ତାରା ବିଞ୍ଚିହୋଇ ରହିଥିବା ଆକାଶ ଉପରେ ମଧ୍ୟ ଦୃଷ୍ଟି ବୁଲାଇ ଆଣିଥିଲେ । ସେତେବେଳେ ଶୁକ୍ର, ଚାରି ଦିଗପାଳ ତଥା ସବୁଯାକ ସ୍ଵର୍ଗର ଦେବଗଣ ତାଙ୍କର ଚଉପାଶରେ ଛିଡ଼ା ହୋଇ “ହେ ପୁଣ୍ୟଶ୍ଲୋକ କୁମାର, ଜୀବନର ସର୍ବୋଚ୍ଚ ଧର୍ମବିଧାନର ଅନ୍ୱେଷଣ କରିବାର ମୁହୂର୍ତ୍ତ ଆସି ସମାଗତ ହୋଇଛି” ବୋଲି ଉଚ୍ଚାରଣ କରିଥିଲେ । ତା'ପରେ ସିଦ୍ଧାର୍ଥ ରଥଚାଳକ ଚନ୍ମକୁ ଡକାଇଲେ, ନିଜର ଅଶ୍ଵଟିକୁ ବାହାର କରାଇଥିଲେ । ଅଶ୍ୱଟି ମଧ୍ୟ ସିଏ ଜନ୍ମ ହୋଇଥିବା ଦିନରେ ହିଁ ଜନ୍ମ ହୋଇଥିଲା । ସୁସଜ୍ଜିତ ଅଶ୍ୱ ଆସି ପହଞ୍ଚିଗଲା; ଉଲ୍ଲସିତ ଭାବରେ ହ୍ରେଷାରବ କଲା । କୁମାର ଅଶ୍ଵଟି ଉପରେ ଯାଇ ବସିଲେ, ଏହି ଶେଷଥର ପାଇଁ ସେ ଏପରି କରୁଛନ୍ତି ବୋଲି କୁମାର ଶପଥ ମଧ୍ୟ ଗ୍ରହଣ କରିଥିଲେ-। ଦେବଗଣ ଅଶ୍ଵ କନ୍ତକର ପାଦଗୁଡ଼ିକୁ ଭୂମି ଉପରକୁ ତୋଳି ଧରିଥିଲେ, ଯେପରିକି ଆଦୌ କୌଣସି ଖୁରାଶବ୍ଦ ଶୁଭିବନାହିଁ । କୁମାର ସିଦ୍ଧାର୍ଥ ଏହିପରି ଭାବରେ ପ୍ରାସାଦ ତଥା ନଗରଟିକୁ ତ୍ୟାଗ କରିଥିଲେ; ଏବଂ, ଅସୁମାରି ଦେବଗଣ ପଥଟିକୁ ଆଲୋକିତ କରି ଓ ତାଙ୍କ ଆଗରେ କୁସୁମବୃଷ୍ଟି କରିବାକୁ ଅନୁସରଣ ମଧ୍ୟ କରିଥିଲେ ।

 

ଚନ୍ମ ବାରମ୍ବାର କୁମାରଙ୍କୁ ତାଙ୍କର ଅଭିପ୍ରାୟରୁ କ୍ଷାନ୍ତ ରହିବା ନିମନ୍ତେ ବୁଝାଇବାକୁ ଚେଷ୍ଟା କରୁଥାଏ, ତାଙ୍କୁ ବରଂ ସମସ୍ତ ଭୁବନର ଚକ୍ରବର୍ତ୍ତୀ ହେବାଲାଗି ପ୍ରାର୍ଥନା କରୁଥାଏ । ମାତ୍ର କୁମାର ସୁନିଶ୍ଚିତ ଭାବରେ ଜାଣିଥିଲେ ଯେ ସିଏ ସର୍ବୋଚ୍ଚ ବୋଧିକୁ ଅବଶ୍ୟ ଲାଭ କରିବେ ଏବଂ ତେଣୁ, ଗୃହକୁ ପ୍ରତ୍ୟାବର୍ତ୍ତନ କରିବାଠାରୁ ବରଂ ମୃତ୍ୟୁବରଣ କରିବାକୁ ହିଁ ଶ୍ରେୟସ୍କର ବୋଲି ମନେ କରିଥାନ୍ତେ । ସେ ଶେଷଥର ନିମନ୍ତେ ଅଶ୍ଵରୁ ଅବତରଣ କଲେ ଏବଂ ଚନ୍ମକୁ ଫେରିଯିବା ପାଇଁ ଆଦେଶ ଦେଲେ । ତାହାରି ହାତରେ ପିତାଙ୍କର ସମୀପକୁ ଏକ ବାର୍ତ୍ତା ପଠାଇଥିଲେ ଯେ, ସେ ଯେପରି ନିଜ ମନରେ ଆଦୌ କୌଣସି କ୍ଷୋଭ କରିବେ ନାହିଁ ଏବଂ ବରଂ ଆନନ୍ଦିତ ହେବେ ଯେ ତାଙ୍କର ପୁତ୍ର ଏହି ପୃଥିବୀକୁ ଜନ୍ମ ଏବଂ ମୃତ୍ୟୁ, ତଥା ଦୁଃଖ ଏବଂ ଯନ୍ତ୍ରଣାର କଠୋର ଆବର୍ତ୍ତନ ଭିତରୁ ଉଦ୍ଧାର କରି ଆଣିବାର ଉପାୟ ଖୋଜି ଏହିପରି ଯାତ୍ରା କରି ଯାଇଛନ୍ତି । କୁମାର କହିଲେ, “ମୁଁ ବର୍ତ୍ତମାନ ସ୍ଵଜନ ତଥା ଆତ୍ମୀୟମାନଙ୍କର ମୋହବନ୍ଧନରୁ ମୁକ୍ତ ହେଲି । ତୁମେ ଅଶ୍ଵଟିକୁ ନେଇ ପ୍ରତ୍ୟାବର୍ତ୍ତନ କର ।” ବହୁତ ଯୁକ୍ତି କରିବାପରେ ଚନ୍ନ ଅଗତ୍ୟ ପରାଜୟ ସ୍ଵୀକାର କରିଥିଲା ଏବଂ କୁମାରଙ୍କର ଚରଣଯୁଗଳକୁ ଚୁମ୍ବନ କରିଥିଲା । କନ୍ତକ ମଧ୍ୟ ନିଜ ଜିଭରେ ପାଦଗୁଡ଼ିକୁ ଚାଟିଲା । ଏବଂ ଦୁହେଁ ବିଦାୟ ନେଲେ ।

 

ନିଜର ମାର୍ଗରେ ଅଗ୍ରସର ହୋଇ କୁମାର ଜଣେ ଶିକାରୀକୁ ଭେଟିଥିଲେ ଏବଂ ନିଜର ରାଜପରିଚ୍ଛଦ ତାକୁ ଦେଇ ନିଜ ପାଇଁ ତା’ର ଚିରବସ୍ତ୍ରଗୁଡ଼ିକୁ ଗ୍ରହଣ କଲେ । ଆଉଜଣେ ଦେବଜନ ହିଁ ସେହି ଉଦ୍ଦେଶ୍ୟଟିର ସାଧନ ପାଇଁ ଶିକାରୀର ବେଶ ଧାରଣ କରି ଆସିଥିଲେ । ଆଉଜଣେ ଦେବତା ନାପିତ ବେଶ ଧରି ତାଙ୍କର ମସ୍ତକମୁଣ୍ଡନ ବି କରିଦେଲେ । କୁମାର ଆହୁରି ଆଗକୁ ଯାଇ ଯତିମାନଙ୍କର ଗୋଟିଏ ବସତିରେ ଆସି ପହଞ୍ଚିଥିଲେ; ଯତିମାନେ ତାଙ୍କୁ ଶ୍ରଦ୍ଧାର ସହିତ ସ୍ୱାଗତ କଲେ ଏବଂ ସେଠାରେ ସେ ଜଣେ ମହାବିଦ୍ଵାନ୍‌ଙ୍କର ଶିଷ୍ୟତ୍ଵ ଗ୍ରହଣ କଲେ । ମାତ୍ର କ୍ରମେ ଉପଲବ୍ଧି କଲେ ଯେ ସେମାନଙ୍କର ଦର୍ଶନମତଗୁଡ଼ିକ ହୁଏତ ତାଙ୍କୁ ସ୍ଵର୍ଗପ୍ରାପ୍ତିର ମାର୍ଗଟିକୁ ବତାଇଦେଇ ପାରିଲେ ମଧ୍ୟ ସେଗୁଡ଼ିକ ଦ୍ଵାରା ପୃଥିବୀରେ ଜନ୍ମଗ୍ରହଣ କରିବାରୁ ଅନ୍ତିମ ମୁକ୍ତି କଦାପି ସମ୍ଭବ ହେବନାହିଁ, ଏପରିକି ନରକରୁ ବି ରକ୍ଷା ମିଳିବନାହିଁ ।

 

କୁମାର କହିଥିଲେ, “ହାୟରେ ଏହି ଅସୁଖପୂର୍ଣ୍ଣ ପୃଥିବୀ, ଏଣେ ତୁ ମୃତ୍ୟୁରାକ୍ଷସକୁ ଭୟ କରୁଛୁ ଓ ତଥାପି ଏହାପରେ ସ୍ୱର୍ଗରେ ଯାଇ ଜନ୍ମ ପାଇବାକୁ ବ୍ୟାକୁଳ ହେଉଛୁ ! ତୁ ସତେ କେଡ଼େ ଅଜ୍ଞାନ ଭିତରେ ଯାଇ ରହିଛୁ !”

 

ସିଦ୍ଧାର୍ଥଙ୍କର ପରିବ୍ରଜ

 

ଏକଥା ଭାବି ସିଦ୍ଧାର୍ଥ ସେହି ବସତିକୁ ତ୍ୟାଗ କଲେ, ସେଠାରେ ବାସ କରୁଥିବା ଯୋଗୀମାନେ ତାଙ୍କର ସେହି ନିଷ୍ପତ୍ତିରେ ଅତ୍ୟନ୍ତ ଦୁଃଖ ଏବଂ ନୈରାଶ୍ୟ ଅନୁଭବ କରିଥିଲେ । ସେ ତା’ପରେ ଅଲାର ନାମକ ଜଣେ ବିଖ୍ୟାତ ମୁନିଙ୍କର ଗୃହରେ ଯାଇ ପହଞ୍ଚିଲେ । ତାଙ୍କର ମାର୍ଗଟି ମଧ୍ୟ କୁମାରଙ୍କୁ ଅପୂର୍ଣ୍ଣ ମନେ ହେଲା ଏବଂ ସେଠାରୁ ପ୍ରସ୍ଥାନ କରିବା ସମୟରେ ସେ କହିଥିଲେ: “ମୁଁ ଏପରି ଗୋଟିଏ ମାର୍ଗର ସନ୍ଧାନ କରୁଛି, ଯେଉଁଥିରେ କି ସତ୍ତା କିମ୍ବା ଅସତ୍ତାର ଓ ସ୍ଥାୟିତା ବା ଅସ୍ଥାୟିତାର ଆଦୌ କୌଣସି ପ୍ରଶ୍ନ ନଥିବ, ଯେଉଁଠାରେ ଅସୀମ ତଥା ଅଶେଷର ଉପଲବ୍ଧି ହେବ ସିନା, ମାତ୍ର କେହି ସେଗୁଡ଼ିକୁ ନେଇ କଥାରେ ଆଦୌ କିଛି କହୁନଥିବେ ।” ଅଲାରମୁନିଙ୍କର ଆଶ୍ରମରୁ ସେ ରାଜଗୃହ ଗଲେ ଏବଂ ସେଠାରେ ରାଜା ବିମ୍ବିସାର ତାଙ୍କୁ ସ୍ଵାଗତ ଜଣାଇଲେ । ରାଜା ବିମ୍ବିସାର ସିଦ୍ଧାର୍ଥଙ୍କୁ ଏହି ପରିବ୍ରାଜକର ଜୀବନ ବର୍ଜନ କରିବାକୁ ରାଜି କରାଇବାର ଚେଷ୍ଟା କରିଥିଲେ; ମାତ୍ର କୁମାର ସେଥିରେ ସମ୍ମତ ନହୋଇ ପୁଣି ପରିବ୍ରଜରେ ବାହାରି ଯାଇଥିଲେ । ତା'ପରେ ଗୟା ନିକଟସ୍ଥ ଗୋଟିଏ ଗ୍ରାମରେ ପହଞ୍ଚି ସେ ପାଖରେ ଥିବା ଏକ ଅରଣ୍ୟରେ ଅବସ୍ଥାନ କଲେ,–ପ୍ରତ୍ୟହ କେବଳ ମୁଠାଏ ଶସ୍ୟ ହିଁ ଭୋଜନ କରୁଥିଲେ,–କେବଳ ଜୀବନଧାରଣ ସକାଶେ ଯେତିକି ଯଥେଷ୍ଟ ହେବ, ମାତ୍ର ସେତିକି । ତାଙ୍କର ଚର୍ମଗୁଡ଼ିକ କ୍ରମେ ଗଳିତ ହୋଇ ଆସିଲା, ଦେହରୁ ମାଂସ ଶୁଖିଗଲା, ଆଖିମାନେ ଗାଡ଼ପରି ଦେଖାଗଲେ ଏବଂ ଯେଉଁମାନେ ତାଙ୍କୁ ଦେଖୁଥିଲେ, ସେମାନେ ତାଙ୍କର ଏହି କଷ୍ଟସାଧନାକୁ ଦେଖି ଯୁଗପତ୍ ଭାବରେ ଆଶଙ୍କା ତଥା ଏକ ଶ୍ରଦ୍ଧାକର୍ଷଣ ମଧ୍ୟ ଅନୁଭବ କରୁଥିଲେ ।

 

ଏହି ବର୍ଷାବଧିଗୁଡ଼ିକ ଅତିକ୍ରାନ୍ତ ହେଉଥିବା ସମୟରେ ତାଙ୍କର ପିତା ଶୁଦ୍ଧୋଦନ ମଝିରେ ମଝିରେ ତାଙ୍କ ପାଖକୁ ବାର୍ତ୍ତାବହମାନଙ୍କୁ ପଠାଇ ନିଜର ପୁତ୍ରକୁ ଲେଉଟି ଆସିବା ନିମନ୍ତେ ପ୍ରାର୍ଥନା କରୁଥିଲେ ଏବଂ ନିଜର ପକ୍ଷକୁ ସମର୍ଥନ କରି ବହୁତ କାରଣ ବାଢ଼ୁଥିଲେ ଓ ପ୍ରବର୍ତ୍ତନା ମଧ୍ୟ ଦେଉଥିଲେ । ସେହି ବାର୍ତ୍ତାବହମାନେ ଗୟାକୁ ମଧ୍ୟ ଆସିଥିଲେ; ସେତେବେଳେ କୁମାର ପ୍ରାୟ ମୃତ୍ୟୁର ଦ୍ଵାରଦେଶରେ ଉପସ୍ଥିତ ହୋଇଥାଆନ୍ତି । କିନ୍ତୁ ସେ ସେମାନଙ୍କର ଆଦୌ କୌଣସି କଥା ଶୁଣି ନଥିଲେ ଏବଂ, ସର୍ବୋଚ୍ଚ ସିଦ୍ଧି ଲାଭକରିବା ପୂର୍ବରୁ ଯଦି ତାଙ୍କର ମୃତ୍ୟୁ ହୁଏ, ତେବେ କ'ଣ ସବୁ କରିବାକୁ ହେବ, ସେହି ବିଷୟରେ ଏହି ଆଦେଶଟିକୁ ଦେଇ ଯାଇଥିଲେ: ସେମାନେ ତାଙ୍କର ଅସ୍ଥିକୁ କପିଳବାସ୍ତୁ ନେଇଯିବେ ଏବଂ ସେଠାରେ କହିବେ, “ଏଗୁଡ଼ିକ ହେଉଛି ଏପରି ଜଣେ ମନୁଷ୍ୟର ଅସ୍ଥି, ଯିଏକି ନିଜର ସଂକଳ୍ପରୁ ବିଚ୍ୟୁତ ନହୋଇ ମୃତ୍ୟୁକୁ ବରଣ କଲା ।”

 

ମାତ୍ର, ରାଜକୁମାର ଦେଖିବାକୁ ପାଇଲେ ଯେ ଏହିସବୁ ଅତି ଘୋର ତପଃସ୍ଵୀକାର ଦ୍ଵାରା କୌଣସି ଉପକାର ହେଉନାହିଁ; ବରଂ ସେ ପୂର୍ବାପେକ୍ଷା କମ୍ ଜ୍ଞାନାଲୋକ ଅନୁଭବ କରୁଥିବା ପରି ମନେହେଉଛି । ତେଣୁ, ସେ ଏଣିକି ଦେହକୁ ତା’ର ଆବଶ୍ୟକ ଆହାରଯତ୍ନ ପ୍ରଭୃତି ଦେବାପାଇଁ ସ୍ଥିର କଲେ,–ଆହାର ଓ ଅନ୍ୟାନ୍ୟ ଶୁଶ୍ରୂଷା ମଧ୍ୟ ଗ୍ରହଣ କରିଥିଲେ । ବିଶେଷ କରି ଗ୍ରାମର ପ୍ରମୁଖଙ୍କର କନ୍ୟା ସୁଜାତାର କଥା ଏହି ସମ୍ପର୍କରେ କୁହା ଯାଇଥାଏ, ଯାହାକୁ କି ଜଣେ ଦେବତା ଯାଇ କୁମାରଙ୍କର ଆବଶ୍ୟକ ପରିଚର୍ଯ୍ୟା କରିବା ନିମନ୍ତେ ଅନୁରୋଧ କରିଥିଲେ ଓ ସୁଜାତା ଏହିପରି ଭାବରେ ତାଙ୍କଲାଗି ଆହାର ପ୍ରସ୍ତୁତ କରି ଦେଉଥିଲା: ସେ ଏକସହସ୍ର ଗାଭୀ ଠୁଳ କରି ଆଣିଲା, ସେହି ଗାଭୀମାନଙ୍କର କ୍ଷୀରଙ୍କୁ ରାନ୍ଧି ଆଉ ପାଞ୍ଚଶହ ଗାଭୀକୁ ଆହାର ବାଢ଼ି ଦେଇଥିଲା, ପୁଣି ଏମାନଙ୍କର କ୍ଷୀର ଦ୍ଵାରା ଆହୁରି ଦୁଇଶହ ପଚାଶ ଗାଭୀଙ୍କୁ,–ଏହିପରି ଭାବରେ ପନ୍ଦରଟି ଗାଭୀଯାଏ ଆସି ସେମାନଙ୍କର କ୍ଷୀରକୁ ତଣ୍ଡୁଳ ସହିତ ମିଶାଇ ସେ ଏକ ବିଶୁଦ୍ଧ ଓ ସୁସ୍ୱାଦୁ ଆହାର ପ୍ରସ୍ତୁତ କରିଥିଲା । ଏବଂ, ଯେତେବେଳେ ବୋଧିସତ୍ତ୍ଵ ଭିକ୍ଷା କରିବା ନିମନ୍ତେ ଗ୍ରାମ ମଧ୍ୟକୁ ଯାଇଥିଲେ, ସେତେବେଳେ ଗୋଟିଏ ସୁନାଥାଳୀରେ ସୁଜାତା ସେହି ଆହାରକୁ ତାଙ୍କ ଲାଗି ବାଢ଼ି ଦେଇଥିଲା । କୁମାର ତାହାକୁ ଏକ ଉତ୍ତମ ସଙ୍କେତରୂପେ ଗ୍ରହଣ କରିଥିଲେ । ସେହି ଆହାରକୁ ଗ୍ରହଣ କରି ସେ ଗ୍ରାମରୁ ବାହାରି ଗୋଟିଏ ନଦୀରେ ସ୍ନାନ କରି ନଦୀଟିକୁ ପାର ହୋଇ ଆର ତଟକୁ ଯାଉଥିବା ସମୟରେ ନଦୀର ସ୍ରୋତରେ ଭାସି ଚାଲିଯିବାକୁ ଲାଗିଲେ । ଏବଂ, ନଦୀର ଅପର ତୀରରେ ଅବସ୍ଥିତ ଗୋଟିଏ ବୃହତ୍ ବୃକ୍ଷରେ ବାସ କରୁଥିବା ଜଣେ ଦେବତା ନିଜର ମଣିପରିହିତ ହାତଟିକୁ ବଢ଼ାଇଦେଇ କୁମାରଙ୍କୁ ସ୍ଥଳ ଉପରକୁ ଟାଣି ଆଣି ନଥିଲେ ସିଏ ଆଉ ଆଦୌ ରକ୍ଷା ପାଇ ପାରିନଥାନ୍ତେ । ଯାହା ହେଉ, ରାଜକୁମାର କୁଳକୁ ଆସିଲେ, ଏବଂ ଆହାର ଗ୍ରହଣ କରିଥିଲେ । ଆହାର ପରେ ସୁନାଥାଳୀଟିକୁ ନଦୀମଧ୍ୟକୁ ନିକ୍ଷେପ କରିଦେଲେ; ତାହା ଏକ ନାଗ ହାବୁଡ଼ରେ ଯାଇ ପଡ଼ିଥିଲା ଏବଂ ନିଜର ପ୍ରାସାଦକୁ ନେଇ ଯାଉଥିଲା । ଯୋଗକୁ ସ୍ୱୟଂ ଶକ୍ର ଗରୁଡ଼ର ରୂପ ଗ୍ରହଣ କରି ଥାଳୀଟିକୁ ନାଗର ହାତରୁ ଛଡ଼ାଇ ନେଇ ତାହାକୁ ତୃଷିତ ସ୍ଵର୍ଗକୁ ନେଇ ଯାଇଥିଲେ ।

 

ଇତିମଧ୍ୟରେ ବୋଧିସତ୍ତ୍ଵ ବୋଧିବୃକ୍ଷ ଉଦ୍ଦେଶ୍ୟରେ ଅଗ୍ରସର ହୋଇ ଚାଲିଗଲେ,–ଏହି ବୃକ୍ଷଟିର ମୂଳରେ ତପସ୍ୟା କରି ପୂର୍ବତନ ବୁଦ୍ଧ ମଧ୍ୟ ବୋଧିଲାଭ କରିଥିଲେ । ଅରଣ୍ୟପଥ ଦେଇ ଯାଉଥିବା ସମୟରେ ଶହଶହ ଶଙ୍ଖଚିଲ ତାଙ୍କପାଖକୁ ମାଡ଼ି ଆସିଥିଲେ । ଏବଂ ତାଙ୍କର ମୁଣ୍ଡ ଉପରେ ତିନିଥର ମୁଣ୍ଡଳା କରି ଉଡ଼ି ତାଙ୍କର ଅନୁଗମନ କରିଥିଲେ । ଏମାନଙ୍କ ପରେ ପାଞ୍ଚଶହ ମୟୂର ଆସିଲେ ଏବଂ ଅନ୍ୟାନ୍ୟ ପକ୍ଷୀ ତଥା ପଶୁମାନେ ମଧ୍ୟ ଆସି ପହଞ୍ଚିଲେ । ଏହିପରି ଭାବରେ ରାଜକୁମାରଙ୍କୁ ଦେବତା, ନାଗ, ଅସୁର ଏବଂ ସର୍ବ ପ୍ରକାରର ପ୍ରାଣୀମାନଙ୍କ ଦ୍ଵାରା ବେଷ୍ଟିତ ହୋଇ ବୋଧିଦ୍ରୁମ ନିକଟକୁ ଯିବାକୁ ହୋଇଥିଲା ।

 

ସେହି ପଥର ସନ୍ନିକଟରେ ଗୋଟିଏ ନାଗରାଜା ବାସ କରୁଥିଲା; ସେ ଅତିଶୟ ବୃଦ୍ଧ ହୋଇ ଯାଇଥିଲା । ତା’ ଦେଖିବାରେ ଏକାଧିକ ପୂର୍ବତନ ବୁଦ୍ଧ ସେହି ପଥ ଦେଇ ଆଗରୁ ମଧ୍ୟ ଯାଇଥିଲେ । ସିଏ କୁମାରଙ୍କର ପ୍ରଶଂସାଗାନ କଲା ଓ ତାହାର ପତ୍ନୀ ଅଗଣିତ ନାଗକନ୍ୟାଙ୍କ ସହିତ ଆସି ଧ୍ୱଜା, ପୁଷ୍ପ ତଥା ରତ୍ନଆଭରଣ ଦ୍ଵାରା ତାଙ୍କର ସ୍ଵାଗତ ଜଣାଇଲେ ଏବଂ ତାଙ୍କର ସ୍ତବଗାନ କରିବାକୁ ଲାଗିଲେ । ସୃଷ୍ଟ ଜଗତର ଦେବଗଣ ବୋଧିବୃକ୍ଷ ଓ ସେଠାକୁ ଯିବା ପଥରେ ଅବସ୍ଥିତ ଅନ୍ୟ ବୃକ୍ଷମାନଙ୍କରେ ପତାକା ଏବଂ ଧ୍ୱଜାମାନ ନେଇ ଲଟକାଇ ଦେଇଥିଲେ, ଯେପରିକି ବୋଧିସତ୍ତ୍ଵ ସହଜରେ ନିଜର ପଥଟିକୁ ଜାଣି ପାରୁଥିବେ । ଅଗ୍ରସର ହୋଇ ଯାଉଥିବା ସମୟରେ ସେ ମନେ ମନେ ଭାବୁଥାନ୍ତି ଯେ କେବଳ ଏହି ବନ୍ଧୁଭାବାପନ୍ନ ସଭାଗୁଡ଼ିକ ନୁହନ୍ତି । ସ୍ଵୟଂ ମାର ମଧ୍ୟ ତାଙ୍କର ବିଜୟଟିକୁ ପ୍ରତ୍ୟକ୍ଷ କରିବା ଉଚିତ ହେବ; ଏବଂ, ତାଙ୍କର ସେହି ଭାବନାଟି ତାଙ୍କର ଭ୍ରୁଲତା ଉପରୁ ସତେଅବା ଏକ ଉଦ୍‌ଭାସ ପରି ବାହାରି ଯାଇ ମାରର ଭବନରେ ପ୍ରବିଷ୍ଟ ହୋଇଥିଲା ଏବଂ ତା’ଲାଗି ବହୁତ ସ୍ଵପ୍ନ ତଥା ତାତ୍ପର୍ଯ୍ୟକୁ ବହନ କରି ଆଣିଥିଲା । ଜଣେ ବାର୍ତ୍ତାବହ ମଧ୍ୟ ସତ୍ଵର ମାରର ଭବନରେ ଆସି ପହଞ୍ଚିଥିଲେ ଓ ବୋଧିସତ୍ତ୍ଵ ବୋଧିସତ୍ତ୍ଵ ନିକଟକୁ ଅଗ୍ରସର ହେଉଛନ୍ତି ବୋଲି ସମ୍ବାଦ ଦେଇ ତାହାକୁ ସତର୍କ କରି ଦେଇଥିଲେ । ତା’ପରେ ମାର ଆପଣାର ଅନୁଚରମାନଙ୍କୁ ରୁଣ୍ଡ କରାଇଥିଲା । ତାହାକୁ ପ୍ରକୃତରେ ଏକ ଭୟଙ୍କର ଦୃଶ୍ୟ ବୋଲି କହିବାକୁ ହେବ । କାହାର ଲକ୍ଷେ ମୁହଁ, କାହାର ମସ୍ତକ, ହାତ, ଚକ୍ଷୁ କିମ୍ବା ପାଦଗୁଡ଼ିକ ଅତ୍ୟନ୍ତ କଦାକୃତ, କେତେଙ୍କର ଜିହ୍ଵା ବାହାରକୁ ବାହାରିପଡ଼ି ନିଆଁପରି ଲହଲହ ହେଉଥାଏ, କିଏ ନାଗମାନଙ୍କୁ ଗିଳି ପକାଉଥାନ୍ତି ଓ ଆଉ କିଏ ରକ୍ତ ପାନ କରୁଥାନ୍ତି, କେଉଁମାନଙ୍କର ପେଟ ପଲମ ପରି ତ କେଉଁମାନଙ୍କର ଗୋଡ଼ଗୁଡ଼ିକ ପୂରାପୂରି ବଙ୍କା;–ଏବଂ ସମସ୍ତେ ହାତରେ ଧନୁତୀର ଧାରଣ କରିଛନ୍ତି, ଗଦା ତଥା ଆହୁରି କେତେ ପ୍ରକାରର ଅସ୍ତ୍ର ଏବଂ ଆୟୁଧ ଧରିଛନ୍ତି । ଏମାନେ ସମସ୍ତେ ବୋଧିଦ୍ରୁମ ଆଡ଼କୁ ଯାତ୍ରା କରିଥିଲେ ।

 

ବୋଧିଦ୍ରୁମ

 

ଏକ ଶୁଦ୍ଧ ସୁବର୍ଣ୍ଣର ଦ୍ୟୂତିକୁ ବହନ କରି ବୋଧିସତ୍ତ୍ଵ ବୃକ୍ଷଟିର ସନ୍ନିକଟରେ ପହଞ୍ଚିଥିଲେ, ତା’ହାର ପୂର୍ବପାର୍ଶ୍ଵରେ ଆସନ ଗ୍ରହଣ କଲେ ଏବଂ ବୋଧି ଲାଭ କରିବା ପୂର୍ବରୁ ସେଠାରୁ କଦାପି ଉଠିବେନାହିଁ ବୋଲି ଶପଥ ନେଇଥିଲେ । ତା'ପରେ ଛଅଥର ଭୂକମ୍ପନ ହେଲା । ତା'ପରେ ମାର ଜଣେ ସମ୍ବାଦବାହକର ରୂପ ଧରି ସେଠାକୁ ଧାଇଁ ଆସିଥିଲା; ସିଏ କପିଳବାସ୍ତୁରୁ ଖବର ନେଇ ଆସିଛି ବୋଲି କହିଲା ଏବଂ ଖବର ଦେଇଥିଲା ଯେ, ବୁଦ୍ଧଙ୍କର ସମ୍ପର୍କୀୟ ଭାଇ ଦେବଦତ୍ତ ରାଜ୍ୟର ଶାସନକୁ ବଳପୂର୍ବକ ନିଜହାତକୁ ନେଇ ସକଳ ପ୍ରକାରର ଉତ୍ପୀଡ଼ନ ଓ ଅତ୍ୟାଚାର ଆରମ୍ଭ କରି ଦେଇଛନ୍ତି । ପ୍ରାର୍ଥନା ଜଣାଇ ନିବେଦନ କରିଥିଲା ଯେ, ବର୍ତ୍ତମାନ ବୋଧିସତ୍ତ୍ଵ ଫେରି ଚାଲନ୍ତୁ ଓ ରାଜ୍ୟରେ ଉତ୍ତମ ଶାସନ ତଥା ଶୃଙ୍ଖଳାର ପ୍ରତିଷ୍ଠା କରନ୍ତୁ । ମାତ୍ର ବୁଦ୍ଧଦେବ ବିଚାର କରିଥିଲେ ଯେ, ବୋଧିସତ୍ତ୍ଵ କେବଳ କାମନା ଓ ଈର୍ଷାର ବଶବର୍ତ୍ତୀ ହୋଇ ଏହିଭଳି କରିଛି ଓ ସାକ୍ୟ ବଂଶର କୁମାରମାନେ କେବଳ ଆପଣାର ଭୀରୁତା ହେତୁ ହିଁ ସେପରି ହେବାକୁ ଦେଇଛନ୍ତି ଏବଂ, ମନୁଷ୍ୟର ଏହିସବୁ ଦୁର୍ବଳତା ବିଷୟରେ ଚିନ୍ତା କରି ବୋଧିସତ୍ତ୍ଵ ଏସବୁଠାରୁ ଆହୁରି କିଛି ଉଚ୍ଚତର ଏବଂ ଅଧିକ ଉତ୍ତମ ହାସଲ କରିବା ନିମନ୍ତେ ବରଂ ଅଧିକ ସଂକଳ୍ପବଦ୍ଧ ହୋଇଗଲେ ।

 

ବୋଧିଦ୍ରୁମ ମଧ୍ୟରେ ରହିଥିବା ଦେବତା ଅତ୍ୟନ୍ତ ଉଲ୍ଲସିତ ହୋଇ ବୋଧିସତ୍ତ୍ଵଙ୍କର ପାଦ ଉପରେ ନିଜର ମଣି ଓ ମୁକ୍ତାଗୁଡ଼ିକର ବର୍ଷଣ କରାଇଲେ ଏବଂ ନିଜର ସଂକଳ୍ପରୁ ଟଳି ନଯିବା ପାଇଁ ତାଙ୍କୁ ପ୍ରାର୍ଥନା କରିଥିଲେ । ଅନ୍ୟ ବୃକ୍ଷଗୁଡ଼ିକର ଦେବଗଣ ମଧ୍ୟ ତା’ ମୂଳରେ କେଉଁ ମହାବ୍ୟକ୍ତି ଆସି ଉପବିଷ୍ଟ ରହିଛନ୍ତି ବୋଲି ବୋଧିଦ୍ରୁମର ଦେବତାଙ୍କୁ ପ୍ରଶ୍ନ ମଧ୍ୟ କରିଥିଲେ ଏବଂ, ସେଠାରେ ଆସୀନ ବୋଧିସତ୍ତ୍ଵ ଆସିନ ଅଛନ୍ତି ବୋଲି ଜାଣି ସେମାନେ ସମସ୍ତେ ଆପଣାର ପୁଷ୍ପ ତଥା ସୌରଭଗୁଡ଼ିକୁ ଆଣି ତାଙ୍କର ଚାରିପାଖରେ ଅଜାଡ଼ି ଦେଇଥିଲେ ଏବଂ ନାନା ସୁବଚନ ତଥା ସଂଗୀତଦ୍ଵାରା ତାଙ୍କୁ ଆପଣାର ବ୍ରତରେ ଅଗ୍ରସର ହୋଇଯିବା ନିମନ୍ତେ ଉତ୍ସାହ ପ୍ରଦାନ କରିଥିଲେ-। ବୋଧିସତ୍ତ୍ଵଙ୍କୁ ସକଳ ପ୍ରକାରେ ପ୍ରଲୋଭିତ କରିବା ସକାଶେ ମାର ନିଜର ତିନି ଦୁହିତାଙ୍କୁ ଆଦେଶ ଦେଲା ଏବଂ ତହୁଁ ସେହି କନ୍ୟାମାନେ ଯାଇ ତାଙ୍କ ସମ୍ମୁଖରେ ନୃତ୍ୟ ଓ ଗୀତ ବି ଆରମ୍ଭ କରି ଦେଇଥିଲେ । ଯାବତୀୟ ପ୍ରକାର କୌଶଳ ତଥା ପ୍ରେମପ୍ରଦର୍ଶନ ଓ ନୃତ୍ୟ ତଥା ସଂଗୀତ ଦ୍ଵାରା ସେମାନେ ବୋଧିସତ୍ତ୍ଵଙ୍କୁ ଭୁଲାଇ ଆଣିବାକୁ ଉଦ୍ୟମ କଲେ; କିନ୍ତୁ ବୋଧିସତ୍ତ୍ଵ ଅଟଳ ହୋଇ ରହିଥିଲେ, ଥିର ଜଳ ଉପରେ କଇଁଫୁଲଟିଏ ପରି ଆପଣାର ମୁଖ ଉପରେ ଓ ମନୋରାଜ୍ୟରେ ପୂର୍ଣ୍ଣ ଅବିଚଳିତ ରହିଥିଲେ । ସେ ମେରୁପର୍ବତ ପରି ଏବଂ ବିଶ୍ଵଭୁବନକୁ ଘେରି ରହିଥିବା ଲୌହପ୍ରାଚୀର ପରି ହିଁ ଅବିଚଳ ହୋଇ ରହିଲେ । ତା'ପରେ ସେମାନେ ତାଙ୍କ ସହିତ ବହୁତ ଯୁକ୍ତି ମଧ୍ୟ କଲେ, ପୃଥିବୀ ଜୀବନର ସୁଖ ଏବଂ କର୍ତ୍ତବ୍ୟଗୁଡ଼ିକର ବର୍ଣ୍ଣନା ମଧ୍ୟ କରିଥିଲେ,–ସତ୍ୟର ଅନ୍ୱେଷଣ ପଥରେ ରହିଥିବା କଷ୍ଟ ତଥା ବିପଦଗୁଡ଼ିକ ବିଷୟରେ ସାବଧାନ କରି ଦେଇଥିଲେ, କିନ୍ତୁ ବୋଧିସତ୍ତ୍ଵ ଉତ୍ତର ଦେଇଥିଲେ :

 

ବିଜୁଳି ପରି ଏହି ସୁଖ ହେଉଛି ଅତି କ୍ଷଣିକ, ତେଣୁ,

ତୁମେ ବର୍ଣ୍ଣନା କରୁଥିବା

ସୁଖ ନିମନ୍ତେ

ମୁଁ କ'ଣ ପାଇଁ ଲୁବ୍ଧ ହେବି ?

 

ଏବଂ, ମାରର କନ୍ୟାମାନେ, ସଫଳ ହୋଇ ପାରିବେନାହିଁ ବୋଲି ଜାଣି ବୁଦ୍ଧଙ୍କର ସଫଳତା ନିମନ୍ତେ ପ୍ରାର୍ଥନା କରି ସେଠାରୁ ବିଦାୟ ନେଇଥିଲେ :

 

ଯାହା ଆପଣଙ୍କର ହୃଦୟ ଇଚ୍ଛା କରୁଛି,

ଆପଣ ତାହା ହିଁ ଲାଭ କରନ୍ତୁ ! ଏବଂ,

ନିଜ ପାଇଁ ମୁକ୍ତି ହାସଲ କରି, ଆପଣ

ସମସ୍ତଙ୍କୁ ମୁକ୍ତ କରନ୍ତୁ ।

 

ମାର ପାରହତ ହେଲା

 

ତା’ପରେ ନିଜେ ମାର ଆସି ବିତର୍କ କରି ବସିଲା; ଏବଂ ଯେତେବେଳେ ନିଜେ ମଧ୍ୟ ପରାସ୍ତ ହେଲା, ସେତେବେଳେ ସିଏ ନିଜର ପିଶାଚସେନାକୁ ଆକ୍ରମଣ ଲାଗି ପ୍ରେରିତ କରିଥିଲା । ଦେବଗଣ ଭୟତ୍ରସ୍ତ ହୋଇ ପଳାଇଥିଲେ,–ବୋଧିସତ୍ତ୍ଵକୁ ସେଠାରେ ଏକା ଛାଢ଼ି ପଳାଇ ଯାଇଥିଲେ । ଯାବତୀୟ ଆକୃତିର ଏବଂ ପ୍ରକାରର, ଯାବତୀୟ ବର୍ଣ୍ଣର, ଯାବତୀୟ ପୃଥିବୀଛଡ଼ା ଧ୍ଵନିମାନ କରିବାରେ ଲାଗିଥାନ୍ତି, ବାୟୁମଣ୍ଡଳକୁ ଅନ୍ଧାର କରି ରଖିଥାନ୍ତି ଓ ଭୂମିକୁ କମ୍ପାଇ ଦେଉଥାନ୍ତି,–ବହୁ ପ୍ରକାରର ଭୟପ୍ରଦ ଅଙ୍ଗମୁଦ୍ରା କରି ଏହି ସେମାନେ ବୋଧିସତ୍ତ୍ଵଙ୍କ ଆଡ଼କୁ ଅଗ୍ରସର ହୋଇ ଆସିଲେ । କିନ୍ତୁ ସେମାନଙ୍କର ଅସ୍ତ୍ରମାନ ସେମାନଙ୍କର ନିଜ ହାତରେ ଲାଗି ରହିଲା, ସେମାନଙ୍କର ଅଙ୍ଗପ୍ରତ୍ୟଙ୍ଗ ଅଚକ ହୋଇ ପଡ଼ିଲା ଏବଂ, ସେମାନେ ବୋଧିସତ୍ତ୍ଵଙ୍କୁ ଆଘାତ କରି ହୁଏତ ଧୂଳିରେ ପରିଣତ କରିଦେଇ ପାରିଥାନ୍ତେ ଏବଂ ଆପଣା ଜିଭମାନଙ୍କର ଅଗ୍ନିହୁଳା ଦ୍ଵାରା ତାଙ୍କୁ ପୋଡ଼ି ପାଉଁଶ ବି କରି ଦେଇଥାନ୍ତେ । ମାତ୍ର, ସେମାନେ ତାଙ୍କର ଗୋଟିଏ କେଶକୁ ମଧ୍ୟ ସ୍ପର୍ଶ କରି ପାରିଲେନାହିଁ । ସିଏ ସେହିପରି ଅବିଚଳ ଲୟରେ ଆସୀନ ରହିଥାନ୍ତି ଏବଂ ତାଙ୍କ ଉପରକୁ ଉଦ୍ଦିଷ୍ଟ ହୋଇ ନିକ୍ଷିପ୍ତ ହେଉଥିବା ଅସ୍ତ୍ରମାନେ ତାଙ୍କର ପାଦପାଖରେ ଗୋଟିଏ ଗୋଟିଏ ଫୁଲ ପରି ଆସି ପଡ଼ି ଯାଉଥାନ୍ତି । ମାର ସକଳ ପ୍ରକାରର ପ୍ରୟାସ କଲା ଏବଂ ଯେତେବେଳେ ସବୁକିଛି ବ୍ୟର୍ଥ ହିଁ ହେଲା, ସେତେବେଳେ ସିଏ ଆପଣାର ଭୟଙ୍କର ଚକ୍ରଟି ସହିତ ମେଘ-ପର୍ବତ ନାମକ ହସ୍ତୀ ଉପରେ ଆରୋହଣ କରି କୁମାରଙ୍କ ଉପରକୁ ମାଡ଼ି ଆସିଲା । ଏଣେ, ଯଦି ଏହି ଅସ୍ତ୍ରଟିକୁ ମେରୁପର୍ବତ ଉପରେ ନିକ୍ଷେପ କରା ଯାଇଥାନ୍ତା, ତେବେ ଗୋଟିଏ ବାଉଁଶକୁ ଦୁଇଫାଳ କଲାପରି ସିଧା ଦୁଇଗଡ଼ କରି କାଟି ପକାଇ ଥାଆନ୍ତା; ଯଦି ଆକାଶକୁ ପେଶା ଯାଇଥାନ୍ତା, ତେବେ ବାରବର୍ଷ ପର୍ଯ୍ୟନ୍ତ ମେଘ ବରଷିବାକୁ ବନ୍ଦ କରି ଦେଇଥାନ୍ତା । କିନ୍ତୁ, ତାହା ବୋଧିସତ୍ତ୍ଵଙ୍କୁ ସ୍ପର୍ଶ କରିବାକୁ ମଧ୍ୟ ରାଜୀ ହୋଇନଥିଲା, ଏବଂ ଗୋଟିଏ ଶୁଖିଲା ପତ୍ର ଭଳି ଶୂନ୍ୟରେ ଭାସି ବୁଲିଲା ଏବଂ ତାଙ୍କର ମସ୍ତକ ଉପରେ ଗୋଟିଏ ପୁଷ୍ପହାର ମୁଣ୍ଡଳା ବୁଲୁଥିବାର ଭ୍ରମ ଆଣି ଦେଉଥିଲା । ବାରମ୍ବାର ତୈଳ ପଡ଼ୁଥିବା ଅଗ୍ନିପରି ମାର କ୍ରୋଧାନ୍ୱିତ ହୋଇ ଉଠିଥିଲା ଏବଂ କୁମାରଙ୍କର ନିକଟଦେଶକୁ ଆସି “ଏଠାରୁ ଉଠ” ବୋଲି ଆଦେଶ ଦେଇଥିଲା । ମାତ୍ର କୁମାର ଉତ୍ତର ଦେଲେ, “ଦୀର୍ଘ ବହୁବର୍ଷର ତପଶ୍ଚାରଣା ଦ୍ଵାରା ଆପଣାର ପ୍ରତିଭା ଦ୍ଵାରା ହିଁ ମୁଁ ଏହି ସିଂହାସନକୁ ହାସଲ କରିଛି । ତୁମେ କୌଣସି ଗୁଣ ଓ ସାମର୍ଥ୍ୟ ନଥାଇ ତାହାକୁ କିପରି ଦଖଲ କରିପାରିବ ?” ମା’ ଏଥିକୁ ଦମ୍ଭର ସହିତ କହିଲା, “ମୋ'ର ଗୁଣ ଓ ସମର୍ଥତା ତୁମଠାରୁ ବହୁତ ଅଧିକ ।” ତା'ପରେ ସେ ଆପଣାର ସୈନ୍ୟବଳ ମାନଙ୍କୁ ଆଣି ଛିଡ଼ା କରିଦେଲା । ତା’ର ସକଳ ଯୋଦ୍ଧା “ହଁ, ଏହା ସତ୍ୟ” ବୋଲି ଏପରି ଏକାବେଳେକେ ଚିତ୍କାର କରି ଉଠିଲେ ଯେ, ସମୁଦ୍ରର ଗର୍ଜନ ପରି ଗୋଟିଏ ଧ୍ଵନି ଆକାଶଟାକୁ କମ୍ପାଇ ଦେଇଥିଲା । ବୋଧିସତ୍ତ୍ଵ ମାରକୁ ସମ୍ବୋଧନ କରି ଉତ୍ତର ଦେଲେ, “ହଁ, ତୁମର ସାକ୍ଷୀ ଅନେକ, କିନ୍ତୁ ସେମାନେ ତୁମରି ପକ୍ଷରେ ହିଁ କହିବେ । ମୋ’ର ସାକ୍ଷୀ ଜଣେ, ମାତ୍ର ସିଏ ଆଦୌ ପକ୍ଷପାତ କରିବ ନାହିଁ ।” ତା’ପରେ, ଗୋଟିଏ ଗୌରିକ ବର୍ଣ୍ଣର ମେଘ ଭିତରୁ ବିଦ୍ୟୁତ୍‌ର ଏକ ଛଟା ବାହାରି ଆସିଲା ପରି ସେ ନିଜ ପରିଚ୍ଛେଦରୁ ନିଜର ହାତଟିକୁ ବାହାର କରି ଆଣିଲେ ଏବଂ ତଦ୍ଦ୍ୱାରା ଭୂମିକୁ ସ୍ପର୍ଶ କରି ତାଙ୍କ ପକ୍ଷରୁ ସାକ୍ଷୀ ଦେବାପାଇଁ ଅନୁରୋଧ କରିଥିଲେ । ଏହାପରେ ସ୍ୱୟଂ ଭୂଦେବୀ ତାଙ୍କର ପାଦ ସମୀପରୁ ଅବତୀର୍ଣ୍ଣ ହୋଇ ଉଠିଲେ ଓ ସତେଅବା ଲକ୍ଷେ କଣ୍ଠସ୍ଵରରେ “ମୁଁ ସାକ୍ଷୀ ରହିଛି” ବୋଲି ଘୋଷଣା କରିଦେଲେ । ଏତିକିରେ ମାରର ସମସ୍ତ ବାହିନୀ ସେଠାରୁ ପବନ ଉଡ଼ାଇ ନେଉଥିବା ପତ୍ରମାନଙ୍କ ପରି ପଳାୟନ କଲେ । ମେଘପର୍ବତ ନାମକ ସେହି ହସ୍ତୀ ନିଜର ଶୁଣ୍ଢକୁ ଗୁଡ଼ାଇ ନେଇ ଓ ଦୁଇ ଗୋଡ଼ ମଝିରେ ଲାଙ୍ଗୁଡ଼ ଜାକି ସେଠାରୁ ପଳାଇ ଯାଇଥିଲା । ସ୍ଵୟଂ ମାର ଲମ୍ବ ହୋଇ ସମ୍ମୁଖରେ ଆସି ପଡ଼ିଗଲା ତଥା ବୋଧିସତ୍ତ୍ଵଙ୍କର ଅମିତ ଶକ୍ତିକୁ ମାନି ନେଲା । ତା’ ପରେ ସେଠାରୁ ଉଠି ଆପଣାର ଲଜ୍ଜା ଲୁଚାଇ ରଖିବା ନିମନ୍ତେ ସେଠାରୁ ତତ୍‍କ୍ଷଣାତ୍ ପଳାଇ ଯାଇଥିଲା । ତା’ର ସକଳ ଉଦ୍ୟମ ବୃଥା ହୋଇଗଲା ଏବଂ କୁମାର ଏଥର ଅଚିରେ ବୋଧି ଲାଭ କରିବେ ତଥା ସତ୍ୟର ପ୍ରଚାର କରି ହଜାର ହଜାର ପ୍ରାଣୀଙ୍କୁ ନିର୍ବାଣ ପ୍ରାପ୍ତ କରାଇବେ ଜାଣି ତା’ର ମନ ଅତୀବ କ୍ଷୁବ୍ଧ ହୋଇ ପଡ଼ିଥିଲା-

 

ପୂର୍ଣ୍ଣ ବୋଧି ପ୍ରାପ୍ତ ହେଲା

 

ମାର ପରାଜିତ ହେବା ବେଳକୁ ଆହୁରି ସୂର୍ଯ୍ୟ ଅସ୍ତ ହୋଇନଥାନ୍ତି । ବୁଦ୍ଧ ବୋଧିଦ୍ରୂମ ମୂଳରେ ଆସୀନ ହୋଇ ରହିଥାନ୍ତି । ରାତ୍ରିର ଆଗମନ ସଙ୍ଗେ ସଙ୍ଗେ, ସିଏ ଯେଉଁ ବୋଧିଲାଭର ସନ୍ଧାନ କରୁଥିଲେ, ତାହା କ୍ରମଶଃ ତାଙ୍କର ହୃଦୟ ଭିତରକୁ ଉଦିତ ହୋଇ ଆସିଲା । ରାତ୍ରିର ଦଶମ ଦଣ୍ଡ ବେଳକୁ ସେ ଅନନ୍ତ ତଥା ଅସୁମାରି ପୃଥିବୀଗୁଡ଼ିକରେ ଏପର୍ଯ୍ୟନ୍ତ ଜନ୍ମ ନେଇଥିବା ସକଳ ସତ୍ତାଙ୍କର ପ୍ରକୃତ ସ୍ଥିତିଟିକୁ ଦେଖିବାକୁ ପାଇଥିଲେ । ବିଂଶ ଦଣ୍ଡ ସମୟରେ ସେ ସେହି ଦିବ୍ୟ ଅନ୍ତର୍ଦୃଷ୍ଟିକୁ ଲାଭ କଲେ, ଯାହାଦ୍ୱାରା କି ଦୂର ଅଥବା ନିକଟରେ ରହିଥିବା ସକଳ ପଦାର୍ଥ ସମ୍ପୂର୍ଣ୍ଣ ନିକଟରେ ରହିଥିବା ପରି ପ୍ରତ୍ୟକ୍ଷ ହୋଇ ପାରନ୍ତି । ତା’ପରେ ସେ ପୁନର୍ଜନ୍ମର କାରଣଗୁଡ଼ିକୁ ଉଦ୍ଘାଟିତ କରି ପାରୁଥିବା ବିଶେଷ ଜ୍ଞାନଟିର ଅଧିକାର ଲାଭ କଲେ । ତା’ପରେ ଚତୁର୍ବିଧ ପଥ ଏବଂ ସେଗୁଡ଼ିକରୁ ସମ୍ଭବ ହେଉଥିବା ଫଳମାନ ଏବଂ, ଏହିପରି ଭାବରେ ପ୍ରତ୍ୟୁଷର ଆଗମନ ସମୟକୁ ସେ ଅର୍ହତ୍ ହେଲେ, ସମ୍ୟକ୍ ସଂବୁଦ୍ଧ ହୋଇଥିଲେ । ତା’ ପରେ ତାଙ୍କର ଆଲୋକମୟ ଶରୀରରୁ ଛଅଟି ରଙ୍ଗର ରଶ୍ମିମାନ ଚତୁର୍ଦ୍ଦିଗକୁ ବିଚ୍ଛୁରିତ ହୋଇ ପଡ଼ିଥିଲା, ସମଗ୍ର ଶୂନ୍ୟମଣ୍ଡଳକୁ ପୂର୍ଣ୍ଣ କରିଦେଲା ଏବଂ ବୁଦ୍ଧତ୍ଵପ୍ରାପ୍ତି ହେଲା ବୋଲି ଘୋଷଣା କରିଦେଲା । ଏବଂ, ତଦ୍ଦ୍ଵାରା ପ୍ରକଟ ହୋଇ ପାରିଥିବା ବିସ୍ମୟଗୁଡ଼ିକୁ ଶତସହସ୍ର ଜିହ୍ଵାରେ ମଧ୍ୟ ଘୋଷଣା କରିପାରିବା ନିମନ୍ତେ କାହାରିହେଲେ ଶକ୍ତି ନଥିଲା ।

 

ତା’ ପରେ ସ୍ଵୟଂ ବୁଦ୍ଧ ନିଜର ଏହି ବିଜୟଟିକୁ ଏହି ଶବ୍ଦଗୁଡ଼ିକ ଦ୍ଵାରା ଘୋଷଣା କରିଥିଲେ :

 

କିଏ ପ୍ରକୃତରେ ଏହି ଗୃହଟିର ନିର୍ମାତା, ତାହାକୁ ଖୋଜି

ମୁଁ ଭିନ୍ନ ଭିନ୍ନ କେତେ ଜନ୍ମକୁ ଗ୍ରହଣ କରିଛି

କିନ୍ତୁ ହେ ଗୃହର ନିର୍ମାଣକାରୀ, ଏବେ ଯାଇ ମୁଁ

ତୁମକୁ ଦେଖିବାକୁ ପାଇଲି !

ତୁମେ ଆଉ କେବେହେଲେ

ମୋ’ ଲାଗିଘରଟିଏ ଆଦୌ ନିର୍ମାଣ କରିଦେଇ ପାରିବନାହିଁ ।

ମୁଁ ତୁମର କାଠଖଣ୍ଡଗୁଡ଼ିକୁ ଭାଙ୍ଗି ପକାଇଛି,

ମଝି ଓ ମୂଳ ଖୁଣ୍ଟଟିକୁ ନଷ୍ଟ କରିଦେଇଛି ।

ମୋ’ର ମନ ନିରାସକ୍ତ ହୋଇପାରିଛି;

ବାସନା ନିର୍ବାପିତ ହୋଇ ଯାଇଛି !

 

ବୁଦ୍ଧ ସାତଦିନ ପାଇଁ ଧ୍ୟାନମଗ୍ନ ହୋଇ ରହିଲେ । ଆଉ ସାତଦିନ ସେ ନିଜର ଦୃଷ୍ଟିକୁ ବୋଧିଦ୍ରୂମ ଉପରେ ନିବଦ୍ଧ କରି ରଖିଥିଲେ । ତା’ ପରେ ସାତଦିନ କାଳ ଦେବତାମାନେ ପ୍ରସ୍ତୁତ କରି ରଖିଥିବା ଏକ ସ୍ଵର୍ଣ୍ଣଯାନକୁ ସମ୍ମୁଖରେ ରଖି ମନନ କଲେ; ପୁଣି ସାତଦିନ ଏକ ସ୍ଵର୍ଣ୍ଣପ୍ରାସାଦରେ ଅବସ୍ଥାନ କଲେ,–ସେଠାରେ ତାଙ୍କ ଅବଶିଷ୍ଟ ଜୀବନର ପ୍ରତ୍ୟେକ ଘଟଣା ତାଙ୍କୁ ଜ୍ଞାତ ହୋଇଥିଲା ଏବଂ ସମ୍ପୂର୍ଣ୍ଣ ଧର୍ମଟି ମଧ୍ୟ ତାଙ୍କର ମନ ଭିତରେ ସ୍ପଷ୍ଟ ହୋଇ ଯାଇଥିଲା,–ତାଙ୍କ ଶିକ୍ଷାଚୟର ପ୍ରଥମରୁ ଶେଷ ଶବ୍ଦଟି ପର୍ଯ୍ୟନ୍ତ ପରିଷ୍କାର ହୋଇଗଲା । ପଞ୍ଚମ ସପ୍ତାହରେ ବୁଦ୍ଧ ଅଜପାଳ ବୃକ୍ଷର ମୂଳରେ ଉପବେଶନ କରିଥିଲେ ଏବଂ ନିର୍ବାଣର ଅଭିଜ୍ଞତା ଲାଭ କଲେ । ଷଷ୍ଠ ସପ୍ତାହରେ ମୁଚଳିଣ୍ଡ ହ୍ରଦ ପାର୍ଶ୍ଵରେ ଆସୀନ ରହିଲେ ଏବଂ ସେଠାରେ ସେହି ନାମଧାରୀ ଗୋଟିଏ ନାଗ ତାଙ୍କୁ ତୋଫାନ ଏବଂ ବର୍ଷାରୁ ଆଶ୍ରୟ ଦେଇ ରକ୍ଷା କରିଥିଲା । ସପ୍ତମ ସପ୍ତାହରେ ବୁଦ୍ଧ ନ୍ୟଗ୍ରୋଧ ବୃକ୍ଷମାନଙ୍କର ଏକ ତୋଟାରେ ଉପଦିଷ୍ଟ ରହିଥିଲେ ।

 

ବଣିକଦୁହିଁଙ୍କୁ ଭେଟିଲେ

 

ଇତି ମଧ୍ୟରେ ସୁଜାତା ହାତରୁ ପାୟସାନ୍ନ ଗ୍ରହଣ କରିବାର ଅଣଚାଶଟି ଦିନ ବିତି ଯାଇଥିଲା । ଏକଦା ଏପରି ହୋଇଥିଲା ଯେ ଦୁଇଜଣ ବଣିକ ସେହି ବନପଥ ଦେଇ ନିଜର ବଣିଜସରଞ୍ଜାମ ଗୁଡ଼ିକ ସହିତ ଯାତ୍ରା କରୁଥିଲେ । ବିଗତ ବହୁ ଯୁଗ ଏବଂ ବହୁ ଜନ୍ମ ହେଲା ସେମାନେ ଜଣେ ବୁଦ୍ଧଙ୍କୁ ନେଇ କିଛି ଦାନ କରିବାର ଗୋଟିଏ ଅଭିଳାଷ ପୋଷଣ କରି ଆସିଥିଲେ । ସେହି ବନରେ ଜଣେ ଦେବୀ,–ବସ୍ତୁତଃ ଜଣେ ବନଦେବୀ ବାସ କରୁଥିଲେ, ଯିଏ କି ଏକଦା ଏମାନଙ୍କର ଜ୍ଞାତି ମଧ୍ୟ ଥିଲେ ଏବଂ ବର୍ତ୍ତମାନ, ସେମାନଙ୍କର ବାସନାଟିର ପୂରଣ ନିମନ୍ତେ ଏହି ଦେବୀ ସେହି ବଣିକମାନଙ୍କର ଶକଟଚକ ଯେପରି ଗଭୀର କାଦୁଅ ଭିତରେ ଅଟକି ରହିଯିବ, ତାହାର କୌଣସି ଏକ କୌଶଳ କରିଦେଲେ । କେଉଁ ଦେବତାଙ୍କର ଇଚ୍ଛାରେ ଏପରି ଗୋଟିଏ ଅସୁବିଧା ଅବଶ୍ୟ ଘଟିଛି ବୋଲି ଅନୁମାନ କରି ବଣିକଦୁହେଁ ପ୍ରଦୀପ ଓ ସୁବାସମାନ ଦେଇ ତାଙ୍କର ପ୍ରାର୍ଥନା କରିବାକୁ ଲାଗିଲେ । ତହୁଁ ଦେବୀ ସେମାନଙ୍କର ସମ୍ମୁଖରେ ଆବିର୍ଭୂତା ହୋଇ ସେମାନଙ୍କୁ ବୁଦ୍ଧଙ୍କୁ କିଛି ଅନ୍ନନୈବେଦ୍ୟ ପ୍ରଦାନ କରିବାପାଇଁ ଆଦେଶ ଦେଲେ ଓ ଏଣେ ଶକଟଗୁଡ଼ିକୁ କର୍ଦ୍ଦମ ଭିତରୁ ବାହାର କରାଇ ଦେଇଥିଲେ । ବଣିକମାନେ ଅତୀବ ଆନନ୍ଦ ସହକାରେ କିଛି ମହୁ ନେଇ ବୁଦ୍ଧଙ୍କୁ ଦେବେ ବୋଲି ବାହାରି ପଡ଼ିଲେ । ପାୟସାନ୍ନ ଆଣି ଦେଇଥିବା ସମୟରେ ବ୍ରହ୍ମା ଯେଉଁ ଭିକ୍ଷାପାତ୍ରଟିକୁ ଦାନ କରିଥିଲେ, ସେଇଟି ଅନ୍ତର୍ହିତ ହୋଇ ଯାଇଥିଲା ଏବଂ, ସୁଜାତା ନିଜେ ଦେଇଥିବା ସୁବର୍ଣ୍ଣଥାଳୀଟି ମଧ୍ୟ ସର୍ପଲୋକକୁ ଚାଲି ଯାଇଥିଲା । ତେଣୁ, ବର୍ତ୍ତମାନ, ଚାରି ଦିଗପାଳ ରତ୍ନପଥରର ପାତ୍ର ନେଇ ଆସି ଆବିର୍ଭୂତ ହେଲେ ଏବଂ ବୁଦ୍ଧ ସେଗୁଡ଼ିକୁ ଗ୍ରହଣ କରିବାକୁ ସମ୍ମତ ନହେବାରୁ ସେମାନେ ତା’ ବଦଳରେ ପଥରର ପାତ୍ର ଆଣି ଦେଇଥିଲେ । କିନ୍ତୁ, ସେମାନଙ୍କର ନିଜ ପ୍ରଦତ୍ତ ପାତ୍ରଟିକୁ ହିଁ ଭଗବାନ ବୁଦ୍ଧ ଗ୍ରହଣ କଲେ ଏବଂ ସେଗୁଡ଼ିକୁ ଦେଖିବାକୁ ଗୋଟିଏ ପାତ୍ର ପରି କରି ଦେଇଥିଲେ । ସିଏ ସେହି ପାତ୍ରରେ ହିଁ ମଧୁକୁ ଗ୍ରହଣ କଲେ ଏବଂ ପ୍ରତିବଦଳରେ ବଣିକମାନଙ୍କୁ ତ୍ରିସୂତ୍ରର ଶିକ୍ଷା ପ୍ରଦାନ କରିଥିଲେ । ବଣିକମାନେ ତାଙ୍କର ଗୃହୀଭକ୍ତ ହୋଇ ରହିଲେ । ଏବଂ, ଏକ ସ୍ମାରକ ହିସାବରେ ତାଙ୍କର ଏକଗୁଚ୍ଛ କେଶକୁ ତାଙ୍କଠାରୁ ଗ୍ରହଣ କରିଥିଲେ ।

 

ଅଷ୍ଟମ ସପ୍ତାହରେ ବୁଦ୍ଧ ଅଜପାଳ ବୃକ୍ଷର ଛାୟାରେ ଆସୀନ ରହିଥିବା ସମୟରେ ଭାବୁଥିଲେ ଯେ, ଏହି ଲୋକମାନେ ତ ଆଦୌ ଉତ୍ତମ ନୁହନ୍ତି, କୌଣସି ବିଦ୍ୟା ମଧ୍ୟ ଅର୍ଜନ କରିନାହାନ୍ତି,–ତେଣୁ ତାଙ୍କର ଅତିଗଭୀର ଶିକ୍ଷାଗୁଡ଼ିକୁ ସେମାନେ ଗ୍ରହଣ କରି ପାରିବେ କି ? ଏବଂ, ଯେଉଁମାନେ ତାହାକୁ ବୁଝି ପାରୁନଥିବେ, ସେମାନଙ୍କ ପାଖରେ ଯାଇ ଧର୍ମସୂତ୍ରଟିକୁ ଘୋଷଣା କଲେ ତଦ୍ଦ୍ଵାରା କେଉଁ ଫଳ ହେବ ? ତାଙ୍କ ମନରେ ଏପରି ଗୋଟିଏ ସଂଶୟ ଜାତ ହେଉଛି ବୋଲି ଦେଖିପାରି ବ୍ରହ୍ମା “ଏହାଦ୍ଵାରା ପୃଥିବୀ ବିନାଶ ହୋଇଯିବ” ବୋଲି କହି ଉଠିଥିଲେ ଏବଂ, ତାଙ୍କର ସେହି କଥାଟି ପବନ–ଦେବତା, ମେଘ–ଦେବତା ତଥା ଅଗଣିତ ଅନ୍ୟ ବ୍ରହ୍ମା ଓ ଦେବତାମାନଙ୍କ ଦ୍ଵାରା ପ୍ରତିଧ୍ଵନିତ ହୋଇଥିଲା । ତା’ପରେ ବ୍ରହ୍ମା ବୁଦ୍ଧଙ୍କ ପାଖରେ ଆସି ନିବେଦନ କରିଥିଲେ: “ହେ ପ୍ରଭୁ, ବୁଦ୍ଧତ୍ଵ ପ୍ରାପ୍ତ କରିବା ବଡ଼ କଠିନ; ମାତ୍ର ଆପଣ ତାହାକୁ ଲାଭ କରିଛନ୍ତି, ଯେପରିକି ଆପଣ ଏହି ଜଗତ୍‍ପ୍ରାଣୀମାନଙ୍କୁ ଏଠାରୁ ଉଦ୍ଧାର କରି ନେଇପାରିବେ । ତେଣୁ, ଆପଣ ନିଜର ଧର୍ମର ଅବଶ୍ୟ ଘୋଷଣା କରନ୍ତୁ, ଯେପରିକି ସେହି କଥାଟି ପ୍ରକୃତରେ ସମ୍ଭବ ହେବ । ହେ ଜ୍ଞାନୀପ୍ରବର, ଆପଣ ଧର୍ମଶିକ୍ଷା ଦିଅନ୍ତୁ !” ବୁଦ୍ଧ ସେଥିରେ ସମ୍ମତି ପ୍ରକାଶ କଲେ ଏବଂ କାହାକୁ ସର୍ବପ୍ରଥମେ ସେ ସେହି ଶିକ୍ଷାଦାନ କରିବେ, ସେଥିପାଇଁ ଚତୁର୍ଦ୍ଦିଗକୁ ଦୁଷ୍ଟିପାତ କରିଥିଲେ । ପ୍ରଥମେ ନିଜର ଦୁଇ ପୁରାତନ ଶିଷ୍ୟକୁ ମନେ ପକାଇଥିଲେ, କିନ୍ତୁ ସେମାନଙ୍କର ପରଲୋକ ହୋଇ ସାରିଛି ବୋଲି ଜାଣିପାରିଲେ । ତେଣୁ, ସେ ସେହି ଉଦ୍ଦେଶ୍ୟରେ ସେଠାରୁ ବାରାଣାସୀକୁ ଯାତ୍ରା କଲେ,–ଆଗରୁ ଯେଉଁମାନଙ୍କ ସହିତ ସେ ଏକଦା ତପଶ୍ଚାରଣାଦି କରିଥିଲେ, ସେହି ପାଞ୍ଚଜଣ ଯତିଙ୍କୁ ପ୍ରଥମେ ଧର୍ମର ଶିକ୍ଷା ଦେବାପାଇଁ ମନସ୍ଥ କରିଥିଲେ ।

 

ବାରାଣସୀର ଯତିଗଣ

 

ବୁଦ୍ଧଙ୍କୁ ଦୂରରୁ ଦେଖି ସେହି ଯତିମାନେ କହିଥିଲେ : “ବର୍ତ୍ତମାନ ସିଦ୍ଧାର୍ଥ ନିଜର ପୂର୍ବ ବଳ ଏବଂ ସୌନ୍ଦର୍ଯ୍ୟକୁ ଲାଭ କରିଛନ୍ତି । ସେ ସାଧନାରେ ସିଦ୍ଧିଲାଭ କରି ନପାରିବାରୁ ଆମପାଖକୁ ଫେରି ଆସିଛନ୍ତି । ସିଏ ରାଜକୁଳଜାତ ହୋଇଥିବାରୁ ତାଙ୍କୁ ବସିବା ନିମନ୍ତେ ଆସନଟିଏ ଦେବା ଆମର ନିଶ୍ଚୟ କର୍ତ୍ତବ୍ୟ, ମାତ୍ର ଆମେ ତାଙ୍କ ପାଇଁ କଦାପି ଠିଆ ହେବାନାହିଁ କିମ୍ବା ତାଙ୍କ ପାଖକୁ ଆମଆଡ଼ୁ ଯାଇ ତାଙ୍କୁ ସାକ୍ଷାତ କରିବାନାହିଁ ।” ସେମାନଙ୍କର ମନୋଭାବନାକୁ ଜାଣି ପାରି ବୁଦ୍ଧ ଆପଣାର ସ୍ନେହଦ୍ଵାରା ଆର୍ଦ୍ର କରୁଣାକୁ ସେମାନଙ୍କ ଆଡ଼କୁ ନିର୍ଦ୍ଦେଶିତ କରି ଦେଇଥିଲେ, ଏବଂ ତତ୍‍କ୍ଷଣାତ୍, ଗୋଟିଏ ଶୁଖିଲା ପତ୍ର ଅସହାୟ ଭାବରେ ଜଳସ୍ରୋତରେ ଭାସି ଚାଲିଯିବା ପରି ସେମାନେ ମଧ୍ୟ ତାଙ୍କର ପ୍ରେମଶକ୍ତି ଦ୍ଵାରା ବଶୀଭୂତ ହୋଇଗଲେ, ବସିବା ସ୍ଥାନରୁ ଉଠିଯାଇ ତାଙ୍କୁ ସମ୍ମାନ ପ୍ରଦର୍ଶନ କରିବା ନିମନ୍ତେ ଅଗ୍ରସର ହୋଇ ଯାଇଥିଲେ । ତାଙ୍କର ଚରଣ ଧୋଇଲେ, କୁଶଳ ପଚାରିଥିଲେ ଏବଂ ବୁଦ୍ଧ ସେମାନଙ୍କୁ ସମ୍ବାଦ ଦେଇଥିଲେ ଯେ ସେ ବର୍ତ୍ତମାନ ସମ୍ୟକ୍‍ସଂବୁଦ୍ଧର ଅବସ୍ଥାକୁ ପ୍ରାପ୍ତ ହୋଇଛନ୍ତି । ତା’ପରେ ସମଗ୍ର ବିଶ୍ଵଭୁବନ ହର୍ଷିତ ହୋଇ ଉଠିଲା, ବର୍ତ୍ତମାନ ଯେ ପ୍ରଥମଥର ସକାଶେ ଧର୍ମସୂତ୍ରର ପ୍ରବର୍ତ୍ତନ ହେବ, ସେକଥା ଜାଣିଥିଲା । ଏକ ସୁନ୍ଦରୀ ନାରୀର ବେଶକୁ ପରିଧାନ କରି ସନ୍ଧ୍ୟାକାଳ ଆସି ଉପଗତ ହେଲା ଏବଂ ତାଙ୍କର ବନ୍ଦନା କଲା । ମେରୁପର୍ବତ ଆନନ୍ଦରେ ନୃତ୍ୟ କଲା, ସାତୋଟିଯାକ ପର୍ବତମାଳା ତାଙ୍କୁ ପ୍ରଣାମ ଜଣାଇ ମସ୍ତକ ନତ କଲେ ତଥା ପ୍ରତ୍ୟେକ ଭୁବନର ସତ୍ତାସକଳ ତାଙ୍କର ପ୍ରଚାରିତ ସଦ୍ଧର୍ମର ଅମୃତକୁ ଲାଭ କରିବା ନିମନ୍ତେ ସେଠାରେ ସମାଗତ ହେବାକୁ ଲାଗିଲେ । ସେମାନେ ଆସି ବୃତ୍ତାକାରରେ ଛିଡ଼ା ହେଲେ, ଆହୁରି ଅଧିକରୁ ଅଧିକ ସତ୍ତାମାନେ ପରେ ମଧ୍ୟ ଆସି ରୁଣ୍ଡ ହୋଇଥିଲେ । ଶେଷରେ ସେମାନେ ସେଠାରେ ଏତେ ଭିଡ଼ କରି ପରସ୍ପର ପାଖରେ ଠିଆ ହୋଇଥିଲେ ଯେ, ଶତସହସ୍ର ଦେବଗଣଙ୍କୁ ମଧ୍ୟ କେବଳ ସୂଚ୍ୟଗ୍ର ପରିମାଣର ଭୂମିମାତ୍ର ପ୍ରାପ୍ତ ହୋଇ ପାରିଥିଲା । ଦେବତା ଓ ବ୍ରହ୍ମାମାନଙ୍କର ସ୍ଵର୍ଗମାନ ଖାଲି ହୋଇ ଯାଇଥିଲା । ଚାରିଆଡେ ଝଡ଼ପବନ ପରି ସୁ’ ସୁ’ ଶବ୍ଦ ହେଉଥିଲା କିନ୍ତୁ, ବିଭିନ୍ନ ସ୍ଵର୍ଗଲୋକର ପ୍ରମୁଖମାନେ ଯେତେବେଳେ ଶଙ୍ଖଧ୍ୱନି କରିବାକୁ ଲାଗିଲେ, ସେତେବେଳେ ପୂର୍ଣ୍ଣ ନୀରବତା ହିଁ ରାଜତ୍ଵ କରୁଥିଲା । ସେତେବେଳେ ଯାଇ ବୁଦ୍ଧ ମୁଖ ଖୋଲି କହିବାକୁ ଆରମ୍ଭ କଲେ ।

 

“ଯେଉଁ ବ୍ୟକ୍ତି ଯତି ହେବାପାଇଁ ମନସ୍ଥ କରିବ, ତାହାକୁ ଦୁଇଟି କଥାରୁ ଆପଣାକୁ ନିବୃତ୍ତ କରି ଆଣିବାକୁ ହେବ,–ସିଏ ଅକାମୀ ବାସନାମାନଙ୍କୁ ପରିତ୍ୟାଗ କରିବ ଏବଂ ଶରୀରସୁଖ ବର୍ଜନ କରିବ ।” ପ୍ରଥମ ପ୍ରଚାରଟିର ଏହା ହିଁ ବିଷୟବସ୍ତୁ ଥିଲା ଏବଂ, ପ୍ରତ୍ୟେକ ଶ୍ରୋତା ଅନୁଭବ କରୁଥିଲେ, ସତେଯେପରି ତା’ର ନିଜ ଭାଷାରେ ହିଁ ସେହି କଥାଗୁଡ଼ିକୁ କୁହାଯାଉଛି । ଏବଂ, ସେଠାରେ ଉପସ୍ଥିତ ପ୍ରତ୍ୟେକ ଇତରପ୍ରାଣୀକୁ ମଧ୍ୟ ତଦ୍ରୂପ ବୋଧ ହେଉଥିଲା । ଦେବଗଣ ଅଗଣନ ସଂଖ୍ୟାରେ ହିଁ ପ୍ରଥମ, ଦ୍ଵିତୀୟ, ତୃତୀୟ ତଥା ଚତୁର୍ଥ ମାର୍ଗଗୁଡ଼ିକର ଦୀକ୍ଷା ଗ୍ରହଣ କରିଥିଲେ ।

 

ବୁଦ୍ଧଙ୍କର ପ୍ରବଚନ–ଯାତ୍ରା

 

ସେହି ସମୟରୁ ହିଁ ବୁଦ୍ଧଙ୍କର ଧର୍ମଚକ୍ର-ପ୍ରବର୍ତ୍ତନ ଆରମ୍ଭ ହୋଇଥିଲା, ଅର୍ଥାତ୍ ଏହି ଉତ୍ତମ ଧର୍ମଟିକୁ ସେ ତାଙ୍କର ଶ୍ରୋତାମାନଙ୍କ ପାଇଁ ପ୍ରଚାର କରିଥିଲେ । ସେ ଅଗ୍ନି-ଉପାସକ ମାନଙ୍କୁ ବହୁ ଅଲୌକିକତାର ପ୍ରଦର୍ଶନ କରାଇ ନୂତନ ଧର୍ମରେ ଦୀକ୍ଷା ଦେଇଥିଲେ; ରାଜଗୃହର ରାଜା ଭୀମସହ ତାଙ୍କର ଶିଷ୍ୟ ହେଲେ । ବୁଦ୍ଧ ଆପଣାର ନିଜ ନଗରଟିକୁ ମଧ୍ୟ ଯାଇଥିଲେ । ସେହି ଯାତ୍ରାଟି ଏହିପରି ଭାବରେ ସଂଘଟିତ ହୋଇଥିଲା: ନିଜର ପୁତ୍ର ବୁଦ୍ଧତ୍ଵ ଲାଭ କରିଛନ୍ତି ବୋଲି ଶୁଣିବାକୁ ପାଇ ରାଜା ଶୁଦ୍ଧୋଦନ ତାଙ୍କ ପାଖକୁ ଦୂତରୂପେ ନିଜର କେତେଜଣ ସାମନ୍ତଙ୍କୁ ପ୍ରେରଣ କରିଥିଲେ ଓ ତାଙ୍କୁ କପିଳବାସ୍ତୁ ଆସିବାପାଇଁ ଅନୁରୋଧ କରିଥିଲେ । କିନ୍ତୁ ସେହି ସାମନ୍ତମାନେ ବୁଦ୍ଧଦେବଙ୍କର ପ୍ରବଚନକୁ ଶ୍ରବଣ କରି ତାଙ୍କର ଶିଷ୍ୟ ହୋଇ ତାଙ୍କରି ସହିତ ହିଁ ରହିଗଲେ । ଆହୁରି ଅନ୍ୟମାନଙ୍କ ବେଳକୁ ମଧ୍ୟ ତାହାହିଁ ଘଟିଲା । ଶେଷର ରାଜା ନିଜର ଜଣେ ଅତିବିଶ୍ୱସ୍ତ ଦୂତଙ୍କୁ, ସାମନ୍ତ କରୁଦାଙ୍କୁ ପ୍ରେରଣ କଲେ,–ପିଲାଦିନେ ଯିଏକି ବୁଦ୍ଧଙ୍କୁ ସହିତ ଏକାଠି ହୋଇ କେତେ କେତେ ଖେଳ ଖେଳିଥିଲେ । ସିଏ ମଧ୍ୟ ଶିଷ୍ୟ ହୋଇ ସେହିଠାରେ ରହିଗଲେ; କିନ୍ତୁ, ଯେତେବେଳେ ବସନ୍ତ ଋତୁ ଆସିବାପରେ ମାର୍ଗଗୁଡ଼ିକ ସବୁଜ ବର୍ଣ୍ଣ ଧାରଣ କଲେ ଓ ବୃକ୍ଷମାନଙ୍କରେ ଫୁଲମାନେ ଫୁଟିଲେ, ସେତେବେଳେ ସେ ଯାଇ ବୁଦ୍ଧଙ୍କ କପିଳବାସ୍ତୁର ସମ୍ବାଦ ଦେଲେ: “ଆପଣ ଆସିବେ ବୋଲି ଆପଣଙ୍କର ପିତା ଅନାଇ ବସିଛନ୍ତି, ଜଳାଶୟରେ ପଦ୍ମ ସୁର୍ଯ୍ୟୋଦୟ ଲାଗି ଅପେକ୍ଷା କରିଥିବା ପରି,–ଏବଂ, କୁମୁଦ ଚନ୍ଦ୍ରମାର ଅପେକ୍ଷାରେ ଥିବାପରି ରାଣୀମାନେ ବି ଅପେକ୍ଷା କରୁଛନ୍ତି ।” ନିଜର ନଗରୀକୁ ଯାତ୍ରା କରିବାର ସମୁଚିତ ସମୟ ଆସି ପହଞ୍ଚିଛି ବୋଲି ବୁଦ୍ଧ ଜାଣି ପାରିଥିଲେ । ତାଙ୍କର ଉଦ୍ଦେଶ୍ୟରେ ରାଜା ଗୋଟିଏ ରମ୍ୟ ଉଦ୍ୟାନ ପ୍ରସ୍ତୁତ କରାଇ ଦେଇଥିଲେ । ପରିଶେଷରେ ବୁଦ୍ଧ ସେଠାରେ ଯାଇ ପହଞ୍ଚିଥିଲେ,–ସେତେବେଳେ ତାଙ୍କ ସହିତ ପ୍ରାୟ କୋଡ଼ିଏ ହଜାର ଶିଷ୍ୟ ମଧ୍ୟ ଯାଇଥିଲେ । ପ୍ରଥମେ ସାକ୍ୟ କୁମାରମାନେ ତାଙ୍କୁ ସମ୍ମାନ ପ୍ରଦର୍ଶନ କରିବାକୁ ରାଜୀ ହେଉନଥିଲେ; ମାତ୍ର ବୁଦ୍ଧ ନିଜକୁ ବାୟୁ ମଧ୍ୟକୁ ଉତ୍ତୋଳିତ କରି ନେଇଥିଲେ ଓ ସେଠାରେ ନିଜର ଶରୀରରୁ ଜଳସ୍ରୋତର ଉଦ୍‍ଗୀରଣ କରାଇବାକୁ ଲାଗିଲେ,–ସେହି ଜଳ ଦଶହଜାର ଭୁବନ ମଧ୍ୟକୁ ଖେଦି ଯାଇଥିଲା ଏବଂ ଅଭିଳାଷ ରଖିଥିବା ପ୍ରତ୍ୟେକ ବ୍ୟକ୍ତି ଉପରେ ସିଞ୍ଚି ହୋଇ ଯିବାକୁ ଲାଗିଲା । ସେ ତା’ପରେ ଅଗ୍ନିର ଉଦ୍‍ଗୀରଣ କରାଇଥିଲେ, ଯାହାକି ସମଗ୍ର ବିଶ୍ଵକୁ ବ୍ୟାପି ରହିଥିଲା, କିନ୍ତୁ ଗୋଟିଏ ବୁଢ଼ିଆଣୀ ଜାଲର ମଧ୍ୟ ଆଦୌ କୌଣସି କ୍ଷତି କରୁନଥିଲା । ସେ ଏହିପରି ଆହୁରି କେତେ ବିସ୍ମୟର ପ୍ରଦର୍ଶନ କରାଇଲେ । ତା’ପରେ ଶୁଦ୍ଧୋଦନ ନିଜ ପୁତ୍ରଙ୍କର ଉପାସନା କଲେ ଏବଂ କହିଲେ:

 

“ହେ ମୋ’ର ପ୍ରଭୁ, ହେ ବୁଦ୍ଧ, ହେ ରାଜକୁମାର ସିଦ୍ଧାର୍ଥ, ମୁଁ ଏହି ଜଗତର ବାସ୍ତବ ଅର୍ଥରେ ତୁମର ପିତା ହୋଇଥିଲେ ହେଁ, ଏହାପରେ ମୁଁ ତୁମକୁ କେବେହେଲେ ମୋ’ର ସନ୍ତାନ ବୋଲି ସମ୍ବୋଧନ କରିବିନାହିଁ । ପ୍ରକୃତରେ ତ ମୁଁ ତୁମର କ୍ରୀତଦାସ ହେବାକୁ ମଧ୍ୟ ଉପଯୁକ୍ତ ନୁହେଁ-। ମୁଁ ତୁମକୁ ବାର ବାର ପୂଜା ନିବେଦନ କରୁଛି । ଏବଂ, ମୁଁ ମୋ’ର ରାଜ୍ୟକୁ ତୁମ ହାତରେ ଅର୍ପଣ କରିବାକୁ ବାହାରିଲେ ମଧ୍ୟ ତୁମେ ତ କାହାକୁ କେବଳ ଭସ୍ମବତ୍ ହିଁ ଜ୍ଞାନ କରିବ ।” ରାଜା ସ୍ୱୟଂ ନତମସ୍ତକ ହୋଇ ପ୍ରଣାମ କରିବାରୁ ଅନ୍ୟ କୁମାରଗଣ ମଧ୍ୟ ସେମାନଙ୍କର ମାନ୍ୟତା ପ୍ରଦର୍ଶନ କରିଥିଲେ, ଝଡ଼ପବନ ଆଗରେ ବାଉଁଶବଣଟିଏ ନଇଁ ଗଲାପରି ଆନତ ହୋଇ ଆସିଥିଲେ ।

 

ପରଦିନ ବୁଦ୍ଧ ପଦବ୍ରଜରେ ନଗରକୁ ଭିକ୍ଷା କରି ବାହାରିଥିଲେ । ତାଙ୍କର ପାଦ ଯେଉଁଠାରେ ପଡ଼ୁଥାଏ, ସେଠାରେ ଗୋଟିଏ ଗୋଟିଏ ପଦ୍ମଫୁଲ ଫୁଟି ଉଠୁଥାଏ ଏବଂ ସେ ପାଦଟିକୁ ଉଠାଇନେବା ମାତ୍ରକେ ଫୁଲଟି ମଧ୍ୟ ଅନ୍ତର୍ହିତ ହୋଇ ଯାଉଥାଏ । ତାଙ୍କର ମସ୍ତକରୁ ଏବଂ ମୁଖରୁ ଆଲୋକର ରଶ୍ମିମାନ ନିର୍ଗତ ହେଉଥାଏ ଏବଂ ଏହିସବୁ ବିସ୍ମୟକାରୀ ଘଟଣାମାନ ଘଟୁଥିବାରୁ ନଗରବାସୀ ସମସ୍ତେ ତାଙ୍କର ଦର୍ଶନ ନିମନ୍ତେ ବାହାରକୁ ବାହାରି ଆସୁଥାନ୍ତି । ସମସ୍ତେ ଚକିତ ହେଉ ଥାଆନ୍ତି; କାରଣ, ପୂର୍ବରୁ ଏଭଳି ଭିକ୍ଷା କରିବାର ରୀତିଟି କେବେହେଲେ ଜଣା ନଥିଲା । ସମ୍ବାଦ ପାଇ ଯଶୋଧାରା ମଧ୍ୟ ପ୍ରାସାଦର ଦ୍ଵାରଦେଶକୁ ଆସି ତାଙ୍କର ପୂଜା କଲେ ଏବଂ କହିଥିଲେ: “ହେ ସିଦ୍ଧାର୍ଥ, ଯେଉଁଦିନ ରାତ୍ରିରେ ରାହୁଳ ଜନ୍ମ ହେଲା, ସେଦିନ ଆପଣ ନୀରବରେ ଗୃହ ଛାଡ଼ିଲେ, ଆପଣଙ୍କର ରାଜ୍ୟଟିକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଥିଲେ । ବର୍ତ୍ତମାନ ସେହି ରାଜ୍ୟର ବଦଳରେ ଆପଣ ଅଧିକ ଗୌରବମୟ ଆଉଏକ ରାଜ୍ୟର ଅଧିକାରୀ ହୋଇ ପାରିଛନ୍ତି-।” ବୁଦ୍ଧ ଏପରି ଭାବରେ ନିଜର ଅନ୍ନ ସଂଗ୍ରହ କରୁଛନ୍ତି ବୋଲି ରାଜା ତାଙ୍କ ଆଗରେ ପ୍ରତିବାଦ ଜଣାଇଥିଲେ ମାତ୍ର ବୁଦ୍ଧ “ଏହାହିଁ ତ ମୋ’ ବଂଶର ରୀତି ହୋଇ ରହିଆସିଛି” ବୋଲି ଉତ୍ତର ଦେଇଥିଲେ । ମୋ’ ବଂଶର ରୀତି ଅର୍ଥାତ୍ ପୂର୍ବତନ ସକଳ ବୁଦ୍ଧଙ୍କର ରୀତି । ତା’ ପରେ ସେ ରାଜାଙ୍କୁ ଧର୍ମଦୀକ୍ଷା ପ୍ରଦାନ କଲେ; ଶୁଦ୍ଧୋଦନ ପ୍ରଥମ ତଥା ଦ୍ଵିତୀୟ ମାର୍ଗଗୁଡ଼ିକରେ ପ୍ରବେଶ କରି ତାଙ୍କର ଶିଷ୍ୟତ୍ଵ ଗ୍ରହଣ କରିଥିଲେ ।

 

ଯଶୋଧାରାଙ୍କୁ ସାନ୍ତ୍ଵନା

 

ଯଶୋଧାରା ମଧ୍ୟ ଆସି ସିଦ୍ଧାର୍ଥଙ୍କର ଅର୍ଚ୍ଚନା କରନ୍ତୁ ବୋଲି ତା’ପରେ ରାଜା ସମ୍ବାଦ ପ୍ରେରଣ କଲେ । ଅବଶ୍ୟ ବୁଦ୍ଧ ସ୍ଵୟଂ ତାଙ୍କର ପ୍ରାସାଦସ୍ଥ ନିବାସଟିକୁ ଯାତ୍ରା କରିଥିଲେ । ଯଶୋଧାରା ମଧ୍ୟ ମୁକ୍ତି ଲାଭ କରିବେ ବୋଲି ସେ ଯାଉଥିବା ସମୟରେ ଆପଣାର ଦୁଇ ପ୍ରମୁଖ ଶିଷ୍ୟ ସାରିପୁତ୍ତ ଏବଂ ମୁଗଲାନଙ୍କୁ ଜଣାଇ ଦେଇଥିଲେ । କହିଥିଲେ, “ ଯଶୋଧାରା ମୋ’ ପାଇଁ ଶୋକ କରୁଛନ୍ତି ଏବଂ, ନିଜର ଶୋକକୁ ଚାପି ରଖିଲେ ତାଙ୍କର ହୃଦୟ ଆଉ ତାହାକୁ ସହ୍ୟ କରି ପାରିବନାହିଁ । ସିଏ ଆସି ବସ୍ତୁତଃ ମୋର ପାଦଗୁଡ଼ିକୁ ଜଡ଼ାଇ ଧରିବେ, ମାତ୍ର ତାଙ୍କୁ ଆଦୌ ବାଧା ଦେବନାହିଁ, କାରଣ ପରିଶେଷରେ ସିଏ ତଥା ତାଙ୍କର ସହଚାରିଣୀମାନେ ଏହି ଧର୍ମର ଦୀକ୍ଷାକୁ ଗ୍ରହଣ କରିବେ ।” ବୁଦ୍ଧ ଆସୁଛନ୍ତି ବୋଲି ସମ୍ବାଦ ପାଇ ଯଶୋଧାରା ନିଜ ମସ୍ତକର କେଶକୁ କାଟିଦେଲେ ଏବଂ ପାଞ୍ଚଶହ ସହଚାରିଣୀଙ୍କର ଗହଣରେ ସାଧାରଣ ବସ୍ତ୍ର ପିନ୍ଧି ତାଙ୍କୁ ଭେଟିବା ପାଇଁ ବାହାରିଗଲେ । ଆପଣାର ପରିପୂର୍ଣ୍ଣ ପ୍ରେମଭାବ ହେତୁ, ସତେଅବା ଉଛୁଳି ପଡ଼ୁଥିବା ଗୋଟିଏ ପାତ୍ର ପରି ସିଏ ଆପଣାକୁ ଆଉ ସମ୍ଭାଳି ରଖି ପାରୁନାହାନ୍ତି; ମାତ୍ର ସେ କେବଳ ଜଣେ ନାରୀ ବୋଲି ଭୁଲିଯାଇ ସେ ବୁଦ୍ଧଙ୍କର ପାଦତଳେ ଯାଇ ପଡ଼ି ଯାଇଥିଲେ ଏବଂ କ୍ରନ୍ଦନରତା ହୋଇ ପାଦଗୁଡ଼ିକୁ ଯାବୁଡ଼ି ଧରିଲେ ।

 

କିନ୍ତୁ, ତାଙ୍କର ଶ୍ଵଶୁର ସେଠାରେ ଉପସ୍ଥିତ ରହିଛନ୍ତି ବୋଲି ମନେ ପଡ଼ିଯିବାରୁ, ସିଏ ତତ୍‍କ୍ଷଣାତ୍ ଉଠିଗଲେ ଓ ଟିକିଏ ଅଲଗା ହୋଇ ଦଣ୍ଡାୟମାନ ରହିଲେ । ପ୍ରକୃତରେ, ବ୍ରହ୍ମା ମଧ୍ୟ ଜଣେ ବୁଦ୍ଧଙ୍କର ଦେହକୁ ସ୍ପର୍ଶ କରିବାର ଅଧିକାରୀ ହୋଇ ପାରିବେନାହିଁ । କିନ୍ତୁ ବୁଦ୍ଧ ତଥାପି ଯଶୋଧାରାଙ୍କୁ ତାହା କରିବାଲାଗି ଅନୁମତି ପ୍ରଦାନ କରିଥିଲେ । ରାଜା ବଧୂଙ୍କର ପତିଙ୍କ ପ୍ରତି ରହିଥିବା ସେହି ଆନୁଗତ୍ୟ ବିଷୟରେ କହିଥିଲେ, “ଏହାଙ୍କୁ ତାଙ୍କ ପ୍ରେମର ଏକ ହଠାତ୍ ଅଭିବ୍ୟକ୍ତି ବୋଲି କଦାପି କୁହା ଯିବନାହିଁ । କାରଣ, ଏହି ସାତବର୍ଷ କାଳ ତୁମେ ଯାହା କରିଛ, ସିଏ ମଧ୍ୟ ତାହାହିଁ କରିଛନ୍ତି । ତୁମେ ମସ୍ତକ ମୁଣ୍ଡନ କରିଛ ବୋଲି ଶୁଣି, ନିକୃଷ୍ଟ ପରିଚ୍ଛଦ ଧାରଣ କରିଛ ଏବଂ କେବଳ ନିର୍ଦ୍ଧାରିତ ସମୟ ମାନଙ୍କରେ ଏକ ମାଟିପାତ୍ରରେ ଭୋଜନ କରୁଛ ବୋଲି ଜାଣି ଯଶୋଧାରା ମଧ୍ୟ ସେହି ସବୁକିଛିକୁ ପାଳନ କରିଛନ୍ତି, ପୁନର୍ବିବାହ କରିବାର ସକଳ ପ୍ରସ୍ତାବକୁ ଅସ୍ଵୀକାର କରିଛନ୍ତି । ତେଣୁ ତୁମେ ତାଙ୍କୁ ଅବଶ୍ୟ କ୍ଷମା ପ୍ରଦାନ କରିବ । ତା’ ପରେ, ଏକ ପୂର୍ବତନ ଜନ୍ମରେ ଯଶୋଧାରା ଜଣେ ବୁଦ୍ଧଙ୍କର ପତ୍ନୀ ହେବା ନିମନ୍ତେ ଇଚ୍ଛା ପୋଷଣ କରିଥିଲେ ଏବଂ ତେଣୁ ଏକାଧିକ ପୁରାତନ ଯୁଗମାନଙ୍କରେ ସିଏ ପ୍ରକୃତରେ ତାଙ୍କର ସହଗାମିନୀ ହୋଇ ରହି ଆସିଛନ୍ତି, ବୁଦ୍ଧ ତାହାକୁ ବର୍ଣ୍ଣନା କରି କହିଥିଲେ । ଏହିସବୁ ଦ୍ଵାରା ରାଜବଧୂଙ୍କୁ ବହୁତ ଆଶ୍ଵାସନା ମିଳିଥିଲା । ଏହାର ଅଳ୍ପ କେତେଦିନ ପରେ ରାହୁଳଙ୍କୁ ମଧ୍ୟ ଭିକ୍ଷୁସଂଘରେ ସ୍ଵୀକାର କରି ନିଆ ଯାଇଥିଲା । ଅବଶ୍ୟ ପତ୍ନୀଙ୍କୁ ସଂଘଭୁକ୍ତ କରିବା ବିଷୟରେ ବୁଦ୍ଧ ଅସମ୍ମତ ହେଲେ । ତାହାର ବହୁତ ବର୍ଷ ପରେ ଯାଇ ସେ ଭିକ୍ଷୁଣୀସଂଘର ପ୍ରତିଷ୍ଠା କରାଇଥିଲେ ଏବଂ ଯଶୋଧାରା ମଧ୍ୟ ସେଥିରେ ଆସି ଯୋଗ ଦେଇଥିଲେ । ଏବଂ, ବୁଦ୍ଧଙ୍କ ସହିତ ଗୋଟିଏ ଦିନରେ ଜନ୍ମଗ୍ରହଣ କରିଥିବା ସେ ନିଜ ମୃତ୍ୟୁର ଦୁଇବର୍ଷ ପୂର୍ବରୁ ନିର୍ବାଣ ଲାଭ କରିଥିଲେ ।

 

ତବତିଂଶ ସ୍ଵର୍ଗ

 

ବୁଦ୍ଧ ଏକ ଅନ୍ୟ ଅବସରରେ ତବତିଂଶ ନାମକ ଦେବଲୋକ ଅର୍ଥାତ୍ ସ୍ଵର୍ଗ ପରିଦର୍ଶନ କରିଥିଲେ ଏବଂ ସେଠାରେ ତିନିମାସ ଅବସ୍ଥାନ କଲେ । ବୁଦ୍ଧ ଉପବେଶନ କରିବେ ବୋଲି ଇନ୍ଦ୍ର ତରତର ହୋଇ ତାଙ୍କ ଲାଗି ସିଂହାସନ ପ୍ରସ୍ତୁତ କରି ଦେଇଥିଲେ ସତ, ମାତ୍ର ତାଙ୍କର ଭୟ ହେଉଥିଲା ଯେ, ସିଂହାସନଟି ତାଙ୍କ ମୁତାବକ ଟିକିଏ ଅଧିକ ବଡ଼ ହୋଇଯିବ । ପ୍ରକୃତରେ ସେଇଟି ପ୍ରାୟ ପନ୍ଦର ଯୋଜନ ଉଚ୍ଚ ହୋଇଥିଲା ଏବଂ ବୁଦ୍ଧଙ୍କର ଉଚ୍ଚ ମୋଟେ ବାରହାତ ଥିଲା । ମାତ୍ର, ବୁଦ୍ଧ ତାହା ଉପରେ ବସିବା ପାଇଁ ଉଦ୍ୟତ ହେବାକ୍ଷଣି ତାହା ଠିକ୍ ତାଙ୍କରି ଉଚ୍ଚତା ମୁତାବକ ହୋଇଗଲା । ଅବଶ୍ୟ ଦୈର୍ଘ୍ୟ ଯେତିକି ସେତିକି ରହିଲା, ଏବଂ ତେଣୁ ବୁଦ୍ଧ ଅଲୌକିକ ଶକ୍ତିବଳରେ ନିଜର ପରିଧାନଟିକୁ ଏପରି ବଢ଼ାଇ ଦେଇଥିଲେ ଯେ ତାହା ହଜାର ମାଇଲରୁ ଆହୁରି ଅଧିକ ବିସ୍ତୃତ ହୋଇ ଯାଇଥିଲା, ଯେପରିକି ସିଂହାସନଟି ବିଶେଷ ଭାବରେ ଜଣେ ଧର୍ମପ୍ରବର୍ତ୍ତଙ୍କ ନିମନ୍ତେ ନିର୍ମିତ ହୋଇଥିବା ପରି ବୋଧ ହେଉଥିଲା । ଏହି ଜନ୍ମରେ ବୁଦ୍ଧଙ୍କର ମାତା ହେବାର ଭୂମିକା ଗ୍ରହଣ କରିଥିବା ମାତୃଙ୍କର ନେତୃତ୍ଵରେ ଦେବଗଣ ସେଠାକୁ ଆସି ଅଭିଧମ୍ମର ବ୍ୟାଖ୍ୟା କରିବା ନିମନ୍ତେ ତାଙ୍କୁ ଅନୁରୋଧ ଜଣାଇଥିଲେ । ତା’ପରେ ଅଜସ୍ର ସଂଖ୍ୟାରେ ଦେବ ତଥା ବ୍ରହ୍ମାମାନେ ସେହି ମାର୍ଗରେ ପ୍ରବିଷ୍ଟ ହେଲେ ।

 

ବୁଦ୍ଧଙ୍କର ମର୍ତ୍ତ୍ୟ–ପ୍ରତ୍ୟାବର୍ତ୍ତନର ସମୟ ଆସି ଉପସ୍ଥିତ ହୁଅନ୍ତେ ଇନ୍ଦ୍ର ତିନୋଟି ସିଡ଼ି,–ଦୁଇଟି ସୁନାର ଓ ଗୋଟିଏ ରୂପାର–ପକାଇ ଦୁଇ ଭୁବନକୁ ସଂଯୁକ୍ତ କରି ଦେଇଥିଲେ । ଗୋଟିଏ ସ୍ଵର୍ଣ୍ଣନିର୍ମିତ ରଥରେ ପାହାଚଗୁଡ଼ିକ ଗୋଟିକ ପରେ ଗୋଟିଏ ହୋଇ ସୁବର୍ଣ୍ଣ, ରଜତ, ପ୍ରବାଳ ତଥା ଆହୁରି କେତେ କିସମର ମଣିମାଣିକ୍ୟ ଦେଇ ତିଆରି ହୋଇଥିଲେ । ଇନ୍ଦ୍ର ଆଗେ ଆଗେ ଶଙ୍ଖ ବଜାଇ ବଜାଇ ଯାଉଥିଲେ ଓ ବୁଦ୍ଧ ଅବତରଣ କରୁଥିଲେ । ସୁବର୍ଣ୍ଣଦ୍ଵାରା ତିଆରି ଅନ୍ୟ ସିଡ଼ିଟିରେ ଦେବଗଣ ବାଦ୍ୟଯନ୍ତ୍ର ବଜାଇ ଓହ୍ଲାଇଥିଲେ ଓ ରଜତର ସିଡ଼ିଟି ଦେଇ ବ୍ରହ୍ମାମାନେ ଛତ୍ର ଧାରଣ କରି ଆସୁଥିଲେ । ଏହିପରି ଭାବରେ ବୁଦ୍ଧ ଆପଣାର କୁଟୀରଟିକୁ ଫେରି ଆସିଥିଲେ ।

 

ବୁଦ୍ଧ ସମରଟିଏ ଏଡ଼ି ଦେଇଥିଲେ

 

ସାକ୍ୟ ଓ କୋଲିମାନଙ୍କ ମଧ୍ୟରେ ଲାଗିଯିବାକୁ ଯାଉଥିବା ଏକ ଯୁଦ୍ଧକୁ ମଧ୍ୟ ବୁଦ୍ଧ ବନ୍ଦ କରାଇ ପାରିଥିଲେ । ଏକ ପାର୍ଶ୍ଵରେ କପିଳବାସ୍ତୁ ଓ ଅପର ପାର୍ଶ୍ଵରେ କୋଲି ଦୁଇଟି ନଗର ଓ ମଝିରେ ରୋହିଣୀ ନଦୀ, ସେହି ନଦୀରେ ସେତୁଟିଏ ବନ୍ଧା ହୋଇ ଦୁଇ ରାଜ୍ୟର ନିବାସୀମାନଙ୍କୁ ଶସ୍ୟକ୍ଷେତ୍ରଗୁଡ଼ିକୁ ଜଳସେଚିତ କରିବାରେ ସାହାଯ୍ୟ କରି ଆସୁଥିଲା । ଥରେ ଦାରୁଣ ଅନାବୃଷ୍ଟିଟିଏ ପଡ଼ିଲା ଏବଂ ପ୍ରତ୍ୟେକ ପାର୍ଶ୍ଵର ଗୃହସ୍ଥମାନେ ଅବଶେଷ ହୋଇ ରହିଥିବା ଜଳ ଉପରେ କେବଳ ସେହିମାନଙ୍କର ଅଧିକାର ରହିଛି ବୋଲି ଦାବୀ କରିଥିଲେ । ପ୍ରତିଦ୍ଵନ୍ଦୀ ପକ୍ଷଦ୍ୱୟ ଅତ୍ୟନ୍ତ କୁତ୍ସିତ ଶବ୍ଦ ପ୍ରୟୋଗ କରି ପରସ୍ପରକୁ ଭତ୍ସର୍ନା କରିବାକୁ ଲାଗିଲେ ଏବଂ ବିବାଦଟି ଦୁଇ ଦେଶର ରାଜାଙ୍କର କାନରେ ଆସି ପହଞ୍ଚିବାରୁ,–ଏବଂ ସମ୍ବାଦଟି ଜନରବ ଦ୍ଵାରା କ୍ରମେ ଅତ୍ୟନ୍ତ ଅତିରଞ୍ଜିତ ରୂପ ଧାରଣ ବି କରିଥିଲା,–ଦୁହେଁ ଏକ ଯୁଦ୍ଧଲାଗି ଆହ୍ଵାନ ଦେଲେ ଏବଂ ବ୍ୟାପାରଟି ଏତେ ଅଧିକ ଦୂରକୁ ମଧ୍ୟ ଚାଲି ଯାଇଥିଲା ଯେ, ଦୁଇପକ୍ଷର ସେନାବାହିନୀ ମଧ୍ୟ ପରସ୍ପରର ବିରୁଦ୍ଧରେ ନଦୀର ଉଭୟ ପାର୍ଶ୍ଵରେ ଆସି ଛାଉଣି ପକାଇ ଜଗି ରହିଲେ । ଏହି ସଙ୍କଟର ପରିଣାମକୁ ଦେଖିପାରି ବୁଦ୍ଧ ସମସ୍ତଙ୍କର ଦୃଷ୍ଟି ପଡ଼ିବା ଭଳି ପବନମାର୍ଗରେ ଗତି କରି ସମରସ୍ଥଳରେ ଯାଇ ପହଞ୍ଚି ଯାଇଥିଲେ । ତାଙ୍କୁ ନିଜ ବଂଶର ରତ୍ନ ବୋଲି ଆଦର କରୁଥିବା ସାକ୍ୟମାନେ ପ୍ରଥମେ ନିଜ ହାତରୁ ଅସ୍ତ୍ରଗୁଡ଼ିକୁ ତଳକୁ ପକାଇ ଦେଇଥିଲେ ଏବଂ କୋଲିମାନେ ମଧ୍ୟ ସେମାନଙ୍କର ଅନୁସରଣ କଲେ । ଦୁଇ ପକ୍ଷ କୌଣସି ଜଳଉତ୍ସବ ନିମନ୍ତେ ସେଠାରେ ରୁଣ୍ଡ ହୋଇଛନ୍ତି କି ବୋଲି ବୁଦ୍ଧ ପ୍ରଶ୍ନ କରିବାରୁ ଏବଂ ସେମାନେ ଯୁଦ୍ଧ କରିବା ନିମନ୍ତେ ବାହାରିଛନ୍ତି ବୋଲି ଜାଣିବାରୁ ସେ ଏହି ଯୁଦ୍ଧଟିର କାରଣ ପଚାରିଥିଲେ । କୁମାରମାନେ ଉତ୍ତର ଦେଲେ ଯେ ସେମାନେ କାରଣ ବିଷୟରେ ସ୍ପଷ୍ଟ ଭାବରେ କିଛି ଜାଣିନାହାନ୍ତି; ସେମାନେ ସେନାପତି ମାନଙ୍କୁ ପଚାରିଥିଲେ, ସେନାପତି ସେମାନଙ୍କର ଅଧସ୍ତନ ନାୟକମାନଙ୍କୁ,–ପ୍ରଶ୍ନଟି ଏହିପରି ଭାବରେ ତଳକୁ ତଳକୁ ଗଡ଼ି ଗଡ଼ି ଯାଇଥିଲା,–ଶେଷକୁ ମୂଳ ଗୃହସ୍ଥମାନଙ୍କର ସ୍ତରରେ ଯାଇ ପହଞ୍ଚିଥିଲା । ବୁଦ୍ଧ ଯେତେବେଳେ କାରଣଟିକୁ ଜାଣିଲେ, ସେତେବେଳେ ସମସ୍ତଙ୍କୁ ଜଳର ମୂଲ୍ୟ କେତେ ବୋଲି ପଚାରିଥିଲେ; ଏବଂ, ଜଳର ମୂଲ୍ୟ ଅତ୍ୟନ୍ତ ଅଳ୍ପ ବୋଲି ଉତ୍ତର ମିଳିବାରୁ ମନୁଷ୍ୟମାନଙ୍କର ମୂଲ୍ୟ କେତେ ବୋଲି ପୁନର୍ବାର ପ୍ରଶ୍ନ କରିଥିଲେ । ସମସ୍ତେ ମନୁଷ୍ୟମାନଙ୍କର ମୂଲ୍ୟ ବହୁତ ବେଶୀ ବୋଲି ଉତ୍ତର ଦେଲେ । ତହୁଁ ବୁଦ୍ଧ ପଚାରିଥିଲେ, “ତେବେ, ଯାହାର ମୂଲ୍ୟ ବହୁତ ବେଶୀ, ତୁମେମାନେ କାହିଁକି ତାହାକୁ ବହୁତ କମ୍ ମୂଲ୍ୟ ରହିଥିବା ଗୋଟିଏ ଦ୍ରବ୍ୟ ପାଇଁ ଫୋପାଡ଼ି ଦେବାକୁ ଇଚ୍ଛା କରୁଛ ? ଏହି ପୂର୍ଣ୍ଣ ପ୍ରତ୍ୟୟ ଆଣି ଦେଉଥିବା ପ୍ରଶ୍ନଟିରେ ସବୁ ସମସ୍ୟାର ସମାଧାନ ହୋଇ ଯାଇଥିଲା ।

 

ସେତେବେଳେ ଏହି କଥାଟିର ମଧ୍ୟ ନିଷ୍ପତ୍ତି ହୋଇଗଲା ଯେ ତା’ପରେ ପ୍ରତ୍ୟେକ ପକ୍ଷର ଦୁଇଶହ ପଚାଶଜଣ ଲେଖାଏଁ ରାଜକୁମାର ବୃଦ୍ଧଙ୍କର ଶିଷ୍ୟତ୍ଵ ଗ୍ରହଣ କରିବେ । ସେମାନେ ତାହା କଲେ ସତ, କିନ୍ତୁ ଅନିଚ୍ଛା ସତ୍ତ୍ୱେ କରିଥିଲେ, ନିଜ ଇଚ୍ଛାରେ ଆଦୌ କରିନଥିଲେ । ସେମାନଙ୍କର ପତ୍ନୀଗଣ ମଧ୍ୟ ସେହି ସମ୍ବାଦଟିକୁ ଶୁଣି ତୀବ୍ର ଭାବରେ ଅଭିଯୋଗମାନ କରିଥିଲେ । ଅବଶ୍ୟ ବୁଦ୍ଧ ସେମାନଙ୍କୁ ଅଧିକ ଭଲ ଭାବରେ ବିଚାର କରି ତା’ପରେ ଯାଇ କିଛି କରିବାଲାଗି ପ୍ରବର୍ତ୍ତାଇ ପାରିଥିଲେ ଓ କୁମାରମାନେ ଅଚିରେ ନିର୍ବାଣର ଏହି ମାର୍ଗରେ ପ୍ରବେଶ କରି ଅର୍ହତ୍ ଦେଲେ । ଗୃହକୁ ପ୍ରତ୍ୟାବର୍ତ୍ତନ କରିବା ନିମନ୍ତେ ସେମାନଙ୍କର ପତ୍ନୀମାନେ ପୁନର୍ବାର ବାର୍ତ୍ତା ପଠାଇଥିଲେ ମଧ୍ୟ ସେମାନେ ତଥାପି ସେହି ବିଷୟରେ ଉଦାସୀନ ରହିଲେ ।

 

ନାରୀମାନଙ୍କୁ ଅନୁମତି

 

ଏହି ବ୍ୟାପାରଟିରୁ ନାରୀମାନଙ୍କୁ ସଂଘକୁ ଆସିବାର ଅନୁମତି ଦିଆଯିବ କି ନାହିଁ, ସେହି କଥାଟିର ମଧ୍ୟ ମୀମାଂସା କରିବାକୁ ହୋଇଥିଲା,–ପାଞ୍ଚସହ ରାଜକୁମାରଙ୍କର ପତ୍ନୀମାନେ, ମାୟାଦେବୀଙ୍କ ସପତ୍ନୀ ପ୍ରଜାପତି ନାମକ ବୁଦ୍ଧଙ୍କର ମାତା,–ଅଳ୍ପ ଦିନ ପୂର୍ବରୁ ପରଲୋକ ଗମନ କରିଥିବା ଶୁଦ୍ଧୋଦନଙ୍କର ବିଧବା ପତ୍ନୀ । ସିଏ ମଧ୍ୟ ଭିକ୍ଷୁଣୀ ହୋଇ ଆସିବାଲାଗି ଅନୁମତି ଚାହିଥିଲେ । ବୁଦ୍ଧ ତିନିଥର ନାହିଁ ବୋଲି କହିଥିଲେ ଏବଂ ତା’ପରେ ରାଣୀ ଆଉ ଚତୁର୍ଥ ଥର ନିମନ୍ତେ ପଚାରିବାକୁ ଇଚ୍ଛା କଲେନାହିଁ । କିନ୍ତୁ, ଫେରି ଆସିବା ପରେ ଏହି ନାରୀମାନେ ଅଧିକ କ୍ରିୟାଶୀଳ ହେବାଲାଗି ସଂକଳ୍ପ ନେଲେ; ସେମାନେ ମୁଣ୍ଡନ କରାଇଲେ, ସାଧାରଣ ଓ ନିକୃଷ୍ଟ ବସନ ପରିଧାନ କରିଥିଲେ ଏବଂ ବୁଦ୍ଧଙ୍କ ଅବସ୍ଥାନ ସ୍ଥାନଟିକୁ ଚାଲି ଚାଲି ଚାଲିଗଲେ । ସେମାନେ ତ ଆଗରୁ ଚିକ୍କଣ ମର୍ମରପଥର ଉପରେ ଚାଲିବାରେ ଅଭ୍ୟସ୍ତ ଥିଲେ, ସୂର୍ଯ୍ୟଙ୍କର ଉତ୍ତାପରୁ ସୁରକ୍ଷିତ ହୋଇ ରହିଥିଲେ ଏବଂ ସେମାନଙ୍କର ଦେହରେ କେବେହେଲେ ଖର ପବନର ଆଘାତ ବାଜି ନଥିଲା । ତେଣୁ, ଏପରି ଚାଲି ଚାଲି ଯିବାଦ୍ଵାରା ସେମାନେ ଅଚିରେ ଅତ୍ୟନ୍ତ କ୍ଳାନ୍ତ ହୋଇ ପଡ଼ିଥିଲେ ଏବଂ କୁଟୀରରେ ଯାଇ ପହଞ୍ଚିବା ବେଳକୁ ସେମାନଙ୍କର ଅବସ୍ଥା ବଡ଼ ଶୋଚନୀୟ ହୋଇ ପଡ଼ିଥିଲା । ପ୍ରଜାପତି ପୁନର୍ବାର ଅନୁମତି ପ୍ରାର୍ଥନା କଲେ । ଆନନ୍ଦ ମଧ୍ୟ ସେମାନଙ୍କ ପକ୍ଷରୁ ବହୁତ କଥା କହିଲେ, ସେମାନେ ସହିଥିବା କଷ୍ଟଗୁଡ଼ିକର ବର୍ଣ୍ଣନା କରିଥିଲେ । ବୁଦ୍ଧ ତଥାପି ସମ୍ମତି ଦେଇନଥିଲେ । ଜଣେ ନାରୀ ଅନୁମତି ଲାଭ କଲେ ଏହି ପଥରେ ପ୍ରବେଶ କରି ନିର୍ବାଣ ଲାଭ କରି ପାରିବ କି ନାହଁ ବୋଲି ଆନନ୍ଦ ପ୍ରଶ୍ନ କରିଥିଲେ । କେବଳ ମନୁଷ୍ୟମାନଙ୍କର ଉପକାର କରିବା ନିମନ୍ତେ ହିଁ ପୃଥିବୀରେ ବୁଦ୍ଧମାନଙ୍କର କ’ଣ ଜନ୍ମ ହୁଏ ବୋଲି ବୁଦ୍ଧ ପ୍ରତିପ୍ରଶ୍ନଟିଏ କରି ହିଁ ତାହାର ଉତ୍ତର ଦେଇଥିଲେ । “ଏହି ପଥଟି ପୁରୁଷମାନଙ୍କ ପରି ନାରୀମାନଙ୍କ ନିମନ୍ତେ ମଧ୍ୟ ଅବଶ୍ୟ ଉନ୍ମୁକ୍ତ ରହିଛି”,–ସେ କହିଲେ । ଆନନ୍ଦ ପୁନର୍ବାର ତାଙ୍କର ସ୍ମରଣ କରାଇ ଦେଇଥିଲେ ଯେ, ପୂର୍ବରୁ ଆଉ ଏକ ଅବସରରେ ପରେ ସମୟ ଆସିଲେ ନାରୀମାନେ ମଧ୍ୟ ପ୍ରବେଶ କରି ପାରିବେ ବୋଲି ବୁଦ୍ଧ ଘୋଷଣା କରିଥିଲେ । ଏଥିରୁ ବୁଦ୍ଧ ଜାଣିଲେ ଯେ ଭିକ୍ଷୁଣୀ-ସଂଘ ସ୍ଥାପନ କରିବାର ଉଚିତ ସମୟ ବର୍ତ୍ତମାନ ଆସି ଯାଇଛି । ଯେଉଁମାନେ ଏପର୍ଯ୍ୟନ୍ତ ତାଙ୍କର ପଥକୁ ଗ୍ରହଣ କରି ନଥିଲେ, ସେମାନେ ସଂଘ ବିଷୟରେ କରୁଥିବା କୁତ୍ସାରଟଣା ଓ ସଂଶୟମାନ ଆହୁରି ଅଧିକ ହେବ ବୋଲି ଜାଣିଥିବାରୁ ବୁଦ୍ଧ ଏହି କୁଣ୍ଠା ପ୍ରକାଶ କରୁଥିଲେ ।

 

ଦେବଦତ୍ତଙ୍କର ଷଡ଼ଯନ୍ତ୍ର

 

ବୁଦ୍ଧଙ୍କର ଏହି ଧର୍ମଦିକ୍ଷାଦାନ ଯେ ସମ୍ପୂର୍ଣ୍ଣ ଭାବରେ ନିର୍ବିରୋଧ ଥିଲା, ସେକଥା ଆଦୌ ନୁହେଁ । କେବଳ ଦର୍ଶନବିତ୍ ବ୍ରାହ୍ମଣମାନେ ଯେ ମତଭେଦ ହେତୁ ତାଙ୍କର ବିରୋଧ କରୁଥିଲେ ତା’ ନୁହେଁ, ମାତ୍ର ତାଙ୍କର ସମ୍ପର୍କୀୟ ଭ୍ରାତା ଦେବଦତ୍ତ ମଧ୍ୟ ତାଙ୍କୁ ସମର୍ଥନ କରୁନଥିଲେ । ଅନେକସଂଖ୍ୟକ ପୂର୍ବ ଜନ୍ମରେ ମଧ୍ୟ ସେ ବୁଦ୍ଧଙ୍କର ଜଣେ ପ୍ରଚଣ୍ଡ ଶତ୍ରୁ ଥିଲେ ଏବଂ ଆପଣାର ମନ୍ଦ ସ୍ଵଭାବ ସକାଶେ ଏହିସବୁ ଶକ୍ତି ନିର୍ବାଣ ଆଡ଼କୁ ଅଗ୍ରସର ହେବାରେ ତାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ତାଙ୍କୁ ପ୍ରକୃତରେ ସମ୍ପୂର୍ଣ୍ଣ ବିନାଶ ମଧ୍ୟରେ ହିଁ ଛନ୍ଦିକରି ରଖିଥିଲା । ସିଏ ମଧ୍ୟ ଆଉଜଣେ ରାଜାଙ୍କର ଦରବାରରେ ନିଜକୁ ପ୍ରତିଷ୍ଠିତ କରି ରଖିଥିଲେ, ସେଠାରେ ନିଜର ପାଞ୍ଚଶହ ଭିକ୍ଷୁ ତାଙ୍କ ସହିତ ରହୁଥିଲେ ଏବଂ ସେହି ସ୍ଥାନର ରାଜକୁମାରଙ୍କର ସମର୍ଥନ ଲାଭ କରି ସେ ବହୁତ ପ୍ରଭାବଶାଳୀ ହୋଇ ପାରିଥିଲେ । ତାଙ୍କର କୁପରାମର୍ଶରେ ପଡ଼ି ସେହି ରାଜକୁମାର ହିଂସାଚରଣ କରି ନିଜ ପିତାଙ୍କର ହତ୍ୟା କରିବାଲାଗି ଉଦ୍ୟମ କରିଥିଲେ ଏବଂ ସ୍ଵୟଂ ରାଜ୍ୟର ରାଜା ହେବେ ବୋଲି ପରେ ତାଙ୍କୁ ଉପବାସରେ ରଖି ମାରି ଦେଇଥିଲେ । ଗାଦୀରେ ବସିବାର ଅବ୍ୟବହିତ ପରେ ଦେବଦତ୍ତ ବୁଦ୍ଧଙ୍କର ହତ୍ୟା ସକାଶେ ତାଙ୍କୁ ପାଞ୍ଚଶହ ତୀରଧାରୀ ଯୋଗାଇ ଦେବାକୁ କହିଥିଲେ । ଏଥିରୁ ସେ ନିଜେ ଏକତ୍ରିଂଶ ଜଣକୁ ବାଛିଲେ ଏବଂ ପ୍ରଥମ ଜଣକୁ ବୁଦ୍ଧଙ୍କୁ ହତ୍ୟା କରିବା ପାଇଁ ଆଦେଶ ଦେଲେ, ପରବର୍ତ୍ତୀ ଆଉ ଦୁଇଜଣଙ୍କୁ ପ୍ରଥମ ଜଣଙ୍କୁ ଓ ପୁନର୍ବାର ପରବର୍ତ୍ତୀ ଚାରିଜଣଙ୍କୁ ଏହି ଦୁଇଜଣଙ୍କୁ ଏବଂ ଅବଶେଷରେ ବାକି ଷୋହଳ ଜଣଙ୍କୁ ନିଜେ ହତ୍ୟା କରିବାଲାଗି ମନସ୍ଥ କରିଥିଲେ; ତାଙ୍କର ଉଦ୍ଦେଶ୍ୟ ଥିଲା ଯେ ଏହାଦ୍ଵାରା ଘଟଣାଟିକୁ ଗୁପ୍ତ କରି ରଖାଯାଇ ପାରିବ । ସେମାନଙ୍କର ଅଭିସନ୍ଧିଗୁଡ଼ିକୁ ଉତ୍ତମରୂପେ ଜାଣିଥିଲେ ହେଁ ଅବଶ୍ୟ ବୁଦ୍ଧ ପ୍ରଥମ ତଥା ଅନ୍ୟ ତୀରଧାରୀମାନଙ୍କୁ ଅତ୍ୟନ୍ତ ସହୃଦୟତା ସହିତ ସ୍ଵାଗତ କରି ଆଣିଥିଲେ ଏବଂ ସେମାନଙ୍କୁ ଧର୍ମସନ୍ଦେଶ ପ୍ରଦାନ କରିଥିଲେ । ଏମାନେ ସମସ୍ତେ ନିର୍ବାଣମାର୍ଗରେ ପ୍ରବେଶ କରି ଜଣେ ଜଣେ ଉପାସକ ହୋଇ ଯାଇଥିଲେ । ଆଉଥରେ ବୁଦ୍ଧ ଗୋଟିଏ ଉଚ୍ଚ ଗିରିଶୃଙ୍ଗର ପାଦଦେଶରେ ଚାଲି ଚାଲି ଯାଉଥିବା ସମୟରେ ଦେବଦତ୍ତ ଗୋଟିଏ ବୃହତ୍ ପଥରମୁଣ୍ଡାକୁ ତାଙ୍କୁ ଉଦ୍ଦେଶ୍ୟ କରି ତଳକୁ ଗଡ଼ାଇ ଦେଇଥିଲେ; କିନ୍ତୁ ସେଇଟି ଦୁଇଖଣ୍ଡ ହୋଇ ଭାଙ୍ଗି ଯାଇଥିଲା ଏବଂ ବୁଦ୍ଧଙ୍କର ଗୋଟିଏ ପାଦକୁ କେବଳ ସାମାନ୍ୟ ଭାବରେ ଆଘାତ କରି ପାରିଥିଲା ।

 

ଏଥର ଦେବଦତ୍ତ ଅଧିକ ଜଟିଳ ଷଡ଼ଯନ୍ତ୍ରଟିଏ କଲେ । ମଳୟଗିରି ନାମରେ ଗୋଟିଏ ଭୟଙ୍କର ହସ୍ତୀ ଥିଲା, ଯିଏକି ପ୍ରତ୍ୟହ ଆଠ କୁଣ୍ଡ ସୂରା ପାନ କରୁଥିଲା । ଦେବଦତ୍ତ ଆଦେଶ ଦେଇଥିଲେ ଯେ, ଗୋଟିଏ ନିର୍ଦ୍ଦିଷ୍ଟ ଦିନରେ ତାକୁ ଷୋଳ କୁଣ୍ଡ ସୂରା ପିଇବାକୁ ଦିଆଯିବ । ରାଜଦରବାରରୁ ଏପରି ଘୋଷଣାଟିଏ କରା ଯାଇଥିଲା ଯେ, ସେହି ସମୟରେ କୌଣସି ବ୍ୟକ୍ତି ପଥ ଉପରକୁ ବାହାରିବେ ନାହିଁ । ତେଣୁ ଆଶା କରା ଯାଉଥିଲା ଯେ, ବୁଦ୍ଧ ଭିକ୍ଷାସଂଗ୍ରହ ସକାଶେ ବାହାରିବା ମାତ୍ରକେ ହସ୍ତୀଟି ତାଙ୍କୁ ପ୍ରାଣରେ ମାରିଦେଇ ପାରିବ । ଯଥା ସମୟରେ ବୁଦ୍ଧ ମଧ୍ୟ ସେହି ସମ୍ବାଦଟିକୁ ପାଇଥିଲେ, ମାତ୍ର ସିଏ ନିଜର ଦୈନନ୍ଦିନ ଚର୍ଯ୍ୟାକୁ ବଦଳାଇବା ନିମନ୍ତେ ଇଚ୍ଛୁକ ନଥିଲେ । ତହିଁ ଆରଦିନ ଗୃହର ଛାତଗୁଡ଼ିକ ଉପରେ ବୁଦ୍ଧଙ୍କର ବନ୍ଧୁ ଓ ଶତ୍ରୁ ବହୁସଂଖ୍ୟାରେ ଉପସ୍ଥିତ ରହିଥିଲେ,–ବନ୍ଧୁମାନେ ବୁଦ୍ଧଙ୍କର ବିଜୟ ଦେଖିବାକୁ ଏବଂ ଶତ୍ରୁମାନେ ତାଙ୍କର ମୃତ୍ୟୁର ପ୍ରତ୍ୟାଶା ରଖି ସେଠାକୁ ଯାଇଥିଲେ । ବୁଦ୍ଧ ଆସିଯିବା ଉତ୍ତାରୁ ହାତୀଟିକୁ ଫିଟାଇ ଛାଡ଼ି ଦିଆଗଲା ଏବଂ ସଙ୍ଗେ ସଙ୍ଗେ ପାର୍ଶ୍ଵସ୍ଥ ଗୃହଗୁଡ଼ିକୁ ଭାଙ୍ଗି ପକାଇଥିଲା ଓ ଅନ୍ୟ ବହୁପ୍ରକାରେ ଆପଣାର କୁବୃତ୍ତିଗୁଡ଼ିକର ପ୍ରଦର୍ଶନ କଲା । ଭିକ୍ଷୁମାନେ ବୁଦ୍ଧଙ୍କୁ ରାସ୍ତାଉପରୁ ଚାଲିଯିବା ପାଇଁ ସତର୍କ କରି ଦେଉଥିଲେ,–ଛାର ହାତୀଟା ମଧ୍ୟ ବୁଦ୍ଧଙ୍କର ପ୍ରତିଭାଗୁଡ଼ିକ ବିଷୟରେ କ’ଣ ଜାଣିଥିବ ବୋଲି ସେମାନେ ଶଙ୍କା କରୁଥିଲେ । ଅନେକ ଭିକ୍ଷୁ ବୁଦ୍ଧଙ୍କୁ ରକ୍ଷା ଯୋଗାଇ ଦେବାକୁ ତାଙ୍କ ଆଗରେ ଯାଇ ଠିଆ ହେବାଲାଗି ମଧ୍ୟ ଅନୁମତି ପ୍ରାର୍ଥନା କଲେ; ମାତ୍ର ତାଙ୍କ ନିଜର ଶକ୍ତି ଗୋଟିଏ ପ୍ରକାରର ଏବଂ ଶିଷ୍ୟମାନଙ୍କର ଶକ୍ତି ଅନ୍ୟ ପ୍ରକାରର ବୋଲି ବୁଦ୍ଧ ଉତ୍ତର ଦେଇ ସେମାନଙ୍କୁ କହିଥିଲେ । ତଥାପି, ଯେତେବେଳେ ଶିଷ୍ୟ ଆନନ୍ଦ ସ୍ଵୟଂ ବୁଦ୍ଧଙ୍କ ଆଗେ ଆଗେ ଯିବାକୁ ଅଗ୍ରସର ହୋଇଗଲେ, ସେତେବେଳେ ସେ ନିଜର ଇଚ୍ଛାଶକ୍ତିକୁ ପ୍ରୟୋଗ କରି ଆନନ୍ଦଙ୍କୁ ପଛରେ ହିଁ ରହିବାକୁ ବାଧ୍ୟ କରିନେଲେ । ହଠାତ୍ ସାନ ଶିଶୁଟିଏ କୌଣସି ଗୃହରୁ ବାହାରକୁ ଦଉଡ଼ି ଆସିଥିଲା ଏବଂ ହାତୀଟି ତତ୍‍କ୍ଷଣାତ୍ ମାଡ଼ିଯାଇ ତାହାକୁ ମାରିଦେବାକୁ ଯାଉଥିଲା; କିନ୍ତୁ ବୁଦ୍ଧ ସେତେବେଳେ ବଡ଼ ପାଟି କରି ହାତୀଟିକୁ ଲକ୍ଷ୍ୟ କରି କହିଥିଲେ, “କେବଳ ମୋ’ ବ୍ୟତୀତ ଅନ୍ୟ କାହାକୁ ଆକ୍ରମଣ କରିବାକୁ ତ ତୋତେ କୁହା ହୋଇନାହିଁ, ତେଣୁ ଆଉ କାହାରି ଉପରେ ତୁ ଆଉ ନିଜର ଶକ୍ତିକୁ ନଷ୍ଟ କରି ପାରିବୁ ନାହିଁ ।” କିନ୍ତୁ, ବୁଦ୍ଧଙ୍କ ଆଡ଼କୁ ଅନାଇ ଚାହିଁଦେବା ମାତ୍ରକେ ହାତୀର କୋପ ଆଉ ଆଦୌ ରହିଲା ନାହିଁ, ସିଏ ଅତ୍ୟନ୍ତ ଧୀର ଓ ଶାନ୍ତ ପଦକ୍ଷେପର ଆସି ବୁଦ୍ଧଙ୍କର ସମ୍ମୁଖରେ ନତଜାନୁ ହୋଇ ରହିଥିଲା । ଆଉ କେବେହେଲେ କାହାକୁ ଆଘାତ ନକରିବା ଲାଗି ଏବଂ ସମସ୍ତଙ୍କ ପ୍ରତି ସଦୟ ରହିବାଲାଗି ବୁଦ୍ଧ ସେହି ହସ୍ତୀକୁ ପରାମର୍ଶ ପ୍ରଦାନ କଲେ ଏବଂ ସକଳ ଜନଙ୍କର ଉପସ୍ଥିତିରେ ହସ୍ତୀଟି ମଧ୍ୟ ପାଞ୍ଚୋଟି ଯାକ ଧର୍ମନିର୍ଦ୍ଦେଶର ପୁନରାବୃତ୍ତି କରିଥିଲା । ବସ୍ତୁତଃ, ଗୋଟିଏ ଚତୁଷ୍ପଦ ପ୍ରାଣୀ ହୋଇନଥିଲେ ସିଏ ମଧ୍ୟ ନିର୍ବାଣର ମାର୍ଗରେ ଅବଶ୍ୟ ପ୍ରବେଶ କରିଥାଆନ୍ତି । ଏହି ବିସ୍ମୟପୂର୍ଣ୍ଣ ଘଟଣାଟିର ପ୍ରତ୍ୟକ୍ଷ କରୁଥିବା ଲୋକମାନେ କରତାଳି ଦେଇ ପାଟି କରି ଉଠିବାରୁ ତାହା ସମୁଦ୍ର ତଥା ବଜ୍ରର ଗର୍ଜନ ସଦୃଶ ଶୁଣାଯିବାକୁ ଆରମ୍ଭ କଲା । ସେମାନେ ହସ୍ତୀଟିକୁ ମଣିମଣ୍ଡିତ କରି ଦେଇଥିଲେ । ଏବଂ ସେହି ଅବସରରେ ଚଉରାଅଶୀ ହଜାର ବ୍ୟକ୍ତି ଏହି ମାର୍ଗରେ ପ୍ରବେଶ କଲେ । ଏହି ଘଟଣାର ଅଳ୍ପଦିନ ପରେ ସେହି ରାଜକୁମାର ଅଜାତଶତ୍ରୁ ମଧ୍ୟ ଏହି ଧର୍ମରେ ଦୀକ୍ଷିତ ହେଲେ ତଥା ବୁଦ୍ଧଗୋଷ୍ଠୀର ଜଣେ ସମର୍ଥକ ହୋଇ ରହିଲେ । ଏହି ଘଟଣାପରେ ଅଜାତଶତ୍ରୁ ସେଠାରୁ ନିଷ୍କ୍ରାନ୍ତ ହୋଇ ଚାଲିଯିବା ପରେ ବୁଦ୍ଧ ମନ୍ତବ୍ୟଟିଏ ବ୍ୟକ୍ତ କରି କହିଥିଲେ: “ଏହି ରାଜା ନିଜର ପିତାଙ୍କୁ ହତ୍ୟା କରିନଥିଲେ ଇହାଦେ ସେ ପ୍ରଥମ ପଥଟିରେ ପ୍ରବେଶ କରି ସାରନ୍ତେଣି ।–ସିଏ ତ ପ୍ରକୃତରେ ଏକ ସମ୍ପୂର୍ଣ୍ଣ ଯୁଗ ନିମନ୍ତେ ନିମ୍ନତମ ନରକ ଭିତରେ ଯାଇ ରହିଥାନ୍ତେ, ମାତ୍ର ଆଜିର ଘଟଣା ପରେ ତାଙ୍କୁ ଆଉ ସେଠାକୁ ଯିବାକୁ ପଡ଼ିବନାହିଁ । ଅନ୍ୟ ନରକ ମାନଙ୍କରେ ସେ ଷାଠିଏ ହଜାର ବର୍ଷ ରହିବେ ଏବଂ ତା’ପରେ ଦେବତାମାନଙ୍କ ସହିତ ଦୀର୍ଘ ବହୁଯୁଗ ଅବସ୍ଥାନ କରି ସେ ପୃଥିବୀରେ ପୁଣି ଜନ୍ମ ହେବେ ଓ ଜଣେ ପ୍ରତ୍ୟେକବୁଦ୍ଧ ହୋଇପାରିବେ ।”

 

ଦେବଦତ୍ତଙ୍କର ଏହାପରେ ଘୋର ମାନହାନି ହେଲା, ତଥାପି ସେ ସେହି ପୂର୍ବପରି ବୁଦ୍ଧଙ୍କୁ ଭାରି ଘୃଣା କରୁଥିଲେ । ସିଏ ଅବଶ୍ୟ ଆଉ ଗୋଟିଏ ଯୂଥ ଶିଷ୍ୟ ସଂଗ୍ରହ କରି ଆଣିଥିଲେ,–ସେମାନେ ସଂଖ୍ୟାରେ ପାଞ୍ଚଶହ ଥିଲେ । କିନ୍ତୁ ବୁଦ୍ଧ ନିଜର ଦୁଇଜଣ ବିଜ୍ଞତମ ଆନୁଗାମୀଙ୍କୁ ଦେବଦତ୍ତଙ୍କର ଏହି ଶିଷ୍ୟମାନଙ୍କୁ ଧର୍ମୋପଦେଶ ଦେବା ନିମନ୍ତେ ପ୍ରେରଣ କରିଥିଲେ ଏବଂ ଦେବଦତ୍ତ ପୀଡ଼ିତ ହେଲେ ଏବଂ ନଅମାସ ବିଛଣାରେ ପଡ଼ିଲେ ଏବଂ ତା’ପରେ ଯାଇ ବୁଦ୍ଧଙ୍କ ନିକଟକୁ ଗମନ କରି କ୍ଷମାପ୍ରାଥର୍ନା କରିବାକୁ ମନସ୍ଥ କଲେ । ବୁଦ୍ଧ ଦେବଦତ୍ତଙ୍କ ପ୍ରତି ଆଦୌ କୌଣସି ଅସଦ୍ଭାବ ଅନୁଭବ କରୁନଥିଲେ; ମାତ୍ର ନିଜର ଭିକ୍ଷୁମାନଙ୍କୁ କହିଥିଲେ: “ଦେବଦତ୍ତ ବୁଦ୍ଧଙ୍କର ଦର୍ଶନଲାଭ କରିବେନାହିଁ; ସେ ଏଭଳି ଘୋରତର ଅପରାଧମାନ କରିଛନ୍ତି ଯେ ହଜାର ଜଣ ବୁଦ୍ଧ ମଧ୍ୟ ତାଙ୍କୁ ରକ୍ଷା କରି ପାରିବେନାହିଁ ।” ତହୁଁ ଦେବଦତ୍ତ ନିଜର ପାଲିଙ୍କି ସାହାଯ୍ୟରେ ବୁଦ୍ଧଙ୍କର ଅବସ୍ଥାନ-ସ୍ଥାନଟିର ଅଧିକ ନିକଟବର୍ତ୍ତୀ ହୋଇ ଆସିଥିଲେ, ମାତ୍ର ଫାଟକ ପାଖରେ ଭୂମିରେ ପାଦ ଦେବା ମାତ୍ରକେ, ନିମ୍ନତମ ନର୍କରୁ ଅଗ୍ନିଶିଖାମାନ ନିର୍ଗତ ହୋଇ ଆସିଥିଲା ଏବଂ ତାଙ୍କର ଶରୀରଟିକୁ ଅଧିକାର କରିନେଲା; ପ୍ରଥମେ ତାଙ୍କର ପାଦଗୁଡ଼ିକୁ, ତା’ପରେ କଟିଦେଶକୁ ଓ ତା’ପରେ ଦୁଇ କାନ୍ଧକୁ । ସେ ସାହାଯ୍ୟ ଲାଗି ବୁଦ୍ଧଙ୍କ ଉଦ୍ଦେଶ୍ୟରେ ଆକୁଳ ଭାବରେ ରୋଦନ କରିବାକୁ ଲାଗିଲେ ଏବଂ ଗୋଟିଏ ସ୍ତବର ପଦଟିଏ ବାର ବାର ଉଚ୍ଚାରଣ କରି ସେ ବୁଦ୍ଧ, ଧର୍ମ ତଥା ସଂଘର ଶରଣ ଯାଇଥିଲେ । ଏହା ପରବର୍ତ୍ତୀ କାଳରେ ତାଙ୍କୁ ଅବଶ୍ୟ ସାହାଯ୍ୟ କରିବା ସୁନିଶ୍ଚିତ ଥିଲା । ତଥାପି ତାଙ୍କୁ ନର୍କଗମନ କରିବାକୁ ହେଲା ଏବଂ ଷୋଳଶହ ମାଇଲ୍ ଉଚ୍ଚତାର ଏକ ଅଗ୍ନିଦ୍ଵାରା ପ୍ରଜ୍ଜ୍ୱଳିତ ଗୋଟିଏ ଶରୀର ଧାରଣ କରି ରହିବାକୁ ପଡ଼ିଥିଲା ।

 

ମହା-ପରିନିର୍ବାଣ

 

ଧର୍ମଚକ୍ର-ପ୍ରବର୍ତ୍ତନର ୪୫ତମବର୍ଷ ଚାଲିଥିବା ବେଳେ ବୁଦ୍ଧ ଅତ୍ୟନ୍ତ ପୀଡ଼ିତ ହୋଇ ପଡ଼ିଥିଲେ ଓ ଆଉ ବେଶୀଦିନ ଜୀବିତ ରହିବେନାହିଁ ବୋଲି ଘୋଷଣା କଲେ । ପାୱାନଗରରେ ଅବସ୍ଥାନ କରୁଥିବା ସମୟରେ ଚୁନ୍ଦନାମକ ଜଣେ ଗୃହସ୍ଥ ତାଙ୍କୁ ଭୋଜନ ଲାଗି ନିମନ୍ତ୍ରଣ କରିଥିଲା-। ତାଙ୍କପାଇଁ ସେ ଶୂକରମାଂସ ପ୍ରସ୍ତୁତ କରିଥିଲା ଓ ତାହାକୁ ଆହାର କରି ବୁଦ୍ଧ ପୀଡ଼ିତ ହେଲେ ତଥା ପରଲୋକ ଗମନ କଲେ । ସେ ଅତ୍ୟନ୍ତ ଦୁର୍ବଳ ହୋଇ ପଡ଼ିଲେ ଏବଂ, କୁଶୀନଗରକୁ ଯାତ୍ରା କଲେ ମଧ୍ୟ ତାଙ୍କୁ ବାଟରେ ବହୁଥର ସକାଶେ ବିଶ୍ରାମନେବାକୁ ହୋଇଥିଲା । ସେ ଏହି ସକଳ କଷ୍ଟକୁ ସହ୍ୟ କରିଥିଲେ, ଯେପରିକି ସମସ୍ତେ ଅବଶ୍ୟ ମନେରଖିବେ ଯେ, କେହି ଜଣେ ମନୁଷ୍ୟ ମଧ୍ୟ ବାର୍ଦ୍ଧକ୍ୟ ଅବସ୍ଥା, ରୋଗଭୋଗ ତଥା ମୃତ୍ୟୁରୁ କଦାପି ରକ୍ଷା ପାଇବନାହିଁ । ଶେଷରେ ସେ ଯାଇ ନଗରଟିରେ ପହଞ୍ଚିଲେ ଓ ଶିଷ୍ୟ ଆନନ୍ଦଙ୍କୁ ଏହିପରି କହିଥିଲେ: “ତୁମେ ଯାଇ ଚୁନ୍ଦକୁ କହିବ ଯେ ସିଏ ଦେଇଥିବା ଆହାର ମୋ’ ଲାଗି ଏକ ବୃହତ୍ ସୌଭାଗ୍ୟକୁ ବହନ କରି ଆଣିବ କାରଣ ମୋ’ର ନିର୍ବାଣ ଲାଭ କରିବାରେ ତାହାହିଁ ତାତ୍କାଳିକ କାରଣ ହୋଇ ରହିବ । ବସ୍ତୁତଃ ଦୁଇଟି ଭୋଜନ ହିଁ ମୋ’ ଜୀବନରେ ଗୋଟିଏ ଗୋଟିଏ ବୃହତ୍ ସୌଭାଗ୍ୟର କାରଣ ହୋଇ ପାରିଲେ: ବୋଧିପ୍ରାପ୍ତ ହେବା ପୂର୍ବରୁ ସୁଜାତା ମୋତେ ଯେଉଁ ଆହାର ଆଣି ଦେଇଥିଲା ଏବଂ ବର୍ତ୍ତମାନ ଆରଟିକୁ ଚୁନ୍ଦ ଆଣିଦେଲା । ଏହି ଦୁଇଟିଯାକ ମୋ’ ଲାଗି ସର୍ବପ୍ରଧାନ ଦାନ ହୋଇ ହିଁ ରହିବ-।” ଚୁନ୍ଦ କାଳେ ନିଜ ମନରେ କୌଣସି ଦୁଃଖ ଅନୁଭବ କରିବ ଅଥବା ଅନ୍ୟମାନେ ଏଥିପାଇଁ ଯଦି ତାକୁ ଭର୍ତ୍ସନା କରିବେ, ସେଥିପାଇଁ ବୁଦ୍ଧ ଏହି କଥାଟିକୁ କହିଥିଲେ । ମାତ୍ର, ସେ ଏକ କଠୋର ନିର୍ଦ୍ଦେଶ ପ୍ରଦାନ କରିଥିଲେ ଯେ ତାଙ୍କୁ ପ୍ରଦତ୍ତ ଆହାରରୁ ବଳିଥିବା ଅଂଶଟିକୁ ପୋତି ଦିଆଯିବ-। କୁଶୀନଗରର ଉପକଣ୍ଠରେ ବୁଦ୍ଧ ଗୋଟିଏ ଶାଳଗଛ ମାନଙ୍କର ତୋଟାରେ ଖଟିଆ ଉପରେ ଶୋଇ ରହିଥାନ୍ତି; କାରଣ, ଯଦି ତାଙ୍କର ପରଲୋକ ହୋଇଯାଏ, ତେବେ ତାଙ୍କୁ ଆଉଥରେ ଦେଖି ନପାରିବାରୁ ସେମାନେ ଅତିଶୟ ଦୁଃଖ କରିବେ ବୋଲି ତାଙ୍କୁ ଜଣାଥିଲା । ତେଣୁ, ଏହିପରି ଘଟଣା ଯେ, ରାଜା ତଥା ରାଜକୁମାରମାନଙ୍କର ଗୋଟିଏ ବୃହତ୍ ସମୂହ, ସାମନ୍ତ ତଥା ଦରବାରର ମହିଳାମାନେ, ବହୁସଂଖ୍ୟକ ସାମନ୍ତ, ଓ ଦଶହଜାର ଭୁବନର ଦେବଗଣ ଏବଂ ବ୍ରହ୍ମାମାନଙ୍କ ସମେତ ବୁଦ୍ଧଙ୍କର ଶେଷଶଯ୍ୟା ପାର୍ଶ୍ଵରେ ଆସି ଉପସ୍ଥିତ ହୋଇ ଯାଇଥିଲେ । ସେମାନେ ସମସ୍ତେ କାନ୍ଦୁଥିଲେ, ବକ୍ଷ ଉପରେ କରାଘାତ କରୁଥିଲେ ଓ ଅତିଶୟ ଦୁଃଖରେ ଭୂମି ଉପରକୁ ଆନତ ହୋଇ ଆସୁଥାନ୍ତି । ଏହି ଅବସରଟି ବିଷୟରେ ପରବର୍ତ୍ତୀ କାଳରେ ଅଗଣିତ ଚିତ୍ର ଅଙ୍କିତ ହୋଇ ରହିଛି ।

 

ବ୍ରାହ୍ମଣମାନଙ୍କର ଶେଷ ପ୍ରଶ୍ନ ହିସାବରେ ଆଉ କିଛି ପଚାରିବାର ଅଛି କି ବୁଦ୍ଧ ପ୍ରଶ୍ନ କରିଥିଲେ । କିନ୍ତୁ, କୌଣସି ବିଷୟରେ କିଛି ପଚାରିବାକୁ ନଥିବାରୁ ସେମାନେ ନୀରବ ରହିଥିଲେ-। ଅବଶ୍ୟ, ସେତେବେଳେ କୁଶୀନଗରର ଜଣେ ବ୍ରାହ୍ମଣ ଆସି ସେତିକିବେଳେ ପହଞ୍ଚିଥିଲେ ଏବଂ କେତେକ ଭାଙ୍ଗିଦେଇ ନଥାନ୍ତେ; ଏବଂ, କେତେକ କଥୋପକଥନ ପରେ ସିଏ ମଧ୍ୟ ଶିଷ୍ୟତ୍ଵ ଗ୍ରହଣ କଲେ । ଅନ୍ୟ ସମସ୍ତ ଶିଷ୍ୟଙ୍କର ତୁଳନାରେ ଆନନ୍ଦ ହିଁ ଅଧିକ ଦୁଃଖାଭିଭୂତ ହୋଇ ପଡ଼ିଥିଲେ-। ନିଜର ଅନ୍ତିମ ସଂସ୍କାର ସମ୍ବନ୍ଧରେ ବୁଦ୍ଧ ତାଙ୍କୁ ଆବଶ୍ୟକ ପରାମର୍ଶ ଦେଇ ସାରିଥିଲେ; ଭିକ୍ଷୁ ତଥା ଭିକ୍ଷୁଣୀମାନେ ଯେଉଁସବୁ ନିୟମର ପାଳନ କରିବେ, ସେକଥା ମଧ୍ୟ କହି ସାରିଥିଲେ । ବର୍ତ୍ତମାନ ସେ କହିଲେ, “ମୁଁ ବର୍ତ୍ତମାନ ନିର୍ବାଣରେ ପ୍ରବିଷ୍ଟ ହେବି; ମୋ’ର ଅନୁଜ୍ଞାଗୁଡ଼ିକୁ ମୁଁ ତୁମ ପାଖରେ ରଖିଯାଉଛି । ବୁଦ୍ଧଙ୍କ ଦେହର ସକଳ ଉପାଦାନ ଚାଲିଯିବ, କିନ୍ତୁ ତିନି ରତ୍ନ ଅବଶ୍ୟ ରହିଥିବ-।” ମାତ୍ର ଆନନ୍ଦ ଆଉ ଧୈର୍ଯ୍ୟ ଧରି ପାରିଲେନାହିଁ ଏବଂ ବିକଳ ହୋଇ କାନ୍ଦିବାରେ ଲାଗିଥିଲେ-। ବୁଦ୍ଧ ପୁଣି କହିଲେ: “ଆନନ୍ଦ, ତୁମେ କ୍ଷୁବ୍ଧ ହୋଇ ପଡ଼ନାହିଁ, ଆଦୌ ରୋଦନ କରନାହିଁ-। ମୁଁ ତ ପୂର୍ବରୁ ସର୍ବଦା କହିଆସିଛି ଯେ, ଆମେ ଏହି ପୃଥିବୀରେ ସବୁଠାରୁ ଅଧିକ ପ୍ରିୟ ତଥା ସୁଖକର ବୋଲି ଆଦରି ରହିଥିବା ସବୁକିଛିରୁ ଦିନେ ବିଦାୟ ନେଇ ଚାଲିଯିବାକୁ ହେବ । ଥରେ ଏଠାରେ ଜନ୍ମ ହୋଇଥିବା କୌଣସି ସତ୍ତା ଅନ୍ତର୍ନିହିତ ଏହିସବୁ ଅନ୍ତର୍ନିହିତ କ୍ଷୟପ୍ରକ୍ରିୟାକୁ କଦାପି ଅସ୍ଵୀକାର କରି ପାରିବନାହିଁ । ତେଣୁ, ଚିରସ୍ଥାୟୀ ହୋଇ ରହିବା ଆଦୌ ସମ୍ଭବ ନୁହେଁ । ହେ ଆନନ୍ଦ, ବହୁକାଳ ଧରି କାୟମନୋବାକ୍ୟରେ ତୁମର ସହୃଦୟତା ତୁମକୁ ମୋ’ର ଅତ୍ୟନ୍ତ ନିକଟକୁ ନେଇଆସି ପାରିଛି-। ତୁମେ ସର୍ବଦା ସବୁଟିକୁ ଉତ୍ତମଭାବେ ସମ୍ପନ୍ନ କରିଛ । ତେଣୁ ଅବିରାମ ପ୍ରୟାସ କର, ତେବେ ତୁମେ ମଧ୍ୟ ତୃଷ୍ଣା ତଥା ଅଜ୍ଞାନରୁ ପରିପୂର୍ଣ୍ଣ ମୁକ୍ତି ଲାଭ କରି ପାରିବ ।” ତା’ପରେ ସେ ଶୋକସନ୍ତପ୍ତ ଅନ୍ୟମାନଙ୍କ ଆଡ଼କୁ ଅନାଇଲେ ଓ ସେମାନଙ୍କୁ ଆନନ୍ଦଙ୍କ ଆଡ଼କୁ ନିର୍ଦ୍ଦେଶିତ କରି ଦେଇଥିଲେ-। ଏପରି ମଧ୍ୟ କହିଲେ ଯେ, ନିର୍ବାଣର ଏହି ମାର୍ଗରେ ପ୍ରବେଶ କରିଥିବା ସେଠାରେ ଉପସ୍ଥିତ ସାମାନ୍ୟତମ କୌଣସି ବ୍ୟକ୍ତି ମଧ୍ୟ କେବେହେଲେ ସମ୍ପୂର୍ଣ୍ଣ ବିଫଳ ହେବନାହିଁ ଏବଂ ପରିଶେଷରେ ଅବଶ୍ୟ ନିର୍ବାଣରେ ପହଞ୍ଚି ପାରିବ-। ଦଣ୍ଡେ ନୀରବ ରହି ବୁଦ୍ଧ ପୁନର୍ବାର କହିଲେ, “ହେ ଭିକ୍ଷୁଗଣ, ମୁଁ ବର୍ତ୍ତମାନ ଆପଣମାନଙ୍କୁ ଦୃଢ଼ ଭାବରେ କହୁଛି ଯେ, ମନୁଷ୍ୟର ଶରୀର ତଥା ମନୁଷ୍ୟର ଶକ୍ତି ଅବଶ୍ୟ କ୍ଷୟ ଲଭିବ; ତେଣୁ ପୂର୍ଣ୍ଣ ଆଶାନ୍ଵିତ ହୋଇ ଆପଣମାନେ ନିଜର ମୁକ୍ତି ନିମନ୍ତେ ଉଦ୍ୟମ କରିବେ ।” ମାତ୍ର କିଛିକ୍ଷଣ ପରେ ବୁଦ୍ଧ ଅଚେତ ହୋଇ ପଡ଼ିଲେ ଏବଂ ତାଙ୍କର ପ୍ରାଣବାୟୁ ଚାଲି ଯାଇଥିଲା ।

 

ନିଜର ଦୁଃଖିତ ଅବସ୍ଥାଟି କିଞ୍ଚିତ୍ ଉପଶମ ହୋଇଯିବା ପରେ ମାନବର କୁମାରମାନେ ବୁଦ୍ଧଙ୍କର ଶରୀରକୁ ଝୀନ ବସ୍ତ୍ରଦ୍ଵାରା ପରସ୍ତ ପରେ ପରସ୍ତ କରି ଆବୃତ କରି ରଖିଲେ ଏବଂ ଛଅଦିନ ନିମନ୍ତେ ତାହା ସେହି ଅବସ୍ଥାରେ ରହିଥିଲା । ଏବଂ ତା’ପରେ ସେମାନଙ୍କର ଅଭିଷେକ-କକ୍ଷରେ ଗୋଟିଏ ଭବ୍ୟ ଅଗ୍ନିର ନିର୍ମାଣ କରି ତାହାକୁ ଦାହ କରିଦିଆ ଯାଇଥିଲା । ସେମାନେ ଯୂଇରେ ଅଗ୍ନିସଂଯୋଗ କରି ପାରୁନଥିଲେ, କିନ୍ତୁ ଶେଷରେ ତାହା ଆପଣାଛାଏଁ ନିଆଁ ଧରିନେଲା । ଶରୀରଟି ସମ୍ପୂର୍ଣ୍ଣ ଦଗ୍ଧ ହୋଇ ଯାଇଥିଲା ଏବଂ ଗଦାଏ ମୋତି ପରି ଶେଷରେ କିଛି ଭସ୍ମବିଶେଷ ହିଁ ରହି ଯାଇଥିଲା । ଏକ ପ୍ରଧାନତମ ଦେହାଂଶ ରୂପେ ବୁଦ୍ଧଙ୍କର ଚାରିଗୋଟି ଦାନ୍ତ, ଦୁଇଖଣ୍ଡ ହନୁହାଡ଼ ଓ ମୁଣ୍ଡର ଖପୁରିଟି ପରବର୍ତ୍ତୀ କାଳରେ ଗୌରବମୟ ପବିତ୍ର ସ୍ମାରକଗୁଡ଼ିକରେ ସୁରକ୍ଷିତ ହୋଇ ରହିଥିଲେ ।

☆☆☆

 

Unknown

ଶିବ

ଶିବଙ୍କ ଶ୍ରେଷ୍ଠତ୍ଵ

 

ଦେବତା ଏବଂ ଋଷିଗଣଙ୍କର ପ୍ରଶ୍ନର ଉତ୍ତରରୂପେ ବ୍ରହ୍ମାଙ୍କ ଦ୍ଵାରା ଏହି କାହାଣୀଟି ଉକ୍ତ ହୋଇ ରହିଛି: ବ୍ରହ୍ମାଙ୍କର ରାତ୍ରି ହୋଇଥିବା ଏକ ଅବଧିରେ ଯେତେବେଳେ ସକଳ ସତ୍ତା ତଥା ସକଳ ଭୁବନ ପ୍ରଳୟ ମଧ୍ୟରେ ସ୍ଥିର ଓ ଏକତ୍ର ସମାହିତ ହୋଇ ରହିଥିଲେ, ସେତେବେଳେ ମୁଁ ବିଶ୍ଵର ଆତ୍ମାସ୍ୱରୂପ, ସହସ୍ରନେତ୍ର, ସର୍ବଜ୍ଞାତା ଏବଂ ସତ୍ତା-ଅସତ୍ତା ସକଳଙ୍କର ସ୍ୱରୂପ ସେହି ନାରାୟଣଙ୍କୁ ଦର୍ଶନ କରିଥିଲି; ସେ ସେହି ଅଗାଧ ଜଳରାଶି ଉପରେ ସହସ୍ରଫଣା ଅନନ୍ତଙ୍କ ଉପରେ ଶୟନ ହୋଇ ରହିଥିଲେ । ଏବଂ ମୁଁ, ସେହି ଐଶ୍ଵର୍ଯ୍ୟରେ ଚକିତ ହୋଇ ନିଜ ହାତରେ ତାଙ୍କୁ ସ୍ପର୍ଶ କଲି । ତାଙ୍କୁ “ଆପଣ କିଏ ? କହନ୍ତୁ ଆପଣ କିଏ ?” ବୋଲି ପ୍ରଶ୍ନ କରିଥିଲି । ତହୁଁ ପଦ୍ମଲୋଚନ ନାରାୟଣ ଅର୍ଦ୍ଧଜାଗ୍ରତ ଦୃଷ୍ଟିରେ ମୋ’ ଆଡ଼କୁ ଅବଲୋକନ କଲେ, ଗାତ୍ରୋତ୍ଥାନ ପୂର୍ବକ ଈଷତ୍‍ ହସିଥିଲେ ଓ ମୋତେ “ତଥାସ୍ତୁ ପିତାମହ, ମୋର ଦୀପ୍ତିମନ୍ତ ସନ୍ତାନ” ବୋଲି ସମ୍ବୋଧନ କରିଥିଲେ । ଏଭଳି ଶୁଣି ମୁଁ ଅପମାନିତ ବୋଧ କଲି ଏବଂ କହିଥିଲି: “ହେ ଅପାପବିଦ୍ଧ ଦେବାଦିଦେବ,–ଜଣେ ଶିଷ୍ୟକୁ ଜଣେ ଆଚାର୍ଯ୍ୟ ସମ୍ବୋଧନ କଲାପରି ସୃଷ୍ଟି ତଥା ପ୍ରଳୟର କର୍ତ୍ତା, ଏହି ଅଶେଷ ଭୁବନଗୁଡ଼ିକର ନିର୍ମାତା ତଥା ସକଳ ସୃଷ୍ଟି ସଂସାରର ଉତ୍ପତ୍ତିସ୍ଥଳ ଓ ଆତ୍ମା ସ୍ୱରୂପ ମୋତେ ଆପଣ ସନ୍ତାନ ବୋଲି ସମ୍ବୋଧନ କରୁଛନ୍ତି ? ମୋ’ ପ୍ରତି କାହିଁକି ଆପଣ ଏଭଳି ନିର୍ବୋଧ ବାକ୍ୟ ପ୍ରୟୋଗ କରୁଛନ୍ତି କହନ୍ତୁ ତ !” ତା’ପରେ ବିଷ୍ଣୁ ଉତ୍ତର ଦେଲେ : “ମୁଁ ନାରାୟଣ ବୋଲି କ’ଣ ଆପଣ ଜାଣିନାହାନ୍ତି ,–ଅର୍ଥାତ୍ ଏହି ଭୁବନସକଳର ଏକାଧାରରେ ସ୍ରଷ୍ଟା, ରକ୍ଷାକର୍ତ୍ତା ତଥା ସଂହାରକାରୀ ? ମୁଁ ସେହି ଶାଶ୍ଵତ ପୁରୁଷ, ବିଶ୍ଵବ୍ରହ୍ମାଣ୍ଡର ଅବିନାଶୀ ଉତ୍ସ ତଥା କେନ୍ଦ୍ର ବୋଲି କ’ଣ ଆପଣ ଜାଣିନାହାନ୍ତି ? କାରଣ, ମୋ’ର ଅକ୍ଷୟ ଶରୀରଟିରୁ ତ ଆପଣ ଜନ୍ମଲାଭ କରିଛନ୍ତି-!”

 

“ବର୍ତ୍ତମାନ ଏହିପରି କ୍ରୋଧ କଟାକଟି ହୋଇ ଆମ ଭୟଙ୍କର ମଧ୍ୟରେ ସେହି ଆକାରତୀତ ମହାସମୁଦ୍ର ବିଷୟରେ ଏକ ବିତର୍କ ଆରମ୍ଭ ହୋଇ ଯାଇଥିଲା । ଏବଂ ତା’ପରେ ଆମର ସେହି ବାଦାନୁବାଦର ଅବସାନ ଘଟାଇବା ନିମନ୍ତେ ଆମ ସମ୍ମୁଖରେ ଗୋଟିଏ ଜ୍ୟୋତିର୍ମୟ ଲିଙ୍ଗ ଆବିର୍ଭୂତ ହୋଇ ଆସିଲା;–ସେହି ଜ୍ୟୋତିର ମଧ୍ୟରେ ସତେଯେପରି ଶହେଟି ଭୁବନ ଏକାବେଳେକେ ଗିଳିହୋଇ ଯାଉଥିଲେ, ତାହାର ଆଦି, ମଝି ବା ଅନ୍ତ ଆଦୌ କିଛିହେଲେ ନଥିଲା,–କୌଣସି ପଟାନ୍ତର ନଥିଲା,–ସମ୍ପୂର୍ଣ୍ଣରୂପେ ବର୍ଣ୍ଣନାତୀତ ଥିଲା । ଏହି ଲିଙ୍ଗଟିର ସହସ୍ରଶିଖାକୁ ପ୍ରତ୍ୟକ୍ଷ କରି ଭଗବାନ୍ ବିଷ୍ଣୁ ମୋତେ କହିବାକୁ ଆରମ୍ଭ କଲେ : ‘ଚାଲନ୍ତୁ, ଆମେ ଏହି ଅଗ୍ନିଶିକ୍ଷାର ଉତ୍ପତ୍ତିଥଳଟିକୁ ଖୋଜି ବାହାର କରିବା । ମୁଁ ନିମ୍ନଭାଗକୁ ଅବତରଣ କରିବି ଏବଂ ଆପଣ ନିଜର ସମସ୍ତ ଶକ୍ତି ଲଗାଇ ଉପର ଭାଗକୁ ଆରୋହଣ କରିବେ ।’ ତା’ପରେ ସିଏ ଏକ ବରାହର ରୂପ ଧାରଣ କଲେ, ନୀଳ ପ୍ରସ୍ତରଖଣ୍ଡର ଗୋଟିଏ ପର୍ବତ ସଦୃଶ ଏକ ହଜାର ଯୋଜନ ପର୍ଯ୍ୟନ୍ତ ବିସ୍ତୃତ ହୋଇ ଶୁଭ୍ର ରଙ୍ଗର ମୁନିଆ ଶୁଣ୍ଡଗୁଡ଼ିକୁ ବାହାର କରି ଗଅଁ ଗଅଁ ଗର୍ଜନପୂର୍ବକ, ସାନ ସାନ ପାଦରେ ଅମିତ ତଥା ଅତୁଳନୀୟ ଶକ୍ତିରେ ସେ ନିମ୍ନ ଭାଗକୁ ଝାସ ଦେଲେ । ହଜାର ବର୍ଷ ପର୍ଯ୍ୟନ୍ତ ବିଷ୍ଣୁଙ୍କୁ ଏହିପରି ଭାବରେ ନିମ୍ନଦେଶକୁ ଯିବାକୁ ପଡ଼ିଥିଲା, ତଥାପି ସେ ସେହି ଲିଙ୍ଗଟିର କୌଣସି ଭୂମିକୁ ଆବିଷ୍କାର କରି ପାରିନଥିଲେ । ମୁଁ ମଧ୍ୟ ଗୋଟିଏ ଧବଳରଙ୍ଗର ହଂସରୂପ ଧାରଣ କଲି, ଉଜ୍ଜ୍ଵଳ ଆଖିବିଶିଷ୍ଟ ହୋଇ ଚତୁର୍ଦ୍ଦିଗକୁ ଡେଣା ବିସ୍ତାର କରି, ଭାବନାର ବେଗରେ ମରୁତ୍‍ବତ୍ ହଜାରବର୍ଷ ଯାବତ ଉର୍ଦ୍ଧ୍ଵକୁ ଗମନ କରିଥିଲି, ତଥାପି ସେହି ସ୍ତମ୍ଭଟିର ଶେଷ ପାଇନଥିଲି । ମୁଁ ଫେରି ଆସିଲି ଓ ବିଷ୍ଣୁଙ୍କୁ ମଧ୍ୟ ଦେଖିଲି; ସେ ଅତ୍ୟନ୍ତ କ୍ଳାନ୍ତଚକିତ ହୋଇ ଉପରକୁ ଉଠି ଆସୁଥିଲେ ।

 

“ତା’ପରେ ଶିବ ଆସି ଆମ ଦୁହିଁଙ୍କ ସମ୍ମୁଖରେ ଦଣ୍ଡାୟମାନ ହେଲେ ଏବଂ, ତାଙ୍କର କିମିଆ ଦ୍ଵାରା ବିମୁଢ଼ ହୋଇ ସାରିଥିବା ଆମେ ତାଙ୍କୁ ଅଭିବାଦନ ଜଣାଇଲୁ; ଚତୁର୍ଦ୍ଦିଗରୁ ଅତ୍ୟନ୍ତ ସ୍ପଷ୍ଟ ଏବଂ ଅଖଣ୍ଡ ଭାବରେ ଓଁ ଶବ୍ଦଟି ନିନାଦିତ ହୋଇ ଉଠୁଥିଲା । ନାରାୟଣ ତାଙ୍କୁ ସମ୍ବୋଧନ କରି କହିଲେ, “ଖୁବ୍ ଉତ୍ତମ ହେଲା ଆମେ ଦୁହେଁ କଳହ କଲୁ ! ହେ ଦେବାଧିଦେବ ମହାଦେବ, କାରଣ ସେହି କାରଣରୁ ତ ଆପଣ ତାହାର ଅବସାନ ଘଟାଇବା ନିମନ୍ତେ ଆପଣ ଆମ ସମ୍ମୁଖରେ ଆସି ଏପରି ଉଭା ହେଲେ !” ଏକଥା ଶୁଣି ଶିବ ଉତ୍ତର ଦେଇଥିଲେ, “ହେ ବିଷ୍ଣୁ, ପ୍ରକୃତରେ ଏହି ଭୁବନଗୁଡ଼ିକର ଆପଣ ହେଉଛନ୍ତି ସୃଷ୍ଟିକର୍ତ୍ତା, ପାଳନକର୍ତ୍ତା ଏବଂ ସଂହାରକାରୀ; ତେଣୁ ହେ ମୋ’ର ସନ୍ତାନ, ହେ ଦେବାଧିଦେବ,–ମୁଁ ତିନୋଟିଯାକ; ବ୍ରହ୍ମା, ବିଷ୍ଣୁ ଏବଂ ରୁଦ୍ର, ଯିଏକି ଏକାଧାରରେ ସୃଷ୍ଟି କରନ୍ତି, ପାଳନ କରନ୍ତି ଓ ସଂହାର କରନ୍ତି । ଏହି ବ୍ରହ୍ମାଙ୍କୁ ମଧ୍ୟ ଆପଣ ଗ୍ରହଣ କଥା ସ୍ଵୀକାର କରନ୍ତୁ, କାରଣ ଏକ ପରବର୍ତ୍ତୀ କଳ୍ପରେ ସିଏ ଆପଣଙ୍କ ଠାରୁ ହିଁ ଜାତ ହେବେ । ସେତେବେଳେ ଉଭୟେ ପୁନର୍ବାର ମୋ’ର ଦର୍ଶନ ଲାଭ କରିବେ ।” ଏତିକି କହି ମହାଦେବ ଅନ୍ତର୍ହିତ ହୋଇଗଲେ-। ଏବଂ ସେହିଦିନଠାରୁ ହିଁ ତ୍ରିଭୁବନରେ ଲିଙ୍ଗର ଉପାସନା ଓ ପୂଜାଟି ପ୍ରତିଷ୍ଠିତ ହୋଇ ରହିଛି ।

 

ସତୀ

 

ବହୁପୂର୍ବେ ଦକ୍ଷ ନାମରେ ଜଣେ ଦେବପ୍ରମୁଖ ଥିଲେ । ସିଏ ମନୁଙ୍କର ଦୁହିତା ପ୍ରସୂତିଙ୍କୁ ବିବାହ କରିଥିଲେ । ତାଙ୍କର ଗର୍ଭରୁ ଷୋହଳଟି କନ୍ୟା ଜାତ ହେଲେ । ସେମାନଙ୍କ ମଧ୍ୟରୁ ସର୍ବକନିଷ୍ଠା ସତୀ ଶିବଙ୍କର ପତ୍ନୀ ହେଲେ, ମାତ୍ର, ସତୀଙ୍କର ପିତା ସେହି ବିବାହରେ ପ୍ରସନ୍ନ ହୋଇ ପାରିନଥିଲେ ଏବଂ ଶିବଙ୍କ ପ୍ରତି ତାଙ୍କର କିଛି କ୍ରୋଧ ମଧ୍ୟ ରହିଥିଲା । ଶିବଙ୍କର ଯେ କେତୋଟି ନିନ୍ଦନୀୟ ଅଭ୍ୟାସ ଥିଲା, କେବଳ ସେହି କାରଣରୁ ନୁହେଁ; ମାତ୍ର, ଗୋଟିଏ ଉତ୍ସବର ଅବସରରେ, ଯେଉଁଠାକୁ କି ଶିବଙ୍କୁ ନିମନ୍ତ୍ରଣ କରା ଯାଇଥିଲା, ସେଠାରେ ମଧ୍ୟ ଶିବ ଦକ୍ଷଙ୍କୁ ସମ୍ମାନ ପ୍ରଦର୍ଶନ କରିନଥିଲେ । ସେଥିପାଇଁ ଦକ୍ଷ ଶିବଙ୍କୁ ଗୋଟିଏ ଅଭିଶାପ ଦେଇଥିଲେ ଯେ ଦେବତାମାନଙ୍କୁ ଅର୍ପଣ କରା ଯାଉଥିବା ପୂଜାଦିରେ ଶିବଙ୍କର କୌଣସି ଭାଗ ରହିବନାହିଁ । ଅବଶ୍ୟ, ଶିବଙ୍କ ପକ୍ଷର ଜଣେ ବ୍ରାହ୍ମଣ ଗୋଟିଏ ପ୍ରତିଅଭିଶାପ ମଧ୍ୟ ଦେଇଥିଲେ ଯେ, ଦକ୍ଷ ନାନାବିଧ ଭୌତିକ ସୁଖରେ ହିଁ ନିଜ ଜୀବନକୁ ନଷ୍ଟ କରିବେ, କେବଳ ନାନା ଉତ୍ସବପାଳନ ମଧ୍ୟରେ ବାନ୍ଧିହୋଇ ରହିଥିବେ ଓ ତାଙ୍କର ମୁହଁଟି ମଧ୍ୟ ଗୋଟିଏ ଛାଗଳର ମୁଖ ସଦୃଶ ହୋଇଯିବ ।

 

ଦକ୍ଷକନ୍ୟା ସତୀ ଇତ୍ୟବସରେ ବୟସରେ ବଡ଼ ହେଲେ; ସେ ଶିବଙ୍କଠାରେ ନିଜରେ ହୃଦୟକୁ ସମର୍ପିତ କରି ଗୁପ୍ତରେ ତାଙ୍କର ପୂଜା ମଧ୍ୟ କରୁଥିଲେ । କ୍ରମେ ତାଙ୍କର ବିବାହବୟସ ହୋଇ ଆସିଲା ଏବଂ ସେଥିଲାଗି ତାଙ୍କର ପିତା ଗୋଟିଏ ସ୍ଵୟମ୍ବରର ଆୟୋଜନ କରାଇଥିଲେ । ସେଥିରୁ ସିଏ ଦୂର ତଥା ନିକଟରୁ ରାଜକୁମାରମାନଙ୍କ ସମେତ ଦେବଗଣଙ୍କୁ ମଧ୍ୟ ନିମନ୍ତ୍ରଣ କଲେ ମାତ୍ର ଶିବଙ୍କୁ ଡାକିନଥିଲେ । ତା’ପରେ ସତୀଙ୍କୁ ବରଣମାଳା ହସ୍ତରେ ଯେତେବେଳେ ସେହି ବୃହତ୍ ସଭାଟି ମଧ୍ୟକୁ ନିଆଗଲା, ସେତେବେଳେ ସେ ଦେବ ଅଥବା ମାନବଗଣଙ୍କ ମଧ୍ୟରେ କେଉଁଠାରେ ହେଲେ ଶିବଙ୍କୁ ଦେଖି ପାରିଲେ ନାହିଁ । ତା’ପରେ ଅତିଶୟ ନୈରାଶ୍ୟରେ ସତୀ ମାଳାଟିକୁ ଶୂନ୍ୟକୁ ନିକ୍ଷେପ କରି ଦେଇଥିଲେ,–ଶିବ ସ୍ଵୟଂ ଆସି ତାହାକୁ ଗ୍ରହଣ କରନ୍ତୁ ବୋଲି ତାଙ୍କୁ ଆବାହନ କରିଥିଲେ । ଏବଂ, କି ଆଚମ୍ବିକ କଥା, ଶିବ ଆସି ସେହି ସଭାରେ ଦଣ୍ଡାୟମାନ ହୋଇଥିବା ଦେଖାଗଲା ଏବଂ ସେହି ମାଳାଟି ମଧ୍ୟ ତାଙ୍କର ଗଳାରେ ଶୋଭା ପାଉଥିଲା । ବିବାହଟିକୁ ସମ୍ପନ୍ନ କରିବା ବ୍ୟତୀତ ଦକ୍ଷଙ୍କ ପାଇଁ କୌଣସି ଉପାୟାନ୍ତର ନଥିଲା । ଏବଂ, ବିବାହପରେ ଶିବ ସତୀଙ୍କୁ ନେଇ ନିଜର ନିବାସ କୈଳାଶକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।

 

ଶୁଭ୍ର ହିମାଳୟ ସେପାଖରେ ଏହି କୈଳାଶ ଯାଇ ବହୁତ, ବହୁତ ଦୂରରେ ଅବସ୍ଥିତ ରହିଥିଲା । ଏବଂ ସେଠାରେ ଶିବ ରାଜକୀୟ ମର୍ଯ୍ୟାଦା ସହିତ ବାସ କରୁଥିଲେ; ଦେବତା ଏବଂ ଋଷିମାନେ ଶିବଙ୍କୁ ପୂଜା କରୁଥିଲେ । ମାତ୍ର, ଅନେକ ସମୟରେ ସେ ସେହି ପର୍ବତ ଭିତରେ ଜଣେ ଭିକାରୀ ଭଳି ଏଣେତେଣେ ବୁଲି ନିଜର ସମୟ ଅତିବାହିତ କରି ଦେଉଥିଲେ । ତାଙ୍କର ଶରୀର ଭସ୍ମଦ୍ଵାରା ଆବୃତ ରହୁଥିଲା ଏବଂ ସତୀ ମଧ୍ୟ ଚାର ବସ୍ତ୍ର ପରିଧାନ କରୁଥିଲେ । କେତେ କେତେ ବେଳେ ଶ୍ମଶାନମାନଙ୍କରେ ମଧ୍ୟ ଦେଖିବାକୁ ମିଳି ଯାଉଥିଲା । ସେତେବେଳେ ତାଙ୍କ ଗହଣରେ ପ୍ରେତମାନେ ନୃତ୍ୟ କରୁଥିଲେ ଓ ନାନାବିଧ ଭୟାନକ ବିଧି ଇତ୍ୟାଦିରେ ଅଂଶଗ୍ରହଣ କରୁଥିଲେ ।

 

ଏକଦା ରାଜା ଦକ୍ଷ ଗୋଟିଏ ବୃହତ୍ ଅଶ୍ଵମେଧ ଯଜ୍ଞର ଆୟୋଜନ କରାଇଲେ ଓ ସେଠାକୁ ସେ ସମସ୍ତ ଦେବତାଙ୍କୁ ନୈବେଦ୍ୟଗୁଡ଼ିକୁ ଗ୍ରହଣ କରିବା ନିମନ୍ତେ କରିଥିଲେ; କେବଳ ଶିବଙ୍କୁ ହିଁ ଡାକିଲେ ନାହିଁ । ପ୍ରଧାନତମ ଆହୁତିଟି ବିଷ୍ଣୁଙ୍କ ଉଦ୍ଦେଶ୍ୟରେ ଦିଆଯିବାର କଥା ଥିଲା । ଦେବତାମାନେ ଦକ୍ଷଙ୍କର ଯଜ୍ଞରେ ଯୋଗ ଦେବାଲାଗି ବାହାରୁଥିବା ସମୟରେ ତାହା ସତୀଙ୍କର ଦୃଷ୍ଟିଗୋଚର ହୋଇଥିଲା ଏବଂ ତେଣୁ ନିଜର ସ୍ଵାମୀଙ୍କୁ ସେ ପ୍ରଶ୍ନ କରିଥିଲେ: “ହେ ମହେଶ, ଇନ୍ଦ୍ରଙ୍କର ନେତୃତ୍ଵରେ ଏହି ଦେବତାମାନେ ଆଜି କୁଆଡ଼େ ଯାଉଛନ୍ତି ?” ତହୁଁ ମହାଦେବ ଉତ୍ତର ଦେଇ କହିଲେ, “ହେ ଗୌରୀ, ପ୍ରମୁଖୋତ୍ତମ ଦକ୍ଷରାଜା ଏକ ଅଶ୍ଵମେଧ ଯଜ୍ଞର ଆୟୋଜନ କରିଛନ୍ତି ଏବଂ ନିମନ୍ତ୍ରଣ ପାଇ ଦେବତାମାନେ ତାହାରି ଉଦ୍ଦେଶ୍ୟରେ ବାହାରିଛନ୍ତି ।” ସତୀ ପଚାରିଲେ, “ଆପଣ ମଧ୍ୟ କାହିଁକି ଏହି ମହାନ୍ ଅନୁଷ୍ଠାନଟିରେ ଯୋଗ ଦେବାକୁ ଯାଉନାହାନ୍ତି ?” ଶିବ ଉତ୍ତର ଦେଲେ, “ଦେବତାମାନଙ୍କ ମଧ୍ୟରେ ଏହିପରି ମୀମାଂସା କରାଯାଇଛି ଯେ, ଯଜ୍ଞରେ ଯେଉଁସବୁ ପୂଜାବିଧାନ କରାଯାଇଥାଏ, ସେଥିରେ ମୋ’ର କୌଣସି ଅଂଶଗ୍ରହଣ କରିବା ଆଦୌ ଉଚିତ ହେବନାହିଁ ।” ଦେବୀ କୋପାନ୍ଵିତା ହେଲେ ଏବଂ ଅଭିମାନ ପ୍ରଦର୍ଶନ କରି କହିଥିଲେ, “ଏହିପରି କିପରି ହେବ ଯେ, ଯିଏ ସକଳ ସତ୍ତାରେ ଅବସ୍ଥିତ ଅଛନ୍ତି, ଯାହାଙ୍କର କ୍ଷମତା ତଥା ଶକ୍ତିର କୌଣସି ତୁଳନା ହିଁ ହେବନାହିଁ, ତାଙ୍କୁ ପୁଣି ଯଜ୍ଞାହୂତିରୁ ବହିଷ୍କୃତ କରି ରଖାଯିବ ? ତେଣୁ, ସକଳ ଭାବନା ଏବଂ କଳ୍ପନାର ଅତୀତ ମୋ’ର ପଚି ଯେପରି ଏହି ଆହୂତିର ଏକ-ତୃତୀୟାଂଶ ଅଥବା ଅର୍ଦ୍ଧାଂଶ ପାଇପାରିବେ, ସେଥିପାଇଁ ମୋତେ କେଉଁ ତପସ୍ୟା କିମ୍ବା କ’ଣ ଉତ୍ସର୍ଗ କରିବାକୁ ହେବ ?” ଏଥିରେ ସତୀଙ୍କୁ ଅନାଇ ଶିବ ଈଷତ୍ ହସିଥିଲେ,–ତାଙ୍କର ସ୍ନେହାନୁଗତ୍ୟରେ ପ୍ରୀତ ହୋଇଥିଲେ; ମାତ୍ର କହିଲେ, “ଏହିସବୁ ନୈବେଦ୍ୟ ଏବଂ ଆହୂତିକୁ ମୁଁ ମୋଟେ ବହୁତ ମହତ୍ତ୍ଵ ଦେଇନଥାଏ, କାରଣ, ଯେଉଁମାନେ ସାମବେଦର ସ୍ତୋତ୍ରଗୁଡ଼ିକୁ ଗାନ କରନ୍ତି, ମୋତେ ସେହିମାନେ ହିଁ ନୈବେଦ୍ୟ ଦିଅନ୍ତି । ଯେଉଁମାନେ ଯଥାର୍ଥ ପ୍ରଜ୍ଞାର ନିବେଦନ କରନ୍ତି, ସେହିମାନେ ହିଁ ମୋ’ର ଯାଜକ । ସେଥିନିମନ୍ତେ (ମଧ୍ୟବର୍ତ୍ତୀ) କୌଣସି ବ୍ରାହ୍ମଣ ପ୍ରୟୋଜନ ହୁଏ ନାହିଁ । ମୁଁ ସେହି ଅଂଶଟିକୁ ହିଁ ଗ୍ରହଣ କରିଥାଏ ।” ଦେବୀ ଉତ୍ତର ଦେଲେ, “ନାରୀମାନଙ୍କ ଆଗରେ କୌଣସି ଏକ କାରଣ ବାଢ଼ିଦେଇ ମୁକୁଳିଯିବା ମୋଟେ ଅସହଜ ନୁହେଁ । ତଥାପି, ଏହି ଅବସରରେ ମୋ’ ନିଜର ପିତ୍ରାଳୟକୁ ଯିବାଲାଗି ଆପଣ ଅନ୍ତତଃ ମୋତେ ଅନୁମତି ପ୍ରଦାନ କରନ୍ତୁ ।” ଶିବ କହିଲେ, “ନିମନ୍ତ୍ରଣ ନଥାଇ ମଧ୍ୟ ? ” ସତୀ ଉତ୍ତର ଦେଇଥିଲେ, “ନିଜ ପିତ୍ରାଳୟ ଯିବା ନିମନ୍ତେ ଜଣେ ଦୁହିତା ପାଇଁ କୌଣସି ନିମନ୍ତ୍ରଣ ଲୋଡ଼ା ହୁଏନାହିଁ ।” ମହାଦେବ ରାଜୀ ହେଲେ, ମାତ୍ର କହିଲେ, “ମାତ୍ର ଜାଣିଥାଅ ଯେ ଏଥିରୁ ଅକଲ୍ୟାଣ ହିଁ ଘଟିବ, କାରଣ, ତୁମର ଉପସ୍ଥିତିରେ ହିଁ ଦକ୍ଷ ମୋ’ର ଅପମାନ କରିବେ ।”

 

ଏହାପରେ ଦେବୀ ପିତ୍ରାଳୟ ଗଲେ । ସେଠାରେ ତାଙ୍କୁ ଗ୍ରହଣ କରାଗଲା ସତ, କିନ୍ତୁ ଆଦୌ କୌଣସି ସମ୍ମାନ ପ୍ରଦର୍ଶନ କରାଯାଇ ନଥିଲା; କାରଣ, ସେ ଶିବଙ୍କର ବୃଷଭ ଉପରେ ଆରୋହଣ କରିଥିଲେ ଏବଂ ଜଣେ ଭିକାରିଣୀ ପରି ବସ୍ତ୍ର ପରିଧାନ କରିଥିଲେ । ଶିବଙ୍କୁ ପିତା କାହିଁକି ଏପରି ଅବହେଳା କଲେ ବୋଲି ସେ ତାହାର ପ୍ରତିବାଦ କଲେ । ମାତ୍ର, ଦକ୍ଷ ଅତୀବ କ୍ରୋଧପ୍ରଦର୍ଶନ ପୂର୍ବକ ଭର୍ତ୍ସନା କରିବା ଆରମ୍ଭ କରି ଦେଇଥିଲେ; ସେ ଶିବଙ୍କୁ “ଭୂତମାନଙ୍କର ରାଜା”, “ଭିକ୍ଷୁକ”, “ଭସ୍ମାବୃତ ମନୁଷ୍ୟ” ଏବଂ “ଜଟାଧାରୀ ଯୋଗୀ” କହି ଗାଳି ଦେବାକୁ ଆରମ୍ଭ କଲେ । ସତୀ ନିଜ ପିତାଙ୍କୁ ଉତ୍ତର ଦେଇ କହିଲେ : “ଶିବ ସମସ୍ତଙ୍କର ବନ୍ଧୁ, କେବଳ ଆପଣ ହିଁ ତାଙ୍କର ନିନ୍ଦା କରି କଥାମାନ କହନ୍ତି । ଆପଣ ଯାହାସବୁ କହୁଛନ୍ତି, ସେହି ସବୁକିଛି ମଧ୍ୟ ଦେବତାମାନେ ଜାଣିଛନ୍ତି, ମାତ୍ର ସେମାନେ ତଥାପି ତାଙ୍କୁ ଭଲ ପାଆନ୍ତି । ମାତ୍ର, ନିଜ ସ୍ଵାମୀଙ୍କର ନିନ୍ଦା ଓ ଅପମାନ ହେଉଥିବା ସମୟରେ, ଯଦି ମନ୍ଦବଚନ କହୁଥିବା ବ୍ୟକ୍ତିମାନଙ୍କୁ ହତ୍ୟା ନପାରୁଥିବ, ତେବେ ଜଣେ ପତ୍ନୀକୁ କାନରେ ହାତ ଦେଇ ସେହି ସ୍ଥାନଟିକୁ ଅବଶ୍ୟ ତ୍ୟାଗ କରିବାକୁ ହେବ ଅଥବା, ତା’ର ଯଦି ଶକ୍ତି ଥିବ, ତେବେ ନିଜର ଜୀବନକୁ ମଧ୍ୟ ସେ ଉତ୍ସର୍ଗ କରିଦେବ । ମୁଁ ଏହି ଦ୍ଵିତୀୟ କାର୍ଯ୍ୟଟିକୁ ହିଁ କରିବି,–କାରଣ, ମୋ’ର ଶରୀର ଆପଣଙ୍କର ଔରସରୁ ଯେ ଜାତ ହୋଇଛି, ସେହି ଲଜ୍ଜାରେ ମୁଁ ଏହି ଶରୀରଟିକୁ ବିସର୍ଜନ କରିବି ।” ଏହାପରେ ସତୀ ଯଜ୍ଞକୁଣ୍ଡ ଅଗ୍ନିକୁ ନିଜ ଦେହରେ ଆଣି ଲଗାଇଦେଲେ ଓ ଦକ୍ଷଙ୍କର ଚରଣ ପାଖରେ ମୃତା ହୋଇ ପତିତ ହେଲେ ।

 

ଶିବଙ୍କର କ୍ରୋଧ

 

ଏହି ସମ୍ବାଦଟିକୁ ଶିବଙ୍କୁ ନାରଦ ଆସି ଦେଲେ । ଶିବ କ୍ରୋଧରେ ଏକାବେଳେକେ ଜଳି ଉଠିଥିଲେ; ନିଜ ଜଟାରୁ ଗୋଛାଏ କେଶ ଓଟାରି ବାହାର କରି ନେଇଥିଲେ ଏବଂ ମହା ପ୍ରତାପରେ ତାହାକୁ ଭୂଇଁଉପରେ ଆଣି ଛିଞ୍ଚାଡ଼ି ଦେଇଥିଲେ । ସେଥିରୁ ବୀରଭଦ୍ର ନାମକ ଏକ ଭୟଙ୍କର ପିଶାଚର ଆବିର୍ଭାବ ହେଲା; ତା’ର ମସ୍ତକ ନିଜର ଉଚ୍ଚତାରେ ସ୍ଵର୍ଗକୁ ସ୍ପର୍ଶ କରୁଥିଲା, ସିଏ କଳା ମେଘଟାଏ ପରି ଦେଖା ଯାଉଥିଲା । ଏକ ହଜାର ହାତ, ନିଆଁପରି ଜଳୁଥିବା ତିନିଟା ଆଖି ଏବଂ ମୁଣ୍ଡାରେ ନିଆଁରଙ୍ଗର କେଶ । ଗଳାରେ ଖପୁରିର ମାଳ ଏବଂ ହାତମାନଙ୍କରେ ଭୟଙ୍କର ଅସ୍ତ୍ରମାନ-। ସେହ ପିଶାଚ ଶିବଙ୍କୁ ପ୍ରଣାମ କରି ଆଦେଶ ପାଇଁ ଅପେକ୍ଷା କରି ରହିଲା । ଶିବ ଆଦେଶ ଦେଲେ: “ତୁ ମୋ’ର ବାହିନୀକୁ ଦକ୍ଷ ରାଜାଙ୍କର ଦରବାରକୁ ନେଇ ତାଙ୍କର ଯଜ୍ଞକୁ ନଷ୍ଟ କରିଦେବୁ; ବ୍ରାହ୍ମଣମାନଙ୍କୁ କୌଣସି ଭୟ କରିବୁ ନାହିଁ । କାରଣ ତୁ ତ ମୋ’ର ଏକ ଅଂଶ ବ୍ୟତୀତ ଭିନ୍ନ କିଛି ନୋହୁ ।” ସେହି ଭୟାନକ ପିଶାଚ ଶିବଗଣଙ୍କୁ ନେଇ ତତ୍‍କ୍ଷଣାତ୍ ଦକ୍ଷରାଜାଙ୍କର ଯଜ୍ଞସଭାରେ ଯାଇ ପହଞ୍ଚି ଯାଇଥିଲା, ସିଏ ତୋଫାନବେଗରେ ହିଁ ସେଠାକୁ ଉଡ଼ି ଯାଇଥିଲା । ସେମାନେ ଏକାଠି ମାରା ଯଜ୍ଞର ଘଟଗୁଡ଼ିକୁ ଭାଙ୍ଗିଦେଲେ, ନୈବେଦ୍ୟଗୁଡ଼ିକୁ ମାରା କରି ଦେଇଥିଲେ ଏବଂ ଯାଜକମାନଙ୍କୁ କୁତ୍ସିତ ଭାବରେ ଗାଳି ଅପମାନ ଦେଲେ । ପରିଶେଷରେ ବୀରଭଦ୍ର ଦକ୍ଷଙ୍କର ମସ୍ତକଛେଦନ କରିଥିଲା, ସେ ଇନ୍ଦ୍ରଙ୍କ ଉପରେ ଠିଆ ହୋଇଗଲେ, ଯମଙ୍କର ଦଣ୍ଡଙ୍କୁ ଭାଙ୍ଗିଦେଲା, ଦେବତାମାନଙ୍କୁ ନେଇ ଏଣେ ତେଣ କଚାଡ଼ି ଦେଇଥିଲା ଏବଂ ତା’ପରେ ଯାଇ କୈଳାଶକୁ ଫେରିଗଲେ । ସେଠାରେ ଶିବ ପୂର୍ବପରି ଅଟଳ ହୋଇ ବସି ରହିଥିଲେ; ଗଭୀର ଚିନ୍ତାରେ ମୁଗ୍ଧ ହୋଇ ରହିଥିଲେ; ଇତି ମଧ୍ୟରେ ଯାହାସବୁ ଘଟି ଯାଇଥିଲା, ସେହି ବିଷୟରେ ସମ୍ପୂର୍ଣ୍ଣ ବିସ୍ତୃତ ହୋଇ ଯାଇଥିଲେ ।

 

ପରାଜିତ ଦେବତାମାନେ ବ୍ରହ୍ମାଙ୍କୁ ଭେଟି ତାଙ୍କର ପରାମର୍ଶ ଲୋଡ଼ିଥିଲେ । ବ୍ରହ୍ମା ଓ ବିଷ୍ଣୁ ଯଜ୍ଞରେ ଯୋଗ ଦେବାକୁ ଆସିନଥିଲେ, କାରଣ, ସେଠାରେ ଯାହାସବୁ ଘଟିବ, ସୋମାନେ ତାହା ପୂର୍ବରୁ ହିଁ ଜାଣି ପାରିଥିଲେ । ବର୍ତ୍ତମାନ ବ୍ରହ୍ମା ଶିବଙ୍କ ସହିତ ଶାନ୍ତି କରିନେବା ନିମନ୍ତେ ପରାମର୍ଶ ଦେଇଥିଲେ, କାରଣ ସିଏ ତ ଇଚ୍ଛା କଲେ ସାରା ବ୍ରହ୍ମାଣ୍ଡକୁ ହିଁ ଧ୍ଵଂସ କରିଦେଇ ପାରିବେ-! ବ୍ରହ୍ମା ସ୍ୱୟଂ ସେମାନଙ୍କ ସହିତ କୈଳାଶ ଯାତ୍ରା କଲେ । ସେତେବେଳେ ଶିବ କିନ୍ନରମାନଙ୍କର ସୁରଭି ବନରେ ଧ୍ୟାନନିମଗ୍ନ ହୋଇ ବସିଥାନ୍ତି, ଏକଶହ ଯୋଜନ ଉଚ୍ଚତାବିଶିଷ୍ଟ ଗୋଟିଏ ଅଶ୍ଵତ୍ଥବୃକ୍ଷର ମୂଳରେ ଉପବିଷ୍ଟ ଥାଆନ୍ତି,–ବୃକ୍ଷଟିର ଶାଖାଗୁଡ଼ିକ ଚତୁର୍ଦ୍ଦିଗକୁ ଚାଳିଶି ଯୋଜନ ଆକ୍ରାନ୍ତରେ ବିସ୍ତାରି ରହିଥାଏ । ଦକ୍ଷରାଜାଙ୍କର ଦୋଷମାର୍ଜନା କରିବା ସକାଶେ ବ୍ରହ୍ମା ଶିବଙ୍କୁ ପ୍ରାଥର୍ନା କଲେ, ଆହତ ଦେବ ତଥା ଋଷିମାନଙ୍କର ଅଙ୍ଗ ପ୍ରତ୍ୟଙ୍ଗ ଗୁଡ଼ିକୁ ମଧ୍ୟ ଯୋଡ଼ି ଦେବା ପାଇଁ ତାଙ୍କୁ ଅନୁରୋଧ କଲେ । କାରଣ, ସେ କହିଥିଲେ, “ଯଜ୍ଞରେ ନୈବେଦ୍ୟରୂପେ ଯାହାକିଛି ଅର୍ପିତ ହୋଇଛି, ସବୁ ତ ଆପଣଙ୍କୁ ହିଁ ନିବେଦିତ ହୋଇଛି । ତେଣୁ, ଆପଣ ସେଗୁଡ଼ିକୁ ଗ୍ରହଣ କରନ୍ତୁ ଏବଂ ଯଜ୍ଞଟି ସମାପ୍ତ ହେବାପାଇଁ ଅନୁମତି ପ୍ରଦାନ କରନ୍ତୁ ।” ଏକଥା ଶୁଣି ଶିବ ଉତ୍ତର ଦେଇଥିଲେ: “ଦକ୍ଷ କୌଣସି କ୍ଷୁଦ୍ର ବାଳକ ନୁହନ୍ତି । ମୁଁ ତାଙ୍କୁ ଜଣେ ଅପରାଧୀ ବୋଲି ବିଚାର କରୁନାହିଁ । ଅବଶ୍ୟ ତାଙ୍କର ମସ୍ତକ ଅଗ୍ନିଦ୍ଵାରା ଜଳି ଯାଇଛି, ମୁଁ ସେଥିରେ ଏକ ଛାଗଳର ମସ୍ତକ ଆଣି ଯୋଡ଼ିଦେବି । ଏବଂ, ଭାଙ୍ଗିରୁଜି ଯାଇଥିବା ଅଙ୍ଗପ୍ରତ୍ୟଙ୍ଗମାନେ ମଧ୍ୟ ଯୋଡ଼ି ହୋଇଯିବେ-।” ତହୁ ଦେବତାମାନେ ଶିବଙ୍କର କୋମଳ ଆଚରଣ ପାଇଁ ତାଙ୍କୁ ଧନ୍ୟବାଦ ଦେଲେ ଓ ଯଜ୍ଞ ସ୍ଥଳକୁ ଆସିବା ନିମନ୍ତେ ତାଙ୍କୁ ନିମନ୍ତ୍ରଣ ଜଣାଇଥିଲେ । ସେଠାରେ ଦକ୍ଷ ତାଙ୍କୁ ସମୁଚିତ ସମ୍ମାନ ପ୍ରଦର୍ଶନ କଲେ, ଯଜ୍ଞ ବିହିତ ଭାବରେ ଅନୁଷ୍ଠିତ ହେଲା । ବିଷ୍ଣୁ ମଧ୍ୟ ଗରୁଡ଼ ଉପରେ ଆରୂଢ଼ ହୋଇ ସେଠାରେ ପହଞ୍ଚିଥିଲେ । ସେ ଦକ୍ଷଙ୍କୁ ଉଦ୍ଦେଶ୍ୟ କରି କହିଥିଲେ: “କେବଳ ଅଜ୍ଞାନମାନେ ହିଁ ମୋତେ ଏବଂ ଶିବଙ୍କୁ ଭିନ୍ନ ବୋଲି ବିଚାର କରନ୍ତି । ଶିବ, ମୁଁ ତଥା ବ୍ରହ୍ମା,–ଆମେ ଗୋଟିଏ; କେବଳ ବିଶ୍ଵବ୍ରହ୍ମାଣ୍ଡର ସୃଷ୍ଟି, ସ୍ଥିତି ଓ ବିନାଶପାଇଁ ଆମେ ଭିନ୍ନ ନାମଗୁଡ଼ିକୁ ଧାରଣ କରିଥାଉ-। ତ୍ରିମୂର୍ତ୍ତିରୂପେ ଆମେ ସକଳ ପ୍ରାଣୀଙ୍କ ମଧ୍ୟରେ ବିରାଜମାନ କରୁ ଏବଂ ସେହି କାରଣରୁ ହିଁ ଜ୍ଞାନୀମାନେ ଅନ୍ୟ ସମସ୍ତଙ୍କୁ ମଧ୍ୟ ନିଜ ସହିତ ଅଭେଦ ବୋଲି ଦେଖୁଥାନ୍ତି ।”

 

ଏହାପରେ ସକଳ ଦେବତା ଏବଂ ଋଷି ଶିବ, ବିଷ୍ଣୁ ତଥା ବ୍ରହ୍ମାଙ୍କୁ ଅଭିବାଦନ ଜଣାଇଲେ ଏବଂ ନିଜନିଜର ସ୍ଥାନକୁ ଗମନ କରିଥିଲେ । ମାତ୍ର ଶିବ କୈଳାଶକୁ ଫେରିଲେ, ପୁନର୍ବାର ଆପଣାର ସ୍ଵପ୍ନରେ ମଗ୍ନ ହୋଇଗଲେ ।

 

ଦକ୍ଷ ଏବଂ ଶିବ

 

ଭାରତୀୟ ସାହିତ୍ୟର ଇତିହାସରେ ସର୍ବଦା ଏହିଭଳି ଘଟିଥାଏ ଯେ, ଈଶ୍ଵରତତ୍ତ୍ଵରେ ଏକ ନୂତନ ପ୍ରବାହର ଆଗମନ ଘଟିଲେ ସେହି ଅବସରରେ ବ୍ରହ୍ମାଣ୍ଡର ଉତ୍ପତ୍ତିତତ୍ତ୍ଵରେ ମଧ୍ୟ ଏକ ପୁନର୍ମୂଲ୍ୟାୟନ ବି ହୋଇଥାଏ । ଏହା ପରବର୍ତ୍ତୀମାନଙ୍କ ପାଇଁ ଏକ ସୌଭାଗ୍ୟ ଭଳି କାର୍ଯ୍ୟ କରେ, କାରଣ ସେପରି ନହେଉଥିଲେ ଅଧିକାଂଶ କ୍ଷେତ୍ରରେ ପୁରାତନ କଳ୍ପନାଗୁଡ଼ିକ ବିଷୟରେ ଆଦୌ କୌଣସି ରହସ୍ୟଭେଦ ହୋଇ ପାରୁନଥାନ୍ତା । ଦକ୍ଷରାଜାଙ୍କର କାହାଣୀଟିକୁ ମଧ୍ୟ ଆମେ ସେହିପରି ଏକ ଦୃଷ୍ଟାନ୍ତରୂପେ ଗ୍ରହଣ କରି ପାରିବା । ଆର୍ଯ୍ୟ ତଥା ସଂସ୍କୃତପ୍ରଧାନ ମତଗୁଡ଼ିକର ପକ୍ଷଟି ଅନୁମାନ କରୁଥିଲା ଯେ, ସ୍ଥଳ ଭାବରେ କହିଲେ ବ୍ରହ୍ମା ହିଁ ବ୍ରହ୍ମାଣ୍ଡଗୁଡ଼ିକର ସୃଷ୍ଟିକର୍ତ୍ତା ରହି ଆସିଥିଲେ । ମାତ୍ର, ଯେଉଁମାନେ ତାଙ୍କୁ ପବିତ୍ର ବୋଲି ଗ୍ରହଣ କରୁଥିଲେ, ଆମେ ଅବଶ୍ୟ ସ୍ମରଣ ରଖିବା ଯେ, ସେମାନଙ୍କ ମଧ୍ୟରେ ମନ୍ଦ ଏହି ଭୌତିକ ଜଗତରେ ହିଁ ଅନ୍ତର୍ନିହିତ ରହିଛି ଓ ଜଗତରେ ସତ୍ୟ ଓ ମାୟା ଭିନ୍ନ ଭିନ୍ନ ହୋଇ ରହିଛି ବୋଲି ଏକ ଦର୍ଶନ ବିକଶିତ ହୋଇ ଆସିଲା । ଏବଂ, ଏହି ତତ୍ତ୍ଵଟି ଅଧିକ ଦୃଢ଼ ହୋଇ ଆସିବା ସହିତ ଶିବ ବା ମହାଦେବ ନାମରେ ଅଧ୍ୟାତ୍ମଜ୍ଞାନର ଏକ ଠୁଳ କଳ୍ପନା କ୍ରମେ ଲୋକପ୍ରିୟ ବି ହୋଇ ଆସିଥିଲା । ତେବେ, ଏହିସବୁ ଦିବ୍ୟକଳ୍ପନା ଗୁଡ଼ିକର ବିଶ୍ଵବିକାଶର କ୍ରମରେ କ’ଣସବୁ ଭୂମିକା ହୋଇ ପାରିଥାନ୍ତା ? ଏହି ପ୍ରକାରର ଏକ ଜଗତରେ ଭଲ ମନ୍ଦକୁ ଜନ୍ମ ଦେଉଥିଲା, ମନ୍ଦ ଭଲକୁ ଜନ୍ମ ଦେଉଥିଲା ଓ ମନ୍ଦ ନଥାଇ ଭଲର କଳ୍ପନାକୁ କେବଳ ଏକ ଶବ୍ଦଗତ ବିରୋଧାଭାସ ବୋଲି ବିଚାର କରା ଯାଉଥିଲା । ଏଣୁ, କିପରି ମହାଦେବଙ୍କୁ ଏପରି କୌଣସି ବିନାଶକାରୀ କିଛି ଲାଗି ଦାୟୀ କରାଯାଇ ପାରନ୍ତା ? ତେଣୁ, କିପରି ମହାଦେବଙ୍କୁ ଏପରି କୌଣସି ବିନାଶକାରୀ କିଛି ଲାଗି ଦାୟୀ କରାଯାଇ ପାରନ୍ତା ? ତାହା ଆଦୌ ସମ୍ଭବ ହୁଅନ୍ତା ନାହିଁ । ତେଣୁ, ଏପରି ଏକ ଆଖ୍ୟାନ ରଚାଗଲା ଯେ, ମନୁଷ୍ୟମାନଙ୍କର ଆଦି-ଜନକ ରୂପେ ବ୍ରହ୍ମା ସର୍ବପ୍ରଥମେ ଚାରିଜଣ ସୌନ୍ଦର୍ଯ୍ୟବାନ୍ ଯୁବକଙ୍କୁ ସୃଷ୍ଟି କରିଥିଲେ ଏବଂ ସେମାନେ ମାନସରୋବର ହ୍ରଦ କୂଳରେ ଏକଦା ଉପାସନା ନିମନ୍ତେ ଉପବିଷ୍ଟ ରହିଥିଲେ । ହଠାତ୍ ଗୋଟିଏ ବୃହତ୍ ହଂସର ଆକାର ଗ୍ରହଣ କରି,–ପରମହଂସ କଳ୍ପନାଟି ଏଇଥିରୁ ପରେ ଉଦ୍ଭୂତ ହେଲା ଏବଂ ତାହା ଏକ ମୁକ୍ତିଲାଭ କରିଥିବା ଆତ୍ମାକୁ ବୁଝାଇଲା,–ସେଠାରେ ଏଣେ ତେଣେ ସନ୍ତରଣ କରିବାକୁ ଲାଗିଲା,–ସେହି ଚାରି ଯୁବକଙ୍କୁ ସତର୍କ କରିଦେଇ କହିଥିଲା ଯେ ସେମାନଙ୍କୁ ବେଷ୍ଟନ କରି ରହିଥିବା ପୃଥିବୀ ହେଉଛି କେବଳ ମାୟା, କେବଳ ଏକ ବନ୍ଧନ ଏବଂ ପିତା ହେବା ନିମନ୍ତେ ଅସମ୍ମତ ହୋଇପାରିଲେ ଯାଇ ସେମାନେ ସେଥିରୁ ନିଷ୍କୃତି ଲାଭ କରି ପାରିବେ । ଯୁବକଗଣ ଏକଥା ଶୁଣିଥିଲେ, ବୁଝି ମଧ୍ୟ ପାରିଲେ ଏବଂ ଧ୍ୟାନାବସ୍ଥିତ ହୋଇ ସେହି ହ୍ରଦର କୂଳରେ ବସି ରହିଲେ । ସେମାନେ ଜଗତ୍ସୃଜନର ଆଉ କୌଣସି କାର୍ଯ୍ୟରେ ଲାଗି ପାରିଲେ ନାହିଁ । ଏଣୁ, ବ୍ରହ୍ମା ଅଷ୍ଟ ପ୍ରଜାପତିଙ୍କୁ ସୃଷ୍ଟି କଲେ ଏବଂ ସେହିମାନଙ୍କ ଠାରୁ ହିଁ ଜଗତନାମକ ଏହି ଜଟିଳତାଟି ଜନ୍ମଲାଭ କରିଥିଲା ।

 

ଭାରତବର୍ଷରେ ବିଚାରଗୁଡ଼ିକର ଇତିହାସକୁ ହିଁ ଏକମାତ୍ର ଇତିହାସ ରୂପେ ଅନୁଧାବନ କରାଯାଇ ପାରିବ; କିନ୍ତୁ ତାହାଦ୍ୱାରା ଏକ ବିସ୍ମୟକାରୀ ପୂର୍ବାପରତାରେ ବହୁତକିଛି ସୃଷ୍ଟି ହୋଇ ଆସିବ । ବ୍ରହ୍ମା ପ୍ରଜାପତିମାନଙ୍କୁ ସୃଷ୍ଟି କଲେ ବୋଲି କୁହା ହୋଇଥିବା ଏହି କାହାଣୀଟିରେ ସୃଷ୍ଟିର ସମ୍ଭବକ୍ରମରେ ଶିବ ଗ୍ରହଣ କରିଥିବା ଭୂମିକାଂଶଟିକୁ ଦର୍ଶାଇଦେବା ହିଁ ସ୍ପଷ୍ଟତଃ ପ୍ରଧାନ ଅଭିପ୍ରାୟ ହୋଇ ରହିଛି ଏବଂ ଏହାଦ୍ଵାରା ଆମେ ସ୍ପଷ୍ଟତଃ ଏକ ଅଧିକ ପ୍ରାଚୀନ ବିଶ୍ଵତତ୍ତ୍ଵ ମଧ୍ୟରେ ହିଁ ପ୍ରବିଷ୍ଟ ହୋଇ ଯାଉଛୁ । ଏବଂ, ସେହି ପୁରାଣକଳ୍ପନାଟିର ଦେବତାମାନେ ଯେ ପୂର୍ବାପେକ୍ଷା ଅଧିକ ନୈତିକ ତଥା ଆଧ୍ୟାତ୍ମିକ ପରିକଳ୍ପନାର ଏକ ନୂତନ ଧାରା ମଧ୍ୟରେ ଆସି ପ୍ରବେଶ କରୁଛନ୍ତି, କାହାଣୀଟିରେ ଆମେ ଆହୁରି ଆଗକୁ ଯାଇ ତାହାର ଏକ ପ୍ରତୀପ-ସତ୍ୟରେ ମଧ୍ୟ ଉପଗତ ହୋଇ ଯାଇ ପାରୁଛୁ-। ଜଣେ ପ୍ରଜାପତିଙ୍କର ଗୋଟିଏ ଦୃଢ଼ ବିଶ୍ଵାସ ରହିଛି ଯେ,–ଏକ ନୂତନ ସୃଷ୍ଟିରେ ଏହା ଅବଶ୍ୟ ଅସଙ୍ଗତ ଲାଗିବ, ତଥାପି ଅତ୍ୟନ୍ତ ପୁରୋଭାଗରେ ରହିଥିବାରୁ ତାଙ୍କ କ୍ଷେତ୍ରରେ ଅସ୍ଵାଭାବିକ ମନେ ହେବନାହିଁ,–ସିଏ ହେଉଛନ୍ତି ସକଳ ମନୁଷ୍ୟ ତଥା ଦେବଗଣଙ୍କର ସର୍ବୋଚ୍ଚ ପରମ ନିୟାମକ ଏବଂ ମର୍ଯ୍ୟାଦାଗୁଡ଼ିକୁ ଉପେକ୍ଷା କରୁଛନ୍ତି ବୋଲି ସେ ଅତ୍ୟନ୍ତ ବିଚଳିତ ଏବଂ ରୁଷ୍ଟ ହୋଇ ପଡ଼ୁଛନ୍ତି-। ଏବଂ, ଏଡ଼େ ସହସା ଅପମାନଟି ଏତେ ଅପ୍ରତ୍ୟାଶିତ ଭାବରେ ଘଟିଥିବାରୁ ଆମକୁ ଆଉ ଏକ ଇଙ୍ଗିତ ବି ମିଳିଯାଉଛି ଯେ, ଆମେ ଏହି କ୍ଷେତ୍ରରେ ହିନ୍ଦୁ ଦେବତା କଳ୍ପନା ମଧ୍ୟକୁ ଏକ ପୁରାତନ ଅଥଚ ଚିରନ୍ତନ ଭାବରେ ନୂତନ ଗୋଟିଏ ଉପାୟଦ୍ଵାରା ନିଜ ପରିବାରଟିର ପରିଧି ମଧ୍ୟକୁ ଅନ୍ତର୍ଭୁକ୍ତ କରିନେବାକୁ ପଡ଼ିବ । ଦକ୍ଷ ନାମକ ସେହି ଜ୍ୟେଷ୍ଠ ପ୍ରଜାପତି ଆପଣାର ଆହତ ଗର୍ବବୋଧ ଦ୍ଵାରା ପରିଚାଳିତ ହୋଇ ମହାଦେବ ଶିବଙ୍କ ବିରୁଦ୍ଧରେ ଏକ ଭୀଷଣ କଳହରେ ଅବତୀର୍ଣ୍ଣ ହେବାକୁ ପଡ଼ିବ ବୋଲି ଚିନ୍ତା କରୁଛନ୍ତି । କିନ୍ତୁ, ଦକ୍ଷଙ୍କର ସତୀ ନାମରେ ଏକ କନ୍ୟା ଅଛନ୍ତି, ଯାହାଙ୍କୁ କି ନାରୀସୁଲଭ କୋମଳତା ଏବଂ ଆନୁଗତ୍ୟର ଏକ ସାକ୍ଷାତ ଅବତାର ବୋଲି କୁହାଯିବ । ସେହି ମହାଦେବଙ୍କର ଉପାସନା ତଥା ପ୍ରେମଭାବରେ ତାଙ୍କର ସମସ୍ତ ଆତ୍ମା ଗୋପନରେ ସମର୍ପିତ ହୋଇ ରହିଛି । ସିଏ ହେଉଛନ୍ତି ବର୍ତ୍ତମାନ ତାଙ୍କ ବାପାଙ୍କର ସର୍ବକନିଷ୍ଠା ଅବିବାହିତା କନ୍ୟା, ଏବଂ ତେଣୁ ବିବାହର ଉଦ୍ୟମଗୁଡ଼ିକରେ ଅଧିକ ବିଳମ୍ବ ଘଟିବା ଆଦୌ ବିଧେୟ ନୁହେଁ । ତେଣୁ, ଏକ ସ୍ଵୟମ୍ବରର ଘୋଷଣା କରାଯାଉଛି, ପ୍ରାର୍ଥୀ ହେବାର ଉପଯୁକ୍ତ ଦେବତା ଏବଂ ରାଜକୁମାରମାନଙ୍କର ନିମନ୍ତେ ନିମନ୍ତ୍ରଣ ଯାଉଛି । କେବଳ ଶିବଙ୍କୁ ହିଁ ଡକା ଯାଇନାହିଁ ଏବଂ ଏଣେ ସେହି ଶିବଙ୍କଠାରେ ସତୀଙ୍କର ସମସ୍ତ ହୃଦୟ ସମର୍ପିତ ହୋଇ ରହିଛି-। ବରଣମାଳା ସହିତ ସ୍ଵୟମ୍ବର ମଣ୍ଡପକୁ ଆସିବା ଉତ୍ତାରୁ ସତୀ ଏକ ଶେଷ ନିବେଦନ କରୁଛନ୍ତି: “ଯଦି ମୁଁ ପ୍ରକୃତରେ ସତୀ ହୋଇଥିବି, ତେବେ ହେ ଶିବ, ଏହି ବରଣମାଳାକୁ ଆପଣ ହିଁ ଗ୍ରହଣ କରିବେ ।” ମାଳାଟିକୁ ସେ ଶୂନ୍ୟକୁ ନିକ୍ଷେପ କରି ଦେଉଛନ୍ତି ଓ ତତ୍‍କ୍ଷଣାତ୍ ବରଣମାଳା କଣ୍ଠରେ ଶିବ ଆସି ସେଠାରେ ପହଞ୍ଚି ଯାଉଛନ୍ତି । ତା’ପରେ ଯାହାସବୁ ଘଟଣା ଘଟିଥିଲା, ଆଗରୁ ତାହା ବର୍ଣ୍ଣିତ ହୋଇ ସାରିଛି ।

 

ଦେବ ଗୋଷ୍ଠୀର ଏହି ନୂତନ ଆଗନ୍ତୁକଙ୍କ ସହିତ ପୂର୍ବତନ ସୃଷ୍ଟିକର୍ତ୍ତାଙ୍କର କନ୍ୟାର ଏହି ପରିଣୟକାହାଣୀଟି ସଂପ୍ରତି ଅତ୍ୟନ୍ତ ପ୍ରାଚୀନ ହୋଇଥିବାରୁ, ଏଥିରେ କୌଣସି ସନ୍ଦେହ ନାହିଁ ଯେ, ସେତେବେଳେ ଦକ୍ଷଙ୍କର ବୟସ ଖୁବ୍ ବେଶୀ ହୋଇ ଯାଇଥିଲା ଏବଂ ନିଜର ସେହି ଛାଗଳମସ୍ତକଟିକୁ ଲାଭ କରିଥିବାର ମୂଳ କାହାଣୀଟିକୁ ନିଶ୍ଚୟ ଭୁଲି ସାରିଥିବେ । ଏବଂ ତେଣୁ, ଶିବଙ୍କୁ ଗ୍ରହଣ କରିଥିବା ପୃଥିବୀଟି ସକାଶେ ତାହାର ଏକ ବ୍ୟାଖ୍ୟା ଦେବା ଅବଶ୍ୟ ଆବଶ୍ୟକ ହୋଇଥିବ ।” ବୁଦ୍ଧଜନ୍ମର ପୂର୍ବତନ ଯୁଗଟିରେ ଶିବ ହୁଏତ ଯଥେଷ୍ଟ ପରିମାଣରେ ପରିଚିତ ହୋଇ ସାରିଥିବେ, ମାତ୍ର ସମଗ୍ର ଭାରତବର୍ଷରେ ସେହି ଧର୍ମର ପ୍ରଚାର ହୋଇ ଲୋକମାନଙ୍କୁ ଇତିମଧ୍ୟରେ ଏପରି ପ୍ରଶିକ୍ଷିତ କରାଇ ଆଣିଥିବ ଯେ, ସେମାନେ ନିଜର ଦେବତାମାନଙ୍କୁ କେବଳ ବିଶ୍ଵଗତ ଶକ୍ତିଚୟର ଗୋଟିଏ ଗୋଟିଏ ସ୍ତୂପବତ୍ ନହୋଇ ସେମାନଙ୍କଠାରେ ନୈତିକ ତଥା ଆଧ୍ୟାତ୍ମିକ ଗୁଣଗୁଡ଼ିକର ଆରୋପ କରାଯାଉ ବୋଲି ଦାବୀ କରିଥିବେ । ଏବଂ, ହୁଏତ ଏପରି ମଧ୍ୟ ମନେ ହେବ ଯେ, ସେମାନେ ଦକ୍ଷଙ୍କର କଳ୍ପନା ସହିତ ଏକଦା ଆରୋପିତ ହୋଇ ରହିଥିବା ତାତ୍ପର୍ଯ୍ୟଟିକୁ ମଧ୍ୟ ପାସୋରି ଦେଇଥିବେ ।

 

ପ୍ରାଚୀନତର ଆଖ୍ୟାନଗୁଡ଼ିକରୁ ସୂଚନା

 

ଏହି ପବିତ୍ର ନାଟକଟିର ପରବର୍ତ୍ତୀ ଅଙ୍କରେ ଆହୁରି ଅଧିକ ପ୍ରାଚୀନ କିଛିର ମଧ୍ୟ ସଙ୍କେତ ମିଳି ଯାଇଥାଏ, ଯେତେବେଳେ ଶିବ ଦୁଃଖରେ ଅଭିଭୂତ ହୋଇପଡ଼ି ସତୀଙ୍କର ମୃତ ଦେହଟିକୁ ପିଠିରେ ବୋହି ସବୁକିଛିକୁ ଧ୍ଵଂସ କରିଦେବେ ବୋଲି ପୃଥିବୀକୁ ବାହାରି ପଡ଼ିଥିଲେ । ମାଟି ଶୁଷ୍କ ହୋଇଗଲା, ଉଦ୍ଭିଦମାନେ କ୍ଷୟ ହୋଇ ଆସିଲେ ଓ ଆଦୌ କୌଣସି ଫସଲ ଫଳି ନଥିଲା । ମହାଦେବ ଦୁଃଖରେ କୈଳାଶକୁ ପ୍ରସ୍ଥାନ କଲେ ଏବଂ ପୁନର୍ବାର ନିଜର ଅଖଣ୍ଡ ଧ୍ୟାନରେ ମଗ୍ନ ହୋଇ ରହିଥିଲେ । କିନ୍ତୁ, ସତୀଙ୍କର ଦେହ ବାଉନଟି ଖଣ୍ଡରେ କାଟି ହୋଇ ଯାଇଥିଲା ଏବଂ, ଯେଉଁଠାରେ ସେଥିରୁ ଖଣ୍ଡେ ଲେଖାଏଁ ଭୂଇଁରେ ଯାଇ ପତିତ ହେଲା, ସେଠାରେ ମାତୃ-ଉପାସନାର ଗୋଟିଏ ଗୋଟିଏ ମନ୍ଦିରର ପ୍ରତିଷ୍ଠା ହୋଇଗଲା ଏବଂ ଉପାସନା ନିମନ୍ତେ ଶିବ ହିଁ ନିଜକୁ ସେହି ସ୍ଥାନରକ୍ଷାକାରୀ ରୂପେ ପ୍ରତିଷ୍ଠିତ କରି ରଖିଥିଲେ ।

 

ଆମେ ଜାଣୁ ଯେ,ଏହି ଦେବୀମାନଙ୍କର କଳ୍ପନା ହେଉଛି ସକଳ ଦେବତା-କଳ୍ପନାଠାରୁ ଅନେକ ଅଧିକ ପୁରାତନ, ଏବଂ ଅତୀବ କୌତୁହଳର ବିଷୟ ଯେ, ମିଶର ଦେଶର ଅଧିକ ପ୍ରାଚୀନ କାହାଣୀଗୁଡ଼ିକରେ ମଧ୍ୟ ନାରୀକୁ ହିଁ ସକ୍ରିୟ ଭୂମିକାରେ ଆଣି ଦର୍ଶାଯାଇଛି; ସେଠାରେ ନାରୀ ପୁରୁଷର ମୃତ ଶରୀରକୁ ପିଠିରେ ଆଣି ବୋହିଛି । ଅପେକ୍ଷାକୃତ ଅଧିକ ପରବର୍ତ୍ତୀ କାଳର ଶିବ ଓ ସତୀଙ୍କର ଏହି କଥାଟିରେ ସ୍ଵାମୀ ତାଙ୍କ ପତ୍ନୀଙ୍କର ସନ୍ଧାନରେ ଯାଇଛନ୍ତି ଓ ତାଙ୍କୁ ନିଜ ପିଠିରେ ବହନ କରିଛନ୍ତି ।

 

ଉମା

 

ତା’ପରେ ସତୀ ହିମାଳୟ ପର୍ବତରାଜର କନ୍ୟାରୂପେ ଜନ୍ମଗ୍ରହଣ କଲେ; ତାଙ୍କର ନାମ ଉମା ହେଲା ତଥା ଜନ୍ମବେଳରୁ ହିଁ ହୈମବତୀ ବୋଲି ଉପନାମଟିଏ ମଧ୍ୟ ରହିଥିଲା । ତାଙ୍କର ଆଉଗୋଟିଏ ନାମ ପାର୍ବତୀ ଅର୍ଥାତ୍ ପର୍ବତର କନ୍ୟା । ଗଙ୍ଗା ହେଉଛନ୍ତି ତାଙ୍କର ବଡ଼ଭଉଣୀ । ବାଲ୍ୟକାଳରୁ ହିଁ ଉମା ଶିବଙ୍କ ପ୍ରତି ଅନୁରକ୍ତା ଥିଲେ ଏବଂ ଶିବଲିଙ୍ଗର ସମ୍ମୁଖରେ ଫୁଲ ଓ ଫଳର ନିବେଦନ କରି ପ୍ରଦୀପ ଜାଳିବା ନିମନ୍ତେ ସେ ରାତିରେ ମଧ୍ୟ ଗୋପନରେ ବାହାରି ଯାଉଥିଲେ । ସିଏ ଏକଦା ଅବଶ୍ୟ ମହାଦେବଙ୍କର ପତ୍ନୀ ହେବେ ବୋଲି ଜଣେ ଦେବତା ମଧ୍ୟ ଦିନେ ଭବିଷ୍ୟତବାଣୀ କରି କହିଥିଲେ । ଏଥିରେ ପିତା ମଧ୍ୟ ଉତ୍ସାହିତ ହୋଇ ପଡ଼ିଥିଲେ ଏବଂ କନ୍ୟାର ବିବାହସମ୍ବନ୍ଧଟି ଯଥାଶୀଘ୍ର ସ୍ଥାପିତ ହୋଇ ଯିବାଲାଗି ବ୍ୟଗ୍ରତା ପ୍ରକାଶ କଲେ । ମାତ୍ର କିଛିହେଲେ କରାଯାଇ ପାରିଲା ନାହିଁ; କାରଣ ଶିବ ଗଭୀର ଭାବରେ ଧ୍ୟାନମଗ୍ନ ହୋଇ ବସିଥିଲେ, ଘଟୁଥିବା ଯାବତୀୟ ଘଟଣାକୁ କିଛି ଜାଣୁ ନଥିଲେ ଏବଂ ଆପଣାର ସକଳ କ୍ରିୟାକୁ ଅନ୍ତର୍ମୁଖୀ କରି ରଖିଥିଲେ । ଉମା ଯାଇ ତାଙ୍କର ସେବାକାରିଣୀ ହୋଇ ରହିଲେ, ତାଙ୍କର ଯାବତୀୟ ଆବଶ୍ୟକତାର ତତ୍ତ୍ଵ ହେଲେ ମାତ୍ର ତାଙ୍କର ତପସ୍ୟାଭଙ୍ଗ କରି ପାରିଲେ ନାହିଁ କିମ୍ବା ତାଙ୍କର କାମ ଜାଗ୍ରତ କରି ପାରିଲେ ନାହିଁ ।

 

ସେହି ସମୟରେ ତାରକ ନାମକ ଗୋଟିଏ ଭୟଙ୍କର ରାକ୍ଷସ ଦେବତା ତଥା ପୃଥିବୀକୁ ଅତ୍ୟନ୍ତ ଉତ୍ପୀଡ଼ିତ କରି ରଖିଥିଲା, ଋତୁଗୁଡ଼ିକୁ ଭ୍ରଷ୍ଟ କରି ପକାଉଥିଲା ଏବଂ ଯଜ୍ଞାନୁଷ୍ଠାନ ଗୁଡ଼ିକୁ ନଷ୍ଟ କରୁଥିଲା । ଦେବତାମାନେ ମଧ୍ୟ ତାକୁ ପରାସ୍ତ କରି ପାରୁନଥିଲେ, କାରଣ କୌଣସି ବିଗତ ଯୁଗରେ ଆପଣାର ଘୋର ତପସ୍ୟା ଦ୍ଵାରା ସିଏ ବ୍ରହ୍ମାଙ୍କ ଠାରୁ ବର ପାଇ ନିଜର ପ୍ରଭୂତ ଶକ୍ତିକୁ ଲାଭ କରି ପାରିଥିଲା । ତେଣୁ, ଦେବତାମାନେ ସେହି ବ୍ରହ୍ମାଙ୍କ ପାଖକୁ ଯାଇ ତାଙ୍କର ସାହାଯ୍ୟଭିକ୍ଷା କରିଥିଲେ । ବ୍ରହ୍ମା ବୁଝାଇ କହିଲେ ଯେ, ସିଏ ସ୍ଵୟଂ ଯେତେବେଳେ ରାକ୍ଷସକୁ ଏହି ଅତୁଳ ଶକ୍ତି ପ୍ରଦାନ କରିଛନ୍ତି, ବର୍ତ୍ତମାନ ନିଜେ ଯାଇ ତା’ ସହିତ ଯୁଦ୍ଧ କରି ପାରିବେ ନାହିଁ । ମାତ୍ର, ସିଏ ପ୍ରତିଶ୍ରୁତି ଦେଇଥିଲେ ଯେ ଶିବ ଓ ପାର୍ବତୀଙ୍କର ଗୋଟିଏ ସନ୍ତାନ ଜନ୍ମଗ୍ରହଣ କରିବ, ଯିଏକି ଦେବତାମାନଙ୍କୁ ବିଜୟ ଆଶି ଦେଇପାରିବ ।

 

ତା’ପରେ ଦେବରାଜ ଇନ୍ଦ୍ର କାମଦେବଙ୍କ ପାଖକୁ ଗଲେ ଏବଂ ତାଙ୍କ ସହାୟତାର ଅତ୍ୟନ୍ତ ଆବଶ୍ୟକତା ରହିଛି ବୋଲି ତାଙ୍କୁ ବୁଝାଇ କହିଥିଲେ । କାମଦେବ ସାହାଯ୍ୟ କରିବାପାଇଁ ରାଜୀ ହେଲେ ଓ ଆପଣାର ପତ୍ନୀ ତଥା ସହଚାରିଣୀ ରତିଙ୍କ ସହିତ ଶିବ ଅବସ୍ଥାନ କରୁଥିବା ସେହି ପର୍ବତକୁ ଯାତ୍ରା କରିଥିଲେ । ସେତେବେଳେ ବସନ୍ତ ଋତୁ, ବୃକ୍ଷମାନେ ନବୀନ ପୁଷ୍ପଭାରରେ ଲଦିହୋଇ ରହିଥାନ୍ତି,–ହିମ ଚାଲି ଯାଇଥାଏ । କେବଳ ଶିବ ହିଁ ଆପଣାର ଧ୍ୟାନାବେଶ ମଧ୍ୟରେ ଅବିଚଳିତ ହୋଇ ବସିଥାନ୍ତି ।

 

ସ୍ଵୟଂ ମଦନ ମଧ୍ୟ ପାରୁନଥିଲା; ମାତ୍ର ଉମାଙ୍କର ରୂପଲାବଣ୍ୟକୁ ଦେଖି ସେ ପୁନର୍ବାର କିଞ୍ଚିତ୍ ସାହସ କଲା । ଆପଣାର ତପଶ୍ଚାରଣାରେ ଶିବ କିଞ୍ଚିତ୍ ଶିଥିଳ ହୋଇ ଆସୁଥିବା ସମୟରେ ଏବଂ ତାଙ୍କର ଉପାସନା ନିମନ୍ତେ ପାର୍ବତୀ ତାଙ୍କ ବତିକୁ ଗମନ କରୁଥିବା ସମୟରେ ସେ ଏକ ଯଥାନୁକୂଳ ଅବସର ବାଛି ନେଇଥିଲା । ସିଏ ନିଜ ଧନୁରେ ତୀରଟିଏ ଖଞ୍ଜିଦେଇ ମାରିବାକୁ ଉଦ୍ୟତ ହେଉଛନ୍ତି, ଏତିକିବେଳେ ମହାଦେବଙ୍କର ଦୃଷ୍ଟି ତାଙ୍କ ଉପରେ ଆସି ପଡ଼ି ଯାଇଥିଲା; ତତ୍‍କ୍ଷଣାତ୍ ନିଜର ତୃତୀୟ ନେତ୍ରରୁ ଶିଖାଟିଏ ପ୍ରେରଣ କରି ସେ ସମ୍ପୂର୍ଣ୍ଣ ଭାବରେ କାମଦେବଙ୍କୁ ଭସ୍ମ କରି ଦେଇଥିଲେ । ତା’ପରେ ଶିବ ସେଠାରୁ ପ୍ରସ୍ଥାନ କଲେ; କାମଦେବ ଅଚେତ ହୋଇ ପଡ଼ି ରହିଥାନ୍ତି । ପାର୍ବତୀଙ୍କୁ ମଧ୍ୟ ତାଙ୍କର ପିତା ଆସି ସେଠାରୁ ନେଇ ଯାଇଥିଲେ । ସେହି ସମୟଟି ପରେ କାମଦେବଙ୍କୁ ଅନଙ୍ଗ ବୋଲି ନୂଆ ନାମଟିଏ ଦିଆଗଲା । କାରଣ, ସେ ମରି ନଥିଲେ; ଏବଂ ଯେତେବେଳେ ରତି ନିଜ ସ୍ଵାମୀଙ୍କର ନିଧନରେ ବିଳାପ କରିବାରେ ଲାଗିଥିଲେ, ସେତେବେଳେ ଏକ ବାଣୀ ଆସି ତାଙ୍କ କାନରେ ଘୋଷଣା କରିଥିଲା, “ତୁମର ସ୍ଵାମୀ ଚିରଦିନ ଲାଗି ଚାଲିଯାଇ ନାହାନ୍ତି; ଯେତେବେଳେ ଶିବ ଉମାଙ୍କର ବିବାହ ହେବ, ସେତେବେଳେ ଶିବ ତାଙ୍କର ଆତ୍ମାରେ ପୁନର୍ବାର ତୁମ ସ୍ଵାମୀଙ୍କର ଶରୀରଟିକୁ ଆଣି ଯୋଡ଼ିଦେବେ, ଏବଂ ତାହାକୁ ହିଁ ଆପଣାର ନବବିବାହିତା ପତ୍ନୀଙ୍କୁ ଉପହାର ସ୍ଵରୂପ ପ୍ରଦାନ କରିବେ ।”

 

ପାର୍ବତୀ ଏଣେ ଆପଣାର ଏହି ବୃଥା ସୌନ୍ଦର୍ଯ୍ୟକୁ ଭର୍ତ୍ସନା କରିବାରେ ଲାଗିଥିଲେ; କାରଣ, ଯଦି କୌଣସି ପ୍ରେମାସ୍ପଦ ତଦ୍ଦ୍ଵାରା ଆକର୍ଷିତ ହୋଇ ନପାରିଲେ, ତେବେ ଏହି ରୂପସୌନ୍ଦର୍ଯ୍ୟର ଆଉ କି ପ୍ରୟୋଜନ କାହିଁକି ରହିବ ? ସିଏ ଜଣେ ସନ୍ନ୍ୟାସିନୀ ହୋଇଗଲେ ଏବଂ ନିଜ ଦେହରୁ ସକଳ ଅଳଙ୍କାରକୁ କାଢ଼ି ଦେଇ, ମୁକୁଳା କେଶ ତଥା ଜଣେ ଯତିର ବକ୍କଳବେଶରେ ଗୋଟିଏ ନିର୍ଜନ ପର୍ବତକୁ ଚାଲିଗଲେ ଏବଂ ଶିବଙ୍କୁ ଧ୍ୟାନ କରିବାରେ ରତ ରହିଥିଲେ । ତାଙ୍କର ପ୍ରିୟଭାଜନ ନାନା ତପସ୍ୟା କଲେ । ଦିନେ ଜଣେ ବ୍ରାହ୍ମଣ ଯୁବା ତାଙ୍କୁ କତି ଆସୁ ତାଙ୍କର ଅବିଚଳ ତପୋନିଷ୍ଠା ନିମନ୍ତେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । କିନୁ ଏହି ଯୌବନ ତଥା ସୌନ୍ଦର୍ଯ୍ୟକୁ ବାହାନ କରି ହୃଦୟରେ ସକଳ କାମନା ପୂରଣ ହୋଇଥିଲେ ମଧ୍ୟ ସିଏ କାହିଁକି ଆତ୍ମ-ସଞ୍ଜମର ଏପରି ଗୋଟିଏ ଜୀବନ ଯାପନ କରୁଛନ୍ତି, ବ୍ରାହ୍ମଣ ପାର୍ବତୀଙ୍କୁ ତାହାର କାରଣ ଆତ୍ମ-ସଂଯମର ଏପରି ଗୋଟିଏ ଜୀବନ ଯାପନ କରୁଛନ୍ତି, ବ୍ରାହ୍ମଣ ପାର୍ବତୀଙ୍କୁ ତାହାର କାରଣ ପଚାରିଥିଲେ । ପାର୍ବତୀ ନିଜର କାହାଣୀଟି କହିଲେ; ଯେତେବେଳେ କାମଦେବଙ୍କର ମୃତ୍ୟୁ ହୋଇ ସାରିଲାଣି, ତେଣୁ, ଏହି ଆନୁଗତ୍ୟ ଓ ସେବା ବ୍ୟତୀତ ଶିବଙ୍କର ସ୍ଵୀକୃତି ଲାଭ କରିବାର ଆଉ କୌଣସି ଉପାୟ ଦିଶୁନାହିଁ ବୋଲି ତାଙ୍କୁ ଜଣାଇଥିଲେ । ଯୁବା ବ୍ରାହ୍ମଣ ଶିବଙ୍କୁ କାମନା ନକରିବା ନିମନ୍ତେ ହିଁ ପାର୍ବତୀଙ୍କୁ ନାନାପ୍ରକାରେ ବୁଝାଇବାକୁ ଚେଷ୍ଟା କଲେ, ତାଙ୍କର ଅଶୁଭପୂର୍ଣ୍ଣ କାର୍ଯ୍ୟଗୁଡ଼ିକର କାହାଣୀଗୁଡ଼ିକୁ ବର୍ଣ୍ଣନା କଲେ; ସିଏ କିପରି ମସ୍ତକରେ ଏକ ବିଷଧର ସର୍ପକୁ ବହନ କରିଛନ୍ତି ଓ ଶିବଙ୍କର କିପରି କୁଳ ଓ ଶୀଳ ବୋଲି ଆଦୌ କିଛି ନାହିଁ,–ଇତ୍ୟାଦି ଇତ୍ୟାଦି । ଏଥିରେ ପାର୍ବତୀ କୋପାନ୍ଵିତା ହୋଇଗଲେ ଏବଂ ନିଜ ପ୍ରଭୁଙ୍କର ପକ୍ଷ ସମର୍ଥନ କରିଥିଲେ; ପରିଶେଷରେ ଘୋଷଣା କଲେ ଯେ, ଶିବଙ୍କର ସମ୍ବନ୍ଧରେ ସତ ମିଛ ଯାହା କହିଲେ ମଧ୍ୟ ତାଙ୍କର ଏହି ପ୍ରୀତି କଦାପି ବଳି ଯିବନାହିଁ । ଏହାପରେ ଯୁବକ ବ୍ରାହ୍ମଣ ଆପଣାର ଛଦ୍ମବେଶଟି ତ୍ୟାଗ କରି ନିଜର ପ୍ରକୃତ ରୂପରେ ଦେଖାଦେଲେ; ସେ ସ୍ଵୟଂ ଶିବଙ୍କ ବ୍ୟତୀତ ଆଉ ଅନ୍ୟ ନଥିଲେ,–ସିଏ ପାର୍ବତୀଙ୍କ ପ୍ରତି ଆପଣା ଶ୍ରଦ୍ଧା ନିବେଦନ କରିଥିଲେ । ପାର୍ବତୀ ଗୃହକୁ ଫେରିଆସି ପିତାଙ୍କୁ ସେହି ସୌଭାଗ୍ୟର ବୃତାନ୍ତଟିକୁ ଏବଂ ଯଥାବିଧ ବିବାହର ପୂର୍ବପ୍ରସ୍ତୁତି ଗୁଡ଼ିକ ଆରମ୍ଭ ହେଲା । ଶେଷରେ ଶୁଭ ଦିନଟି ଆସି ପହଞ୍ଚିଲା, ଶିବ ଓ ତାଙ୍କର ଭାବୀ ବଧୂ ଉଭୟେ ପ୍ରସ୍ତୁତ ହୋଇଗଲେ ଏବଂ, ଶିବ ବ୍ରହ୍ମା ଓ ବିଷ୍ଣୁଙ୍କ ସହିତ ଶୋଭାଯାତ୍ରାରେ ହିମାଳୟ ନଗରୀଟିରେ ଆସି ପହଞ୍ଚି ଯାଇଥିଲେ । ଆଣ୍ଠୁଏ ବିଚ୍ଛୁରିତ ନାନା ଫୁଲ ଭିତରେ ସେ ମାର୍ଗଟିକୁ ଅତିକ୍ରମ କରିଥିଲେ । ବିବାହ ପରେ କନ୍ୟାଙ୍କୁ ନେଇ ଶିବ କୈଳାଶକୁ ପ୍ରସ୍ଥାନ କରିଥିଲେ, ଯିବା ପୂର୍ବରୁ ଅବଶ୍ୟ ମଦନଙ୍କର ଜୀବନ୍ୟାସ କରାଇ ତାଙ୍କୁ ପତ୍ନୀ ରତିଙ୍କ ହାତରେ ସମର୍ପି ଦେଇଥିଲେ ।

 

ଗଣେଶ ହେଉଛନ୍ତି ଶିବ ଏବଂ ପାର୍ବତୀଙ୍କର ଦ୍ଵିତୀୟ ପୁତ୍ର । ଗଣେଶ ବିଦ୍ୟାର ଦେବତା ଏବଂ ସକଳ ବିଘ୍ନର ବିନାଶକର୍ତ୍ତା । ଦିନେ ଗର୍ବିଣୀ ମାଆ ସତେଅବା ବାଉଳା ହୋଇ ଯାଇଥିବା ପରି ନିଜ ସନ୍ତାନଟିକୁ ଜଗିବା ପାଇଁ ଗ୍ରହ ଶନିଙ୍କୁ ଅନୁରୋଧ କରିଥିଲେ । ମାତ୍ର, ଶନିଙ୍କର କୁଦୃଷ୍ଟି ପଡ଼ିବାରୁ ସନ୍ତାନଟିର ମସ୍ତକ ଭସ୍ମ ହୋଇ ଯାଇଥିଲା । ଏଥିରେ ପାର୍ବତୀ ବ୍ରହ୍ମାଙ୍କର ପରାମର୍ଶ ଲୋଡ଼ିଲେ ଏବଂ ବ୍ରହ୍ମା ତାଙ୍କୁ ସର୍ବପ୍ରଥମେ ଯାହାର ମସ୍ତକଟିଏ ପାଇବେ, ତାହାକୁ ଆଣି ଯୋଡ଼ିଦେବେ ସମାଧାନ ବତାଇ ଦେଇଥିଲେ । ଏବଂ, ତାହା ଗୋଟିଏ ହାତୀର ମୁଣ୍ଡ ଥିଲା ।

 

ଉମାଙ୍କର କ୍ରୀଡ଼ା

 

ହିମାଳୟରେ ଗୋଟିଏ ପବିତ୍ର ଶୃଙ୍ଗରେ ଆସୀନ ମହାଦେବ ଦିନେ ଗଭୀର ତଥା କଠୋର ଧ୍ୟାନରେ ନିମଗ୍ନ ହୋଇ ରହିଥିଲେ । ଚତୁର୍ଦ୍ଦିଗରେ ଫୁଲରେ ଭରି ରହିଥିବା ଅରଣ୍ୟ, କେତେ କେତେ ପକ୍ଷୀ ଓ ପଶୁ, ପୁଣି ପ୍ରକାରର ବନକନ୍ୟା ଓ ପ୍ରେତଗଣ ଗୋଟିଏ ଲତାକୁଞ୍ଜ ମଧ୍ୟରେ ବସିଥିଲେ ଯେଉଁଠାରେ କି ସ୍ଵର୍ଗୀୟ ସଙ୍ଗୀତରେ ମହାଦେବଙ୍କର ତପସ୍ୟା ଦ୍ଵାରା ପ୍ରଭାଦୀପ୍ତ ଦେଖା ଯାଉଥିଲା । ମଧୁମକ୍ଷୀମାନଙ୍କର ଗୁଣୁ ଗୁଣୁ ଶବ୍ଦ ମଧ୍ୟ ପ୍ରତିଧ୍ଵନିତ ହୋଇ ଉଠୁଥାଏ । ଏକାବେଳକେ ସକଳ ଋତୁ ବିରାଜମାନ କରୁଥାଆନ୍ତି ତଥା ସକଳ ପ୍ରାଣୀ ଓ ଶକ୍ତିଧାରୀମାନେ ସମ୍ପୂର୍ଣ୍ଣ ଭାବରେ ଯୋଗାବସ୍ଥିତ ହୋଇ ରହିଥାନ୍ତି ।

 

ମହାଦେବ କଟିଦେଶରେ ବ୍ୟାଘ୍ରଚର୍ମ ପରିଧାନ କରିଥିଲେ ଏବଂ କାନ୍ଧଉପରେ ସିଂହଚର୍ମର ଗୋଟିଏ ପଟି ଗୁଡ଼ାଇ ହୋଇଥିଲେ । ଗୋଟିଏ ଭୟପ୍ରଦ ସର୍ପ ତାଙ୍କ ଦେହ ଉପରେ ଦେହ ଉପରେ ପବିତ୍ର ଉପବୀତ ହୋଇ ପଡ଼ିଥାଏ । ସବୁଜ ବର୍ଣ୍ଣର ଶୁଶ୍ରୁ, ମସ୍ତକରୁ ଦୀର୍ଘ ଜଟା ତଳଆଡ଼କୁ ଲମ୍ବି ରହିଥାଏ । ଉପାସନାରତ ଋଷିଗଣ ମସ୍ତକ ନତ କରି ଦଣ୍ଡାୟମାନ ଥାଆନ୍ତି । ସେହି ଅପୂର୍ବ ଦର୍ଶନରେ ହିଁ ସକଳ ପାପର କ୍ଷାଳନ ହୋଇ ଯାଉଥାଏ । ସେତିକିବେଳେ ହିମାଳୟ-ଦୁହିତା ଉମା ଆସି ସେଠାରେ ପହଞ୍ଚିଲେ, ତାଙ୍କର ଗହଣାରେ ପରିଚାରିକା ପ୍ରେତିନୀମାନେ ମଧ୍ୟ ଥାଆନ୍ତି । ଉମା ମଧ୍ୟ ସ୍ଵାମୀଙ୍କ ପରିଧାନ ପରି ବସନ ଗହଣ କରିଥାନ୍ତି ତଥା ଏକା ବ୍ରତଗୁଡ଼ିକର ପାଳନ କରୁଥାନ୍ତି । ସିଏ ଧରିଥିବା କଳସୀଟି ସର୍ବତୀର୍ଥର ଜଳଦ୍ଵାରା ଭରି ରହିଥାଏ ଏବଂ ପବିତ୍ର ନଦୀଗୁଡ଼ିକର କନ୍ୟାମାନେ ତାଙ୍କର ଅନୁଗମନ କରୁଥାଆନ୍ତି । ଫୁଲମାନେ ଫୁଟି ଉଠିଥାନ୍ତି, ଉମା ଅଗ୍ରସର ହୋଇ ଯାଉଥିବା ସଙ୍ଗେ ସଙ୍ଗେ ସୁଗନ୍ଧମାନେ ଚତୁର୍ଦ୍ଦିଗକୁ ଖେଦି ଯାଉଥାନ୍ତି । ଏହାପରେ, ମୁଖ ଉପରେ ଈଷତ୍ ହାସ୍ୟ ଫୁଟାଇ କ୍ରୀଡ଼ାଭାବରେ ଉମା ମହାଦେବଙ୍କର ଆଖିଦୁଇଟି ଯାଇ ବୁଜି ଧରିଥିଲେ,–ପଛରୁ ନିଜର କମନୀୟ ଭୁଜଗୁଡ଼ିକୁ ସ୍ଵାମୀଙ୍କର ଆଖି ଉପରେ ବେଷ୍ଟିତ କରି ରଖିଥିଲେ ।

 

ବିଶ୍ଵଯାକର ଜୀବନ ତତ୍‍କ୍ଷଣାତ୍ ଥମ୍ବି ରହିଗଲା, ସୂର୍ଯ୍ୟଦେବ ବିବର୍ଣ୍ଣ ଦିଶିଲେ, ସକଳ ଜୀବପ୍ରାଣୀ ବଡ଼ ଭୟରେ ଥରି ଉଠିଥିଲେ । ତା’ପରେ ପୁନର୍ବାର ଅନ୍ଧକାର ଅନ୍ତର୍ହିତ ହେଲା,–କାରଣ ଶିବଙ୍କର କପୋଳଦେଶରେ ଏକ ଉଜ୍ଜ୍ଵଳ ତୃତୀୟ ନୟନ ଦପଦପ ହୋଇ ଜଳି ଉଠିଥିଲା । ସତେଅବା ଏକ ଦ୍ଵିତୀୟ ସୂର୍ଯ୍ୟ ପରି ଦେଖା ଯାଉଥିଲା । ସେଥିରୁ ନିର୍ଗତ ହେଉଥିବା ଆଲୋକ ଏତେ ପ୍ରଖର ହୋଇ ରହିଥିଲା ଯେ, ହିମାଳୟର ସକଳ ଅରଣ୍ୟ ଜଳି ଭସ୍ମ ହୋଇଗଲେ ଏବଂ ଯୂଥ ଯୂଥ ମୃଗ ତଥା ଅନ୍ୟାନ୍ୟ ପ୍ରାଣୀ ଏକମୁହାଁ ହୋଇ ଦଉଡ଼ିବାକୁ ଆରମ୍ଭ କଲେ । ସେମାନେ ସମସ୍ତେ ମହାଦେବଙ୍କ ନିକଟରେ ରକ୍ଷା ନିମନ୍ତେ ପ୍ରାର୍ଥନା କରିଥିଲେ । ଏହା ଶ୍ରବଣ କରି ମହାଦେବଙ୍କର ଶକ୍ତି ଆହୁରି ଅଧିକ ବିସ୍ମୟଜ୍ଜ୍ଵଳ ଭାବରେ ପ୍ରଜ୍ଜ୍ଵଳିତ ହୋଇ ଉଠିଲା । ଅଗ୍ନି ଆକାଶଯାଏ ଉଚ୍ଚ ହୋଇ ଜଳିବାରେ ଲାଗିଲା, ସତେଅବା ଯୁଗଶେଷରେ ସର୍ବନାଶକାରୀ ଅନଳ ପରି ଚତୁର୍ଦ୍ଦିଗ ବିସ୍ତୃତ ହୋଇ ଜଳି ଉଠିଲା । ପର୍ବତମାନେ ଗୋଟିଏ ମୁହୂର୍ତ୍ତରେ ହିଁ ଭସ୍ମ ହୋଇ ଯାଇଥିଲେ, ସେଗୁଡ଼ିକର ସମସ୍ତ ରତ୍ନ, ଶିଖର ଏବଂ ଉଜ୍ଜ୍ଵଳ ଉଦ୍ଭିଦମାନେ ନଷ୍ଟ ହୋଇଗଲେ । ଆପଣାର ଜନକ ଏହିପରି ବିନାଶ ହୋଇ ଯାଉଛନ୍ତି ବୋଲି ଦେଖି କନ୍ୟା ଉମା ଆସି ପ୍ରାର୍ଥନାକାଳୀନ ଯୋଡ଼ହସ୍ତରେ ମହାଦେବଙ୍କର ସମ୍ମୁଖରେ ଦଣ୍ଡାୟମାନ ହୋଇଥିଲେ । ଉମାଙ୍କର ଦୁଃଖ ଦେଖି ଦେବଦେବ ପର୍ବତ ଉପରେ ପୁନରାୟ ନିଜର କଲ୍ୟାଣକାରୀ ଦୃଷ୍ଟିକୁ ନିକ୍ଷେପ କରି ଆଣିଲେ ଏବଂ ହିମାଳୟ ପୁନର୍ବାର ଆପଣାର ପୂର୍ବ ଅବସ୍ଥାଟିକୁ ଫେରି ପାଇଥିଲେ, ପୁଣି ପୂର୍ବବତ୍ ଶୋଭାମୟ ହେଲେ । ବୃକ୍ଷମାନଙ୍କରେ ଫୁଲସବୁ ଫୁଟିଲେ, ପଶୁପକ୍ଷୀ ହରଷିତ ହେଲେ ।

 

ଏହାପରେ ଉମା କର ଯୋଡ଼ି ପତିଙ୍କୁ କହିଲେ: “ହେ ପଶୁପତି ପରମପବିତ୍ର, ଆପଣ ମୋ’ର ଗୋଟିଏ ସଂଶୟର ମୋଚନ କରନ୍ତୁ । ଆପଣଙ୍କର ଏହି ତୃତୀୟ ନେତ୍ରଟିର କାହିଁକି ଆବିର୍ଭାବ ହେଲା ? ପର୍ବତ ଏବଂ ଅରଣ୍ୟମାନେ କାହିଁକି ଭସ୍ମୀଭୂତ ହୋଇଗଲେ ? ପର୍ବତକୁ ଧ୍ଵଂସ କରିସାରି ଆପଣ କାହିଁକି ପୁନର୍ବାର ତାକୁ ତାହାର ପୂର୍ବ ଅବସ୍ଥାକୁ ଫେରାଇ ଆଣିଲେ ?”

 

ମହାଦେବ ଉତ୍ତର ଦେଲେ, “ହେ ନିଷ୍ପାପା ରମଣୀ, ଏକ ଖିଆଲର ବଶବର୍ତ୍ତୀ ହୋଇ ତୁମେ ଯେହେତୁ ମୋ’ର ଆଖିଦୁଇଟିକୁ ବନ୍ଦ କରି ରଖିଲ, ସେହି କାରଣରୁ ପୃଥିବୀ ଅନ୍ଧକାରମୟ ହୋଇଗଲା । ତେଣୁ, ହେ ପାର୍ବତୀ, ମୁଁ ପ୍ରାଣୀମାନଙ୍କର ରକ୍ଷା ନିମନ୍ତେ ଏକ ତୃତୀୟ ନେତ୍ରକୁ ସୃଷ୍ଟି କଲି; ମାତ୍ର ସେହି ନେତ୍ରଟିରେ ଜ୍ଵଳନ୍ତ ଶକ୍ତିଦ୍ଵାରା ହିଁ ପର୍ବତର ବିନାଶ ହୋଇଗଲା । ତୁମରି ଅନୁରୋଧ ରକ୍ଷା କରି ହିଁ ମୁଁ ପୁଣି ହିମାଳୟକୁ ପୂର୍ବ ଅବସ୍ଥାକୁ ଫେରାଇ ଆଣିଛି ।”

 

ଶିବ କୈବର୍ତ୍ତ ହେଲେ

 

ଦିନେ ଏପରି ହେଲା ଯେ, ଶିବ କୈଳାଶରେ ପାର୍ବତୀଙ୍କର ସହିତ ବସି ତାଙ୍କୁ ବେଦର ପବିତ୍ର ପାଠଗୁଡ଼ିକର ବ୍ୟାଖ୍ୟା କରି ଦେଉଥିଲେ । ଗୋଟିଏ କାଠି ବିଷୟର ବ୍ୟାଖ୍ୟା କରୁଥିବା ସମୟରେ ସେ ଉପରକୁ ଅନାଇ ଦେଖିଥିଲେ ଯେ ପାର୍ବତୀ ଅନ୍ୟମନସ୍କା ହୋଇ ଆଉ ଅନ୍ୟକିଛି ଭାବିବାର ଲାଗିଛନ୍ତି । ସେ ପାର୍ବତୀଙ୍କୁ ପାଠଟିର ଆବୃତ୍ତି କରିବାକୁ କହିଲେ ଏବଂ, ପାର୍ବତୀ ପ୍ରକୃତରେ ଶୁଣୁ ନଥିବାରୁ ଆବୃତ୍ତି ମଧ୍ୟ କରି ପାରିଲେ ନାହିଁ । ଶିବ ଅତ୍ୟନ୍ତ କ୍ରୋଧପୂର୍ବକ କହିଲେ କହିଲେ : “ଏଥିରୁ ସ୍ପଷ୍ଟ ହୋଇ ଯାଉଛି ଯେ ତୁମେ ଜଣେ ଯୋଗୀର ଉପଯୁକ୍ତା ପତ୍ନୀ ହୋଇ ପାରିବନାହିଁ । ତୁମେ ପୃଥିବୀରେ ଗୋଟିଏ କୈବର୍ତ୍ତକନ୍ୟା ହୋଇ ଜନ୍ମହେବ ଏବଂ ସେଠାରେ ତୁମକୁ ଆଉ କୌଣସି ପବିତ୍ର ଗ୍ରନ୍ଥ ଶୁଣିବାକୁ ପଡ଼ିବନାହିଁ ।” ପାର୍ବତୀ ତତ୍‌କ୍ଷଣାତ୍‌ ସେଠାରୁ ଉଭେଇ ଗଲେ ଏବଂ ଶିବ ପୁନର୍ବାର ଆପଣାର ଗଭୀର ମନନରେ ନିମଗ୍ନ ହୋଇ ରହିଲେ । ମାତ୍ର, ତାଙ୍କର ମନ ଆଦୌ ସ୍ଥିର ହୋଇ ରହିଲାନାହିଁ । ବାରବାର ପାର୍ବତୀଙ୍କର କଥା ଭାବି ଭାରି ଅସହଜ ବୋଧ କରୁଥାନ୍ତି । ଶେଷରେ ମନେ ମନେ କହିଥିଲେ: “ମୁଁ ଅତ୍ୟନ୍ତ ତରତର ହୋଇ କିଛି କରି ପକାଇଲି କି ? ଏବଂ, ପାର୍ବତୀ ମୋ’ର ପତ୍ନୀ, ତାଙ୍କର ସେଠି ମର୍ତ୍ତ୍ୟକୁ ଯାଇ ଜଣେ କୈବର୍ତ୍ତର ନାରୀ ହୋଇରହିବା ଆଦୌ ଉଚିତ ହେବନାହିଁ ।” ଏପରି ଚିନ୍ତା କରି ମହାଦେବ ନନ୍ଦିକୁ ଡକାଇ ପଠାଇଲେ ଏବଂ ତାକୁ ଆଦେଶ ଦେଇଥିଲେ ଯେ, ସିଏ ଗୋଟିଏ ଭୀଷଣ ମଗରର ରୂପ ଗ୍ରହଣ ବିଚରା କୈବର୍ତ୍ତମାନଙ୍କୁ ଯାଇ ବିରକ୍ତ କରାଇବ,–ସେମାନଙ୍କର ଜାଲଗୁଡ଼ିକୁ ଛିଡ଼ାଇ ପକାଇବ ଓ ନୌକାଗୁଡ଼ିକୁ ମଧ୍ୟ ଭାଙ୍ଗିଦେବ ।

 

କୈବର୍ତ୍ତମାନଙ୍କର ଜଣେ ମୁଖିଆ ସମୁଦ୍ରତଟରେ ପାର୍ବତୀଙ୍କୁ ଦେଖିଥିଲା ଓ ତାଙ୍କୁ ଆପଣାର ଝିଅରୂପେ ଘରକୁ ନେଇ ପାଳନ କରୁଥିଲା । ଝିଅଟି ବଡ଼ ହୋଇ ଅତ୍ୟନ୍ତ ରୂପବତୀ ଓ ଗୁଣବତୀ ହୋଇପାରିଲା । ସବୁ କୈବର୍ତ୍ତଯୁବକ ତାକୁ ବିବାହ କରିବା ନିମନ୍ତେ ଇଚ୍ଛା କରୁଥିଲେ । ଇତିମଧ୍ୟରେ ମଗରମତ୍ସ୍ୟଟିର ଉତ୍ପୀଡ଼ନକୁ ମଧ୍ୟ ଆଉ ସହ୍ୟ କରି ହେଉନଥିଲା । ତେଣୁ ବାପ ମୁଖିଆ ଘୋଷଣା କରିଦେଲେ ଯେ, ଯିଏ ସେହି ବିଶାଳକାୟ ମଗରକୁ ଧରିପାରିବ, ନିଜର କନ୍ୟାକୁ ସିଏ ତାହାର ସହିତ ବିବାହ ଦେବେ । ଶିବ ପୂର୍ବରୁ ଏହି ସୁଯୋଗଟି ଆସି ପହଞ୍ଚିବ ବୋଲି ଅପେକ୍ଷା କରୁଥିଲେ । ସିଏ ଗୋଟିଏ ସୁଗଠିତ କୈବର୍ତ୍ତ-ତରୁଣର ରୂପ ଧାରଣ କଲେ, ମଦୁରାର ଆସି ଏଠାରେ ପହଞ୍ଚିଛନ୍ତି ବୋଲି କହିଲେ ଏବଂ ମଗରଟିକୁ ଧରି ଆଣିଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପ୍ରଥମ ଖେପାରେ ହିଁ ସେ ମଗରଟିକୁ ଧରି ପାରିଲେ । ଶତ୍ରୁଠାରୁ ରକ୍ଷା ମିଳିବାରୁ କୈବର୍ତ୍ତମାନେ ହର୍ଷ ପ୍ରକାଶ କଲେ ଏବଂ ମୁଖିଆଙ୍କ କନ୍ୟା ତାଙ୍କର ବିବାହ ହୋଇ ଯାଇଥିଲା । ଏଥିରେ ଅନ୍ୟ ଆଶାୟୀଗଣ ଅବଶ୍ୟ ବିରକ୍ତି ପ୍ରକାଶ କରିଥିଲେ । ମାତ୍ର ବର୍ତ୍ତମାନ ଶିବ ନିଜର ପ୍ରକୃତ ରୂପକୁ ପ୍ରକଟ କଲେ ଏବଂ ପାର୍ବତୀଙ୍କର ପାଳନକାରୀ ପିତାଙ୍କୁ ଆଶୀର୍ବାଦ ପ୍ରଦାନ କରି ତାଙ୍କୁ ସାଙ୍ଗରେ ନେଇ ପୁନର୍ବାର କୈଳାଶ ଫେରି ଯାଇଥିଲେ । ପାର୍ବତୀ ହୃଦୟଙ୍ଗମ କଲେ ଯେ ତାଙ୍କର ପ୍ରକୃତରେ ଅଧିକ ମନୋଯୋଗୀ ହୋଇପାରିବା ଉଚିତ; କିନ୍ତୁ ପାର୍ବତୀଙ୍କୁ ଫେରି ପାଇ ଶିବ ଏପରି ଖୁସୀ ହୋଇ ଯାଇଥିଲେ ଯେ, ସିଏ ସମ୍ପୂର୍ଣ୍ଣ ଶାନ୍ତ ଅନୁଭବ କରୁଥିଲେ ଓ ନିର୍ବିଘ୍ନ ହୋଇ ଧ୍ୟାନରେ ବସିବା ନିମନ୍ତେ ପ୍ରସ୍ତୁତ ବି ହୋଇଯାଇ ପାରିଲେ ।

☆☆☆

 

ଶୈବ ସନ୍ଥଗଣ

ବ୍ୟାଘ୍ରପାଦ

 

ଶୁଦ୍ଧ ଜୀବନ ଯାପନ କରୁଥିବା ଜଣେ ପଣ୍ଡିତ ବ୍ରାହ୍ମଣ ଗଙ୍ଗାନଦୀ କୂଳରେ ବାସ କରୁଥିଲେ । ତାଙ୍କର ପୁଅଟିଏ ଥିଲା ଓ ତା’ ଠାରେ ମନ ତଥା ଶରୀରର ଅଦ୍ଭୁତ ଶକ୍ତି ଏବଂ ପ୍ରତିଭାମାନ ରହିଥିଲା । ସେ ନିଜ ପିତାଙ୍କର ଶିଷ୍ୟତ୍ଵ ଗ୍ରହଣ କରିଥିଲେ । ବାପା ଯେତିକି ପଢ଼ାଇ ପାରିଲେ, ସେତିକି ଶିକ୍ଷା ସମାପ୍ତ ହେବା ପରେ ବାପା ତାଙ୍କୁ ଆଶୀର୍ବାଦ ପ୍ରଦାନ କରି ପଚାରିଥିଲେ, “ମୁଁ ତୋ’ ପାଇଁ ଆଉ କ’ଣ କରି ପାରିବି ?” ପୁତ୍ର ପିତାଙ୍କର ଚରଣରେ ପ୍ରଣାମ କରି କହିଲେ, “ମୁନିମାନଙ୍କର ତପୋରୀତିରେ ଯାହା ସର୍ବୋଚ୍ଚ, ଆପଣ ମୋତେ ତାହା ଶିଖାଉ ଦିଅନ୍ତୁ ।” ପିତା ଉତ୍ତର ଦେଲେ, “ସର୍ବୋଚ୍ଚ ତପୋରୀତି ହେଉଛି ଶିବଙ୍କୁ ଉପାସନା କରିବା ।” ଯୁବକ ପଚାରିଲେ, “ତେବେ ମୁଁ କେଉଁଠାରେ ସର୍ବୋତ୍ତମ ପ୍ରକାରେ ତାହା କରିପାରିବି ?” ବାପା ପୁନର୍ବାର କହିଲେ, “ଶିବ ତ ଏହି ବିଶ୍ଵର ସର୍ବତ୍ର ରହିଛନ୍ତି; ତଥାପି ପୃଥିବୀରେ ସ୍ଥାନସବୁ ରହିଛି ଯେଉଁଠାରେ କି ସିଏ ବିଶେଷ ଭାବରେ ପ୍ରକଟ ହୋଇଛନ୍ତି; ଠିକ୍ ଯେପରି ସର୍ବଗତ ପରମାତ୍ମା ବ୍ୟକ୍ତିମାନଙ୍କର ଶରୀରରେ ବିଦ୍ୟମାନ୍ ଅଛନ୍ତି, ସେହିପରି । ଏହି ସବୁ ତୀର୍ଥ ମଧ୍ୟରେ ଟିଲାଇ ହେଉଛି ପ୍ରଥମତମ,–ସେଠାରେ ଶିବ ତୁମର ଉପାସନାକୁ ଅବଶ୍ୟ ଗ୍ରହଣ କରିବେ,–ସେଠାରେ ଜ୍ୟୋତିର୍ଲିଙ୍ଗ ଅବସ୍ଥାନ କରୁଛନ୍ତି ।”

 

ତେଣୁ, ଯୁବକ ତପୋଚାରୀ ପିତାମାତାଙ୍କ ଠାରୁ ବିଦାୟ ନେଇ ଦକ୍ଷିଣ ଦିଗକୁ ଦୀର୍ଘ ଯାତ୍ରାରେ ବାହାରି ଯାଇଥିଲେ । କିଛିଦିନ ପରେ ସେ ଏକ ସୌନ୍ଦର୍ଯ୍ୟପୂର୍ଣ୍ଣ ହ୍ରଦ ପାଖରେ ଆସି ପହଞ୍ଚିଲେ; ହ୍ରଦରେ କମଳପୁଷ୍ପ ପ୍ରସ୍ଫୁଟିତ ହୋଇଥିଲା ଏବଂ ସେଠାରେ ଗୋଟିଏ ବଟବୃକ୍ଷ ମୂଳରେ ସେ ଏକ ଶିବଲିଙ୍ଗ ଥିବାର ଦେଖି ପାରିଥିଲେ । ଶିବଙ୍କୁ ଦଣ୍ଡବତ୍ ପ୍ରଣାମ କରି ସେ ସେଠାରେ ସେହି ଶିବଲିଙ୍ଗର ପୂଜକ ହୋଇ ରହିଲେ ଏବଂ ପ୍ରତ୍ୟହ ଅଶେଷ ନିଷ୍ଠାର ସହିତ ତାଙ୍କୁ ପୁଷ୍ପ ଓ ଜଳ ନୈବେଦ୍ୟ ଦେଇଥିଲେ । ଅନତିଦୂରରେ ନିଜପାଇଁ ଗୋଟିଏ କୁଟୀର ତିଆରି କରିଥିଲେ ଓ ଅରଣ୍ୟରେ ଗୋଟିଏ ଦ୍ଵିତୀୟ ଲିଙ୍ଗର ମଧ୍ୟ ପ୍ରତିଷ୍ଠା କରିଦେଲେ । କିନ୍ତୁ, ଏକାସାଙ୍ଗରେ ଦୁଇଟିଯାକ ମନ୍ଦିରରେ ନିଖୁଣ ଭାବରେ ପୂଜାଦି କରିବା ବର୍ତ୍ତମାନ ତାଙ୍କ ସକାଶେ କଷ୍ଟକର ଲାଗିଲା ନାହିଁ, ସେ ଅରଣ୍ୟରେ ଥିବା ଅତ୍ୟୁକ ବୃକ୍ଷଗୁଡ଼ିକରେ ମଧ୍ୟ ସୁନ୍ଦର ପୁଷ୍ପମାନ ଚୟନ କରି ପ୍ରତ୍ୟହ ମହାଦେବଙ୍କୁ ଦେବାକୁ ଇଚ୍ଛା କରିଥିଲେ । ସିଏ ଯେତେ ପ୍ରଭାତରୁ କୁଟୀରରୁ ଯାଉଥିଲେ ମଧ୍ୟ, ଯଥେଷ୍ଟ ଫୁଲ ସଂଗ୍ରହ କରି ପାରିବାର ପୂର୍ବରୁ ହିଁ ସେଗୁଡ଼ିକୁ ଟାଣ ଖରାରେ ମଉଳି ଯାଉଥିଲେ ଏବଂ, ତା’ର ଆହୁରି ପୂର୍ବରୁ ଅନ୍ଧାର ହୋଇଥିବାରୁ ସେ ସୁନ୍ଦରତମ ଫୁଲଗୁଡ଼ିକ ବାଛି ତୋଳି ମଧ୍ୟ ପାରୁନଥିଲେ-

 

ଅତ୍ୟନ୍ତ ନିରାଶ ହୋଇ ସେ ତାଙ୍କୁ ଉପାୟଟି ବତାଇବା ନିମନ୍ତେ ଆକୁଳ ହୋଇ ଶିବଙ୍କୁ ପ୍ରାର୍ଥନା କରିଥିଲେ । ଶିବ ଆବିର୍ଭୂତ ହେଲେ ଏବଂ ଈଷତ୍‍ ହସି ଶରଣାପନ୍ନ ଯୁବକଙ୍କୁ ବରଟିଏ ମାଗିବାକୁ ମାଗିଥାଏ କହିଥିଲେ । ଏଣୁ, ଯୁବକ ତାଙ୍କୁ ଏହି ପାର୍ଥନା କରିଥିଲେ ଯେ, ତାଙ୍କର ହସ୍ତ ଓ ପାଦଗୁଡ଼ିକ ବାଘର ହସ୍ତ ଓ ପାଦ ପରି ହୋଇ ପାରିବ, ସେଗୁଡ଼ିକରେ ତୀକ୍ଷ୍ଣ ନଖମାନ ରହିଥିବ ଏବଂ ସେଗୁଡ଼ିକରେ ଉଜ୍ଜ୍ଵଳ ଆଖିମାନ ମଧ୍ୟ ଲଗାଇ ଦିଆଯିବ, ଯେପରିକି ସେ ଅତ୍ୟୁଚ ବୃକ୍ଷଗୁଡ଼ିକରେ ଅତିଶୀଘ୍ର ଉଠିଯାଇ ପାରିବେ ଏବଂ ମନ୍ଦିରରେ ପୂଜା ନିମନ୍ତେ ସୁନ୍ଦରତମ ପୁଷ୍ପଗୁଡ଼ିକୁ ତୋଳି ଆଣି ପାରିବେ । ଶିବ ତଥାସ୍ତୁ ବୋଲି କହିଥିଲେ ଏବଂ ଏହିପରି ଭାବରେ ହିଁ ଯୁବକ “ବ୍ୟାଘ୍ରପାଦ” ଏବଂ ‘ଷଡ଼ନେତ୍ର’ ହୋଇ ପାରିଥିଲେ ।

 

କଣ୍ଣପ୍ପନ୍

 

ଅତି ପ୍ରାଚୀନ କାଳରେ ଜଙ୍ଗଲରେ ଜଣେ ମୁଖିଆ ବାସ କରୁଥିଲେ; ସିଏ ସାରାଦିନ ଶିକାରରେ କଟାଉଥିଲେ । ଫଳରେ ଅରଣ୍ୟ ମଧ୍ୟରେ ତାଙ୍କ କୁକୁରମାନଙ୍କର ଭୁକିବା ଓ ଅନୁଚରମାନଙ୍କର ବଡ଼ ପାଟିରେ ଚିତ୍କାର କରିବାର ଶବ୍ଦରେ ଏକ ବୃହତ୍ କୋଳାହଳ ଲାଗି ରହିଥିଲା । ସିଏ ସୁବ୍ରହ୍ମନ୍ୟମଙ୍କର ଉପାସନା କରୁଥିଲେ ଏବଂ ବୃହତ୍ ଭୋଜୀଉତ୍ସବ ମଧ୍ୟ ହେଉଥିଲା । ତାଙ୍କର “କଠିନ” ନାମକ ପୁଅକୁ ମଧ୍ୟ ସେ ସର୍ବଦା ନିଜର ଶିକାର-ଅଭିଯାନ ମାନଙ୍କରେ ସାଙ୍ଗରେ ନେଉଥିଲେ,–ତାକୁ ଗୋଟିଏ ବାଘଛୁଆ ପରି ଶିକ୍ଷାମାନ ଦେଉଥିଲେ । କାଳକ୍ରମେ ବାପା ବୁଢ଼ା ହୋଇ ଆସିଲେ ଏବଂ ତେଣୁ ସିଏ ନିଜର ସକଳ ଦାୟିତ୍ଵ ଓ କ୍ଷମତାକୁ ପୁଅ ହାତରେ ଅର୍ପଣ କରିଦେଲେ ।

 

ପୁଅ ମଧ୍ୟ ଦିନଯାକ ସେହିପରି ଶିକାର କରୁଥିଲା । ଦିନକର ଗୋଟିଏ ବଡ଼ ବାର୍‍ହା ସିଏ ପକାଇଥିବା ଫାଶରୁ ମୁକୁଳି ଜଙ୍ଗଲ ଭିତରକୁ ପଳାଇଗଲା । ଦୁଇଜଣ ଭୃତ୍ୟଙ୍କୁ ସାଙ୍ଗରେ ନେଇ ‘କଠିନ’ ତା’ ପଛେ ପଛେ ଗୋଡ଼ାଇଲେ, ସେମାନେ ଦୀର୍ଘ ପଥ ଗୋଡ଼ାଇ ଗୋଡ଼ାଇ କ୍ଳାନ୍ତ ହୋଇଗଲେ । ଶେଷରେ ବାର୍‍ହାଟି ମଧ୍ୟ ବହୁତ ହାଲିଆ ହୋଇ ତଳେ ପଡ଼ି ଯାଇଥିଲା ଏବଂ ‘କଠିନ’ ତାହାକୁ ଦୁଇଗଡ଼ କରି କାଟି ପକାଇଲେ । ଅନୁଚରମାନେ ଆସି ପହଞ୍ଚିଲେ ଏବଂ ପଶୁଟିକୁ ସିଝାଇ ଖାଇବାର ପ୍ରସ୍ତାବ ଦେଇ ବିଶ୍ରାମ କରୁଥିଲେ । ମାତ୍ର, ସେଠାରେ ପାଣି ନମିଳିବାରୁ ବାର୍‍ହାଟି କାନ୍ଧରେ ବୋହିଲେ ଓ ସମସ୍ତେ ଆହୁରି କିଛି ଆଗକୁ ଯିବାକୁ ବାହାରିଗଲେ । ଅଳ୍ପସମୟ ପରେ ସେମାନେ କଳହସ୍ତୀ ନାମକ ପବିତ୍ର ପାହାଡ଼ଟିକୁ ଦେଖିବାକୁ ପାଇଥିଲେ । ପାହାଡ଼ର ଶିଖରଟିକୁ ଦେଖାଇ ଦେଇ ଜଣେ ଅନୁଚର କହିଲା ଯେ ସେଠାରେ ଜଟା ଧାରଣ କରିଥିବା ଗୋଟିଏ ଦେବମୂର୍ତ୍ତି ରହିଛି । “ଚାଲନ୍ତୁ, ଆମେ ତାଙ୍କର ପୂଜା କରିବା”–ଅନୁଚର କହିଲା-। ‘କଠିନ’ ବାର୍‍ହାକୁ ପୁଣି କାନ୍ଧକୁ ଉଠାଇନେଲେ ଓ ସମସ୍ତେ ଆଗକୁ ଯାଇଥିଲେ-। ମାତ୍ର, ସେମାନେ ଅଗ୍ରସର ହେଉଥିବା ସଙ୍ଗେ ସଙ୍ଗେ ବାର୍‍ହାଟି ଯେପରି ଅଧିକରୁ ଅଧିକ ହାଲୁକା ବି ଲାଗୁଥିଲା । ସିଏ ଭାରି ଆଚମ୍ବିତ ହୋଇ ଯାଉଥାନ୍ତି । ବରାହଟିକୁ ଭୂଇଁରେ ରଖିଦେଇ ସିଏ ବିଚିତ୍ର ଘଟଣାଟିର ଅର୍ଥ ବୁଝିବା ନିମନ୍ତେ ଧାଇଁ ଯାଇଥିଲେ । ଖଣ୍ଡେ ଦୂର ଯାଇ ପଥରର ଗୋଟିଏ ଲିଙ୍ଗ ପାଖରେ ପହଞ୍ଚିଲେ, ଲିଙ୍ଗଟିର ଉପର ଅଂଶଟି ଦେବତାଙ୍କର ମସ୍ତକ ସଦୃଶ ଦେଖା ଯାଉଥିଲା-। ‘କଠିନ’ ନିଜର ଆତ୍ମା ସହିତ ସେହି ଲିଙ୍ଗ କଥା ହେଉଥିବା ପରି ଅନୁଭବ କରିଥିଲେ,–କୌଣସି ପୂର୍ବଜନ୍ମର ତପସ୍ୟା ପୂଣ୍ୟ ଫଳରେ ତାଙ୍କର ଆତ୍ମା ସେହି ଯୋଗ୍ୟତା ନିଶ୍ଚୟ ଅର୍ଜନ କରିଥିବ । ଫଳରେ ତାଙ୍କର ସମସ୍ତ ସ୍ଵଭାବ ବଦଳିଗଲା; ପ୍ରଥମଥର ପାଇଁ ଇହାଦେ ଦର୍ଶନଲାଭ କରିଥିବା ଭଗବାନଙ୍କ ପ୍ରେମ ଏବଂ କରୁଣା ବ୍ୟତୀତ ସିଏ ଆଉ କିଛିହେଲେ ଚିନ୍ତା କରି ପାରୁନଥିଲେ-। ସିଏ ମୂର୍ତ୍ତିଟିକୁ ଚୁମ୍ବନ,–ଦୀର୍ଘକାଳରୁ ହଜି ଯାଇଥିବା ଏକ ସନ୍ତାନକୁ ପୁନର୍ବାର ଫେରି ପାଇଥିବା ଜଣେ ମାଆ ପରି ତାହାକୁ ଆଲିଙ୍ଗନ କରିଥିଲେ । ଦେଖିଲେ, କିଏ ଯେପରି ଆସି ଲିଙ୍ଗଟି ଉପରେ ଏବେ ଜଳ ଲାଗି କରିଛି । ଲିଙ୍ଗର ମସ୍ତକ ଉପରେ ବେଲପତ୍ର ମଧ୍ୟ ଲାଗି ହୋଇଥିଲା । ତାଙ୍କର ଜଣେ ଅନୁଚର ସେତେବେଳେ ଆସି ଖବର ଦେଲା ଯେ, ଜଣେ ବୃଦ୍ଧ ବ୍ରାହ୍ମଣ ଭକ୍ତ ଏହା ଅବଶ୍ୟ କରିଥିବେ । ‘କଠିନ’ଙ୍କର ବାପାଙ୍କର ସମୟରେ ଏହି ନିକଟରେ ହିଁ ଗୋଟିଏ ସ୍ଥାନରେ ବାସ କରୁଥିଲେ ।

 

‘କଠିନ’ ମଧ୍ୟ ନିଜ ଅନ୍ତର ଭିତରୁ ଅନୁଭବ କଲେ ଯେ, ସମ୍ଭବତଃ ସିଏ ନିଜେ ମଧ୍ୟ ଭଗବାନଙ୍କର କିଛି ସେବା କରିପାରିବେ । ଳିଙ୍ଗଟିକୁ ଏଠାରେ ଏକୁଟିଆ ଛାଡ଼ି ଚାଲିଯିବାକୁ ମଧ୍ୟ ତାଙ୍କର ଆଦୌ ମନ ହେଲାନାହିଁ । ମାତ୍ର, କୌଣସି ଉପାୟାନ୍ତର ନଥିଲା; ତେଣୁ ସେ ବିଶ୍ରାମସ୍ଥଳକୁ ଫେରିଯାଇ ସେହି ସିଝା ମାଂସର କିଛି ନରମ ଅଂଶକୁ ବାଛିଥିଲେ, ସେଗୁଡ଼ିକ ସୁଆଦ ଲାଗୁଛି କି ନାହିଁ ଚାଖି ଦେଖିଲେ । ତାହାକୁ ଗୋଟିଏ ପତ୍ରଚଉପଦୀ ମଧ୍ୟରେ ଭରି ଏବଂ ନିଜର ପାଟିଭିତରେ କିଛି ନଦୀଜଳ ଭରି ସିଏ ମୂର୍ତ୍ତିଟି ପାଖକୁ ଲେଉଟି ଆସିଥିଲେ । ତାଙ୍କର ଏସବୁ ଆଚରଣରେ ଚକିତ ହୋଇ ଯାଇଥିବା ଅନୁଚରମାନଙ୍କୁ ସିଏ ଆଉ ସାଙ୍ଗରେ ଆଣିଲେନାହିଁ, ସେମାନେ ତ ଇଏ ପାଗଳ ହୋଇ ଯାଇଛନ୍ତି ବୋଲି ଭାବୁଥିଲେ । ମୂର୍ତ୍ତିଟି ପାଖରେ ପହଞ୍ଚି ସିଏ ନିଜ ପାଟି ଭିତରେ ସଞ୍ଚି ଆଣିଥିବା ପାଣିକୁ ତାହା ଉପରେ ସିଞ୍ଚିଦେଲେ, ବରାହର ମାଂସକୁ ଭୋଗ ଲଗାଇଲେ ଏବଂ ନିଜ ବାଳରେ ଥିବା ବନଫୁଲଗୁଡ଼ିକୁ ତାଙ୍କ ଉପରେ ନେଇ ରଖିଦେଲେ । ତାହାର ନିବେଦନଗୁଡ଼ିକୁ ଗ୍ରହଣ କରିବା ନିମନ୍ତେ ସିଏ ଦେବତାଙ୍କୁ ପ୍ରାର୍ଥନା କରିଥିଲେ । ସେତେବେଳେ ସୂର୍ଯ୍ୟ ଅସ୍ତ ହୋଇଗଲେ ଏବଂ ‘କଠିନ’ ହାତରେ ଧନୁଶର ଧରି ପ୍ରତିମାଟି ପାଖରେ ଜଗି ରହିଲେ । ସକାଳ ହେବାରୁ ଶିକାର କରି ବାହାରିଗଲେ, ଯେପରିକି ଦେବତାଙ୍କ ପାଖରେ କିଛି ନୂତନ ନୈବେଦ୍ୟ ଆଣି ଅର୍ପଣ କରି ପାରିବେ ।

 

ଇତ୍ୟବସରେ, ବହୁ ବର୍ଷଧରି ଏହି ଦେବତାଙ୍କର ପୂଜା କରି ଆସିଥିବା ସେହି ବ୍ରାହ୍ମଣ ଉପାସକ ସବୁଦିନ ପରି ଆସି ପହଞ୍ଚିଥିଲେ, ସିଏ ଗୋଟିଏ ପବିତ୍ର ଘଟରେ ଶୁଦ୍ଧ ଜଳ ଆଣିଥିଲେ, ସଜ ଫୁଲପତ୍ର ମଧ୍ୟ ଆଣିଥିଲେ ଏବଂ ସେଠାରେ ପହଞ୍ଚି ପବିତ୍ର ସ୍ତବମାନ ବୋଲିବାକୁ ଆରମ୍ଭ କଲେ । ପ୍ରତିମାଟିକୁ ଯେ ମାଂସ ଏବଂ ଦୂଷିତ ଜଳଦ୍ଵାରା ମାରା କରି ଦିଆଯାଇଛି, ଏପରି ଦେଖି ସେ ଅତୀବ ବିଚଳିତ ହୋଇ ପଡ଼ିଥିଲେ । ଅତ୍ୟନ୍ତ ଦୁଃଖରେ ଲିଙ୍ଗ ସମ୍ମୁଖରେ ରୋଦନ କରି ଗଡ଼ିଲେ ଏବଂ କାହିଁକି ସେ ନିଜର ମନ୍ଦିରଟିକୁ ଏପରି ଭାବରେ ଦୂଷିତ ହୋଇଯିବା ପାଇଁ ଅନୁମତି ପ୍ରଦାନ କଲେ, ତାହା ମଧ୍ୟ ଠାକୁରଙ୍କୁ ପଚାରିଥିଲେ । କାରଣ, ତାଙ୍କ ଜାଣିବାରେ ଶିବ ତ କେବଳ ଶୁଦ୍ଧ ଜଳ ଏବଂ ସଜ ଫୁଲ ହିଁ ଗ୍ରହଣ କରନ୍ତି ! ଏପରି କଥିତ ଅଛି ଯେ, ଗୁଡ଼ାଏ ସୁନା ଦେବା ଅପେକ୍ଷା ଦେବତାଙ୍କ ପାଖରେ ଗୋଟିଏ ଫୁଲ ଆଣି ନିବେଦନ କରିବାର ମଧ୍ୟ ଅଧିକ ମର୍ଯ୍ୟାଦା ରହିଛି । ଏହି ବ୍ରାହ୍ମଣ ପୂଜକଙ୍କ ନିମନ୍ତେ ଜୀବହତ୍ୟା ହେଉଛି ମହାପାପ, ମାଂସଭକ୍ଷଣ ଗୋଟିଏ ଅତି ହୀନ କାର୍ଯ୍ୟ, ଜଣେ ମନୁଷ୍ୟର ଅଧରକୁ ସ୍ପର୍ଶ କରିବା ଏକ ଭୟଙ୍କର ଦୂଷିତ ଅକାର୍ଯ୍ୟ ଏବଂ, ଏହି ଜଙ୍ଗଲୀ ଅରଣ୍ୟଶିକାରୀମାନଙ୍କୁ ମଧ୍ୟ ସେ ଏହି ସୃଷ୍ଟିରେ ଗୋଟିଏ ନିମ୍ନତର ଗୋଷ୍ଠୀରୂପେ ସର୍ବଦା ଦେଖି ଆସିଛନ୍ତି । ତଥାପି ସେ ବିଚାର କରିଥିଲେ ଯେ, ଯାହା ହୋଇଥାଉ ପଛକେ, ନିଜର ପ୍ରାତ୍ୟହିକ ପୂଜା କାର୍ଯ୍ୟଟିକୁ ସମ୍ପନ୍ନ କରିବାରେ ତାଙ୍କର ଆଉ ବିଳମ୍ବ କରିବା ମଧ୍ୟ ଉଚିତ ହେବନାହିଁ । ତେଣୁ ସେ ମୂର୍ତ୍ତିଟିକୁ ଅତ୍ୟନ୍ତ ଯତ୍ନର ସହିତ ପରିଷ୍କାର କରିଦେଲେ ଏବଂ ବୈଦିକ ବିଧି ଅନୁସାରେ ଆପଣାର ଉପାସନା ଆରମ୍ଭ କରି ଦେଇଥିଲେ । ସବୁଦିନର ମନ୍ତ୍ରଟିକୁ ଉଚ୍ଚାରଣ କଲେ, ମନ୍ଦିରର ପ୍ରଦକ୍ଷିଣ କଲେ ଏବଂ ନିଜ ଗୃହକୁ ପ୍ରସ୍ଥାନ କରିଥିଲେ ।

 

କିଛିଦିନ ସକାଶେ ମୂର୍ତ୍ତିଙ୍କର ଦୁଇପ୍ରକାରେ ଦୁଇଟି ପୂଜା ହେବାକୁ; ପ୍ରଥମେ ବ୍ରାହ୍ମଣ ଆସି ପବିତ୍ର ଜଳ ଏବଂ ଫୁଲଗୁଡ଼ିକରେ ସକାଳେ ଥରେ ପୂଜା କରୁଥିଲେ ଏବଂ ତା’ପରେ ଶିକାରୀ ରାତିକୁ ମାଂସ ଆଣି ଭୋଗ ଦେଉଥିଲା । ପୁଅକୁ ନିଶ୍ଚୟ ଭୂତ ଲାଗିଛି ବୋଲି ଭାବି ଥରେ ‘କଠିନ’ଙ୍କର ବାପା ମଧ୍ୟ ସେଠାରେ ପହଞ୍ଚିଲେ ଏବଂ ଯୁବକ ପୂଜାକାରୀଟି ସହିତ ଯୁକ୍ତି କରିବାକୁ ଚେଷ୍ଟା କଲେ । ମାତ୍ର ସବୁ ବ୍ୟର୍ଥ ହେଲା ଓ ସେଠାରେ ପୁଅକୁ ଏକାଠି ଛାଡ଼ିଦେଇ ସିଏ ନିଜ ଗ୍ରାମକୁ ଫେରି ଆସିଲେ ।

 

ଏହିପରି ଗୋଟିଏ ପରିସ୍ଥିତିକୁ ବ୍ରାହ୍ମଣ ଆଉ ବେଶୀଦିନ ସହ୍ୟ କରି ପାରିନଥିଲେ ଏବଂ ଏହିପରି ପ୍ରତିଦିନ ଅପବିତ୍ର ହୋଇ ଯାଉଥିବାର ଦୁର୍ଦ୍ଦଶାଟିରୁ ନିଜର ମୂର୍ତ୍ତିକୁ ରକ୍ଷାକରିବା ନିମନ୍ତେ ଶିବଙ୍କ ନିକଟରେ ବ୍ୟାକୁଳ ହୋଇ ପ୍ରାର୍ଥନା କଲେ । ଦିନେ ରାତିରେ ଶିବ ଦେଖାଦେଇ ତାଙ୍କୁ କହିଲେ: “ତୁ ଯେଉଁଟିକୁ ନେଇ ଅଭିଯୋଗ କରୁଛୁ, ମୁଁ ତାହାକୁ ଗ୍ରହଣୀୟ ବୋଲି ମଣୁଛି ଓ ତାହାର ସ୍ଵାଗତ କରୁଛି । ଯେଉଁ ମନୁଷ୍ୟଟି ମାଂସ ଏବଂ ନିଜ ମୁହଁ ଭିତରର ପାଣିଦ୍ୱାରା ମୋ’ର ଅର୍ଚ୍ଚନା କରୁଛି, ସିଏ ହେଉଛି ଜଣେ ସରଳ ଓ ଅଜ୍ଞାନ ବନବାସୀ ଶିକାରୀ, ପବିତ୍ର ମନ୍ତ୍ର ଆଦି କିଛି ଜାଣିନାହିଁ । କିନ୍ତୁ ତାକୁ ନଦେଖି କେବଳ ତା’ର ନିଷ୍ଠାଟିକୁ ହିଁ ଦେଖିବା ଉଚିତ । ଯାବତୀୟ ଅମାର୍ଜିତ ଆଚାରର ପଶ୍ଚାତରେ ମୋ’ ପ୍ରତି ତା’ର ଅଗାଢ଼ ଭଲ ପାଇବା ରହିଛି, ତା’ର ସକଳ ଅଜ୍ଞାନଦ୍ଵାରା ହିଁ ସେ ମୋତେ ସତକୁ ସତ ଜାଣିଛି । ତା’ର ଅର୍ଘ୍ୟ ଦାନଗୁଡ଼ିକ ତୋ’ ଆଖିକୁ ଘୃଣ୍ୟ ବୋଲି ଦେଖାଯାଉଛି, ମାତ୍ର ସେଥିରେ ଶୁଦ୍ଧ ଭଲ ପାଇବା ହିଁ ଭରି ରହିଛି । ଏବଂ, ତୁ ଆଗାମୀ କାଲି ହିଁ ତା’ ନିଷ୍ଠାର ପ୍ରମାଣ ପାଇଯିବୁ !”

 

ତହିଁ ଆରଦିନ ସ୍ଵୟଂ ଶିବ ସେହି ବ୍ରାହ୍ମଣଙ୍କୁ ବେଦୀ ପଛରେ ଲୁଚାଇ ରଖିଲେ ଏବଂ ‘କଠିନ’ର ସମୁଦାୟ ନିଷ୍ଠାକୁ ପ୍ରକାଶିତ କରି ଆଣିବା ନିମନ୍ତେ ନିଜ ମୂର୍ତ୍ତିଟିର ଗୋଟିଏ ଆଖିରୁ ରକ୍ତ ପରି ପ୍ରତୀତ ହେଉଥିବା ତରଳ ଧାରାଟିଏ ବୁହାଇ ଦେଇଥିଲେ । ସବୁଦିନ ପରି ‘କଠିନ’ ନିଜର ପୂଜାସାମଗ୍ରୀ ନେଇ ସେଠାରେ ପହଞ୍ଚିଲା, ତତ୍‍କ୍ଷଣାତ୍ ସେହି ରକ୍ତକୁ ଦେଖିପାରିଲା ଏବଂ ଚିତ୍କାର କଲା: “ହେ ଭଗବାନ, ଆପଣଙ୍କର ଶରୀରକୁ କିଏ ଏପରି ଖଣ୍ଡିଆ କରି ପକାଇଛି ? ମୋ’ର ନ ଜଗୁଥିବା ସମୟରେ କିଏ ଏଡ଼େବଡ଼ ହୀନକାର୍ଯ୍ୟ କରିଛି ?” ତା’ପରେ ଅପରାଧୀଟିକୁ ଧରିବାଲାଗି ସେ ସାରା ଜଙ୍ଗଲ ଖୋଜିଲା ଏବଂ କାହାକୁ ନପାଇ ଜଡ଼ିବୁଟି ଔଷଧ ଆଣି ସେହି କ୍ଷତସ୍ଥାନଟି ଉପରେ ଲଗାଇବାକୁ ଆରମ୍ଭ କଲା । ତଥାପି ରକ୍ତସ୍ରାବ ବନ୍ଦ ହେଲାନାହିଁ । ତା’ ପରେ ତା’ ର ବୈଦ୍ୟମାନେ କହିଥିବା ଗୋଟିଏ ବଚନ ମନେ ପଡ଼ି ଯାଇଥିଲା; ସଦୃଶକୁ ସଦୃଶଦ୍ଵାରା ଆରୋଗ୍ୟ କରିହେବ ବୋଲି ମନେ ପକାଇ ସେ ତତ୍‍କ୍ଷଣାତ୍ ଗୋଟିଏ ମୁନିଆ ଶର ଦେଇ ନିଜର ଡାହାଣ ଆଖିଟିକୁ ତାଡ଼ି ଆଣି ଦେବତାଙ୍କର ଆଖିରେ ଲଗାଇ ଦେଇଥିଲେ । ଏବଂ କି ଆଶ୍ଚର୍ଯ୍ୟ ଘଟଣା, ସଙ୍ଗେ ସଙ୍ଗେ ରକ୍ତ ବୋହିବା ବନ୍ଦ ହୋଇଗଲା । ମାତ୍ର, ସଙ୍ଗେ ସଙ୍ଗେ ମୂର୍ତ୍ତିର ଅନ୍ୟ ଆଖିଟିରୁ ରକ୍ତ ବୋହିବାକୁ ଲାଗିଲା । ‘କଠିନ’ ପ୍ରଥମେ ଅତ୍ୟନ୍ତ ନିରାଶ ଓ ଅସହାୟ ଅନୁଭବ କରିଥିଲା, ତା’ ପରେ ହଠାତ୍ ଜାଣିଗଲା ଯେ ନିଶ୍ଚିତ ଆରୋଗ୍ୟର ଉପାୟଟି ତ ତା’ ନିଜପାଖରେ ରହିଛି ଏବଂ ସେହି ଉପାୟଟି ପ୍ରମାଣିତ ହୋଇଯାଇଛି । ପୁନର୍ବାର ତୀରଟିକୁ ଧରି ସେ ନିଜର ଆର ଆଖିଟିକୁ ତାଡ଼ି ଆଣିଲା ଏବଂ ମୂର୍ତ୍ତିରେ ସେହି ଆଖିଟିରେ ନେଇ ଲଗାଇଦେଲେ । ଦୁଇଟିଯାକ ଆଖି ନଥିଲେ ତ ସେ ତାହା କରିପାରି ନଥାନ୍ତା, ତେଣୁ, ଉଚିତ ସ୍ଥାନଟିକୁ ବାରିପାରିବ ବୋଲି ସେ ନିଜର ଗୋଟିଏ ଗୋଡ଼କୁ ନେଇ ମୂର୍ତ୍ତିର ଆଖିଉପରେ ମଧ୍ୟ ରଖି ଦେଇଥିଲା ।

 

ବର୍ତ୍ତମାନ ଶିବଙ୍କର ଉଦ୍ଦେଶ୍ୟ ସାଧିତ ହୋଇଯାଇଥିଲା । ସେ ଲିଙ୍ଗଟିରୁ ଗୋଟିଏ ହାତ ବାହାର କରି ଶିକାରୀର ହାତ ଉପରେ ରଖି କହିଲେ: “ଏତିକି ହିଁ ଯଥେଷ୍ଟ ହୋଇଛି, ଆଜିଠାରୁ ତୁ ଚିରଦିନ ପାଇଁ ମୋ’ ପାର୍ଶ୍ଵରେ କୈଳାଶରେ ଅବଶ୍ୟ ସ୍ଥାନ ପାଇବୁ । “ଏହାପରେ ବ୍ରାହ୍ମଣ ପୂଜକମଧ୍ୟ ପ୍ରମାଣ ପାଇଲେ ଯେ ଭଲ ପାଇବା ହେଉଛି ବିଧିବିଧାନ ପାଳନ କରିବାର ସ୍ଵଚ୍ଛତା ଠାରୁ ଅଧିକ ମହାନ୍ । ଏବଂ, ସେହିଦିନ ଠାରୁ ‘କଠିନ’ ମଧ୍ୟ ଚିରକାଳ ନିମନ୍ତେ ‘କଣ୍–ଅପ୍ପନ୍’ ନାମରେ ଉପାସିତ ହୋଇ ଆସିଛନ୍ତି ।

 

ମାଣିକ୍କ ବାଚାଗର ଓ ଶୃଗାଳମାନେ

 

ଏହି ସନ୍ଥ ମଦୁରା ନିକଟରେ ଜନ୍ମଗ୍ରହଣ କରିଥିଲେ । ଷୋଳ ବର୍ଷର ହେବା ସମୟକୁ ସେ ସମସାମୟିକ ସକଳ ବ୍ରାହ୍ମଣବିଦ୍ୟାକୁ ଅଧ୍ୟୟନ କରି ସାରି ଦେଇଥିଲେ; ଶୈବଶାସ୍ତ୍ରଗୁଡ଼ିକୁ ବିଶେଷ ଭାବରେ ଅଧ୍ୟୟନ କରିଥିଲେ । ତାଙ୍କର ବୁଦ୍ଧି ଓ ଜ୍ଞାନବତ୍ତାର ସମ୍ବାଦ ରାଜାଙ୍କ ପାଖରେ ଯାଇ ପହଞ୍ଚିଥିଲା । ରାଜା ତାଙ୍କୁ ଡକାଇ ଆଣି ପ୍ରଧାନମନ୍ତ୍ରୀ କରିଦେଲେ । ପାଣ୍ଡ୍ୟ ଦରବାରରେ ସେ ଇନ୍ଦ୍ରପଦର ସୁଖ ଭୋଗ କରି ପାରିଲେ ଏବଂ ତାରାଗଣଙ୍କ ମଧ୍ୟରେ ଚନ୍ଦ୍ର ପରି ପରିଷଦମାନଙ୍କ ମଧ୍ୟରେ ବିଚରଣ କରୁଥିଲେ । ରାଜକୀୟ ପୋଷାକ ପିନ୍ଧୁଥିଲେ, କେତେ ଅଶ୍ଵ ଓ ହସ୍ତୀ ତାଙ୍କର ସେବାରେ ନିୟୋଜିତ ହେଉଥିଲେ ଏବଂ ରାଜଛତ୍ର ଧାରଣା କରିଥିଲେ । କାରଣ ବିଜ୍ଞ ନରପତି ସକଳ ରାଜକାର୍ଯ୍ୟକୁ ତାଙ୍କ ହାତରେ ଅର୍ପଣ କରି ଦେଇଥିଲେ । ତଥାପି ଯୁବକ ମନ୍ତ୍ରୀ ନିଜର ମସ୍ତିଷ୍କକୁ ସର୍ବଦା ସ୍ଥିର ରଖିଥିଲେ; ଏହି ବାହ୍ୟ ଯାବତୀୟ ସୁଖସବୁ ବସ୍ତୁତଃ ଆତ୍ମା ନିମନ୍ତେ ଗୋଟିଏ ଗୋଟିଏ ବନ୍ଧନ ସଦୃଶ ଏବଂ ମୁକ୍ତି ଇଚ୍ଛା କରୁଥିବା ବ୍ୟକ୍ତିମାନେ ତାହାକୁ ଅବଶ୍ୟ ବର୍ଜନ କରିବେ ବୋଲି ସେ ସର୍ବଦା ମନେ ରଖୁଥିଲେ । ପ୍ରତିକାରହୀନ ନାନା ଦୁଃଖ ଭିତରେ ରହି ଜନ୍ମ ପରେ ଜନ୍ମକୁ ଗତି କରୁଥିବା କଠୋର ଶ୍ରମରତ ଜନଗଣଙ୍କ ପ୍ରତି ବହୁତ ସଂବେଦନା ଅନୁଭବ କରିଥିଲେ । ଶିବଙ୍କ ନିମନ୍ତେ ତାଙ୍କ ଭିତରେ ରହିଥିବା ବ୍ୟାକୁଳତା ଦ୍ଵାରା ତାଙ୍କର ଆତ୍ମା ବିଗଳିତ ହୋଇ ରହିଥିଲା । ନ୍ୟାୟପ୍ରଦାନ ଓ ଉତ୍ତମ ଶାସନରେ ସେ ସର୍ବଦା ଅବିଚ୍ୟୁତ ରହିଥିଲେ; ତଥାପି ଏପରି ଜଣେ ପ୍ରକୃତ ଗୁରୁଙ୍କର ସାକ୍ଷାତ ପାଇବେ ବୋଲି ଆଶା ରଖିଥିଲେ ଯିଏକି ତାଙ୍କ ଆଗରେ “ମୁକ୍ତିର ପଥ”କୁ ଉଦ୍‍ଘାଟିତ କରିଦେଇ ପାରିବେ । ଫୁଲରୁ ଫୁଲକୁ ଉଡ଼ି ବୁଲୁଥିବା ମଧୁମକ୍ଷିକା ପରି ସେ ଜଣକପରେ ଜଣେ ଶୈବ ଗୁରୁଙ୍କ ପାଖକୁ ଗଲେ, କିନ୍ତୁ ତାଙ୍କୁ ସନ୍ତୋଷ ପ୍ରଦାନ କରିବା ଭଳି ସତ୍ୟ ପାଇ ପାରିନଥିଲେ । ଦିନେ ଜଣେ ଦୂତ ତାଙ୍କ ଦରବାରକୁ ଆସି ସମ୍ବାଦ ଦେଇଥିଲା ଯେ, ଜଣେ ପଡ଼ୋଶୀରାଜାଙ୍କର ଏକ ଜାହାଜ ପୋତାଶ୍ରୟକୁ ଆସିଛି ଏବଂ ସେଥିରୁ ବିଦେଶାଗତ ବହୁସଂଖ୍ୟକ ବିଚକ୍ଷଣ ଅଶ୍ଵ ରହିଛନ୍ତି । ରାଜା ତତ୍‍କ୍ଷଣାତ୍ ନିଜ ମନ୍ତ୍ରୀଙ୍କ ହାତରେ ବହୁ ଧନ ଦେଇ ସୁନ୍ଦର ଅଶ୍ଵଗୁଡ଼ିକୁ କିଣି ଆଣିବା ସକାଶେ ପ୍ରେରକ କଲେ ଏବଂ ନିଜେ ମଧ୍ୟ ବହୁ ସୈନ୍ୟମାନଙ୍କ ଦ୍ଵାରା ପରିବେଷ୍ଟିତ ହୋଇ ରାଜଉପଚାରରେ ସେଠାକୁ ଯାତ୍ରା କଲେ । ଏହାହିଁ ତାଙ୍କ ଇହଜୀବନର ସର୍ବଶେଷ ଅଭିଯାନ ଥିଲା ।

 

ଇତ୍ୟବସରେ, ସ୍ଵୟଂ ଶିବ ଉମାଙ୍କ ସହିତ ସ୍ଵର୍ଗପୁରରେ ନିଜ ଦରବାରରେ ଆସୀନ ରହିଥିବା ଆସୀନ ରହିଥିବା ସମୟରେ ମନୁଷ୍ୟଗୁରୁ ରୂପେ ପୃଥିବୀକୁ ଅବତରଣ କରିବା ନିମନ୍ତେ ଇଚ୍ଛା ପ୍ରକାଶ କରିଥିଲେ, ଯେପରିକି ସେ ଦକ୍ଷିଣର ଦୀକ୍ଷାଗ୍ରହଣ ଓ ତାମିଲ ଭାଷାର ଗୌରବପ୍ରତିଷ୍ଠା ନିମନ୍ତେ ଜଣେ ଯୋଗ୍ୟ ଶିଷ୍ୟକୁ ଆବଶ୍ୟକ ଦୀକ୍ଷା ପ୍ରଦାନ କରି ପାରିବେ । ଶାଖାପ୍ରଶାଖା ବିସ୍ତାର କରି ରହିଥିବା ଗୋଟିଏ ବୃହତ୍ ବୃକ୍ଷର ମୂଳରେ ଶିବ ଯାଇ ଆସନ ଗ୍ରହଣ କରିଥିଲେ ଏବଂ ଶୈବ ସନ୍ଥମାନଙ୍କର ରୂପରେ ବହୁ ପରିଚର୍ଯ୍ୟାକାରୀ ତାଙ୍କର ବେଷ୍ଟନ କରି ରହିଥିଲେ । ତାଙ୍କର ଏହି ଆଗମନ ହେତୁ ବୃକ୍ଷଗୁଡ଼ିକର ଫୁଲମାନେ ଫୁଟି ଉଠିଲେ ଏବଂ ପ୍ରତି ଶାଖାରେ ପକ୍ଷୀମାନେ ସଙ୍ଗୀତ ଗାନ କରୁଥିଲେ । ସେହି ତୋଟାଟି ପୋତାଶ୍ରୟର ଖୁବ୍ ନିକଟରେ ଅବସ୍ଥିତ ଥିଲା । ସେତିକିବେଳେ ତରୁଣ ପ୍ରଧାନମନ୍ତ୍ରୀ ସେହି ମାର୍ଗ ଦେଇ ବହୁ ପରିକରଙ୍କର ଗହଣରେ ଯାଉଥିଲେ । ତୋଟାମଧ୍ୟରୁ ଶୈବ ସ୍ତୋତ୍ରଗୁଡ଼ିକର ଧ୍ୱନି ଆସୁଥିବାର ଶ୍ରବଣ କରି ସେ ଅନୁସନ୍ଧାନ କରି ବୁଝିବାଲାଗି ଜଣେ ବାର୍ତ୍ତାବହକୁ ପ୍ରେରଣ କରିଥିଲେ । ଦୂତ ଫେରିଆସି ସମ୍ବାଦ ଦେଲା ଯେ, ସେଠାରେ ସାକ୍ଷାତ ଶିବଙ୍କ ସମାନ ଜଣେ ସନ୍ଥଗୁରୁ ଏକ ସହସ୍ର ଭକ୍ତଙ୍କର ଗହଣରେ ଆସନ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଅଶ୍ଵରୁ ଅବତରଣ କଲେ ଓ ଭକ୍ତିଭରେ ସେହି ସନ୍ଥଙ୍କ ଉଦ୍ଦେଶ୍ୟରେ ଅଗ୍ରସର ହୋଇ ଯାଇଥିଲେ । ନିଜର ଅନ୍ତଃଦୃଷ୍ଟିରେ ମଧ୍ୟ ସେ ଉଜ୍ଜ୍ଵଳ ତୃତୀୟ ନୟନ ରହିଥିବା ସ୍ଵୟଂ ଶିବ ହିଁ ଆବିର୍ଭୂତ ହୋଇ ଆସିବାର ପ୍ରତ୍ୟକ୍ଷ କରିପାରିଲେ । ସନ୍ଥ ତଥା ତାଙ୍କର ଶିଷ୍ୟମାନେ ପ୍ରଦାନ କରିଥିବା ଦିବ୍ୟ ସତ୍ୟଟି ବିଷୟରେ ସେ ସନ୍ଧାନ ମଧ୍ୟ ନେଲେ । ଏହିପରି ଭାବରେ ତାଙ୍କଦ୍ଵାରା ଦୀକ୍ଷିତ ହୋଇ ସେ ସାଶ୍ରୁଲୋଚନରେ ସେହି ଗୁରୁଙ୍କ ଆଗରେ ଲମ୍ବ ହୋଇ ପଡ଼ିଗଲେ, ଇହଲୋକର ସକଳ ପଦସମ୍ମାନକୁ ପରିହାର କଲେ ଏବଂ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଦୀକ୍ଷା ଲାଭ କରି ଜୀବନ୍ମୁକ୍ତ ପଦ ପାଇଲେ । ଦେହରେ ଭସ୍ମ ବୋଳିଦେଲେ ଏବଂ ଜଣେ ଶୈବଯୋଗୀ ପରି ଜଟା ପରିଧାନ କଲେ । ଏବଂ, ଅଶ୍ଵମାନଙ୍କୁ କିଣିବା ନିମନ୍ତେ ତାଙ୍କୁ ଯେଉଁ ଅର୍ଥ ଦିଆ ଯାଇଥିଲା, ତାହାକୁ ସେହି ଗୁରୁ ଓ ତାଙ୍କର ପରିକରମାନଙ୍କ ହାତରେ ମଧ୍ୟ ସମର୍ପି ଦେଇଥିଲେ ।

 

ଏହା ଦେଖି ସାଥିରେ ସାମନ୍ତ ଅନ୍ୟମାନେ ଏହି ନବଦୀକ୍ଷିତ ମନ୍ତ୍ରୀଙ୍କ ସମୀପକୁ ଆସି ନିଜ ରାଜା ତାଙ୍କ ଜିମାରେ ଦେଇଥିବା ସମ୍ପଦଟିକୁ ସେ କାହିଁକି ଏପରି ଅନ୍ୟ ହାତରେ ସମର୍ପି ଦେଲେ ବୋଲି ତାଙ୍କୁ ଭର୍ତ୍ସନା ଲାଗିଲେ । କିନ୍ତୁ ସେମାନଙ୍କୁ ସେ ଫେରିଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଓ “କାହିଁକି ଆପଣମାନେ ମୋତେ ଏହିସବୁ ସାଂସାରିକ ବ୍ୟାପାର ଭିତରକୁ ପୁନର୍ବାର ଟାଣି ନେବାଲାଗି ଇଚ୍ଛା କରୁଛନ୍ତି” ବୋଲି ପ୍ରଶ୍ନ କରିଥିଲେ । ତେଣୁ ସେମାନେ ପହଞ୍ଚିଯିବେ, ସେକଥା ରାଜାଙ୍କୁ ଯାଇ ଜଣାଇବାର ନିର୍ଦ୍ଦେଶ ଦେଲେ । ମହାଦେବ ତାଙ୍କ ପାଇଁ ଉପଯୁକ୍ତ ଯାନଟିଏ ମଧ୍ୟ ଆଣି ଦେଇଥିଲେ ତଥା ଏକ ବହୁମୂଲ୍ୟ ରତ୍ନ ମଧ୍ୟ ପ୍ରଦାନ କଲେ । ଅଶ୍ଵମାନ ଆସି ଅବଶ୍ୟ ପହଞ୍ଚିବେ ବୋଲି ତାଙ୍କର ପ୍ରତିଶ୍ରୁତିକୁ ରାଜାଯାଇ, ଅଶ୍ଵମାନେ ପହଞ୍ଚିବାର ଦୁଇଦିନ ପୂର୍ବରୁ ଯୁବକ ମୁଖ୍ୟ ଅମାତ୍ୟଙ୍କୁ ସେ ବନ୍ଦୀଶାଳାକୁ ପଠାଇ ଦେଇଥିଲେ ।

 

ମାତ୍ର, ଭଗବାନ ନିଶ୍ଚୟ ତାଙ୍କ ଭକ୍ତର ସମ୍ବାଦ ରଖିବେ ଓ ତାଙ୍କୁ ଅବଶ୍ୟ ରକ୍ଷା କରିବେ-। ସେ ଗୋଟିଏ ଶୃଗାଳପଲଙ୍କୁ ଏକାଠି କଲେ, ସେମାନଙ୍କୁ ଗୋଟିଏ ଗୋଟିଏ ସୁଦୃଶ୍ୟ ଅଶ୍ଵରେ ପରିଣତ କରିଦେଲେ ଓ ରାଜାଙ୍କର ଦରବାରକୁ ପଠାଇ ଦେଇଥିଲେ । ସେମାନଙ୍କ ସହିତ ଜଗୁଆଳ ଓ ରକ୍ଷକ ହିସାବରେ କେତେକ ଗୌଣ ଦେବତାମାନେ ମଧ୍ୟ ଛଦ୍ମବେଶରେ ପ୍ରେରିତ ହେଲେ । ଏହି ସମଗ୍ର ଅଭିଯାନଟିରେ ସିଏ ସ୍ୱୟଂ ଆଗେ ଆଗେ ଯାଉଥିଲେ; ଯେଉଁ ବଣିକଙ୍କ ଠାରୁ ଘୋଡ଼ାମାନେ କିଣା ଯାଇଥାଆନ୍ତେ, ଶିବ ସେହି ବଣିକଙ୍କର ବେଶ ଧାରଣା କରିଥିଲେ-। ରାଜା ଅବଶ୍ୟ ଅତ୍ୟନ୍ତ ପ୍ରୀତ ହେଲେ ତଥା ବହୁତ କ୍ଷମାପ୍ରାର୍ଥନା ପୂର୍ବକ ଅମାତ୍ୟଙ୍କୁ ମୁକ୍ତ କରିଦେଲେ । ଘୋଡ଼ାମାନେ ରାଜାଙ୍କର ଅସ୍ତାବଲକୁ ପଠାଇ ଦିଆଗଲେ ଓ ଛଦ୍ମବେଶୀ ଦେବତାମାନେ ମଧ୍ୟ ପ୍ରସ୍ଥାନ କରିଥିଲେ । ସବୁ ଠିକ୍ ହୋଇଯିବା ପରି ଲାଗିଲା ।

 

କିନ୍ତୁ, ରାତି ପାହି ସକାଳ ହେବା ପୂର୍ବରୁ ଶୃଗାଳମାନଙ୍କର ବିକଟାଳ ହୁକେ ହୋ’ ଶବ୍ଦରେ ସମସ୍ତ ନଗରୀଟିର ନିଦ ଭାଙ୍ଗି ଯାଇଥିଲା; ଅଶ୍ଵମାନେ ପଲେ ଶୃଗାଳରେ ପରିଣତ ହୋଇ ଯାଇଥିଲେ ଏବଂ ଆହୁରି ଅଧିକ ଦୁର୍ଭାଗ୍ୟର କଥା ଯେ, ରାଜାଙ୍କର ଘୋଡ଼ାଶାଳରେ ଥିବା ପ୍ରକୃତ ଅଶ୍ଵମାନଙ୍କୁ ମଧ୍ୟ ସେମାନେ ଗିଳି ପକାଇଥିଲେ । ରାଜା ଠକି ଯାଇଛନ୍ତି ବୋଲି ହୃଦୟଙ୍ଗମ କଲେ; ବିଚରା ମନ୍ତ୍ରୀଙ୍କୁ ଧରିଆଣି ମଧ୍ୟାହ୍ନର ଟାଣ ଖରାରେ ନେଇ ବାନ୍ଧି ରଖିଲେ ଓ ତାଙ୍କର ପିଠିଉପରେ ଗୋଟିଏ ଭାରି ପଥର ନେଇ ରଖି ଦିଆଗଲା । ମନ୍ତ୍ରୀ ତହୁଁ ନିଜ ଭଗବାନଙ୍କୁ ପ୍ରାର୍ଥନା କଲେ ଓ ଶିବ ଯେସାକୁ ତେସା ପରି ନିଜର ଜଟାମଧ୍ୟରୁ ଗଙ୍ଗାର ଜଳସ୍ରୋତକୁ ବାହାର କରି ସମଗ୍ର ରାଜଧାନୀକୁ ପ୍ଳାବିତ କରି ଦେଇଥିଲେ । ରାଜା ପୁନର୍ବାର ଆପଣାର ଭୁଲ୍‍ଟିକୁ ଦେଖି ପାରିଲେ, ସନ୍ଥଙ୍କୁ ତାଙ୍କର ଉପଯୁକ୍ତ ସମ୍ମାନ ପ୍ରଦାନ କରିଥିଲେ ଏବଂ ରାଜଧାନୀକୁ ରକ୍ଷା କରିବା ନିମନ୍ତେ ଗୋଟିଏ ବନ୍ଧ ବାନ୍ଧିବା ଆରମ୍ଭ କରାଇଲେ । ଏହି କାର୍ଯ୍ୟଟି ସମ୍ମାନ ହେବା ପରେ, ରାଜା ନିଜର ରାଜ୍ୟକୁ ସନ୍ଥଙ୍କୁ ହିଁ ପ୍ରଦାନ କରିଦେବାକୁ ବାହାରିଲେ; ମାତ୍ର ମାଣିକ ବାଚାଗର ଯେଉଁଠାରେ ସର୍ବପ୍ରଥମେ ଶିବଙ୍କର ଦର୍ଶନ ଲାଭ କରିଥିଲେ, ସେହି ପୋତାଶ୍ରୟ ପାଖରେ ହିଁ ନିଜର କୁଟୀର ନିର୍ମାଣ କରି ରହିବାକୁ ଅଧିକ ପସନ୍ଦ କଲେ । ସେଠାରେ ସେ ସ୍ଵଗୁରୁଙ୍କ ଚରଣ ପାଖରେ ନିଜର ସ୍ଥାନ ଗ୍ରହଣ କରିଥିଲେ । ଅବଶ୍ୟ ଏଣେ ଶିବଙ୍କର କାର୍ଯ୍ୟଟି ପୂରଣ ହୋଇ ଯାଇଥିଲା ଓ ସେ ସମଗ୍ର ତାମିଳକମ୍‍ରେ ଧର୍ମର ପ୍ରତିଷ୍ଠା କରିବାର ଦାୟିତ୍ଵକୁ ମାଣିକ୍କ ବାଚାଗର୍‍ଗଙ୍କ ଉପରେ ନ୍ୟସ୍ତ କରି ସ୍ଵର୍ଗକୁ ଫେରିଗଲେ । ତା’ ପରେ ଏହି ସନ୍ଥ ନଗରକୁ ନଗର ପରିବ୍ରଜ କରି ବୁଲିଥିଲେ ଓ ଭକ୍ତି ଗଦ୍‍ଗଦ୍ ହୋଇ ସ୍ତବଗୁଡ଼ିକୁ ଗାନ କରି ଶୁଣାଇଥିଲେ । ସେହି କାରଣରୁ ହିଁ ତାଙ୍କର ନାମ ତେଣିକି “ମାଣିକ୍କ ବାଚାଗର୍” ଅର୍ଥାତ୍ ଯାହାଙ୍କର ବଚନରେ ମାଣିକ୍ୟ ଝଲକି ଉଠେ” ବୋଲି ହୋଇ ଯାଇଥିଲା । ଶେଷକୁ ସେ ଯାଇ ଚିତାମ୍ବରମ୍‍ଠାରେ ପହଞ୍ଚିଲେ, ଯେଉଁ ପବିତ୍ର ନଗରୀରେ ପ୍ରତିଦିନ ହିଁ ଶିବଙ୍କର ନୃତ୍ୟ ଦେଖିବାର ସୌଭାଗ୍ୟ ମିଳେ । ସେଠାରେ ସନ୍ଥ ବ୍ୟାଘ୍ରପାଦ ମଧ୍ୟ ବାସ କରୁଥିଲେ । ପରଲୋକରେ ନିଜର ଭଗବାନଙ୍କୁ କେତେଜଣ ବୌଦ୍ଧଧର୍ମୀ ଅନ୍ୟଙ୍କ ସହିତ ଏକ ବୃହତ୍ ବିତର୍କ ଲାଗିଲା ପରେ ଜଣେ ଅତ୍ୟନ୍ତ ସମ୍ମାନସ୍ପଦ ଅଥଚ ଅପରିଚିତ ଭକ୍ତ ଆସି ସେଠାରେ ପହଞ୍ଚିଥିଲେ ଏବଂ ସନ୍ଥଙ୍କର ନିଜ ମୁଖରୁ ହିଁ ନିଃସୃତ ହେଉଥିବା ତାଙ୍କଦ୍ଵାରା ଲିଖିତ ସଙ୍ଗୀତଗୁଡ଼ିକୁ ଲେଖିରଖିବା ନିମନ୍ତେ ଅନୁମତି ପ୍ରାର୍ଥନା କରିଥିଲେ । ସେହି କାର୍ଯ୍ୟଟିକୁ କରିସାରି ସେ ସେଠାରୁ ଅନ୍ତର୍ନିହିତ ହୋଇ ଚାଲିଗଲେ । ପ୍ରକୃତରେ ଏହିପରି ଭାବରେ ସ୍ଵୟଂ ଶିବ ଭଗବାନ୍ ହିଁ ଦେବତାମାନଙ୍କର ପ୍ରୀତ୍ୟର୍ଥେ ସେହି ଗୀତଗୁଡ଼ିକୁ ଟିପି ସ୍ଵର୍ଗରାଜ୍ୟକୁ ନେଇ ଯାଇଥିଲେ-। ତହିଁ ଆରଦିନ ସକାଳେ ସେହି ଗୀତଗୁଡ଼ିକରୁ ସମ୍ପୂର୍ଣ୍ଣ ନକଲଟିଏ ଦୃଷ୍ଟିଗୋଚର ହୋଇଥିଲା; ସର୍ବମୋଟ ଏକସହସ୍ର ଗୀତ, ସ୍ଵୟଂ ଭଗବାନଙ୍କର ହିଁ ସ୍ଵାକ୍ଷର ସହିତ ଏବଂ, ଚିତାମ୍ବରରେ ସ୍ଥାପିତ ତାଙ୍କର ମୂର୍ତ୍ତିଟି । ଏହାର କି ଅର୍ଥ ହୋଇପାରେ ଜାଣିବାପାଇଁ ସେହି ମନ୍ଦିରର ସବୁ ଭକ୍ତ ସନ୍ଥଙ୍କୁ ନିକଟକୁ ଧାଇଁ ଯାଇଥିଲେ । ସନ୍ଥ ସମସ୍ତଙ୍କୁ ତାଙ୍କ ଆସିବା ନିମନ୍ତେ କହି ସ୍ଵର୍ଣ୍ଣବୈଦିକା ଉପରେ ଥିବା ଶିବମୂର୍ତ୍ତିଟି ପାଖକୁ ନେଇ ଯାଇଥିଲେ । “ଏହାହିଁ ତାହାର ଅର୍ଥ” ବୋଲି କହି ସେ ସେଠାରୁ ଅନ୍ତର୍ହିତ ହୋଇଗଲେ । ପ୍ରକୃତରେ ସେହି ପ୍ରତିମାଟି ମଧ୍ୟରେ ହିଁ ଲୀନ ହୋଇ ଯାଇଥିଲେ ଓ ତା’ପରେ କେହି ଆଉ ତାଙ୍କୁ ଦେଖିବାକୁ ପାଇନଥିଲେ ।

 

ଶିବତାଣ୍ଡବ କଥା

 

ଏକଦା ଶିବଙ୍କର ଅବଗତିକୁ ଏକଥା ଆସିଥିଲା ଯେ, ତଡ଼ାଗମ୍ ନାମକ ଅରଣ୍ୟରେ ଦଶହଜାର ଅନ୍ୟଧର୍ମୀ ଋଷି କରୁଛନ୍ତି, ଯେଉଁମାନେ କି ଏହି ଜଗତରୁ ଚିରନ୍ତନ ବୋଲି କହୁଛନ୍ତି, ଆତ୍ମାଗୁଡ଼ିକ ଉପରେ ଉଚ୍ଚତର ଆଉ କେହି ଅଧିକାରୀ ନାହାନ୍ତି ତଥା ମୁକ୍ତି ନିମନ୍ତେ କର୍ମଗୁଡ଼ିକର ସାଧନ ହିଁ ଯଥେଷ୍ଟ ବୋଲି ପ୍ରଚାର କରୁଛନ୍ତି । ସେମାନଙ୍କୁ ପ୍ରକୃତ ସତ୍ୟର ଶିକ୍ଷା ଦେବାପାଇଁ ଶିବ ସଂକଳ୍ପବଦ୍ଧ ହୋଇଥିଲେ । ବିଷ୍ଣୁଙ୍କୁ ଜଣେ ସୁନ୍ଦରୀ ରମଣୀ ବେଶରେ ତାଙ୍କର ଅନୁଗମନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଉଭୟେ ଘୋର ଅରଣ୍ୟ ଭିତରେ ପ୍ରବେଶ କଲେ । ଶିବ ପରିବ୍ରଜରେ ବାହାରିଥିବା ଜଣେ ଯୋଗୀ ଓ ବିଷ୍ଣୁ ହେଉଛନ୍ତି ତାଙ୍କର ପତ୍ନୀ,–ଏହିପରି ପରିଚୟ ଦେଲେ । ସେମାନଙ୍କୁ ଦେଖି ସକଳ ରିଷିଙ୍କର ପତ୍ନୀମାନେ ମଧ୍ୟ ଏହି ଯୋଗୀଙ୍କ ନିମନ୍ତେ ଅତିଶୟ ବିହ୍ଵଳ ହୋଇ ପଡ଼ିଥିଲେ ଏବଂ ଅନ୍ୟ ପକ୍ଷରେ, ଋଷିମାନେ ମଧ୍ୟ ଯୋଗୀଙ୍କର ସେହି ପତ୍ନୀଙ୍କ ନିମନ୍ତେ ଅତିଶୟ ସମାନ ଭାବରେ କାମବଶ ହୋଇଗଲେ । ସମଗ୍ର ଋଷିବସତିଟି ଏହାଫଳରେ କୋଳାହଳମୟ ହୋଇ ଉଠିଲା; କିନ୍ତୁ, ଏହିସବୁ ବ୍ୟପାର ଉପରକୁ ଯେଉଁଭଳି ପ୍ରତୀତ ହେଉଛି, ତାହା ହୁଏତ ପ୍ରକୃତରେ ତାହା ନୁହେଁ ବୋଲି ଅଳ୍ପ ସମୟପରେ ଋଷିମାନେ ସନ୍ଦେହ କରିବାକୁ ଆରମ୍ଭ କରିଥିଲେ । ସେମାନେ ଏକତ୍ର ହୋଇ ଆଗନ୍ତୁକ ଦ୍ୱୟଙ୍କ ଉଦ୍ଦେଶ୍ୟରେ ଅଭିଶାପମାନ ଦେବାକୁ ଲାଗିଲେ; ମାତ୍ର ସେଗୁଡ଼ିକର କୌଣସି ଫଳ ନଫଳିବାରୁ ସେମାନେ ଗୋଟିଏ ଯଜ୍ଞାଗ୍ନି କଲେ ଓ ତାହା ଭିତରୁ ଗୋଟିଏ ବ୍ୟାଘ୍ରକୁ ଆବିର୍ଭୂତ କରାଇ ଆଣିଥିଲେ । ବ୍ୟାଘ୍ରଟି ଶିବଙ୍କୁ ଗିଳି ପକାଇବ ବୋଲି ଧାଇଁ ଆସିଲା । ଶିବ କେବଳ ଈଷତ୍ ହସି ଦେଇଥିଲେ ଏବଂ ତାହାକୁ ଅତ୍ୟନ୍ତ ଧୀରଭାବରେ ହାତକୁ ଟେକି ନେଇ ନିଜର କାଣିଆଙ୍ଗୁଠି ଦ୍ଵାରା ତାହାର ଛାଲଟିକୁ ଉତାରି ନେଲେ ଓ ଏକ ରେଶମ ଶାଲ ପରି ନିଜ ଦେହରେ ଆଣି ପକାଇ ଦେଇଥିଲେ । ଋଷିମାନେ ତା' ପରେ ଗୋଟିଏ ସାପକୁ ସମ୍ଭବ କରି ଆଣିଥିଲେ ଏବଂ ସେଇଟିକୁ ମଧ୍ୟ ଶିବ ନିଜ ଗଳାରେ ହାର କରି ପକାଇ ଦେଇଥିଲେ । ତା' ପରେ ଗୋଟିଏ ଅନିଷ୍ଟକାରୀ କୃଷ୍ଣ ବାମନର ଆବିର୍ଭାବ ହେଲା,–ବାମନର ହସ୍ତରେ ଗୋଟିଏ ବିରାଟ ଗଦା ମଧ୍ୟ ଥିଲା । କିନ୍ତୁ ଶିବ ତା' ପିଠିଉପରେ ନିଜର ଗୋଟିଏ ପାଦକୁ ନେଇ ଚାପି ଦେଲେ ଏବଂ ନୃତ୍ୟ କରିବାକୁ ଲାଗିଲେ ।' ତାଙ୍କର ପାଦ ସେହିପରି ବାମନ ଉପରେ ହିଁ ରହିଥାଏ । ବିଚରା ଋଷିମାନେ ପ୍ରାୟ ଥକି ପଡ଼ିଥିଲେ, ନିଜର ଏହି ସବୁଯାକ ପ୍ରୟାସ ବ୍ୟର୍ଥ ହୋଇଥିବାରୁ ଘୋର ଚିନ୍ତାରେ ଯାଇ ପଡ଼ିଗଲେ । ଏବଂ ଏଣେ ସେହି ନୃତ୍ୟର ଐଶ୍ଵର୍ଯ୍ୟ ତଥା ତୀବ୍ର ବେଗ ଦ୍ଵାରା ସଚଳ ହୋଇପଡ଼ି ଓ ସ୍ଵର୍ଗର ଦ୍ଵାରସବୁ ଖୋଲିଯିବାର ଦେଖି ଦେବତାମାନେ ମଧ୍ୟ ସେହି ନୃତ୍ୟକୁ ଦେଖିବା ନିମନ୍ତେ ଆସି ସମବେତ ହୋଇଯିବାରୁ ସେହି ଋଷିମାନେ ମଧ୍ୟ ମହିମାମୟ ଶିବଙ୍କର ସମ୍ମୁଖରେ ଯାଇ ଲମ୍ବ ହୋଇ ପଡ଼ିଗଲେ ଏବଂ ତାଙ୍କର ପୂଜକ ହେଲେ ।

 

ବର୍ତ୍ତମାନ ପାର୍ବତୀ ଆସି ଧବଳ ବୃକ୍ଷ ପିଠିରେ ଆରୁଢ଼ ହୋଇ ସେଠାରେ ପହଞ୍ଚିଥିଲେ ଓ ଶିବ ତାଙ୍କ ସହିତ କୈଳାଶକୁ ପ୍ରତ୍ୟାବର୍ତ୍ତନ କଲେ । ଏବଂ, କେବଳ ବିଷ୍ଣୁ ହିଁ ରହିଗଲେ, ସାଥିରେ ଅନନ୍ତ ନାଗ ମଧ୍ୟ ଥାଆନ୍ତି । ବ୍ରହ୍ମାଙ୍କର ରାତ୍ରି ହେଲେ ବିଷ୍ଣୁ କ୍ଷୀରସମୁଦ୍ରରେ ସେହି ଅନନ୍ତ ଉପରେ ହିଁ ଶୟାନ ହୋଇ ରହନ୍ତି । ଚକିତ ହୋଇ ଯାଇଥିଲେ ଏବଂ ବିଶେଷ କରି ଅତିଶେଷ ବା ଅନନ୍ତ ତାହାକୁ ଆଉଥରେ ଦେଖିବେ ବୋଲି ଅତ୍ୟନ୍ତ ଉତ୍ସାହ ପ୍ରକାଶ କରିଥିଲେ । ତେଣୁ ବିଷ୍ଣୁ ଅନନ୍ତଙ୍କର ପୁତ୍ରଙ୍କୁ ନିଜର ନିୟୋଗପାଇଁ ରଖି ଅନନ୍ତଙ୍କୁ ବିଦାୟ ନେବା ସକାଶେ ଅନୁମତି ପ୍ରଦାନ କରିଥିଲେ । ଆପଣାର ପୂର୍ବତନ ପରିଚର୍ଯ୍ୟାକାରୀଙ୍କୁ କୈଳାଶ ପ୍ରୟାଣ କରି ବିହିତ ତପସ୍ୟା ଦ୍ଵାରା ଶିବଙ୍କୁ ତୁଷ୍ଟ କରିବାଲାଗି ପରାମର୍ଶ ଦେଲେ । ରତ୍ନଭୂଷଣ ସହସ୍ରଫଣା ସେହି ବିଷ୍ଣୁପରିକର ସର୍ପ ଏହି ନିର୍ଦ୍ଦେଶ ପାଇ ନିଜର ଜାଗତିକ ଉଚ୍ଚପଦଟିକୁ ବିସର୍ଜନ କରି ଶିବଙ୍କର ଜଣେ ସାଧାରଣ ଭକ୍ତରୂପେ ଜୀବନଯାପନ କରିବା ନିମନ୍ତେ ଉତ୍ତରାବର୍ତ୍ତ ହୋଇ ଚାଲି ଯାଇଥିଲେ । କିଛିକାଳ ଅନ୍ତେ ଭଗବାନ ଶିବ ବ୍ରହ୍ମାଙ୍କର ବେଶରେ ମରାଳ ଆରୋହଣ କରି ଏହି ଭକ୍ତଙ୍କର ନିଷ୍ଠାକୁ ପରୀକ୍ଷା କରିବାର ଅଭିପ୍ରାୟରେ ଆସି ସେଠାରେ ପହଞ୍ଚିଲେ । ସେ କହିଥିଲେ ଯେ, ଅମରାବତୀର ଆନନ୍ଦ ତଥା ସ୍ଵର୍ଗପୁରୀରେ କୌଣସି ଉଚ୍ଚପଦ ଲାଭ କରିବାର ଯୋଗ୍ୟ ହେବାଲାଗି ଏହି ଭକ୍ତ ତପଶ୍ଚର୍ଯ୍ୟା କରି ସାରିଛନ୍ତି; ଏଣୁ ସିଏ ତାଙ୍କୁ ଗୋଟିଏ ବର ଦେବାଲାଗି ଇଚ୍ଛା ପ୍ରକାଶ କଲେ । ମାତ୍ର ସର୍ପ ଉତ୍ତର ଦେଲେ, “ମୋ’ର କୌଣସି ବିଶେଷ ଲୋଡ଼ା ନାହିଁ, କୌଣସି ଅସାଧାରଣ ଦାନସମ୍ପଦ ମଧ୍ୟ ଲୋଡ଼ା ନାହିଁ; ମୁଁ କେବଳ ଦେବଦେବ ମହାଦେବ ମହାଦେବଙ୍କର ଏହି ରହସ୍ୟମୟ ତାଣ୍ଡବନୃତ୍ୟକୁ ହିଁ ନିରନ୍ତର ଦେଖିବାକୁ ଇଚ୍ଛା କରୁଛି ।” ବ୍ରହ୍ମା ତାଙ୍କ ସହିତ ବହୁତ ଯୁକ୍ତି କଲେ, ମାତ୍ର ସବୁ ଯୁକ୍ତି ବ୍ୟର୍ଥ ହୋଇ ଯାଇଥିଲା । ଅଭିଳଷିତ ସେହି ଦୃଶ୍ୟଟିକୁ ନଦେଖିବା ପର୍ଯ୍ୟନ୍ତ ସର୍ପ ବରଂ ଏହି ବର୍ତ୍ତମାନ ସ୍ଥିତିରେ ଓ ଆବଶ୍ୟକ ହେଲେ ଅନ୍ୟ ଜନ୍ମଗୁଡ଼ିକରେ ମଧ୍ୟ ତଥାପି ଅଟକ ହୋଇ ରହିଥିବ-। ଏହାପରେ ଶିବ ନିଜର ସ୍ୱରୂପ ଧାରଣା କରିଥିଲେ ଏବଂ ନିଜର ତୃଷାରଧବଳ ରଙ୍ଗର ବୃଷଭ ଉପରେ ପାର୍ବତୀଙ୍କ ସହିତ ଆରୋହଣ କରି ସେ ମହାନ୍ ସର୍ପର ନିକଟବର୍ତ୍ତୀ ହେଲେ ଏବଂ ତାହାର ମସ୍ତକକୁ ସ୍ପର୍ଶ କରିଥିଲେ ।

 

ତା’ପରେ ସେ ଜଣେ ଏହି ଜଗତର ଗୁରୁଙ୍କ ଭଳି ଅଗ୍ରସର ହୋଇଗଲେ,–ଏବଂ, ଶୈବମାନଙ୍କ ନିମନ୍ତେ ପ୍ରତ୍ୟେକ ଯଥାର୍ଥ ଗୁରୁ ହେଉଛନ୍ତି ଈଶ୍ଵରଙ୍କର ଗୋଟିଏ ଅବତାର,–ସେ ତାଙ୍କର ଏହି ନବୀନ ଶିଷ୍ୟଟିକୁ ପ୍ରାଚୀନ ସତ୍ୟଜ୍ଞାନର ପ୍ରଦାନ କରିବାଲାଗି ଅଗ୍ରସର ହୋଇଗଲେ-। କହିଲେ, ଏହି ବ୍ରହ୍ମାଣ୍ଡ ମାୟାରୁ ଜାତ ହୋଇଛି ଏବଂ ତାହା ଗଣନାତୀତ ବହୁ ବହୁ ଅବତାରର ତଥା ଭଲ ଓ ମନ୍ଦ ବହୁ କ୍ରିୟାଲାଗି ଗୋଟିଏ କ୍ଷେତ୍ର ହୋଇ ଅବଶ୍ୟ ରହିବ । ଗୋଟିଏ ମାଟିନିର୍ମିତ ଘଟର ସର୍ବପ୍ରଥମ କାରଣ ଜଣେ କୁମ୍ଭାର, ତାହାର ଗଠନରେ ଲାଗିଥିବା ଜଡ଼ପଦାର୍ଥଟି ହେଉଛି ଏବଂ ସେଇଟି ତିଆରି ହେବାରେ ଯନ୍ତ୍ରରୂପେ ବାମରେ ଲାଗିଥିବା କୁମ୍ଭାରର ଚକ ଓ ତା’ ହାତର ବାଡ଼ିଖଣ୍ଡିକ; ସେହିପରି, ଏହି ବ୍ରହ୍ମାଣ୍ଡର ଜଡ଼ଗତ କାରଣ ହେଉଛି ମାୟା, ଯନ୍ତ୍ରରୂପେ ଏଥିରେ ଶିବଙ୍କର ଶକ୍ତି ଅର୍ଥାତ୍ ପାର୍ବତୀ ରହିଛନ୍ତି ଏବଂ, ସ୍ଵୟଂ ଶିବ ହେଉଛନ୍ତି ସର୍ବପ୍ରଥମ କାରଣ-। ଶିବଙ୍କର ଶରୀର,–ଗୀତିଏ କଳାବିଶିଷ୍ଟ ଏବଂ ତେଣୁ ଦୃଶ୍ୟମାନ୍ ଓ ଅନ୍ୟଟି ନିଷ୍ଫଳ, ତେଣୁ ଅଦୃଶ୍ୟ ଏବଂ ବିଶ୍ଵାତୀତ । ଏହି ସବୁକିଛିର ଅତୀତ ହୋଇ ପୁଣି ତାଙ୍କର ସ୍ଵକୀୟ ଆଲୋକ ତଥା ଐଶ୍ଵର୍ଯ୍ୟର ଶରୀରଟି ମଧ୍ୟ ରହିଛି । ଶିବ ସକଳ ସବୁକିଛିର ଆତ୍ମା ଏବଂ ତାଙ୍କର ନୃତ୍ୟ ହେଉଛି ଏହି ବ୍ରହ୍ମାଣ୍ଡ ସୃଷ୍ଟି, ସ୍ଥିତି ତଥା ପ୍ରଳୟ, ଆତ୍ମାଗୁଡ଼ିକୁ ଶରୀର–ପ୍ରଦାନ ଏବଂ ଆତ୍ମାଗୁଡ଼ିକର ଶରୀରନାମକ ସେହି ଆବରଣ ମଧ୍ୟରୁ ମୁକ୍ତି । ସେହି ନୃତ୍ୟ ବିରାମହୀନ ଓ ଶାଶ୍ଵତ ଭାବରେ ଲାଗିରହିଛି । ଆତି–ଶେଷନ୍ ଏହି ନୃତ୍ୟକୁ ପୁନର୍ବାର ଏହି ବ୍ରହ୍ମାଣ୍ଡର କେନ୍ଦ୍ରସ୍ୱରୂପ ଚିଦାମ୍ବରମ୍‍ଠାରେ ଦେଖିବାକୁ ପାଇବେ । ଶିବ କହିଥିଲେ, “ଇତ୍ୟବସରରେ ତୁମେ ମଧ୍ୟ ତୁମର ଏହି ସର୍ପର ଆକୃତିଟିକୁ ତ୍ୟାଗ କରିବ ଏବଂ ମାନବ–ପିତାମାତାଙ୍କଠାରୁ ଜନ୍ମଲାଭ କରି ତିଲ୍ଲଇ ଯାତ୍ରା କରିବ, ଯେଉଁଠାରେ କି ଗୋଟିଏ ତୋଟା ମଧ୍ୟରେ ଗୋଟିଏ ଲିଙ୍ଗ ଦେଖିବାକୁ ପାଇଚ । ଲିଙ୍ଗମାନଙ୍କ ମଧ୍ୟରେ ସେଇଟି ହେଉଛି,-ସେଠାରେ ସେବକ ବ୍ୟାଘ୍ରପାଦ ତାହାର ପରିଚର୍ଯ୍ୟା କରୁଛନ୍ତି । ସେ ସେଠାରେ ନିର୍ମାଣ କରୁଥିବା ଆଶ୍ରମରେ ତୁମେ ମଧ୍ୟ ରହିବ; ଏପରି ଏକ ସମୟ ଅବଶ୍ୟ ଆସିବ, ଯେତେବେଳେ କି ତୁମେ ଓ ସିଏ ଉଭୟେ ସେହି ନୃତ୍ୟକୁ ଦେଖିପାରିବ ।”

 

ଚଡ଼ାଗ ନାମକ ଅରଣ୍ୟରେ ଏହାହିଁ ହେଉଛି ଶିବଙ୍କର ନୃତ୍ୟ କରିବାର କାହାଣୀ ।

 

ଏକ ଟିପ୍ପଣି

 

ଶିବଙ୍କର ନୃତ୍ୟ ସମ୍ବନ୍ଧରେ ରହିଥିବା ବହୁ କାହାଣୀରୁ ଏଇଟି ହେଉଛି ଗୋଟିଏ । ଶିବ ହେଉଛନ୍ତି ଏହି ବିଶ୍ଵବ୍ରହ୍ମାଣ୍ଡରେ ହେଉଥିବା ସକଳ ଗତିଶୀଳତାର ଉତ୍ସ ଏବଂ ତାଙ୍କର ନୃତ୍ୟ ସେହି ସତ୍ୟଟିର ପ୍ରତିନିଧିତ୍ଵ କରୁଛି । ବିଶେଷତଃ, ସୃଷ୍ଟି, ସ୍ଥିତି, ପ୍ରଳୟ, ଶରୀରଦାନ ତଥା ଶରୀର ଭିତରୁ ମୁକ୍ତିପ୍ରଦାନ,–ତାଙ୍କର ଏହି ପାଞ୍ଚଗୋଟି କ୍ରିୟାର ପ୍ରତିନିଧି ହୋଇ ରହିଛି । ଉଦ୍ଦେଶ୍ୟ ହେଉଛି, ମନୁଷ୍ୟମାନଙ୍କର ଆତ୍ମାକୁ ମାୟା ଭିତରୁ ବାହାର କରିନେବା । ଏହି ବିଷୟଟି ଉପରେ ଅନେକ ସମୟରେ ମହତ୍ତ୍ଵ ଦିଆଯାଏ ଯେ, ନୃତ୍ୟର ପ୍ରକୃତ ସ୍ଥାନଟି ତିଲ୍ଲଇର ପବିତ୍ର ମନ୍ଦିର ମଧ୍ୟରେ । ତେଣୁ, ନିଜ ଭିତରେ ହିଁ ସେହି ନୃତ୍ୟକୁ ପ୍ରତ୍ୟକ୍ଷ କରିପାରିଲେ ହିଁ ଆତ୍ମା ମୁକ୍ତିଲାଭ କରିଥାଏ । ଆମେ ଦେଖିବାକୁ ପାଇବା ଯେ ଭୋଗବାନ୍ ଶିବଙ୍କର ‘ମନ୍ଦ’ ଓ ‘ଭଲ’ ବହୁତ ରୂପ ରହିଛି । ଯଦି ଆମେ ‘ଶଇତାନ’ ପାଇଁ ଏକ ସ୍ଵତନ୍ତ୍ର ବା ଭିନ୍ନ ଅସ୍ତିତ୍ଵର ଅନୁମାନ କରିବାକୁ ଇଚ୍ଛା ନକରିବା, ତେବେ ଏହା ସର୍ବଦା ସେହିପରି ହିଁ ହେବ । ସବୁଠାରୁ ଅଧିକ ଭୟଙ୍କର ତଥା କୁତ୍ସିତ ସ୍ଥାନ ଶ୍ମଶାନରେ ନୃତ୍ୟକାରୀ ରୂପେ ବର୍ଣ୍ଣିତ ଶିବ ହେଉଛନ୍ତି ମୂଳତଃ ଗୋଟିଏ ଆର୍ଯ୍ୟପୂର୍ବ କଳ୍ପନା । ସିଏ ‘ରୁଦ୍ର’, ସିଏ ‘ସଂହାରକାରୀ’ । ପରବର୍ତ୍ତୀ ଶୈବ ବିଚାରରେ ଏହି ନାଟକୀୟ କଳ୍ପନାଟିର ଏକ ଫଳପ୍ରଦ ବ୍ୟବାହର କରାଯାଇଛି, ସେଥିରେ ପିଶାଚମାନେ ମଧ୍ୟ ପରମେଶ୍ଵରଙ୍କର କେବଳ ଏକ ଅଂଶ ବୋଲି ଯୁକ୍ତି ଦିଆଯାଇନାହିଁ ଅଥବା ଏକ ସ୍ଥାନପରିବର୍ତ୍ତନ କରି ନୃତ୍ୟର ସ୍ଥାନଟିକୁ ଚିଦାମ୍ବରମ୍ ମନ୍ଦିରକୁ ନେଇ ଅଣା ଯାଇନାହିଁ, ମାତ୍ର ନୃତ୍ୟକୁ ଏକ ସତ୍ୟରୂପେ ସ୍ଵୀକାର କରି ନିଆଯାଇଛି; ସେଥିରେ ଶ୍ମଶାନ’କୁ ଏକ ପ୍ରତୀକାତ୍ମକ ନୂତନ ଅର୍ଥପ୍ରଦାନ କରାଯାଇଛି,–ତାହାକୁ ସାଧକ ବା ଉପାସକର ହୃଦୟରୂପେ ସ୍ଵୀକାର କରାଯାଇଛି ଯାହାକି ଶୂନ୍ୟ ତଥା ନିରର୍ଥକ ହୋଇ ପଡ଼ିରହିଛି,–ନୃତ୍ୟର ସେହି ସ୍ଥାନଟିରେ ହିଁ ଅହଂ ତଥା ଅହଂଦ୍ଵାରା ପ୍ରଣୋଦିତ ସକଳ କର୍ମ ପୋଡ଼ି ପାଉଁଶ ହୋଇଯିବ,–କେବଳ ସେହି ନୃତ୍ୟକାରୀଙ୍କ ବ୍ୟତୀତ ସବୁକିଛି ଧ୍ଵସ୍ତ ଓ ବିନିଷ୍ଟ ହିଁ ହୋଇଯିବ ।

Image